ଗଳ୍ପ

ଟଗର ଫୁଲ

Subal Mohapatra's odia story Tagara Phula

ଏ ବାବୁ, ସାକାଲଟାରୁ ଏ ଫୁଲ କ୍ଷେତରେ ସୁଇଚୁ ଯେ ଆସି ୧୨ଟା ବାଜିଲାନ, ଆ ଖାଇବୁ, ବା ଆଜି କୁଟ୍ରା କେ ମାଉଁସ ଆନି ଥିଲା, ମୁଇଁ ତୋର ପାଇଁ ଘିନି କି ଆଇଚି । ନାଲି ଭାତ, ମାଉଁସ ଆର ହାଣ୍ଡିଆ ।

ଟଗର ଫୁଲ

ସତ୍ୟବ୍ରତ ଦାସ ଓରଫ୍ ସତ୍ୟବାବୁ, ବୟସ ୬୮ ବର୍ଷ । କୋରାପୁଟର କୌଣସି ଏକ ଅନାମ ଧନ୍ୟ ମୁଣ୍ଡାପଲ୍ଲୀରେ ନିଜର ହାତ ତିଆରି କୁଡ଼ିଆରେ ଅବସ୍ଥିତ । କୁଡ଼ିଆ ସାମ୍ନାରେ ନିଜର ହାତ ତିଆରି ବଗିଚା । ବଗିଚାରେ ବିଭିନ୍ନ ରଙ୍ଗର ଫୁଲ । ବଗିଚା ବିଶେଷ କରି ଟଗର ଫୁଲରେ ଭର୍ତ୍ତି । ଟଗର ଫୁଲ ପ୍ରତି ସତ୍ୟବାବୁଙ୍କର ବିଶେଷ ଆକର୍ଷଣ । ଆଗରୁ ନ ଥିଲା କିନ୍ତୁ ସ୍ତ୍ରୀଙ୍କ ମୃତ୍ୟୁ ପରେ ଆକର୍ଷଣ ବଢ଼ି ଯାଇଛି । ସେଥିପାଇଁ ତ ଭୁବନେଶ୍ୱରର ଚାକଚକ୍ୟ ଭରା ଦୁନିଆଁ ଛାଡ଼ି ସେ ପଳେଇ ଆସିଛନ୍ତି ଏ ମୁଣ୍ଡା ପଲ୍ଲୀକୁ, ଯେଉଁଠି ନଙ୍ଗଳା ପିଲା, ନଙ୍ଗଳା ଲୋକ ଆଉ କ’ଣ ଖାଇବିର ହାହାକାର । ଯେଉଁଠି ନା ଅଛି ଡାକ୍ତରଖାନା ନା ବସ୍ ଆଉ କାର୍‌ର ସୁବିଧା । ଯୁଆଡ଼େ ଯା’ ପାଦରେ ଚାଲିଚାଲି । ସବୁ ଆଡ଼େ ଜଙ୍ଗଲ ଆଉ ପାହାଡ଼ । ପିଇବାକୁ ଝରଣା ପାଣି । ଖାଇବାକୁ କେବେ ଭାତ ମିଳେ ତ କେବେ ଆମ୍ୱ ଟାକୁଆ ଜାଉ । ହାଣ୍ଡିଆ ପିଇବାରେ ସେ ଏତେ ଅଭ୍ୟସ୍ତ ହେଇ ଗଲେଣି । ଆଗରୁ ଭଲ ଲାଗୁ ନଥିଲା । କାହିଁ ବିଦେଶୀ ପାନୀୟ ଆଉ କାହିଁ ହାଣ୍ଡିଆ ।

