ଗଳ୍ପ

ସୁନା ବୋହୂ

Byaasakabi Fakir Mohan Senapati's odia story Sunaa Bohoo

ମଲା ଯା’ । କନ୍ୟାଟାଏ କ’ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।

ସୁନା ବୋହୂ

ରାମହରି ପଟ୍ଟନାୟକେ ଥିଲେ ପୋଲିସ୍‌ର ଦାରୋଗା । ସାଲେପୁର୍ ପ୍ରଗନା ଗୋପୀନାଥପୁର ଗାଁରେ ଜଣେ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡ଼ିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକ ପରାମର୍ଶ ଲୋଡ଼ିବାକୁ ତାଙ୍କ ପାଖକୁ ଧାଇଁ ଆସନ୍ତି । ପଞ୍ଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରି ବାବୁ ଆସିବେ, ତେବେ କଥା ପଡ଼ିବ । ବାବୁ ପେନ୍‌ସନ୍ ପାଇ ପାଞ୍ଚ ବର୍ଷଯାଏ ଘରେ ବସିଥିଲେ । ତାଙ୍କ ବିଯୋଗ ବେଳକୁ ପୁତ୍ର ଶିବସୁନ୍ଦରର ବୟସ ଦଶ । କନ୍ୟା ଚମ୍ପା ଦେଇକୁ ପାଞ୍ଚ ବର୍ଷ ପଶିଥିଲା । ବିଧବା ବିମଳା ଦେଈ ବଡ଼ ଦୟାବତୀ, ବଡ଼ ହେଙ୍ଗ୍ଲୀ, ବଡ଼ ସରଳା ଥିଲେ । ଏବେ ବଡ଼ ଦୁଃଖରେ ପଡ଼ି ବଡ଼ ଘରଣୀ ହଇ ପଡ଼ିଲେଣି । ପିଲା ଦିଓଟି ଆଉ ଘରକରଣା ସମ୍ଭାଳି ସମ୍ଭୁଳି ରଖିଥିଲେ । ରାମହରି ବାବୁଙ୍କର ଦରମା ଉପୁରି ସୁପୁରି ମିଶାଇ ବେଶ ଦଶଟଙ୍କା ରୋଜଗାର ଥିଲା । ହେଲେ କ’ଣ ହେଲା, ମଣିଷଟା ଥିଲେ ବଡ଼ ସାହାଖର୍ଚ୍ଚୀ, ତୁଚ୍ଛା ହାତରେ ମରିଛନ୍ତି । ବିମଳା ଦେଇ ଲୁଚାଛପା କରି ହାତରେ ଯେ ଦଶଟଙ୍କା ରଖିଥିଲେ, ଆଉ ଦେହର ଗହଣାଗାଣ୍ଠି ଦି’ଖଣ୍ଡ ବିକାବିକି କରି ଆଜିଯାଏଁ ଘର ଚଳାଇ ନେଲେ । ଆଉ ଆଉ ଖରଚ ଟାଣୁଟୁଣ କରି ପୁଅଟିର ପାଠ ପଢ଼ାରେ ସବୁ ସାରିଛନ୍ତି । ସବୁବେଳେ ବୋଲୁଥାନ୍ତି, ଶିବୁ ଦି’ଅକ୍ଷର ପଢୁ, ଦେହରେ ଗୁଣ ଥିଲେ କାଲି ସକାଳେ ଘରକରଣା କରି ବସିବ ଯେ ।

ଝିଅ ଚମ୍ପାଟି ଦେଖିବାକୁ ବେଶ ଡୌଲଡ଼ାଉଲ । ନାକଟି ଖଣ୍ଡଧାର ପରି ସିଧା । କଳା କଳା ବଡ଼ ବଡ଼ ଆଖି ଯୋଡ଼ିକ ଢଳ ଢଳ ଦିଶୁଥାଏ । ମୁଣ୍ଡର ଅଳକା ଆଉ ଦାନ୍ତଗୁଡ଼ିକ ସୁନ୍ଦର, ମୁହଁଟିକୁ ସୁନ୍ଦରମାନେ । କୁଙ୍କୁମ ବୋଳି ହେଲା ପରି ଦେହଟିର ରଙ୍ଗ । ଯିମିତି ରୂପ, ସିମିତି ଗୁଣ । ମା’ପାଖରୁ ବେଶ ରନ୍ଧାବଢ଼ା ଶିଖିଛି । ଆଉ ଗୁଣରେ ତାକୁ କେହି ବାରି ପାରିବ ନାହିଁ । ଶିବୁଭାଇ ଶ୍ରଦ୍ଧା କରି କିଛି ପାଠ ପଢ଼ାଇ ଦେଇଛନ୍ତି । ହାତରେ କାମ ପାଇଟି ନ ଥିଲେ ସଞ୍ଜବେଳେ ମା’ପାଖରେ ବସି “କୃପାସିନ୍ଧୁ ଭଜନ” ଆଉ “ଛାନ୍ଦମାଳା”ରୁ କେତେ ଗୀତ ବୋଲେ ।

ଶିବୁବାବୁ କଚେରିରେ କିରାଣୀଗିରି କାମ କରନ୍ତି । ଚାକିରି ଖଣ୍ଡିକ ପାଇଲା ଦିନରୁ ତାଙ୍କର ଇଚ୍ଛା, ଅଳ୍ପସଳ୍ପ ଦରମା ଦେଇ ପିଲାଭଳିଆ ଗୋଟିଏ ରୋଷେୟା ରଖିଲେ ମା’ ଟିକିଏ ଆରାମରେ ରହିବେ । ବିମଳା ଦେଈ ଶୁଣି ନିହାତି ନାରାଜ । ଚାଉଳ ଅଧସେରେ ଫୁଟାଇ ଦେଲେ ପାଇଟି ଛିଡ଼ିଲା, ପିଲାଟା କେତେ ଦରମା ପାଏ ଯେ ଖର୍ଚ୍ଚଟାଏ ବଢ଼ାଇ ବସିବ ।

ଦିନ ପାଣି ପରି ବହି ଯାଉଛି । ଆସନ୍ତା ବିଛା ଛ’ଦିନକୁ ଚମ୍ପାର ବାର ପୂରି ଯାଇ ତେର ବର୍ଷ ପଶିବ । ତେଣିକି ଚଉଦ ଯୋଡ଼ା ବୟସ ପଶିଲେ ବାହା ମନା । ଏହି ବର୍ଷ ବିଭା ନ ହେଲେ ନୁହେଁ । କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ ରଖିବା, ସେହିଟା ନିହାତି ନିଲଜପଣିଆ କଥା । ଘର ଭଲ, କନ୍ୟାଟି ସୁଲକ୍ଷଣୀ, ଭଲ ଭଲ ଜାଗାରୁ ଜବାବ୍ ଆସିଲାଣି । ବିମଳା ଦେଈଙ୍କର ତୁରନ୍ତ ଜବାବ୍, ନା । ଯେ ଯେତେ ବୁଝାଉ, ଏକା ରା-ନା ।

ଦିନେ ସଞ୍ଜବେଳେ ବିମଳା ଦେଈ ଅନୀ ପିଉସୀ ଆଉ ଶିବୁବାବୁଙ୍କୁ ପାଖରେ ବସାଇ ଆପଣା ମନ କଥା ଫିଟାଇ କହିଲେ, “ଦେଖ ପିଉସୀ, ଝିଅକୁ ଜୁଆଇଁ ନେଲେ ଗଲା, ଯମ ନେଲେ ମଲା । ବଡ଼ ଲୋକ ଦେଖି ଦୂରଦୂରାନ୍ତରକୁ ଝିଅଟାକୁ ପେଲି ଦେବି, ଆଉ ତ ଆଖିସୁଲଭ ଦେଖି ପାରିବି ନାହିଁ । କରଣକୁଳ, ଯେ ଗଲା, ଏକମୁହଁ । ସେହି ଗଲା । ମୋର ଦି’ଓଟି ଆଖି, ଗୋଟିଏ ଗଲେ କାଣୀ ହୋଇ ମରିଯିବି ଯେ । ଇମିତି ଆଖ ପାଖରେ ଦେବି ଯେ ଯିମିତି ଡାକି ଦେଲେ ଓ କରୁଥିବ । ଏ ତ ଗଲା ଗୋଟାଏ ବାଡ଼ । ଅସଲ କଥା ମୁଁ ସତ୍ୟ ଲଙ୍ଘିବି ନାହିଁ । ବାବୁମାନେ ଆଉ ବଉଳ ଚାଲି ଯାଇ ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ସତ୍ୟ ଲଙ୍ଘିଲେ ମୋତେ ନରକରେ ବି ଠାବ ହେବ ନାହିଁ ।

