ଗଳ୍ପ

ସ୍ୱପ୍ନଭଙ୍ଗ

ସେତେବେଳେ ସେ ନୂଆନୂଆ ଚାକିରି କରିଥାଏ । ଛଇଲାଟ୍ ଥାଏ । କଥା କଥାରେ ଦେହକୁ ଛୁଇଁଦିଏ । ମୁଁ ବିତାଉଥାଏ ବିବାହିତ ଜୀବନର ଚତୁର୍ଥ ବର୍ଷ ।

ସ୍ୱପ୍ନଭଙ୍ଗ

-: ପୂର୍ବରୁ :-

। ଦୁଇ ।

ମୁଁ ଲଳନା ଦୁଃଖେନ୍ଦୁଙ୍କ ଶ୍ରୀମତୀ ଓ ଲୋଚନାର ବଡ଼ ଭଉଣୀ, ସୀମାନ୍ତ ମୋତେ ଭାଉଜ ସମ୍ୱୋଧନ କରେ ଅଥଚ ତା’ର ସେପରି ସମ୍ଭ୍ରମତା ନଥାଏ । ଅନ୍ତତଃ ସେତେବେଳେ ତ ନଥିଲା, ଯେତେବେଳେ ଲୋଚନା ଏଇଠି ହଷ୍ଟେଲ୍‌ରେ ରହି ଇଞ୍ଜିନିୟରିଂ ପଢ଼ୁଥିଲା । ଆାମେ ଦୁହେ ଲୋଚନାର ଭଉଣୀ, ଭିଣୋଇ । ମୁଁ ଏବଂ ଦୁଃଖେନ୍ଦୁ । ତେଣୁ ତାର ଲୋକାଲ ଗାର୍ଡିଏନ୍ । ପାଠ ପଢ଼ିବାର ଚାରିବର୍ଷ ଭିତରେ ଆମେ ତାକୁ ବହୁବାର ଘରକୁ ଆଣିଛୁ । ଛୁଟିରେ ତ ସେ ଆମ ଘରେ ରହିଯାଏ, ଆମ ସାଙ୍ଗରେ -ତା’ର ଏଠି ପଢ଼ିବାକୁ ସୁବିଧା, ବାପା-ବୋଉଙ୍କ ପାଖକୁ ସେତେ ଯାଏନା । ଶେଷ ବର୍ଷରେ ତ ଆମ ଘରକୁ ମଧ୍ୟ ମାତ୍ର ଦୁଇଥର ଆସିଥିଲା, ତାହା ମଧ୍ୟ ମାତ୍ର “ଦି” ଘଣ୍ଟା ପାଇଁ ।

ତା’ର ବୋଧ ହୁଏ, ଶେଷ ଆଡ଼କୁ, ସନ୍ଦେହ ହୋଇଯାଇଥିଲା ମୁଁ ସିମାନ୍ତ ସହିତ ଅଧିକ ଅନ୍ତରଙ୍ଗ । ସତରେ ସିମାନ୍ତର ସମ୍ଭ୍ରମତା ନଥାଏ । କିନ୍ତୁ ସେ ଦୁଃଖେନ୍ଦୁଙ୍କୁ ଅତ୍ୟନ୍ତ ଭକ୍ତିକରେ, ବଡ଼ ଭାଇ ପରି ତ ନିଶ୍ଚୟ, ଗୁରୁ ତୁଲ୍ୟ ବି । ଦୁଃଖେନ୍ଦୁଙ୍କ ଦୃଷ୍ଟିରେ ସେ ସାନଭାଇ, ଶିଷ୍ୟ, ପୁତ୍ରବତ୍ । କିନ୍ତୁ ଭାଉଜକୁ ଗୋଟାପଣେ ମା’ ବୋଲି ଭାବିବ, ସେ ପୁରୁଷ କମ୍ ଅଛନ୍ତି । ପୁଣି ସେ ବା କୋଉ ମୋର ଆପଣାର ଦିଅର ଯେ ଆଖି ଦେଖାଇ ପାରିଥାନ୍ତି ତାକୁ । ଏଣେ ଲୋଚନା ପାଇଁ ମୁଁ ତାକୁ ମନେ ମନେ ବାଛିଥାଏ ।