କିଛି ମୁଣ୍ଡା ବାବୁ ବୋଲି ମାନନ୍ତି, କେବେ କେବେ ଜଙ୍ଗଲୀ ମାଉଁସ ଭାଗ୍ୟରେ ଜୁଟେ । କୁଟୁରା ଅବା ବାରହା । ସତ୍ୟବାବୁ ବି ସବୁ ବେଳେ ମୁଣ୍ଡାମାନଙ୍କୁ ସାହାଯ୍ୟ କରନ୍ତି । କେବେ କାହା ଦେହ ଖରାପ ତ କେବେ ମ୍ୟାଲେରୀ, ଔଷଧ ସବୁବେଳେ ପାଖରେ ଥାଏ । ଯମୁନା ବୋଲି ଝିଅଟିଏ ଆସି କ’ଣ ଦି’ଟା ଫୁଟେଇ ଦେଇ କି ଯାଏ । ଖାଇବାକୁ ତ ଏକୁଟିଆ ମଣିଷ । ବେଳେବେଳେ ଯମୁନା, ସତ୍ୟବାବୁଙ୍କ ଘରେ ଖାଇ କି ଯାଏ ଆଉ ତା’ ଘର ଲୋକଙ୍କ ପାଇଁ ନେଇ କି ବି ଯାଏ । ସପ୍ତାହରେ ଥରେ ହାଟ । ହାଟ ୧୫ କି.ମି. ଦୂର । ଯମୁନାର ବାପା ପଇସା ନେଇ କରି ଦିଏ । କେବେ କେବେ ସତ୍ୟବାବୁ ନିଜେ ଯାନ୍ତି । ଭଲ ମନ୍ଦ ଦେଖିକି ଗାଁ ଲୋକଙ୍କ ପାଇଁ ଆଉ ଯମୁନା ପାଇଁ କିଛି କିଛି ଚିଜ ନେଇ କି ଆସନ୍ତି । ଯମୁନାକୁ ଦେଖିଲେ ସ୍ତ୍ରୀ କଥା ମନେ ପଡ଼େ ସତ୍ୟବାବୁଙ୍କର । ନାଁ ସୁଶୀଳା । ଭାରି ଗୁଣର କିନ୍ତୁ ସତ୍ୟବାବୁଙ୍କୁ ଗୁଣ ଚିହ୍ନିବାକୁ ଲାଗିଗଲା ୪୦ ବର୍ଷ । ଗୁଣ ଚିହ୍ନିଲା ବେଳକୁ ସୁଶୀଳା ଆଉ ଇହଧାମରେ ନାହାନ୍ତି ।

ଦିନଥିଲା ସତ୍ୟବାବୁ ଥିଲେ ଓଡ଼ିଶାର ନାମ କରା ଇଞ୍ଜିନିଅର୍ । ପଇସା ଯାହାକୁ ଯେତେ । ଖାଇ ପିଇ ଫିଙ୍ଗିଲେ ବି ସରିବନି । ମଦ, ମାଂସ, ନାରୀ ଥିଲା ତାଙ୍କ ଜୀବନ । ୨୩ ବର୍ଷରେ ସେ ଚାକିରୀ କଲେ, ୨୪ରେ ବାହାଘର । ବାହା ହେଇ ନୂଆ ନୂଆ ଘରକୁ ଆସିଥାନ୍ତି ସୁଶୀଳା । ସମସ୍ତଙ୍କୁ ନିଜର କରିବାର କଳା ତାଙ୍କୁ ଜଣାଥିଲା । ଶାଶୁ, ଶଶୁର, ଦିଅର, ନଣନ୍ଦ ସମସ୍ତେ ନିଜର । ସେମାନେ ବି ସୁଶୀଳାକୁ ଦଣ୍ଡେ ନ ଦେଖିଲେ ରହିପାରନ୍ତିନି । ସୁଶୀଳା କିନ୍ତୁ ନିଜ ସ୍ୱାମୀକୁ ନିଜର କରି ପାରିଲେନି । ସତ୍ୟବାବୁ ତାଙ୍କ ଗାଁରେ ଏକ ମାତ୍ର ଇଞ୍ଜିନିଅର ହିସାବରେ ତାଙ୍କର ଗର୍ବ ଯେ କାହିଁରେ କ’ଣ । ସିଭିଲ୍ ଇଞ୍ଜିନିଅର୍ ସେ । ମାସକୁ ଟ.୫୦୦୦୦ଙ୍କା ରୋଜଗାର ତାଙ୍କର । ସେତେବେଳେ ଟଙ୍କା ୧୦୦୦ରେ ପୁରା ପରିବାର ମାସେ ଚଳୁଥିଲେ । ସେ କ’ଣ କାହା ବୋପାକୁ ଡରିଛନ୍ତି ।

