ଗଳ୍ପ

ତଳ ବରଡ଼ା

ତମେ ଦି’ଜଣ ଗଲା ବେଳକୁ ବାପାଙ୍କୁ ସାଙ୍ଗରେ ନେଇଯାଅ । ସେଠି ସହର ବଜାର ଜାଗା ।

ତଳ ବରଡ଼ା

ସେ ଦିନ ଥାଏ ଶୁକ୍ରବାର । ସ୍କୁଲର ସବୁ କାମ ସାରି ଘରେ ପହଞ୍ଚିଲା ବେଳକୁ ପ୍ରାୟ ସାଢ଼େ ପାଞ୍ଚଟା ବାଜି ଯାଇଥାଏ । ଖୁବ୍ ଥକି ପଡ଼ିଥାନ୍ତି ମିତାଲି । ଗୁଡ଼ାଏ ଫାଇଲ୍ କାମ ସାଙ୍ଗକୁ ନିହାତି କମ୍‌ରେ ତିନୋଟି ପିରିୟୋଡ଼ ପଢ଼ାଇବାକୁ ଥିଲା ସେଦିନ । ଗତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ବେଳେ କିଛି ଅସାମାଜିକ ଲୋକେ ସ୍କୁଲ ପଛ ପାଖରେ ପୁରୁଣା ପାଚେରୀଟାକୁ ଭାଙ୍ଗିଦେଇ ଯେଉଁ ଅସମ୍ଭାଳ ଅବସ୍ଥା କଲେ, ଏଥର ଯେମିତି ତାର ପୁନରାବୃତ୍ତି ନ ହେଉ ଚିନ୍ତାକରି ପାଚେରୀ କାମ କରିବାକୁ ପଡୁଛି । ତିନି ଦିନ ହେଲା କାମ ଲାଗିଛି ବୋଧେ ଆଉ ଗୋଟେ ଦିନରେ ସରିଯିବ । ଉପର ତଳ ହୋଇ ବାରମ୍ୱାର ଯିବା ଆସିବା କରିବା ସାଙ୍ଗକୁ ମୂଲିଆ ମିସ୍ତ୍ରୀ କାମସାରି ମଜୁରୀ ବାବଦକୁ ଦସ୍ତଖତ ରଖି ଟଙ୍କା ଦେବାକୁ ପଡ଼ିଲା । ସରକାରୀ କାମ । ସବୁଥିରେ ଅଫିସ୍ ଅର୍ଡର, ପୁଣି ଫାଇଲ୍ ଚାଷ । ମନେ ମନେ ଭାବିଛି ମିତାଲି । ଘରକୁ ଗଲେ ଚା କପେ ପିଇ ଘଣ୍ଟାଟେ ଆଗ ଶୋଇବ, ତା’ପରେ ଆଉ ଯାହା !

ଗେଟ୍ ଡେଇଁ ଡ୍ରଇଂରୁମ୍ ଭିତରକୁ ପଶିଗଲା ବେଳକୁ ତାଙ୍କ ଆଗରୁ ଆସି ବିବେକ ସୋଫାରେ ବସିଛନ୍ତି । ପୋଷାକ ବଦଳା ଯାଇନି କି ପାଦରୁ ଜୋତା ମୋଜା ବି କଢ଼ା ଯାଇନି । ହାତରେ ମୋବାଇଲ୍ କାହା ସହ କଥା ହେବାକୁ ନମ୍ୱର ଲଗାଉଥିଲେ ବୋଧେ ! ମିତାଲିଙ୍କ ଉପରେ ନଜର ପଡ଼ିଗଲାରୁ ମୋବାଇଲ୍‌କୁ ବନ୍ଦ କରି ମୁହଁରେ ଖୁବ୍ ବିରକ୍ତି ଫୁଟାଇ କହିଲେ, “ଆଜି କଲିକତା ସ୍କୁଲଗୁଡ଼ାକ ସନ୍ଧ୍ୟା ଯାଏ ଚାଲିଲାଣିନା କ’ଣ ? ନା ଘରକୁ ଆସିବାକୁ ମନ ହେଉନି ?”

ମୁଣ୍ଡ ଉପରକୁ ପିତ୍ତ ଚଢ଼ିଗଲା ମିତାଲିଙ୍କର । କ’ଣ ଭାବନ୍ତି ପୁରୁଷଗୁଡ଼ାକ ଆଜିକାଲି ଶିକ୍ଷକ ଚାକିରୀକୁ, ନିଜ ସ୍ତ୍ରୀକୁ ବି ! ତମେ କେତେବେଳେ କେଉଁଠିକି ଯାଉଛ ନା ମୁଁ ତମକୁ ଏମିତି ବାଜେ ପ୍ରଶ୍ନ ପଚାରୁଛି ନା ସେ ସବୁର ଉତ୍ତର ତମେ ଦେଇଦେବ ! ଅଥଚ ଚବିଶ ପଚିଶ ବର୍ଷର ବିବାହିତ ଜୀବନରେ ଏପରି ଅବାନ୍ତର ପ୍ରଶ୍ନର ପାହାଡ଼ ଡେଇଁ କାହିଁକି ମୋତେ ଜୀଇବାକୁ ପଡୁଛି ? କ’ଣ ପାଇଁ ? ବେଶୀ ପାଇବାର ସାମର୍ଥ୍ୟ ଅଛି ? ବେଶୀ ଲୋକପ୍ରିୟତା ଅର୍ଜିଛି ?” ପରି ଅନେକ କଥା ତ ତଣ୍ଟି ଭିତରୁ ବାହାରି ଆସୁଥିଲା । ତଥାପି ମିତାଲି ଜାଣି ଜାଣି ଏ କଥାର କିଛି ଉତ୍ତର ନ ଦେଇ ନିଜ ବେଡ୍‌ରୁମ୍ ଭିତରକୁ ଚାଲି ଆସିଲେ । ପଚିଶ ବର୍ଷର ବିବାହିତ ଜୀବନ ପରେ ଗୋଟେ ନାରୀକୁ କ’ଣ ଚିହ୍ନିବାକୁ ତଥାପି ବାକି ରହିଯାଏ ? ଉତ୍ତର ପଇଁଚାଳିଶ ବର୍ଷର ଜଣେ ଶିକ୍ଷୟତ୍ରୀ, ମୁଖ୍ୟ ପଦବୀରେ ଅଧିଷ୍ଠିତା ହୋଇ ବି କାହାର ଅନୁମତିକୁ ଯୋଡ଼ ହାତରେ କାକୁସ୍ଥ ଚାହାଁଣିରେ ଅପେକ୍ଷା କରିବା ଉଚିତ୍ ? ଘରୁ ବାହାରକୁ ଯିବା ପାଇଁ ନା ବାହାରୁ ଘର ଭିତରକୁ ଆସିବା ପାଇଁ ? ଆଖିରୁ ଗରମ ଗରମ ଲୁହଟୋପା ସିଧା ଛାତି ଉପର ଲୁଗାକୁ ଓଦା କରୁଥିଲା ମିତାଲିଙ୍କର । ବ୍ୟାଗ୍‌ଟାକୁ ଆଲ୍‌ମିରା ଭିତରେ ଥୋଇ ସେହି ଅବସ୍ଥାରେ ବସିପଡ଼ିଲେ ବିଛଣାରେ !

