ଗଳ୍ପ

ଠିକଣା

Aravind Das's odia Story Thikanaa

ବୁଝିଲ ଦୀନବନ୍ଧୁ, ବେଳେବେଳେ ଇଚ୍ଛା ହୁଏ ପିଲାଙ୍କୁ ବେଶୀ ପଢେଇ ବିଦେଶ ପଠାଇ ମୁଁ ଭୁଲ୍ କରିଛି । ସେମାନେ ଯଦି ଏଇଠି ଥାଆନ୍ତେ ତେବେ ମୋରି ପାଖରେ ରହିଥାନ୍ତେ ଏବଂ ସବୁଦିନ ଦେଖୁଥାନ୍ତି ପିଲାଙ୍କୁ, ନାତିନାତୁଣୀଙ୍କୁ ।

ଠିକଣା

ଏଣିକି ସବୁଦିନ ଅପରାହ୍ନରେ ଗୋବିନ୍ଦ ବାବୁ ଦାଣ୍ଡ ବାରଣ୍ଡାରେ ବସି ଅପେକ୍ଷା କରିଥାନ୍ତି ଡାକବାଲା ଦୀନବନ୍ଧୁର ଆସିବା ବାଟକୁ । ଚିଠି ଥାଉକି ନଥାଉ ଗତ କିଛି ମାସ ହେଲାଣି ଏ ଏରିଆକୁ ନୂଆ ବଦଳି ହୋଇ ଆସିଥିବା ଦୀନବନ୍ଧୁ ରବିବାରକୁ ଛାଡି ସବୁଦିନ ଅଧଘଣ୍ଟାଏ ଗପ ଜମାଏ ଗୋବିନ୍ଦ ବାବୁଙ୍କ ସହିତ ।

ବୟସର ସାୟାହ୍ନରେ ବୋଧେ ସବୁ ମଣିଷ ଚାହେଁ ନିଜ ମନକଥା କାହା ଆଗରେ ଖୋଲି କହିବା ପାଇଁ । ନିଜ ସୁଖ ଦୁଃଖ ବାଣ୍ଟିବା ପାଇଁ ଲୋଡେ ସମ ବୟସ୍କ ଦରଦୀ ବନ୍ଧୁଟିଏ । ଯିଏ ତା କଥା ଶୁଣିବାକୁ ଆଗ୍ରହ ଦେଖାଉଥିବ, ହସି କରି ପଦେ ଦିପଦ ପଚାରୁଥିବ । କିନ୍ତୁ ଆଜିର ଏ ମେସିନ୍ ଯୁଗରେ ଏଭଳି ମଣିଷ ସହଜରେ ମିଳୁଛନ୍ତି କେଉଁଠି ? ଗୋବିନ୍ଦ ବାବୁ ବୋଧେ ଏମିତି ଏକ ବନ୍ଧୁର ଆତ୍ମାକୁ ଆବିଷ୍କାର କରିଥିଲେ ଦୀନବନ୍ଧୁ ଭିତରେ । ଦୀନବନ୍ଧୁ ଆପତ୍ତି ଜଣାଇଲେ ସୁଦ୍ଧା, ଜବରଦସ୍ତି କରି କେଉଁ ଦିନ ଚାହା ତ କେବେ ସରବତ ପିଆନ୍ତି ଗୋବିନ୍ଦ ବାବୁ । ଖରାରେ ବୁଲିବୁଲି ଏ ବୁଢା ବୟସରେ ତମେ ତ ହାଲିଆ ହୋଇଯାଉଥିବ । ଥଣ୍ଡା ପାଣି ଟିକେ ପିଇ ଦିଅ, ଗୋବିନ୍ଦ ବାବୁ କହନ୍ତି ।

ପ୍ରଥମ ଦିନ ଦୀନବନ୍ଧୁ ପଚାରିଥିଲା, ଘରେ କଣ ଆପଣ ଏକୁଟିଆ ରହୁଛନ୍ତି ? ପିଲାପିଲି ନାତିନାତୁଣୀଙ୍କୁ ତ ଦେଖୁନି ।

ଦୀର୍ଘ ନିଶ୍ୱାସ ଛାଡି ଗୋବିନ୍ଦ ବାବୁ କହିଲେ, ସ୍ତ୍ରୀ ଆରପାରିକି ଚାଲିଗଲା ପରେ ଉପର ମହଲଟା ଭଡା ଦେଇ, ତଳ ମହଲାରେ ଚାକର, ପୂଜାରୀ ସହ ରହୁଛି । ପିଲାମାନେ ନିଜ ପରିବାର ସହ ବିଦେଶରେ । ବର୍ଷକୁ ଥରେ ଆସନ୍ତି । ମୋର ଏ ଅବସ୍ଥାରେ ସେଠାକୁ କେମିତି ଯିବି ? ତାଛଡା ନିଜଘର ମାୟା କ’ଣ ଛାଡି ହେଉଛି ? ସେଇ ଫୋନ୍ ଓ ଇଣ୍ଟ୍‌ରନେଟ୍‌ରେ ଯାହା କଥାବାର୍ତ୍ତା , ଦେଖା ଚାହାଁ ।

