ଗଳ୍ପ

ଟଙ୍କା ଗଛ

Dr Nilamani Lenka's odia story Tankaa Gachha

ସତରେ ବାବୁ ! ମୁଁ ସେ ଟଙ୍କା ଗଛ ଦେଖିଛି ପରା ।

ଟଙ୍କା ଗଛ

ଧରମୁ ସେଦିନ ପଚାରିଲା- “ବାବୁ ! ଟଙ୍କା କ’ଣ ଗଛରେ ଫଳେନି ?” ବିରକ୍ତ ହୋଇଗଲେ ସୁଶାନ୍ତ ବାବୁ । କାରଣ ସେ ଜାଣନ୍ତି ଧରମୁ ବହୁତ ଜିଦିଖୋର । ମୁଣ୍ଡରେ ଯାହା ଥରେ ପଶିଯାଏ ଅଡୁଆ ତଡୁଆ ପ୍ରଶ୍ନରେ ଘାଇଲା କରିପକାଏ ସୁଶାନ୍ତ ବାବୁଙ୍କୁ ।

ଚିଡ୍‌ଚିଡ୍ ହୋଇ ସୁଶାନ୍ତ ବାବୁ କହିଲେ- “ଆଜି ଏ ପ୍ରଶ୍ନ କାହିଁକି ହଠାତ୍ ପଚାରିଲୁ ?” ଟଙ୍କା ଯଦି ଗଛରେ ଫଳେ ତେବେ ଗେଫାଟା କ’ଣ ଆକାଶରୁ ଗଳେ ?

ଶଙ୍କି ଗଲା ଧରମୁ ।

ଜଙ୍ଗଲୀ ମଣିଷ ହେଉଛି ଧରମୁ । ଆଦିବାସୀ ଅଧ୍ୟୁଷିତ ପାହାଡ଼ତଳି ଡୁଙ୍ଗୁରୀ ପାଖି ଗାଁର ସରଳ ମଣିଷଟିଏ । କପଟ କ’ଣ ସେ ଜାଣିନାହିଁ । ବାପ ମା’ ଛେଉଣ୍ଡ ଧରମୁ ସୁଶାନ୍ତ ବାବୁଙ୍କ ଘରେ ତଥାପି ଦଶ ବାର ବର୍ଷ ହେଲା ରହିଆସିଲାଣି । ବେସାହାରା ହୋଇ ବୁଲୁଥିବା ଧରମୁକୁ ନିଜ ପରିବାରର ସଦସ୍ୟ ଭାବରେ ସୁଶାନ୍ତ ବାବୁ ତାକୁ ବିବେଚନା କରି ଆସିଛନ୍ତି । ତେଣୁ ଘରର ଭଲ ମନ୍ଦ କାମ, ବାଡ଼ିର ପନିପରିବା ଗଛର ଯତ୍ନ ନେବାରେ ଧରମୁ ସବୁବେଳେ ମନପ୍ରାଣ ଦେଇ ଲାଗିପଡ଼ିଥାଏ ।

ଧରମୁ ବହି ପଢ଼ିପାରେ ନାହିଁ । ଟି.ଭି. ପରଦାରୁ ଯାହା ଶୁଣେ, ତାକୁ ଭଲ ଭାବରେ ବୁଝିବା ଭଳି ଶକ୍ତି ମଧ୍ୟ ତା’ ପାଖରେ ନାହିଁ । ମୋଟା ମୋଟି ଭାବରେ ହୁଙ୍କାପିଟା ଚରିତ୍ରଟିଏ । ବାଡ଼ି ବଗିଚାର କାମ କରିବା ଏବଂ ସୁଶାନ୍ତ ବାବୁଙ୍କ ପରିବାର ପାଇଁ ମେହନତ କରିବା ତା’ର ବୋଧହୁଏ ଲକ୍ଷ୍ୟ ଥିଲା ।

ସୁଶାନ୍ତ ବାବୁଙ୍କ କଡ଼ା କଥାରେ ଶଙ୍କି ଯାଇଥିବା ଧରମୁ କହିଲା- “ବାବୁ ! ରାଗୁଚ କାଇଁକି ? ପୂର୍ବର ପ୍ରଧାନମନ୍ତ୍ରୀ ତ କହିଥିଲେ- ଟଙ୍କା କ’ଣ ଗଛରୁ ଫଳୁଛି ?”

