ଗଳ୍ପ

ସ୍ୱପ୍ନ

Godabarisha Mohapatra's odia story Swapna

ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ ।

ସ୍ୱପ୍ନ

ଅନେକ ବର୍ଷ ତଳେ । ସେତେବେଳେ କି ଋଷିକୁଲ୍ୟା ଏହିପରି ବହୁଥିଲା । ଏହିପରି କି ଉତ୍ତାଳ ତରଙ୍ଗମାଳା କୂଳେ କୂଳେ ଶିର ପିଟି କି ଅବୋଧ୍ୟ ସଙ୍ଗୀତ ଗାଇ ଯାଉଥିଲା । ଏହିପରି କି ଏହି ଗିରି ନନ୍ଦିନୀ ବାଲୁକା-ତଳ୍ପରେ କେଉଁ ହଜିଲା ରତ୍ନ ଖୋଜି ବୁଲୁଥିଲା ।

ସେତେବେଳର କଥା କିଏ କହିବ ? କିଏ କହିବ ଋଷିକୂଲ୍ୟା ସେତେବେଳେ କାନ୍ଦୁଥିଲା କି ହସୁଥିଲା ? କିଏ କହିବ ଏଠି ସେ ଖେଳୁଥିଲା କି କ’ଣ ଖୋଜୁଥିଲା ? ପ୍ରତି ମୁହୂର୍ତ୍ତରେ ପ୍ରତି କଥା ଯେ ତା’ର ଏଇ ତରଙ୍ଗ ପରି ଗୋଟିକ ପରେ ଗୋଟିଏ କୁଆଡ଼େ ଉଭେଇ ଯାଇଛି । ତରଙ୍ଗ ଉଭେଇ ଗଲେ କି ସେଇ ତରଙ୍ଗ ଆଉ ପୁଣି ଉଠେ ।

ତରଙ୍ଗ ଉଠି ତରଙ୍ଗର କଥା ମନେ ପକାଏ, ମାତ୍ର ଫେରି ଆସେ ନାହିଁ । ମାନବ ପ୍ରାଣର ଚିରନ୍ତନ ବ୍ୟଥା ସ୍ମୃତିପଟରେ ଜାଗି ଉଠେ, ଦିବସ, ମାସ, ବର୍ଷ ତରଙ୍ଗରେ ସ୍ମୃତିର କେତେ କେତେ ମଧୁର ଜୁଆର ଉଠେ, କେତେ ଅବ୍ୟକ୍ତ ସଙ୍ଗୀତ ଉଠେ, ମାତ୍ର ଗଲା କଥା କିଛି ଫେରିଆସେ ନାହିଁ । ତେଣୁ କିଏ କହିବ ସେଇ କାଳର ସେଇ କଥା । ସେଠି କୁଡ଼ିଆ ଥିଲା କି ଉଆସ ଥିଲା, ସେଠି ପ୍ରାଣ ଥିଲା କି ପଥର ଥିଲା, ସ୍ମୃତିର ଶତ ଶତ ତରଙ୍ଗରେ ମନେ ପଡ଼ିବ ମାତ୍ର ।

ଧର, ସେଠି କୁଡ଼ିଆ ଥିଲା । ତା’ପରେ । କୁଡ଼ିଆ ଭିତରେ ଦୁଇଟି ପ୍ରାଣୀ ଥିଲା । କୁଡ଼ିଆର ଖଣ୍ଡଦୂରରେ ସୁଦୀର୍ଘ ଆସିକା ନଗରୀ । ତେଣେ ନଗରୀ ଭିତରେ ଆଲୋକ-ରେଖା ଜଳି ଉଠିଲାବେଳକୁ କୁଡ଼ିଆର ଏକ ଦିଗରେ- ଋଷିକୂଲ୍ୟାର ସେ ପାଖରେ, ଅନନ୍ତ ଗଗନର ବିପୁଳ ମେଘମାଳା ପରପାରରେ ସ୍ୱର୍ଗବାସୀ କିଏ ଦେବତା କୁଡ଼ିଆଟିକୁ ଚାହିଁ ରହିଥାନ୍ତି. . . ଦୁଇଟି ପ୍ରାଣୀ କୁଡ଼ିଆ ବାହାରେ ବସିଦେଖନ୍ତି ଆକାଶର ତାରା, ଋଷିକୂଲ୍ୟାର ଚଳ-ତରଙ୍ଗମାଳା, ଆଉ ଆସିକା ନଗରୀର ଦୀପାଲୋକ । ଜଣେ ଭାବେ – ସେହି ସ୍ୱର୍ଗର ଦେବତାଙ୍କ ଦେଶକୁ ଚାଲିଯାନ୍ତି କି ? ଏଇ ଋଷିକୂଲ୍ୟାର ତରଙ୍ଗ ରାଜ୍ୟରେ ବୁଡ଼ି ରହି ବେଳେ ବେଳେ ତରଙ୍ଗ ପରି ମୁଣ୍ଡ ଟେକି ଆସିକାର ପାଖେ ପାଖେ ଏଇ ଭଙ୍ଗା କୁଡ଼ିଆଟିକୁ. . . ଚାହୁଁଥାନ୍ତି କି ? . . . କାହିଁ, ସେ ଭାଗ୍ୟ ତା’ର କାହିଁ ?

