ଗଳ୍ପ

ସୁଖ ଦୁଃଖର ମିଶ୍ରଣ

Dr Anita Panda's Odia Story SUKHA DUHKHARA MISHRANA

ତେବେ ପୁରୁଷ ଲୋକ, ସ୍ତ୍ରୀଲୋକଙ୍କ ମଧ୍ୟରେ ଏ ଫରକ୍ କାହିଁକି ? ନା, ଆଉ ଚୁପ୍ ରହିବିନି । ବାପାଙ୍କୁ ନିଶ୍ଚୟ ପଚାରିବି । ଦର ଆଉଜା କବାଟିକୁ ଖୋଲି ବାହାରକୁ ଆସିଲି ।

ସୁଖ ଦୁଃଖର ମିଶ୍ରଣ

ବାପା, ନାନୀ ଦୁହେଁ କଟକ ଯାଇଛନ୍ତି । ବଡ଼ନନାଙ୍କ ବାହାଘର ପାଇଁ ଝିଅ ଦେଖିବାକୁ । ବାହାଘର ପରେ ଆମ ଘରକୁ ନୂଆବୋଉ ଆସିବେ । କେଡ଼େ ମଜା ହେବ । ପଦୁନାନୀ, ଦୁରିଆ ନାନୀ, ଟୁନି କେଡ଼େ ଫୁଟାଣି ମାରନ୍ତି । ତାଙ୍କ ନୂଆବୋଉମାନେ ତାଙ୍କୁ ଦିନରାତି ସଜାଉ ଥାଆନ୍ତି, କେଡ଼େ ଗେହ୍ଲା କରନ୍ତି । କହନ୍ତି, “ସାନ ନଣନ୍ଦମାନଙ୍କ ଜରିଆରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ମନ ଜିତି ପାରନ୍ତି ।”

ମତେ ସଜେଇ ହେବା ଜମା ପସନ୍ଦ ନୁହେଁ, ମୁଁ ନୂଆବୋଉଙ୍କୁ କହିବି, “ତୁମେ ମନ ଭରି ସୁଶୀନାନୀକୁ ସଜାଅ । ମୋର ଖାଲି ଦୁଇଟା ବେଣୀ ବାନ୍ଧିଦେବ ।”

ସୁଶୀ ନାନୀ ପ୍ରତିବାଦ କଲା, ଆମ ନୂଆବୋଉ ସହରୀ । ନୂଆ ନୂଆ ଡିଜାଇନ୍‌ରେ ଆମକୁ ସଜାଇବେ । ତୁ ଜମା ମନା କରିବୁନି । ପ୍ରଥମ ଦିନରୁ ଯାହା ଅଭ୍ୟାସରେ ପଡ଼ିବ ତାହା ସବୁ ଦିନ ପାଇଁ ରହିବ । ତୁ ଜମା ବାହାଦୂରୀ ମାରିବୁନି । ସେଥିରେ ଆମର କ୍ଷତି ହେବ ।

ପଦୁନାନୀ ନୂଆବୋଉଙ୍କୁ ଭଲ ସିଲେଇ ଆସେ, ଦୁରିଆ ନାନୀ ନୂଆବୋଉକୁ କାନ୍ଦଣା ଆଉ ଟୁନି ନୂଆବୋଉକୁ ଭଲ ରନ୍ଧା । ଆମ ନୂଆବୋଉ ସବୁ ଗୁଣରେ ପରିପୂର୍ଣ୍ଣ ବୋଲି ବାପା ସେଦିନ ଅନ୍ୟମାନଙ୍କ ପାଖରେ ବଖାଣି ହେଉଥିଲେ ।

ଧେତ୍, ତୁ ଗୋଟାଏ ମସ୍ତବଡ଼ ମୂର୍ଖ । ଆମ ନୂଆବୋଉ ସହରୀ । ସେ କାହିଁକି କାନ୍ଦଣା ଜାଣିଥିବେ । ପାଠୋଇ ନୂଆବୋଉ, ପାଠପଢ଼ାରେ ତାଙ୍କର ଦିନ ଯାଉଥିବ । ସେ କ’ଣ ରାନ୍ଧିବାକୁ ସମୟ ପାଉଥିବେ, ବାପା କହୁଥିଲେ ସେ କଲେଜ୍ ପାସ୍ କରିଛନ୍ତି ।