ସୁଶାନ୍ତ ବାବୁ କହିଲେ- “ତୁ କେମିତି ଜାଣିଲୁ ଏ କଥା ?”

– ମୁଁ ଟି.ଭି.ରୁ ଶୁଣିଥିଲି । ଆମ ରାଜ୍ୟ ମୁଖ୍ୟ କେନ୍ଦ୍ରକୁ ଟଙ୍କା ମାଗିବାରୁ ସେ ପରା ଏକଥା କହିଥିଲେ । ହେଲେ ବାବୁ । ମୋ ମନରେ ସେଇ ଦିନରୁ ସନ୍ଦେହ ହେଲା । ସତରେ କ’ଣ ଗଛରୁ ଟଙ୍କା ଫଳେ ନାହିଁ ?

ଦଶ-ବାର ବର୍ଷ ହେଲା ଜଙ୍ଗଲ ସହିତ ସମ୍ପର୍କ ଛିନ୍ନ କରିଥିବା ଧରମୁକୁ ବୟସର ବିକସିତ ବସନ୍ତ ସ୍ପର୍ଶ କରିସାରିଲାଣି । କୋଡ଼ିଏ ଟପିଲାଣି । ଏଯାଏ ଜୀବନ ସାଥୀଟିଏ ମିଳିନାହିଁ । ସୁଶାନ୍ତ ବାବୁ କେତେଥର ଚିନ୍ତା କଲେଣି ଏକଥା । ପତ୍ନୀ ଭାନୁମତୀଙ୍କ ସହିତ ଏକାଧିକ ବାର ବି ଆଲୋଚନା କରିଛନ୍ତି । ଆମ ଜାଗାରୁ ଖଣ୍ଡେ ତା’ ନାଁରେ କରିଦେଇ ବାହା କରେଇ ଦେବା । ହୁଏତ ଉପଯୁକ୍ତ ପାତ୍ରୀ କିମ୍ୱା ପତ୍ନୀଙ୍କର ଅସହଯୋଗ ମନୋଭାବରୁ ତାହା ଏଯାଏ ହୋଇପାରୁ ନାହିଁ ।

ଉପସ୍ଥିତ ବୁଦ୍ଧି ବିହୀନ ଧରମୁ ଘଞ୍ଚ ଜଙ୍ଗଲର ଦୃଶ୍ୟକୁ ଆଉ ସମ୍ପୂର୍ଣ୍ଣ ସ୍ମୃତିରେ ରଖି ପାରି ନାହିଁ । ପିଲାବେଳେ ଦେଖିଥିବା ପାହାଡ଼ିଆ ଜଙ୍ଗଲ କଥା ମଧ୍ୟ ସ୍ପଷ୍ଟ ମନେପଡୁ ନାହିଁ । ଜଙ୍ଗଲ ପାଖରେ ଖୁଡ଼ୀ ସହିତ ବୁଲିଥିବା ସମୟ ବି ନାହିଁ । ଶୈଶବର ଜଙ୍ଗଲୀ ପତ୍ରର କଅଁଳିଆ ଶେଯ କିମ୍ୱା ଲଟାପତ୍ର ଆଚ୍ଛାଦିତ କୁଡ଼ିଆ ସ୍ମୃତିର ମାନସ ପଟରୁ ଦୂରେଇ ଯାଇଛି ।

ତଥାପି ଜଙ୍ଗଲିଆ ରକ୍ତ ଏବେ ବି ତା’ ଧମନୀରେ ପ୍ରବାହିତ ହେଉଛି । ମନେହୁଏ କେତେବେଳେ କେମିତି ତା’ ଜନ୍ମିତ ଗାଁରୁ ଟିକେ ବୁଲି ଆସନ୍ତା । ନୀଡ଼ ଫେରନ୍ତା ଚଢ଼େଇମାନଙ୍କର ଖିଚିରି ମିଚିରି ଶବ୍ଦରେ ଅଶାନ୍ତ ମନକୁ କିଛି ସମୟ ପାଇଁ ଭୁଲାଇ ଦିଅନ୍ତା ।

