(ଚରିତ୍ର ଓ ଘଟଣା କଳ୍ପନାପ୍ରସୂତ, ଦୈବାତ କିଛି କେଉଁଠି ସାଦୃଶ୍ୟ ପରିଲକ୍ଷିତ ହେଲେ ତାହା ଆକସ୍ମିକ, ସଂଯୋଗବଶତଃ ଏବଂ ଅନିଛାକୃତ ବୋଲି ଧରିନେବାକୁ ବିନମ୍ର ଅନୁରୋଧ – ଲେଖକ)
ତଲାସ କୌଣସି ପାର୍ଥିବ ବସ୍ତୁର ନୁହେଁ କି ମାଟିତଳ ମୂଲ୍ୟବାନ୍ ଖଣିଜ ପଦାର୍ଥର ନୁହେଁ । ଗୋଟିଏ ଉପଯୁକ୍ତ ବରପାତ୍ରର ତଲାସ କରୁଛନ୍ତି ଜଣେ ବଢିଲାଝିଅର ତେପନ କି ଚଉବନ ବର୍ଷିୟବାପା । ଝିଅର ବୟସ ତେଇଶ, ଦେହର ରଙ୍ଗ ଗହମ, ଆଖିର ବର୍ଣ୍ଣ ନୀଳ, ଶୁଆଥଂଟ ପରି ନାକ, ଡ଼ଉଲଡ଼ାଉଲ ଚେହେରା, ସୁନ୍ଦର କୋକିଳ କଣ୍ଠର ବାଣୀ ସହ ଘନକଳା ଗୋଛାଏବାଳ ମୁଣ୍ଡରୁ ଅଣ୍ଟାତଳକୁ ଝୁଲୁଛି ବୋଲି କହି ବାପା ନିଜଝିଅର ରୂପ ବର୍ଣ୍ଣନା କରନ୍ତି । ଉଚ୍ଚତା ପାଞ୍ଚଫୁଟ୍ ଚାରିଇଞ୍ଚ, ଓଜନ ଛପନ କିଲୋ, ବହୁତ ହୁସିଆର୍ ପିଜି ସାରି ଗତବର୍ଷ ଏମ୍ବିଏ ପାସ୍ କରିଛି । ଏମିତି ସମସ୍ତ ପରିଚିତ ଅପରିଚିତ କେତେ ଭଦ୍ରଲୋକଙ୍କୁ ତ୍ରୀପାଠିବାବୁ କହି, ଶେଷରେ ମୋ ଝିଅପାଇଁ ଗୋଟିଏ ବରପାତ୍ର ଦେଖନ୍ତୁ ବୋଲି ଅନୁରୋଧ କରନ୍ତି । ସେଦିନ ମୋ ପାଳି ଥିଲା । ତ୍ରୀପାଠିବାବୁଙ୍କ ନଜରରେ ଯିଏ ବି କେହି ସମ୍ଭ୍ରାନ୍ତ ବ୍ୟକ୍ତି ପଡ଼ନ୍ତି ସମସ୍ତଙ୍କୁ ସେଇ ଗୋଟିଏ କଥା ସିଏ କୁହନ୍ତି ଯେ – “ଆମେ ଚାହୁଁ ପୁଅଟି କମ୍ପ୍ୟୁଟର୍ସାଇନ୍ସରେ ବିଟେକ୍ ପାସ୍ କରିଥିବ । ଝିଅସାଙ୍ଗରେ ଯୋଡ଼ି ଜମୁଥିବ ମାନେ ଉଚ୍ଚତା ପାଞ୍ଚଫୁଟ୍ ଛଅଇଞ୍ଚରୁ ଅଧିକ ଓ ଓଜନ ସତୁରିକିଲୋ ଭିତରେ ହୋଇଥିବ । ପୁଅ ମଧ୍ୟବିତ୍ତ ପରିବାରର ହେଲେ ବି ଚଳିବ ଆଉ ତୋଫାଗୋରା ନହେଲେ ବି ଟିକିଏ ସଫା କଲର ହେଲେ ମଧ୍ୟ କିଛି ଅସୁବିଧା ନାହିଁ । କମ୍ପ୍ୟୁଟର୍ସାଇନ୍ସରେ ବିଟେକ୍ ପାସ୍ କରିଛି ମାନେ ମୋ ଝିଅକୁ ବାହାହେଲା ପରେ ଆମେରିକା ଯିବାଟା ନିଶ୍ଚିତ । ଝିଅ ଏମ୍ବିଏ ମାନେ ତାକୁ ସାେଙ୍ଗସାେଙ୍ଗ ସେଠି କିଛି ନା କିଛି ଚାକିରି ମିଳିଯିବ । ନାତୀ ନାତୁଣୀ ହେଲାମାନେ ସେଇଠିକାର ନାଗରିକ ଆଉ ଏ’ଦିଜଣ ପରମାନେଣ୍ଟ ସିଟିଜେନ୍ । ମୁଁ ଆଉ ଏଠି କାହିଁକି ଖରାଗରମରେ ଅସନାଦେଶ ଆମ ଇଣ୍ଡିଆର ଓଡ଼ିଶାଭଳି ଗରିବରାଜ୍ୟରେ ସଢୁଥିବି । ତାଙ୍କର ପିଲାପିଲି ହେବା ଆଗରୁ ଭିଆରଏସ୍ ନେଇ, ଭାବୁଛି ସେଇ ସଫାସୁତୁରା ଥଣ୍ଡାଜାଗାକୁ ପଳେଇବି । ମୁଁ ପଞ୍ଚଶଖା ନଗରରେ ଏଇଠି ରହେ ଆଉ ଡ଼ୁମୁଡ଼ୁମା ବ୍ରାଞ୍ଚ୍ରେ ବ୍ୟାଙ୍କ ମ୍ୟାନେଜର୍ ଅଛି । ଜୀବନସାରା ନୋଟରେ ଛେପ ଲଗେଇ ଲଗେଇ କେତେବର୍ଷ ଆଉ ବିଡ଼ା ବାନ୍ଧୁଥିବି ! ସ୍ତ୍ରୀଙ୍କର ଆଣ୍ଠୁଗଣ୍ଠି ଚାଲୁନି କି ମୋର ଅଣ୍ଟା ସଦାବେଳେ ଚଉକିରେ ବସିବସି ପଛପଟେ ଯନ୍ତ୍ରଣା ଦେବାକୁ ଆରମ୍ଭ କଲାଣି । ଆପଣଙ୍କୁ ମୋର ସବିନୟ ଅନୁରୋଧ, ମୋ ଝିଅପାଇଁ ପୁଅଟିଏ ନିଶ୍ଚିତ ଦେଖି ଖବର ଦେବେ । ଆପଣଙ୍କ ନମ୍ବର କୁହନ୍ତୁ ମୁଁ ରିଙ୍ଗ୍ କରୁଛି । କଣ କହିଲେ ୯୧୭୯୭୮୦୧୯୦୮୧, ନାଇଁମ ଏତେ ଗୁଡ଼ାଏ କେମିତି ହେବ । ମୋତେ ଆପଣ ପାଗଳ ଭାବିଲେ ନା କଣ? ଦୁନିଆରେ ଯେତେ ମୋବାଇଲ୍ ନମ୍ବର ଅଛି ସେସବୁ ଗୁଡ଼ିକର ନମ୍ବର ସଂଖ୍ୟା ମୋଟ କେବଳ ଦଶ । ଓଃ.. ଓଃ.. ବୁଝିଲି ବୁଝିଲି, ପ୍ରଥମ ୯୧ ଦୁଇଟି ଯାକ ଅଦରକାରୀ ସଂଖ୍ୟା ଆମର ଦେଶ କୋଡର଼୍ । ଆଉଥରେ ସେଭ୍ କରୁଛି ୭୯୭୮୦୧୯୦୮୧- ଏବେ ଠିକ୍ , ମୁଁ ରିଂ କଲି ମୋର କଲ୍ ଗଲା । ଶେଷ ନମ୍ବର ୦୫୦ ତ? ସେଇଟା ହିଁ ମୋର ହ୍ୱାଟସ୍ଅପ୍ ନମ୍ବର । ନିଶ୍ଚିତ ଜଣେଇବେ, ମଟନ୍ କଷା ଭଲ ହୋଇଛି, ମୁଁ ଦି ଚାରି ଖଣ୍ଡ ମଟନ୍ ନେଇ ଆସେ । ଯଦି ଚାହିଁବେ ଆସନ୍ତା କାଲି ମୁଁ ଆପଣଙ୍କ ଘରେ ମୋ ଝିଅ ଫଟୋ ଦେଇ ଆସିବି । ଜାତକ ମେଳାମିଳାପ ସରିଲେ କଥା ଆଗେଇବା, ମୁଁ ଆସୁଛି ।” କହି ମୋତେ ସେଇଠି ଛାଡ଼ି ସେଦିନ ସେ ମଟନ୍ କଷା ତଶଲା ଆଡ଼କୁ ଏକାମୁହାଁ ମାଡ଼ିଚାଲିଲେ ।