ରାମହରିବାବୁଙ୍କ ଚାରି ଘର ଛଡ଼ା ପଡ଼ୋଶୀ ନବଘନ ଦାସେ ପୋଲିସ୍ର ଜମାଦାର ଥିଲେ । ଗୋଟିଏ ଥାନ୍ତାରେ ଏକ ସଙ୍ଗରେ ଚାକିରୀରେ ତେରଦିନ ବିତି ଯାଇଥିଲା । ନବଘନବାବୁଙ୍କ କୁଟୁମ୍ୱ ମଧ୍ୟରେ ଭାର୍ଯ୍ୟା କମଳା ଦେଈ ଆଉ ଗୋଟିଏ ପୁଅ ଦିବାକର । ଦୁଇବାବୁଙ୍କ ମଧ୍ୟରେ ଯିମିତି ମନ ମିଳେ, ଖୁବ୍ ଭାବ, ଏଣେ ଘରଆଡ଼େ ବିମଳା ଦେଈ ଆଉ କମଳା ଦେଈଙ୍କ ମଧ୍ୟରେ ସିମିତି ମିଳାପ, ସିମିତି ଏକ ମନ । ଦୁଇଜଣ୍ ଯେତେବେଳେ ଭୁଆସୁଣୀ ଥିଲେ, ରୋଜ ସକାଳେ ବାଡ଼ି ଆଡ଼େ ପୋଖରୀ ତୁଠରେ ଘଡ଼ିଏ ଯାଏ ବସି ଦାନ୍ତ ଘଷନ୍ତି, ଆଉ ଦୁଃଖ ସୁଖ କଥା, ହସି ଖୁସି କଥା, ରନ୍ଧବଢ଼ା କଥା, ଘରକରଣା କଥା ହୁଅନ୍ତି । ଦୋଳପୂର୍ଣ୍ଣମୀ ଦିନ ଦୁଇ ଜଣ ଆମ୍ୱ ବଉଳ ବସିଲେ । ଚମ୍ପା ଯେତେବେଳେ ପେଟରେ ଥାଏ, କମଳା ଦେଈ କହିଲେ, “ବଉଳ, ତମର ଯେବେ ଗୋଟିଏ ଝିଅ ହେବ, ମୋ ଦିବୁକୁ ଦେବ ।” ବିମଳା ଦେଈ କହିଲେ, “ହଁ ବଉଳ, ଦେବି । କମଳା ଦେଈ, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ ।” ତିନି ସତ୍ୟ ଉତ୍ତାରେ ଆଉ କ’ଣ କଥା ଥାଏ । ନବଘନ ବାବୁ, କମଳା ଦେଈ ଚାଲି ଯାଇଛନ୍ତି । ପୁଅ ଦିବାକର ଘରକୁ ଏକୁଟିଆ, ପିଲାଟା ଯୋଗ୍ୟ, ଇଂରାଜୀ ବି ଦି’ଅକ୍ଷର ଜାଣେ, ଯୁବା ବୟସ, ଦେଖିବାକୁ ସୁନ୍ଦର, କାକଟପୁର ଜମିଦାର ସିରସ୍ତାର ନାଏବ । ବିମଳା ଦେଈ ସେ ସତ୍ୟକୁ ହୃଦରେ ଲେଖି ରଖିଛନ୍ତି । କହିଲେ ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି । ବିଭା ହୋଇଗଲା । ଦିବାକର ଚମ୍ପା ମାଣିକଯୋଡ଼ା ପରି ପରମ ସୁଖରେ ଘରେ ଥାନ୍ତି । ଦୁଇ ଜଣଙ୍କର ଏକ ମନ, ଏକ କଥା, ଏକ ଇଚ୍ଛା । ପୃଥିବୀରେ ସ୍ୱର୍ଗୀୟ ସୁଖ ଯଦି କିଛି ଥାଏ, ସେହିଟା ହେଲା ଦାମ୍ପତ୍ୟପ୍ରେମ ।

