ଗଳ୍ପ

ସୁପର୍ ଚାଇଲ୍ଡ଼

Prakash Behera's Odia Story SUPARA CHAILD

ତା’ର ଇଚ୍ଛା ହେଉଥିଲା ବହିଖାତା ସବୁକୁ ଛିନ୍‌ଛତ୍ର କରି ଫୋପାଡ଼ି ଦିଅନ୍ତା, ଟୁକୁଡ଼ା ଟୁକୁଡ଼ା କରି ଚିରି ପକାନ୍ତା ଓ କବାଟ ଖୋଲି ମଣ୍ଟୁ, ବେବିନାଙ୍କ ପାଖକୁ ପଳେଇ ଯାଆନ୍ତା

ସୁପର୍ ଚାଇଲ୍ଡ଼

ରବିବାର । ଡ୍ରଇଂ ରୁମ୍‌ରେ ଆଲ୍‌ଭା । ଖଟ ଉପରେ ବସି ସେ ପଢୁଛି । ତା’ ଚାରି ପଟେ ଖେଳେଇ ହୋଇ ପଡ଼ିଛି ଅନେକ ବହିପତ୍ର । କାନ୍ଥ ଘଣ୍ଟାରେ ସୂଚିତ ସମୟ ଦିନ ଏଗାର । ବହିପତ୍ର ମଧ୍ୟରେ ରବିବାସରୀୟ ଦୈନିକ ଖବର କାଗଜ ଶିଶୁ ସାହିତ୍ୟ ପୃଷ୍ଠାର କ୍ରୋଡ଼ପତ୍ର । ତା’ ସହିତ ମୀନାବଜାର, ଚନ୍ଦାମାମା ଓ ଓ୍ୱିଜ୍‌ଡମ୍‌ ଭଳି ଅନେକ କିଛି ମମଂଥ୍‌ଲି ମାଗାଜିନ୍ । ପାଖରେ ଥୁଆ ହୋଇଛି ଗୋଟେ ମିନି ଇଂଲିଶ୍ ଡିକ୍ସିନାରୀ ଓ ଗୋଟେ ଆସାଇନ୍‌ମେଣ୍ଟ୍ ନୋଟ୍ ।

ଆସାଇନ୍‌ମେଣ୍ଟ୍ ନୋଟ୍ ବନେଇଛନ୍ତି ଆଲ୍‌ଭାର ମମି । ନୋଟ୍ ଅନୁଯାୟୀ ଯୋଉ କାମ ଦିଆଯାଇଛି ତାହା ହେଲା- ସବୁଯାକ ଶିଶୁ ସାହିତ୍ୟ ପୃଷ୍ଠା କଭର୍ କରିବା, ଓ୍ୱିଜ୍‌ଡମ୍‌ରୁ ଚାଳିଶିରୁ ପଇଁଚାଳିଶି ପୃଷ୍ଠା, ଚନ୍ଦାମାମା(ଇଂରାଜୀ ସଂଖ୍ୟା)ରୁ ବତିଶିରୁ ଛତିଶି ପୃଷ୍ଠା ଓ ମିନି ଡିକ୍ସିନାରୀ ଗୋଟେ ପୃଷ୍ଠାରୁ ଦଶଟି ଶବ୍ଦର ବନାନ, ଅର୍ଥ ଓ ଉଚ୍ଚାରଣ । ଏହି ଶବ୍ଦମାନଙ୍କର ବାକ୍ୟରେ ଉପଯୁକ୍ତ ବ୍ୟବହାର ପାଇଁ ନିର୍ଦ୍ଦେଶ ଅଛି ବି ମମିଙ୍କ ଠାରୁ ।

ଦିନ କ୍ରମଶଃ ବଢୁଥାଏ ଡ୍ରଇଂରୁମ୍ର ବନ୍ଦ କୋଠରୀ ଭିତରେ ସି.ଏଫ୍.ଏଲ୍ ଆଲୁଅ ତଳେ । ଅବଶ୍ୟ ଝରକାଟି ଖୋଲାଥାଏ ।

ସେଦିନର କାମ ଅନୁସାରେ ଆଲ୍‌ଭା କିଛି ସାରିଥାଏ ଓ ଆହୁରି ଅଧିକ କିଛି ବାକି ଥାଏ । ଏହି ସମୟରେ ଝରକା ପାଖରେ ଆସି ଟୁଙ୍ଗୁଟୁଙ୍ଗୁ ହେଲେ ମଣ୍ଟୁ ଓ ବେବିନା ।

ମଣ୍ଟୁ ଆଉ ବେବିନା ଯାଆଁଳା ଭାଇ ଭଉଣୀ । ତାଙ୍କ ପାଖ ଘରେ ଭଡ଼ାରେ ରହନ୍ତି । ତୁଷାର ଅଙ୍କଲ୍‌ଙ୍କର ପୁଅ ଝିଅ । ସେ ତିନି ହେଁ ଏକା ଷ୍ଟାଣ୍ଡାର୍ଡରେ ପଢ଼ନ୍ତି ଘର ପାଖ ସେଣ୍ଟ୍ ଜାଭିୟର୍ସରେ, ଷ୍ଟାଣ୍ଡାର୍ଡ ଫାଇଭ୍‌ରେ ।

