ଗଳ୍ପ

ସୁବର୍ଣ୍ଣ କଳସ

Manoj Das's odia story Subarnna Kalasa

ଏହାର ସମାଧାନ, ତମେ ମୋତେ ସ୍ପର୍ଶ କରିବ ନାହିଁ ।

ସୁବର୍ଣ୍ଣ କଳସ

-: ପୂର୍ବରୁ :-

ତନ୍ମୟ ଭାବିଲା, ସେ ତନ୍ଦ୍ରାବେଶରେ ଯାହା ଶୁଣିଲା ତାହା ତା’ର କଳ୍ପନା ଓ ଭୟ ମାତ୍ର । ସୁସ୍ମିତା ଏଭଳି ଉନ୍ମାଦିନୀ ଭଳି ଆସି ତାକୁ ଭେଟିବାକୁ ଚାହିଁବ, ଏହା ସମ୍ଭବ ନୁହେଁ ।

ପରଦିନ ବ୍ୟାପୀ ତାକୁ ଦରବାରରେ ବସି ରହିବାକୁ ହେଲା । ଜଣକ ପରେ ଜଣେ ସାମନ୍ତ ଆସି ତାକୁ ଅଭିବାଦନ ତଥା ଅଭିନନ୍ଦନ ଜଣାଇଲେ, ଭେଟ ଦେଲେ । ପଣ୍ଡିତ ଓ କବିମାନେ ପ୍ରଶସ୍ତି ଗାନ କଲେ । ଆସି ଆନୁଗତ୍ୟ ଜଣାଇଲେ ଏକ ପରେ ଏକ ଉଚ୍ଚପଦାରୂଢ଼ ରାଜକର୍ମଚାରୀ । ତନ୍ମୟ ଯାନ୍ତ୍ରିକ ଭାବରେ ସେସବୁ ସ୍ୱୀକାର କରୁଥାଏ, କିନ୍ତୁ ଅବସର ପାଇଲେ ହିଁ ମନ୍ତ୍ରୀ ଓ ପୁରୋହିତଙ୍କ ଆଗରେ ବିବାହ ବିଷୟରେ ନିଜ ସିଦ୍ଧାନ୍ତର ଅଟଳତା ଦୋହରାଉଥାଏ ।

ନିଶୀଥର ପ୍ରଥମ ପ୍ରହର ଅତୀତ ହେବା ବେଳକୁ ତନ୍ମୟ ବିଶ୍ରାମ ପାଇଁ ଯିବାବେଳେ ଜଣେ ଅନ୍ତଃପୁରବାସିନୀ ଆସି ତନ୍ମୟକୁ କହିଲା, “ମହାରାଜ ! ରାଜକୁମାରୀ ହୈମବତୀ ଆପଣଙ୍କୁ କିଛି ନିବେଦନ କରିବେ ।”

ଅନ୍ତଃପୁରବାସିନୀ ହଟିଗଲେ । ପର୍ଦ୍ଦାର ଆଢୁଆଳରୁ ଦେଖାଦେଲେ ରାଜକୁମାରୀ । ପୂର୍ବରୁ ଥରେ ମାତ୍ର ସେ ସୁନ୍ଦର ରୂପ ଦେଖିଥିଲା ତନ୍ମୟ । କିନ୍ତୁ ବର୍ତ୍ତମାନ ସେ କାନ୍ଦୁଥିଲେ, ଫଳରେ ସେ ତୀବ୍ର ସୌନ୍ଦର୍ଯ୍ୟ ଅଦ୍ଭୁତ ପ୍ରଭାବଶାଳୀ ଦିଶୁଥିଲା ।

ମହାରାଜ ! କୋହ ସମ୍ୱରଣ କରି ରାଜକନ୍ୟା କହିଲେ, “ଆପଣ ମୋତେ ଲୋକହସା କରନ୍ତୁ ନାହିଁ, ମୋର ପାଣିଗ୍ରହଣ କରନ୍ତୁ । ପ୍ରତିଶ୍ରୁତି ଦେଉଛି, ଅଚିରେ ମୁଁ ଅପସରିଯିବି । ଆପଣ ଆପଣଙ୍କ ମନୋନୀତାକୁ ବିଭା ହେବେ ।”

