ଗଳ୍ପ

ସୁନାପାହାଡ଼ର ଠିକଣା

Manoj Das's odia story Sunaapaahaadara Thikanaa

ପର୍ବତପ୍ରମାଣ ସୁନାଠୁ ସହସ୍ର ଗୁଣ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଯାହା ଦେଖିଲି, ତାହା ହେଲା ଆପଣଙ୍କ ଅଶ୍ରୁ । ସେ ଅଶୁଭ ବ୍ୟାଖ୍ୟା ଦିଅନ୍ତୁ- ନ ହେଲେ ମୁଁ କମ୍ୱଳ ଗୋଟାଉ ନାହିଁ ।

ସୁନାପାହାଡ଼ର ଠିକଣା

ଦିଗନ୍ତବିସ୍ତାରୀ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଜନପଦରେ ପହଞ୍ଚି ସାଆନ୍ତେ ଓ ଅବୋଲକରା ଗୋଟିଏ ଚଟିଘରେ ବିଶ୍ରାମ ନେଲେ । ଅପରାହ୍ଣ ବେଳକୁ କୌଣସି ଶୃଙ୍ଖଳିତ କୋଳାହଳ ଦ୍ୱାରା ଆକୃଷ୍ଟ ହୋଇ ଦୁହେଁ ବାହାରକୁ ଦୃଷ୍ଟିପାତ କରି ଦେଖିଲେ, ପର୍ବତମାଳା ଭିତରୁ ବାହାରିଆସୁଛି ଏକ ଶୋଭାଯାତ୍ରା । ବୃହଦାକାର ଚକ ଲାଗିଥିବା ଦଶ-ବାରଗୋଟି ବିଶାଳ ଡବାକୁ ଟାଣୁଥିଲେ ହାତୀମାନେ । ସେ ଡବାଶ୍ରେଣୀର ଆଗରେ ଓ ପଛରେ ଥାଇ ଘୋଡ଼ସବାର ସୈନିକମାନେ ଗୋଟିଏ ଗୋଟିଏ ହାତରେ ଲଗାମ ଧରିବା ସଙ୍ଗେ ସଙ୍ଗେ ଅନ୍ୟ ହାତଟିମାନଙ୍କରେ ଉନ୍ମୁକ୍ତ ଅସି ଧରିଥିଲେ । ସବା ଆଗରେ ଥିଲା ସସ୍ୱୟଂ ରାଜାଙ୍କ ରଥ । ତାଙ୍କ ପାଖରେ ଆସୀନ ଥିଲେ ଭଡ଼ାରେ ଆସିଥିବା ଜଣେ ବୈଜ୍ଞାନିକ ।

ଜନପଦ-ରାସ୍ତାର ଦୁଇପାଖରେ ଧାଡ଼ି କରି ଠିଆ ହୋଇଥାନ୍ତି ସ୍ଥାନୀୟ ଆବାଳବୃଦ୍ଧବନିତା । ସୁନା ସୁନା । – ଚପା ଅଥଚ ଉତ୍ତେଜିତ କଣ୍ଠରେ ସେ ଚଳମାଣ ଡବାର ସବୁଆଡେ଼ ଅନାଇ ସେମାନେ କହୁଥାନ୍ତି । ଶକ୍ତ, ପ୍ରକାଣ୍ଡ ତାଲାବଦ୍ଧ ସେସବୁ ଡବା ଭିତରୁ ସୁନାର ସାମାନ୍ୟତମ ସୂଚନା ଦୃଶ୍ୟମାନ ନ ହେବା ସତ୍ତ୍ୱେ ସେମାନେ ସେସବୁର ସାନ୍ନିଧ୍ୟରେ ହିଁ ଶିହରି ଉଠୁଥାନ୍ତି ।

