ଗଳ୍ପ

ସୁଚିତ୍ରାର ଶେଷ ହସ

ଛିଡ଼ା ଛିଡ଼ା ମୁଁ ଯାହା ଭାବୁଥିଲି ବୋଧହୁଏ ସେ ତାହା ହିଁ ଭାବୁଥିଲା । ତା’ ପିଲାଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ସେ ମୋତେ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ।

ସୁଚିତ୍ରାର ଶେଷ ହସ

ସରକାରୀ କାମରେ ଦଉଡ଼ି ଦଉଡ଼ି ମଣିଷ ଥକି ପଡ଼ିଲାଣି । ତଥାପି ଆହୁରି ଅନେକ କାମ ବାକି ରହିଛି । ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ କର୍ମ ଓ ଦାୟିତ୍ୱର ମହାସମୁଦ୍ର ଭିତରେ ବୁଡ଼ି ରହିବା ପରି ଅନୁଭବ ହେଉଛି । ବେଳେବେଳେ ଅଣନିଃଶ୍ୱାସୀ ଲାଗୁଛି । ପୁଣି ଲାଗୁଛି ଏ ସବୁ ଭିତରେ ଦିନେ ମଣିଷ ରୁନ୍ଧି ହୋଇ ପ୍ରାଣ ହରେଇବ । ସରକାରୀ ଘରର ଦାୟିତ୍ୱ ନେଉ ନେଉ ନିଜ ଘରର ଠିକଣା ଭୁଲିଯିବା ପରି ଅବସ୍ଥା । ନିଜ ସୁଖ ସୁବିଧା ବି ଭୁଲିଗଲାଣି ମଣିଷ । ତେବେ କ’ଣ ପାଇଁ ଏତେ କାମ ? କାହିଁକି ଏତେ ବ୍ୟସ୍ତତା ? ସେଇ ସୁଖ ପାଇଁ ତ ନା ଆଉ କିଛି ? ଏମିତି ଅନେକ କଥା ଭାବୁ ଭାବୁ ମୁଣ୍ଡଟା ଏକବାର ପଙ୍କଗାଡ଼ିଆ ପରି ଗୋଳିଆ ହୋଇଯାଏ । ଅଫିସ୍ କାମ ଏତିକି ନୁହେଁ ଆହୁରି ବାକି ଅଛି ଭାବିଲେ ଦେହରେ ମନରେ ଶିରହଣ ସୃଷ୍ଟି ହୁଏ । ସତରେ ଏହି ଦୁର୍ଲଭ ମଣିଷ ଜନ୍ମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଏତେ ହୀନ କର୍ମରେ ଅର୍ଥାତ୍ ସଂସାରର ବୋଧ ବୋହିବାରେ ସରିଯିବ ଭାବିଲେ ଲାଜ ଲାଗେ । ପୁଣି ବେଶି ଖରାପ ଲାଗେ ଯେତେବେଳେ ଅନୁଭବ ହୁଏ ଏତେ ସବୁ ଆୟୋଜନ ସେଇ ତେଲ, ଲୁଣ ପାଇଁ । ଏସବୁ ଭାବୁ ଭାବୁ ରିକ୍ସା ପହଞ୍ଚି ଯାଇଥିଲା ବସ୍‌ଷ୍ଟାଣ୍ଡ୍‌ ଗେଟ୍ ବାହାରେ । ମାସର କେତେ ଗୋଟିଦିନ ପରି ସେଦିନ ମଧ୍ୟ ମୁଁ ସରକାରୀ କାମରେ ବାହାରକୁ ଯିବା ପାଇଁ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚି ଥାଏ । ସେହି ଦୈନନ୍ଦିନ ଘଟଣା । ହାତରେ ସୁଟ୍କେସ୍‌ଟି ଧରି ପ୍ରତ୍ୟେକ ବସ୍‌କୁ ଗଳି ପଡ଼ି ଅନାଇ ନିଜ ଗନ୍ତବ୍ୟ ସ୍ଥଳର ନାମ ଲେଖାଥିବା ଗାଡ଼ିରେ ଚଟାପଟ୍ ଚଢ଼ି ଯାଇ ନିଜ ପାଇଁ ଗୋଟେ ସିଟ୍ ଅକ୍ତିଆର୍ କରିନେବା । ସେଦିନ ମଧ୍ୟ ମୋ ହାତରେ ଥାଏ ସୁଟ୍କେସ୍‌ । ମୁଁ ଇତଃସ୍ତତ ହୋଇ ବସ୍‌ର ନମ୍ୱର୍ ପ୍ଲେଟ୍ ଗୁଡ଼ିକୁ ପଢୁଥାଏ । ବସ୍‌ଷ୍ଟାଣ୍ଡ୍‌ ଭିତରେ ଲୋକ ହାଉଯାଉ । ସମସ୍ତେ ମଧ୍ୟ ମୋ ପରି ବସ୍‌ରେ ସିଟ୍ ଖଣ୍ଡେ ପାଇବାର ପ୍ରତିଯୋଗିତାରେ ସାମିଲ୍ ହୋଇଥାଆନ୍ତି । ବସ୍ ଗୁଡିକ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ପେଁ ପାଁ କରି ଷ୍ଟାଣ୍ଡରୁ ବାହାରି ଯାଉଥାଆନ୍ତି । ଏମିତି ଗୋଟେ ବସ୍ ଧୂଆଁ ବାହାର କରି ମୋ ଆଗ ଦେଇ ଚାଲିଗଲା । ମୁଁ ପକେଟ୍‌ରୁ ରୁମାଲ୍ ବାହାର କରି ଆଖି, ନାକ ମିଶାଇ ମାଡ଼ି ବସିଲି କିଛି ସମୟ ପାଇଁ । ଯାତ୍ରାମୟ ଜୀବନ ଭିତରେ ଯଦିଓ ଏହା ଏକ ମାମୁଲି ଘଟଣା, ତଥାପି କାହିଁକି କେଜାଣି ଏ କାଳି ଧୂଆଁ ଗୁଡ଼ାକ ସହ ମୁଁ ମୋ ନିଜକୁ ଆଜି ଯାଏ ଆଡ଼ଜଷ୍ଟ୍ କରିପାରିନି । ରୁମାଲ ଭିତରେ ନିଜକୁ ଢାଙ୍କି ଦେବାର ଅପଚେଷ୍ଟା କରିବା ପରେ ବି କେତୋଟି ଜିନିଷ ପ୍ରତି ମୋର ବିଶେଷ ଧ୍ୟାନ ଥାଏ । ଯେମିତିକି ମୋ ଆଟାଚ୍, ଚଷମା, ମୋ ପକେଟ୍‌ରେ ଖୋସାଥିବା ଲାଲ୍ ରଙ୍ଗର ବଲପେନ୍ । କିଛି ସମୟ ପରେ ମୁହଁରୁ ରୁମାଲ୍ ହଟେଇଲି । ଆଖି ଖୋଲି ଦେଖେ ତ ମୋ ଆଖି ଆଗରେ ମାତ୍ର କେତେ ହାତ ଦୂରରେ ଛିଡ଼ା ହୋଇଛନ୍ତି ଜଣେ ମହିଳା । ସାଙ୍ଗରେ ବୋଧହୁଏ ସ୍ୱାମୀ, ଦୁଇ ପିଲା । ମୁଁ ସେହି ମହିଳା ଜଣକୁ ଠିକ୍ ଚିହ୍ନି ପାରିଲି । ତାଙ୍କ ସହିତ ଦୀର୍ଘଦିନର ସମ୍ପର୍କ ପରେ ଏ ଆଖି ଯଦି ଥରକରେ ତାଙ୍କୁ ଚିହ୍ନି ନ ପାରେ ତାହେଲେ ଏ ଆଖି ଥାଇ ନ ଥିବା ସହ ସମାନ । ଜାଣେନା ସେ ମୋତେ ଚିହ୍ନି ପାରିଥିଲେ କି ନାହିଁ । ଏଇ ଚାରିଆଖିର ମିଳନ ଓ ନୀରବରେ ପରସ୍ପରର ପରିଚୟ ଖୋଜାଖୋଜି ଭିତରେ ମୁଁ ଫେରିଯାଇଥିଲି ଦୀନବନ୍ଧୁ ସାହୁ ଲ’ କଲେଜ୍ ପରିସରକୁ ।