ରାଜକନ୍ୟା ବୁଲିପଡ଼ି ଚାଲିଗଲେ । ବଜ୍ରାହତ ପ୍ରାୟ ବସି ରହିଲା ତନ୍ମୟ ।

ପରଦିନ କଟୁଆଳ ଆସି କଥା ପ୍ରସଙ୍ଗରେ ଯେଉଁ ସମ୍ୱାଦ ପରିବେଷଣ କଲେ, ତାହାର ଅର୍ଥ ଚଣ୍ଡଗୌରାଙ୍ଗ ଏବଂ ତାଙ୍କ ପାଳିତାକନ୍ୟା ଗୃହ ପରିତ୍ୟାଗ କରି କୁଆଡ଼େ ଚାଲିଯାଇଛନ୍ତି । ତାନ୍ତ୍ରିକମାନଙ୍କ ଉଦ୍ଦେଶ୍ୟ ବା ଆଚରଣ ଆମମାନଙ୍କ ପାଇଁ ପ୍ରହେଳିକା । – କଟୁଆଳ ବିଜ୍ଞଜନୋଚିତ ମନ୍ତବ୍ୟ ଦେଲେ ।

ଅନଭିଜ୍ଞ ତନ୍ମୟ କାହାକୁ ନେଇ କିପରି ଭାବରେ ସେମାନଙ୍କ ଅନୁସନ୍ଧାନ କରିବ, ଏହା ବୁଝିପାରିଲା ନାହିଁ । ଏଣେ ପ୍ରମୁଖ, ପୁରୋହିତ ଓ ଅମାତ୍ୟବର୍ଗଙ୍କ ଚାପ ବଢ଼ି ଚାଲିଥାଏ । ସର୍ବୋପରି ତନ୍ମୟର ଚେତନାକୁ ଆଚ୍ଛନ୍ନ କରିଥାଏ ରାଜକୁମାରୀଙ୍କ ଅବିସ୍ମରଣୀୟ ମୁହଁ । ଅଭିଷେକର ଷଷ୍ଠ ଦିବସରେ ବିବାହ ହୋଇଗଲା ।

ପରମ୍ପରା ଅନୁସାରେ ସିଂହାସନାରୋହଣର ଏକପକ୍ଷ ଉତ୍ତାରୁ ନୂଆ ରାଜା ସପତ୍ନୀ ବାରାଣସୀ ଯିବା ବିଧି । ତନ୍ମୟ ଓ ହୈମବତୀ ଗଲେ । ବାରାଣସୀରେ ଉପନୀତ ହେବା ପରଦିନ ହିଁ ରାଜକୁମାରୀ ଶଯ୍ୟାଶାୟୀ ହେଲେ । ଅସୁସ୍ଥତା ତୀବ୍ରତର ହେଲା । କାଶୀନରେଶଙ୍କ ଗୃହବୈଦ୍ୟ ଆସି ତାଙ୍କୁ ଉତ୍ତମ ରୂପେ ପରୀକ୍ଷା କଲେ ଓ ଚିକିତ୍ସାରମ୍ଭ କଲେ । କିନ୍ତୁ ରାଜବୈଦ୍ୟ କ୍ରମେ ଅଧିକରୁ ଅଧିକ ଗମ୍ଭୀର ଦେଖାଗଲେ ଓ କେଇଦିନ ପରେ ଜଣେ ପ୍ରଖ୍ୟାତ ମନ୍ତ୍ରବିଦ୍‌ଙ୍କୁ ଧରି ଆସିଲେ । ହୈମବତୀଙ୍କୁ ପରୀକ୍ଷା କରି ଉଭୟେ ବିଷର୍ଣ୍ଣ ଭାବରେ ଲେଉଟିଗଲେ । ଭୀଷଣ ବିଚଳିତ ହେଲା ତନ୍ମୟ ।

ସେଦିନ ରାତିରେ ହୈମବତୀ ତନ୍ମୟକୁ ଏକାନ୍ତରେ କିଛି କହିବାକୁ ଇଚ୍ଛା ପ୍ରକାଶ କରନ୍ତେ, ପରିଚାରିକାମାନେ ବାହାରିଗଲେ । ହୈମବତୀ ଅତି ମୃଦୁ କଣ୍ଠରେ କହିଲେ, “ମହାରାଜ ! ମୋ ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଆସିଯାଇଛି ।”

କିନ୍ତୁ ତାହା ମୁଁ ଚାହେଁନା ରାଜକୁମାରୀ । ପରିସ୍ଥିତି ବଦଳିଯାଇଛି । ମୋତେ କ୍ଷମାକର ।

ମୁଁ ବି ଅପସରି ଯିବାକୁ ଚାହେଁନା, ମହାରାଜ ! କିନ୍ତୁ. . . !