ସୁନାର ନୂତନ ସିଂହାସନ ନିର୍ମାଣ ହେବ, ରାଜାରାଣୀଙ୍କ ପାଇଁ ଦଶ-ଦଶଟି ମୁକୁଟ ତିଆରି ହେବ, ରାଜାଙ୍କର ପ୍ରତ୍ୟେକ ଦେହରକ୍ଷୀଙ୍କ ଅସି ନିମନ୍ତେ ରାଜଧାନୀକୁ ଯାଉଥିବା ଜଣେ ଗ୍ରାମବାସୀ କହିଲେ । ବିଦେଶରୁ ସୁନା ବଦଳରେ ପ୍ରଚୁର ଆଧୁନିକ ଯୁଦ୍ଧ ସରଞ୍ଜାମ ବି ଆମଦାନି ହେବ । – କହିଲେ ଗ୍ରାମମୁଖ୍ୟ, ଆଉ ହେବ ରାଜନର୍ତ୍ତକୀଙ୍କ ପାଇଁ ସୁନା ଜରିରେ ପୋଷାକ ।

ହେବ, ହେବ- ଯେତିକି ସୁନା ମିଳିଛି ସେଥିରେ ସବୁ ପ୍ରଜାଙ୍କ ପାଇଁ ଗୋଟିଏ ଗୋଟିଏ ମୁଦି ବି ତିଆରି ହୋଇପାରିବ । – ତୃତୀୟ ବିଜ୍ଞ ଜନପଦବାସୀ କହିଲେ ।

ହଟିଯାଅ ! ହଟିଯାଅ ! – ଧମକ ଦେଲେ ଘୋଡ଼ାସବାରମାନେ ।

ଅବୋଲକରା ଯାଇ ରାସ୍ତାକଡ଼ରେ ଜନତା ସହିତ ସାମିଲ ହୋଇଯାଇଥିଲା । ଶୋଭାଯାତ୍ରା ଗ୍ରାମ ଅତିକ୍ରମ କରି, ବିସ୍ତୃତ ପ୍ରାନ୍ତର ମଝି ଦେଇ ରାଜଧାନୀ ଅଭିମୁଖେ ବହୁଦୂର ଚାଲିଯିବା ଉତ୍ତାରୁ ମନ୍ତ୍ରମୁଗ୍ଧ ପ୍ରାୟ ଲୋକେ ନିଜ ନିଜ ଅବସ୍ଥାର ବାସ୍ତବତା ସମ୍ପର୍କରେ ଚେତି ଉଠି ରାସ୍ତାରୁ ଅପସରିଗଲେ । ଅବୋଲକରା ମଧ୍ୟ ଚଟିଘରକୁ ବାହୁଡ଼ି ଆସିଲା । ତେବେ ଆସିବା ପୂର୍ବରୁ ସେ ସ୍ଥାନୀୟ ଲୋକଙ୍କଠୁଁ ଶୋଭାଯାତ୍ରାର ପଟ୍ଟଭୂମି ବିଷୟରେ ସଂକ୍ଷିପ୍ତ ଜ୍ଞାନ ଆହରଣ କଲା । ପର୍ବତଶ୍ରେଣୀ ଭିତରେ ଲୁଚି ରହିଥିଲା ଏକ ସୁନାର ଶିଖର । କିମ୍ୱଦନ୍ତୀ ଭାବରେ ତାହା ବହୁ କାଳରୁ ଜ୍ଞାତ ଥିଲା, କିନ୍ତୁ ତା’ର ସ୍ଥୂଳ ତଥ୍ୟତା ଉପରେ କେହି କେବେ ଚିନ୍ତା କରୁନଥିଲେ ।

ସମ୍ପ୍ରତି ଏକ ପଡେ଼ାଶୀ ରାଜ୍ୟର ଜଣେ ବୈଜ୍ଞାନିକ ଏପରି ଏକ ଯନ୍ତ୍ର ଆବିଷ୍କାର କରିଥାନ୍ତି, ଯାହା ଭୂଗର୍ଭରେ ଅଥବା ପର୍ବତଶ୍ରେଣୀରେ ଲୁକ୍କାୟିତ ସୁନାର ସନ୍ଧାନ ଦେଇପାରୁଥିଲା । ଉକ୍ତ ପଡେ଼ାଶୀ ରାଜା ଓ ତାଙ୍କ ରାଜ୍ୟର ବୈଜ୍ଞାନିକ ଆବିଷ୍କୃତ ସୁନାର ଏକ-ଦଶମାଂଶ ପାଇବେ, ଏହି ସର୍ତ୍ତରେ ସେ ବୈଜ୍ଞାନିକଙ୍କୁ କାମରେ ଲଗା ହୋଇଥିଲା । ଚଟି ଘରେ ସାଆନ୍ତେ ନଥିଲେ, ଦେଖିବାବେଳକୁ ପଛପଟ ନିର୍ଜନ ହତାରେ ଖଣ୍ଡିଏ ପଥର ଉପରେ ବସି ରହି ସେ ଦିଗନ୍ତକୁ ଅନାଇ ରହିଛନ୍ତି । ତାଙ୍କ ଆଖି ସଜଳ ।