କେତେ ସମୟ ୟା ଭିତରେ ଯାଇଛି, ଜାଣିପାରି ନାହାନ୍ତି ସେ । ଆଖି ବୁଝିଥିଲେ ସିନା, ଦେହଟା ଯାକରେ ବିବେକଙ୍କର କମେଣ୍ଟ ତୀର ଭଳି ଗଳି ଯାଉଥିଲା । ଶତଚେଷ୍ଟା କରି ସେ ଭୂଲି ପାରୁନଥିଲେ । ସଞ୍ଜ ହେଲାଣି । ସଞ୍ଜବତୀ ଲାଗିବ । ଠାକୁର ଘରେ ପୂଜା ହେବ । ଆଳତୀ ହେବ, ଭୋଗ ଲାଗିବ । ଶଙ୍ଖ ବଜାଇ ପ୍ରାର୍ଥନା କରିବାକୁ ହେବ । ପିଲା ଦି’ଟା ଏଯାଏ କୁଆଡ଼େ ଯାଇଛନ୍ତି, ଘରେ କାହାର ଦେଖା ନାହିଁ । ସବୁକୁ ଢୋକି ନେଇ ଚୁପ୍‌ଚାପ୍ ଲୁଗା ବଦଳାଇଲା । ଗୋଡ଼ ହାତ ଧୋଇ ଠାକୁର ପୂଜା ସାରି ପ୍ରାର୍ଥନା କାମ ସାରିଲେ । ନିୟମିତଃ ପ୍ରାର୍ଥନା ପରେ କିଛି ସମୟ ଧ୍ୟାନରେ ବସିବା କଥା । ଆଜି ଉଠି ପଡ଼ିଲେ ମିତାଲି । ମନ ଭିତରେ ଯେଉଁ ବିଦ୍ରୋହର ନିଆଁ ନ ଜଳି ଧୂଆଁ ପରି କୁହୁଳୁଛି ତାକୁ ମନ ଭିତରେ ଚାପି ଧ୍ୟାନ ମୁଦ୍ରାରେ ସେ ବେଶୀ ସମୟ ବସି ପାରୁନଥିଲେ । ଉଠିଗଲେ ସେ ପୁଣି ଶୋଇଲା ଘର ଭିତରକୁ ।

ପ୍ରଭା ତାଙ୍କ ପଛେ ପଛେ ଚା ଦୁଇ କପ୍ ଧରି ଶୋଇଲା ଘର ଟେବୁଲ୍ ଉପରେ ରଖି ଦେଇ ବିବେକଙ୍କୁ ଡାକିବାକୁ ଗଲା । ମାତ୍ର ସେ ଏପରି ଗମ୍ଭୀର ମୁଦ୍ରାରେ ଥିଲେ ପ୍ରଭାର ବୁଝିବା ନିୟନ୍ତ୍ରଣରୁ ବାହାରେ ଥିଲା । ମାଆ ଶୋଇଲା ଘରେ ଏକା, ବାବା ଡ୍ରଇଂରୁମ୍‌ରେ ଏକା ! ହଠାତ୍ ଏ ଘରେ ଏ ନିଃଶବ୍ଦ ବାତ୍ୟା କାହିଁକି ? ଏମିତି ଯେ କେବେ ହୋଇନି ଏକଥା ନୁହଁ । ହୁଏ ପୁଣି ଦିନେ ଅଧେ ଅନ୍ତରାଳରେ ମାଆଙ୍କର ଖିଲିଖିଲି ହସ ଓ ବାବାଙ୍କର ଅସରନ୍ତି ଥଟ୍ଟା ମଜ୍ଜାରେ ଏ ଘର ପୂରିଲା ପୂରିଲା ଲାଗେ । ଆଜି କେବେ କେମିତି ବିନା ପବନରେ ଏ ବାତ୍ୟା ହେଲା ଜାଣି ପାରୁନଥିଲା । ଚଉଦ ବର୍ଷର ଭୋଲିଭାଲି ମାଆଛେଉଣ୍ଡ ଛୁଆ ପ୍ରଭା ।

ବିବେକ ମିତାଲିଙ୍କ ଭିତରେ ଥିବା ଗମ୍ଭୀରତାକୁ ଲକ୍ଷ୍ୟ କରୁଥିଲେ । ମିତାଲି କାହିଁକି ଏତେ ଗୁମ୍‌ସୁମ୍ ? ଘର ଭିତରକୁ ପଶିଗଲେ ଯେତେ ଲୋକ ଥାଆନ୍ତୁନା କାହିଁକି ମିତାଲି ବିନା ସବୁ ଶୁନ୍‌ସାନ୍ ବିବେକଙ୍କ ପାଇଁ । ତା’ଛଡ଼ା ଏତେବେଳ ଯାଏ ସ୍କୁଲ କେବେ ବି ଚାଲିବା ସମ୍ଭବ ନୁହେଁ ଯଦି ; ସେ ଏତେ ଡେରିଯାଏ ରହିବାର ମାନେ କ’ଣ ହୁଏ ? କିଛି ମିତାଲିକୁ କାଟିଲା ଭଳି ତ କଥା କହି ନାହାନ୍ତି ? ଯଦି ବି କହିଲି, ଏମିତି କ’ଣ ମଣିଷ ମାରିଦେଲା ଭଳି ପାପଟେ କଲି ଯେ ? ସ୍ୱାମୀ ହିସାବରେ ଏସବୁ ମୁଁ କହିବି ନାହିଁ ତ ଆଉ କିଏ କହିବ ? ଭୂଲ୍ ହେଲା ବୋଧେ ! ଘରୁ ଚିଠି ଆସିଛି, ବାପାଙ୍କ ଦେହ ଭୀଷଣ ଖରାପ । ଘରକୁ ଯିବାକୁ ଭାଉଜଙ୍କର ଜରୁରୀ ତାଗିଦା । ତେଣୁ ଏ ଖବର ଆଗ ନ କହି ସ୍ୱାମୀତ୍ୱ ଦେଖାଇବା ଠିକ୍ ହେଲାନି । ସହଜେ ଗାଁକୁ ଯିବା କଥା କହିଲେ, କାହିଁ କେତେ ଦାୟିତ୍ୱ ସ୍କୁଲର ଅଛି କହି ମିତାଲି ମୂଳରୁ କଥା କାଟିଦିଏ । ଗାଁରେ ଭଲ ପାଇଖାନାଟେ ନାହିଁ । ଗାଧୁଆ ଘର ବଡ଼ ଅପରିଷ୍କାର । କୂଅ ପାଣିରେ ଲୁଗାପଟା ହଳଦିଆ ଦିଶିବ ଇତ୍ୟାଦିର ଲମ୍ୱା “ନାହିଁ” । କାରଣ ଦର୍ଶାଇ ନାକ ଟେକନ୍ତି ମିତାଲି । କେବଳ ପୁତୁରା, ଝିଆରି ମାନଙ୍କର ବିଭାଘର ଅଥବା ବାପା ବୋଉଙ୍କ ଦେହ ଖରାପ ହେଲେ ବାଧ୍ୟରେ ଗାଁ ଦେଖନ୍ତି ସେ ।