ରାଜକୁମାରୀଙ୍କ କଣ୍ଠ କ୍ଷୀଣରୁ କ୍ଷୀଣତର ହୋଇ ନିରବ ହେଲା ଓ ନୟନ ହେଲା ନିମୀଳିତ । ସେ ଶୋଇପଡ଼ନ୍ତୁ, ଏହି ଶୁଭେଚ୍ଛା ନେଇ ବସି ରହିଲା ତନ୍ମୟ ।

ଅଦୂରରେ ଗଙ୍ଗାର ଅନ୍ୟତମ ଧାରା ବରୁଣର ମୃଦୁ କଳକଳ ନାଦ ବ୍ୟତୀତ ପରିବେଶ ନିସ୍ତବ୍ଦ ଥାଏ । ରାଜକୁମାରୀଙ୍କ ଶଯ୍ୟାର ଶୀର୍ଷରେ ସାମାନ୍ୟ କମ୍ପମାନ ଦୀପଶିଖା ।

ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିଥିଲେ ତନ୍ମୟ ।

ମହାରାଜ !

ଜୀବନରେ କେବେ ଏମିତି ଚମକି ନଥିଲା ତନ୍ମୟ । ଏ କଣ୍ଠସ୍ୱର ଅତି ପରିଚିତ, ଯଦିଓ ଆଜି ଏଥିରେ ବିଦ୍ରୁପର ଆଭାସ ।

ଦୀପଶିଖାର ବଳୟମାନ ଧୂମରେ ଯେପରି ଗୋଟିଏ ନାରୀମୂର୍ତ୍ତିର ଖସଡ଼ା ।

ମହାରାଜ ! ରାଜକନ୍ୟା ଆଉ ନାହାନ୍ତି ।

ନାହାନ୍ତି ? କିନ୍ତୁ ତୁମେ ! ସୁସ୍ମିତା !

ମୁଁ ବି ନାହିଁ । କିନ୍ତୁ ତୁମେ ଚାହିଁଲେ ରାଜକନ୍ୟା ଜୀବନ୍ୟାସ ପାଇବେ- ମୋର ଏ ପ୍ରାଣସତ୍ତାକୁ ମୂର୍ତ୍ତିମାନ୍ କରି । ଅନାଅ ରାଜକନ୍ୟାଙ୍କ ଆଡ଼େ । ଏ ଅମାପ ରୂପ ଚିରଦିନ ପାଇଁ ତୁମ ଜୀବନରୁ ଅପସରିଯିବ କାହିଁକି ? ବିଳମ୍ୱ କରନା । ତୁମ ସହଯୋଗ ବିନା ମୁଁ ତାଙ୍କ ତନୁରେ ପ୍ରବେଶ କରିପାରୁ ନାହିଁ ।

ମୋତେ କ’ଣ କରିବାକୁ ହେବ ? – ପ୍ରଶ୍ନକଲା ବିସ୍ମୟବିହ୍ୱଳ ତନ୍ମୟ ।

ଅନୁଷ୍ଠାନ ସହଜ ଓ ସାମାନ୍ୟ । ସୁସ୍ମିତାର ନିର୍ଦ୍ଦେଶ ଅନୁସାରେ ତନ୍ମୟ ତାହା ସମାଧାନ କଲା । ଆଖି ଖୋଲିଲେ ରାଜକୁମାରୀ ।

ରାଜକୁମାରୀ !

ମୋତେ ଏଭଳି ସମ୍ୱୋଧନ ଭଲ ଲାଗୁନାହିଁ । କହୁଁ କହୁଁ ଉଠିବସିଲେ ରାଜକୁମାରୀ- ନା ସୁସ୍ମିତା ! ଏ ଅଦ୍ଭୁତ ସମସ୍ୟା ଏଡ଼ାଇ ଯିବା ନିମନ୍ତେ ତାଙ୍କୁ ରାଣୀ ବୋଲି କୁହାଯାଉ ।

ରାଣୀ ସଳଖି ବସିଲେ । ତାଙ୍କ ଦୃଷ୍ଟିରେ ବିଷମ ତୀବ୍ରତା । ଅସ୍ୱସ୍ତି ଅନୁଭବ କଲା ତନ୍ମୟ । ସମ୍ପର୍କ ସହଜ କରିଦେବା ମାନସରେ ସେ ତାଙ୍କ ହାତ ଧରିପକାଇ କହିଲା, “ଆଃ, ତମେ ନୂତନ ଜୀବନ ପାଇଲ ।”

କିଏ ପାଇଲା ନୂତନ ଜୀବନ ? ତୀକ୍ଷ୍ଣ ହସ ହସି ରାଣୀ ପଚାରିଲେ, “ରାଜକୁମାରୀ ହୈମବତୀ, ନା ତମ ବିସ୍ମୃତ ପ୍ରେମିକା ସୁସ୍ମିତା ?”

ସୁସ୍ମିତା, ତମେ ବିସ୍ମୃତା, ଏ ଧାରଣା ଭୁଲ୍. . . !