ଫନି ମହାବାତ୍ୟାଟି ଭୁବନେଶ୍ୱରରେ ଯେଉଁ ତାଣ୍ଡବ ରଚିଛି, ତାହା କହିଲେ ନସରେ । ରାଜଧାନୀର ବଡ଼ବଡ଼ ଭିଭିଆଇପି ସଚିବମାନେ ଘରୁ ବାହାରକୁ କାର୍ରେ ଯାଇ ଖୋଲା ଆକାଶ ତଳେ ସୌଚ ଆଦି କରି ନଦୀରେ ଗାଧୋଇ ଘରକୁ ଫେରୁଛନ୍ତି । ମହମବତୀ ସହରରେ ମିଳୁନାହିଁ, ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି । ଅବିରତ ବିଜୁଳି ସରାବରାହ ପାଇଁ ମାସେ ବି ସମୟ ଲାଗିପାରେ । ପଚାଶ ଟଙ୍କାର ବିଞ୍ଚଣା ଅଢେଇଶ ଟଙ୍କାରେ ବିକ୍ରି ହେଉଛି । ଝରକା ବନ୍ଦ କଲେ ଖରାଦିନ ଗରମ ଗୁଳୁଗୁଳିରେ ଘମିର ଉଠିଯାଇ ଚମରେ ଘା’ଭଳି ଫଳିଯାଉଛି, ଝରକା ଖୋଲି ଶୋଇଲେ ମଶାମାନଙ୍କର ଦୌରାତ୍ମ୍ୟ ବହୁତ ଅସହ୍ୟ ହୋଇପଡ଼ୁଛି । କିଛି ଉପାୟ ନାହିଁ । ନିର୍ବାଚନ ସରିଛି, ଭୋଟର ହାତରୁ ପାଞ୍ଚବର୍ଷ ପାଇଁ ଗଣଶକ୍ତି ଖସିଯାଇ ଇଭିଏମ୍ ବାକ୍ସ ଭିତରେ ପଶି ସାରିଲାଣି । ଆଉ ଲୋକ ମଲେ କେତେ ନା ଗଲେ କେତେ ! ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଲା ପରେ ବି ଯେଉଁମାନେ ବାହାହେବାର ଥିଲା ହେଉଛନ୍ତି । ବିଜୁଳି ବିନା ଚଉଠି ସହ ଚଉଠି ଭୋଜି ବି ଦେଉଛନ୍ତି । ଭାଇ ସପ୍ତାହଟିଏ ଗଡ଼ିଗଲେ କଣ ଗୁଡ଼ଘର ପିମ୍ପୁଡ଼ି ବୋହିନେବ ! ଏତେ ଅଥୟ କିଆଁ ? ନାଁ ଆମର ସେଇ ତାରିଖରେ ହେବ । ଏମିତି ଜଣେ ଆମ ଢେଙ୍କାନାଳ ଜିଲ୍ଲାର ସହକର୍ମୀ କାବେରା ଗାଁର ସାନଭାଇ ସୁରେନ୍ଦ୍ର ରାଉଳ । ଏକା ଜି୍ଦ ଯୋଉ ତିଥିକୁ ସେଇ ତଥିି । କିଣ ବିଲାତି ବାଇଗଣ କିଲୋ ଶହେ, ଆଳୁକିଲୋ ତିରିଶ, ପିଆଜ ରସୁଣ ଅଦା କିଲୋ ନକହିଲେ ଭଲ । ଘର ପାଖରେ କାଜୁଗଛର ବଗିଚାଗୁଡ଼ା ଅଛି ବୋଲି ଶସ୍ତାପାଇ କାଜୁଖଟା କରିଦେଇଛି । ଅବଶ୍ୟ ଭୋଜି