ମୁଁ ମୂର୍ଖ, ଆଉ ତୁ । କଲେଜ୍ ପାସ୍ ନୁହେଁ, ଆଇ.ଏ. ପାସ୍ କରିଛନ୍ତି । କେତକୀ ଦିଦିଙ୍କ ଭଳି ।

ବାପାଙ୍କୁ ଦେଖିଲୁ । ଆମକୁ ପଢ଼ାଇଲେନି, ବୋହୂ ଆଣିବେ ପାଠୋଇ, ସିଏ ଆମକୁ ପାସଙ୍ଗରେ ପକାଇବେ ।

ତୁ ଜାଣିନୁ, ବେଶୀ ପାଠ ପଢ଼ିଲେ ଗତି ବିଧି ସବୁ ବଦଳିଯାଏ । ଅପାଠୋଇ ମାନଙ୍କ ଭଳି ଅଳ୍ପ ବିଦ୍ୟା ଭୟଙ୍କରୀ ନୁହେଁ ।

ତୋର ଏଇ ଗୁଣ ଯୋଗୁଁ ତତେ ନାନୀ ସବୁବେଳେ ବୋକୀ କହେ । ଏ ସଂସାରଟା ଯାକର ମଣିଷ ତୋ ପାଇଁ ଭଲ, ଚାଲାକ୍, ଚତୁର ନ ହେଲେ ତତେ ସମସ୍ତେ ବିକି ଖାଇଯିବେ ।

ବିକି ଖାଇଯିବେ । ମଣିଷ କ’ଣ ବିକ୍ରି ହୁଅନ୍ତି ?? ତୋର କିଛି ବୁଦ୍ଧି ନାହିଁ । ରବିବାର ହାଟରେ ଗାଈ ବିକ୍ରି ହୁଅନ୍ତି । ମୁଁ କ’ଣ ଗାଈ ?

ତୁ ଗୋଟିଏ ଗୋବର ଗଣେଷ । ଖାଲି ଗୁଡ଼େ ପୁରାଣ ପଢ଼ି ଜ୍ଞାନ ଅର୍ଜି ପକେଇଛୁ । ମାତ୍ର ତାହା ହେଉଛି ପୋଥି ବାଇଗଣ । ବାଡ଼ି ବାଇଗଣ ଆଉ ପୋଥି ବାଇଗଣରେ ବହୁତ ଫରକ୍ ।

ମୁଁ ବାଇଗଣ ଆଉ ତୁ କଲରା ।

କଲରାରୁ ମନେ ପଡ଼ିଲା । ମୁଁ ଆଜି ସକାଳେ ବଗିଚାରୁ କଲରା ତୋଳି ଆଣିଥିଲି । ବାପା, ନାନୀ ଭଲ କାମ ପାଇଁ ବାହାରକୁ ଯାଉଛନ୍ତି ବୋଲି ପିତା ଆଜି ରନ୍ଧା ହେଲାନି । କାଲି ଭରଣି କଲରା ତିଆରି କରି ଖାଇବା ।

କାଲି କାହିଁକି ? ଆଜି ।

ରାତିରେ ପିତା ଖାଆନ୍ତି ନି ।

ଖାଇଲେ କ’ଣ ହେବ ?

ସେସବୁ ନାନୀକୁ ପଚାରିବୁ । ମୋ ମୁଣ୍ଡ ଖାଆନି ।

ଆଜି ରାତିରେ ଆମେ ଦୁଇଜଣ ଘରେ ଏକା ଶୋଇବା । ଡର ଲାଗିବନି ।

ଘର ଭିତରେ ଡର କ’ଣ ?