ମା’ ବିମଳା ଦେଈ ଏଣିକି ଅଡ଼ି ବସିଲେଣି, ଘରକୁ ବୋହୂଟିଏ ଆଣିବାକୁ ହେବ । ଦିନେ ରବିବାର, କଚେରି ବନ୍ଦ, ପୁଅ ଘରେ ଅଛି । ଶିବୁବାବୁ ବସି ଖଣ୍ଡିଏ ପୋଥି ପଢୁଥିଲେ । ବୁଢ଼ୀ ଧୀରେ ଧୀରେ ଯାଇ ପାଖରେ ବସିଲେ । କଅଁଳେଇ କଅଁଳେଇ କହିଲେ, “ଆରେ ବାପା ଶିବୁ । ଆଜିକି ପାଞ୍ଚ ବର୍ଷ ହେଲା ତୋ ସାଙ୍ଗରେ ଲାଗିଛି, କେତେ ଥର କହିଲି, ଶୁଣିଲୁ ନାହିଁ । ପହିଲୁ ପହିଲୁ କହିଲୁ, ପାଠ ପଢ଼ି ସାରିଲେ ବାହା ହେବୁ । ପଢ଼ା ସରିଲା । ଫେର୍ ଧରିଲୁ, ଚାକିରୀ କଲେ ବାହାଘର ହେବ । ଚାକିରୀ ବି ହେଲା । କାହିଁ, ବାହାଘରର ନା ଚର୍ଚ୍ଚା ବି ନାହିଁ । ମୋର କ’ଣ ଆଉ ବଳ ବୟସ ଆସୁଛିରେ । ମୁଁ କ’ଣ ଆଉ କାମ ପାଇଟିକି ପାରିବିକିରେ । ବିଦ୍ୟା ମା’ ସିନା ବାହାରଘର କାମ ପାଇଟି କରି ଦେଇଗଲା, ଭିତର ପାଇଟି ରନ୍ଧାବଢ଼ା କରୁଛି କିଏ ? ଏଣିକି ସଞ୍ଜ ହେଲା ତ ଆଖିକି କିଛି ଦିଶିବ ନାହିଁ, ପାଞ୍ଚ ଜାଗା ହାବୁଡ଼ି ପଡ଼ିବି, କାମ ପାଇଟି ହାତକୁ ଲାଗିବ ନାହିଁ । ଦିନେ ଦିନେ ଦିହପା’କୁ ଲାଗିଲେ ଚମ୍ପା ଆସି ଦି’ଟା ସିଝାସିଝି କରି ଦେଇଯାଏ, ସେ କ’ଣ ସବୁଦିନେ ଆସୁଥିବ ? ଯେତେ ହେଲେ ସେ ହେଲା ପରଘରୀ, ତା’ର ଫେର ଘରକରଣା ଅଛି ନା ! ପୁଣି ଘରକୁ ଏକୁଟିଆ, ଶାଶୁ ନଣନ୍ଦ କେହି ନାହିଁ ବୋଲି ସିନା ଯେତେବେଳେ ପାରେ ଧାଇଁ ଆସେ, ନୋହିଲେ କ’ଣ ଆସି ପାରନ୍ତା ? ଆଉ ଦେଖ, ତିନି ପ୍ରସ୍ତ ଘର, ମୁଁ ଗୋଟାଏ କଣରେ କେଉଁଠି ପଡ଼ି ରହିଥାଏ, ତୁ କଚେରିକୁ ବାହାରିଗଲେ ଘରଗୁଡ଼ାକ କିମିତିକା ଖାଁ ଖାଁ ଗୋଡ଼ାଏ । ଏଇ ଘର କ’ଣ ଥିଲା, କ’ଣ ହେଲା ! ହାଇରେ- ହା ! ମୁଁ ଆଉ କେତେ କାଳ ବଞ୍ଚି ରହିବି ରେ ? ମତେ ଟିକିଏ ଅନାରେ ଭଲା । ସେ ନାହାନ୍ତି ବୋଲି ସିନା, ତୁ କ’ଣ ଆଜିଯାଏ ଅଭିଆଡ଼ା ବସିଥାନ୍ତୁ ?” ବୁଢ଼ୀ ଆଉ କିଛି କହି ପାରିଲେ ନାହିଁ, ଧକେଇ ଧକେଇ କାନ୍ଦି ବସିଲେ, ସୁଁ ସୁଁ କରି ନାକ ପୋଛି ପକାଉଥାନ୍ତି ।