ମାସକୁ ୨୫ ଦିନ ବାହାରେ କଟେ । ଆଜି ସାଇଟ୍ ଭିଜିଟ୍ ତ କାଲି ଅଫିସ୍ ମିଟିଂ । ସାଇଟ୍ ଭିଜିଟ୍‌ରେ ଉପୁରି ଭଲ ମିଳେ । କେବେ ପଇସା ତ କେବେ ଦାମୀ ଇଂରାଜୀ ମଦ ବୋତଲ । କେବେ କେବେ ହୋଟେଲ୍‌ରେ ନାରୀ ଶଯ୍ୟା ସଙ୍ଗିନୀ । ସେ ଏମିତି କେତେ ଯେ ଝିଅଙ୍କ ସହ ରାତି ବିତେଇଛନ୍ତି ତା’ର ହିସାବ ନାହିଁ । ସୁଶୀଳା କିନ୍ତୁ ଗାଁରେ ଥାଆନ୍ତି । ଗାଁରେ ତାଙ୍କ ଘର । ଯୁକ୍ତ ଦୁଇ ଯାଏ ପାଠ ପଢ଼ିଛନ୍ତି । କିନ୍ତୁ ମଫୁ ବୋଲି ସତ୍ୟବାବୁ ତାଙ୍କୁ କେବେ ବାହାରକୁ ନିଅନ୍ତିନି ।

ଏମିତି ଏମିତିରେ କଟି ଯାଏ ଜୀବନ । ସୁଶୀଳା କେବେ କିନ୍ତୁ ଅଭିଯୋଗ କରିନାହାନ୍ତି । ୪୦ ବର୍ଷ ବୟସରେ ଥରେ ମାତ୍ର କହିଥିଲେ ଏବେ ଏସବୁ ଛାଡ଼ । ପୁଅ ୨ ଜଣ ହେଲେଣି । କ’ଣ ଭାବିବେ ସେମାନେ । କିନ୍ତୁ ଠୋ’ ଠୋ’ ହସରେ ଉଡ଼େଇ ଦେଇଥିଲେ ସେ । ଇଞ୍ଜିନିଅର୍ ସତ୍ୟବ୍ରତ ଦାସର ପୁଅ ଏମାନେ । ଏସବୁ ଏବେଠୁ ଶିଖିବେନି ତ ବଡ଼ ହେଲେ କ’ଣ ଅଫିସର ଆଗରେ କୋଲଡ଼ ଡ୍ରିଂକ୍ସ ଧରିକି ପାର୍ଟିରେ ବୁଲିବେ । ଏବେଠୁ ସବୁ ଶିଖିବା ଦରକାର । ମୋ ପୁଅ ସେମାନେ । ପରେ ଥରେ ଅଧେ ସେ ବି ଭାବିଛନ୍ତି ଏକଥା କିନ୍ତୁ ପରେ ପୁଣି ଯେଉଁ କଥାକୁ ସେଇ କଥା । ଚାଳିଶି ପରା ଯୌବନର କାଳେସି । ଏତେଦିନର ଅଭ୍ୟାସ କ’ଣ ଏମିତି ଛାଡ଼ିଯିବ ।