କିନ୍ତୁ ସହରର ଚାକଚକ୍ୟ ଆଲୋଚ ଖଚିତ ଅଟ୍ଟାଳିକାରୁ ବାହାରିବା ସମ୍ଭବ ହୁଏ ନାହିଁ ଧରମୁର ।

ସୁଶାନ୍ତ ବାବୁଙ୍କ ଚଢ଼ାଗଳା ଭାଷାରେ ଧରମୁ ସିନା ସେଦିନ ନରମି ଯାଇଥିଲା ହେଲେ ଟି.ଭି.ରେ ଆଜି ଯେଉଁ ସମ୍ୱାଦ ବାରମ୍ୱାର ପ୍ରସାରଣ କରାଯାଇଛି ତାକୁ କେମିତି ସେ ଅବିଶ୍ୱାସ କରିପାରନ୍ତା ।

ଟି.ଭି. ଦେଖିବାକୁ ତାକୁ ସେମିତି କିଛି ସମୟ ମିଳେ ନାହିଁ । ସୁଶାନ୍ତ ବାବୁଙ୍କ ଘର ବାଡ଼ିର ଛୋଟ ବଡ଼ କାମ କରୁ କରୁ ବେଳ ଗଡ଼ିଯାଏ । ଅବଶ୍ୟ ଯା’ ଆସ ସମୟରେ କିମ୍ୱା ସନ୍ଧ୍ୟାବେଳେ ଟିକେ ଫୁରସତ ମିଳେ ଟି.ଭି. ଦେଖିବାକୁ । ଏହି ଟି.ଭି. ପାଇଁ ବାବୁ ଏବଂ ମା’ଙ୍କ ମଧ୍ୟରେ ଅନେକ ଥର କଥା କଟାକଟି ହେଲାଣି । ବାବୁ ସମ୍ୱାଦ ଦେଖିବାକୁ ପସନ୍ଦ କରୁଥିବାବେଳେ ବାବୁଆଣୀ କିନ୍ତୁ ଲଗାତର ଓଡ଼ିଆ ଧାରାବାହିକ ଦେଖିବାକୁ ରିମୋଟ ହାତରେ ଧରି ବସିଯାଆନ୍ତି ।

ଏଥର ସୁଶାନ୍ତ ବାବୁଙ୍କୁ ନୁହେଁ, ବରଂ ମା’ ଭାନୁମତୀଙ୍କୁ ପଚାରିବାକୁ ପସନ୍ଦ କଲା ଧରମୁ ।

ଅତି ସନ୍ତର୍ପଣରେ ଧରମୁ କହିଲା, “ମା. . . ! ଯଦି ନ ରାଗିବେ ତେବେ ଗୋଟିଏ କଥା ପଚାରନ୍ତି ।”

ଭାନୁମତୀ କହିଲା- “କହୁନୁ ରାଗିବି କାହିଁକି ?”

ଟି.ଭି. ସାମ୍ନାର ଚେୟାରରେ ବସିଥିବା ଭାନୁମତୀଙ୍କ ପାର୍ଶ୍ୱରେ ତଳେ ବସିପଡ଼ିଲା ଧରମୁ । ଆଚ୍ଛା ମା’. . . । ବାବୁଙ୍କୁ ଥରେ ଗୋଟିଏ କଥା ବୁଝିବାକୁ ପଚାରିଥିଲି ବୋଲି ସେ ମୋ ଉପରେ ଖୁବ୍ ରାଗିଲେ । କହିଲେ- “ଗେଫାଟା କ’ଣ ଆକାଶରୁ ଗଳେ ?”

– ହେ ସିଧା କହ ମୋତେ ଡିଷ୍ଟର୍ବ କରନା କହୁଛି ।

ଧରମୁ ସାହସ ବାନ୍ଧି ପଚାରିଲା- “ମା. . . ! ଟଙ୍କା କ’ଣ ଗଛରେ ଫଳେନି ?” ଠୋ’ ଠୋ’ ହସିଲେ ଭାନୁମତୀ ।