ସାଧାରଣତଃ ସାଆନ୍ତଙ୍କ ଆଖିଯୋଡ଼ିକ ଗଭୀର ସମ୍ୱେଦନରେ ସ୍ନିଗ୍ଧ ଶୀତଳ ଦିଶୁଥାଏ । ମଣିଷର ନିର୍ବୋଧତା ବା ଅନ୍ୟାୟ ଅନାଚାରରେ କଦାଚିତ୍ ସେଥିରେ ରୁଦ୍ରଭାବର ପ୍ରକାଶ ଘଟିଥାଇପାରେ. . . କିନ୍ତୁ ଅଶ୍ରୁ । ନା, ଅବୋଲକରାର ଦୀର୍ଘସ୍ମୃତିରେ ସେ ଦୃଶ୍ୟର ଦଲିଲ ନାହିଁ ।

ଗୁରୁଦେବ !

ସାଆନ୍ତେ ଚେଲା ଆଡେ଼ ଦୃଷ୍ଟିପାତ ନ କରି କ’ଣ ବୋଲି ପଚାରିଲେ ?

“ଆପଣଙ୍କ ସାନ୍ଧ୍ୟ ଧ୍ୟାନ ନିମନ୍ତେ ଆସନ ଖଣ୍ଡିକ ଏଠାକୁ ଆଣିବି ?: – ଅବୋଲକରା ପ୍ରଶ୍ନ କଲା ।

ଏ ଶିଳାସନ ହିଁ ଯଥେଷ୍ଟ ।

ସାଆନ୍ତଙ୍କ କଣ୍ଠରେ ଏହି ନିର୍ଦ୍ଦିଷ୍ଟ ସ୍ୱର ଅନ୍ୟମାନଙ୍କୁ କଥା କହିବାରୁ ବିରତ କରିବାର ସଙ୍କେତ । ଅବୋଲକରା ଚୁପ୍ ରହିଗଲା ।

ସେଦିନ ରାତିରେ ସାଆନ୍ତେ ଆହାର କରିବାକୁ ରାଜି ହେଉନଥିଲେ । କିନ୍ତୁ ନ ହେଲେ ଅବୋଲକରା ବି ଅନାହାରରେ ରାତି ବିତାଇବ, ତେଣୁ ସେ ସାମାନ୍ୟ ଖାଇଲେ । ଅଗତ୍ୟା ଅବୋଲକରାକୁ ନିଜ ଖାଦ୍ୟ ସହ ଗୁରୁଙ୍କ ଆହାରର ଅବଶିଷ୍ଟ ବହୁଳାଂଶ ଭକ୍ଷଣ କରିବାକୁ ହେଲା ।

ପ୍ରଭାତରେ ସାଆନ୍ତେ କହିଲେ, “ଅଦୂରର ପର୍ବତଶ୍ରେଣୀ ଭିତରକୁ ଯିବାର ଆଉ ପ୍ରୟୋଜନ ନାହିଁ । ବର୍ତ୍ତମାନ ଆମର ପରବର୍ତ୍ତୀ ଗନ୍ତବ୍ୟ. . . ।”

ମୁଁ କୁଆଡେ଼ ଯାଉନାହିଁ । ଅବୋଲକରା ତା’ର ଚିରାଚରିତ ଜିଗରଦାର କଣ୍ଠରେ ଘୋଷଣାକଲା ।

ବୋଇଲେ । ତୋତେ ତ ଏମିତି କିଛି ଅଜବ ଚିଜ ବା ଦୃଶ୍ୟ ଦେଖିବାକୁ ପଡ଼ିନାହିଁ, ଯାହାର ବ୍ୟାଖ୍ୟା ତୁ ମୋଠୁ ଦାବି କରିବୁ । ସାଆନ୍ତେ ବିସ୍ମୟ ପ୍ରକାଶ କଲେ ।