ସେ ଗୋଲାପ ଫୁଲକୁ ସବୁ ବେଳେ ଭଲପାନ୍ତି । ଗୋଲାପ ହେଲା ଗୋଟେ ଫୁଲ ଯାହାର ବାସନା ଅଛି । ସେ ବାସନା ସମସ୍ତଙ୍କୁ ଆତ୍ମବିଭୋର କରିଦିଏ । ଗୋଲାପ ପାଖକୁ ଭଅଁର ବେଶି ଯାଆନ୍ତି । ପ୍ରେମିକ ପ୍ରେମିକାରଙ୍କର ତ ଜୀବନ ଗୋଲାପ । ଗୋଲାପ ହେଲା ପ୍ରେମର ପ୍ରତୀକ । ସେଥିରେ ପୁଣି ଲାଲ୍ ଗୋଲାପ ତାଙ୍କର ଭାରି ପସନ୍ଦ । ସୁଶୀଳା କିନ୍ତୁ ଭଲପାନ୍ତି ଟଗର ଫୁଲକୁ । ହେଃ, ଟଗର ଗୋଟେ ଫୁଲରେ ଗଣା । ନା ରଙ୍ଗ ଅଛି ନା ଅଛି ମାଦକତା । ନା ବାସ୍ନା ଅଛି ନା ଅଛି ପ୍ରେମର ଗଭୀରତା । କେତେ ନିରଠା ଲୋକ ସୁଶୀଳା । ପ୍ରେମ ଜଣାନାହିଁ । ଯେତେବେଳେ ଦେଖ ଖାଲି କାମ ଆଉ କାମ । ସେଥିପାଇଁ ତ ଘରକୁ ଯିବାକୁ ଇଚ୍ଛା ହୁଏନି । ସବୁ କାମ ସାରି ବେଡ୍ ରୁମ୍‌କୁ ଆସିଲା ବେଳକୁ ରାତି ୧୨ । ସେତେବେଳକୁ ତ ଗାଁରେ ଛୁଆମାନେ ଆଉ ଥରେ ଉଠନ୍ତି ଖାଇବା ପାଇଁ । ପୁଣି ରାତି ୪ଟାରୁ ସୁଶୀଳା ଉଠିକି ଯିବ ଗାଧେଇବା ପାଇଁ । କୁଳବଧୂମାନେ କୁଆଡ଼େ ସୂର୍ଯ୍ୟୋଦୟ ପୂର୍ବରୁ ମାଛି ଅନ୍ଧାରରୁ ପୋଖରୀରେ ଗାଧୋଇ କି ଆସିବେ । କିଏ ଏତେ ସବୁ ମାନୁଛି ଆଜି କାଲି । ସ୍ୱାମୀକୁ ଦେବା ପାଇଁ ଯଦି ଟିକେ ସମୟ ନାହିଁ ସ୍ତ୍ରୀ ପାଖରେ ତେବେ ଘରକୁ ଆସିବା ହିଁ ବେକାର । ୟା’ ଠୁ ତ ସେଇ ହୋଟେଲ୍ରେ କଲ୍‌ଗାର୍ଲମାନେ ଭଲ । କମ୍ ସେ କମ୍ ଆଠ ଘଣ୍ଟା ତ ତମ ପାଖରେ ରହିବେ । ଚାହିଁଲେ ପୁରା ଦିନ ଆଉ ରାତି ବି ରହିବେ । ଖାଲି ପଇସା ଟିକେ ଅଧିକା ।

ଥରେ କହୁ କହୁ ସେ ସୁଶୀଳାକଙ୍କୁ କହି ଦେଲେ, “ତମ ପରିକା ନିରଠା ଲୋକ ମୁଁ କେଉଁଠି ବି ଦେଖିନି । ସବୁବେଳେ ଖାଲି କାମ । ସେଥିରେ ପୁଣି ଭଲପାନ୍ତି ଟଗର ଫୁଲକୁ । ଛିଃ, କି ବାଜେ ଚୟେସ୍ ତମର ।” ସେଦିନ ସୁଶୀଳା କହିଥିଲେ, “ଗୋଲାପକୁ ଦେଖିଲେ ସିନା ପ୍ରେମିକା କଥା ମନେ ପଡ଼େ, କିନ୍ତୁ ସେସବୁ କ୍ଷଣସ୍ଥାୟୀ । ଟଗର ଫୁଲକୁ ଦେଖିଲେ ମନେପଡ଼େ ଭଗବାନଙ୍କ କଥା । ତାଙ୍କ ପାଦ ତଳେ ମୋ ମନ ସବୁବେଳେ ଥାଉ । ଆଉ ଭୁଲିଯାଅନି ଯେ ମୋ ଭଗବାନ ହେଲ ତୁମେ । ତୁମ ପାଦ ତଳେ ମୋ ମନ ସବୁବେଳେ ଥାଉ । ତୁମ ବାପା ମା’ ଯିଏ ତୁମକୁ ଜନ୍ମ ଦେଇଛନ୍ତି ସେମାନଙ୍କ ସେବା ମୁଁ କରୁଥାଏ । ତୁମେ ଯେଉଁଠି ବି ଥାଅ ଭଲରେ ଥାଅ ।”