ମା’ଙ୍କ ଦୁଃଖ ଦେଖି ଶିବୁବାବୁଙ୍କ ମନରେ ଭାରି ଦୁଃଖ ହେଲା, ପୋଥି ଖଣ୍ଡିକ ମେଜ ଉପରେ ଥୋଇ ଦେଇ ଅନୀ ଆଈ ଦୁଆରକୁ ଚାଲିଗଲେ । ଅନୀ ଆଈ ଲେଖାଯୋଖାରେ ବିମଳା ଦେଈଙ୍କ ପିଉସୀ, ଶିବୁ ଆଉ ଚମ୍ପାକୁ କୋଳରେ କାଖରେ କରି ବଢ଼ାଇଛି । ବିମଳା ଦେଈ ତାକୁ ମା’ ପରି ମାନନ୍ତି, ଅନୀ ବି ବିମଳା ଦେଈଙ୍କୁ ଝିଅ ପରି ମଣେ, ଭଲ ପାଏ, ସବୁ କଥାରେ ସାହା ହୁଏ । ଅନୀ ଘର ଆଉ ବିମଳା ଦେଈଙ୍କର ପାଚିରୀ ଲଗାଲଗି, ଦୁଆର ଅଲଗା ଅଲଗା । ଅନୀ ଆଈ ବଂଶଲତା ଆମ୍ଭେମାନେ ପାଇ ନାହୁଁ, ଏଥକୁ ଉପର ପୁରୁଷର କାହାରି ପରିଚୟ ଦେବାକୁ ଅକ୍ଷମ । ବିଭାପ୍ରସଙ୍ଗରେ ଆଈ ନାତି ମଧ୍ୟରେ ଢେର କଥାଭାଷା ହେଲା । ଆଈ କହିଲେ, “ଆଚ୍ଛା ଶିବୁ, ତତେ ଗୋଟିଏ ଭଲ ସୁନ୍ଦରୀ ବୋହୂ ଆଣି ଦେବି, ମାଣିଆବନ୍ଧି ଲୁଗାଟିଏ ପିନ୍ଧାଇବୁ ଏକା ।”

ବୟସ ଥିବାବେଳେ ଅନୀ ଆଈ ବଡ଼ କଳିହୁଡ଼ି ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ଆଗ । ବୁଦ୍ଧିମତୀ, ଦରକାର ପଡ଼ିଲେ ଗୋଟାଏ ଠିକ୍ ବୁଦ୍ଧି ଫାନ୍ଦି ଦେବାକୁ ବି ଖୁବ୍ ପାରେ । ରାଣ୍ଡ ମାଇ-କନିଆଟିଏ ହେଲେ କ’ଣ ହେଲା, ଭୁଲ ଭଟକାରେ ଗାଁ ଲୋକେ ତାକୁ ପରାମର୍ଶ ପଚାରନ୍ତି ଉଛୁଣି ଆଈ ବଡ଼ ବୁଢ଼ୀ ହୋଇଗଲାଣି । ବାଡ଼ି ଖଣ୍ଡିଏ ଧରି ଠୁକୁର ଠୁକୁର କରି ବାହାରିଲା । ଦାଣ୍ଡ ଦୁଆରୁ “ରେ ବିମଳା ! ରେ ମା’ ବିମଳା !” ଡାକି ଡାକି ଯାଇ ଝିଆରୀ ପାଖରେ ବସିଲା । ଏ କଥା, ସେ କଥା, ଦୁଇଟା କଥା ବାଦେ କହିଲା, “ଆରେ ମା’ ! ଶିବୁ କହିଛି, ବାହା ହେବ । ହଁ, ଭଲଲୋକ ଘର ଝିଅଟିଏ ହୋଇଥିବ, ଦି’ଅକ୍ଷର ପଢ଼ିଥିବ, ଇମିତିକା କନ୍ୟାଟିଏ ପାଇଲେ ବାହା ହେବ ।” ଶିବୁ ବାବୁଙ୍କର ଆଉ ଗୋଟିଏ କଥା, କନ୍ୟାଟି ସୁନ୍ଦରୀ ହୋଇଥିବ, ଆଈ କିନ୍ତୁ ଏ କଥାଟା ଝିଆରୀକୁ କହିଲେ ନାହିଁ । ଏକା ଶିବୁ କିଆଁ, ସୁନ୍ଦରୀ କନ୍ୟା ବିଭା ହେବାକୁ କାହାର ଇଚ୍ଛା ନ ବଳେ । ପାଠକ ପାଠିକା ବୋଲନ୍ତୁ ଭଲା, କଥାଟା କ’ଣ ମିଛ ? ବିମଳା ଦେଈ ଆନନ୍ଦରେ ପିଉସୀକୁ କୁଣ୍ଢାଇ ପକାଇ କହିଲେ, “ପିଉସି, ତୁ ଟିକିଏ ଲାଗି ଯା’, ମୋର ଆଉ କିଏ ଅଛି ? ବାପଛେଉଣ୍ଡଟି ଲାଗି କିଏ ଧାଇଁବ ? ଯାହା କରିବେ ଜୁଆଇଁ ବାବୁ । ମୁଁ ତ କହିବି ନାହିଁ, ତୁ ଯା’ ତାଙ୍କୁ କହିବୁ, ସେ ଖୋଜା ଲୋଡ଼ା କରି ଘଟଣା କରି ଦିଅନ୍ତୁ । ଚମ୍ପାକୁ କହିବି, ସେ ବି ଜୁଆଇଁ ବାବୁଙ୍କୁ କହିବ । ଯେତେ ହେଲେ ସେଇଟା ହେଲା ପିଲାଲୋକ । କହି ଜାଣିବ ନାହିଁ, ତୁ ଯା’, ତାଙ୍କୁ ବୁଝେଇ ବନେଇ ବନେଇ କହିବୁ ।”