୨୦ ବର୍ଷ ତଳର ଘଟଣା । ଗ୍ରାଜୁଏସନ୍ ପରେ କ’ଣ କରିବି ବୋଲି ଭାବୁଥାଏ । ବାପାଙ୍କ ପରାମର୍ଶରେ ଘରଠାରୁ ଅନେକ ଦୂରରେ ଦୀନବନ୍ଧୁ ସାହୁ ଲ’ କଲେଜ୍‌ରେ ଆଡ଼ମିସନ୍ ନେଲି । ସେ ବ୍ୟାଚ୍‌ରେ ମୋ ରୋଲ୍ ନମ୍ୱର ଥାଏ ଏକ । ପରେ ପରେ ଯେଉଁମାନେ ଆଡ଼ମିସନ୍ ନେଲେ ଆମମାନଙ୍କ ଭିତରେ ଗୋଟେ ନିବିଡ଼ି ସମ୍ପର୍କ ଗଢ଼ି ଉଠିଥାଏ । ପ୍ରତିବର୍ଷ କିଛି ସିଟ୍ ଡେରିରେ ଫିଲପ୍ ହୁଏ । ଡେରିରେ ଆଡ଼ମିସନ୍ ନେଇଥିବା ପିଲାମାନେ କଲେଜ୍ ପାଇଁ ନୂଆ ହୋଇଥିବା ବେଳେ ପ୍ରଥମ ନାମ ଲେଖାଇଥିବା ପିଲାମାନଙ୍କର ନିଜ ନିଜ ଭିତରର ସମ୍ପର୍କ ବହୁତ ପୁରୁଣା ପରି ଲାଗେ । ମୁଁ ନାମ ଲେଖାଇବାର ପ୍ରାୟ ୩ ମାସ ପରେ ନାମ ଲେଖା ଶେଷ ପର୍ଯ୍ୟାୟ । ମର୍ଣ୍ଣିଂ କ୍ଲାସ୍ । କ୍ଲାସ୍ ପୂର୍ବରୁ ଖଟି କରିବା ଗୋଟେ ଅଭ୍ୟାସରେ ପଡ଼ିଯାଇଥାଏ । ଏମିତି ଦିନେ ଖଟି ଚାଲିଥାଏ । ବୋଧହୁଏ ଶେଷ ପର୍ଯ୍ୟାୟରେ ନାମ ଲେଖାଇଥିବା ଝିଅଟିଏ ସେ । ହାତରେ ଦୁଇଖଣ୍ଡ ବହି ଓ ଡାଏରୀ ଧରି ଆମ ବାଟ ଦେଇ କ୍ଲାସ୍‌ରୁମ୍‌କୁ ଯାଉ ଯାଉ ସାଙ୍ଗମାନଙ୍କ ଭିତରୁ କେହି ଜଣେ ତାଙ୍କୁ ଅଟକାଇ ଦେଲା । ଅତି କର୍କଶ ସ୍ୱରରେ ପ୍ରଶ୍ନ କଲା, କେଉଁ କଲେଜ୍‌ରୁ ଆସିଛ, ତୁମ ଘର କେଉଁଠି ଇତ୍ୟାଦି । ଝିଅଟି ଖୁଣ୍ଟ ପରି ଛିଡ଼ା ହୋଇ ରହିଲା । ତଳକୁ ମୁହଁ ପୋତି ବାମ ପାଦର ବୁଢ଼ା ଆଙ୍ଗୁଠିକୁ ନିଜ ଚପଲ ଉପରେ ଘଷିବା ଆରମ୍ଭ କଲା । ତା’ ଭିତରେ ମୁଁ ଆବିଷ୍କାର କଲି ଏକ ଅଦ୍ଭୁତ ନୀରବତା । ବିଲ୍‌କୁଲ୍‌ ଚୁପ୍‌ଚାପ୍ । ଠିକ୍ ଗଭୀର କୂଅର ପାଣି ପରି । ମୋ ବନ୍ଧୁମାନଙ୍କ ବାଜେ ପ୍ରଶ୍ନ ଭିତରେ ଝିଅଟିର ମଥାରେ ଟିପ୍‌ଟିପ୍ ହୋଇ ଝାଳ ଜକେଇ ଆସିଲା । ତା’ ନାକ ଅଗରେ ଲାଗିଥିବା ଝାଳ ବିନ୍ଦୁକୁ ସେ ରୁମାଲ୍‌ରେ ପୋଛି ଆଣି କ’ଣ କହିବ କହିବ ହୋଇ ରହିଗଲା । ମୁଁ ନିଜକୁ ହଜେଇ ଦେଇଥାଏ ଝିଅଟିର ସୌନ୍ଦର୍ଯ୍ୟ ଭିତରେ । ଭସା ଭସା ଆଖି ହଳକ ସହିତ ଗୋଲାପି ଓଠର ନୀରବତା ଅନେକ କିଛି କହି ଦେଉଥାଏ ମୋତେ । ଭୟ ଜଡ଼ସଡ଼ ଆଖି ହଳକୁ ବନ୍ଦ୍ କରି ଖୋଲିବାର କ୍ଷଣକ ପ୍ରକ୍ରିୟା ଭିତରେ ମୋ ନିଜସ୍ୱ ପୃଥିବୀଟା ଏକବାର ଓଲଟପାଲଟ ହୋଇସାରିଥାଏ । ମୋତେ ଅନୁଭବ ହେଲା ଏଇ ଯେମିତି ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ମହିଳା ଯାହା ଆଗରେ ମୁଁ ଅସହାୟ ଭାବେ ଛିଡ଼ା ହୋଇଛି । ତା’ର ଟିକିଏ ସାନ୍ନିଧ୍ୟ ପାଇବା ପାଇଁ ତା’ ପାଦ ତଳେ ଅଳି କରୁଛି ବିଲ୍‌କୁଲ୍‌ ବଡ଼ମାନଙ୍କ ପାଖରେ ଖେଳଣା ପାଇଁ ଜିଦି କରୁଥିବା ଅବାଧ୍ୟ ପିଲାଟି ପରି । କ୍ଷଣକ ପାଇଁ ଲାଗିଲା ମୋତେ ଯେପରି ମିଳିଗଲା ମୋ ସ୍ୱପ୍ନର ନାୟିକା, ଯାହାର ପ୍ରତୀକ୍ଷାରେ କାହିଁ କେଉଁ ଆଦିମ କାଳରୁ ମୁଁ ତପସ୍ୟା କରୁଥିଲି ଲୁଚିଲୁଚି । ଯାହାକୁ ପାଇବା ପାଇଁ ମୁଁ ଶତସହସ୍ର ଜନ୍ମ ନେଇ ଶେଷରେ ଏଠାରେ ପହଞ୍ଚିଛି । ଏଇ ଯେମିତି ମୋ ଭାଗ୍ୟର ଦେବୀ ଯାହାଙ୍କୁ ସନ୍ତୁଷ୍ଟ କଲେ ମୁଁ ମହାନିର୍ବାଣ ପ୍ରାପ୍ତି ହେବି । ହଠାତ୍ ମୋ ସ୍ୱପ୍ନ ଭାଙ୍ଗିଗଲା କାହାର ଚିତ୍କାରରେ । ମୋର ଜଣେ ବନ୍ଧୁ ମୋତେ ପରିହାସ କରି କହିଲା, କିବେ କ’ଣ ପଚାରୁନୁ । କଲେଜରେ ପୁରୁଣା ହେବାର ଅଧିକାର ଜାହିର୍ କରିବାକୁ ଯାଇ ମୁଁ ଅପ୍ରସ୍ତୁତ ଭାବେ ପଚାରିଦେଲି, ତୁମ ନାଁ କ’ଣ । ବାସ୍ ତା’ ପରେ ଉତ୍ତରକୁ ଅପେକ୍ଷା ନ କରି ମୁଁ କ୍ଲାସ୍ ଭିତରକୁ ପଳାଇ ଆସିଲି । ଆସୁ ଆସୁ ଅସ୍ପଷ୍ଟ ଭାବେ ଏତିକି ଶୁଣିଲି “ସୁଚିତ୍ରା ମହାପାତ୍ର” ।

କିଛିଦିନ ପର୍ଯ୍ୟନ୍ତ ମୁଁ ସେ ଝିଅ ମୁହଁକୁ ଚାହିଁପାରିନି । ତା’ ଆଖିରେ ଆଖି ମିଶାଇବା ପାଇଁ ଡର ଲାଗିଛି । ଆଖି ମିଶାଇବା ପାଇଁ ଅନେକ ଥର ପ୍ରୟାସ କରି ଧରା ପଡ଼ିଛି ତା’ ହାତରେ । ତାକୁ ଦୂରରୁ ଦେଖି ବାଟ ଭାଙ୍ଗି ଚାଲିଯିବାର ଅପଚେଷ୍ଟା କରି ବିଫଳ ହୋଇଛି । ମୁଁ ଯେ ତା’ ପ୍ରେମରେ ପଡ଼ିଯାଇଛି ଏ କଥା ବୁଝିବାରେ ମୋର ଆଉ ବାକି ନ ଥିଲା । କିନ୍ତୁ ଏ ପ୍ରେମ ପାଠଟା ଯେ ସିଆର୍‌ପିସି କିମ୍ୱା ଆଇପିସି ନୁହେଁ । କିମ୍ୱା ଲ’ ବହିର କୌଣସି ଡେଫିନେସନ୍ ନୁହେଁ ଯାହା ଘୋଷିକି ମନେ ରଖି ହେବ । ତାହା ଜାଣିପାରିଲି ଯେବେ ମୋ ଅଜାଣତରେ ମୋ ଆଖିର ନିଦମାନେ କେଉଁ ଆଡେ଼ ଫେରାର୍ ହୋଇଗଲେ । ଦେଖୁ ଦେଖୁ ସବୁ ଠିକ୍ ହୋଇଗଲା । ୟା’ ଭିତରେ ଦୁଇ ବର୍ଷ ବିତି ଯାଇଥାଏ । ବହୁ ଚେଷ୍ଟା କରି ଅନେକ ଫନ୍ଦିଫିକର ପରେ ମୁଁ ପାଲଟିଗଲି କଲେଜ୍‌ରେ ସୁଚିତ୍ରାର ସବୁଠାରୁ ଭଲ ସାଙ୍ଗ । ତା’ ସୁଖଦୁଃଖର ବନ୍ଧୁ । କିନ୍ତୁ କହି ପାରିଲିନି ତା’ ମନର ମଣିଷ ବୋଲି । କାହିଁକି ନା ସୁଚିତ୍ରାର