ଗଳ୍ପ

ସ୍ୱୀକାରୋକ୍ତି

Manjulata Ratha's odia Story Swikaarokti

ଏଇଟା ତାହାଲେ ଶାଶୁଶାଢ଼ୀ । କାମବାଲୀ ପିନ୍ଧିଲା ପରି ହୋଇଛି ।” କମ୍ ଅପମାନ ପାଇନାହାନ୍ତି ସେଦିନ । ରାତିସାରା ଶୋଇ ପାରିନାହାନ୍ତି । ଲୁହରେ ତକିଆ ଭିଜିଛି । କହିବେ କାହାକୁ ?

ସ୍ୱୀକାରୋକ୍ତି

ଆଜିକାଲି ଦେବେନ୍ଦ୍ର ବାବୁଙ୍କର କାର୍ଯ୍ୟଧାରାରେ ଆସିଛି ପରିବର୍ତ୍ତନ । ବୃତ୍ତିଗତ କର୍ମର ସ୍ଥାନରୁ କିଛି ଅବସର । ଜୀବନ ଜୀବିକା ଦୌଡ଼ରେ ଷାଠିଏ ବର୍ଷ ବୟସରେ ବିଶ୍ରାମ ନେବା ପାଇଁ ଅବସର ଏକ ପ୍ରକାର ବାଧ୍ୟ ନିୟମ । ଏହି ନିୟମ ମଣିଷକୁ ଆଣିଦିଏ ବଞ୍ଚିବାର ସ୍ୱାଧୀନତା । ସ୍ୱାଧୀନ ଶବ୍ଦଟି ଆସିଲା ମାତ୍ରେ ମନ ଆପଣା ଛାଏଁ ଉଡ଼ିଯାଏ । ମୁକ୍ତ ଆକାଶର ଏକ ପକ୍ଷୀଟିଏ ପରି । ଯେଉଁଠି ତାକୁ କେହି ବାଧ୍ୟ କରିବାକୁ ନ ଥିବେ । ଅବସର ସମୟକୁ ଉଦ୍‌ବ୍ୟବହାର କରି ଦେବେନ୍ଦ୍ରବାବୁ ବାହାରିଛନ୍ତି ସାନ୍ଧ୍ୟ ଭ୍ରମଣରେ । କିଛି ଭାବନା ନେଇ ଚାଲୁ ଚାଲୁ ପହଞ୍ଚିଗଲେ ଏକ ନଦୀକୂଳରେ । ଶାନ୍ତ ସ୍ନିଗ୍ଧ ସୁନେଲି ସୂର୍ଯ୍ୟାସ୍ତ ସମୟ । କୂଳରେ ପଡ଼ିଥିବା ପ୍ରସ୍ତରଖଣ୍ଡ ଉପରେ ଅଟକି ଗଲା ଦେହ ଓ ମନ । ନିରବତା ଓ ନିର୍ଜନତା ଯେ କୌଣସି ଆତ୍ମଜ୍ଞାନର ସିଦ୍ଧାନ୍ତ ନିମନ୍ତେ ଆବଶ୍ୟକ । ଏକ ପରିପକ୍ୱ ମନର ସାଧାକାଗଜ ଉପରେ ଅଭିଜ୍ଞତାର ରଙ୍ଗକୁ ନେଇ ରଙ୍ଗୀନ କଲେ ନିଜ ମନକୁ । ପ୍ରୀତିଭରା ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟ ଆତ୍ମହରା କଲା ଦେବେନ୍ଦ୍ରବାବୁଙ୍କୁ । ଦୂର ଦିଗ୍‌ବଳୟର ଅସ୍ତାଚଳ ସୂର୍ଯ୍ୟ ସତେ ଅବା ଲାସ୍ୟମୟୀ ତରୁଣୀ ନଦୀର ଗଣ୍ଡଦେଶକୁ ଛୁଇଁ ଛୁଇଁ ଯାଉଥିଲେ । ଲଜ୍ଜାରେ ନଦୀର ଜଳରାଶି ରକ୍ତିମବର୍ଣ୍ଣ ଧାରଣ କଲେ । ହେଲେ ଏ କ’ଣ ? ଅସ୍ତାଚଳ ରବି ପ୍ରିୟତମା ନଦୀଠାରୁ ବିଦାୟ ନେବାର ସବୁଜ ଦୁଃଖକୁ ଛାତି ଭିତରେ ରଖି ଚାଲି ଯାଉଥିଲେ । ଏହି ମନଛୁଆଁ ଅଭୁଲା ଦୃଶ୍ୟରେ ଦେବେନ୍ଦ୍ର ଆନମନା ହେଲେ । ବୟସ ଭାବନାରେ ବାଧା ଦେଲାନି । କେମିତି ଦେବ । ମନ ତ ଏକ ଅଧୈର୍ଯ୍ୟ ଅଶ୍ୱ । ବୟସ କ’ଣ ମନରୂପି ଅଶ୍ୱକୁ ଲଗାମ ଦେଇପାରିବ ! ଅତଏବ ଅଭିଜ୍ଞତାର ସ୍ମୃତି ଭିତରୁ ଅନ୍ତର୍ଚେତନା ସଂଗ୍ରହ କରିବାରେ ଲାଗିଲା ଜୀବନରେ କିଛି ଖଟା, ମିଠା ସ୍ୱାଦ । ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ଭିନ୍ନ । ଏହି ଭିନ୍ନତାରେ ରହିଥାଏ ତିକ୍ତ ଅବା ମଧୁର, ଶୈଶବରୁ ଅୟମାରମ୍ଭ ହୁଏ ଜୀବନ । ପ୍ରଥମ କୋଡ଼ିଏ ବର୍ଷ ମଣିଷ ବଞ୍ଚେ ଅନ୍ୟର ରୁଚି ଅନୁସାରେ । ନିଜର ଆତ୍ମବିଶ୍ୱାସ ଦୁର୍ବଳ ଥାଏ । ସେଥିପାଇଁ ଜୀବନ ଗାଡ଼ି ଅଙ୍କାବଙ୍କା ରାସ୍ତାରେ ସର୍ପିଳ ଗତିରେ ଗତି କରେ । ବ୍ୟକ୍ତିର ପୋଷାକ ପିନ୍ଧା, ଭବିଷ୍ୟର ଲକ୍ଷ୍ୟ, ଚାଲିଚଳନ ଏମିତି ସବୁକିଛି ନିର୍ଦ୍ଧାରିତ ହୁଏ । ପିତାମାତା, ପରିବାରର ତଥାକଥିତ ମୁରବି କିମ୍ୱା ବନ୍ଧୁ ବର୍ଗମାନଙ୍କ ଦ୍ୱାରା । ନିଜକୁ ଜ୍ଞାନୀ ବୋଲାଉଥିବା କିଛି ଶୁଭେଚ୍ଛୁଙ୍କ ଦ୍ୱାରା ଜୀବନର ମୂଳଦୁଆ ପଡ଼େ । କୋଡ଼ିଏରୁ ଚାଳିଶ ବର୍ଷ ମଧ୍ୟରେ ନିଜର ଜୀବନଶୈଳୀକୁ ନିଜେ ହିଁ ନିର୍ଦ୍ଧାରଣ କରିବାକୁ ହୁଏ । ସେ ନିଜର କାମନା-ବାସନା, ଅଜ୍ଞାନ ଓ ଅହଂ କବଳରୁ ମୁକ୍ତି ପରିବର୍ତ୍ତେ ଦାସତ୍ୱ ସ୍ୱୀକାର କରିବାକୁ ପସନ୍ଦ କରେ । ଯୌବନର ଉଦ୍ଦାମତାର ବଶବର୍ତ୍ତୀ ହୋଇ କିପରି ଏକ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରିବ ସେ କଥା ଚିନ୍ତା କରେ । ଶୈଶବର ଚପଳତା, ଯୌବନର ଉଦ୍ଦାମତା ଆଉ ଷାଠିଏ ପରର ପରିପକ୍ୱତାକୁ କିଏ କ’ଣ ଏଡ଼ାଇ ଯାଇପାରିବ । ଲୋକେ ମୋତେ ପସନ୍ଦ କରନ୍ତୁ । ଏଇ ମରୀଚିକା ପଛରେ ଧାଇଁ ଧାଇଁ ବିବେକକୁ ବନ୍ଦୀ କରେ । ସମାଜରେ ମାନ, ସମ୍ମାନ, ପ୍ରତିପତ୍ତି, ଅଯଥା ବାହାବା ମିଳିବା ଆଶାରେ, ଉଚ୍ଛୃଙ୍ଖଳ ହୋଇପଡ଼େ । ମନ ସର୍ବସ୍ୱ ନୀତିରେ ବିବେକହୀନ ହୋଇପଡ଼େ । “ମୁଁ” କୁ ନେଇ ବଞ୍ଚିବା ଶିଖେ । ଭୁଲିଯାଏ ଏକ ସୁସ୍ଥ ପରିବାର, ସୁସ୍ଥ ସମାଜ ପାଇଁ ଅବଶ୍ୟମ୍ଭାବୀ । କୁହାଯାଉଛି ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର । ସୁନ୍ଦର ପରିବାର ବନ୍ଧନ ଯେତିକି ସୁଖ ଆଉ ସ୍ୱପ୍ନମୟ କରିଥାଏ । ବାଟବଣା ପରିବାର ସେତିକି ଦୁର୍ଗତି ଆଉ ମନ୍ତ୍ରଣାମୟ କରିଦିଏ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଭିତରେ ନ୍ୟାୟ, ଅନ୍ୟାୟ, ନୀତି, ଅନୀତି ଓ ଭଲମନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ବା ଅସ୍ପଷ୍ଟ ଭାବେ ବୁଝିପାରନ୍ତି । କର୍ମଫଳ ସମ୍ପର୍କରେ ପ୍ରାୟ ସମସ୍ତେ ଜ୍ଞାତ । ପୂର୍ଣ୍ୟ କର୍ମଫଳ ପାଇଁ ସୁଖ ଆଉ ପାପ କର୍ମ ପାଇଁ ଦୁଃଖ । ଏହା ଆଜି ନ ହେଲେ କାଲି ନିୟମରେ ବନ୍ଧା । ମନ ସର୍ବସ୍ୱ ମଣିଷ ତ ଭୁଲ୍ କରିବା ସ୍ୱାଭାବିକ୍ । ଗ୍ଲାନିବୋଧ ଏକ ଉତ୍ତମ ଲକ୍ଷଣ । ଦେବେନ୍ଦ୍ର ନିଜ ଜୀବନର ଭୁଲ୍ ସବୁକୁ ମନ ଆଇନାରେ ଦେଖିପାରୁଥାନ୍ତି । କଥାରେ ଅଛି ମା’ ଜାଣେ ବାପ, ମନ ଜାଣେ ପାପ । ଶାନ୍ତ ସ୍ଥିର ଚିତ୍ତରେ ଚିନ୍ତା କଲେ, ଚିନ୍ତାର ନିର୍ଯ୍ୟାସ ମିଳେ ଅଭିନବ ଉପାୟରେ । ସମଗ୍ର ଜୀବନ ଏକ ପୁସ୍ତକ । ଧରନ୍ତୁ ଏହି ପୁସ୍ତକର କିଛି ପୃଷ୍ଠା ମଇଳା ହୋଇଗଲା, ତେବେ ବାକି ପୃଷ୍ଠାକୁ ରଙ୍ଗୀନ କରିବା ବିଜ୍ଞ ଲୋକର କାର୍ଯ୍ୟ । କାରଣ ଜୀବନ ହେଉଛି ଆମର ନିଜସ୍ୱ । ଅନ୍ୟମାନଙ୍କର ମତାମତ ଗ୍ରହଣୀୟ ନୁହେଁ । ପରିବର୍ତ୍ତନ ନାମକ ଏକ ଶବ୍ଦ, ଯାହା ସାହାଯ୍ୟରେ ସବୁକିଛି ସମ୍ଭବ । ଆଜି ଦେବେନ୍ଦ୍ର ନିଜର କୁ-ସ୍ୱଭାବକୁ ବଦଳାଇବାକୁ ଚାହୁଁଛନ୍ତି । କେମିତି ଭୁଲିଗଲେ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟରେ ଥିବା ପାର୍ଥକ୍ୟକୁ । ଦୂରେଇଗଲେ ନିଜର ପରିବାରଠାରୁ । ବିଶେଷ କରି ସ୍ତ୍ରୀ ଚାରୁଲତାଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ତାଙ୍କର କୌଣସି ଇଚ୍ଛାକୁ ପ୍ରାଧାନ୍ୟ ଦେଇନାହାନ୍ତି । ମନେପଡ଼େ ଚାରୁ ସହ ପହିଲି ଦାମ୍ପତ୍ୟ କଥା । କୁଆଁରୀ ମନରେ ଭରି ରହିଥିଲା ଅସୁମାରୀ ସ୍ୱପ୍ନ । ସଦ୍ୟ ବିବାହିତା ନାରୀଟି ପରି ସେ ମଧ୍ୟ ଚାହିଁଥିଲେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଆହୁରି ଅନେକ କିଛି । ଢଳ ଢଳ ଯୌବନର ଛଳ ଛଳ ଆଖିର ଚାହାଁଣୀ ନିରବ ଭାଷାରେ ପ୍ରକାଶ କରିଛି ଅନ୍ତରର ଆବଶ୍ୟକତା । ଦେବେନ୍ଦ୍ର ସବୁ ବୁଝି ନ ବୁଝିଲା ପରି ଅଭିନୟ କରିଛନ୍ତି । କେତେ କଷ୍ଟ ପାଇ ନ ଥିବେ ଚାରୁ । ଅନୁତାପର ବହ୍ନିରେ ଜଳିବାକୁ ଲାଗିଲେ ଦେବେନ୍ଦ୍ର । ବିଗତ ଦିନକୁ ମନେପକାଇ ଆଜିର ଦିନକୁ ବ୍ୟର୍ଥ କରିବା ଅନୁଚିତ୍ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ । ଏମିତି ଏକ ଆତ୍ମନ୍ଦୈନରେ ସଢ଼ିବା ଅପେକ୍ଷା ସାହାସର ସହିତ ସ୍ୱୀକାରୋକ୍ତି ତାଙ୍କ ପାଇଁ ଶ୍ରେୟସ୍କର । ସ୍ଥିର, ଦୃଢ଼ମନା ଚାରୁଲତା ନିଜର ଧୈର୍ଯ୍ୟ ଓ ସହନଶୀଳତାର ପରିଚୟ ଦେଇ ଗଢ଼ିଛନ୍ତି ଏ ପୂର୍ଣ୍ଣାଙ୍ଗ ପରିବାର । ପୁଅ ସୋମେଶ ଦିଲ୍ଲୀର ଏକ ନାମୀ କମ୍ପାନୀରେ କାର୍ଯ୍ୟରତ । ଝିଅ ଦିପ୍ତୀ ମଧ୍ୟ ଆତ୍ମନିର୍ଭରଶୀଳ । କୋରାପୁଟରେ ଥିବା ଏକ ସରକାରୀ ସଂସ୍ଥାନରେ ସ୍ଥାନିତ ।

ବାରମ୍ୱାର ଧନ୍ୟବାଦ ଦେବାକୁ ଇଚ୍ଛା କଲେ ସ୍ତ୍ରୀ ଚାରୁଲତାଙ୍କୁ । ଭାବନାରେ ଅଟକିଗଲେ, ଚାରୁ କ’ଣ କ୍ଷମା କରିବ ? ହଁ କରିବ ନିଶ୍ଚୟ କରିବ । କାହିଁକି ନା ସ୍ତ୍ରୀ ଲୋକଟିକୁ ଟିକିଏ ସ୍ନେହ, ଶ୍ରଦ୍ଧା ଦେଲେ ସେ ଅନାୟାସରେ ତା’ର ହୃଦୟକୁ ସମର୍ପଣ କରିଦିଏ । ଏହି ଭାବନା ଭିତରେ କେତେବେଳେ ଅନ୍ଧାର ହୋଇ ଆସିଲାଣି । ଆକାଶରେ ତାରା ଦିଶିଲେଣି । ଦେବେନ୍ଦ୍ର ହାତଘଣ୍ଟା ଉପରେ ଆଖି ବୁଲେଇ ଆଣିଲେ । ଉଠି ସିଧା ଠିଆ ହେଲେ । ନିଜ ଜାଲରେ ନିଜେ ପଡ଼ି ଛଟପଟ ହେଲା ପରି ଏକ ଭାରାକ୍ରାନ୍ତ ମନରେ ଘରକୁ ଫେରୁଥାନ୍ତି । ବାଟରେ ଫୁଲ ଦୋକାନ ଦେଖି ଅଟକିଗଲେ । ସୁନ୍ଦର ଗୋଲାପ ତୋଡ଼ାଟିଏ କିଣିଲେ ସ୍ତ୍ରୀଙ୍କ ପାଇଁ । କିଛି ସମୟ ପରେ ଘର ପାଖରେ ପହଞ୍ଚି ଯାଇଥାନ୍ତି । କଲିଂବେଲ୍ ଶବ୍ଦରେ ସ୍ତ୍ରୀ କବାଟ ଖୋଲିଲେ । ଏ କ’ଣ ? ଫୁଲ ତୋଡ଼ାଟିକୁ ଦେଖି ଆଶ୍ଚର୍ଯ୍ୟରେ ଟିକିଏ ଅଟକିଗଲେ । ଦେବେନ୍ଦ୍ର ଘରେ ପଶୁ ପଶୁ ନରମ ଗଳାରେ କହିଲେ “ଶୀଘ୍ର କବାଟ ବନ୍ଦ କର, ରାହାଜାନୀ ବଢ଼ିଗଲାଣି ।” ଆଦେଶ ପାଳନ ଅଭ୍ୟାସ ବଶତଃ ଚାରୁଲତା କବାଟ ବନ୍ଦ କରି ଚା’ ତିଆରି ପାଇଁ ରୋଷେଇ ଘରକୁ ଚାଲିଗଲେ । ଏପଟେ ଦେବେନ୍ଦ୍ର ସୁଯୋଗ ଅପେକ୍ଷାରେ ଥାଆନ୍ତି ତୋଡ଼ାଟିକୁ କେମିତି ଧରାଇବେ ସ୍ତ୍ରୀକୁ । ରୋଷେଇ ଘରେ ସ୍ତ୍ରୀ ଭାବୁଥାନ୍ତି । ସେ ଫୁଲତୋଡ଼ା କାହିଁକି ଆଣିଛନ୍ତି ? କ’ଣ ସାହୁବାବୁଙ୍କର ଜନ୍ମଦିନ ଅଛି କି ? ଆଜି ତ ତାଙ୍କ ସ୍ତ୍ରୀ ଦେଖା ହୋଇଥିଲେ ମୋର । କାହିଁ କିଛି ତ କହୁ ନଥିଲେ । ତାହାଲେ କ’ଣ ପାଇଁ ଆଣିଛନ୍ତି ? ଚା’ରେ ଚିନି ଗୋଳାଉ ଥା’ନ୍ତି ଦେବେନ୍ଦ୍ର ତୋଡ଼ାଟିକୁ ଧରି ଅତି ନିକଟରେ ଠିଆ ହେଲେ । ତତ୍‌କ୍ଷଣାତ୍ ଗୋଲାପ ଫୁଲର ଆକର୍ଷଣୀୟ ତୋଡ଼ାଟିକୁ ବଢ଼ାଇ ଦେଲେ ସ୍ତ୍ରୀଙ୍କ ହାତକୁ । କହିଲେ “ଚାରୁ ନିଅ ଦେଖିଲ କେତେ ସୁନ୍ଦର ହୋଇଛି । ଏତେ ସୁନ୍ଦର ଦିଶୁଛି ଯେ ଠିକ୍ ତୁମ ପରି ।” ହଠାତ୍ କିଛି ବୁଝିପାରିଲେନି ଚାରୁ । ତୋଡ଼ାଟିକୁ ହାତରେ ଧରି ସ୍ୱାମୀଙ୍କ ମୁହଁକୁ ପ୍ରଶ୍ନିଳ ଆଖିରେ ଚାହିଁଲେ । ଆରେ ଏମିତି ଦେଖୁଛ କ’ଣ ? ଚା’ ଆଣି ଆସ ଟିଭି ପାଖକୁ ପିଇବା । ଚାରୁ ତୋଡ଼ାଟିକୁ ଡ୍ରେସିଂ ଟେବୁଲ୍ ଉପରେ ରଖି ଚା’ ଦୁଇ କପ୍ ଧରି ଟିଭି ପାଖକୁ ଗଲେ । ଦୁଇଜଣ ଚା’ ପିଇଲେ । ନିରବରେ କିଛି ସମୟ କଟିଗଲା । କେହି କାହାକୁ କିଛି କହିଲେ ନାହିଁ । ଦୁହେଁ ଭିନ୍ନ ଭିନ୍ନ ଭାବନା ରାଜ୍ୟରେ ବୁଲୁଥାନ୍ତି । ଚା’ ପିଇବା ସାରି ଅସ୍ଥିର ମନରେ ଚାରୁ ରୋଷେଇ ଘରକୁ ଚାଲିଆସିଲେ । ସ୍ଥିର ଥିବା ପାଣିକୁ ଟେକାଟିଏ ପକାଇଲେ ଯେମିତି ଲହରୀ ଉଠେ ସେମିତି ଚାରୁଲତାଙ୍କ ମନ ମଧ୍ୟରେ ଅଭିମାନର ଲହରୀ ଆସି ହୃଦୟରେ ଧକ୍କା ଖାଉଥାଏ । ଦୀର୍ଘଦିନର ଦୁଃଖର ବରଫ ପାହାଡ଼ । ଏଇ କିଞ୍ଚିତ ଉଷ୍ମତା ବ୍ୟବହାରରେ ତରଳିବାକୁ ଲାଗିଲା । ଅମାନିଆ ଲୁହଧାର ଦୁଇଗାଲ ଦେଇ ତଳକୁ ଖସିବାରେ ଲାଗିଲା । ମନ ଭିତରେ ଅଭିମାନର ବହ୍ନି ଜଳିବାକୁ ଲାଗିଲା । ଭୁଲିପାରୁନଥିଲେ ଅତୀତର ଦୁଃଖ ଅପମାନକୁ । ସଦ୍ୟ ଘଟିଥିବା ଅପମାନର ଖୁବ୍ କଷ୍ଟ ପାଇଥାନ୍ତି । ସୋମେଶର ବାହାଘର ସମୟରେ ଦେବେନ୍ଦ୍ରଙ୍କ ପାଇଁ ମାନ ସମ୍ମାନ ସବୁ ହରାଇଛନ୍ତି । କେମିତି ଭୁଲିବେ ? ବୋହୂ ବାଛିବାର ଅଧିକାର ମିଳିଲା ନାହିଁ । ମଧ୍ୟସ୍ଥି କହିଲେ “ମାଡ଼ାମ ଯାଇ ଥରେ ତାଙ୍କ ବୋହୂକୁ ଦେଖି ଆସନ୍ତୁ ।” ଦେବେନ୍ଦ୍ର ସିଧାସିଧା ମନା କରିଦେଲେ କହିଲେ “ସେ କ’ଣ ଜାଣିଛି ଯେ ବୋହୂ ଦେଖି ପସନ୍ଦ କରିବ !” କଥା ସେତିକିରେ ସରିଲାନି । ନିର୍ବନ୍ଧ ଦିନ ସବୁ ବନ୍ଧୁବାନ୍ଧବଙ୍କ ସାମ୍ନାରେ କହିଲେ କ’ଣ ନା, “ମୁଁ କୁଆଡ଼େ ବୋହୂ ଚଳେଇବାକୁ ଅଯୋଗ୍ୟା ।” ଏକଥା ଶୁଣି ନଣନ୍ଦମାନେ ହସିଲେ । ତୁଣ୍ଡ ବାଇଦ ସହସ୍ର କୋଶ । ମୋର ଏ ଘରେ ମାନ ସମ୍ମାନ କ’ଣ, ସମସ୍ତେ ଜାଣିଲେ । ତା’ର ପ୍ରମାଣ ପାଇଗଲି, ବୋହୂ ଆଣିଥିବା ଶାଶୁ ଶାଢ଼ୀରୁ । ପୁଅ ଘରର ଲୁଗାପଟା ଚିଠା ଅନୁସାରେ ସମସ୍ତଙ୍କ ପାଇଁ ପ୍ରାୟ ଠିକ୍‌ଠାକ୍ ଆସିଥାଏ । କିନ୍ତୁ ଯେଉଁ ଶାଢ଼ୀରୁ ଶାଶୁ ଲେଖାଥିବା କାଗଜ ଖଣ୍ଡେ ବାହାରିଲା । ତାକୁ ଦେଖି ମୋ ପିଉସୀ ଶାଶୁ, ନଣନ୍ଦ, ଭାଣିଜୀମାନେ ମୁରୁକେଇ ମୁରୁକେଇ ହସିଲେ । ସାହୁବାବୁଙ୍କ ସ୍ତ୍ରୀ ତ ମୁହେଁ ମୁହେଁ କହିଲେ, “ଏଇଟା ତାହାଲେ ଶାଶୁଶାଢ଼ୀ । କାମବାଲୀ ପିନ୍ଧିଲା ପରି ହୋଇଛି ।” କମ୍ ଅପମାନ ପାଇନାହାନ୍ତି ସେଦିନ । ରାତିସାରା ଶୋଇ ପାରିନାହାନ୍ତି । ଲୁହରେ ତକିଆ ଭିଜିଛି । କହିବେ କାହାକୁ ? ଆପଣା ସୁନା ତ ଭେଣ୍ଡି । ଏ ପର୍ଯ୍ୟନ୍ତ ସେ ଶାଢ଼ୀ ଆଲମିରାରେ ଥୁଆ ହୋଇଛି । ଯେତେଥର ନଜରରେ ପଡୁଛି । ସେତେଥର ଭାଗ୍ୟକୁ ନିନ୍ଦୁଛି । କହିଲେ କ’ଣ ନା ମୁଁ ବୋହୂ ଚଳେଇବାକୁ ଅଯୋଗ୍ୟା ! ନିରବତା ହିଁ ଶ୍ରେଷ୍ଠ ନୀତିରେ ଚୁପ୍ ରହିଛି । ଚୁପ୍ ରହିଛି ଆଜି ନୁହେଁ ଏ ଘରକୁ ବୋହୂ ହୋଇ ଆସିବା ଦିନରୁ । ମନରେ କୋହ, ଆଖିରେ ଲୁହ । ଲୁହ ଢୋକି ଢୋକି ତିଆରି କରୁଥାନ୍ତି ରୁଟି, ତରକାରୀ । ଦେବେନ୍ଦ୍ର ଡାକିଲେ “ଚାରୁ ଖାଇବା ଆଣ ଭୋକ ଲାଗିଲାଣି ।” ସ୍ତ୍ରୀ କିଛି ଉତ୍ତର ଦେଲେନି । କିଛି ସମୟ ପରେ ଖାଇବା ଟ୍ରେ’ ଧରି ପହଞ୍ଚିଲେ, ଟେବୁଲ୍ ଉପରେ ରଖିଲେ । କାନ୍ଦି କାନ୍ଦି ଆଖି ଲାଲ୍ । କୋହ ମଧ୍ୟ କମି ନ ଥାଏ । ଦେବେନ୍ଦ୍ର ବୁଝିପାରିଲେ ସ୍ତ୍ରୀଙ୍କର ମନ ବେଦନାକୁ । ମୁହଁ ଆଇନାର ମନର ଅବସ୍ଥାକୁ ଠିକ୍ ବୁଝିହୁଏ । ସ୍ତ୍ରୀଙ୍କ ହାତଧରି ପାଖ ଚୌକିରେ ବସାଇ ଦେଲେ, ଆଖିରୁ ଲୁହ ପୋଛି ଦେଲେ ଦେବେନ୍ଦ୍ର । ଲୁହ ଶୁଖିବ କ’ଣ ସ୍ୱାମୀଙ୍କ ହାତର ସ୍ପର୍ଶରେ ଅଧିକରୁ ଅଧିକ ବୋହିଲା । ଅନେକ ଦିନର ଦୁଃଖ, ଅପମାନ, ଅଭିଯୋଗ ସବୁତକ ଲୁହ ହୋଇ ବୋହିଗଲା । ଦେବେନ୍ଦ୍ର ବୁଝାଇବାକୁ ଲାଗିଲେ “ଚାରୁ ଏ ଚାରୁ ସ୍ଥିର ହୁଅ । ମନକୁ ସାନ୍ତ୍ୱନା ଦିଅ । ମୋ ମୁହଁକୁ ଚାହିଁ ଦେଖ । ମୁଁ ତ ବହୁତ କିଛି ହରାଇଛି । ମୋ ବ୍ୟବହାରରେ ଅତିଷ୍ଠ ହୋଇଛ ତୁମେ । ସେଥିପାଇଁ ମୁଁ ଅନୁତପ୍ତ । ବ୍ୟବହାର ପରକୁ ଆପଣା କରେ । ଆପଣା ଲୋକଙ୍କୁ ପର କରିଦିଏ । ହୃଦୟ ଆଉ ଶରୀରର ଯେତେ ସବୁ ବିୟୋଗାତ୍ମକ ଘଟଣା । ସେସବୁ ଶିଶୁମାନଙ୍କର କଣ୍ଢେଇ ଭାଙ୍ଗିଯିବା ପରି ନଗଣ୍ୟ ଘଟଣା । ଏଥର ମନରେ ହସିଦିଅ ଚାରୁ । ଦେଖିବ ଯେଉଁ ଯନ୍ତ୍ରଣାକୁ ଅଭିଶାପ ବୋଲି ମନେ କରୁଥିଲ । ତାହା ଆଶୀର୍ବାଦରେ ପରିଣତ ହୋଇଛି । ଆନ୍ତରିକ ଅନ୍ତରଙ୍ଗ ସରାଗ ଶୋଷି ନେବ ଆମ ଦୁହିଁଙ୍କର ସମସ୍ତ କ୍ଳାନ୍ତି । ବିବାହ ସାତ ଜନ୍ମର । ମୁଁ ତୁମର ଆବଶ୍ୟକତା ଅନୁଭବ କରୁଛି । ଗତସ୍ୟ ଶୋଚନା ନାସ୍ତି । ଉଠ, ଉଠ ତୁମ ଖାଇବା ଆଣ, ଖାଇବା ବହୁତ ଭୋକ ।” ଦେବେନ୍ଦ୍ରଙ୍କ ଏହି ସାନ୍ତ୍ୱନା ବାକ୍ୟ ଶୁଣି ଚାରୁ ନିଜ ହାତରେ ନିଜ ଲୁହ ପୋଛି ଦେଲେ । ଲୁହ ଶୁଖିଗଲା ବୋଧହୁଏ ସବୁଦିନ ପାଇଁ । ଉଠିଗଲେ ବେସିନ୍ ପାଖକୁ ଅନେକ ଦିନର ଦୁଃଖକୁ ଧୋଇ ଦେଲେ । ତଉଲିଆରେ ମୁହଁ ହାତ ପୋଛି ଏକ ଅଜଣା ଆନନ୍ଦ ମନରେ ଖାଇବା ଟ୍ରେ’ ଧରି ଆସିଲେ । ନିରବରେ ଖାଇବା ସାରିଲେ ଦୁଇଜଣ । ରାତ୍ରିର ମଧୁର ସମୟ କଟିଯିବା ପରେ ଆଜିର ସକାଳ ଚାରୁଲତାଙ୍କ ପାଇଁ ଅନେକ ନୂତନ ଆଶା ଓ ଆଲୋକ ଆଣି ଆସିଛି । ମନ ମଧ୍ୟରେ ଏକ ନିଆରା ଉଦ୍ଦୀପନା ଓ ଉନ୍ମାଦନା । ଓଃ କି ଅପୂର୍ବ ଆନନ୍ଦ ! ନିତ୍ୟକର୍ମ ସାରିଲା ମଧ୍ୟରେ ଦେବେନ୍ଦ୍ର ପ୍ରାତଃ ଭ୍ରମଣରୁ ଫେରିଲେ । ସ୍ୱାମୀ, ସ୍ତ୍ରୀ ଚା’ ପିଉଥାନ୍ତି । ଦେବେନ୍ଦ୍ର କହିଲେ, “ଚାରୁ ବୋହୂ ତୁମ ପାଇଁ ଯେଉଁ ଶାଢ଼ୀ ଆଣିଥିଲା ମୋତେ ଦେଖାଅ ।” ସଙ୍ଗେ ସଙ୍ଗେ ଚାରୁ ଆଲମିରାରୁ ଶାଢ଼ୀ ଆଣି ଦେବେନ୍ଦ୍ରଙ୍କ ହାତକୁ ଦେଲେ ସେ ଏପଟ ସେପଟ କରି ଶାଢ଼ୀଟିକୁ ଦେଖିଲେ । କିଛି ସମୟ ଚୁପ୍ ରହିବା ପରେ କହିଲେ, “ଠିକ୍ ଅଛି ଏଇଟା ମୋ ଆଲମିରାରେ ରଖିଦିଅ । ନୂଆଖାଇ ଛୁଟିରେ ସୋମେଶ ରୀତା ଆସିବେ । ମୁଁ ରୀତା ସାମ୍ନାରେ କାମବାଲୀ ଶାନ୍ତିକୁ ଏ ଶାଢ଼ୀ ଦେବି । ହଁ କହୁଥିଲି କି, କାମ ସାରିଥିବ । ଆଜି ସନ୍ଧ୍ୟାରେ ହସ୍ତତନ୍ତ ମେଳା ବୁଲିଯିବା । ମୋ ପସନ୍ଦର ଶାଢ଼ୀ ମୁଁ ମୋ ସ୍ତ୍ରୀକୁ ଦେବି ତ ! ସେଥିପାଇଁ. . .” ଚାରୁ ଖୁବ୍ ଜୋର୍‌ରେ ହସି ଉଠିଲେ । ହସି ହସି ରୋଷେଇ ଘରକୁ ଚାଲିଗଲେ । ସକାଳ ଜଳଖିଆ ତିଆରି ଉଦ୍ଦେଶ୍ୟରେ । ଆସ୍ୱସ୍ତ ହେଲେ ଦେବେନ୍ଦ୍ର ବାବୁ । ଦୀର୍ଘଦିନର ଅସ୍ୱସ୍ତିକର ମାନସିକ ଯନ୍ତ୍ରଣାରୁ ଅପ୍ରତ୍ୟାଶିତ ମୁକ୍ତି ପାଇଥିବାରୁ ।

ଲୋକପ୍ରିୟ ଲେଖା

To Top