ଆଲ୍‌ଭା ତାଙ୍କୁ ଦେଖି ସାରିଥାଏ । ହେଲେ କିଛି କହୁନଥାଏ । ମୀନାବଜାରଟା ମୁହଁ ଉପରକୁ ଉଠେଇ ନେଇ କ’ଣ କିଛି ବଡ଼ ପାଟିରେ ପଢ଼ିଯାଉଥାଏ । କେତେ ସମୟ ସେ ଭାଇ, ଭଉଣୀ ଏପଟ ସେପଟ ହେବା ପରେ ବେବିନା କହିଲା, “ଆଲ୍‌ଭା, ଆଲ୍‌ଭା । ଆ’ ବାହାରକୁ ଆ”ଥ’, ଖେଳିବା । ସବୁବେଳେ କ’ଣ ଗୋଟେ ପଢୁଛୁ ?”

ଆଲ୍‌ଭା ବେବିନା କଥା ଶୁଣି ମୁହଁ ଉପରୁ ବହିଟା କାଢ଼ିନେଲା । କିଛି କହିଲା ନାହିଁ । ବହିଟା ପୁଣି ମୁହଁ ଆଗରେ ରଖି ଆହୁରି ବଡ଼ ପାଟିରେ ପଢ଼ିବାକୁ ଲାଗିଲା ।

“ଆଲ୍‌ଭା, ଲୋ’ ଥୋମାସ୍ ଆଲ୍‌ଭା (ତାକୁ ସେ ଥଟ୍ଟାରେ ସେମିତି ଡାକେ) । ଆ’ ଖେଳିବା ସାଙ୍ଗ ହେଇ । ହେଇ ଦେଖ୍, ଆମେ ତୋ ପାଇଁ ଲୁଡୁ ଆଣିଛୁ ।” ଆଲ୍‌ଭାକୁ ଆଉ ଟିକେ ବଡ଼ ପାଟିରେ ମଣ୍ଟୁ ଡାକିଲା ଓ ତାକୁ ଲୁଡ଼ୋ ବୋର୍ଡ ଦେଖାଇଲା ।

ଆଲ୍‌ଭା ମଣ୍ଟୁ ଓ ବେବିନାଙ୍କୁ ଅନେଇଲା । ଝରକା ପାଖକୁ ଗଲା ନାହିଁ । ସେଇଠୁ ବସି ପାଟି ଉପରେ ଆଙ୍ଗୁଠି ରଖି ଚୁପ୍ ରହିବାକୁ ଓ ପଳେଇ ଯିବାକୁ ଇସାରା ଦେଲା ।

ଏତିକି ବେଳକୁ ଆଲ୍‌ଭାର ମମି କବାଟ ଖୋଲିଲେ ନା କ’ଣ, ଶବ୍ଦ ଶୁଣି ସେ ଦିହେଁ ତାଙ୍କ ଘରକୁ ପଳେଇଲେ । ମମି ଆସି ସେ ପଢୁଛି କି ନାହିଁ ଚେକ୍ କଲେ । ଗୋଟେ ଦି’ଟା ଜି.କେ. ଓ ଡିକ୍ସିନାରୀରୁ ଚାରି ପାଞ୍ଚଟା ଶବ୍ଦ ପଚାରିଲେ । ଆହୁରି କ’ଣ ପଚାରିବାକୁ ଯାଉଥିଲେ, କିନ୍ତୁ ଗ୍ୟାସ୍ ଚୁଲାରେ ଡାଲି ଉତୁରି ଯିବାର ବାସ୍ନା ପାଇ ସେ ସାଙ୍ଗେ ସାଙ୍ଗେ ରୋଷେଇ ଘରକୁ ଚାଲିଗଲେ ।

ମମି ରୋଷେଇ ଘରକୁ ଚାଲିଯିବା ପରେ ଆଲ୍‌ଭା ଝରକା ପାଖକୁ ଗଲା । ଭିତର ପଟୁ ଥାଇ ଝରକାରୁ ବାହାରକୁ ଉଣ୍ଡି ଅନେଇଲା । ମଣ୍ଟୁ, ବେବିନାଙ୍କୁ ଅପେକ୍ଷା କରି କେତେ ସମୟ ଠିଆ ହେଲା । ହେଲେ ସେମାନେ ଆଉ ଆସିଲେ ନାହିଁ ।

ସେ ଖଟ ଉପରକୁ ଉଠି ଆସିଲା । ଚାରିଆଡେ଼ ଖେଳେଇ ମେଳେଇ ହୋଇ ପଡ଼ିଥିବା ବହିପତ୍ର ଉପରକୁ ଆଖି ପକେଇଲା । ବହି ଗୁଡ଼ାକୁ ଦି’ଚାରି ଥର ଢିମା ଆଖିରେ ଅନେଇ ଜିଭ ବାହାର କରି ଖତେଇ ହେଲା । ଭାରି ରାଗ ଲାଗିଲା ଏଇ ବହି ଗୁଡ଼ାକ ଉପରେ । ପୁଣି ବି ଜୋର୍ ରାଗିଲା ମମିଙ୍କ ଉପରେ । ତା’ର ଇଚ୍ଛା ହେଉଥିଲା ବହିଖାତା ସବୁକୁ ଛିନ୍‌ଛତ୍ର କରି ଫୋପାଡ଼ି ଦିଅନ୍ତା, ଟୁକୁଡ଼ା ଟୁକୁଡ଼ା କରି ଚିରି ପକାନ୍ତା ଓ କବାଟ ଖୋଲି ମଣ୍ଟୁ, ବେବିନାଙ୍କ ପାଖକୁ ପଳେଇ ଯାଆନ୍ତା । ତାଙ୍କ ସହ ଲୁଡୁ କି ଚେସ୍ ଖେଳନ୍ତା । ଲୁଚକାଳି ଖେଳନ୍ତା ଓ ବହୁତ ମଜା କରନ୍ତା । ହେଲେ ସେ କେମିତି ବାହାରକୁ ଆସିବ ଯେ । ମମି ତ ବାହାରପଟୁ କବାଟଟା ବନ୍ଦ କରିଛନ୍ତି ।

ସ୍କୁଲ୍‌ରେ ଥରେ ବେବିନା ପଚାରିଲା, “ଆଲ୍‌ଭା, ତୋର ବେଶି ଲାଇକିଙ୍ଗ୍ କିଏ- ଡାଡ଼ି ନା ମମି?”

– “ମୋର ଡାଡ଼ି କି ମମି ଭିତରୁ କେହି ବି ଲାଇକିଙ୍ଗ୍ ନୁହଁନ୍ତି ।”

– “କାହିଁକି ?” – ପଚାରିଲା ବେବିନା ।

– କହନା ତାଙ୍କ କଥା । “ମମିର ଖାଲି ମୋ ଉପରେ ସବୁବେଳେ ନଜର । ମୋର ପାଠ ଭଲ ତ ସିଏ ଭଲ । ଭଲ ପାଠ ପଢୁଛି ତ ମୁଁ ଗୁଡ୍ ଗାର୍ଲ । ପ୍ରୋଗ୍ରେସ୍ ରିପୋର୍ଟ ଟିକେ ଏପଟ ସେପଟ ହେଇଗଲେ ନା ମମି ଭାରି ଆଙ୍ଗ୍ରି ହେଇଯାନ୍ତି । ସାଙ୍ଗ ବୁଲା ନାହିଁ, ଖେଳ ନାହିଁ, ସବୁବେଳେ ଖାଲି ପାଠ ଆଉ ପାଠ ।” କହିଲୁ “ବେବିନା, ପାଠ ନ ପଢ଼ି କ’ଣ କେହି ଗୁଡ୍ ଗାର୍ଲ ହେଇ ପାରିବନି ?”

ବେବିନା କ’ଣ ତାକୁ ରିପ୍ଲାଇ ଦବାକୁ ଯାଉଥିଲା, କିନ୍ତୁ ରିସେସ୍ ଓଭର୍ ହେଇଯିବାରୁ ସେମାନେ ନିଜ ନିଜ ସେକ୍ସନ୍‌କୁ ଚାଲିଗଲେ ।

ଆଲ୍‌ଭା ସିନା କ୍ଲାସ୍କୁ ଆସିଗଲା, ହେଲେ ମିସ୍‌ଙ୍କ ପାଠରେ ତା’ ମନ ଲାଗିଲା ନାହିଁ । ତା’ର ମନେ ପଡ଼ିଲା ବେବିନାର ବାପା, ବୋଉଙ୍କ କଥା । ସତରେ ତୁଷାର ଅଙ୍କଲ୍ ଆଉ ସୀମା ଆଣ୍ଟି ବହୁତ ଭଲ । ଅଙ୍କଲ୍ ସବୁବେଳେ ମଣ୍ଟୁ ଓ ବେବିନାଙ୍କୁ ବାହାରକୁ ବୁଲେଇ ନିଅନ୍ତି । ସର୍କସ୍ କି ମୀନା ମେଳା କୋଉଠି ପଡ଼ିଥିଲେ, ସେଠିକି ନେଇ ଯାଆନ୍ତି । ଖେଳିବା ପାଇଁ ବି ବାହାରକୁ ଛାଡ଼ନ୍ତି ।

ଆଣ୍ଟି ବି ଠିକ୍ ଅଙ୍କଲ୍‌ଙ୍କ ଭଳି । ସକାଳ, ସନ୍ଧ୍ୟା ଛଡ଼ା ଆଉ କେତେ ବେଳେ ବି ପଢ଼ିବାକୁ କହନ୍ତିନି । ଫେର୍ ଆଣ୍ଟି ବହୁତ ମଜା ମଜା ଗପ କହନ୍ତି । ଗୀତ ବୋଲି ବେବିନା ଓ ମଣ୍ଟୁକୁ ଶୁଣାନ୍ତି । ବଗିଚାରେ ନେଇ ବୁଲାନ୍ତି । ଭଲ ଭଲ ରାନ୍ଧି ଖାଇବାକୁ ଦିଅନ୍ତି । ସେଦିନ ବେବିନା ଆଉ ମଣ୍ଟୁଙ୍କ ବାର୍ଥଡେ’ରେ ସେ ଯୋଉ କେକ୍ ନିଜେ ବନେଇ ଥିଲେ ନା, କି ବଢ଼ିଆ ! ଏ ପର୍ଯ୍ୟନ୍ତ ସେ ସୁଆଦ ତା’ ମନରୁ ଯାଇ ନାହିଁ ।

ହେଲେ ତା’ ଡାଡି, ମମି ? ଭାରି ବୋରିଂ, ଭାରି ଅନ୍‌ପ୍ଲିଜାଣ୍ଟ୍‌ । ମମି ତ କହେ- “କୁଆଡେ଼ ଯିବୁନି, କାହା ସାଙ୍ଗରେ ମିଶିବୁନି । ବାହାରେ ମିଶିଲେ ଖରାପ ହେଇଯିବୁ । ଖେଳିବୁ ତ ଘର ଭିତରେ ଖେଳ ।” ଆଚ୍ଛା, ବାହାରେ ମିଶିଲେ କ’ଣ ସମସ୍ତେ ଖରାପ ହେଇଯାନ୍ତି ? . . . ବହୁତ ଭାବିଲା ଆଲ୍‌ଭା, ହେଲେ କିଛି ଉତ୍ତର ପାଇଲାନି ।

ବାକି ରହିଲା ଖେଳ କଥା । କ’ଣ ନା ଘର ଭିତରେ ଖେଳ, ଘର ଭିତରେ ଖେଳିବାକୁ ସାଙ୍ଗ କାହାନ୍ତି ଯେ ? ସେ କ’ଣ ଟିଭି, ୱାସିଂ ମେସିନ, ଗ୍ରାଇଣ୍ଡର୍ ସାଙ୍ଗରେ ଖେଳିବ ??

ଆଉ ତା’ ଡାଡ଼ି । ଛାଡ଼ ତାଙ୍କ କଥା । ସେ କୋଉ ବିଜିନେସ୍‌ରେ ମୁଣ୍ଡ ପୁରେଇ ଥାନ୍ତି ଯେ ତାକୁ ଜମା ସମୟ ଦେଇପାରନ୍ତିନି ।

ତା’ ସାଙ୍ଗମାନେ କି ମିସ୍ ଲକ୍ଷ୍ୟ କରିଛନ୍ତି ଆଲ୍‌ଭା ପ୍ରାୟ ଡିପ୍ରେସ୍ଡ୍ ଥାଏ କିଛି ନା କିଛି କାରଣରୁ । ହେଲେ କେହି ପଚାରିଲେ ସେ କିଛି କହେନି ।

ଆଉ ଗୋଟେ ସନ୍‌ଡେ କଥା । ଆଲ୍‌ଭା ସକାଳୁ ସକାଳୁ ପଢ଼ାପଢ଼ି କିଛି ସାରି ଦେଇ ଗାଧେଇ ଆସି ମମିଙ୍କୁ କହିଲା, “ଆଜି ପୂଜାର ବାର୍ଥଡେ’ । ସେ ଆମ ସମସ୍ତଙ୍କୁ ତା’ ଘରକୁ ଇନ୍ଭାଇଟ୍ କରିଛି । ତାଙ୍କ ଘରେ ସମସ୍ତେ ଲଞ୍ଚ୍ କରି ସନ୍ଧ୍ୟାରେ ବାର୍ଥଡେ’ ଫଙ୍କ୍‌ସନ୍ ପରେ ଘରକୁ ଫେରିବେ ।”

ବାସ୍, ଏତିକି କଥାରେ ମମି ରାଗିକି ପୁରା ଫାୟାର୍ ହେଇଗଲେ । ଟିକେ ଢିମା ଆଖିରେ ଅନେଇ କହିଲେ, “ତୁ କ’ଣ ଭୁଲି ଯାଇଛୁ ଯେ ଆଜି ମାଥ୍ ଅଲିମ୍ପିଆଡ୍ ଟେଷ୍ଟ୍ ଅଛି ବୋଲି ? ଆମର କାହା ଘରକୁ ଯିବା ଦରକାର ନାହିଁ । ଦଶଟା ବେଳେ ଏକ୍ଜାମ୍ ଅଛି । ଯା’, ଆଉ ଟିକେ ମାଥ୍ ପ୍ରାକ୍ଟିସ୍ କରିଦେବୁ ।”

ସୁନା ଝିଅର ସରଳ ମନରେ ସାପର ଚୋଟ ବସିଗଲା । ସକାଳର ସଜ ଫୁଲଟା ଚୂନା ଚୂନା ହେଇ ସେଇଠି ଝରିଗଲା । ହାତରେ ମାଥ୍ ବହି ଆଉ ଆଖିରେ ଲୁହ ନେଇ ଆଲ୍‌ଭା ଥମ୍ କରି ଖଟ ଉପରେ ବସି ପଡ଼ିଲା । ସପନର ଖୁସିଟା ଛାଏଁ ଛାଏଁ ମଉଳି ଗଲା ।

ଦିନେ ଟାଉନ୍‌ସିପ୍‌ରେ ପଡ଼ିଥିବା ଗୋଟେ ଫ୍ଲାୱାର୍ ଏକ୍ଜିବିସନ୍‌କୁ ମମିଙ୍କ ସାଙ୍ଗରେ ବୁଲି ଯାଇଥିଲା ଆଲ୍‌ଭା । କାକ୍ଟସ୍, ଜିନିଆ, ଡାଲିଆ, ସେବତୀ, ଅପରାଜିତା ଭଳି କେତେ ରକମର ଫୁଲ ଦେଖି ଆଲ୍‌ଭା ଖୁସି ହେଉଥାଏ । ମମି ତା’ ପାଖେ ପାଖେ ଥାନ୍ତି । ଜିନିଆ ଫୁଲ୍କୁ ଦେଖାଇ କହିଲେ, “ୟା’ର ବଟାନିକାଲ୍ ନାଁ ହେଉଛି ଜିନିଆ ଇଲିଗାନ୍ସ । ଏହା ଜର୍ମାନୀରୁ ଆମ ଦେଶକୁ ଆସିଥିଲା ।” ଏଇ ତଥ୍ୟ ସହ ଜିନିଆ ସମ୍ପର୍କରେ ଆହୁରି କେତେ କ’ଣ । ଆଲ୍‌ଭା ବୁଝିଲା ଓ ମମିଙ୍କୁ “ଥ୍ୟାଙ୍କ୍ସ୍” କହିଲା ।

ପୁଣି ପର ଷ୍ଟଲ୍ ପାଖକୁ ଗଲାବେଳକୁ ସେଇ କଥା । ମମି ପୁଣି କହି ଚାଲିଲେ, “ଇଏ ହଉଛି ଯୂଇ । ୟା’ର ବଟାନିକାଲ୍ ନାଁ ହେଉଛି ଜସ୍ମିନମ୍ ହୁମିଲେ । ଇଏ ଫ୍ରେଞ୍ଚ୍ ଅରିଜିନ୍ ।” ଆଲ୍‌ଭା ଟିକେ ଝଟ୍କା ପାଇଲା । ମମିଙ୍କୁ ବାଧା ଦେଇ କହିଲା, “ରୁହ ମମି, କାହିଁକି ଏତେ ବୁଝଉଛ, ମୁଁ ପରା ଏ ଫୁଲଟାକୁ ଦେଖୁଛି ।”

ତୁ ଦେଖୁନୁ, “ମୁଁ କ’ଣ ତତେ ଅଟକଉଛି”, ଏତିକି କହି ସେ ଆଲ୍‌ଭା ଠାରୁ ଖଣ୍ଡେ ଦୂରକୁ ଚାଲିଗଲେ ।

ମମିଙ୍କ ଠାରୁ ଅଲଗା ହେଇଯିବାରୁ ତାକୁ ଭଲ ଲାଗିଲା । ଅବଶିଷ୍ଟ ଷ୍ଟଲ୍ ଖୁବ୍ ମନ ଭରି ଦେଖିଲା । ଫୁଲମାନଙ୍କର ସୁନ୍ଦରପଣ ଆଉ ମହକରେ ବିଭୋର ହେଲା ଆଲ୍‌ଭା । ଇଚ୍ଛା ହେଉଥିଲା ସବୁଯାକ ଫୁଲ ଗଛ ଘରକୁ ନେଇ ଆସନ୍ତା । କୁଣ୍ଡରେ ବସେଇ ଛାତ ଉପରେ ସଜେଇ ରଖନ୍ତା ଆଉ ଫୁଲ ସବୁ ପାଖୁଡ଼ା ମେଲି ଫୁଟିବା ବେଳକୁ ଜଣ ଜଣ କରି ତାଙ୍କର ସାଙ୍ଗ ହୁଅନ୍ତା, ତାଙ୍କୁ ଛୁଆଁନ୍ତା ଆଉ ଚୁମି ଯାଆନ୍ତା । ଜମା ପଢ଼ନ୍ତା ନାହିଁ, ଖାଲି ଫୁଲଙ୍କ ସାଙ୍ଗରେ ଖେଳନ୍ତା ।

ସେ ଇଚ୍ଛା କଲା ଫୁଲ ଗଛ କିଣିବା କଥା ମମିଙ୍କୁ କହିବ । ମମିଙ୍କ ଆଡେ଼ ଥରେ ଦି’ଥର ଅନେଇଲା ସେଥିପାଇ, କିନ୍ତୁ ମମିଙ୍କ କଡ଼ାପଣ କଥା ଭାବି ଚୁପ୍ ରହିଲା ଯେମିତି କେଳା ପଦ ମାନି ସାପଟି ଚୁପ୍ ଚାପ୍ ପେଡ଼ି ଭିତରକୁ ଚାଲିଯାଏ ।

ଆଉ ଦିନେ ଆଲ୍‌ଭାର ସ୍କୁଲ୍ ଛୁଟି ଥିଲା । ଉପରଓଳି ଶୋଇକି ଉଠି ଛାତ ଉପରକୁ ଗଲା । ପାଗ ଟିକେ କାଉଁଳିଆ ଥାଏ । ସେଇଠି ସେ ଦେଖୁଥିଲା ସହରର ଦୃଶ୍ୟ ପୁଣି ଖୋଲା ଆକାଶ । ମନେ ମନେ ରାତିର ଚିତ୍ର ଆଙ୍କି ଭାବିଲା ବିନା ତାରାରେ ଆକାଶ କ’ଣ ସୁନ୍ଦର ଦେଖାଯାଆନ୍ତା ?

