ଗଳ୍ପ

ଠେଲା ଗାଡ଼ି

Dr Nilamani Lenka's odia story Thelaa Gaadi

ଏଇ ଦେଖ ! ଘୁଗୁନି ବେପାରର ମୂଳଦୁଆ ପକେଇଥିବା ଷଡ଼ାନନରେ କିନ୍ତୁ ନାହାନ୍ତି ହେଲେ ଘୁଗୁନି ବେପାର ଅଛି ।

ଠେଲା ଗାଡ଼ି

ପ୍ରାୟ ସବୁଦିନ ଠେଲାଗାଡ଼ିଟି ସହରର ଏ ଛକରୁ ସେ ଛକକୁ ଏବଂ ସ୍କୁଲ ଗେଟ ପାଖକୁ ଆସେ । ତା’ ପରେ ଶୁଭେ – ଏ ସଦାନନ୍ଦ ଘୁଗୁନି …!

କେବଳ ଏତିକି ନ ଥିଲା । ଠେଲାଗାଡ଼ିର ହ୍ୟାଣ୍ଡଲ ଉପରେ ସାଇକେଲ ପ୍ୟାଡ଼ାଲର ପୁରୁଣା ଏକସିଲ ଦ୍ୱାରା ଢଙ୍ଗ ଢଙ୍ଗ ଶବ୍ଦ । ବେଳେ ବେଳେ ଠେଲାଗାଡ଼ିର ପଛରୁ ସିଲଭର ଢାଙ୍କୁଣିରେ କରଚୁଲି ବାଡ଼ିଆ ଶବ୍ଦ ଯା’ଆସ କରୁଥିବା ଲୋକଙ୍କୁ ଟିକେ ଅନ୍ୟମନସ୍କ କରିଦେଉଥିଲା ।

ଛାତ୍ରାବସ୍ଥାରୁ ସଦାନନ୍ଦଙ୍କୁ ମୁଁ ଦେଖି ଆସିଛି । ସ୍କୁଲ ପାଖ ହେଲେ ଟିଣର ତିଆରି ମାଇକ ଫନେଲ ଆକୃତିର ତୁରୀକୁ ମୁହଁରେ ଲଗାଇ ବଡ଼ ପାଟିରେ ଚିଲାନ୍ତି – ଏ ସଦାନନ୍ଦ ଘୁଗୁନି । ତୁରୀ,ହ୍ୟାଣ୍ଡଲ ଏବଂ ଢ଼ାଙ୍କୁଣୀର ତ୍ରିମୁଖୀ ଶବ୍ଦରେ ପାଠପଢ଼ା ଛାଡ଼ି ଝରକା ବାଟେ ରାସ୍ତାକୁ ଚାହୁଁଥିଲୁ । କାରଣ ଖେଳଛୁଟି ଏବଂ ଚାରିଟା ବେଳର ଛୁଟି ହେଲେ ସଦାନନ୍ଦଙ୍କ ଘୁଗୁନି ଠେଲାଗାଡ଼ି ପହଞ୍ଚିଯାଏ ସ୍କୁଲଗେଟ ପାଖରେ ।

ଅବଶ୍ୟ ଆମ ହେଡ଼ସାର ଆମକୁ ବେଟା ଦେଖାଇ ଧମକାଇ ଦିଅନ୍ତି । ହୁସିଆର ! ସ୍କୁଲ ଛୁଟିଘଣ୍ଟା ବାଜିବା ପରେ ଯାହା କରିବ । ଅନ୍ୟମନସ୍କ ହେଲେ ଏଇ ଗୌରାଙ୍ଗ ମହାପ୍ରଭୁଙ୍କୁ ଅନେଇଥାଅ । ଗୌରାଙ୍ଗ ମହାପ୍ରଭୁରୂପୀ ସାରଙ୍କ ବେତ ଦେଖି ଆମେ ଡରିଯାଉଥିଲୁ ।