ମନକୁ ବୁଝିବା ପାଇଁ ମୋ ପାଖରେ କୌଣସି ଉପାୟ ନଥିଲା । କିମ୍ୱା ଜଣେ ସୁନ୍ଦରୀର ମନ ବୁଝିବାର ସୂତ୍ର ମୋତେ ଆଦୌ ଜଣାନଥିଲା । ସେଥିପାଇଁ ସୁଚିତ୍ରାର ମନ ସିଲଟରେ ସେ କାହା ନାଁ ଲେଖିଛି ତାହାର ଗନ୍ଧ ବାସ୍ନା ବି ମୋତେ ମିଳିବାର ଅବକାଶ ନ ଥିଲା । ମୁଁ ତା’ର ଯେତେ ନିକଟତର ହେବାରେ ଲାଗିଥାଏ, ମୋ ଭିତରେ ଥିବା ଅପ୍ରାପ୍ତିର କୋହ ସେତେ ବଢ଼ି ବଢ଼ି ଚାଲିଥାଏ । ନିଜ ମନକଥା କହିବାର ସବୁ ବାଟ ମୋ ପାଇଁ ବନ୍ଦ ହୋଇଯିବା ପରି ଲାଗୁଥାଏ । ପୃଥିବୀର ସବୁ ପ୍ରେମିକଙ୍କ ପରି ମୁଁ ବି ଦିନଟିଏ ସୁଚିତ୍ରାକୁ ନ ଦେଖିଲେ ନିଜ ଭିତରେ ଅନୁଭବ କରୁଥାଏ ଅସହ୍ୟ ଅସ୍ଥିରତା । ବିଶାଳ ଶୂନ୍ୟପଣ । ମୁଁ ଜାଣି ପାରୁଥାଏ ଏଇ ବୋଧେ ପ୍ରେମର ଝଡ଼, ଯେଉଁଥିରେ ଉଜୁଡ଼ି ଯିବନି ମୋ ସୁଖ ସଂସାର । ବରଂ ଏଇ ଝଡ଼ ମୋ ପାଇଁ ଗଢ଼ି ଦେବ ଗୋଟେ ସୁନ୍ଦର ଓ ସ୍ୱଚ୍ଛ ଦୁନିଆଁ । ସୁଚିତ୍ରା ପାଇଁ ମୋ ମନ ଭିତରେ ଜମାଟ ବାନ୍ଧିଥିବା କୁଢ଼କୁଢ଼ ପ୍ରେମ ଭଲ ପାଇବା ଅସମୟରେ ଆଗ୍ନେୟ ଉଦ୍ଗିରଣ ପରି ଉଛୁଳି ପଡୁଥାଆନ୍ତି । ସେମାନଙ୍କୁ ସମ୍ଭାଳିବା ପୁଣି ନିୟନ୍ତ୍ରଣ କରିବା ମୋ ପାଇଁ ବେଳକୁ ବେଳ ଅସାଧ୍ୟ ହୋଇ ପଡୁଥାଏ । ମୁଁ ସେହି ଅଦୃଶ୍ୟ ଶକ୍ତି ନିକଟରେ ସବୁବେଳେ ପ୍ରାର୍ଥନା କରୁଥାଏ ପାଦରୁ ମୁଣ୍ଡ ଯାଏ ସୁଚିତ୍ରା ମୋର ହୋଇଯାଉ । କେବଳ ମୋର । ତା’ ସହ ମିଶୁଥିବା ସମୟତକ ପରେ ବାକି ସମୟ ତକ ଯେ ମୁଁ କିପରି କାଟିବି ତାହା ନିର୍ଣ୍ଣୟ କରିବା ମୋ ସାଧ୍ୟ ବାହାରେ ଥିଲା ।

ଶେଷବର୍ଷ ଆମେ ସାଙ୍ଗ ହୋଇ ଭୁବନେଶ୍ୱର ଗଲୁ ମୁର୍ଟକୋର୍ଟ କମ୍ପିଟେସନ୍‌ରେ ଭାଗ ନେବା ପାଇଁ । ସେଠାରେ ଦିନେ ସନ୍ଧ୍ୟାରେ ପ୍ରେମ ଭଲ ପାଇବା ଉପରେ ଗରମାଗରମ ଆଲୋଚନା ହୋଇଗଲା ସୁଚିତ୍ରା ଓ ମୋ ଭିତରେ । କିନ୍ତୁ ମୁଁ ମନକଥା ସୁଚିତ୍ରାକୁ କହି ପାରିଲିନି । ତାକୁ ନିଜର କରିବା ପାଇଁ ଲୋଡ଼ା ପଡୁଥିବା କେତୋଟି ମାତ୍ର ଶବ୍ଦ ମୁଁ ବାରମ୍ୱାର ପାଶୋରି ପକାଉଥିଲି । ପ୍ରେମର ସବୁ ମନ୍ତ୍ର କଣ୍ଠସ୍ଥ କରି ସୁନ୍ଦରୀ ସୁଚିତ୍ରା ମାର୍ଜନା କରିବା ପାଇଁ ବସିବା ପରେ ହିଁ ଛାତି