ଅବଶ୍ୟ ଲୋଚନା ଏଠାକୁ ପଢ଼ିବାକୁ ଆସିବା ପୂର୍ବରୁ, ସୀମାନ୍ତ ଆମ ଘରକୁ ଆସୁଥିଲା । ସେତେବେଳେ ସେ ନୂଆନୂଆ ଚାକିରି କରିଥାଏ । ଛଇଲାଟ୍ ଥାଏ । କଥା କଥାରେ ଦେହକୁ ଛୁଇଁଦିଏ । ମୁଁ ବିତାଉଥାଏ ବିବାହିତ ଜୀବନର ଚତୁର୍ଥ ବର୍ଷ । ଆମର ଅବଶ୍ୟ ଛୁଆ ପିଲା ହୋଇନଥାନ୍ତି ।

ମୁଁ ତାକୁ ଛୋଟପିଲା ମନେକରି କ୍ଷମା କରିଦିଏ ।

ଲୋଚନା ଆସି ପଢ଼ାସାରି ଯିବା ପର୍ଯ୍ୟନ୍ତ ସୁଦ୍ଧା ସୀମାନ୍ତ ବେଶୀଦୂର ଅଗ୍ରଗତି କରିନଥିଲା । ଦୁଃଖେନ୍ଦୁ ନଥିବା ବେଳେ ଆସି ସେ ଫେରିବା ପର୍ଯ୍ୟନ୍ତ, ଅପେକ୍ଷା କରୁଥିଲା । କେଡ଼େ ସ୍ୱାଭାବିକ ଢଙ୍ଗରେ ମୋ କାନ୍ଧରେ ହାତ ରଖିଦେଉଥିଲା ଓ ତ ପରେ ଅସତର୍କ ହୋଇଯିବାକୁ ଚେଷ୍ଟା କରୁଥିଲା ।

ଲୋଚନାର ସନ୍ଦେହ ସେ ଦେଖିଛି ଯେତେବେଳେ ମୁଁ ସୀମାନ୍ତକୁ ଦୁଃଖେନ୍ଦୁ ଠାରୁ ମଧ୍ୟ ଅଧିକ ଅନ୍ତରଙ୍ଗ ମନେକରେ । କିନ୍ତୁ ଲୋଚନା ଜାଣିପାରେନା ତାହାରି ପାଇଁ ମୁଁ ସୀମାନ୍ତକୁ ବରଦାସ୍ତ କରୁଥାଏ ବରଂ ଅନ୍ୟଜଣକୁ ବାସ୍ତବରେ ଭଲପାଏ : ସେ ଦୁଃଖେନ୍ଦୁଙ୍କର ଜଣେ କବି ବନ୍ଧୁ ।

ଦୁଃଖେନ୍ଦୁ କବିତା ବି ଲେଖନ୍ତି, ଅଳ୍ପ ଅଳ୍ପ, ବେଳେବେଳେ । ଇଞ୍ଜିନିୟରଟା ଗୋଟେ କବି କ’ଣ ! କବିବୋଲି ଦୁଃଖେନ୍ଦୁ ହୁଏତ ରୋମାଣ୍ଟିକ୍ ଲାଗନ୍ତି । କିନ୍ତୁ ଥରେ ଥରେ ଅତି ସାମାନ୍ୟ କଥାରେ ଏମିତି ରାଗିଯିବେ ଯେ କିଛି ଜମା ବୁଝି ହେବନି । ଅଥଚ ସେ ଟୋକା ସେତେ କବିପଣିଆ ଦେଖାଏନା, ଦୁଃଖେନ୍ଦୁଙ୍କ ଯୁବ କବି ବନ୍ଧୁ, ଯଦିବା ସେ କାହିଁ କେତେ ଅଧିକ କବିତା ଲେଖିସାରିଥାଏ ଓ ସମସ୍ତ ବିଖ୍ୟାତ ପତ୍ରିକାରେ ପ୍ରକାଶ କରୁଥାଏ ଏବଂ ତା’ର ଥାଏ ଯଥେଷ୍ଟ ସୁନାମ । ତାକୁ ବହୁଲୋକ ଚିହ୍ନିଥାନ୍ତି, ଯେତେବେଳେ କି ଦୁଃଖେନ୍ଦୁଙ୍କୁ ଜାଣିଥାନ୍ତି କେବଳ ଅଳ୍ପ ସଂକ୍ଷକ କାରଖାନା ଚାକିରିଆ ଓ ତାଙ୍କୁ କବି ରୂପେ କିଏ କେବେ ଦେଖେନା । ସତକହିଲେ, ସେ ନିଜର କବିପଣ ଦେଖାନ୍ତି । କବିବନ୍ଧୁ ଚରଣଜିତକୁ ଘରକୁ ଡାକି ସେ କେବଳ ନିଜ କବିତା ଶୁଣାନ୍ତି, ତା’କୁ “ଚରଣ” ବୋଲି ଏପରି ସ୍ୱରରେ ଡାକନ୍ତି, ଯେମିତି କି ସେ ତାଙ୍କର ପାଦ ତଳେ । ଚରଣଜିତ କିନ୍ତୁ ସତରେ ନିହାତି ନମ୍ର । ଗୁଣୀ ଲୋକ ନମ୍ର ହୋଇଥାନ୍ତି, ଯେମିତି ଫଳନ୍ତି ବୃକ୍ଷ । ଝୁଙ୍କିଯାଇ ଚିରକାଳ ନଇଁଥାଇ ରହନ୍ତି । ଅଥବା ସେ ସେତେ ସରଳ ଥିଲା ଯେ, ଦୁଃଖେନ୍ଦୁଙ୍କ ଅହମିକାରେ ଆକ୍ରାନ୍ତ ହେବାଭଳି ଜ୍ଞାନ ତା’ର ହୋଇନଥିଲା ।

ମୋତେ ଭାରି ଭଲ ଲାଗୁଥିଲା ଚରଣଜିତ । ସେ ମଧ୍ୟ ଚାଲିଆସୁଥିଲା ଘରକୁ, ଏପରିକି ନିରୋଳା ଖରାବେଳେ, ଘରେ ମୁଁ ଏକୁଟିଆ ଥାଏ । ଖରାବେଳେ ମୋର ଶୋଇବା ଅଭ୍ୟାସ ନାହିଁ । କେତେ କିଏ ଟି.ଭି. ଦେଖି ସମୟ ସାରିବ । ଟି.ଭି. କାର୍ଯ୍ୟକ୍ରମରେ ବା କେତେ ବାସ୍ତବତା ? ମୁଁ ବୁଡ଼ିିପାରେନା । ଚରଣଜିତ ଆସିଲେ, ଅବେଳରେ ବି ଭଲ ଲାଗେ ବରଂ ଅବେଳରେ ହିଁ ବେଶୀ ଭଲଲାଗେ । ମୁଁ ପ୍ରାୟତଃ ବୋର ହେଉଥାଏ । ଘର ଭିତରେ ଏକୁଟିଆ ଜଣେ ଦୁଃଖେନ୍ଦୁଙ୍କୁ ଅପେକ୍ଷା କରି, ସନ୍ଧ୍ୟାରେ ସେ କେତେବେଳେ କାମ ସାରି ଫେରିବେ ଠିକଣା କ’ଣ, ବୋର ହେବାଛଡ଼ା ଅନ୍ୟ ଉପାୟ କଣ ଥିଲା ?

ଚରଣଜିତ ଆସିଲେ ଇଚ୍ଛା ହେଉଥିଲା, ତାକୁ କୋଳେଇ ନେବାକୁ ! ସେ ଭାରି ବାସ୍ତବ ଲାଗେ, ତା’ ମୁହଁର ଭାବ, ତା’ ପ୍ରତିଭାର ତେଜ ମୋତେ ମୋହାବିଷ୍ଟ କରେ । ମୁଁ ତାର କବିତା ଶୁଣିବାକୁ ଆଗ୍ରହ ଦେଖାଏ । ସତ କହିଲେ, କବିତା ଶୁଣାଇବାକୁ ଆଶା ରଖି ସିଏ ଆସିଥାଏ, ମୁଁ କିନ୍ତୁ କେବଳ କବିତା ଶୁଣିବା ପାଇଁ ତାକୁ ପାଖରେ ଲୋଡ଼ି ନଥାଏ । ତାକୁ ଦେଖିଲେହିଁ ମୋର ପେଟ ପୂରିଯାଏ, ଏପରି ପୁଅଟିଏ ମୋର ନଥା’ନ୍ତା, ମୁଁ କେତେକଥା ଭାବିଯାଏ ।

ତାକୁ ମୁଁ ଡାକିନିଏ ଶୟନ କକ୍ଷକୁ । ସେଠି ସେ କବିତା ପଢେ଼, ମୁଁ ଗଡ଼େ ଶେଯରେ । ଶୁଣୁଶୁଣୁ ମୋ ଆଖିକୁ ନିଦ ଆସିଯାଏ ଯଦିବା ଅଭ୍ୟାସ ନାହିଁ ଖରାବେଳେ ଶୋଇପଡ଼ିବାର । ଚରଣଜିତ ପ୍ରଶ୍ନକରେ- ନାନୀ ! ତୁମେ ଶୋଇପଡ଼ିଲ କି ? ତା’ ସ୍ୱର ବହୁତ ମିଠା, ଭାରି ସମର୍ପିତ । ମୁଁ ଉତ୍ତର ଦିଏ, ତୁ ମୋ ପାଖରେ ଥିଲେ ମୋତେ ଭାରି ନିରାପଦ ଲାଗେ, ଆଖି ଲାଗିଯାଏ ।

ମୁଁ ତାକୁ “ତୁ” କହେ, ବାସ୍ତବରେ ଖୁବ୍ ଭଲ ପାଏ । ଏବେ ସୁଦ୍ଧା ଯଦିବା ବିତିଗଲାଣି ବହୁତ ବର୍ଷ ଏବଂ ଏକ ଅବୁଝାମଣାରୁ ଦୂରେଇ ଯିବାକୁ ହେଲା, ମୁଁ ସତରେ ଭୁଲିନାହିଁ ତାକୁ ।

ସେଦିନ ସନ୍ଧ୍ୟାରେ ସେ ମୋତେ ଜାବୁଡ଼ି ଧରିଲା, ନିଶ୍ଚୟ ମୋ ଭାବଭଙ୍ଗୀ ଦେଖି ସେ ବିଶେଷ ଉତ୍ସାହିତ ହୋଇଯାଇଥିଲା । ମୋର ମଧ୍ୟ ଇଚ୍ଛାଥିଲା କୋଳେଇ ନେବାକୁ କିନ୍ତୁ, ମୁଁ ଭାବିନଥିଲି, ସେପରି ସେ ସେତେକାଳ ଜାବୁଡ଼ି ଧରିବ ! ସେ ମୋତେ ନାନୀ ଡାକୁଥିଲା । ବୟସରେ ଯେତେ ସାନ ହେଲେବି ନାନୀ ସମ୍ୱୋଧନ କରି, ନାନୀ ବୋଲି ସତରେ ଭାବିବ ସେପରି ପୁରୁଷ ମଧ୍ୟ କମ୍ ହିଁ ଅଛନ୍ତି ।

ଆଉ ଠିକ୍ ସେତିକି ବେଳେ ଆସିଲା ସୀମାନ୍ତ ଆମେ ଯେ କବାଟର କିଲିଣି ଦେଇନଥିଲୁ କବାଟ ବନ୍ଦରଖିବା ଭଳି କିଛି ନଥିଲା ।

ସୀମାନ୍ତର ଦୃଷ୍ଟିରେ ପଡ଼ିଗଲା ସେ ଦୃଶ୍ୟ । ବିଚରା କବି, ମୋତେ ନାନୀ ବୋଲି ଡାକୁଥିଲା । ତଥାପି ମୋ କଥା କେହି ବିଶ୍ୱାସ କଲେନି । ଘଟଣାଟା ରାଷ୍ଟ୍ର ହୋଇଗଲା, ସେ ବିଚରା ଛାଡ଼ି ଚାଲିଗଲା ସହର, ମୁଁ କୁଆଡ଼େ ଯାଇପାରିଥା’ନ୍ତି ?