ସଦାନନ୍ଦଙ୍କ ଚେହେରା ସେତେଟା ଭଲ ନ ଥିଲା । ଜାତିରେ ବ୍ରାହ୍ମଣ ଥିବାରୁ ପିଲାଠୁ ବଡ଼ ଯାଏ ସମସ୍ତେ ତାଙ୍କୁ ସଦାନନା ବୋଲି ସମ୍ବୋଧନ କରନ୍ତି । ପୂର୍ବରୁ ମିଳୁଥିବା ଚାରିହାତିଆ ଗେରୁଆ ରଙ୍ଗର ବଳଦେବଜୀଉ ମିଲ ଗାମୁଛା ପିନ୍ଧିଥିବାବେଳେ ଅନ୍ୟ ଏକ ପତଳା ଗାମୁଛା ଅଣ୍ଟାରେ ଭିଡିଥାନ୍ତି ସେ । ବାକିତକ ସବୁ ଫୁଙ୍ଗୁଳା । ଅର୍ଥାତ କାନ୍ଧରେ ପଇତା ବ୍ୟତୀତ ଗଞ୍ଜି କିମ୍ବା ସାର୍ଟ ମଧ୍ୟ ନ ଥାଏ ।

ଅବଶ୍ୟ ଖୁବ ପରିଶ୍ରମୀ ସଦାନନା ଦେହରୁ ବୋହିଆସୁଥିବା ଝାଳକୁ ଅଣ୍ଟାର ଗାମୁଛାରେ ବେଳେବେଳେ ପୋଛି ପକାନ୍ତି ।

କର୍ମ ଚଞ୍ଚଳ ମଣିଷ ସେ । ମେହେନତ କରି ରୋଜଗାର କରିବାର ପ୍ରୟାସ ତାଙ୍କ ସ୍ୱାଭିମାନର ପରିଚୟ ଦେଉଥିଲା । କିଛି ଲୋକଙ୍କର ସେ ନିଶ୍ଚୟ ଆଦର୍ଶ ପାଲଟି ଯାଇଥିଲେ ।

ପିଲାବେଳୁ ସଦାନନ୍ଦ ତାଙ୍କ ବାପାଙ୍କ ସାଙ୍ଗେ କଲିକତାରେ ରହୁଥିଲେ । ବାପାଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିବାରୁ କଲିକତାର ଏକ ଝୋଟ କାରଖାନାରେ ସେ କାମକରି ପରିବାର ପ୍ରତିପୋଷଣ କରୁଥିଲେ । ସମୟ ସାଥ ଦେଲାନାହିଁ । ସଦାନନ୍ଦଙ୍କ ବିବାହ ଖୁବ ଜାକଜମକରେ ଗାଁରେ ସମ୍ପାଦନା କରିସାରିବା ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହା ପୂର୍ବରୁ ମା’ମଧ୍ୟ ଆରପାରିକୁ ଚାଲିଯାଇଥିଲେ ।

ସଦାନନ୍ଦ ଏଥର ବାପାଙ୍କ ପାଠ ଅନୁସରଣ କରି କଲିକତାର ଝୋଟ କାରଖାନାରେ ଚାକିରୀ ଆରମ୍ଭ କଲେ । ଦୀର୍ଘ ଚାରି ଦଶନ୍ଧି ପରେ ବୃତ୍ତିଗତ ଅବସର ନେବାପରେ ସଦାନନା ପତ୍ନୀ ଏବଂ ଏକ ମାତ୍ର ଝିଅ ସୁରଭିକୁ ଧରି ଫେରିଆସିଲେ ଗାଁକୁ ।

ବାଛିନେଲେ ଠେଲାଗାଡ଼ିର ବୃତ୍ତିକୁ ।

କିଛି ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିଛି ସଦାନନାଙ୍କୁ । ଏହା ଏକ ସ୍ୱାଭାବିକ ପ୍ରଶ୍ନ ।

– ନନା ! ପରିଣତ ବୟସରେ ଏ ଠେଲାଗାଡ଼ି ନ ଧରିଲେ ହୁଅନ୍ତାନି ? କେହି କେହି ପଚାରନ୍ତି – ନନା ! ହୋତେ କଥା ପଚାରିବୁ, ଖରାପ ଭାବିବନି ତ ?