ଆଉ ଜଣେ ଭାବେ- ଏଇ ସ୍ୱର୍ଗବାସୀ ଦେବତା ପରି ହସନ୍ତି, ଏଇ ଢଳ ଢଳ ତରଙ୍ଗମାଳା ପରି ନାଚନ୍ତି, ଏ ସଂସାର ଛାଡ଼ି ଆଉ କୁଆଡ଼େ ଯାଆନ୍ତି ନାହିଁ । ଏଇ ଆସିକା ନଗରୀର ଆଲୋକିତ କେଉଁ ଉଆସ ମଣ୍ଡପରେ ବସି ବସି ସ୍ମୃତିର ସମ୍ପଦ କୁଡ଼ିଆଟିକୁ ଦେଖୁଥାନ୍ତି । . . . ଆଶା ତା’ର କିଏ ପୂର୍ଣ୍ଣ କରିବ ?

ସେହି ଦୁଇଟି ପ୍ରାଣୀ ଭିତରୁ ଜଣେ ଜଡ଼ିତ ବିକଳ କଣ୍ଠେ ଅନ୍ୟ ଜଣକୁ ପଚାରେ-

“ଝିଅ ଲୋ” –
ଜଣକର ଭାବମୁଗ୍ଧ ଅନ୍ତର ଉତ୍ତର ଦିଏ –
“କ’ଣ, ମା ?”
ମା’ ପଚାରେ –
ଝିଅ ଉତ୍ତର ଦିଏ –
“ନ ଥାଉ ।”

ଦୁହେଁ ନିରବ ରହି କ’ଣ ଭାବନ୍ତି । କିଛି ସମୟ ପରେ ପୁଣି ପ୍ରଶ୍ନ ଉଠେ –

ଆଜି ତ ମାଗି ଗଲୁ ନାଇଁ, ଆଜି ତ ବିକି ଗଲୁ ନାଇଁ, ମୋ ଗୋଡ଼ ହାତ କି ଚଳୁଚି ଯେ. . . !

ଝିଅ କିଛି ହେଲେ ଉତ୍ତର ଦିଏ ନାହିଁ । ତା’ ମନରେ କି ଭାବନା ଖେଳୁଥାଏ ସେତେବେଳେ ସେହି କେବଳ ଜାଣେ । ଋଷିକୂଲ୍ୟାର ବୁକୁ ଉପରେ ମେଘ ଛାଇ ପଡ଼ିଗଲେ ତା’ର ନିଦ ଭାଙ୍ଗିଯାଏ- ତା’ର ଜାଗ୍ରତ ସ୍ୱପ୍ନ ହଠାତ୍ ଓଲଟି ପଡ଼େ ।

ମଣିଷ କି କେବେ ଚାହିଁ କରି ଏପରି ଭାବରେ ସ୍ୱପ୍ନ ଦେଖିପାରେ । ଏ କଥା ବୁଢ଼ୀ ବିଶ୍ୱାସ କରିପାରେ ନାହିଁ । ଗତ କଥା ସେ ଆଉ ଭାବିପାରେ ନାହିଁ, ମାତ୍ର ଷୋଳ ସତର ବର୍ଷର ଝିଅ ପକ୍ଷରେ ଏହା ନିତାନ୍ତ ସମ୍ଭବପର ।