ତଥାପି ମୋର ସୌଭାଗ୍ୟ ଲୋଚନା ସେତେବେଳକୁ ପଢ଼ାସାରି ଚାଲି ଯାଇଥିଲା ।

। ତିନି ।

ମୁଁ ଜାଣିଛି ସେ ପିଲା କବିଟାକୁ ନାନୀ ଭାରି ଭଲପାଉଥିଲା । ଇଞ୍ଜିନିୟରିଂ ଶେଷବର୍ଷ ବେଳେ ଯେଉଁ ଦୁଇଥର ଯାଇଥିଲି, ସେ ପିଲାକୁ ଦେଖିଥିଲି ନାନୀସହ ତାଙ୍କ ଘରେ ଅତି ପାଖାପାଖି । ପୂର୍ବରୁ ନାନୀ ମୋତେ ତା ବିଷୟରେ ଜଣାଇନଥିଲା । ହୁଏତ ସେହି ବର୍ଷ ହିଁ ତା’ ସହ ଦୁଃଖେନ୍ଦୁଙ୍କର, ଘନିଷ୍ଠତା ସୃଷ୍ଟି ହୋଇଥିଲା ।

ମୁଁ କିନ୍ତୁ ଦୁଇଥର ମାତ୍ର ଦେଖି ତାକୁ, ନାନୀ ଅତି ନିକଟରେ, ବାସ୍ତବରେ ବହୁତ ଭୟଭୀତ ହୋଇପଡ଼ିଥିଲି । ନାନୀର ଆଖି ଦୁଇଟା । ସେତେବେଳେ ଦପ୍‌ଦପ୍ ଜଳେ, ମୁଗ୍ଧ ଦୃଷ୍ଟିରେ କବିର ମୁହଁକୁ ସେ ଚାହିଁ ରହିଥାଏ । କବି କରୁଥାଏ ତା’ର କବିତା ଆବୃତ୍ତି, ନିହାତି ତା ନିକଟରେ ବସି ।

ମୋତେ ଜଣାଥିଲା ସୀମାନ୍ତକୁ ନାନୀ ଖାଲି ବରଦାସ୍ତ କରି ଚାଲିଥିଲା, ମୋ ପାଇଁ ଯେହେତୁ ତାକୁ ସ୍ଥିର କରିଥିଲା । ତା’ ଉପରେ ଆଖି ଥିଲା ବୋଲି ତିନି ବର୍ଷ କାଳ ମୋତେ ଯେବେ ଇଚ୍ଛା ତା’ ଘରକୁ ଡାକି ନେଉଥିଲା ଏବଂ ତାକୁ ମଧ୍ୟ ଡାକିଦେଉଥିଲା । ଚତୁର୍ଥ ବର୍ଷରେ ତେଣୁ ମୁଁ ଆଉ ଗଲିନି । କାରଣଟା ମୋ ଦୃଷ୍ଟିରେ ମାମୁଲି ନଥିଲା ।

ମୁଁ ଲୋଚନା ଲେଖାପାଳ । ତିନିବର୍ଷ ଇଞ୍ଜିନିୟରିଂ ପଢ଼ା ସାରିଥାଏ, ସେତେବେଳେ ମୋର ବୟଷ କୋଡ଼ିଏ ପୂରି ଏକୋଇଶ ଚାଲିଥାଏ । ଖରାଛୁଟି ଆରମ୍ଭରେ ନାନୀ ଘରେ ଆଠଦିନ ରହି ଯାଇଥିଲି ।