ଅଜବଠୁଁ ବଳି ଅଜବ ମୁଁ ଦେଖିଲି ଗୁରୁଦେବ ।

ସୁନାବାହୀ ଶୋଭାଯାତ୍ରା ।

ନା, ନା, ଗୁରୁଦେବ । ପର୍ବତପ୍ରମାଣ ସୁନାଠୁ ସହସ୍ର ଗୁଣ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଯାହା ଦେଖିଲି, ତାହା ହେଲା ଆପଣଙ୍କ ଅଶ୍ର୍ର । ସେ ଅଶୁଭ ବ୍ୟାଖ୍ୟା ଦିଅନ୍ତୁ- ନ ହେଲେ ମୁଁ କମ୍ୱଳ ଗୋଟାଉ ନାହିଁ ।

ଅଶୁଭ ବ୍ୟାଖ୍ୟା । ସାଆନ୍ତେ ଟିକିଏ ନିରବ ରହି କହିଲେ, “ସମ୍ଭବ ନୁହେଁ । ତେବେ ଶେଷ ଅପରାହ୍ଣରେ ଆମେ ପର୍ବତଶ୍ରେଣୀ ଭିତରକୁ ଯିବା । ଯାହା ତୋତେ ଦେଖାଇବାକୁ ଚାହିଁଥିଲି ଓ ନିଜେ ପୁନର୍ବାର ଦେଖିବାକୁ ଚାହିଁଥିଲି, ଅଥଚ ଯାହା ଆଉ ଦେଖାଇ ପାରିବି ନାହିଁ କି ଦେଖିପାରିବି ନାହିଁ, ତାହାର ଶୂନ୍ୟସ୍ଥାନ ପ୍ରତି ତୋ ଦୃଷ୍ଟି ଆକର୍ଷଣ କରି କହିବି ତା’ କଥା ।”

ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବରୁ ସାଆନ୍ତେ ଏବଂ ଅବୋଲକରା ପର୍ବତଶ୍ରେଣୀ ଭିତରେ ପ୍ରବେଶ କଲେ ଓ ଗୋଟିଏ ଅନୁଚ୍ଚ ଶିଖର ଉପରେ ଆସନ ଗ୍ରହଣ କଲେ । ପଶ୍ଚିମଦିଗନ୍ତ ବ୍ୟାପୀ ମେଘମାଳା ଉପରେ ସୂର୍ଯ୍ୟାସ୍ତ ତା’ର ବହୁ ଇନ୍ଦ୍ରଜାଲର ମୃଦୁ ମୃଦୁ ଚିତ୍ରଣ କରୁଥାଏ । ସେହି ଦିଗକୁ ଦୃଷ୍ଟିପାତ କରି ସାଆନ୍ତେ ଦୀର୍ଘନିଶ୍ୱାସ ତ୍ୟାଗ କରି କହିଲେ, “ଏଠାକାର ଦିଗନ୍ତର ଏକ ବିଶେଷ ମହିମା ଥିଲା । ଏଠି ଫୁଟୁଥିଲା ଏକ ଅପରୂପ ଦିବ୍ୟ ଦୃଶ୍ୟ । ତାହା ଆଉ ପ୍ରତିଭାତ ହେବନାହିଁ ।” ଶୁଣ ସେ କଥା ।

ସାଆନ୍ତେ ସବିସ୍ତାରେ ଯାହା କହିଲେ, ତା’ର ସଂକ୍ଷିପ୍ତ ସାର-

କେଇ ଶହ ବର୍ଷତଳର କଥା । ମହେନ୍ଦ୍ର ନାମକ ଜଣେ ସମ୍ଭ୍ରାନ୍ତ ଯୁବକ ତାଙ୍କର ଦୁଇ ବନ୍ଧୁଙ୍କୁ ଧରି ବାହାରିଥାନ୍ତି କୌଣସି ଦ୍ୱୀପ ଅଭିମୁଖେ । ସେ ସୁଦୂର ଦ୍ୱୀପରେ ସୁନାର ପ୍ରାଚୁର୍ଯ୍ୟ । ସେଠାରୁ ସୁନା ସଂଗ୍ରହ କରି ଅନ୍ୟତ୍ର ବିକ୍ରୟ କରି ଲାଭବାନ୍ ହେବା ଥିଲା ସେମାନଙ୍କ ଉଦ୍ଦେଶ୍ୟ ।