ବିବେକ ପଦଚରଣା କରୁଥିଲେ ଡ୍ରଇଂରୁମ୍‌ରେ । ଟି.ଭି ସାମ୍ନାରେ ଏକା ବସିଥାନ୍ତି ମିତାଲି ଡାଇନିଂରେ । ବିବେକ ଡାଇନିଂକୁ ଗଲେ । କିଛି ନ ଘଟିବା ଭଳି, କିଛି ନ କହିବା ଭଳି ଅଭିନୟ କରି ମିତାଲିଙ୍କ ପାଖରେ ବସି ପଡ଼ି କହିଲେ, “ମିତୁ, ଗାଁରୁ ଭାଉଜ ଚିଠି ଦେଇଛନ୍ତି । ବାପାଙ୍କ ଦେହ ଭୀଷଣ ଖରାପ । କିଛିଦିନ ଛୁଟି ନେଇ ଘରକୁ ଯିବାକୁ । ଆସନ୍ତା କାଲି ସକାଳୁ ସକାଳୁ ଘରକୁ ଯିବା ପାଇଁ ଯୋଗାଡ଼ କର । ଚିଠି ପାଇଲା ବେଳଠୁଁ ମୋ ମୁଣ୍ଡ ଆଉ କାମ କରୁନି । ଘରକୁ ଆସି ଦେଖେ ତ ତମେ ଆସିନ । ପାଟିରୁ କ’ଣ ସବୁ ବାହାରିଗଲା । ଆଇ ଆମ୍ ସରି । ପ୍ଲିଜ୍ କିଛି ଭାବନି ।” ଇନ୍‌ଲ୍ୟାଣ୍ଡ ଲେଟରଟିକୁ ମିତାଲିଙ୍କ ହାତକୁ ବଢ଼ାଇଲେ । ମିତାଲି କେବଳ ଚିଠିଟିକୁ ଧରିନେଲେ ଚୁପ୍‌ଚାପ୍ ।

ଦୁଇ ଚାରି ଖଣ୍ଡ ଲୁଗାପଟା ସାଙ୍ଗକୁ ବାପାଙ୍କ ପାଇଁ ହର୍ଲିକ୍ସ, ଫଳ, ବିସ୍କୁଟ ବନ୍ଧା ହେଲା । ଭାଉଜ ଓ ପିଲାମାନଙ୍କ ପାଇଁ କିଛି ଅଳ୍ପ ଜିନିଷ ଅନ୍ୟମନସ୍କ ଭିତରେ ବି କିଣା ହୋଇଗଲା । ଗାଁ ଯିବା ନିଶ୍ଚିତ । ଯଦିଓ ନୀରବ ଝଡ଼ଟେ ବହୁଛି ସ୍ୱାମୀ ସ୍ତ୍ରୀଙ୍କ ଭିତରେ । ଏଠି ପିଲାଙ୍କୁ ଦେଖାଶୁଣା କରିବା ପାଇଁ, ରାନ୍ଧି ଖୁଆଇବା ପାଇଁ ପ୍ରଭା ଅଛି । ରାତିରେ ପଡ଼ିଶା ଘରର ମଉସା ଶୋଇବେ ।

ବସ୍‌ରେ ବସିଥିଲା ବେଳେ ମନେ ମନେ ଶଶୁରଙ୍କ ପ୍ରତି ଚିଡ଼ି ଯାଉଥିଲେ ମିତାଲି । ବାପା ଜମା ଚାକିରିଆ ପୁଅ ବୋହୂଙ୍କ ଅସୁବିଧା କଥା ବୁଝନ୍ତିନି । ଏ ଦେହ ଖରାପକୁ ଲଗେଇ ବୋଧେ ପାଞ୍ଚ ଛଅ ଥର ବାପାଙ୍କ ଦେହ ଖରାପ ହେଲାଣି । ସବୁଥର ସେହି ଛାଞ୍ଚରେ ଚିଠିଟେ ଲେଖା ଗାଁରୁ ଚାଲି ଆସେ ଯାଆଙ୍କ ପାଖରୁ । “ଏଥର ବାପାଙ୍କ ଦେହ ଅଧିକ ଗୁରୁତର । ମୋତେ ଏଥର ଲକ୍ଷଣ ଗୁଡ଼ାକ ଭଲ ଜଣା ଯାଉନି । ଚିଠି ପାଇ ବସିଲା ଜାଗାରୁ ଉଠି ଆସିବ । ପଛରେ ମୋତେ ଦୋଷ ଦେବ ନାହିଁ । ମୁଁ ଏଠି ଗାଁ ଭଳି ଜାଗାରେ ମାଇପିଟା କ’ଣ କରିବି କହିଲ ?” ଏଥରକ ବି ଏକା ଚିଠି । ମନୁ ଅପା କ’ଣ ପୂର୍ବ ଚିଠି ଗୁଡ଼ାକର ନକଲ ଉତ୍ତାରିି ପଠାଉଛନ୍ତି ? ମନେମନେ ଭୀଷଣ ରାଗୁଥିଲେ ମିତାଲିି ଯାଆଙ୍କ ଉପରେ ତ ପୁଣି ଶଶୁରଙ୍କ ଉପରେ । ମାସକୁ ମାସ ତ ଯାହା ଦରକାର ପଠାଯାଉଛି ବାପାଙ୍କ ପାଇଁ । ଠିକ୍‌ରେ କ’ଣ ବାପାଙ୍କର ଖାଇବା ପିଇବା କରାଉନାହାଁନ୍ତିି ଅପା ? ଏଇଠି ଏଇଠି କେତେଥର ଭୋଗିିଲେଣି । ବୁଢ଼ାମଣିଷ, ପାଟି ପେଟକୁ ଟିକେ ଜଗି ଚଳିଲେ ହୁଅନ୍ତା ନାହିଁ । ସବୁବେଳେ ଛେଳିପାଟି ଭଳି ଚାଲିିଥିବ ଭେଣ୍ଡିଆ ମଣିଷଟେ ଭଳି । ହଜମ ହେଲେ ତ ? ଦେଖ, ଏଥର କ’ଣ ହେଇଛି ? ଗାଁଁରେ କେତେଦିନ ରହିବାକୁ ପଡୁଛି । ମିତାଲି ଭାବନାରେ ପୂର୍ଣ୍ଣଚ୍ଛେଦ ନଥିଲା । ବିବେକ ସେ ହଜିଯାଇଥିଲେ ଗୋଟାପଣେ । ଯାହାହେଲେ ଜନ୍ମ କଲା ବାପା ତ ? କେଉଁ ପୁଅ ବାପାଙ୍କ ଦେହ ଖବର ଏମିତି ଶୁଣି ଚିନ୍ତା କରିବ ନାହିଁ । ବାପ ଥିଲା ପୁଅ ସଭାରେ ହାରେନା’ ଯେତେଦୂରେ ଥିଲେ ବି’ ମୁଣ୍ଡ ଉପରେ ବାପାଙ୍କର କଲ୍ୟାଣ ହାତଟା ରହିଛି ମାନେ କେତେ ସାହସ, ଦମ୍ଭ, ସାମର୍ଥ୍ୟ ଥିଲା ପରି ଲାଗେ । ମାଆକୁ ହରାଇ ସାରିଛନ୍ତି ବାପାଙ୍କ ଦାୟିତ୍ୱହୀନତା କାରଣରୁ । ବାପାଙ୍କୁ କୌଣସି ପ୍ରକାର ଅବହେଳାର ଶିକାର ହେବାକୁ ଦେବନି ସେ । ଦରକାର ପଡ଼ିଲେ ମାସଟା ଛୁଟି ନେଇ ଗାଁରେ ରହିବେ । ସବୁଥର ପରି ଏଥର ବି ସେ ବାପାଙ୍କୁ ଭଲ କରିବେ । କେତେ ଥର ଘୁଅ ମୂତରେ ଘାଣ୍ଟି ହୋଇ, ଏମିତିକି ଗତ ଥର ମଲା ଡାକ ପଡ଼ିବି’ ବାପା ପୁଣି ଭଲ ହୋଇ ଉଠି ବସିଛନ୍ତି । ବିବେକ ମନେ ପକାଇବାକୁ ଚେଷ୍ଟା କରୁଥିଲେ । ବଡ଼ଭାଇଙ୍କ ଜନ୍ମ ବେଳକୁ ବାପାଙ୍କୁ ପଚିଶ୍‌ବର୍ଷ ହୋଇଥିଲା ବୋଲି ବାପା କଥା ଛଳରେ ଅନେକଥର କହିଛନ୍ତି । ଏଇନେ ବଡ଼ଭାଇଙ୍କୁ ପଞ୍ଚାବନ/ଛପନ ଭଳି ବୟସ ହେବ । ତା ହେଲେ ଏଇନେ ବାପାଙ୍କୁ ଅଶୀ ଭଳି ବୟସ ହେବ । ହେଉ ! ଅଶୀବର୍ଷର ଲୋକେ କ’ଣ ଭଲରେ ନାହାନ୍ତି ନା ବଞ୍ଚି ନାହାଁନ୍ତି ? ବାପା ଭଲ ହୋଇଯାଆନ୍ତୁ । ସବୁକିଛି ଠିକ୍ ଠାକ୍ ହୋଇଯାଉ ଭଗବାନ୍ । ବିବେକ ଆଖି ଥିଲା ଗାଁ ଆଡ଼େ କେବଳ ।