ଜମା ନୁହେଁ, ନଟ୍ ଆଟ୍ ଅଲ୍- ମନକୁ ମନ ପୁଣି ଉତ୍ତର ରଖିଲା ।

ଏତିକି ବେଳେ ମମି ତାକୁ ଖୋଜି ଖୋଜି ଆସି ସେଠି ପହଞ୍ଚିଲେ ଓ ତା’ହାତରେ ଧରେଇ ଦେଲେ ସାଇନ୍ସ ଉଇଜାର୍ଡ । ବିରକ୍ତ ହେଇ କହିଲେ, “ମୁଁ ତତେ ତଳେ ଖୋଜୁଛି, ତୁ ଏଠି ଆସି ବୁଲୁଛୁ । କାଲି ମାମୁଁ ଏ ବହିଟା ପଠେଇଛନ୍ତି । ମୁଁ ଯୋଉ ଚାପ୍ଟର୍ ସିଲେକ୍ଟ କରି ଠିକ୍ ମାରିଛି, ଟିକେ ଆଖି ପକେଇ ଦେ’ । ରାତିକି ପଚାରିବି ।”

ମମି ଏତକ କହି ତଳକୁ ଚାଲିଯିବା ପରେ ଆଲ୍‌ଭା ଭାରି ରିଆକ୍ଟିଭ୍ ହେଇ ପଡ଼ିଲା । ଖୁସିର ଜୁଆରରେ ସାଙ୍ଗେ ସାଙ୍ଗେ ଭଟ୍ଟା ପଡ଼ିଗଲା । ସେ ଆକାଶ ଆଡେ଼ ଚାହିଁଲା, କିନ୍ତୁ ଖୁସି ହେଇପାରିଲାନି । ସହରର ସାନବଡ଼ କୋଠା, ଯା’ ଆସ କରୁଥିବା ପେଁ ପାଁ ଗାଡ଼ି ମଟର ଆଡ଼େ ଚାହିଁଲା । ତଥାପି ଖୁସି ହେଲାନି । ଛାତ ଉପରୁ ତଳକୁ ଫୁଲ ବଗିଚା ଆଡେ଼ ଅନେଇଲା । ତାକୁ ଲାଗିଲା ସବୁ ଯାକ ଗଛର ଫୁଲ ଅକାଳରେ ମରିଯାଇଛନ୍ତି ଯେମିତି ଏଇ ସାଙ୍ଗେ ସାଙ୍ଗେ ମମି ତା’ ମନଟାକୁ ମାରି ଦେଇ ଚାଲିଗଲେ ।

ଉଇଜାର୍ଡ ମାଗାଜିନ୍‌କୁ ଛାତ ଉପରେ ଜୋର୍ କରି କଚାଡ଼ି ଦେଲା । ରାଗିକି ଗୋଟେ କୋଣ ମୁଣ୍ଡରେ ଥିବା ଚେୟାର୍ ଉପରେ ଆଖି ବୁଜି ବସିଗଲା । ମନେ ପଡ଼ିଲା ଋପମ୍ଭିକା କଥା, ସେଇ ଯୋଉ ଡେଙ୍ଗୀ ପତଳି ଝିଅ ସେକ୍ଟର୍ ଛଅରୁ ଆସେ । ସେ ତ ତା’ ସହ କମ୍ପିଟ୍ କରି ଟପ୍ ଥ୍ରୀରେ ରହେ । କିନ୍ତୁ ସେ କହେ ତା’ ମମି ଡାଡ଼ି ତାକୁ ପଢ଼ାପଢ଼ି ନେଇ କିଛି କହନ୍ତିନି । ସନ୍‌ଡେ’ରେ ଆଠଟା ନ ବାଜିଲେ ସେ ବେଡ୍ ଛାଡେ଼ନି । ସେ ନିଜେ ତା’ ରୁଟିନ୍ କରେ ଓ ନିଜ ଅନୁଯାୟୀ ପଢ଼ାପଢ଼ି କରେ । ହେଲେ ଆଶ୍ଚର୍ଯ୍ୟ ହୁଏ, ତା’ ମମି କାହିଁକି ତା’ ପଛରେ ଜୋକଟା ଭଳିଆ ଲାଗିଥାଏ ।