ସେ ନାହିଁକରି କହନ୍ତି ପଚାର ପଚାର । ସଙ୍କୋଚ କରିବାର କ’ଣ ଅଛି । ବେଳ କାଳ ଭଲ ନୁହଁ । ଭଲମନ୍ଦ ଅଛି ତ ?

ଏ ପ୍ରଶ୍ନର ଉତ୍ତର ଦେଲାବେଳେ ଯଦି ନିରୋଳା ଥାଏ ତେବେ ସଦାନନା ୟୁକେ କାନ୍ଦି ପକାନ୍ତି । ଅଣ୍ଟାର ମସିଆ ଗାମୁଛା ଆଖିରେ ଜକେଇ ଆସୁଥିବା ଲୁହକୁ ଛପେଇ ଦେଇ କୁହନ୍ତି – ପେଟପୋଷ, ନାହିଁ ଦୋଷ । ମୁଁ ତ ଚୋରୀ କିମ୍ବା ଟାଉଟରୀ କରି ବଞ୍ଚି ନାହିଁ । ଶରୀରରେ ଶକ୍ତି ଥିବାଯାଏ ମେହନତ କରି ମୁଁ ମୋ ଝିଅକୁ ଆତ୍ମନିର୍ଭରଶୀଳ କରେଇବାର ପଣ କରିଛି । ଦେଖୁନୁ ବାବୁ ମୋ ଠେଲାଗାଡ଼ିର ବେପାର କ’ଣ କମିଛି ନା ଗରାଖଙ୍କ ସରାଗ ଊଣା ହୋଇଛି ।

ଜୀବନକାଳ ଭିତରେ ମୁଁ ଅନେକ ଠେଲାଗାଡ଼ିଦେଖିଛି ହେଲେ ସଦାନନାଙ୍କର ଏ ସ୍ୱତନ୍ତ୍ର ଧରଣର ଠେଲାଗାଡ଼ି ଦେଖିଲେ ଦୟା ଆସେ । ଅନେକ ଅନିଚ୍ଛା ସତ୍ତ୍ୱେ ବେଳେବେଳେ ମୋ ହାବୁଡ଼ରେ ସେ ପଡିଲେ ମୁଁ ଅଟକି ଯାଇ ତାଙ୍କଠାରୁ ପାଞ୍ଚଟଙ୍କିଆ ଘୁଗୁନି ଥେଲାଟିଏ ଆଣି ଖାଏ ।

ଶାଳପତ୍ରରେ ତିଆରି ଠେଲାରେ ଦେଉଥିବା ଘୁଗୁନିର ଦୁଇ ପ୍ରକାର ମୂଲ୍ୟ ଥିଲା । ଦଶ ଏବଂ ପାଞ୍ଚଟଙ୍କିଆ । ସର୍ବନିମ୍ନ ମୂଲ୍ୟରେ କୌଣସି ନିର୍ଦ୍ଧାରଣ ତାଙ୍କ ପାଖରେ ନଥିଲା । କେହି ପିଲାମାନେ ଟଙ୍କାଏ ଦୁଇଟଙ୍କା ଧରି ଘୁଗୁନି ଖାଇବାକୁ ତାଙ୍କ ପାଖକୁ ଦୌଡ଼ନ୍ତି । ସେମାନଙ୍କୁ ନଫେରେଇ ମୁରୁକି ହସିଦେଇ ଚଟକା ଶାଳପତ୍ରର ପାଖୁଡାରେ ନଡ଼ିଆ ପିଞ୍ଛଦ୍ୱାରା ଠେଲାଟିଏ ମୋଡ଼ିଦେଇ ପିଲାଙ୍କ ହାତକୁ ବଢ଼େଇ ଦେଇ ମୁହଁରେ ଟିଣ ଫନେଲକୁ ଲଗେଇ ଡାକିଦିଅନ୍ତି ଚିରାଚରିତ ସଂଳାପକୁ ।