ଦୀର୍ଘ ଦୁଇ ଘଣ୍ଟାର ବସ୍ ଯାତ୍ରା ପଥେ ଗାଁ ଚନ୍ଦନପୁର ପଡ଼ିଲା । ବସ୍ ଷ୍ଟପେଜ୍ ଯୋଗୁଁ ଆପଣା ଛାଏଁ ଡ୍ରାଇଭର ବସ୍ ଅଟକାଇଲା । ତଥାପି ବିବେକ ଅନ୍ୟମନସ୍କ ହୋଇ ବସିଥିବାର ଦେଖି ମିତାଲି ଜୋର୍ କରି ହଲାଇ ଦେଲେ, “ତଳକୁ ଚାଲ । ତମ ଗାଁ ପରା ! ବସ୍ ରହିଲାଣି ।”

ବିବେକ ପ୍ରତିକ୍ରିୟା ପ୍ରକାଶ ନ କରି ବ୍ୟାଗ୍ ଓ ଆଟାଚ୍ ଦିଟା ଧରି ବସ୍ରୁ ଓହ୍ଲାଇ ପଡ଼ିଲେ । ପଛେ ପଛେ ମିତାଲି ଘରେ ପହଞ୍ଚିଲା ବେଳକୁ ପ୍ରାୟ ଦିନ ବାରଟା ସେପଟେ । ମନୁ ଅପା ଧାଇଁ ଆସିଲେ । ଗାଁର ପିଲା ଛୁଆ, ସ୍ତ୍ରୀଲୋକ ଆଶ୍ଚର୍ଯ୍ୟ ଜିନିଷଟେ ଦେଖିଲା ଭଳି ଦାଣ୍ଡରେ ଭିଡ଼ କରିଦେଲେ । ମିତାଲି ମୁଣ୍ଡ ଉପରେ ଲୁଗା ସଜାଡ଼ି ଯୋତାକୁ ହାତରେ ଧରି ଘର ଭିତରକୁ ପଶିଲେ । ଗାଁ ଦାଣ୍ଡ ମଝିରେ ବୋହୂଟା ଜୋତା ପିନ୍ଧି ବାଟ ଚାଲିବ । କେଡ଼େ ଅସଣ୍ଠଣିଆ କଥା ବୋଲି ଗାଁ ଯାକର ସ୍ତ୍ରୀଲୋକେ ମୁକ୍ତ କଣ୍ଠରେ ଶୁଣାଇ ଶୁଣାଇ କହିବେ । ସତେବା ଗାଁ ଭିତରକୁ ପଶୁ ପଶୁ ମିତାଲି ମଣିଷଟେ ମାରିଦେଲା ଭଳି ପାପଟେ କରିଦେଲା ? ଗାଁର ପୁଅ ଝିଅମାନେ ସିନା ଏ ସ୍ୱାଧୀନତା ପାଇଛନ୍ତି, କିନ୍ତୁ ବୋହୂଟା ଯେତେ ହେଲେ ବୋହୂ ନା ? ତା’ ଛଡ଼ା ସେ ଅଢ଼େଇ ଦିନକୁ ଗାଁ ମାଟିକୁ ଆସିଛନ୍ତି । ଟିକେ ରୋଗିଣା ଶଶୁରଙ୍କୁ ଦେଖି, କାମଚଳା ସେବା ଶୁଶ୍ରୂଷା କରିଦେଇ ଏଠୁ ପଳେଇଲେ ଯାଏ । ଏଠି ଜୋତା ପିନ୍ଧିବାର ସ୍ୱାଧୀନତା ଦାବୀ କରି ଆନ୍ଦୋଳନର ନେତ୍ରୀ ହେବା କ’ଣ ଦରକାର ? ବରଂ ଶାଶୁଘର ଗାଁ ଭିତରେ ଚପଲ ମାଡ଼ି ଚାଲିବାର ସୁଖ ସୁବିଧା ହେଉ କି ସ୍ୱାଧୀନତା ଏ ଗାଁର ବୋହୂଙ୍କୁ ମିଳୁକି ନ ମିଳୁ ! ସେଥିରେ ତାଙ୍କର କ’ଣ ଯାଏ ଆସେ ?