ମନେ ମନେ ଆହୁରି ରାଗିଲା, ମୁହଁ ଫଣଫଣ କଲା ଓ ମମିଙ୍କୁ ଗାଳି କଲା- ଗନ୍ଦା. . . ନଟି. .. ଡିସ୍‌ଗସ୍‌ଟିଙ୍ଗ. . . ।

xxxxxxxxxxxxxxxxxxxxxxxxxxxxxxxxxxx

ମାସ କେଇଟାରେ ଆଲ୍‌ଭାର କପ୍‌ବୋର୍ଡ଼ ଭର୍ତ୍ତି ହେଇଗଲାଣି ବିଭିନ୍ନ ପ୍ରକାର କପ୍, ମେଡ଼ାଲ୍, ସିଲ୍ଡ଼ ଆଉ ସାଟର୍ଟିଫିକେଟ୍‌ରେ । ଗୀତ, ନାଚ, କୁଇଜ୍, ଡିବେଟ୍ . . . କୋଉଥିରେ ବି ଊଣା ନାହିଁ । ମମିଙ୍କ ଇଚ୍ଛା ସବୁକୁ ପୂରଣ କରିବାକୁ ଯାଇ ସବୁଥିରେ ସେ ଫାଷ୍ଟ୍ ହୋଇଛି । କିଛି କିଛି ଖବର କାଗଜରେ ତା’ ନାଁ ଆଉ ଫଟୋ ବାହାରିଲାଣି । ପାଖଆଖ କିଛି ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇସାରିଲାଣି । ଗଲା ବର୍ଷ ସେ ସ୍କୁଲରେ ବେଷ୍ଟ୍ ଷ୍ଟୁଡ଼େଣ୍ଟ୍ ଅଫ୍ ଦ ଇଅର୍ ହୋଇଥିଲା । ଏଥର ବି ତାଙ୍କୁ ବେଷ୍ଟ୍ ଷ୍ଟୁଡ଼େଣ୍ଟ୍ କରିବା ନିଶାରେ ତା’ର ମମି ଓ ଡାଡ଼ି । ମମିଙ୍କ ଏକାନ୍ତ ଇଚ୍ଛା- ଯେମିତି ହେଲେ ତାକୁ ସୁପର୍‌ଚାଇଲ୍ଡ଼ କରିବାକୁ ହେବ ।

ବାସ୍, ସେଇ ନିଶାରେ ଆଲ୍‌ଭା ଧାଉଁଛି ଯେ ଧାଉଁଛି । ସ୍କୁଲ୍, ଟ୍ୟୁସନ୍, ଇଣ୍ଟରସ୍କୁଲ୍ ଏକ୍ଜାମ୍, ଡ୍ୟାନ୍ସ କ୍ଲାସ୍. . . ଆହୁରି କେତେ କ’ଣ ! ଧାଇଁ ଧାଇଁ ତା’ର କୁନି ପାଦ ଯୋଡ଼ାକ ଥକି ପଡୁଛି । ତଥାପି ତା’ର ଦୌଡ଼ିବା ବନ୍ଦ୍ ହେଉନାହିଁ ।

ତା’ର ଇଚ୍ଛା ହେଉଛି ସେ ଟ୍ରାକ୍‌ରୁ ଓହରି ଆସନ୍ତା, ଫୁଲଙ୍କ ମେଳରେ ବସନ୍ତା, ତାଙ୍କ ରଙ୍ଗ ସବୁ ମନରେ ଆଙ୍କନ୍ତା, ପ୍ରଜାପତି ଧରନ୍ତା, ମଣ୍ଟୁ ବେବିନାଙ୍କ ସାଙ୍ଗରେ ଲୁଡୁ ଖେଳନ୍ତା, ସେମାନେ ସାପ ପାଟିରେ ପଡ଼ି ତଳକୁ ଖସିଯାନ୍ତେ ଆଉ ସେ ସିଡ଼ି ଦେଇ ଉପରକୁ ଉଠିଯାନ୍ତା । ହେଲେ ସେ ଦୌଡ଼ରୁ କେମିତି ଓହରିବ ଯେ ? ମମିଙ୍କ ହୁଇସିଲ୍ ତ ଅହରହ ବାଜୁଛି ।

ସତରେ ଏ ଦୌଡ଼ ଭାରି ଅଦ୍ଭୁତ । ଭାରି ଅଣନିଶ୍ୱାସୀ । ପିଲାଙ୍କୁ ଗୋଟେ ଗୋଟେ ରେସିଂ କାର୍ କରି ଆମେ ଛିଡ଼ା ହେଇଛୁ ଗୋଲ୍ ଏଣ୍ଡ୍‌ରେ । ମଝିରେ ମଝିରେ ଆମେ ହୁଇସିଲ୍ ଶବ୍ଦରେ ତ’ ବେଗ ଆହୁରି ବଢ଼ି ଯାଉଛି । ସେ ଥକି ପଡୁଛି । ଅବଶ ହେଇ ଯାଉଛି । ପ୍ରତିଯୋଗିତାରୁ ଓହରିଯିବା ପାଇଁ କହୁଛି, ହେଲେ ଆମର କଡ଼ ନାଲି ଆଖି ତାକୁ ଟ୍ରାକ୍‌ରେ ରହିବାକୁ ବାଧ୍ୟ କରୁଛି । କାରଣ ତା’ ଭଳି ଆହୁରି କେତେ ପିଲା ଟ୍ରାକ୍‌ରେ ଅଛନ୍ତି ଯେ । ସେ ଝୁଣ୍ଟି ପଡୁ ବା ଚାଲୁ, ପାରୁ ବା ନପାରୁ, ଯେମିତି ହେଲେ ତାକୁ ଜିତିବାକୁ ହେବ । ଯେହେତୁ ଜିତିବାଟା ଆମର ଲକ୍ଷ୍ୟ । ଏମିତି ବାପା ମାଆଙ୍କର ହାନିଲାଭର ଜଟିଳ ଗଣିତ ଭିତରେ ପେଷି ହେଇ ଯାଉଥାଏ ପିଲାଙ୍କର ସରଳ ଶୈଶବ ।