ଭୂତ ।

ଭୂତ ଘର ଭିତରକୁ କାହିଁକି ଆସିବ ? ସିଏ ବରଗଛରେ ତା’ ବସାରେ ରହିବ ।

ତୁ ଜାଣିଛୁ ବରଗଛରେ ତା’ ବସା ଅଛି ।

ହଁ, ଏ କଥା ସମସ୍ତଙ୍କୁ ଜଣା ।

ନା, ଗୁରୁମା କହିଛନ୍ତି ସେ ଫାଙ୍କା ଜାଗା ଦେଖିଲେ ବସା ବାନ୍ଧେ ।

ଯେତେ ସବୁ ବାଜେ କଥା କହି ନିଜେ ଶୋଇବୁ ନା ମତେ ଶୁଆଇ ଦେବୁ । ଶୋଇପଡ଼, ମତେ ବହୁତ ନିଦ ଆସିଲାଣି । କହି ଲଣ୍ଠନର ତେଜ କମ୍ କଲା ସୁଶୀ ନାନୀ ।

ଟେବୁଲ୍ ଘଡ଼ିକୁ ଚାହିଁଲି । ବାରଟା ବାଜି ଦଶ ମିନିଟ୍ ଅର୍ଥାତ୍ ଅଧରାତି, ଭୂତ ଅଧ ରାତିରେ ତା’ ଶିକାର ଖୋଜିବାକୁ ବାହାରେ । ଉପର ଚାଳ ଆଡ଼କୁ ଧିରେ ଚାହିଁଲି । ଆଃ. . . ଭୂତ !

କ’ଣ ହେଲା । ନିଦ ମଳ ୨ ସ୍ୱରରେ କହିଲା, “ସୁଶୀ ନାନୀ । ଏଇ ଦେଖ୍ ଭୂତ ବସିଛି ।”

ଏଇଟା ଗୋଟାଏ ଭୂଆଁ ବିଲେଇ । ଅମାର ପାଖରେ ମୂଷା ଧରିବାକୁ ଜଗି ବସିଛି ।

ଡରରେ ଜମା ଶୋଇପାରୁନି । କେତେବେଳେ ଲଣ୍ଠନର ତେଜ ବଢ଼ାଉଛି ଓ ପୁଣି ଧିରେ ଆଉ ଥରେ ଘଡ଼ିକୁ ଚାହିଁଲି, ତିନିଟା ବାଜି କୋଡ଼ିଏ ମିନିଟ୍ । ହାଇ ଉପରେ ହାଇ । ମାତ୍ର ଶୋଇ ପାରୁନଥିଲି ।

ଜଲ୍‌ଦି ଉଠ୍ ସୁଶୀନାନୀ ।

ପୁଣି କ’ଣ ହେଲା ?

ଚାଲ୍, ଠାକୁର ଘରେ ଶୋଇବା । ସେଠିକୁ ଭୂତ ଆସିବନି ।

ଆଖି ବନ୍ଦ କରି ତକିଆ ଦୁଇଟା ଧରି ଚାଲିଲା ସୁଶୀନାନୀ ପଛେ ପଛେ ମୁଁ ।

ବାହାଘର ଦିନ ସ୍ଥିର କରି ବାପା, ନାନୀ ଗାଁକୁ ଫେରି ଆସିଛନ୍ତି । ଜୁଲାଇ ବାର ତାରିଖ ବାହାଘର । ଘରେ ଭିଡ଼ ଜମିଛି । ଛାତି ଫୁଲାଇ ବାପା ବଖାଣି ଚାଲିଥାଆନ୍ତି । ସମୁଦି ମୋର ସୁନା ମୁଣ୍ଡା ଖଣ୍ଡେ । କି ଆପ୍ୟାୟିତ ବ୍ୟବହାର । ରେଭେନ୍ସା କଲିଜିଏଟ୍ ସ୍କୁଲ୍‌ରେ ହେଡ୍ ମାଷ୍ଟର୍ । ବଡ଼ପୁଅ ସିନେମାରେ, ଦ୍ୱିତୀୟପୁଅ ଇଞ୍ଜିନିୟର୍, ତୃତୀୟପୁଅ ଡାକ୍ତରୀ ପଢୁଛି । ବଡ଼ଜୋଇଁ ପୁଲିସ୍ ।