କିନ୍ତୁ ତନ୍ମୟର ବଚନ ପ୍ରତି କର୍ଣ୍ଣପାତ ନ କରି ରାଣୀ କହିଲେ ଗମ୍ଭୀର ତଥା ରୁକ୍ଷ ଭାବରେ- ଶୁଣ ରାଜା ! ତମେ ଯେଉଁ ତନୁଟିକୁ ଏଡ଼େ ସରାଗରେ ସ୍ପର୍ଶ କରୁଛ, ସେ ତନୁ ମୋର ନୁହେଁ । ଅତଏବ ତମ ସ୍ପର୍ଶରେ ମୁଁ ଶିହରିତ ହେବାର ହେତୁ ନାହିଁ, ବରଂ ତମ ସ୍ପର୍ଶ ମୋତେ ଚେତାଇ ଦେଉଛି ଯେ, ତମେ ରାଜକୁମାରୀଙ୍କୁ ଆଦର କରୁଛ ।

କିନ୍ତୁ ସୁସ୍ମିତା. . . !

ରାଣୀ ପୁଣି ହସିଲେ । ମୋତେ ନିଃସଙ୍କୋଚରେ ସେଭଳି ସମ୍ୱୋଧନ କରିପାରିବ । ପାରିବ ନାହିଁ । ମୋତେ ସ୍ପର୍ଶ କରିପାରିବ । ପାରିବ ନାହିଁ ।

କାହିଁକି ନୁହେଁ ? ମୁଁ ତୁମକୁ ସ୍ପର୍ଶ କରିବାକୁ ଚାହେଁ ।

କିନ୍ତୁ ଯେତେଥର ଚେଷ୍ଟା କରିବ ସ୍ପର୍ଶ କରିବ ରାଜକୁମାରୀଙ୍କୁ- ତାହା ମୁଁ ସହିବି କିପରି ? କାନ୍ଦି ପକାଇଲେ ରାଣୀ । ମୁହୂର୍ତ୍ତକ ପରେ ଆତ୍ମସମ୍ୱରଣ କରି ସେ କହିଲେ, “ଏହାର ସମାଧାନ, ତମେ ମୋତେ ସ୍ପର୍ଶ କରିବ ନାହିଁ ।”

ରାଣୀ ସୁସ୍ଥ ହେବାର ଦେଖି ପରିଚାରକ ଓ ପରିଚାରିକାବର୍ଗ ଆଶ୍ୱସ୍ତ ହେଲେ । ତେବେ ସେ ଦେହରେ ବଳ ଫେରି ପାଇବା ପାଇଁ ସେମାନଙ୍କୁ ବାରାଣସୀରେ କେତେଦିନ ଅପେକ୍ଷା କରିବାକୁ ହେଲା । ସେ କେତେଦିନ ଭିତରେ ତନ୍ମୟର ମନେହେଲା, ସେ ଯେପରି ପାଗଳ ହୋଇଯିବ । ରାଜକୁମାରୀ ହୈମବତୀଙ୍କ କଳେବରରେ ସୁସ୍ମିତାର ଚେତନା ଅନୁପ୍ରବେଶ କରିଥିବା ନିଶ୍ଚିତ । କିନ୍ତୁ କାହିଁ ତା’ର ସେ ସୁପରିଚିତା ସୁସ୍ମିତା ।

ରାଜ୍ୟକୁ ଲେଉଟିଯିବା ସମୟ ଆସିଗଲା । ଦୁଇଜଣ ଅମାତ୍ୟ ସେମାନଙ୍କୁ ନେଇଯିବାକୁ ଆସିଲେ । କିନ୍ତୁ ତନ୍ମୟ କହିଲା, “ଆପଣମାନେ ରାଣୀଙ୍କୁ ନେଇଯା’ନ୍ତୁ । ମୋତେ କିଛିଦିନ ପାଇଁ ହିମାଳୟ ଯିବାକୁ ପଡ଼ିବ । ସିଂହାସନାରୋହଣ ପରେ ଗୁରୁଙ୍କ ଥରେ ସାକ୍ଷାତ୍ କରିବା ମୋର ପ୍ରଥମ କର୍ତ୍ତବ୍ୟ ।”

ହଠାତ୍ ରାଜପଦପ୍ରାପ୍ତିଜନିତ ପ୍ରାଥମିକ ବିମୂଢ଼ଭାବ କଟିଯାଇଥିଲା । ଏଣିକି ତନ୍ମୟ ଦୃଢ଼ଭାବରେ ନିଜ ନିଷ୍ପତ୍ତି ଜଣାଇ ପାରୁଥିଲା । ଅମାତ୍ୟମାନେ ପ୍ରତିବାଦ କରିପାରିଲେ ନାହିଁ । ରାଣୀ ଏ ବ୍ୟବସ୍ଥାରେ ଆମୋଦିତ ହେବା ପରି ଲାଗିଲା ।