ଆସିକା ନଗରୀରୁ ଆପଣା କୁଡ଼ିଆକୁ ଫେରି ଆସିଲାବେଳେ ଝିଅ କେତେବେଳେ କ’ଣ ସ୍ୱପ୍ନ ଦେଖେ । ସେ ଚାଲି ଚାଲି ସ୍ୱପ୍ନ ଦେଖେ, ସେ ସ୍ୱପ୍ନ ଦେଖି ଦେଖି ସ୍ୱପ୍ନ ଦେଖେ ।

ସ୍ୱପ୍ନ ଦେଖି ଦେଖି ସେ ହସେ, ଖେଳେ, କାନ୍ଦେ, ନାଚେ । ସ୍ୱପ୍ନରେ ସେ ଋଷିକୂଲ୍ୟାରେ ବୁଡ଼ି ମରେ, ଆକାଶର ମେଘ ଉପରେ ବୁଲେ, ସାତ ସମୁଦ୍ର ତେର ନଈ ଆର ପାଖେ କାହା ଗଳାରେ ଓହଳି ଓହଳି ଖେଳେ । ସ୍ୱପ୍ନରେ ସେ ନ ଦେଖେ କ’ଣ !

ଝିଅ ଦିନେ ସ୍ୱପ୍ନ ଦେଖିଲା । କି ବିଚିତ୍ର ସ୍ୱପ୍ନ ସେ ! ତା’ର ଏ ଷୋଳ ସତର ବର୍ଷ ବୟସରେ ତାକୁ ଏ ରୂପ ଯୌବନ କିଏ ଦେଲା ? ଏ ରୂପ ବର୍ଣ୍ଣନା କଲେ ପଦ୍ମକୁ ନିନ୍ଦା ହେବ, ତା’ କଣ୍ଠର ମଧୁର କଥାକୁ କହି ବସିଲେ ଏ ଋଷିକୂଲ୍ୟ ତରଙ୍ଗରାଗିଣୀର ଅବମାନନା ହେବ । ତା’ ଚାଲି, ତା’ ଚାହାଁଣୀ । . . . ଭଞ୍ଜ ଭୂମି ବୋଲି ବା ତା’ ଏଠାରେ ସମ୍ଭବ ହୋଇଥିଲା । ସେ କାନ୍ଦିଲେ ହସିଲା, ହସିଲେ ହସିଲା ।

ଆସିକା ନଗରୀର ଏଇ ପଥପ୍ରାନ୍ତବାସିନୀ କଥା ଯେପରି ବିଚିତ୍ର ସେପରି ମଧୁମୟ । ଦରିଦ୍ର କୁଟୀରର ଗୋଟିଏ ଝିଅ-ମୁଣ୍ଡରେ ଚୂଡ଼ା ବୋଝ ଧରି ବଜାରରେ ବିକି ବୁଲୁଥିଲା । ବୁଲୁ ବୁଲୁ ସ୍ୱପ୍ନ ଦେଖିଲା- ଦିନେ ହଠାତ୍ ତା’ ଚୂଡ଼ା ବୋଝକ ସୁନା ପାଲଟି ଯାଉଛି । ତାହା ଦେଖି ସେ କାତର ଭାବରେ ମୁଣ୍ଡରେ ହାତ ଦେଇ କାନ୍ଦିଲା-

ମୋ ମା’ ଆଲୋ’ ମୋ ଚୂଡ଼ା. . . !

କାନ୍ଦୁ କାନ୍ଦୁ ଦେଖିଲା- ତା’ର ସେହି ଲୁହ ଆଉ ଲୁହ ହୋଇ ନାହିଁ, ଲୁହଗୁଡ଼ାକ ବିନ୍ଦୁ ବିନ୍ଦୁ ସୁନା ପାଲଟି ଜକ୍ ଜକ୍ ଦିଶୁଛି ।

ଏ କଥା ଦେଖି ଭୟରେ ତା’ର ଦେହ ମୁଣ୍ଡ ଥରି ଉଠିଲା । – ପୁଣି କି ବିଚିତ୍ର କଥା । ଥରିବା ସଙ୍ଗେ ସଙ୍ଗେ ପିନ୍ଧିବା ଲୁଗାଟା ତା’ର ସୁନା ପାଲଟିଗଲା ।

ଓହୋ ! ସେ କରେ କ’ଣ ? ଦେଖୁ ଦେଖୁ ତା’ର ଆଲୁଳାୟିତ କେଶଗୁଚ୍ଛ ସୁନାର ଜରି । ପ୍ରଭୁ ହେ. . . ତା’ର ପାଦ ସୁନା, ତା’ର ହାତ ସୁନା, ତା’ର ଦେହଟା ଯାକ ସୁନା- ସେ ନିଜେ ସୁନା ! !