ବିବେକ ଗୋଡ଼ ହାତ ନ ଧୋଇ ସିଧା ବାପାଙ୍କ ଶୋଇବାଘର ଆଡ଼େ ଚାଲିଲେ । ମିତାଲି ମନୁ ଅପା ଗାଁର ରୁଣ୍ଡ ହୋଇ ତାଙ୍କ ଘରକୁ ଆସିଥିବା ପ୍ରାୟ ସ୍ତ୍ରୀଲୋକଙ୍କୁ ମୁଣ୍ଡ ଭୂଇଁରେ ମାରି ନମସ୍କାର କରି ଟିକେ ଡ଼େରିରେ ଶଶୁରଙ୍କ ପାଖରେ ପହଁଞ୍ଚିଲେ । ବାପାଙ୍କ ପାଦ ଧରି ମୁଣ୍ଡିଆ ମାରିଲେ । କୋଟର ଗତ ହୋଇଯାଇଥିବା ଆଖି ଯୋଡ଼ାକ ଥକି ପଡ଼ିଥିଲା ପରି ପଲକ ପଡ଼ିଥିଲା । ବିବେକ ଦେହ ମୁଣ୍ଡ ଆଉଁଶି ପକେଇ “ବାପା” “ବାପା” ଡାକିବାରୁ ଧୀରେ ଧୀରେ ଆଖି ଖୋଲିଲେ ବିଶ୍ୱନାଥ ଓରଫ୍ ବାପା । ମିତାଲି ସେମିତି ଚାହିଁଥାନ୍ତି ରୋଗୀକୁ ଆଉ ଜଣେ ରୋଗୀ ଦେଖିଲା ଭଳି । ବିଶ୍ୱନାଥଙ୍କ ଓଠ ପୁରା ଶୁଖି ଯାଇଥିଲା । ପାଟି ଖୋଲିବାକୁ ଚେଷ୍ଟା କରୁଥାନ୍ତି ସତେ ଯେମିତି ଓଠ ଦୁଇଟାକୁ ଅଠା ମାରି କିଏ ଯୋଡ଼ି ଦେଉଛି । ବିବେକ ବାପାର ମୁଣ୍ଡ ପାଖକୁ ଥିବା ଟୁଲ୍ ଉପରେ ପାଣି ଜଗ୍‌ରୁ ପାଣି ଚାମଚେ ଆଣି ବାପାଙ୍କ ପାଟିରେ ଲଗାଇଲେ । ଓଠ ଖୋଲିଲେ ସିନା, କିଛି କହିଲେ ନାହିଁ କି କହିବା ସମ୍ଭବ ହେଉନଥିଲା । ଏକଥା କେହି ଜାଣିପାରୁ ନ ଥିଲେ । ପୁଣି ଥରେ ବାପା, ବାପା ଡାକିଲେ ବିବେକ ।

ଏଥର ପୂର୍ବଠାରୁ ଟିକେ ଭଲରେ ଆଖି ଖୋଲିଲା ବିଶ୍ୱନାଥଙ୍କର । ଜିଭ ଓଠ ଉପରକୁ ବୁଲାଇ ଆଣି ଥର ଥର କଣ୍ଠରେ କହିଲେ, “କେତେବେଳେ ଆଇଲୁ ? ” “ଏଇନେ ବାପା ! ଆପଣଙ୍କ ବୋହୂ ଆସିଛି ।” ସେତେବେଳକୁ ବିଶ୍ୱନାଥ ପୁଣି ଆଖି ବୁଝି ଦେଉଥିଲେ ।

ସେମାନେ ବାପାଙ୍କ ପାଖରୁ ଫେରି ଆସି ବଡ଼ଭାଉଜଙ୍କ ପାଖରୁ ବାପାଙ୍କର ହାଲ୍‌ଚାଲ୍ ପଚାରି ବୁଝିଲେ । ଭାଉଜଙ୍କ କହିବା କଥାରୁ ବିବେକ ଅନୁଭବ କରୁଥିଲେ । ବିଚାରୀ ଭାଉଜ ଏ ଦେହ ଖରାପ ଓ ଘରଯାକର କାମକୁ ନେଇ ବହୁତ ଘାଣ୍ଟି ହେଉଛନ୍ତି । ଗାଈ ଗୋରୁ ତିନିଟା କଲେଜ ପଢୁଆ ପୁଅ ଝିଅଙ୍କର ଝାମେଲା ତୁଟାଇବାକୁ ଯାଇ ସେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତିି । ଏଣିକି ବଳ ବୟସ ହଟିିବାକୁ ଆରମ୍ଭ କଲେଣି । ଯେତେ ସଭ୍ୟତାର ବିକାଶ ବୋଲି ଡିଣ୍ଡିମ୍ ପିଟା ଯାଉନା କାହିଁକି ଗାଉଁଲୀ ଚଳଣିର ଏକ ସ୍ୱାତନ୍ତ୍ର୍ୟ ଅଛି । ସେମାନେ ସହରୀ ଲୋକଙ୍କ ପରି ଚେହେରା ସଜ୍ଜା ଓ ଘରସଜ୍ଜାରେ ନିଜକୁ ବାଣ୍ଟି ନଥାନ୍ତି । ଗଲା ଆଇଲା, ସାହି ପଡ଼ିଶା, କୁଣିଆ ମଇତ୍ର, ଉଁଷା ଶୁଖା ପରି କାମର ଅନେକ ଲମ୍ବା ଫର୍ଦ୍ଦ ଗାଁ ସ୍ତ୍ରୀ ଲୋକଙ୍କର । ତହିଁକୁ ବାପାଙ୍କ ଦେହ । ଭାଉଜ ପ୍ରତି ସହାନୁଭୂତିରେ ବିବେକଙ୍କର ମନ ଓଦା ହୋଇଯାଉଥିଲା । ତଥାପି ଏତିକି ମିତାଲି ଆଗରେ ପ୍ରକାଶ କଲେ, କେବଳ ଭୁୁଲ୍‌ବୁଝାମଣା ହିଁ ସାର୍ ହେବ । ବରଂ ଥାଉ ।

ଭାଉଜ ପ୍ଲେଟ୍‌ରେ ପିଠା ଦୁଇଟାଲେଖା ବିବେକ ଆଉ ମିତାଲିକୁ ଖାଇବାକୁ ଦେଇ ବାପାଙ୍କୁ ଖୁଆଇବାପାଇଁ ଚୂଡ଼ା ରନ୍ଧା, ମିଠା ନେଇ ଚାଲିଗଲେ । ବିବେକ ତରତରରେ ପିଠା ଦି’ଟା ଖାଇଦେଇ ବାପାଙ୍କ ଘରକୁ ପଶିଗଲେ । ଗୋଟେ ଅଜବ ଗନ୍ଧରେ ତାଙ୍କ ନାକ ପାଖକୁ ହାତଚାଲି ଆସିଲା । “ଇସ୍, କି ଗନ୍ଧ ଭାଉଜ, ଏ ଘର କ’ଣ ପରିଷ୍କାର କରୁନ ? ” ହଠାତ୍ ତାଙ୍କପାଟିିରୁ ବାହାରି ଗଲା ।