ତାରିଖଟାକୁ ଦୁଇଦିନ ଘୁଞ୍ଚାଇବାକୁ ବାଧ୍ୟ ହେଲା, କାରଣ ନିମନ୍ତ୍ରିତ ଅତିଥି ନିଜଘର ଛପର ଠିକ୍ କରିବେ ନା ତା ଭୋଜି ଖାଇବାକୁ ଆସିବେ ! ଶସୁର ଘରୁ ଆଣି ଚଉଠି ଶେଯପାଖରେ ରଖିଥିବା ଶୀତତାପ ନିୟନ୍ତ୍ରକ ଯନ୍ତ୍ରୁଟା କାଗଜ ପେଟିରୁ ଅଧା ମୁହଁ କାଢି ଖତେଇ ହଉଛି । ବୁଲା ବିଞ୍ଚଣା । ଚଉଠି ରାତି ନହୋଇଥିଲେ ଅବା ଖୋଲା ଅଗଣାରେ ଶୋଇ ଯାଇଥାନ୍ତା । ଇଏତ ଏମିତିଆ ଗୋଟାଏ ରାତି ଯେ ଝରକା କବାଟ ଫାଙ୍କରେ ଝୋଟଅଖା ବସ୍ତା କଟାକଟି କରି ଶହେଚୁଣ୍ଟା ଦେଇ ସବୁ ଛୋଟମୋଟ ଭଅଁର କଣାକୁ ମାସକ ଆଗରୁ ନିବୁଜ୍ କରିଛି । ଗାଁ କଥା, ରାତ୍ରୀଚର ବାଳୁଙ୍ଗା ଭେଣ୍ଡିଆଙ୍କ ସଂଖ୍ୟା ଅଧିକ । ସେମିତି ଆଉ ଜଣେ ଆମ ଭୁବନେଶ୍ୱର ଘରେ ଭଡ଼ା ରହୁଥିବା ଦ୍ୱିବେଦୀବାବୁଙ୍କ ବଡ଼ଝିଅ ଲୋନି । ଆଜିକାଲି ପୁଅ ଯାହା ଝିଅ ସେଇଆ । ପ୍ରେମ ଆଗରେ କେହି ନୁହଁ । ଆଜିକାଲିର ପୁଅଝିଅଙ୍କର ଜିଦ୍ ଆଗରେ ବାପା ମାଆ ବିବଶ । ଲୋନିର ବାହାଘର ଓ ରିସେପସନ୍ ପାଇଁ ଭୁବନେଶ୍ୱରର ଏକାମ୍ର ହାଟ ପାଖରେ ନିଳାଦ୍ରୀ କଲ୍ୟାଣ ମଣ୍ଡପଟିଏ ନିଆଯାଇଥିଲା । ବ୍ରାହ୍ମଣ ଘର ବାହାଘର । ଆଲୁଅବାଣ ରୋଶଣୀ ଖର୍ଚ୍ଚ ବଞ୍ଚାଇବାକୁ ଦିନରେ ବାହାଘର ସହ ଭୋଜି କାମ ସରିଯାଏ । ସନ୍ଧ୍ୟାପରେ ଝିଅ ବିଦାହେଲା ପରେପରେ ବନ୍ଧୁବାନ୍ଧବ ଫେରିଯାଆନ୍ତି । ନାଁ କୁ ସମସ୍ତେ ବ୍ରାହ୍ମଣ କିନ୍ତୁ ଭୋଜିରେ କୁକୁଡ଼ା ଛେଳି ହାଡ଼ଗୋଡ଼ ବଫେ ତଶଲାରେ ରହିବା ନିଶ୍ଚିତ ।
ଲୋନି ବାହାଘରରେ ଖାସିମଟନ୍ କଷା, ରୋହି ମାଛଭଜା, ଦେଶୀଚିକେନ୍ କରି, ବାଘୁଆଚିଙ୍ଗୁଡ଼ି ପକଡ଼ି ଓ କଲିଜା ଫ୍ରାୟ ସାଙ୍ଗରେ ସବୁ ସାଧାଆଇଟମ୍ ଥିଲା । ଗରମ ଓ ଗୁଳୁଗୁଳି ହେତୁ ଅତିଥିମାନଙ୍କ ଉପସ୍ଥାନ ଉତ୍ସାହ ଜନକ ନଥିଲା ବୋଲି ଅଳ୍ପ ଲୋକରେ ଯିଏଯିଏ ବଫେଖଲି ଧରି