ବାପା ମା’ଙ୍କ ସେବାରେ ସୁଶୀଳା କେବେ ଅବହେଳା କରି ନାହାନ୍ତି । ସତ୍ୟବାବୁ ତ ଜାଣି ବି ନାହାନ୍ତି ବାପା ମା’ଙ୍କ ସେବା କ’ଣ ? ଥରେ ଏଇ ଗାଁରେ ଗୋଟେ ୧୧ କେ.ଭି. ବିଦ୍ୟୁତ ଲାଇନ୍ ଯିବାର ଥିଲା । ଖାଇବା ରହିବାରେ ଅସୁବିଧା ହେଲା ବୋଲି ବାପା ମା’ଙ୍କୁ କହି ସୁଶୀଳାକୁ ଆଣିବାକୁ ଚାହିଁଲେ, କିନ୍ତୁ ସୁଶୀଳା ଆସିବାକୁ ମନା କଲେ । ବାପା ମା’ଙ୍କୁ ଖାଇବା ପିଇବାରେ ଅସୁବିଧା ହେବ ବୋଲି । ସେବେଠୁ ସେ ସୁଶୀଳାଙ୍କୁ କେବେ ବି ନେଇ ନାହାନ୍ତି କୁଆଡ଼େ । ଏବେ ୬୮ବର୍ଷ ବୟସରେ ସେ ବୁଝି ପାରୁଛନ୍ତି ବାପା ମା’ଙ୍କର କ’ଣ ଦରକାର ଥିଲା ! ଆଉ କ’ଣ ପାଇଁ ସୁଶୀଳା ମନା କଲେ ଆସିବା ପାଇଁ । ଏବେ ସୁଶୀଳା ନାହାନ୍ତି । ପୁଅ ଦି’ଜଣ ତାଙ୍କ ସ୍ତ୍ରୀ, ପିଲା ଛୁଆ ଧରି ବାହାରେ । ଜଣେ ଆମେରିକାରେ ତ ଜଣେ ଲଣ୍ଡନରେ । ବୋହୂମାନେ ଶଶୁରର ସେବା କରିବାକୁ ମନା କରିଦେଲେ । ସିଧା ସିଧା ଶୁଣେଇ ଦେଲେ, ଯଦି ଆମକୁ ସାଙ୍ଗରେ ନବ ନିଅ ନ ହେଲେ ଆମେ ବାପ ଘରେ ରହିବୁ । ଏଠି ବୁଢ଼ାର ସେବା କରିବାକୁ ଆମେ ତମକୁ ବାହା ହେଇ ନଥିଲୁ । ପିଲାମାନେ ବି ନାଚାର । ସେଥିପାଇଁ ତ ସତ୍ୟବାବୁ ଭୁବନେଶ୍ୱର ଛାଡ଼ି ଏଠିକୁ ଚାଲିଆସିଲେ । ଏଇଟା ଦିନେ ଥିଲା ତାଙ୍କ କର୍ମ ଭୂମି । ବର୍ଷେ କାଳ ସେ ଏଠି ରହି କି କାମ କରେଇଛନ୍ତି । କିନ୍ତୁ ସେତେବେଳେ ଏ ଜାଗା ଭଲ ଲାଗୁ ନଥିଲା । ପ୍ରତି ୧୦ ଦିନ ଅନ୍ତରରେ ସେ ଜିପ୍ ନେଇ ସହରକୁ ଯାନ୍ତି ଆଉ ସେଠୁ ପେଟି ପେଟି ମଦ ବୋତଲ ନେଇ କି ଆସନ୍ତି ଏଠି ମିଳେନି ବୋଲି । ଖାଇବାରେ ଅସୁବିଧା ବୋଲି ଗୋଟେ ରୋଷେଆ ବି ସାଙ୍ଗରେ ଥାଏ । ଯୁଆଡ଼େ ଗଲେ କମ୍ପାନୀ ଜିପରେ । ଗୋଡ଼ ତଳେ ଲାଗେନି । ଏବେ ସେସବୁ ଜୀବନ ଛିଃ ଲାଗୁଚି । ଅପର୍ଯ୍ୟାପ୍ତ ପଇସା ଅଛି ତାଙ୍କ ପାଖରେ କିନ୍ତୁ ଆଉ ସେ ବେଳ ମନ ନାହିଁ । ଘୃଣା ଆସିଗଲା ଜୀବନ ପ୍ରତି, ଯେଉଁଦିନ ବଡ଼ ବୋହୂ ତାଙ୍କ ଖାଇବା ଥାଳିରେ ପାଣି ଭର୍ତ୍ତି କରିଦେଲା ପୁଅ ସହ ପାଟି କରି । କଥା ଏତିକି ଥିଲା ଯେ ବଡ଼ପୁଅ କ’ଣ କାମ ଥିଲା ଚେନ୍ନାଇରେ ଆଉ ସେ ବୋହୂକୁ ନ ନେଇ ଏକା ଚାଲିଗଲା । ଫୋନ୍‌ରେ ଯେତେ ପାରେ ଗାଳି କଲା ପୁଅକୁ ଆଉ ରାଗରେ ଆସି ଖାଇବା ଥାଳିରେ ପାଣି ଢାଳି ଦେଲା । ସେଇ ଦିନ ହିଁ ସେ ନିଷ୍ପତ୍ତି କଲେ ଘର ବୃଦ୍ଧାଶ୍ରମକୁ ଦାନ କରି କେଉଁ ଗୋଟେ ଜାଗାକୁ ପଳେଇବେ ଯେଉଁଠି ତାଙ୍କୁ କେହି ଚିହ୍ନି ନ ଥିବେ କି ଜାଣି ନଥିବେ ।