କିଛି ସମୟ ପରେ ପଚାରିଲେ ଏକଥା କାହିଁକି ତୋ ମନକୁ ଆସୁଛି ? ଟଙ୍କା ଚାଷ କରିବୁ କି ? ଆରେ ମୂର୍ଖ । ଟଙ୍କା ରୋଜଗାର ପାଇଁ ଗଛ ଲଗାଯାଏ । ଖୁବ୍ ଶୀଘ୍ର ଅଧିକ ଟଙ୍କା ରୋଜଗାର ପାଇଁ ମାଓବାଦୀ କିମ୍ୱା ନକ୍ସଲମାନେ ଜଙ୍ଗଲରେ ସମସ୍ତଙ୍କୁ ଚକମା ଦେଖାଇ ଗେଞ୍ଜଇ ଚାଷ କରନ୍ତି । ବିରାପାନ୍ନ ଭଳି ବ୍ୟକ୍ତି ଚୋରା ଚନ୍ଦନ କାଠ ବେପାର କରନ୍ତି । ମାଫିଆମାନେ ସଲା ସୁତୁରା କରି ଶାଳ ପିଆଶାଳ, ଶାଗୁଆନ କାଠ ଚୋରା ବେପାର କରନ୍ତି ।

ଧରମୁ ମନ ବୁଝିଲା ନାହିଁ । ପେଟ ଭିତରେ ପୁଣି ପ୍ରକୃତ ଜିଜ୍ଞାସାକୁ ଚାପି ରଖିଦେଲା ।

ଭାନୁମତୀ ପୂର୍ବବତ୍ ଏକ ଲୟରେ ଟି.ଭି.ର ଧାରାବାହିକକୁ ଦେଖିବାରେ ମଗ୍ନ ରହିଲେ । ଧରମୁ ବି ଅନ୍ୟମନସ୍କ ଭାବରେ ତାଙ୍କ ମୁହଁକୁ ଚାହିଁ କ’ଣ ଭାବୁଥିଲା କେଜାଣି, ଟି.ଭି.ର ବିଜ୍ଞାପନ ବିରତିରେ ଭାନୁମତୀ ଦେଖିଲେ ଧରମୁ ଖୁବ୍ ଅନ୍ୟମନସ୍କ ହୋଇ ତାଙ୍କୁ ଚାହିଁଛି ।

ପଚାରିଲେ କ’ଣ ହେଲା ବେ. . . ? ଟି.ଭି. ନ ଦେଖି ମତେ କାହିଁକି ଚାହିଁଛୁ ? ଜଙ୍ଗଲକୁ ପଳେଇଯା’ ଟଙ୍କା ଚାଷ କରି ରାତାରାତି ବଡ଼ଲୋକ ହେଇଯିବୁ ।

ହୁଙ୍କାପିଟା ଧରମୁ କଥାଖିଅକୁ ଟିକେ ଖୋଲି କହିଲା, “ମା’ ! ମୋ ପିଲାଦିନର କଥା ସବୁ ତ ମନେନାହିଁ । ହେଲେ ମା’ ! ଜଙ୍ଗଲ ପାଖ ପାହାଡ଼ ତଳେ ଥିବା ମହୁଲ ଗଛ ମୂଳରେ ଆମେ ଖେଳିବା ବେଳେ ଖୁଡ଼ୀ ଛୋଟ ଛୋଟ ଧୂଳି କୁଢ଼ ଗୁଡ଼ିକୁ ଦେଖେଇ କହିଲା- ହେଇରେ ହେ ଟୁକାଏ ! ଦେଖିବ ଆସ ଟଙ୍କା ପୋକ ବାହାରିବ । ଆମେ ଘେରିଯାଇ ଦେଖିଥିଲୁ ସଢ଼େଇ ଆକାରରେ ଥିବା ଧୂଳି ଆଡ଼େଇ ଛୋଟ ଛୋଟ ପୋକ କେତୋଟି ସେ ତା’ ହାତର ପାପୁଲି ଉପରେ ରଖି ଦେଇ ଆମକୁ କହୁଥିଲା- ଦଣ୍ଡବତ ହୁଅରେ ୟାକୁ । ଆମେ ପାପୁଲିରେ ଥିବା ପୋକକୁ ହାତମାରି ଦଣ୍ଡବତ ହେଉଥିଲୁ । ଖୁଡ଼ୀ ସେ ପୋକକୁ ପୁଣି ତା’ ଜାଗାରେ ଛାଡ଼ି ଦେଇ ଚାଲି ଯାଉଥିଲା ।”

ମା’. . . ! ଏସବୁ କ’ଣ ମିଛ ?