ଭିତରେ ଠୁଳ କରିଥିବା ସବୁ ସାହସ କ୍ଷୀରରେ ଖଟା ପଡ଼ିବା ପରି ଛିଣ୍ଡି ଟୁକୁରା ଟୁକୁରା ହୋଇ ଯାଉଥିଲା । ପ୍ରତିଥର ପରି ଏଥର ମଧ୍ୟ ବିଫଳ ହେବାକୁ ପଡ଼ିଲା ମୋତେ । ଦିନେ କଲେଜ୍‌ର ରିଡ଼ିଂ ରୁମ୍‌ରେ ବସି ବହିର ପୃଷ୍ଠା ଓଲଟାଇବା ବେଳେ କହିଲି, ସୁଚିତ୍ରା ତମକୁ ଗୋଟେ କଥା କହିବି, କିଛି ଭାବିବନି ତ “ହଁ ଭାବିବି ।” ସୁଚିତ୍ରା ମୁହଁରୁ ଏମିତି ସିଧା ଉତ୍ତର ଶୁଣି ମୁଁ ଚମକି ପଡ଼ିଲି । ଦାନ୍ତରେ ନିଜ ଓଠକୁ ଚାପି ଧରି ଅଳ୍ପ ଅଳ୍ପ ହସୁଥିଲା ସେ । ଆରେ ଭୟ କରୁଛ କାହିଁକି ଯେ । ମୋ କହିବାର ଅର୍ଥ ହେଲା ଯେ ତୁମେ ଯାହା ବି କୁହ ମୋତେ ଉତ୍ତର ଦେବାକୁ ହେଲେ ଭାବିବା ପାଇଁ ପଡ଼ିବ ନା । ସେଇଆ ତ କହିଲି । ଏବେ କୁହ । କୁହ ବାବା ମୁଁ ଶୁଣିବାକୁ ବ୍ୟସ୍ତ ହୋଇ ପଡ଼ିଲିଣି । କ’ଣ କହିବ କୁହ ।

ସେ ମୋତେ ସାହସ ଦେଲା ପରି କହିଲା । ସୁଚିତ୍ରା ପଟରୁ ଏତେ ସବୁ ପ୍ରତିଶ୍ରୁତି ପ୍ରେରଣା ପରେ ବି ମୁଁ ତାକୁ ବୁଝିପାରୁ ନଥିଲି । କ’ଣ ସେ ଆଗୁଆ ଜାଣିଗଲାକି ମୋ ମନ କଥା । ତେବେ ସେ ଏତେ ବ୍ୟାକୁଳ କାହିଁକି ମୋ ମୁହଁରୁ କିଛି ଶୁଣିବା ପାଇଁ । ମୋ ପ୍ରସ୍ତାବ ଶୁଣି ସେ ମୋତେ ଘୃଣା କରିବନି ତ । କିମ୍ୱା ମୋ ସହିତ ସମ୍ପର୍କ ତୁଟେଇ ଦେବନି ତ । ଶ୍ରାବଣ ଆକାଶ ପରି ମୋ ମନରେ କୁଢ଼ କୁଢ଼ ଆଶଙ୍କାର ବାଦଲ ପିଟି ହେବା ଆରମ୍ଭ କରି ଦେଇଥିଲେ । ନିଜକୁ ପ୍ରସ୍ତୁତ କରିନେଇ କହିଲି, “ମୁଁ ତୁମକୁ ଭଲପାଏ । ତୁମେ ମୋତେ ବିବାହ କରିବ ?” କିଛି ସମୟ ଚୁପ୍ ରହି ସୁଚିତ୍ରା ବଡ଼ ପାଟିରେ ହସିବାକୁ ଲାଗିଲା । ତା’ର ଏପରି ହସ ମୁଁ ଆଗରୁ କେବେ ଦେଖି ନ ଥିଲି । ଏଇ ହସ ଭିତରେ ମୁଁ ମୋ ଭାଗ୍ୟ ଆବିଷ୍କାର କରିବାକୁ ଯାଇ ନିରାଶ ହେଉଥିଲି । ଅବଶ୍ୟ ଏମିତି ଖୋଲା ମେଲା ହସ ସୁଚିତ୍ରାର ସୌନ୍ଦର୍ଯ୍ୟ ଲକ୍ଷେଗୁଣ ବଢ଼ାଇ ଦେଉଥିଲା । ତା’ ହସରେ ଜୁଡୁବୁଡୁ ହୋଇ ମୁଁ ଅପରାଧୀଟିଏ ପରି ମୁଣ୍ଡତଳକୁ କରି ବସି ରହିଥାଏ । ରିଡ଼ିଂ ରୁମ୍‌ରେ ଅନ୍ୟମାନେ ତାକୁ ହସ ବନ୍ଦ୍ କରିବା ପାଇଁ ଇସାରା କଲେ । ସୁଚିତ୍ରା ମୋ କାନ ପାଖକୁ ମୁହଁ ଆଣି