ଭାଉଜ ପାଟିରେ ଆଙ୍ଗୁଳିଦେଇ ଚୁପ୍‌ରହିବାକୁ ବିବେକଙ୍କୁ ଠାରିଲେ । ଖାଇବାପାଇଁ ଆଣିଥିବା ଗିନାକୁ ଟୁଲ୍ ଉପରେ ଥୋଇ ଶଶୁରଙ୍କୁ ଉଠାଇବାକୁ ବିବେକ ଗୋଟେ ପାଖ ଧରନ୍ତୁୁବୋଲି ଠାରରେ କହିଲେ । ସେପଟ ବୁଲିଯାଇ ବାପାଙ୍କୁ ବିବେକ ବସାଇବାକୁ ଚେଷ୍ଟା କଲେ । ହଠାତ୍ ବାପାଙ୍କ ଜଙ୍ଘ ସନ୍ଧିରୁ ଚାଲଲିଆସୁଥିବା ପୋକକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାପାଙ୍କ ଗୋଡ଼ ଦୁଇଟିକୁ ଟେକି ଅଣ୍ଟା ପାଖରେ ତକିଆଦେଇ ବସାଇବାକୁ ବିବେକ ଉଦ୍ୟମ କଲାରୁ ଭାଉଜ ଏପରି କରିବାକୁ ଇଙ୍ଗିତରେ ବାରଣ କଲେ । ବିବେକ ଦେଖିଲେ ବାପାଙ୍କ ଶୋାଇବା ବିଛଣା ଉପରେ ରବର କ୍ଲଥ୍‌ଟେ ପଡ଼ିଛି । ତା ଉପରେ ପଡ଼ିଥିବା ଚାଦରଟି ରକ୍ତମିଶା ପୂଜର ଚିହ୍ନସବୁ ଲାଗିଛି । ଜଙ୍ଘ ତଳୁ କିଛିପୋକ ଆଡ଼େସାଡ଼େ ପଳାଉଛନ୍ତି ।

ଭାଉଜ ପୁଣି ଆଖିରେ ଇଶାରା ଦେଲେ ପାଟିନକରିବାକୁ । ଚାଦର ବଦଳାଇ ଆଉ ଖଣ୍ଡେ ଚାଦର ଶଶୁରଙ୍କ ପିଚା ଯାଏ ସଜାଡ଼ି ପକାଇ ଦେଲେ । ହାତ ଧୋଇ ଚୂଡ଼ାରନ୍ଧାକୁ ଚକଟି ପଣା ପରି କରି ଟିକେ ଟିକେ ଶଶୁରଙ୍କୁ ଖୁଆଇଲେ । ସିଝା ପାଣି ଚାରି ଛଅ ଚାମଚ ପାଟିରେ ଦେଲେ । ଧୀରେ ପୁଣି ଶୁଆଇ ପକେଇଲେ ଦୁହେଁ ବାପାଙ୍କୁ । ବିବେକ ଆଗ ବାହାରି ଆସିଲେ ଘରୁ ।

ଦୁଆର ମୁହଁକୁ ଆସିଲା ବିବେକ ଛୋଟ ପିଲାଙ୍କ ପରି କାନ୍ଥରେ ମୁଣ୍ଡ ବାଡ଼େଇ କାନ୍ଦୁଥିଲେ । “ପିଲାଙ୍କ ପରି ହୁଅନା ବିବେକ । ତମେ ଜାଣିଲ ସିନା ଆଉ କାହାକୁ କିଛି କହିବ ନାହିଁ । ଗାଁ ମାଟିରେ ମୁଁ ଏଠି ପିଲାଛୁଆ ନେଇ ପଡ଼ିଛି । ସାହି ପଡ଼ିଶା କେହି ଯଦି ଏ ବିଷୟରେ ଜାଣନ୍ତି ଯେ ବାପାଙ୍କ ଦେହରେ ପୋକ ପଡ଼ିଲାଣି, ଆମର ଏଠିକାର ଅବସ୍ଥା କ’ଣ ହେବ ଜାଣିଛ ତ ? ସାରା ଜୀବନକୁ ଗୋଟିଏ ବଡ଼ ଖୁଣ୍ଟା ହୋଇ ରହିବ, ଦୁଇ ଦୁଇଟା ପୁଅ ବୋହୂ କରି ଶେଷକୁ ବୁଢ଼ାଟା ପୋକ ଫୁଟି ମଲେ । ଏ କଷ୍ଟ ଏ ଅପମାନ ଆମେ କେହି ସହି ପାରିବା ନାହିଁ ।

– “ଏ ସବୁ କେମିତି ହେଲା ଭାଉଜ ,ଏ କେତେଦିନର କଥା ?”
– ମୁଁ ତ ଠିକ୍ କରି କହିପାରିବି ନାହିଁ । ବାପାଙ୍କ ଦେହ ଖରାପ ହେଲା ଦିନରୁ ରାତିରେ ଦୁଇ ତିନିଥର ପରିସ୍ରା କରି ଉଠନ୍ତି । ଡାକିଲେ, ମୁଁ ଆସି ଉଠାଇ ଧରି ନେଇ ବାହାରେ ପରିସ୍ରା କରାଇ ଆଣେ । ଯେବେ ଠୁଁ ଉଠିବା, ଠିଆ ହେବା ମୁସ୍କିଲ୍ ହେଲାଣି, ମୁଁ ରାତିରେ ଆଉ ବାହାରକୁ ନ ନେଇ ଛୋଟ ମାଟି ହାଣ୍ଡିଟେ ଦେଲି ପରିସ୍ରା କରିବା ପାଇଁ । ମୁଁ ସକାଳୁ ସେ ମାଟି ହାଣ୍ଡି ନେଇ ପଦାରେ ପରିସ୍ରା ପକାଇ ଧୋଇ ଆଣି ରଖେ । ଦିନେ ଦେଖିଲି ହାଣ୍ଡିଟି ଭାଙ୍ଗିଛି । ବିଛଣା ଓଦା । ସଫା କଲି । ଲୁଗାପଟା ଧୂଆ ଧୋଇ କଲି । ସେ ଦିନରୁ ବିଛଣାରେ ରବର କ୍ଲଥ୍ ପକାଇ ପୁରୁଣା ଚାଦର, କନ୍ଥା ପାରିଦିଏ । ଆଜିକାଲି ପରିସ୍ରା ଏତେ ହୁଏନି । ଖାଇବା ପିଇବା ତ ପୁରା କମି ଗଲାଣି । ଏଇ ଚାରି ଆଠ ଦିନ ତଳେ ମୁଁ ପ୍ରଥମେ ପୋକ ଦେଖିଲି । ସେଇଦିନ ତୁମକୁ, ତୁମ ଭାଇଙ୍କୁ ଚିଠି ଲେଖିଲି । ସେ ଶଶୁରକୁ ମୁଁ ବୋହୂ । ମୁଁ କ’ଣ ଆଉ କରିପାରିଥାନ୍ତି ତମେ କୁହ ! ଏଣିକି ତମେ ମାନେ ଆସିଲଣି, ଯଦି ଚିକିତ୍ସା କରିହେବ ଦେଖ । ଚେଷ୍ଟା କର । ମୋତେ ଆଉ କିଛି ଭଲ ଦିଶୁନି କି ମୋ ମୁଣ୍ଡ କାମ କରୁନାହିଁ । ମୁଁ ଆଉ ବି ଏ କାମ କରିପାରୁନି । ଘରବାଡ଼ି, ଗାଈଗୋରୁ ପିଲାଛୁଆଙ୍କ କାମ ସାଙ୍ଗକୁ ବାପାଙ୍କ ଚିକିତ୍ସା ।