– ଏ ସଦାନନ୍ଦ ଘୁଗୁନି …।

ତା’ପରେ ବାପ ଝିଅଙ୍କର ଢାଉଁ ଢାଉଁ ଶବ୍ଦ ।

ସଦାନନ୍ଦ ବହୁତ ଖୋଲା ମିଞ୍ଜାସର ଲୋକ ଥିବାରୁ ଯଜ୍ଞ କିମ୍ବା ଦଶହରା ସମୟରେ ବେପାର ବହୁତ ହୁଏ । ଦଳଦଳ ଲୋକଙ୍କୁ ଦେଖିଲେ ସେ ଆତ୍ମହରା ହୋଇ ନୂଆ ସଂଳାପଗୁଡ଼ିକୁ କବିତା ଆକାରରେ ଗାଆନ୍ତି ।

ଏ ସଦାନନ୍ଦ ଘୁଗୁନି , ଖାଇଲେ ଅନ୍ତ ବାସିବ ।
ମଲେ ବୈକୁଣ୍ଠ ପୁରେ ବସିବ ।
ଆରେ … ଖାଇଲା ପୁଅ ଖାଉଛି,
ନ ଖାଇଲା ପୁଅ ଆଡ଼େଇ କଡେଇ ବାସନାକୁ ଶୁଙ୍ଘି ଯାଉଛି ।

ସ୍କୁଲ ଓ କଲେଜ ପଢୁଆ ପିଲାମାନଙ୍କର ଭାରି ଆଦର ଥାଏ ସଦାନନାଙ୍କ ସଂଳାପ ଉପରେ । କେତେକ ବାତରା ପିଲା କେବଳ ଘୁଗୁନି ବାହାନାରେ ବାରମ୍ବାର ସଦାନନାଙ୍କ ପାଖକୁ ଆସି ଠେଲାଗାଡ଼ିର ପଛପଟେ ଠିଆହୋଇ କଢ଼େଇ ବାଡ଼େଇ ଢାଉଁ ଢାଉଁ ଶବ୍ଦ କରୁଥିବା ସୁରଭିକୁ ବାରମ୍ବାର ଚାହିଁ ମୁରୁକି ବି ହସନ୍ତି ।

ଲାଜେଇଯାଏ ସୁରଭି । ତଳକୁ ମୁହଁକରେ । ଚାରିଆଡ଼କୁ ଚାହିଁ ଅପେକ୍ଷାରତ ଗରାଖଙ୍କ ବାପାଙ୍କ ପାଖକୁ ଯିବାକୁ ଇସାରାଦିଏ । ବେଳେବେଳେ ଆସୁଥିବା କିଛି ବଦମାସ ଗରାଖ ଘୁଗୁନି ଖାଇବାର ସୁଡୁକା ସହିତ ମାନସିକ ସ୍ତରରେ ତାକୁ ଗିଳିଦେବାକୁ ପଛେଇ ନ ଥାନ୍ତି ।

ସବୁ ଦେହଘଷିଆ ହୋଇଗଲାଣି ସଦାନନା ଏବଂ ସୁରଭିଙ୍କର । ଘରେ ଶଯ୍ୟାଶାୟୀ ମା’ ଏବଂ ବାପାଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ବ୍ୟବସାୟରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଏଯାଏ ସୁରଭିକୁ ଆନମନା କରିପାରି ନାହିଁ ।