ମୋତେ ଫୁସ୍‌ଫୁସ୍ ହୋଇ କହିଲା, “ଏ କଥା ଭୁବନେଶ୍ୱରରେ କହିପାରିଲନି । ବୁଦ୍ଦୁ ! କେତେଦିନ କେତେ ରାତି ମୋର କଟିଗଲାଣି ତୁମ ମୁହଁରୁ ଏଇ ପଦକ ଶୁଣିବା ପାଇଁ । ଅହରହ ଯନ୍ତ୍ରଣାରେ ଛଟପଟ ହୋଇ ଚାତକ ପରି କେତେ ଯେ ନିଷ୍ଫଳ ମୁହୂର୍ତ୍ତ ମୁଁ କାଟିଛି ତୁମେ ବୁଝି ପାରିବନି ତରୁଶ ।”

ସୁଚିତ୍ରାର ଆଖି ଛଳଛଳ ହୋଇ ଆସିଲା । ତା’ ଆଖିରୁ ଲୁହର ମୁକ୍ତାଗୁଡ଼ିକ ଝରିପଡ଼ି ମୋତେ ଭସେଇ ନେଇ ଗୋବରୀ ନଦୀର ସ୍ରୋତରେ କୁଟାଖିଆ ପରି ହଜେଇ ଦେବା ପୂର୍ବରୁ ମୁଁ ତା’ ପାପୁଲିକୁ ମୋ ପାପୁଲି ଭିତରେ ପୂରେଇ ଜାବୁଡ଼ି ଧରିଲି । ଓଃ କି ତାତି । ମୁଁ ତରଳି ଯିବାକୁ ଚାହୁଁଥିଲି । ଚାହୁଁଥିଲି ତରଳ ବୋହିଯିବା ପାଇଁ ସୁଚିତ୍ରାର ଏଇ ଥରଟିଏ ସ୍ପର୍ଶରେ । ଏଇ ବୋଧେ ମୋକ୍ଷ । ଏଇ ବୋଧେ ମହାନିର୍ବାଣ । ଯେଉଁ ଶବ୍ଦମାନଙ୍କୁ କେବଳ ବହିରେ ପଢ଼ିଥିଲି । କେବେ ଅନୁଭବ କରିନଥିଲି । ସୁଚିତ୍ରା ହିଁ ମୋ ମୁକ୍ତିର ଅନ୍ତିମ ମାର୍ଗ । ମୋତେ ତାକୁ ଆପଣାର କରିନେବାକୁ ହେବ ସବୁଦିନ ପାଇଁ । ଯୁଗ ଯୁଗ ପାଇଁ । ସୁଚିତ୍ରା ମୋର, କେବଳ ମୋର । ଏମିତି ଶବ୍ଦ ସବୁ ମୋ ଛାତି ଭିତରେ ଉଚ୍ଚାରିତ ହୋଇ ପୁଣି ସେଇଠାରେ ହିଁ ମିଳେଇଗଲେ । ମୁଁ ମୋ ପକେଟ୍‌ରୁ ଲାଲ୍ ଗୋଲାପଟିଏ ବାହାର କରି ତା’ ହାତରେ ଧରେଇ ଦେଲି । ସେ ବି ମୋ ପକେଟ୍‌ରେ ଗୁଞ୍ଜି ଦେଲା ଲାଲ୍ ରଙ୍ଗର ବଲ୍‌ପେନ୍ । ତା’ ପରେ ବେଶ୍ କିଛିଦିନ ଆମକୁ ନେଇ କଲେଜ୍‌ରେ ଚର୍ଚ୍ଚା ଜୋରସୋର୍ ଚାଲିଲା । କଲେଜ୍‌ର ଚୁନମଖା କାନ୍ଥ ଆମ ପ୍ରେମ କାହାଣୀର ଇସ୍ତାହାର ପାଲଟିଗଲା । ତରୁଶ ଓ ସୁଚିତ୍ରାକୁ ନେଇ ଅନେକ ସଚିତ୍ର ରୋଚକ କାହାଣୀ ଲେଖା ହେଲା ପୁଣି ଲିଭିଗଲା । ଆଜିବି ମୋର ମନେ ଅଛି, ଏ ସବୁ ଘଟଣାକୁ ଆମେ ଦୁହେଁ ବେଶ୍ ଉପଭୋଗ କରୁଥିଲୁ । ଏମିତି ଦିନେ ସୁଚିତ୍ରା ହଠାତ୍ କଲେଜ୍ ଆସିବା ବନ୍ଦ୍ କରିଦେଲା । ମୁଁ ନାନା ଆଶଙ୍କା ଭିତରେ ଥାଏ । ପ୍ରାୟ ପନ୍ଦର ଦିନ ପରେ ଦେଖା ହୋଇଗଲା କଲେଜ୍‌ରେ । ସୁଚିତ୍ରାର ମୁହଁର ରଙ୍ଗ ଉଡ଼ିଯାଇଥାଏ । ଆମ ପ୍ରେମର ମୁକସାଖୀ କଲେଜ୍‌ର ସେହି କୃଷ୍ଣଚୂଡ଼ା