ଭାନୁମତୀ ଗମ୍ଭୀର ହୋଇଗଲେ । ଧରମୁ ଯାହା ସବୁ କହିଗଲା ତାହା ତ କେବଳ ଜଙ୍ଗଲର କଥା ନଥିଲା । ଗାଁର ସରକାରୀ ବିଦ୍ୟାଳୟରେ ପଢ଼ିବା ସମୟର କଥାକୁ ସେ ମନେ ପକାଇଲେ । ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନଥିଲା । ପିଲାମାନେ ଖେଳଛୁଟିରେ ନିଜ ଘରକୁ ଯାଉଥିଲେ ଖାଇବା ପାଇଁ । କିଛି ଚଗଲା ପିଲା ଘରକୁ ନ ଯାଇ ମାଟିକାନ୍ଥ ମୂଳରେ ଥିବା ଧୂଳି କୁଢ଼କୁ ଖେଳେଇ କାଗଜରେ ଟଙ୍କା ପୋକ ସଂଗ୍ରହ କରି କ୍ଲାସ୍‌ରେ ଅନ୍ୟ ପିଲାଙ୍କୁ ଦେଖେଇ ବାହାଦୂରୀ ନିଅନ୍ତି ।

ସେଦିନ ଭାନୁମତୀ ବି ସରଳ ପଣରେ କିଛି ବୁଝି ନ ପାରି ଟଙ୍କା ପୋକ ଦେଖିବାକୁ ବ୍ୟଗ୍ର ହୋଇ ଶ୍ରେଣୀ ଶିକ୍ଷକଙ୍କ ଠାରୁ ମାଡ଼ ଖାଇଛନ୍ତି, ଟଙ୍କା ପୋକ କିମ୍ୱା ଅମରଜଡ଼ା ଗଛରେ ଶିଙ୍ଗ ଥିବା ତଥାକଥିତ ଘୋଡ଼ାପୋକର ରହସ୍ୟ ଏଯାଏ ଅବୁଝା ହୋଇ ରହିଛି ।

ଧରମୁ କହିଲା. . . ମା’ ! ତମେ କ’ଣ କହୁଥିଲ ଅନ୍ୟମନସ୍କ ମୁଁ ହଉଛି ବୋଲି । ବିଜ୍ଞାପନ ତ କେତେବେଳୁ ସରି ବିଷୟ ଦେଲାଣି । ଆଉ ଦେଖିବନି କି ?

ନା- ବାବୁଙ୍କ ଆସିବା ବେଳ ହୋଇଗଲାଣି । ଚାଲ୍ ଡାଲି ତରକାରୀକୁ ଆଉ ଟିକେ ଗରମ କରିଦେବା । ସୁଶାନ୍ତ ବାବୁ ଅବଶ୍ୟ ସେଦିନ ଅଫିସ୍‌ରୁ ଆସିବା ଡେରି କରିଦେଲେ ।

ଖିଆପିଆ ସାରି ଡାଇନିଂରେ ଗୋଟିଏ ପଟକୁ ପଡ଼ିଥିବା ଦଉଡ଼ିବୁଣା ଖଟ ଉପରେ ଚିତ୍ ହୋଇ ପଡ଼ିଥାନ୍ତି ସୁଶାନ୍ତ ବାବୁ ।

ଭାନୁମତୀ ଧରମୁକୁ ଡାକିଲେ- “ହଇରେ. . . ! କ’ଣ ପଚାରିବୁ କହୁଥିଲୁ ଆସୁନୁ । ଡରୁଚୁ କାହିଁକି ?”

ଡରି ଡରି ଧରମୁ ଆସି ଠିଆ ହେଲା ।

– କହୁନୁ । ଗବଦଲ ଭଳି ଠିଆ ହେଲୁ ଯେ ।

– ବାବୁ. . . ! ଟଙ୍କା କ’ଣ ଗଛରେ ଫଳେନି ?

କଡ଼ ଲେଉଟାଇ ଚାହିଁଲେ ସୁଶାନ୍ତ ବାବୁ । ଆଜି ପୂର୍ବଭଳି ସେ ଦିଶୁନଥିଲେ । କ୍ରୋଧର ଛାପ ଟିକେ ବି ନଥିଲା ତାଙ୍କ ମୁଖ ମଣ୍ଡଳରେ ।

ଉଠି ବସିଲେ । ଧରମକୁ ପାଖକୁ ଡାକି ତା’ ମୁଣ୍ଡକୁ ସାଉଁଳେଇ କହିଲେ- “ଡରୁଛୁ କାହିଁକି ? କ’ଣ ହେଉଛି ସତ କହ ?”