ଏଠିକୁ ଆସିବା ବର୍ଷେ ହୋଇଗଲା । ସୁଶୀଳା ଯେ ଗୋଟେ ଦେବୀ ଥିଲେ ସେ ଏବେ ବୁଝି ପାରୁଛନ୍ତି । କେବେ ବି ସେ ସମ୍ମାନ କରି ନାହାନ୍ତି ତାଙ୍କୁ । ସବୁବେଳେ ମିଛ ଆଉ ଧୋକା । ଆଉ କିଛି ବି ଦେଇ ନାହାନ୍ତି ସେ ସୁଶୀଳାଙ୍କୁ । ବାପା ମା’ଙ୍କ ସେବା ତାଙ୍କର ଦାୟିତ୍ୱ । ପିଲାଙ୍କ ଦାୟିତ୍ୱ ତାଙ୍କର । ଦିଅର, ନଣନ୍ଦଙ୍କ ଦାୟିତ୍ୱ ତାଙ୍କର । ସତ୍ୟବାବୁ ଖାଲି ପଇସା ପଠେଇ ଦିଅନ୍ତି । ଚାକିରୀ ସରିବା ବେଳକୁ ବାପା ମା’ ଆର ପାରିରେ । ସୁଶୀଳାଙ୍କୁ ଜରାୟୁ କ୍ୟାନ୍ସର୍ । ଥରେ ଦି’ଥର ଡାକ୍ତର ପାଖକୁ ଯିବାକୁ କହିଥିଲେ ସୁଶୀଳା କିନ୍ତୁ ତାଙ୍କ ଅବହେଳା ଯୋଗୁଁ ଡାକ୍ତର ପାଖକୁ ଗଲେ ଲାଷ୍ଟ୍ ଷ୍ଟେଜ୍‌ରେ ଆଉ ୬ ମାସ ପରେ ସୁଶୀଳା ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ । ସେଥିପାଇଁ ନିଜକୁ ଦାୟୀ କରନ୍ତି ସତ୍ୟବାବୁ ।