ସ୍କୁଲ୍ରେ ପଢ଼ୁଥିବା ବେଳେ ମୁଁ ଦେଖିଥିବା ସଦାନନାଙ୍କ ଚେହେରା ବୟସାଧିକ ହେତୁ ପରିବର୍ତ୍ତନ ହୋଇଯାଇଥିଲା । ଦେହରେ ଶକ୍ତି ନ ଥିଲେ ବି ଜୋସ କିନ୍ତୁ ଥିଲା । କଞ୍ଚା ଦାଢ଼ି ସବୁ ପାଚିଯାଇଥିଲା । କପାଳର ସିନ୍ଦୂରକଲି ପୂର୍ବଭଳି ଅପରିବର୍ତ୍ତିତ ରହିଥିଲା ।

ବେଳେବେଳେ ମୁଁ ନିରୋଳା ସମୟ ପାଇଲେ ସଦାନନାଙ୍କ ଆତ୍ମକାହାଣୀ ଲେଖିବାକୁ ଚିନ୍ତା କରେ । ସଦାନନାଙ୍କ ଅନ୍ତେ ଭବିଷ୍ୟତରେ ଅସହାୟ ହେବାକୁ ଥିବା ସୁରଭିର ସମ୍ଭାବ୍ୟ ପରିସ୍ଥିତି କଥା ଭାବିଲେ ଉତ୍ତର ପାଏ । ନାହିଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମୋ ଝିଅ ଯେତେବେଳେ ନୂଆ ଡ୍ରେସ ପିନ୍ଧି ମୋତେ ମୁଣ୍ଡିଆ ମାରେ ସେତେବେଳେ ଆଖିଆଗରେ ନାଚିଯାଏ ଠେଲାଗାଡ଼ି ପେଲୁଥିବା ସୁରଭିର କଥା । ମାସିଆ ହାଟସିଆଁ ଡ୍ରେସର ଧଡ଼ି ଏଯାଏ ମୋ ମାନସପଟରେ ସ।।। । ହୋଇ ସାଇତି ରହିଛି । ମୋ ପିଲାମାନେ ବିଭିନ୍ନ ଉତ୍ସବରେ ଦାମିକା ଡ୍ରେସ ପାଇଁ ବ୍ୟସ୍ତ ହୋଇପଡୁଥିବା ସ୍ଥଳେ ସୁରଭିର ସେଥିପ୍ରତି ଆଦୌ ଆସକ୍ତି ନଥିବା ପରି ମନେ ହୁଏ । ବାପିଝିଅଙ୍କ ଠାରୁ କର୍ମାକୁଶଳତାର ସୂତ୍ର ଶିଖିବାପାଇଁ ତଥାପିଇ କିଛି ବାକି ରହି ଯାଇଥିଲା ମୋର ।

ବେଶ କିଛି ବର୍ଷ ପରେ ମୁଁ ଗାଁକୁ ଫେରିଲି । ସ୍କୁଲ ଏବଂ କଲେଜ ପାଠ ପଢ଼ାପରେ କର୍ମସଂସ୍ଥାନରେ ଓଡ଼ିଶା ବାହାରେ ରହୁଥିଲା ବେଳେ ପ୍ରାୟ ମନେ ପଡନ୍ତି ସଦାନନା । ସେ ଘୁଗୁନିର ବାସ୍ନା ଖୁବ ଚମତ୍କାର । ସହରର ଉପକଣ୍ଠ କିନ୍ତୁ କୋଳାହଳ ଠାରୁ ବାହାରେ ମୋର ପୈତୃକ ଘର ସ୍କୁଲଛୁଟି ପରେ ଆମ ପଡା ଭିତରକୁ ଗଡ଼ି ଆସେ ସଦାନନାଙ୍କ ଠେଲାଗାଡ଼ି ଢାଉଁ ଢାଉଁ ଶବ୍ଦରେ ଚହଳ ପଡ଼ିଯାଏ ପଦାର ପିଲାମାନଙ୍କ ଭିତରେ । କିଛି ନମିଳିଲେ ବି କେହି କେହି ଚାଉଳ ଗିନାଏ ଧରି ଚାଲିଆସନ୍ତି ସଦାନନାଙ୍କ ଘୁଗୁନି ନେବାକୁ ।