ଧରମୁ କହିଲା- “ବାବୁ ! ଟି.ଭି.ରେ ଦୁଇ ତିନିଦିନ ହେଲା ଦେଖେଉଚି ବନପାଳଙ୍କ ଘରୁ କୋଡ଼ିଏ ପାଖାପାଖି ଟଙ୍କା ବାହାରିଲା । ତା’ ସାଙ୍ଗକୁ ହରିଣ ଶିଙ୍ଗ, ବାଘଚମଡ଼ା ଆସନ, ଝୁଣା, ମହୁ ଏମିତି କେତେ କ’ଣ । ଟଙ୍କା ଯଦି ଗଛରୁ ନ ଫଳୁଛି ସେ ଏତେ ଟଙ୍କା ବନପାଳ ହେଇ ଆଣିଲେ କେଉଁଠୁ ?”

ଟିକେ ଦୂରରେ ବସିଥିବା ଭାନୁମତୀ ଉଠିଆସି ସୁଶାନ୍ତ ବାବୁ ବସିଥିବା ଦଉଡ଼ି ଖଟରେ ବସିଲେ ।

ଭଲକଥା ପଚାରିଛି ଧରମୁ । ବୁଝେଇ ଦିଅ ତାକୁ । ଟଙ୍କା ଗଛ, ଟଙ୍କା ପୋକ ଏକଥା କାହିଁକି ଉଠିଛି ? ନିଆଁ ନଥିଲେ କ’ଣ ଧୂଆଁ ବାହାରେ !

କିଛି ମୁହୂର୍ତ୍ତ ଚିନ୍ତାକଲେ ସୁଶାନ୍ତ ବାବୁ । ବିଚକ୍ଷଣ ବୁଦ୍ଧି ଯୋଗୁ ସର୍ବଦା ଉପର ଅଫିସରଙ୍କର ସେ ଖୁବ୍ ପ୍ରିୟ । ତାଙ୍କ ଅନୁପସ୍ଥିତିରେ ଭାନୁମତୀ ଏବଂ ଧରମୁ ଏ ବିଷୟରେ ରୀତିମତ ବିଶ୍ଳେଷଣ କରିଛନ୍ତି ବୁଝିବାକୁ ବାକି ରହିଲା ନାହିଁ ତାଙ୍କର ।

ଧରମୁକୁ ବୁଝାଇବା ଆଳରେ ସେ ଭାନୁମତୀଙ୍କୁ ଚାହିଁ କହିଲେ- “ଏଗୁଡ଼ାକ ସବୁ କଳାଟଙ୍କା । ଆୟ ବହିଃର୍ଭୂତ ସମ୍ପତ୍ତି । ଜଙ୍ଗଲର ମାଫିଆମାନଙ୍କ ସହିତ ହାତ ମିଳେଇ ପ୍ରଚୁର ଟଙ୍କା ରୋଜଗାର କରିଥାନ୍ତି ଏମାନେ । ଧରାପଡ଼ନ୍ତି, ମୁହଁରେ ଖବରକାଗଜ ଘୋଡ଼ାଇ ଜେଲ୍ ଯାଆନ୍ତି । ପୁଣି ଆସନ୍ତି, ରିସ୍ପତ ବି ନେଇ ଚାଲନ୍ତି ।”

ଭାନୁମତୀ କହିଲେ- “ତମେ ଏଥର ଆଉ ରିସ୍ପତ ଆଣନାହିଁ । କେତେବେଳେ କେଉଁ କଥା । ସମୟ ଖରାପ ପଡ଼ିଲେ ଅକଲ ଗୁଡୁମ୍ ହୋଇଯିବ ଆମର ।”

ସୁଶାନ୍ତ ବାବୁ ଟିକେ ରାଗିଲା ପରି ଜଣାଗଲେ ।

– ତୁମର ଏ ବାଜେ କଥା ସବୁବେଳେ କାହିଁକି କହିଲ ? କି ରିସ୍ପତ୍ ମୁଁ ଆଣୁଛି । କ’ଣ ଲକ୍ଷ ଲକ୍ଷ ନା କୋଟି କୋଟି ? ତମ ଭଳିଆ ଘରଣୀ ଯାହାର ଥିବ, ଛାଡ଼ . . . ।