– “କାହିଁକି ଠାକୁରେ ଏଭଳି ରୋଗୀକୁ ଏତେ ଲମ୍ୱା ଆୟୁଷ ଦିଅନ୍ତ ଅପା । ଯାହା କୁହ ଅପା ସେ ଭଙ୍ଗା ଖପରା ବାଜି ବୋଧେ କେଉଁଠି ବଡ଼ ଧରଣର ଖଣ୍ଡିଆ ହୋଇଥିଲା । ସେହି ଖଣ୍ଡିଆର ଏ ଭୀଷଣ ରୂପ ନିଶ୍ଚୟ ଚିକିତ୍ସା ଅବହେଳାରୁ ହେଲା । ସେ ଦିଅର ଭାଉଜଙ୍କର ସବୁକଥା ମିତାଲି ଶୁଣି ସାରିଛି ଜାଣି ମନୁ କହିଲା, “ତୁ କହ ତୁ ମୋ ଜାଗାରେ ଥିଲେ କ’ଣ କରିଥାନ୍ତୁ ।”

– “ମୁଁ କ’ଣ ଆଉ କରିଥାନ୍ତି । ଅଜାଗା ଘା” । ସମ୍ପର୍କ ବି ଏତେ ସମ୍ୱେଦନଶୀଳ ! ତଥାପି କିଛି ଜାଣିଥିଲେ ସିନା ଯାହା ସହଳ କରି ହୋଇଥାଆନ୍ତା । ତମେ ଅପା ଡାକ୍ତର ଡାକିଲନି ?”

ବଡ଼ ଅସହାୟ ଦୃଷ୍ଟିରେ ମନୁ ବିବେକଙ୍କୁ ଚାହିଁଥାଆନ୍ତି । ତାଙ୍କୁ ଲାଗୁଥିଲା ଯେପରି ତାର ସବୁଯାକ ସେବା ଶୁଶ୍ରୂଷା ଭୁଲ୍ ,ଚିକିତ୍ସା ଓ ଦେଖାଶୁଣା ଭୁଲ୍ । ସମସ୍ତେ ଦୂରେଇ ରହି ଉଚିତ୍ ଅନୁଚିତ୍ର ସମ୍ୱିଧାନ ଶୁଣାଇବାକୁ ଆସିଲେ । କେହି ବାପାଙ୍କୁ ନେଇ ମାସେ ଦୁଇମାସେ ପାଖରେ ରଖିବା ଉଚିତ୍ ବୋଲି ମନେ କଲେ ନାହିଁ । ଗାଁ ଗଣ୍ଡାରେ ଡାକ୍ତର କ’ଣ ବାଡ଼ିରେ ଫଳୁଛନ୍ତି ନା ମୋ ଇଚ୍ଛାର ଚାକର ସେମାନେ ? ଏଠି ତ କମ୍ପାଉଣ୍ଡର ଟେ ସ୍ୱପ୍ନ ।”

“କ’ଣ ଏତେ ଭାବୁଛ ଅପା” ମିତାଲି କଥାରେ ମନୁର ଭାବନା ଭାଙ୍ଗିଲା । “ନା କ’ଣ ଆଉ ଭାବିବି । ଯେ କରେ କିଛି, ସେଇ ସିନା ଶୁଣେ । ନ କଲା ଲୋକ ନା ଶୁଣିବ ନା ତାର ଦୋଷ ଥିବ । ଠାକୁରେ ବାପାଙ୍କୁ ଏଥିରୁ ସହଳ ମୁକ୍ତି ଦିଅନ୍ତୁ । ଏ ପ୍ରାର୍ଥନା କରିବା ଛଡ଼ା କ’ଣ ଆଉ କରିପାରିବି ମୁଁ ? “ମନୁ ଓଦାଳିଆ କଣ୍ଠରେ ଏତିକି କହି ଘର ଆଡ଼କୁ ଚାଲିଗଲା ।

ସେଇଦିନ ଚାରିଟା ବସ୍‌ରେ ବିବେକଙ୍କର ବଡ଼ଭାଇ ବିଶ୍ୱରଞ୍ଜନ ଆସି ପହଞ୍ଚିଲେ । ସାରା ସଞ୍ଜଠୁଁ ରାତିଯାଏ କେବଳ ବାପାଙ୍କ ଦେହକୁ ନେଇ ଚିନ୍ତା ତର୍ଜମା ଚାଲିଥିଲା ଦୁଇ ଭାଇଙ୍କର । ଶେଷକୁ ବଡ଼ଭାଇ କହିଲା, କାଲି ସକାଳୁ ଆଗ ଡାକ୍ତର ଯାଇ ସହରରୁ ଆଣିବା । ପ୍ରକୃତ କ୍ଷତ ଦେଖି, ଧୋଇ ମଲମ ଲଗାଇବା ସାଙ୍ଗକୁ ବାପାଙ୍କୁ ଘା ଶୁଖିବା ପାଇଁ ଦି’ଟା ଇେଞ୍ଜକ୍ସନ୍ ଦେଇ ଦେଲେ ବାପା ପୁଣି ଉଠି ବସିବେ ।

ସ୍ୱାମୀଙ୍କୁ ଦେଖିଲା ବେଳୁ ମନୁର ଆତ୍ମବଳ ବି ଯଥେଷ୍ଟ ବଢ଼ିଗଲା ପରି ଲାଗୁଥିଲା । ଶଶୁରଙ୍କୁ ନେଇ ମନରେ ଥିବା ଚିନ୍ତା ଅପସରି ଯାଇଥିଲା । ସେ କଣ୍ଠ ପରିଷ୍କାର କରି ବିବେକ ଓ ମିତାଲି ଉଦ୍ଦେଶ୍ୟରେ କହିଲେ , “ଏତେଦିନ ତ ମୁଁ ଥରକୁ ଥର ବାପାଙ୍କ ଦେଖାଶୁଣା କରି ସେବା କରି ମଲା ମୁହଁରୁ ବଞ୍ଚାଇଛି । ମୁଁ ଆଉ ପାରିବି ନାହିଁ । ତମେ ଦି’ଜଣ ଗଲା ବେଳକୁ ବାପାଙ୍କୁ ସାଙ୍ଗରେ ନେଇଯାଅ । ସେଠି ସହର ବଜାର ଜାଗା । ଗାଡ଼ିମଟର , ଡାକ୍ତର, ଡାକ୍ତରଖାନା ସବୁ ପାଖରେ । ଡାକ୍ତର ଆଣି ଦେଖାଅ, ନଇଲେ ଆଡ଼ମିଶନ କରି ଡାକ୍ତରଖାନାରେ ରଖ । ଏଠି ଆଉ ମୁଁ ପାରିବି ନାହିଁ ।”