ଥରେ ସଦାନନାଙ୍କୁ ପଚାରିଲି – ନନା ..! ମୁଁ ବହୁତ ଜାଗାରେ ଘୁଗୁନି ଖାଇଛି । କିନ୍ତୁ ତୁମ ଘୁଗୁନିର କି ପ୍ରକାର କିମିଆ ଅଛି ଯେ ଯେତେ ଖାଇଲେ ବି ଆହୁରି ଖାଇବାକୁ ତା’ପରା ଦିନ ଇଚ୍ଛା ହେଉଛି ।

ସେ ଉତ୍ତର ଏବେ ବି ମନେ ଅଛି । ତିନିଟି ଶବ୍ଦରେ ସଂକ୍ଷିପ୍ତ ଉତ୍ତର ଦେଇଥିଲେ – ‘ଏଥିରେ ନିହତ ଅଛି’ । ମୁଁ ଚାକିରୀ କରିଥିବା ଅଫିସର କ୍ୟାଣ୍ଟିନରେ ପ୍ରାୟ ସବୁଦିନ ସକାଳେ ଇଡ଼ଲି, ବରା ହେଉ ସେଥିରେ ଘୁଗୁନି ନିଶ୍ଚୟ ଖାଇଛି । ଲକ୍ଷ୍ୟ କରିଛି ଗ୍ରାହକ ଅଧିକ ହୋଇ ଗଲେ କ୍ୟାଣ୍ଟିନ ମାଲିକ ଇଡ଼ଲି ଛାଞ୍ଚ ଭିତରେ ପୂର୍ବରୁ ସିଝେଇ ରଖିଥିବା ଚୋପା ଛଡ଼ା ଆଳୁ ପୁଳାଏ ଦରଚକଟା କରି ଘୁଗୁନିରେ ପକାଇ ଗରମ ପାଣି ମଗେ ମିଶାଇ ଲୁଣ ଛିଞ୍ଚି ଦିଅନ୍ତି ।

ସେଥିରେ କିନ୍ତୁ ସ୍ୱାଦ ନ ଥାଏ । ସଦାନନାଙ୍କ ନିହତ ସେଥିରେ ଉଣା ଥିବା ପରି ମନେ ହୁଏ । ଏବେ ମୁଁ ତୁଳନା କରୁଛି ମଲା ଅଙ୍ଗାର ଆଞ୍ଚରେ ଗରମ ରହିଥିବା ସଦାନନାଙ୍କ ଘୁଗୁନିର ବାମ୍ଫରେ କେତେ ଆକର୍ଷଣୀୟ ଶକ୍ତି ଥିଲା ।

ଅନେକ ବର୍ଷର ବ୍ୟବଧାନରେ ଗାଁ କୁ ଫେରିବା ପରେ ସଦାନନାଙ୍କ ଠେଲାଗାଡ଼ିକୁ ଚାରିଆଡେ ଖୋଜିଲି । ସ୍କୁଲଗେଟ ଏବଂ ସହରର ଛକ ସ୍ଥାନମାନଙ୍କରେ ଟିଣ ଫନେଲ ଡାକ ଶୁଣିଲି ନାହିଁ । ଘରେ ମଧ୍ୟ ପଚାରିଲି ସଦାନନାଙ୍କ ଠେଲାଗାଡ଼ି ଆଉ ୟାଡ଼େ ଆସୁନିକି ?