“ଆମ ପୁଅ କୋଉ କମ୍ କି ? ମୁଁ କହି ରଖୁଛି ନନା, ଆମ ପୁଅ ଆଗରେ ସମସ୍ତେ ମାନ୍ଦା ପଡ଼ିଯିବେ ।” ଦଶରଥ ପିଉସା କହିଲେ ।

ବାହାଘର ପାଇଁ ଜୋର୍‌ସୋର୍‌ରେ ତିଆରି ଚାଲିଛି । ସମ୍ପୂର୍ଣ୍ଣ ଗାଁ ବାସୀଙ୍କର ଗୋଡ଼ ତଳେ ଲାଗୁନି । କଟକରେ ବାହାଘର ହେବ । ଘର ଭଡ଼ା ନିଆ ସରିଲାଣି । ଗାଁବାସୀଙ୍କ ପାଇଁ ଟ୍ରେନ୍‌ରେ ଟିକେଟ୍ କରା ହୋଇଛି । ହରିଜନ ସାହି, ଧୋବା ସାହିରୁ ବହୁ ଜଣ ଯିବାକୁ ଇଚ୍ଛୁକ । ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବସ୍ ଯୋଗାଡ଼ ହୋଇଛି । ସେଇ ବସ୍‌ରେ ଚାଉଳ, ନଡ଼ିଆ ପ୍ରଭୃତି ବହୁ ଜିନିଷ ମଧ୍ୟ ଯିବ ।

ଚାରିଦିନ ପୂର୍ବରୁ ସମସ୍ତେ କଟକ ପହଞ୍ଚିଗଲେ । ବଡ଼ ଧୂମ୍‌ଧାମ୍‌ରେ ସବୁ କିଛି ଆୟୋଜନ ହେଉଛି । ସମସ୍ତଙ୍କୁ ଅଲଗା ଅଲଗା କାମ ସମର୍ପି ଦିଆଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ଜମିଦାର ବାବୁଙ୍କ ପୁଅ, ପୁଣି ବଡ଼ ଅଫିସର୍ . . . କ’ଣ ଏମିତି ସେମିତି କଥା । କିଛି ଯେମିତି କେଉଁଥିରେ ତ୍ରୁଟି ନ ହୁଏ । ନାନୀ ଉପରେ ଭଣ୍ଡାର ଘର ଦାୟିତ୍ତ୍ୱ । ବିଚାରୀ କେଉଁ ଉତ୍ସବରେ ବି ଯୋଗ ଦେଇପାରୁନି । ମଙ୍ଗଳ ହାଣ୍ଡି ବସିଲା । ଏବେ ବୋହୂର ଗହଣା ଗାଣ୍ଠି ନେଇ ଦେବୀ ମଙ୍ଗୁଳିବା ପାଇଁ ସ୍ତ୍ରୀ ଲୋକମାନେ ବାହାରିଲେ । ଶଙ୍ଖ, ହୁଳହୁଳିର ନାଦରେ ଘରଟା ଯେମିତି ପଡୁଛି ଉଠୁଛି । ମୁଁ ପୂର୍ବରୁ ଯାଇ ନାନୀକୁ ଭଣ୍ଡାର ଘରେ ତାଲା ପକାଇ ବାହାରକୁ ଆସିବା ପାଇଁ କହି ଆସିଥିଲି ।

ହଠାତ୍ ସବୁକିଛି ସ୍ଥଗିତ ହୋଇଗଲା । କଥା କ’ଣ, କଥା । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ପଚରା ଉଚରା କରିବାରୁ ଜଣାପଡ଼ିଲା ନୂଆବୋଉ (ଉପେନ୍ଦ୍ର ନନାଙ୍କ ସ୍ତ୍ରୀ) ନାନୀକୁ ବହୁ ଛିଃ ଛାକର କରି କହିଲେ । କାରଣଟା ହେଲା ବିଧବା ହୋଇ ସେ କେମିତି ଶୁଭ କାର୍ଯ୍ୟ ମୁହୂର୍ତ୍ତରେ ପାଦ ଦେବାକୁ ସାହସ କଲା । ନାନୀର ରାଗ ବି କିଛି କମ୍ ନୁହେଁ, ଜିଦି ଧରି ବସିଛି ସେଇ କ୍ଷଣି ଘର ଛାଡ଼ି ଚାଲିଯିବ । ସମସ୍ତେ ବୁଝାଇ ବୁଝାଇ ନୟାନ୍ତ ହେଲେ । ଶେଷରେ ବଡ଼ନନା ମଧ୍ୟ ବୁଝାଇଲେ । ମାତ୍ର କିଛି ଲାଭ ହେଲାନି । ନାନୀ ସେଠା ଛାଡ଼ି ଗାଁ ଅଭିମୁଖେ ବାହାରିଗଲା ।