ଆସିଲାବେଳୁ ବାପାଙ୍କ ପାଇଁ ବ୍ୟସ୍ତ ହୋଇ ପଡୁଥିବା ବିବେକ ଭାଉଜଙ୍କର କଥା ଶୁଣି ହଠାତ୍ ଅସହିଷ୍ଣୁ ହୋଇପଡ଼ିଲେ । “ମୁଁ ଏ ଅବସ୍ଥାରେ ବାପାଙ୍କୁ କେମିତି ନେବି । ଆମେ ଦି’ଜଣ ଚାକିରିଆ । ପିଲା ଦିଟା ଘରେ କ’ଣ ଖାଉଥିବେ । ଚାକରାଣୀ ଦାୟିତ୍ୱରେ ଛାଡ଼ିକି ଆସିଛୁ । ବାପାଙ୍କ ପାଇଁ ଯଦି ସମୟ ଦେଇ ନ ପାରିବି । ତେବେ ନେଇ ଲାଭ କ’ଣ ? ସେ ଏଇଠି ଥାଆନ୍ତୁ । ବରଂ ମୁଁ କିଛି ଟଙ୍କା ଅଧିକ ପଠାଇବି ।”

ଏ କଥାର ଉତ୍ତର ଆଉ କାହା ପାଖରେ ନ ଥିଲା । କଥା ଆଗକୁ ଆଉ ବଢ଼ିଲା ନାହିଁ । ବିଛଣାରେ ପଡ଼ି ବିଶ୍ୱନାଥ ସବୁ ଶୁଣୁଥିଲେ । ଦୁଇଟି ପୁଅ ତାଙ୍କର । ଯେତେବେଳେ ବିଶ୍ୱରଞ୍ଜନକୁ ତେର ବର୍ଷ, ବିବେକକୁ ଦଶ ବର୍ଷ, ତା ମାଆ ଜଣ୍ଡିସ୍ ରୋଗରେ ପଡ଼ି ଆଖି ବୁଜିଲା । ବାପା ମା ଉଭୟ ହୋଇ ପିଲା ଦୁଇଟାକୁ ମଣିଷ କରିବା ନିଶାରେ ସମୟ କେତେବେଳେ ତାଙ୍କ ଆଖିରୁ ସ୍ୱପ୍ନ, ତାଙ୍କ ଦେହରୁ ଭୋକ ନେଇ ଯାଇଥିଲା । ସେ ଜାଣିପାରି ନ ଥିଲେ । ତାଙ୍କୁ ମାତ୍ର ଅଠତିରିଶି ବର୍ଷ ହୋଇଥିଲା । ପିଲା ଦୁହିଁଙ୍କ ହସରେ ହସି, କାନ୍ଦରେ ଲୁହ ଗଡ଼ାଇ ଦିନ ଦିନ ରାତି ରାତିକୁ ବର୍ଷରେ ପରିଣତ କରିଛନ୍ତି । ବୟସ ଆଉ ସମୟ ଦୁହେଁ ଦୁଷ୍ଟ ପିଲା ପରି ଦେଖା ଦେଇଛନ୍ତି ସିନା ଧରା ଦେଇ ନାହାଁନ୍ତି । ଆଜି ମୃତ୍ୟୁ ଶଯ୍ୟାରେ ଚିକିତ୍ସା କରିବାର ଆନ୍ତରିକତା ନୁହଁ, ପାଖରେ ନେଇ ନ ରଖିବାର ମିଥ୍ୟା ଅସହାୟତାକୁ ସେ ଧୀରେ ଧୀରେ କଟୁ ଔଷଧ ଢ଼ୋକିଲା ପରି ଢ଼ୋକି ପକାଉଥିଲା ।

ରୁଟିନ୍ ପରି ରାତିରେ ଖିଆପିଆ ସାରି ନିଜ ନିଜ ଶୋଇବା ଘରକୁ ଚାଲିଗଲେଣି ସମସ୍ତେ । ଏକା ଏ ଅବସ୍ଥାରେ କୋଠରୀଟିରେ ଥିଲେ କେବଳ ବିଶ୍ୱନାଥ । ବିବେକ ଓ ବିଶ୍ୱରଞ୍ଜନ ତାଙ୍କ ଶୋଇବା ଘର ସାମ୍ନାରେ ଚେୟାର ଦୁଇଟିରେ ବସି ଦୁଃଖ ସୁଖ ହେଉଥିବା କଥାକୁ ବିଶ୍ୱନାଥ ଭାବୁଥିଲେ । ବିବେକ ନିଜର ଅସୁବିଧା, ପିଲା ଦିଟାଙ୍କର ପାଠପଢ଼ା, ମିତାଲି ଚାକିରି ଓ ତାକୁ ନେଇ ସମସ୍ୟା ବିଷୟ କହୁଥିଲା ବେଳେ ବିଶ୍ୱରଞ୍ଜନ ନିଜ କମ୍ପାନୀ ଚାକିରିର ଗଣ୍ଡଗୋଳ, ରୁଗ୍ଣ ଅବସ୍ଥା, ଦରମା ଅନିୟମିତତା ହେତୁ ବନ୍ଦ ହେବାର ଆଶଙ୍କାକୁ ନେଇ ଚିନ୍ତିତ ।

ବିଶ୍ୱନାଥ ଏତେ ଯନ୍ତ୍ରଣା ଭିତରେ ବି ମନେ ମନେ ହସୁଥିଲେ । ତଳ ବରଡ଼ା ଖସୁଛି ପିଲେ । ସଂସାର ତା ନିଜ ସ୍ୱଚ୍ଛନ୍ଦରେ ତାର କ୍ରମ ରକ୍ଷା କରିବ । ତମେ ତମ ସଂସାରକୁ ନେଇ ବ୍ୟସ୍ତ ରୁହ ଧନମାନେ, ଯେମିତି ତମକୁ ନେଇ ମୁଁ ବ୍ୟସ୍ତ ଥିଲି ମାୟାରେ, ମୋହରେ । ଏ ତ ସୃଷ୍ଟିର ନିୟମ । ବିଶ୍ୱନାଥଙ୍କ ଭାବନା ଆଉ ଆଗକୁ ବଢୁ ନ ଥିଲା ଆଖି ବୁଝି ହୋଇ ପଡୁଥିଲା ଧୀରେ ଧୀରେ ।

ଲୋକପ୍ରିୟ ଲେଖା

To Top