ଖାଉଥିଲେ ସେମାନେ ପରଷ୍ପର ଭିତରେ କଥା ହେବାର ଭରପୁର ସୁଯୋଗ ପାଉଥିଲେ । ଏତିକି ବେଳେ ମୁଁ ମୋର ଧର୍ମପତ୍ନୀ ଅନିମାଙ୍କୁ ନେଇ କଲ୍ୟାଣ ମଣ୍ଡପରେ ପହଁଚିଲି । ଆଗରୁ ସେଇଠି ଆମ ପଡ଼ୋଶୀ ବ୍ୟାଙ୍କ ମ୍ୟାନେଜର ମିଷ୍ଟର୍ ତ୍ରୀପାଠି ମିସେସ୍ ତ୍ରୀପାଠିଙ୍କ ସହ କିଏ ଜଣେ ଚିହ୍ନାଲୋକ ଆସିଲେ ଖାଇବା ଆରମ୍ଭ କରିବେ ବୋଲି ଅପେକ୍ଷାରତ ଥିଲେ । ଆମକୁ ଦେଖି ଖୁସି ହେଲେ, ଯାହାହେଉ ସାଙ୍ଗ ମିଳିଗଲେ । କାଳ ବିଳମ୍ବ ନକରି ମୁଁ ମିଷ୍ଟର ତ୍ରୀପାଠିଙ୍କ ସହ ପୁରୁଷଙ୍କ ପଛରେ ଧାଡ଼ିରେ ଛିଡ଼ାହେଲି ଓ ମିସେସ୍ ତ୍ରିପାଠି ଅନିମାକୁ ନେଇ ମହିଳାଙ୍କ ପଛ ଧାଡ଼ିରେ ଛିଡ଼ାହେଲେ । ସେମାନେ ଆଗ ନିଜନିଜର ଖଲିରେ ଅଳ୍ପଅଳ୍ପ ନେଇ ଦକ୍ଷିଣକୋଣକୁ ଚାଲିଗଲେ । ଭୋଜିଭାତ ସମାଗମରେ ସ୍ତ୍ରୀଲୋକ ମାନେ ଟିକେ ଅଳ୍ପାହାରୀ ବୋଲି ଦେଖେଇ ହୁଅନ୍ତି । ଚେହେରା ଓ ଅଣ୍ଟା ଗୋଲେଇ ଦେଖି ଅବଶ୍ୟ ଅନୁମାନ କରିହୁଏ କିଏ କେତେ ଅନ୍ନ ଧ୍ୱଂସ କରୁଛନ୍ତି । ଅଳ୍ପଅଳ୍ପ ନେଇ ଚାଲିଯାଉଥିବାରୁ ମହିଳାଙ୍କ ଧାଡ଼ିଟା ଜୋରଜୋରରେ ଚାଲେ, ପୁରୁଷଙ୍କର ଖଲି ପୁରେଇ ଏକାଥରକେ ଜଣେଜଣେ ଏତେ ଖାଦ୍ୟ ନିଅନ୍ତି ଯେ ଛିଡ଼ାହୋଇ ଟିକିଏ ଫାଙ୍କାଜାଗାକୁ ଗଲାବେଳେ ସାର୍ଟରେ ଝୋଳ ପଡ଼ିଲାଣି ତ ପାମ୍ପଡ଼ ଜୀରାଅନ୍ନର ପାହାଡ଼ ଆକୃତିର ମୁଣ୍ଡିରୁ ଉଡ଼ି ଯାଇ କାହା ଚପଲତଳେ ଗଳିଗଲାଣି । ଯାହାହେଉ ମୁଁ ଓ ତ୍ରିପାଠୀବାବୁ ଶେଷରେ ସୁଯୋଗ ପାଇଲୁ, ଖଲି ପୁରାଇଲା ପରେ ମୋତେ ତ୍ରିପାଠୀବାବୁ ମହିଳାମାନଙ୍କ ବିପରିତ ପଟକୁ ଯିବାକୁ ଇଙ୍ଗିତ କଲେ । ଆମେ ସେହି କୋଣକୁ ଯାଇ ଥରେଅଧେ ପାଟିକୁ ନେଇ ଖାଦ୍ୟର ଟେଷ୍ଟ ଚେକ୍ କରିଛୁ କି ନାହିଁ ତ୍ରିପାଠୀବାବୁ ଆରମ୍ଭ କଲେ ସେଇ ତାଙ୍କର ଚିରାଚରିତ ବରପାତ୍ର ତଲାସର ପୁରୁଣା ରେକଡରସ୍କ୍ରିପ୍ଟ । ସେ କହୁଥାନ୍ତି ଖାଉଥାନ୍ତି ଓ ମୁଁ ଶୁଣୁଥାଏ ଗେବୁଥାଏ । ମଝିରେମଝିରେ ମୁଁ ଲକ୍ଷ୍ୟ କରୁଥାଏ ମିସେସ୍ ତ୍ରିପାଠୀ ଓ ଅନିମା ଆମ ଆଡ଼କୁ ବଡ଼ବଡ଼ ଆଖି କରି ଅନାଉଁଥାନ୍ତି । ବରପାତ୍ର ମିଳିଗଲା ପରେ ତାଙ୍କୁ ଖବର ଦେବାପାଇଁ ବାରମ୍ବାର ଅନୁରୋଧ କରି ସାରିଲାପରେ ତ୍ରିପାଠୀବାବୁ ମୋତେ ଅନ୍ୟ ଏକ ଭିନ୍ନସ୍ୱାଦର କିମ୍ଭୂତକିମାକାର ଅନୁରୋଧଟିଏ କଲେ ଯେ ଆମେ ଏବେ ଯାହା ସବୁ କଥା ହେଲେ ଦୟାକରି ମୋ ପତ୍ନୀଙ୍କୁ କିଛି ବି କହିବେନି । ଏଇ ଅନୁରୋଧଟି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ଝିଅ ପାଇଁ ଭଲ ବରପାତ୍ରଟିଏ ବାପା ତଲାସ କରୁଛି, ସେଥିରେ ଝିଅର ନିଜ ମାଆକୁ ଲୁଚେଇବାରେ କଣ ଅଛି?
ତ୍ରିପାଠୀବାବୁ ମଟନ୍କଷା ଆଣିବାକୁ ଭିଡ଼ଭିତରେ ପଶିବାକୁ କସରତ କଲା ଭିତରେ ମିସେସ୍ ତ୍ରିପାଠୀ ଓ ଅନିମା ମୋ ଆଡ଼କୁ ଝପଟି ପହଁଚିଗଲେ ସତେ ଯେମିତି କେତେବେଳେ ତ୍ରିପାଠୀବାବୁ ମୋ ପାଖରୁ ଯିବେ ସେ’ଦୁହେଁ ସେଠି ଅପେକ୍ଷା କରି ରହିଥିଲେ । ତ୍ରିପାଠୀବାବୁ ଯେଉଁପଟେ ମଟନ୍ କଷା ନେଇ ବାହାରିବେ ସେ’ମୁଣ୍ଡରେ ଛିଡ଼ା ହୋଇ ରହିଲେ ମିସେସ୍ ତ୍ରିପାଠୀ ଓ ଅନିମା ମୋତେ ନେଇ ଏକ ଭିନ୍ନକୋଣରେ ତ୍ରିପାଠୀବାବୁଙ୍କ ଆଖିରୁ ଅଦୃଶ୍ୟ କରେଇଦେଇ ଯେଉଁ କଥା କହିଲା ମୁଁ ଦଶମିନିଟ୍ କାଳ ହତବାକ୍ୟ ହୋଇଗଲି । ଅନିମା ବହୁତ ସହଜରେ ମହାଭାରତର ସଞୟପରି ମୋତେ କହିଲା ତ୍ରିପାଠୀବାବୁ ତାଙ୍କ ଝିଅପାଇଁ ପୁଅଟିଏ ଦେଖିବାକୁ କହୁଥିଲେ ତ? – ହଁ, ତୁମେ କେମିତି ଜାଣିଲ? ତାଙ୍କର ମିସେସ୍ ମୋତେ ସବୁକଥା କହିଛନ୍ତି । ତାଙ୍କର ଗୋଟିଏ ବୋଲି ଝିଅଥିଲା କୁନି । ପିଜି ପରେ ଏମ୍ବିଏ କରିଥିଲା । ବୁଢାର ଇଚ୍ଛାଥିଲା ଭଲ ଯାନିଯୌତୁକ ଦେଇ ଭଲପୁଅକୁ ବାହାକରି ଆମେରିକା ପଠାଇବ । କିନ୍ତୁ ଏମ୍ବିଏ ଶେଷପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ ନକରି ଦ୍ୱିତୀୟ ଶ୍ରେଣୀ ନମ୍ବର ରଖିଥିବାରୁ ବୁଢା ଝିଅକୁ ସେଦିନ ରାତିରେ ଏଣୁତେଣୁ କିଛି ମର୍ମଘାତୀ ଗାଳିଗୁଲଜ କଲା । ସିଏ ବି ଖାଇଲାନି କି ଝିଅ ବି ଖାଇଲାନି, ମାଆ କେମିତି ଖାଇଥାନ୍ତା । ପୁରା ପରିବାର ସେଦିନ ଉପାସରେ ଶୋଇଲେ । ବାପାଝିଅ ସମ୍ପର୍କ ଭିତରେ ଅତି ମହତ୍ୱକାଂକ୍ଷା ପଶିଯିବାରୁ କାଳ ହେଲା । ତା ବାପା ତାଙ୍କ ଯୁବକାବସ୍ଥାରେ ଚାହୁଁଥିଲେ ନିଜେ ଯାଇ ଆମେରିକା ଦେଶରେ ସ୍ଥାୟୀରୂପେ ରହିବାକୁ, କିନ୍ତୁ ହୋଇ ପାରିଲାନି । ସବୁ ପିତାମାତା ନିଜର ଅଧୁରା ସ୍ୱପ୍ନକୁ ନିଜର ସନ୍ତାନ ମାଧ୍ୟମରେ ପୁରା କରିବାକୁ ଚାହାନ୍ତି । ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ବେଳେବେଳେ ସନ୍ତାନ ହୃଦୟ ଓ ମନ ଭିତରେ ଉଙ୍କି ମାରୁଥିବା ଭିନ୍ନ କିଛି ବାସ୍ତବ ସ୍ୱପ୍ନକୁ ବି ବୁଝିବା ନିତାନ୍ତ ଦରକାର । ବହୁତ ଛାତ୍ରଛାତ୍ରୀ ଅଧ୍ୟୟନ ସମୟରେ ସାଧାରଣ ରହି ମଧ୍ୟ ସମାଜରେ ଅସାଧାରଣ ପ୍ରତିଷ୍ଠା ଲାଭ କରିଛନ୍ତି । ତେଣୁ ପୁଅ କି ଝିଅର ପରୀକ୍ଷା ଫଳ ଆଶାନୁରୁପ ନହୋଇଥିଲେ ତାକୁ ମାଡ଼ଗାଳି ଦେଇ ଅପମାନ ଦେବା ପରିବର୍ତ୍ତେ ଆଗାମୀ ଭବିଷ୍ୟତ ପାଇଁ ଉତ୍ସାହ ବଢାଇଲେ ବରଂ ଭଲ । ଭଲନମ୍ବର ରଖି ପାସ୍ କରିବା ଏବଂ ଭବିଷ୍ୟତରେ ଜଣେ ସଫଳ ବ୍ୟକ୍ତି ହିସାବରେ ଯଶକୀର୍ତ୍ତି ସହ ପଇସା ରୋଜଗାର କରିବା ହେଲା ଦୁଇଟା ଅଲଗା ଅଲଗା କଥା । ବେଳେବେଳେ ଅନେକ ବାପାମାଆ ଛୁଆଙ୍କର ମନକୁ ନବୁଝି ଏମିତି ବ୍ୟବହାର କରୁଛନ୍ତି ଯେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ସନ୍ତାନମାନେ ଆତ୍ମହତ୍ୟାର ବାଟ ଆପଣାଇବାର ଅନେକ ଜାଗାରେ ଦେଖିବାକୁ ମିଳୁଛି । ହସଖୁସିର ଗୋଟିଏ ଛୋଟିଆ ପରିବାରରେ ସେହିରାତି କୁଳଦ୍ୱୀପଶିଖାଟି ନିଶଦ୍ଧରେ ଲିଭିଯାଇ ତ୍ରିପାଠୀ ଦମ୍ପତୀଙ୍କ ଭାଗ୍ୟକାଶକୁ ସବୁଦିନ ପାଇଁ ଅମାଅନ୍ଧାରରେ ପରିବର୍ତ୍ତନ କରି ଚାଲିଗଲା । ସକାଳୁ ମିଷ୍ଟର୍ ଏବଂ ମିସେସ୍ ତ୍ରିପାଠୀ ଦେଖିଲେ ଝିଅ ଗୋଟିଏ ତାର ପଢିବାଘର ଛାତପଙ୍ଖାରୁ ତଳକୁ ଝୁଲୁଛି । ବେଡ଼୍ସିଟ୍ରେ ବେକବାନ୍ଧି ଆତ୍ମହତ୍ୟା କରିଛି । ଏ ଦୃଶ୍ୟକୁ ମିଷ୍ଟର ତ୍ରିପାଠୀ ଦେଖି ସହଜରେ ହଜମ ନହେବାରୁ ଗଛକାଟିଲା ପରି ବାରଣ୍ଡାତଳକୁ କଚାଡ଼ି ହୋଇ ପଡ଼ି ଅଚେତ ହୋଇ ଯାଇଥିଲେ । ଆତ୍ମହତ୍ୟା କରିବା ପାଞ୍ଚ କି ଛଅବର୍ଷ ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ଝିଅ ବାହାଘର ଓ ବରପାତ୍ର ବିଷୟରେ ଘରେ ଆଲୋଚନା ହେଉଥିଲା । ସେଇଟା ତାଙ୍କ ମୁଣ୍ଡଭିତରେ ରହିଯାଇଛି । ବେଳେବେଳେ ପଚାରୁଛନ୍ତି କୁନି ଆସିଲାଣି? କୁନି ଖାଇଛି? ଖାଲି ହଁ ନାହିଁ ରେ ଜବାବ ଦେଇ ମିସେସ୍ ତ୍ରିପାଠୀ ତାଙ୍କର ଧ୍ୟାନକୁ ଅନ୍ୟଆଡ଼େ ଭୁଲାଇ ଦିଅନ୍ତି । ତାଙ୍କର ନିତ୍ୟକର୍ମ ନିଜେନିଜେ କରିବାରେ କିଛି ଅସୁବିଧା ନାହିଁ କି ବ୍ୟାଙ୍କର ଦୈନଦିନ କର୍ମରେ ସହକର୍ମୀମାନଙ୍କର କାହାର କିଛି ଅଭିଯୋଗ ନାହିଁ କିନ୍ତୁ ଏଇ ଗୋଟିଏ କଥା ମୁଣ୍ଡ ଭିତରୁ ବାହାରୁନି । ଏବେ ବି ପୂର୍ବଭଳି ବେଳେବେଳେ କୁନିର ବାହାଘର କଥା ଓ ଆମେରିକା କଥା ଆଲୋଚନା କରୁଛନ୍ତି ଏବଂ ଯାହାକୁ ଦେଖିଲେ ଭଲ ବରପାତ୍ରର ସନ୍ଧାନ ପାଇଲେ ଆମକୁ ଖବର ଦିଅନ୍ତୁ ବୋଲି କହି ବୁଲୁଛନ୍ତି । ଝିଅ ଆରପାରିକୁ ଯିବାର ଚାରିବର୍ଷ ହେଲାଣି କିନ୍ତୁ ଏବେ ବି ମିଷ୍ଟର ତ୍ରିପାଠୀ ଜାରି ରଖିଛନ୍ତି କେବେଠାରୁ ପଞ୍ଚଭୂତରେ ବିଲୀନ ହୋଇସାରିଥିବା ସେଇ ଅଶରୀରୀ ଝିଅର ସଂସାର ପାଇଁ ଗୋଟିଏ ଉପଯୁକ୍ତ ବରପାତ୍ରର ତଲାସ ।