ଦୈବକୁ ସମୁଦ୍ରରେ ହେଲା ଏକ ଦୁର୍ଘଟଣା । ତିନି ବନ୍ଧୁ ବର୍ତ୍ତିଗଲେ ଏବଂ ସଙ୍ଗେ ସଙ୍ଗେ ସେମାନଙ୍କ ସାହାଯ୍ୟ ଯୋଗୁଁ ରକ୍ଷା ପାଇଲେ ଜଣେ ବୃଦ୍ଧ ସାଧବ । ତାଙ୍କୁ ସ୍ୱଦେଶରେ ଛାଡ଼ି ତିନିବନ୍ଧୁ ବିଦାୟ ନେବା ବେଳକୁ ବୃଦ୍ଧ ମହେନ୍ଦ୍ରଙ୍କୁ କହିଲେ- ଏକଦା ମୋତେ ମିଳିଥିଲା ଗୋଟିଏ ସୁନାପାହାଡ଼ର ସନ୍ଧାନ । ସେ ଦୂର ଦୁର୍ଗମ ମୁଲକକୁ ଯିବା ଯିବା ବୋଲି ଯାଇପାରିନାହିଁ କି ଆଉ ଯିବାର ସ୍ୱପ୍ନ ବି ଦେଖୁ ନାହିଁ । ତେବେ ତୁମକୁ ତା’ର ଠିକଣା ଦେଇଦିଏଁ ।

ମହେନ୍ଦ୍ର ଓ ଦୁଇବନ୍ଧୁ ସେ ଠିକଣା ଅନୁସରଣ କରି ପହଞ୍ଚିଲେ ଏହି ପର୍ବତଶ୍ରେଣୀ ଭିତରେ । ଦୈବକୁ ସେମାନେ ଜଣେ ଅବଧୂତଙ୍କୁ ଭେଟିଲେ । ସୁନା ଶିଖର ଅବଲୋକନ କରିବ । – ଏହା କହି ଅବଧୂତ ସୂର୍ଯ୍ୟାସ୍ତର ଦିଗନ୍ତ ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କଲେ । ଚମକି ପଡ଼ିଲେ ତିନିବନ୍ଧୁ । ନିର୍ନିମେଷ ନୟନରେ ସେମାନେ ଦେଖିଲେ ଏକ ଅକଳ୍ପନୀୟ ଦୃଶ୍ୟ । ନମ୍ର ମେଘମାଳା ଉପରେ ଗୋଟିଏ ଅପୂର୍ବ, ଅନନ୍ୟ ସୁନାପାହାଡ଼ର ପ୍ରତିଫଳନ । ମୁହୂର୍ତ୍ତକ ଉତ୍ତାରୁ ତାହା ସ୍ତିମିତ ହୋଇ ଅଦୃଶ୍ୟ ହୋଇଗଲା ।

ଦିଗନ୍ତରେ ଏହା ପ୍ରତିଫଳିତ ହେବା ସତ୍ତ୍ୱେ ଏଠାକାର ସହସ୍ର ଶୃଙ୍ଗ ଭିତରୁ ତୁମେ ତାକୁ ଆବିଷ୍କାର କରିପାରିବ ନାହିଁ- ତାହା ହିଁ ତା’ର ବିଶେଷତ୍ୱ ! – ଅବଧୂତ କହିଲେ ।

“କିନ୍ତୁ ଆମକୁ ଆବିଷ୍କାର କରିବାକୁ ହିଁ ହେବ । ସାହାଯ୍ୟ କରନ୍ତୁ ।” – ମହେନ୍ଦ୍ର କାକୁତି କରି କହିଲେ ବାରମ୍ୱାର ।

ବେଶ୍. . . ଅବଧୂତ ସ୍ୱୀକୃତ ହେଲେ, କିନ୍ତୁ ତମ ସ୍ଥୂଳ ଅନୁସନ୍ଧିତ୍ସା ଦ୍ୱାରା ତମେ ସନ୍ଧାନ ପାଇବ ନାହିଁ । ସେ ପାଇଁ ସାଧନା କରିବାକୁ ହେବ ।

ସାଧନା କରିବାକୁ ମହେନ୍ଦ୍ର ସ୍ୱୀକୃତ ହେଲେ । ସେ ସେହିଠାରେ ଅବଧୂତଙ୍କ ସହ ଗୋଟିଏ ଗୁମ୍ଫାରେ ରହିଲେ । ଦୁଇବନ୍ଧୁ ରହିଲେ ନିକଟବର୍ତ୍ତୀ ଜନପଦରେ । ପ୍ରତ୍ୟହ ସୂର୍ଯ୍ୟାସ୍ତ ପୂର୍ବରୁ ଦୁଇବନ୍ଧୁ ଯାଇ ପର୍ବତଶ୍ରେଣୀ ଭିତରେ ବସନ୍ତି । ଦିଗ୍‌ବଳୟ ଭିତରକୁ ଅନାଇ ରହିବା ଭିତରେ ହଠାତ୍ ମୁହୂର୍ତ୍ତକ ସକାଶେ ସେମାନେ ଦେଖନ୍ତି ସୁନାପାହାଡ଼ର ପ୍ରତିଫଳନ । ସେ ମୁଗ୍ଧ ମାଦକତାର ପ୍ରଭାବ ସେମାନଙ୍କ ଚେତନାକୁ ଆଚ୍ଛନ୍ନ କରି ରଖେ ସାରା ରାତି, ସାରା ଦିନ । ସେମାନେ ଅଭିଭୂତ ହୋଇରହନ୍ତି । ଦିନ ବିତିଯାଏ ।

ପାଞ୍ଚବର୍ଷ ପରେ ମହେନ୍ଦ୍ର ଦିନେ ହସି ହସି ଆସି ସେମାନଙ୍କ ଆଗରେ ପହଞ୍ଚିଗଲେ ଓ କହିଲେ, “ମୋର ସିଦ୍ଧି ହେଲା । ସୁନାପାହାଡ଼ର ସନ୍ଧାନ ପାଇଛି । ବନ୍ଧୁଦ୍ୱୟ ! ତମେମାନେ ଏ ପାଞ୍ଚବର୍ଷ ଭିତରେ କ’ଣ କରିଛ ? କାରଣ ତମମାନଙ୍କ ଆଖିରେ ମୁଁ ଦେଖୁଛି ବିସ୍ମୟକର ପରିବର୍ତ୍ତନ ।”

ଦୁଇବନ୍ଧୁ ସଚେତନ ହେଲେ- ବାସ୍ତବିକ ଜୀବନର କେତେ ସୀମିତ, ସ୍ୱାର୍ଥପର ଆଗ୍ରହ ଓ ସଂଘର୍ଷର ଆବେଦନ ସେମାନଙ୍କ ପାଇଁ ଇତିମଧ୍ୟରେ ତୁଚ୍ଛ ହୋଇଯାଇଛି ।

ଜଣେ ବନ୍ଧୁ ଦିଗନ୍ତର ସେ ଅନିର୍ବଚନୀୟ ଦୃଶ୍ୟରେ ଅନୁପ୍ରାଣିତ ହୋଇ ଲେଖିଥିଲେ ଏକ କାବ୍ୟ । ଦ୍ୱିତୀୟ ବନ୍ଧୁ ଆଙ୍କିଥିଲେ ଅପୂର୍ବ କେତୋଟି ଚିତ୍ର ।

ତିନିବନ୍ଧୁ ଦୀର୍ଘସମୟ ନିରବରେ ବସି ରହିଲେ । ଅବଶେଷରେ ମହେନ୍ଦ୍ର ପ୍ରଶ୍ନ କଲେ, ଆମେ ତେବେ ଏଥର ସେ ସୁନାପାହାଡ଼ ଖୋଳିବା । କିନ୍ତୁ ତା’ ଦେହରେ ଥରେ ଧକ୍କା ଲାଗିଲେ ଦିଗନ୍ତରେ ଆଉ ତା’ର ପ୍ରତିଫଳନ ହେବନାହିଁ ।