ଗଛ ମୂଳକୁ ମୋତେ ଟାଣି ନେଲା । ମୋ ହାତ ଧରି କଇଁକଇଁ ହୋଇ କାନ୍ଦି ପକାଇଲା । ଖାଲି ଏତିକି କହିଲା, “ମୋ ବିଭାଘର ଆସନ୍ତା ମାସରେ, ମୁଁ ପରୀକ୍ଷା ବି ଦେଇ ପାରିବିନି ।” ମୁଁ ଅବାକ୍ ହୋଇ ତା’ ମୁହଁକୁ ଚାହିଁ ରହିଥିଲି । ମୋ ପାଟିରୁ ବାହାରି ପଡ଼ିଲା, ମୁଁ ତୁମକୁ ଅପେକ୍ଷା କରିବି ସୁଚିତ୍ରା । ତା’ପରଠାରୁ ସେ କଲେଜ୍ ଆସିନି । କଲେଜ୍‌ରୁ ସାର୍ଟିଫିକେଟ୍ ଆଣିବା ଦିନ ଶେଷଥର ପାଇଁ କଲେଜ୍ କ୍ୟାମ୍ପସ୍‌ରେ ଭେଟିଥିଲି ସୁଚିତ୍ରାର ସ୍ମୃତିକୁ ।

ପୁଣି ଦୀର୍ଘବର୍ଷ ପରେ ସୁଚିତ୍ରାକୁ ଭେଟିଲି ବସ୍‌ଷ୍ଟାଣ୍ଡ୍‌ରେ । ଭିଡ଼ ଭିତରେ । ଅନେକ ଅପରିଚିତ ମୁହଁଙ୍କ ମେଳରେ । ଆଜିବି ସେ ବାରି ହୋଇ ପଡୁଥିଲା ଏତେ ଲୋକଙ୍କ ଭିତରେ । ଏଇ କିଛି ବର୍ଷ ଭିତରେ ହୁଏତ ସୁଚିତ୍ରା ଦୁନିଆ ଆଖିରେ କାହାର ପତ୍ନୀ ପାଲଟି ଯାଇଥିଲା । କିନ୍ତୁ ମୋ ପାଇଁ ଥିଲା ମୋର ପ୍ରେମିକା ସୁଚିତ୍ରା । ଆଜି ବି ମୁଁ ଥିଲି ସୁଚିତ୍ରାର ଦୁଷ୍ଟ ପ୍ରେମିକ । ସେ ନୀରବ, ମୁଁ ବି ନୀରବ । ମୋ ହୃଦୟର ଆଲବମ୍‌ରେ କିଶୋରୀ ସୁଚିତ୍ରାର ଛବି ଜୀବନ୍ତ ଥିଲା ଆଜିଯାଏ । ଛିଡ଼ା ଛିଡ଼ା ମୁଁ ଯାହା ଭାବୁଥିଲି ବୋଧହୁଏ ସେ ତାହା ହିଁ ଭାବୁଥିଲା । ତା’ ପିଲାଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ସେ ମୋତେ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା । ମୁଁ ମୁଣ୍ଡ ହଲାଇ ମନା କଲି, “ଏବେ ବି ମୁଁ ବିବାହ କରିନି ।” ପିଲା ଦୁହିଁଙ୍କୁ ନେଇ ତା’ର ସ୍ୱାମୀ ପାଖ ଦୋକାନକୁ ଚାଲିଗଲେ । ସୁଚିତ୍ରାର ଆଖିକୋଣରୁ ଅଦିନ ବରଷା ପରି ଦୁଇଟୋପା ଲୁହ ତା’ ଓଠଆଡ଼କୁ ଝରିପଡ଼ିଲେ । ମୁଁ କିନ୍ତୁ ଏଥର ସେ ମୁକ୍ତା ପରି ଲୁହରେ ଭାସିଯିବାକୁ ଚାହୁଁ ନଥିଲି । ଚାହୁଁ ନଥିଲି ସମୟର ପାଉଁଶ ଗଦା ତଳୁ ପ୍ରେମର ସେ ପୃଷ୍ଠା ସବୁକୁ ସାଉଁଟି ଆଉ ଥରେ ସଜେଇବା ପାଇଁ । ମୋ ଗନ୍ତବ୍ୟସ୍ଥଳର ବସ୍ ଧୂଆଁ ଛାଡ଼ି ଷ୍ଟାଣ୍ଡ ଭିତରୁ ବାହାରିବାକୁ ଉଦ୍ୟମ କରୁଥିଲା । ମୁଁ ସିଟ୍ ଖୋଜିବାରେ ବ୍ୟସ୍ତ ଥିଲି ।

ଲୋକପ୍ରିୟ ଲେଖା

To Top