ସୁଶାନ୍ତ ବାବୁଙ୍କ ରାଗ ଦେଖି ଧରମୁ ପେଟ ଭିତରେ କଥା ଚାପି ରଖିବାକୁ ନାପସନ୍ଦ କଲା । ବୁଝିଲ ବାବୁ । ଏଥର ଆମ ରାମମନ୍ଦିର ପଡ଼ିଆରେ ହେଇଥିବା ରାମଲୀଳାରେ ମୁଁ ଦେଖିଛି ପରା ।

– କ’ଣ ଦେଖିଛୁ ?

– ଟଙ୍କା ଗଛ ।

ବିରକ୍ତ ହୋଇ ସୁଶାନ୍ତ ବାବୁ ଉଠି କାନ୍ଥ ଘଣ୍ଟାକୁ ଚାହିଁଲେ ତିନିଟା ବାଜିଲାଣି । ଅଫିସ୍‌କୁ ଫେରିବା ପ୍ରାୟ ଅଧଘଣ୍ଟାଏ ଡେରି ହେଲାଣି ।

ମା’ଙ୍କ ଠାରୁ ସାହସ ପାଇଥିବା ଧରମୁ ଥିଲା ନଛୋଡ଼ବନ୍ଧା ।

– ସତରେ ବାବୁ ! ମୁଁ ସେ ଟଙ୍କା ଗଛ ଦେଖିଛି ପରା ।

ସୁଶାନ୍ତ ବାବୁ ସେତେବେଳକୁ ବୁଝି ସାରିଥିଲେ । ଦର୍ଶକମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ହନୁମାନ ଯେତେବେଳେ ସୀତାଦେବୀଙ୍କ ଠାବ ନିମିତ୍ତ ଅଶୋକ ବନକୁ ପ୍ରବେଶ କରିଥିଲା, ସେହି ସମୟର ଦୃଶ୍ୟକୁ ଆୟୋଜକମାନେ ଦର୍ଶକଙ୍କୁ ଦେଖାଇବାକୁ ଚେଷ୍ଟା କରିଥିଲେ । ରାମଲୀଳା ମଞ୍ଚର ଚାରି କୋଣରେ ବଡ଼ ବଡ଼ ଗଛର ଡାଳଗୁଡ଼ିକୁ ବନ୍ଧା ଯାଇ କାଗଜ ଟଙ୍କାକୁ ସୂତାଦ୍ୱାରା ବନ୍ଧାଯାଇଥିଲା । ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ମଞ୍ଚର ବିଭିନ୍ନ କୋଣକୁ ଡେଇଁ ଡେଇଁ ବୁଲୁଥିଲା । ଟଙ୍ଗା ଯାଇଥିବା ଫଳ ଏବଂ ଦଶଟଙ୍କିଆ ନୋଟକୁ ସୂତାରୁ ଛିଣ୍ଡାଇ ଦର୍ଶକଙ୍କ ଉପରକୁ ଫିଙ୍ଗୁଥିଲା । ଖୁବ୍ ତାଳିମାଡ଼ ହେଉଥିଲା ସେଠି ।

ସରଳମନା ଧରମୁକୁ ପାଖକୁ ଡାକି ସୁଶାନ୍ତ ବାବୁ କହିଲେ- “ବୋକାଟା ତୁ । ଗଛରେ ଟଙ୍କା ଫଳେନାହିଁ । କଥାରେ ହଁ କେବଳ କୁହାଯାଏ । ମୁଁ ଆଜି ଅଫିସ୍‌ରୁ ଫେରେ ସନ୍ଧ୍ୟାରେ ସବୁ ବୁଝାଇ ଦେବି ।”

ସୁଶାନ୍ତ ବାବୁଙ୍କର ସନ୍ଧ୍ୟାକାଳୀନ ଅଫିସ୍ ଫେରନ୍ତା ବାଟକୁ ତଥାପି ସେଦିନ ଚାହିଁ ରହିଥିଲା ନିଷ୍କପଟ ଧରମୁ ।

ଲୋକପ୍ରିୟ ଲେଖା

To Top