ପୁଣି ନିରବତା ଭିତରେ କଟିଗଲା ଦୀର୍ଘ ସମୟ । ତା’ପରେ ହଠାତ୍ ତିନିହେଁ ପରସ୍ପରକୁ ଅନାଇ ହସିଉଠିଲେ । ଦିଗନ୍ତରେ ଫୁଟିଉଠିଥିଲା ସେ ଅବର୍ଣ୍ଣନୀୟ ପ୍ରତିଫଳନ । ତାକୁ ନମସ୍କାର କରି ତିନିବନ୍ଧୁ ସ୍ୱଦେଶକୁ ବାହୁଡ଼ିଗଲେ ।

ସାଆନ୍ତେ କାହାଣୀ ଶେଷ କରି କହିଲେ, “ସେହି ପ୍ରତିଫଳନ ଦେଖିବା ଆଶାରେ ତୋତେ ନେଇ ଏଠାକୁ ଆସିଥିଲି । ହାୟ !”

ଯେଉଁ ସୁନାପାହାଡ଼ର ସ୍ଥିତି ରାଜାଙ୍କୁ ତାଙ୍କ ବୈଜ୍ଞାନିକମାନେ ସାମାନ୍ୟ ଯନ୍ତ୍ର ସାହାଯ୍ୟରେ କହିଦେଲେ, ସେ ପାଇଁ ମହେନ୍ଦ୍ରଙ୍କୁ ପାଞ୍ଚବର୍ଷ କାଳ ସାଧନା କରିବାକୁ ପଡ଼ିଥିଲା- କେଡେ଼ ବିଡ଼ମ୍ୱନା ! ଅବୋଲକରା ମନ୍ତବ୍ୟ ଦେଲା ।

ମୂଢ଼ !

ଆଜ୍ଞା !

ତୁ ଦ୍ୱିବାର ମୂଢ଼ !

ଗୁରୁଦେବ ! କହୁଥିଲି କି ଦିନେ ଯାହା ସୂକ୍ଷ୍ମଜ୍ଞାନ ଦ୍ୱାରା ସାଧିତ ହେଉଥିଲା, ଆଜି ତାହା ସ୍ଥୂଳ ବିଜ୍ଞାନ. . . ।

ତୁ ତ୍ରିବାର ମୂଢ଼ !

ଅବୋଲକରା ଚୁପ୍ ହେଲା । କିଛି ସମୟ ପରେ ସେ ଧୀରଭାବରେ କହିଲା, “ଗୁରୁଦେବ, ମୋ ମୂଢ଼ତାରେ ସାମାନ୍ୟ ଲାଘବ ଘଟିଛି । ସୂକ୍ଷ୍ମ ଜ୍ଞାନ ଓ ସୁନାପାହାଡ଼ର ସୂକ୍ଷ୍ମ ପ୍ରଭାବ ଅନୁଭବ କରିବା ଅବସରରେ ସେମାନେ ନିଜ ନିଜ ଚେତନାକୁ ସେ ଉଦ୍ଭାସିତ ସୁବର୍ଣ୍ଣ ଭଳି ଦ୍ୟୁତିମାନ୍ କରିପାରିଥିଲେ । କିନ୍ତୁ ଆଜି. . . ସେ ସୁନାରେ ପ୍ରସ୍ତୁତ ହେବ ଦେହରକ୍ଷୀମାନଙ୍କର ଅସିର ଖୋଳ, ରାଜନର୍ତ୍ତକୀଙ୍କ ଜରିଦାର ପୋଷାକ ଓ ବ୍ୟଗ୍ର ବିମୂଢ଼ ପ୍ରଜାକୁଳଙ୍କ ପାଇଁ ଏକ ଏକ ମୁଦି. . . ।”

ସାଆନ୍ତେ ଅଳ୍ପ ହସି ଉଠିପଡ଼ିଲେ । ବିଷର୍ଣ୍ଣ ହସ !

ଲୋକପ୍ରିୟ ଲେଖା

To Top