ବୋଉ ନାହିଁ କଲା । ସେ କଣ ଆଉ ଏଠି ରହୁଛନ୍ତି ? ବୁଢା ଅନେକ ଦିନ ହେଲାଣି ଦେଖା ନାହିଁ । କଣ ହେଇଚି କେଜାଣି । ସେ ବୋଧ ହୁଏ ବେପାର ଛାଡିଦେଲେଣି ।

ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଖୋଜିବାକୁ ମୂଖ୍ୟ ଛକକୁ ଯାଇ ସଦାନନାଙ୍କ ସ୍ଥିତି ସମ୍ପର୍କରେ ବୁଝିଲି । ଶଯ୍ୟାଶାୟୀ ସ୍ତ୍ରୀର ଦେହାନ୍ତ ପରେ ଝିଅ ସୁରଭିକୁ ପାଖ ମନ୍ଦିରରେ ଦୂରଗାଁର ବର ପାତ୍ର ହାତରେ ସମର୍ପି ଦେଲାପରେ ସମ୍ପୂର୍ଣ୍ଣ ନିରାଶ ହୋଇଯାଇଥିଲେ ସେ । ପାଖ ପଡ଼ୋଶୀମାନେ ସେମାନଙ୍କ କଞ୍ଚା ବାଡ଼କୁ ଘୁଞ୍ଚେଇଆଣି ସଦାନନାଙ୍କ ଡିହ ଖଣ୍ଡକୁ ଅକ୍ତିଆର କଲାପରେ ସେ ବେସାହାରା ହୋଇଯାଇଥିଲେ ।

ତାଙ୍କ ସମ୍ପର୍କରେ ଟିକିନିଖି ସମ୍ପୂର୍ଣ୍ଣ ଖବର ମୁଁ ପାଇଲି ମୋର ବାଲ୍ୟବନ୍ଧୁ ରତ୍ନାକର ଠାରୁ ।

ମୁଁ ତାଙ୍କୁ ପଚାରିଲି – ଏବେ ତ ଆଉ ମାର୍କେଟରେ ଠେଲାଗାଡ଼ି କିମ୍ବା ଘୁଗୁନିର ବାସ୍ନା ନଥିବ ।

ସେ ହସିଲା । ଫୁଟପାଥରେ ବସିଥିବା ଲୋକଟାକୁ ଆଙ୍ଗୁଠି ବଢ଼ାଇ କହିଲା – ଏଇ ଦେଖ ! ଘୁଗୁନି ବେପାରର ମୂଳଦୁଆ ପକେଇଥିବା ଷଡ଼ାନନରେ କିନ୍ତୁ ନାହାନ୍ତି ହେଲେ ଘୁଗୁନି ବେପାର ଅଛି । ସନ୍ଧ୍ୟାବେଳେ ଦୁଇଘଣ୍ଟା ବେପାର କରି ଏମାନେ କୋଠାଘର କରିସାରିଲେଣି । କଣ ଭାବୁଛୁ ଏମାନଙ୍କୁ ?

ଦେଖିଲି ଫୁଟପାଥ ଉୟପରେ ବଡ଼ ବେତୁଲି ଭିତରେ ସିଲଭର ହାଣ୍ଡିରେ ଘୁଗୁନି ଧରି ବସିଛନ୍ତି କିଛି ବେପାରୀ । ସହରରେ ଦେଖିଲି ଏଲ.ଇ.ଡି ଲାଇଟ୍ରେ ସଜାଯାଇଥିବା ଠେଲାଗାଡ଼ି ସଂଧ୍ୟାର ଅନ୍ଧାରରେ ଖୁବ ଆକର୍ଷଣୀୟ ଦିଶୁଛି । ସଦାନନାଙ୍କ ଭଳି ଟଙ୍କାଏ ଠାରୁ ଦଶଟଙ୍କିଆ ଘୁଗୁନି ଠୋଲା ସେଠି ନାହିଁ । ସର୍ବନିମ୍ନ ଦଶଟଙ୍କା ।