କାଲି ସେଇ ଦୌଡ଼ରେ, ସେଇ ପ୍ରତିଯୋଗିତାରେ ଆଉ କିଏ ଥିଲା ? ଆଜି ଆଲ୍‌ଭା ଅଛି ।

xxxxxxxxxxxxxxxxxxxxxxxxxxxxxxxxxxx

ଫେବୃଆରୀ ମାସ ସେକେଣ୍ଡ୍ ଉଇକ୍ କଥା । ସେଦିନ ସେକେଣ୍ଡ ଟର୍ମିନାଲ୍ ଏକ୍ଜାମ୍‌ର ଇଂଲିଶ୍ ପେପର୍ ଥାଏ । ସକାଳ ସାତଟା ଆସି ହେଲାଣି । ଆଲ୍‌ଭା ଏ ଯାଏଁ ଉଠିନି । ସାଧାରଣତଃ ପରୀକ୍ଷାଦିନ ମାନଙ୍କରେ ସେ ଭୋର୍ ପାଞ୍ଚଟାରୁ ଉଠି ଯାଇଥାଏ ।

ମମି ଆଲ୍‌ଭାର ରୁମ୍ ପାଖରେ ଯାଇ ତାକୁ ଡାକିଲେ । କୌଣସି ଜବାବ୍ ନାହିଁ । କବାଟ୍ ବାଡ଼େଇଲେ । ଆହୁରି ଜୋର୍‌ରେ ଡାକିଲେ । ତଥାପି ଆଲଭା ଉଠିଲା ନାହିଁ କି କବାଟ୍ ଖୋଲିଲା ନାହିଁ ।

ଆଲ୍‌ଭାର ଡାଡ଼ିଙ୍କୁ ଡାକି ଓ କିଛି ପଡେ଼ାଶୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିଲେ ଯେ ଆଲ୍‌ଭା ସବୁଦିନ ପାଇଁ ଆଖି ବୁଜି ଦେଇଛି । ଭୋ’ ଭୋ’ ରଡ଼ି କରି କାନ୍ଦି ପକାଇଲେ ଆଲ୍‌ଭାର ମମି ଓ ଡାଡ଼ି ।

ପୋଷ୍ଟ୍ ମର୍ଟମ୍ ରିପୋର୍ଟରେ ହାର୍ଟ ଆଟାକ୍ ଜନିତ ମୃତ୍ୟୁ । ଚକିତ ହେଲେ ସମସ୍ତେ । ଏତେ ଛୋଟ ବୟସରେ ହୃଦ୍‌ଘାତ ମୃତ୍ୟୁ କ’ଣ ହୁଏ ?

ବିଶିଷ୍ଟଥ ମନୋବିଜ୍ଞାନୀ ତଥା ଫାମିଲି ଡକ୍ଟର ମିଷ୍ଟର ମହାପାତ୍ର ଆଲ୍‌ଭାର ମମି ଓ ଡାଡ଼ିଙ୍କୁ ସାନ୍ତ୍ୱନା ଦେବା ସହ ବୁଝାଉଥିଲେ – ପ୍ରଚୁର ଉଚ୍ଚାଭିଳାଷ, ଅତ୍ୟଧିକ ମାନସିକ ଚାପ, ପାଠ ବୋଝ, ଅବସରହୀନ ଜୀବନ ଓ ପିଲାଙ୍କ ମନ ନ ବୁଝିବା ବେଳେ ବେଳେ ଏ କୋମଳ ବୟସରେ ଏମିତି କ୍ଷତିକାରକ ହୋଇଥାଏ ।

ଏକମାତ୍ର ଝିଅକୁ ହରେଇଥିବା ଆଲ୍‌ଭାର ମମି ବାଉଳି ଚାଉଳି ହେଇ ଯାଉଥିଲେ । ତାଙ୍କର ଇଚ୍ଛା ହେଉଥିଲା- ଆଲ୍‌ଭା ପୁଣି ଥରେ ଆସନ୍ତା, ତାକୁ ସେ ଗେଲ କରନ୍ତେ, ବଗିଚାକୁ ନିଅନ୍ତେ, ଫୁଲ ଦେଖାନ୍ତେ, ପ୍ରଜାପତି ତା’ ହାତରେ ଧରେଇ ଦିଅନ୍ତେ, ରାତି ଆକାଶର ଜହ୍ନ ତାରାର ଗୀତ ଶୁଣାନ୍ତେ. . . ପୁଣି କେତେ କ’ଣ…!

ହେଲେ ମମିଙ୍କ କଅଁଳ ହାତର ନମର ପରଶ ପାଇବା ପୂର୍ବରୁ ଆଲ୍‌ଭା କୁନି ଚଢ଼େଇଟେ ହେଇ ଉଡ଼ି ଯାଇଥିଲା ନୀଳ ଆକାଶକୁ, ବହୁତ ଦୂରକୁ ।

ଲୋକପ୍ରିୟ ଲେଖା

To Top