ଅଷ୍ଟମ ଦିନ ସନ୍ଧ୍ୟା ପରେପରେ ଦୁଃଖେନ୍ଦୁଙ୍କ ସହ ନାନୀ ବଜାର ଚାଲିଯାଇଥିଲା । ତାହା ତା’ର ପ୍ଲାନ୍ ମଧ୍ୟ ହୋଇଥାଇ ପାରେ । ହୁଏତ ଭାବିଥିବ ସୀମାନ୍ତ ସହିତ ମୋର ଖୋଲାଖୋଲି କଥାବାର୍ତ୍ତା ଥରେ ହୋଇଗଲେ ଭଲ । ସୀମାନ୍ତ ପହଞ୍ଚିଗଲା । ସେମାନଙ୍କ ଯିବା ପରେ ପରେ କହିଦେଲା ପହଞ୍ଚୁପହଞ୍ଚୁ-ମୁହାଁ ମୁହିଁ କରିବାକୁ ତୁମକୁ ମୋତେ : ସବୁ ତୁମ ନାନୀଙ୍କ ଯୋଜନା ।

ଆସୁ ଆସୁ ସେପରି କହିଦେବାର ଅର୍ଥ କ’ଣ ପୁଣି ବେହିଆଙ୍କ ପରି ହସିହସି ! ମୋତେ ଭାରି ବିଚିତ୍ର ଲାଗିଲା । ସେତେ ଖୁସି ହେବା ଭଳି କଣ ଥିଲା ଜଣେ ଫେର ହସିବ ଯେ କପଟରେ, ରାଜ୍ୟ ଜୟ କରିବାକୁ ସୁନିଶ୍ଚିତ ଯାଉଛି ଯେପରି !

ସୀମାନ୍ତ ଧୀରେ ମୋ ଆଡ଼େ ଅଗ୍ରସର ହେଲା । କଟମଟ କରି ମୁଁ ତା ମୁହଁକୁ ଚାହିଁଲି । ତଥାପି ସେ ଅଟକି ଗଲାନି । ମୋ କାନ୍ଧକୁ ଭିଡ଼ିଧରି ଓଠଯାଏଁ ମୁହଁ ଲମ୍ୱାଇଲା ।

ମୁଁ ତାର ଛାତିକୁ ଠେଲି ଦି’ ହାତରେ ମୁକୁଳି ଆସିଲି ।

ସେଦିନ ରାତିରେ ସିଏ ଫୋନ୍‌କରି ନାନୀକୁ କହିଲା – ଭଲପାଇବା ଅଥବା ମୋତେ ନେଇ ମୁହୁର୍ତ୍ତେ ସ୍ୱପ୍ନ ଦେଖିବା ସୁଦ୍ଧା ତା’ ପକ୍ଷରେ ଅସମ୍ଭବ ବ୍ୟାପାର ।

ଅଥଚ ମୁଁ ପୁଣି ଆଜି ତାକୁ ସ୍ୱପ୍ନରେ ଦେଖିଲି । ସେ ମୋତେ ଚୁମ୍ୱନ ଦେଲା ଓ ଶିହରଣ ବି ଖେଳିଗଲା ମୋ ଦେହ ମନରେ !

ଯା’ହେଉ , ସ୍ୱପ୍ନଟା ସତ ନୁହେଁ ।

କିନ୍ତୁ ନିଦ ଭାଙ୍ଗିଗଲେ, ସ୍ୱପ୍ନ ସହ, ମୋ ଆଖିକୁ ଆଉ ସହଜରେ ନିଦ ଆସେନା । ଆଉଦିନେ ସ୍ୱପ୍ନରେ ଦେଖିଥିଲି କବିକୁ । ତାକୁ ନିଜ ହାତରେ ରାନ୍ଧି ଖୁଆଇବି ବୋଲି କିଛିଦିନ ତଳୁ ବହି ପଢ଼ି ମୁଁ ରାନ୍ଧଣା ଶିଖୁଥିଲି ।

ଖୁବ୍ ଶୀଘ୍ର ମତେ ଭଲରୂପେ ରନ୍ଧନ ବିଦ୍ୟା ଶିଖିଯିବାକୁ ପଡ଼ିବ । ସବୁଦିନ ବାହାରେ ଖାଇ ଖାଇ ମୋର ପେଟଟା ବି ଖରାପ ହୋଇ ଗଲାଣି ।

– ତାପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top