ମୋ ଦୁଃଖର ପରିସୀମା ଆହୁରି ଲମ୍ବିଯାଇଥିଲା ।

ସହରତଳି ଗାଁରେ ଥିବା ସଦାନନାଙ୍କ ସମ୍ପର୍କରେ ବୁଝିବା ନିମିତ୍ତ ବ୍ୟଗ୍ର ହୋଇ ପଡ଼ିଲି ।

ରତ୍ନାକରକୁ ସାଙ୍ଗରେ ନେଇ ସଦାନନାଙ୍କ ପୈତୃକ ଡିହ ଆଡକୁ ଗଲି । ଅନାବନା ଲଟାର ସଂକୀର୍ଣ୍ଣ ହୋଇଯାଇଥିବା ଡିହର ପରିଚୟ ସମ୍ପୂର୍ଣ୍ଣ ଅସ୍ପଷ୍ଟ ଥିଲା ।

ତଥାପି ଡିହ ପାଖକୁ ଗଲି ।

ଲଟା ଭିତରୁ ଅଳ୍ପ ଦିଶୁଥିବା ବସ୍ତୁକୁ ନୀରିକ୍ଷଣ କଲି । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କାରଣ ଅନେକ ବର୍ଷ ତଳୁ ଦେଖିଥିବା ସ୍ମୃତିସନ୍ତକଟି ଅରମା ଭିତରେ ଆତ୍ମଗୋପନ କରିଥିଲା ।

ରତ୍ନାକରକୁ ପାଖକୁ ଡାକିଲି । ଲଟାପତ୍ର ଆଡ଼େଇ ତାକୁ ଦେଖାଇ କହିଲି – ଆରେ ଦେଖତ ! ଇଏ ସେଇ ଠେଲାଗାଡ଼ି ନା ? ଭାଙ୍ଗିରୁଜି ପରିଚୟ ହରେଇ ଦେବାକୁ ବସିଥିବା ଅତୀତ ଦିନର ସେ ଠେଲାଗାଡ଼ି । ଲତା ଆଚ୍ଛାଦନରୁ ମୁକ୍ତି କରି ଚାରିପଟେ ବୁଲି ଦେଖିଲି । ଅସ୍ତିତ୍ୱ ହରାଇବାକୁ ବସିଥିବା ସଦାନନାଙ୍କ ଠେଲାଗାଡ଼ିରୁ ଆଉ ଘୁଗୁନିର ବାସ୍ନା ଆସୁନାହିଁ । ଚାକଚକ୍ୟ ସହରର ଆଲୋକ ଶୋଭିତ ଠେଲାଗାଡ଼ି ପାଖରେ ଇଏ ଆଉ ତିଷ୍ଠିପାରି ନାହିଁ ।

ଦୁଃଖରେ ଇତସ୍ତତଃ ହେଲି । ଆଧୁନିକତାର ପୃଷ୍ଠଭୂମିରେ ସଦାନନାଙ୍କ ସ୍ଥିତି ଖୋଜୁଖୋଜୁ ତାଙ୍କ ପରିତ୍ୟକ୍ତ ଠେଲାଗାଡ଼ି ମୋତେ ନେଇଗଲା ଅସରନ୍ତି ପ୍ରଶ୍ନ ପାହାଡ଼ର ଖୁବ ଶୀର୍ଷକୁ । ଭାବନାର ଦିଗନ୍ତବିସ୍ତାରୀ ଭାସମାନ ବଉଦ ନିକଟକୁ ।

ସତରେ କ’ଣ ସଦାନନାଙ୍କ ଟଣାଗାଡ଼ିଟା ଠେଲାଗାଡ଼ିରେ ରୂପାନ୍ତରିତ ହୋଇଯିବାପରେ ନିଜର ଅସ୍ତିତ୍ୱ ହରେଇଦେଲା ।

ଲୋକପ୍ରିୟ ଲେଖା

To Top