ପ୍ରଥା ଅନୁସାରେ ଆପଣଙ୍କ ଅନୁପସ୍ଥିତିରେ ରାଣୀଙ୍କୁ ହିଁ ରାଜ୍ୟଭାର ସମ୍ଭାଳିବାକୁ ପଡ଼ିବ । ତାଙ୍କୁ ସେଥିରୁ ନିଷ୍କୃତି ଦେବା ନିମନ୍ତେ ଯେତେ ଶୀଘ୍ର ସମ୍ଭବ ଆପଣ ପ୍ରତ୍ୟାବର୍ତ୍ତନ କରିବେ, ମହାରାଜ ! ବରିଷ୍ଠ ଅମାତ୍ୟ ଜଣକ ଚେତାଇ ଦେଲେ ।

ବିଦାୟ ନେଲାବେଳେ ରାଣୀ ପ୍ରାୟ ଅଟ୍ଟହାସ୍ୟ କରୁ କରୁ ନିଜକୁ ସମ୍ଭାଳି ନେଲେ ।

ଅମାତ୍ୟମାନେ ଯେଉଁ ତିନିଜଣ ପରିଚାରକଙ୍କୁ ତନ୍ମୟ ସହ ରଖି ଦେଇଗଲେ, ପରଦିନ ହିଁ ତନ୍ମୟ ସେମାନଙ୍କୁ ଚାଲିଯିବାକୁ ଆଦେଶ ଦେଲା ।

ହିମାଳୟ ଅଭିମୁଖେ ଏକାକୀ ଯାତ୍ରାରମ୍ଭ କଲା ତନ୍ମୟ । ଗୁରୁ ଧୀମାନ୍‌ଙ୍କୁ ଭେଟିବାକୁ ସେ ଯେତିକି ଉଦ୍‌ଗ୍ରୀବ ଥିଲା, ଅପ୍ରତ୍ୟାଶିତ ଦୁର୍ବିସହ ଘଟଣାବଳୀର ଆବର୍ତ୍ତରୁ ଉତ୍ତୀର୍ଣ୍ଣ ହେବାକୁ ସେ ସେତିକି ବ୍ୟାକୁଳ ଥିଲା ।

ସେ ପହଞ୍ଚିଲା ହରିଦ୍ୱାରରେ, ଗୁରୁ ଧୀମାନ୍‌ଙ୍କ ଜଣେ ମିତ୍ରଙ୍କ ଆଶ୍ରମରେ । ଶୁଣିଲା, ବଦରିକାଶ୍ରମର ଏକ ତୁଷାରବୃତ ଗୁମ୍ଫାରେ ଏକାଦିକ୍ରମେ ଛଅମାସ ସମାଧିସ୍ଥ ରହିବା ନିମନ୍ତେ ଗୁରୁ ଧୀମାନ୍ ସିଦ୍ଧାନ୍ତ କରିଛନ୍ତି । ସେତେବେଳେ ଶୀତଋତୁର ଆରମ୍ଭ । ଆଉ ଉତ୍ତରକୁ ଅଗ୍ରସର ହେବା ତନ୍ମୟ ପକ୍ଷରେ ସମ୍ଭବପର ନଥିଲା ।

ଆଠମାସ ଉତ୍ତାରୁ ହରିଦ୍ୱାରକୁ ପ୍ରତ୍ୟାବର୍ତ୍ତନ କଲେ ଗୁରୁ ଧୀମାନ୍ । ସେତିକିବେଳେ ନିଜ ରାଜ୍ୟର ଦୁଇଜଣ ପରିବ୍ରାଜକଙ୍କୁ ଭେଟିଲା ତନ୍ମୟ । ଯାହା ଶୁଣିଲା, ସେଥିରେ ମର୍ମାହତ ହେବା ଛଡ଼ା ଗତ୍ୟନ୍ତର ନଥିଲା । ରାଣୀ ପାଲଟିଥିଲେ ଭୟଙ୍କରୀ । ତାଙ୍କ ପ୍ରତିହିଂସାର ପ୍ରଥମ ଶିକାର ହୋଇଥିଲେ ମନ୍ତ୍ରୀ । ଚଣ୍ଡଗୌରାଙ୍ଗ ଓ ତାଙ୍କ କନ୍ୟା ସୁସ୍ମିତାକୁ କୁଆଡ଼େ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଥିବାର ପ୍ରମାଣ ପାଇଥିଲେ ରାଣୀ । ଅତଏବ ମନ୍ତ୍ରୀ ଶୂଳିରେ ବସିଲେ । ରାଜକୁମାରୀ ହୈମବତୀ ନିଜ ଉଦାରତା ଓ ସତ୍‌ସ୍ୱଭାବ ଯୋଗୁଁ ସଭାସଦ୍ ତଥା ପ୍ରଜାବର୍ଗଙ୍କର ଏଡ଼େ ଶ୍ରଦ୍ଧାଭାଜନ ଥିଲେ ଯେ, ତାଙ୍କ ଅଭିଯୋଗ ଅବିଶ୍ୱାସ କରିବାର ପ୍ରଶ୍ନ ନଥିଲା ।

କିନ୍ତୁ ତାଙ୍କର ଏ ବିଚାରରେ ଅସନ୍ତୋଷ ପ୍ରକାଶ କରିଥିଲେ ପୁରୋହିତ । ରହସ୍ୟଜନକ ଭାବରେ ପୁରୋହିତ ନିହତ ହେଲେ । ପରେ ପରେ ରାଣୀଙ୍କର ଅବାଧ୍ୟ ହେବା ଯୋଗୁଁ କଟୁଆଳ ପ୍ରାଣଦଣ୍ଡ ପାଇଲେ । ସେନାପତିଙ୍କ ପାଳି ଆସିବା ପୂର୍ବରୁ ସେ ଆତ୍ମଗୋପନ କଲେ ।

ପରିବ୍ରାଜକ ଦୁଇଜଣ ଆହୁରି ମଧ୍ୟ ଜଣାଇଲେ ଯେ, ତନ୍ମୟକୁ ଖୋଜି ଖୋଜି ଅମାତ୍ୟମାନେ ହତାଶ ହେଲେଣି । ସେନାପତି ଗୋପନରେ ବିଦ୍ରୋହର ଆୟୋଜନ କରୁଛନ୍ତି । ତାଙ୍କ ସହ ସମ୍ପର୍କ ରଖୁଥିବା ସନ୍ଦେହରେ ରାଣୀ ନିର୍ମମ ଭାବରେ ଜଣେ ପରେ ଜଣେ ଅମାତ୍ୟଙ୍କୁ ପ୍ରାଣଦଣ୍ଡ ଦେଉଛନ୍ତି ।

ସ୍ତବ୍ଦ ତନ୍ମୟକୁ ଗୁରୁ ଧୀମାନ୍ କହିଲେ, “ବତ୍ସ ! ତମେ ଯଥାଶୀଘ୍ର ଯାଇ ରାଣୀଙ୍କୁ ଆୟତ୍ତ କର ।”

ତନ୍ମୟ ଗୁରୁଙ୍କୁ ସବୁ କହିସାରିଥିଲା । ସେ ପ୍ରଶ୍ନ କଲା, “ଗୁରୁଦେବ ! ଯେଉଁ ସୁସ୍ମିତା ଏତେ ଜ୍ଞାନୀ ଓ ଭଦ୍ର, ସେ କିପରି ଏଭଳି ନୃଶଂସ ଆଚରଣ କରିପାରୁଛି ?”

ବତ୍ସ ! ଯାହା ରାଜକୁମାରୀ ହୈମବତୀଙ୍କ କଳେବରରେ ଅନୁପ୍ରବେଶ କଲା, ତାହା ସୁସ୍ମିତାର ଆତ୍ମା ନୁହେଁ- ପ୍ରାଣସତ୍ତା ମାତ୍ର, ତା’ର ଦୁରନ୍ତ ଆଶା, ଆବେଗ ଓ ଅଭିଳାଷର ବିସ୍ଫୋରଣୀ ଶକ୍ତି । ତୁମେ ଯେଉଁ ସୁସ୍ମିତାକୁ ଜାଣିଥିଲ, ତା’ ପ୍ରାଣସତ୍ତାକୁ ନିୟନ୍ତ୍ରଣ କରୁଥିଲା ତା’ର ଆତ୍ମା । ତେଣୁ ତା’ ବ୍ୟକ୍ତିତ୍ୱରେ ଥିଲା ଭାରସାମ୍ୟ ! – ଗୁରୁ ଧୀମାନ୍ କହିଲେ ।

ଗୁରୁଦେବ ! ରାଜକନ୍ୟା ହୈମବତୀଙ୍କ ବିୟୋଗ ପାଇଁ ଦାୟୀ କିଏ ? ମୁଁ ବଡ଼ ମର୍ମାହତ !