ସୁଶୀଳାଙ୍କ ସ୍ମୃତିରେ ସେ ତିଆରି କରିଛନ୍ତି ଟଗର ବଗିଚା ଆଉ ଗୋଟେ ଚାଳ ଘର ନିଜ ହାତରେ । ଦରକାର ନାହିଁ ତାଙ୍କର କୋଠା ଘର କି ସେ ପଇସାର ଶେଜ । ଦରକାର ନାହିଁ ସେ ପୁଅ ବୋହୂ ବା ବୋହୂର ହାତ ପରସା । ଏଠି ଶାନ୍ତି ଅଛି, ସ୍ମୃତି ସବୁ ମନେ ପକେଇବାକୁ ସମୟ ଅଛି, ପାହାଡ଼ ଅଛି, ନଦୀ ଝରଣାର କୁଳୁକୁଳୁ ନାଦ ଅଛି, ଅଛି ପ୍ରକୃତିରେ ସୌନ୍ଦର୍ଯ୍ୟ । ଆଉ ଅଛି ଭଲ ପାଇବା, ମଣିଷ ପଣିଆ, ଭାଇଚାରା । ଗାଁ ଯେ ଏତେ ସୌନ୍ଦର୍ଯ୍ୟରେ ଭରା ସେ ଜାଣି ନଥିଲେ । ଏଇ ଗାଁକୁ ସେ ଘୃଣା କରୁଥିଲେ ଆଉ ଆଜି ଏଇ ଗାଁକୁ ଭଲ ପାଇ ବସିଛନ୍ତି । ନାହିଁ ଏଠି ମଣିଷର ମୌଳିକ ସୁବିଧା । ନା ଅଛି ଡାକ୍ତରଖାନା, ନା ଅଛି ଖାଇବାକୁ ଟଙ୍କାକିଆ ଚାଉଳ, ନା ମୁଣ୍ଡ ଗୁଞ୍ଜିବାକୁ ଅଛି କୋଠା ବାଡ଼ି । କିନ୍ତୁ ଅଛି ଏଠି ଜୀବନ, ଜୀବନ ଜୀଇଁବାର ଶକ୍ତି ଆଉ ସତେଜତା ।

ବଣ୍ଡ ପେପରରେ ତାଙ୍କ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ସେ ଯମୁନା ନାଁରେ କରି ଦେଇଛନ୍ତି । ପେପରରେ ଦସ୍ତଖତ କରୁ କରୁ କେତେବେଳେ ଯେ ସେ ଶୋଇ ପଡ଼ିଛନ୍ତି ଜଣାନାହିଁ । ଯମୁନାର ଡାକରେ ନିଦ ଭାଙ୍ଗିଲା । ସେ କହୁଥିଲା, “ଏ ବାବୁ, ସାକାଲଟାରୁ ଏ ଫୁଲ କ୍ଷେତରେ ସୁଇଚୁ ଯେ ଆସି ୧୨ଟା ବାଜିଲାନ, ଆ ଖାଇବୁ, ବା ଆଜି କୁଟ୍ରା କେ ମାଉଁସ ଆନି ଥିଲା, ମୁଇଁ ତୋର ପାଇଁ ଘିନି କି ଆଇଚି । ନାଲି ଭାତ, ମାଉଁସ ଆର ହାଣ୍ଡିଆ ।” ସେ କିନ୍ତୁ ଜାଣିନଥିଲା ଯେ ସେ ଆଜି ଏକ କୋଟି ୭୦ ଲକ୍ଷ ଟଙ୍କାର ମାଲିକାଣି ।

ଲୋକପ୍ରିୟ ଲେଖା

To Top