ଶିବୁବାବୁ ବର୍ତ୍ତମାନ ମହା ହଇରାଣରେ ପଡ଼ିଲେଣି । ଉଠୁଣୁ ବସୁଣୁ ଚମ୍ପା ତାଙ୍କ ସଙ୍ଗରେ ଲାଗିଛି ମୋ ଭାଇ ପାଇଁ ଗୋଟିଏ କନ୍ୟା ଠିକଣା କରି ଦିଅ । ଦିବୁବାବୁ ବାହାରୁ କୁଆଡୁ ବୁଲି ଆସି ଘରେ ଗୋଡ଼ ଦେଇଥିବେ କି ନାହିଁ, ଚମ୍ପା ଧାଇଁ ଆସି ପଚାରିବ “କ’ଣ, କନ୍ୟା ଠିକଣା ହେଲା ?” ମଲା ଯା’ । କନ୍ୟାଟାଏ କ’ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।

ଦିବୁବାବୁ ଜମିଦାର ନାଏବ । ମଫସଲର ଖବର ଜଣା । ପାଞ୍ଚ ଜାଗାକୁ ଖବର ପଠାଇଲେ । ଦୁଇପକ୍ଷରୁ ଲୋକ ଯା’ ଆସ କଲେ । କଥା ପଟିଲା ନାହିଁ, ଭାଙ୍ଗିଗଲା । ଶେଷରେ ପ୍ରସଙ୍ଗ ଚଳିଲା । ଦୁମଦୁମପୁରରେ କନ୍ୟାଟି ଘରଯୋଗା ହେଲାଣି । ବୟସ ସତର ବରଷ ଚାଲିଛି । ବିଧବାର ଝିଅ, ବଡ଼ଭାଇ ବଳରାମ ଦାସେ ଗାଁର ଅବଧାନ ।

ସବୁ ପ୍ରସଙ୍ଗ ଶିବୁବାବୁ ଟିକିଏ ମୋଡ଼ ମାଡ଼ ହେଉଥିଲେ । କନ୍ୟାଟି ବଡ଼ ଲୋକର ଝିଅ, ଆଉ ସୁନ୍ଦରୀ ହୋଇଥିବ, ଏଇଟା କିଏ ନ ଲୋଡ଼େ ? ହେଲେ, ସେଇଟା କ’ଣ ସମସ୍ତଙ୍କ କପାଳକୁ ଘଟିଥାଏ ? ବିଭା କଥାଟା ଜାଣ ପ୍ରଜାପତି ଘଟସୂତ୍ର କଥା, ତାଙ୍କ ନିର୍ବନ୍ଧକୁ କିଏ ମେଣ୍ଟିବ, କନ୍ୟା ଯେ ଈଶାଣରେ ଚାଉଳ ଦେଇଛି, ଧରି ବାନ୍ଧି ସେଇଠି କି ଯିବ । ଶିବୁବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ଠିକଣା ନାହିଁ । ଏଣେ ମା’ ହେଲେଣି ଅଥୟ । କ’ଣ କରିବେ, ରାଜି ହୋଇଗଲେ । ବିମଳା ଦେଈଙ୍କ ଆନନ୍ଦ ଦେଖେ କିଏ, ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ । ବୋହୂ ବୋହୂ ଭଜି ହେଉଥିଲେ, ବୋହୂ ଠିକଣା ହେଲା, ଆଉ କ’ଣ ? ଚମ୍ପା ମନରେ କଲା, ପାରିଲା ବୋହୂ ଆସିବ, ଏକାବେଳକେ ହାଣ୍ଡିଶାଳରେ ପଶିଯିବ, ମା’ ଖଲାସ ପାଇଲେ, ଭଲ ହେଲା ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top