ଏକ ନିଦାରୁଣ ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ସେ ମରିବାକୁ ସିଦ୍ଧାନ୍ତ କରିଥିଲେ । ସଙ୍ଗେ ସଙ୍ଗେ ସୁସ୍ମିତା, ନ ହେଲେ ତା’ର କୌଣସି ତାନ୍ତ୍ରିକ ଶୁଭେଚ୍ଛୁର ମାରାତ୍ମକ କ୍ରିୟାନୁଷ୍ଠାନ କାର୍ଯ୍ୟକାରୀ ହୋଇଥାଇପାରେ । ମୃତ୍ୟୁକାମନା ଏକ ଆଧ୍ୟାତ୍ମିକ ଅପରାଧ । ଜଣେ ସେ କାମନାର ବଶୀଭୂତ ଥିବାବେଳେ ଅପଶକ୍ତିର ଅନିଷ୍ଟ ପ୍ରବଳ ହୋଇପାରେ । ଯେତେବେଳେ ରାଜକୁମାରୀ ବଞ୍ଚିବାକୁ ଇଚ୍ଛା କଲେ, ସେତେବେଳକୁ ବିଳମ୍ୱ ହୋଇଯାଇଥିଲା । ବତ୍ସ ! ତାଙ୍କର ବିୟୋଗ ପାଇଁ ତମର ଦାୟିତ୍ୱ ନାହିଁ । ଶାନ୍ତ ହୁଅ ! – କହିଲେ ଗୁରୁ ।

ସୁସ୍ମିତାର ମୃତ୍ୟୁ ପାଇଁ ।

ଘଟଣାଚକ୍ର- ହୁଏତ ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ଦାୟୀ !

ତନ୍ମୟ ରାଜ୍ୟକୁ ଫେରିଲା- କିନ୍ତୁ ବିଳମ୍ୱ ହୋଇଯାଇଥିଲା । ବିଦ୍ରୋହର ଚୂଡ଼ାନ୍ତ ପର୍ଯ୍ୟାୟରେ ବିଦ୍ରୋହୀମାନେ ଉଆସ ଆକ୍ରମଣ କରିଥିଲେ । ନିଶାର୍ଦ୍ଧରେ ଆତ୍ମରକ୍ଷାର ଚେଷ୍ଟା ପରେ ନିହତ ହୋଇଥିଲେ ରାଣୀ ।

ତନ୍ମୟ ଆସିବା ମାତ୍ରେ ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ । ରାଜ୍ୟରେ ପ୍ରତ୍ୟାବର୍ତ୍ତନ କଲା ଶାନ୍ତି ।

ଉଦାସ ନିରାସକ୍ତ ତନ୍ମୟ ରାଜୁତି କରୁଛି । ସେ ବଡ଼ ଏକାକୀ ।


ଦେଢ଼ଥର ମୃତର ଅର୍ଥ ବୁଝିଲୁ ଏଥର । ସୁସ୍ମିତା ଥରେ ତା’ ନିଜ କଳେବରରେ ମରିଥିଲା । ଆଉ ଥରେ ତା’ ପ୍ରାଣସତ୍ତାଟି ରାଜକନ୍ୟାଙ୍କ କଳେବରରେ ମଲା ।

ଅବୋଲକରା ଗୁମ୍ ହୋଇ ବସିଥିଲା । ସାଆନ୍ତେ ତାଙ୍କ କଥା ଶେଷ କରିବା ସତ୍ତ୍ୱେ ତା’ର ସେ ମୁଗ୍ଧ ଭାବରେ ବ୍ୟତିକ୍ରମ ହେଉନଥିଲା ।

ଏଥର ଯିବା ! – ସାଆନ୍ତେ ତାଗଦା କଲେ ।

ସାଆନ୍ତେ ! କେଡ଼େ ବିଷମ ଏ ଧରା ! ତନ୍ମୟ, ସୁସ୍ମିତା, ହୈମବତୀ- କେହି କିଛି ଅପରାଧ କରିନଥିଲେ । ସୁସ୍ମିତା ଅବଶ୍ୟ ତନ୍ମୟର ଭାଗ୍ୟ ସହ ଖେଳି, ତା’ର କଲ୍ୟାଣ ନାମରେ ନିଜର ଉଚ୍ଚାଭିଳାଷ ଓ ଅହଂର ପରିଚୟ ଦେଇଥିଲା, କିନ୍ତୁ ତା’ର ସେ ଆଚରଣକୁ ଅପରାଧ ଆଖ୍ୟା ଦେଇ ହେବ କି ?

ଦେବାକୁ ତୁ ବା ମୁଁ କିଏ ?