ବାପା ମୋ ହାତଟାକୁ ଜୋର୍‌ରେ ଝିଙ୍କି ନେଇ କହିଲେ, “ସେଦିନ ଭଳି ତୁ ବି ପଛେ ପଛେ ଚାଲିଯିବୁନି, ତୋ ନନାର ବାହାଘର ।” କହି ମତେ ତାଙ୍କ ରୁମ୍ ଭିତରେ ବସାଇ ଦେଇ ନିଜେ ବାହାରେ ବସି ରହିଲେ ।

ନାନୀ ଚାଲିଯିବା ପରେ ଭାଳେଣୀ ପଡ଼ିଲା ଭଣ୍ଡାର ଘରର ଦାୟିତ୍ୱ କାହାକୁ ଦିଆଯିବ । ନୂଆବୋଉ କହିଲେ, “ମୁଁ ଚାବିଟା ରଖୁଛି । ଅନ୍ୟମାନେ ଏଥିରେ ରାଜି ହେଲେନି । ଜେଠେଇ ଫୁସ୍‌ଫୁସ୍‌ ହୋଇ ଜେମା ଖୁଡ଼ୀଙ୍କ କାନରେ କହିଲେ, ତୁ ବୁଝୁନୁ କି ? ବସିଆ ଥିଲେ ଇଏ କିଛି ହେରା ଫେରି କରିପାରିବନି । ସେଇଥି ନାଗି ପରା ସେ ବସିଆକୁ ବାହାର କରିଦେଲା ।”

ବଡ଼ ପାଟିଟାଏ କରି ବାପା କହିଲେ, “ଚାବି ଅନ୍ୟ କାହା ହାତରେ ଦେବା ଆବଶ୍ୟକ ନାହିଁ, ରାଧା ହାତରେ ଦେଇ ଦିଅ, ସିଏ ସବୁ ଦେଖା ରଖାକରିବ ।”

ସେଇଆ ହେଲା, ରାଧାନାନୀ ଭଣ୍ଡାର ଘର ଦାୟିତ୍ୱ ନେଲେ ।

ବାପାଙ୍କ ରୁମ୍ ଭିତରେ ବସି ରହି ମୁଁ ବହୁ ଚିନ୍ତା କରୁଥିଲି । ଆମ ସମାଜର ଏଇଟା କି ପରମ୍ପରା ? ଭାଇର ବାହାଘର ମଧ୍ୟ ତାକୁ ଦେଖିବାକୁ ମନା । ଦଶରଥ ପିଉସା, ନୃସିଂହ କକେଇଙ୍କର ସ୍ତ୍ରୀମାନେ ମଧ୍ୟ ଏ ଇହଧାମରେ ନାହାନ୍ତି । ସେମାନଙ୍କର ଉପସ୍ଥିତି ତ କାହାକୁ ଖଟକା ଦେଉନି । ତେବେ ପୁରୁଷ ଲୋକ, ସ୍ତ୍ରୀଲୋକଙ୍କ ମଧ୍ୟରେ ଏ ଫରକ୍ କାହିଁକି ? ନା, ଆଉ ଚୁପ୍ ରହିବିନି । ବାପାଙ୍କୁ ନିଶ୍ଚୟ ପଚାରିବି । ଦର ଆଉଜା କବାଟିକୁ ଖୋଲି ବାହାରକୁ ଆସିଲି ।

ଲୋକପ୍ରିୟ ଲେଖା

To Top