ପୁଣି ଚାହୁଁ ଚାହୁଁ ତା’ର ଯୋବନ ସୁନା, ତା’ର ଜାମା ସୁନା, ତା’ର କଳ୍ପନା ସୁନା . . . । ସେ କାତର ଭାବରେ ଡାକିଲା- “”ମାଆ ! ମାଆ ! ମାଆ !”

ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ ।

ସେହି କନକମୟୀ ଭିକାରୁଣୀ ପୁଣି ଡାକିଲା- ପୁଣି ଡାକିଲା । ତା’ର ଡାକରେ ନୀଳଗଗନ ସୁନା ପାଲଟିବାକୁ ଇଚ୍ଛା କଲା, ବଧୀରା ଧରଣୀ ଚମକି ପଡ଼ିଲା- ମାତ୍ର କେହି ତାକୁ କୋଳକୁ ଟାଣିନେବାକୁ ସାହସ କଲେ ନାହିଁ । ଶେଷରେ ଶୁଭ୍ରକାନ୍ତି ପୁରୁଷ ଜଣେ କିଏ ଧାଇଁ ଆସି ଅଧୀର ଭାବରେ ତାକୁ ଯାକି ପକାଇ, ତା’ର ସେହି ସୁବର୍ଣ୍ଣ ଯୌବନର ହେମାଭ କପାଳ ଦେଶରେ ଚୁମ୍ୱନ ଦେଇ ଦେଇ କହିଲେ-

“ସୁନା ! ସୁନା ! ! ଜଗତକୁ ଆସିଥିଲି ସୁନା ପାଇଁ, ଆଜି ଏତେଦିନେ ମୋ ସୁନା ପାଇଲି ।”

ଲାଜରେ ସେହି ସୁନାର ଯୌବନ ମୁଣ୍ଡ ପୋତି ଦେଲା । ସେତେବେଳେ ସେ ମାନବ ଜଗତରେ ସଗର୍ବରେ ମୁଣ୍ଡ ଟେକି ଆଖି ଫିଟାଇଲା, ଦେଖିଲା-

ଆସିକା ନଗରୀର ଏକ ବିଚିତ୍ର ପ୍ରାସାଦ ଭିତରେ ସେ ବସି ଋଷିକୂଲ୍ୟା ଆଡ଼କୁ, ତାରି ପୁରୁଣା କୁଟୀର ଦିଗକୁ ମୁହଁ କରିଛି । ତାହାରି ପାଦ ତଳେ କେତେ କୁଳୀନ, କେତେ ପଣ୍ଡିତ, କେତେ ଜ୍ଞାନୀ, କେତେ ଦାନୀ, ବାଳକ, ଯୁବକ ବୃଦ୍ଧ, କେତେ ପ୍ରବାସୀ, କେତେ ପୁରବାସୀ, କେତେ ଅବଳା, କେତେ ଦୁର୍ବଳା, କେତେ ବକ୍ତା, କେତେ ଶ୍ରୋତା ଦିନକୁ ଦିନ ଶୋଭାଯାତ୍ରା କରିବାରେ ଲାଗିଛନ୍ତି ।

ତା’ ସ୍ୱପ୍ନ ସାର୍ଥକ ହେଲା ।

ଆସିକା ନଗରୀର ଟାଉନ୍ ହଲ୍‌ରେ ଏବେ ସେହି ସୁନାର ଛବିଟି ରଖାଯାଇଛି । ଆସିକାର ପ୍ରସିଦ୍ଧ ଚିନିକାରଖାନାର ମିଚିନ୍ ସାହେବ ଭିକାରୁଣୀ ବାଳିକା ସୁନାକୁ ବିଭା ହୋଇ ଦାନ ଓ ଜ୍ଞାନର ମହତ୍ତ୍ୱରେ ତାକୁ ଅମର କରି ଯାଇଛନ୍ତି ।

ଲୋକପ୍ରିୟ ଲେଖା

To Top