ଠିକ୍ କଥା ସାଆନ୍ତେ ! ତଥାପି କେମିତି ସବୁକିଛି ଓଲଟପାଲଟ ହୋଇଗଲା, କାହୁଁ ଆସି କ’ଣ ଘଟିଗଲା ।

ସାଆନ୍ତେ ହସିଲେ । ଅବୋଲ ! ତୋତେ ମୁଁ ଏ କାହାଣୀ ସବିସ୍ତାରେ କହିବାର କ’ଣ କ’ଣ ଜାଣୁ ? ତୁ ସବୁ ବ୍ୟାପାରକୁ ଦୁଇ ଯୁକ୍ତ ଦୁଇ ଚାରି ହେବା ନିୟମର ମାପକାଠିରେ ତଉଳିଥାଉ । ଜଣେ ଯଦି ଯାତନା ପାଇଲା, ତେବେ ସେ କିଛି ଦୋଷ କରିଥିବ ପରା । କିନ୍ତୁ ଦୁନିଆଁର ଦୃଶ୍ୟମାନ୍ ନିୟମକାନୁନ୍ ଅନ୍ତରାଳରେ ଅଜସ୍ର ଅଦୃଶ୍ୟ ବ୍ୟାପାର ରହିଛି । ଭୁଲ୍ ନ କରି ବି ଲୋକେ ଯାତନା ପାଆନ୍ତି । ଅଜ୍ଞାନ, ଆଶା-ଆକାଂକ୍ଷା, ସ୍ୱପ୍ନ, ଅଭିଳାଷଭରା ଏ ଦୁନିଆଁରେ କିଏ କେତେବେଳେ କିଭଳି ପରିସ୍ଥିତିରେ ପଡ଼ିଯିବ, ସେ କଥା କହିବା ଯେପରି ଅସମ୍ଭବ, କାହିଁକି ପଡ଼ିଯିବ, ତା’ର ବ୍ୟାଖ୍ୟା ବାହାର କରିବା ବି ସେହିପରି ଅସମ୍ଭବ- ବୁଝିଲୁ ।

ବୁଝିଲି ବୋଧହୁଏ । ତେବେ ତ ଯିଏ ଯେତେ କଷ୍ଟ ପାଉ, ତା’ ଆତ୍ମାର ସମ୍ମତି ସମର୍ଥନ କ୍ରମେ ତାହା ପାଉଥିବ ପରା ।

ଅବୋଲ ! ତୁ ଆତ୍ମା ଉପଲବ୍ଧି କରିଛୁ । ଯଦି କରିନାହୁଁ, ସେ କଥା କହିବାର ଅଧିକାର ତୋର ଆସିଲା କାହୁଁ ? ସବୁ କଥାର ବ୍ୟାଖ୍ୟା ଖୋଜି ପାଇବା ସମ୍ଭବପର ନୁହେଁ, ଏତିକି ସତ୍ୟକୁ ନେଇ ଆପାତତଃ ସନ୍ତୁଷ୍ଟ ରହ । ଚଟାପଟ୍ ପୁଣି ଗୋଟାଏ ଅନଧିକାର ବ୍ୟାଖ୍ୟା ଦେବାକୁ ପ୍ରଲୁବ୍ଧ ହୁଅନା ।

ଅବୋଲକରା ଚୁପ୍‌ଚାପ୍ ବସି ରହିଲା ।

ଉଠ୍ !

ଉଠିବାକୁ ମନ ହେଉନାହିଁ ।

ଦେଖ ଅବୋଲ ! ରାଜା ତନ୍ମୟଙ୍କ ଅନ୍ତେ ପୁଣି ଅବଶ୍ୟ ସୁବର୍ଣ୍ଣ କଳସ ଧରି ହାତୀ ବାହାରିବ । କିନ୍ତୁ ରାଜା ତନ୍ମୟ ଦୀର୍ଘଜୀବୀ ହୁଅନ୍ତୁ । ତୁ ଆଜିଠୁ ଏଠି ବସି ରହି ଲାଭ କ’ଣ ?

ଗୁରୁ ସାଆନ୍ତେ ! ସୁବର୍ଣ୍ଣ କଳସ ଢଳା ହେବା ଗପ ଶୁଣିଲେ ଯେମିତି ଉଲୁସି ଉଠୁଥିଲି, ନିଜ ମୁଣ୍ଡ ହଲାଇ ଦେଉଥିଲି, ତନ୍ମୟଙ୍କ ଇତିହାସ ଶୁଣିବା ପରେ ଆଉ ସେ ଶିହରଣ ଆସିବାର ଆଶା ନାହିଁ ।

ଅବୋଲକରା ଉଠିଲା. . . କିନ୍ତୁ ସାଆନ୍ତେ ହସିଲେ ।

ହସିଲେ କାହିଁକି ?

ଅବୋଲ ! ଏ କାହାଣୀ ଦଶଥର ଶୁଣିବା ପରେ ବି ହାତୀ ସୁବର୍ଣ୍ଣ କଳସ ଧରି ବାହାରିଲେ ଅନ୍ୟ ଏକ ସହସ୍ର ମୁଣ୍ଡ ଭଳି ତୋ ମୁଣ୍ଡ ଗୋଟିକ ବି ସେଆଡ଼େ ବଳେବଳେ ଢଳି ହୋଇଯିବ । ମଣିଷ ଚରିତ୍ର ବଡ଼ ବିଷମରେ ଅବୋଲ୍ !

ଲୋକପ୍ରିୟ ଲେଖା

To Top