ହୁଇଲ୍ ଚେୟାରରେ ବସିଥିବା ଗୋବିନ୍ଦ ବାବୁଙ୍କ ମନୋବଳ ବଢାଇବା ପାଇଁ ଦୀନବନ୍ଧୁ କହିଲା, ଆପଣଙ୍କ ଦେହ ଭଲ ହୋଇଗଲେ ସେମାନଙ୍କ ପାଖକୁ ଯିବେ । ପିଲାମାନେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ । ବାପା, ମା ହିସାବରେ ସେମାନଙ୍କ ମଙ୍ଗଳକାମନା ଆମେ କରୁ । ତେଣିକି ସେମାନଙ୍କ କର୍ତ୍ତବ୍ୟ ।

ଗୋବିନ୍ଦଙ୍କ ମନଟା ପୁରି ଉଠେ । “ବୁଝିଲ ଦୀନବନ୍ଧୁ, ବେଳେବେଳେ ଇଚ୍ଛା ହୁଏ ପିଲାଙ୍କୁ ବେଶୀ ପଢେଇ ବିଦେଶ ପଠାଇ ମୁଁ ଭୁଲ୍ କରିଛି । ସେମାନେ ଯଦି ଏଇଠି ଥାଆନ୍ତେ ତେବେ ମୋରି ପାଖରେ ରହିଥାନ୍ତେ ଏବଂ ସବୁଦିନ ଦେଖୁଥାନ୍ତି ପିଲାଙ୍କୁ, ନାତିନାତୁଣୀଙ୍କୁ ।”

ଟିକିଏ ସମୟ ଭାବିଲା ଦୀନବନ୍ଧୁ । ତାପରେ କହିଲା, ସେମିତି ଭାବନ୍ତୁନି । ଆପଣଙ୍କ ପିଲାମାନେ ବିଦେଶରେ ଅଛନ୍ତି ଏବଂ ତାଙ୍କୁ ଦେଖିପାରୁ ନାହାନ୍ତି ବୋଲି ମନଦୁଃଖ କରୁଛନ୍ତି । କିନ୍ତୁ ଥରେ ଭାବନ୍ତୁ ତ, ଯଦି ସେମାନେ ପାଖରେ ଥାଇ ଆପଣଙ୍କୁ ପଚାରୁନଥାନ୍ତେ ଅଥବା ଏଇ ସହରରେ ଅଲଗା ନେଇ ରହିଥାଆନ୍ତେ, ତେବେ ଆପଣଙ୍କୁ କେତେ ଦୁଃଖ ହୋଇଥାନ୍ତା ?

ଏଇ ସମୟରେ ଉପର ମହଲାରେ ଭଡାରେ ରହୁଥିବା ଭଦ୍ରବ୍ୟକ୍ତି ନିଜ ସ୍ତ୍ରୀ ଓ ଛୋଟ ପୁଅକୁ ଧରି ବାହାରିଗଲେ ।

ଗୋବିନ୍ଦ ବାବୁ କହିଲେ, ପିଲାଟା ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ । ଗୋଟେ ବଡ କମ୍ପାନୀରେ ମ୍ୟାନେଜର ଅଛି । ମୋ ପୁଅ ହେଲେ ଏମିତି ଗୋଟେ ଚାକିରୀ କରି ଏଇଠି ରହିଥାନ୍ତା ! ବୁଢା ବୟସରେ ବାପ, ପୁଅଙ୍କର ସମାନ ଠିକଣା ରହିଲେ କେତେ ଭଲ ହୁଅନ୍ତା କହିଲ ?

ଏକ ଲୟରେ ଦୀନବନ୍ଧୁ ଚୁପ୍‌ଚାପ୍‌ ଅନେଇଥିଲା ଗେଟ୍ ଦେଇ ବାହାରି ଯାଉଥିବା କାର୍‌ଟିକୁ । କୋହମିଶା ସ୍ୱରରେ କହିଲା, “ଇୟେ ମୋ ପୁଅ,ବୋହୁ , ନାତି । ବଡଘର, ଉଚ୍ଚ ଷ୍ଟାଟସ୍ ଝିଅ ବୋଲି ଶାଶୁ ସହ ପଡିଲାନି ମୋ ବୋହୁର । ପୁଅ ବି ପଚାରୁନି ଆମକୁ । ପୋଷ୍ଟ ପିଅନର ପୁଅ ବୋଲି ପରିଚୟ ଦେବାକୁ ତାକୁ କାଳେ ଲାଜ ମାଡୁଛି । ମୋ ମନମାନୁନି ବୋଲି ଦୂରରୁ ନାତିକୁ ଦେଖିବା ବାହାନାରେ ଆପଣଙ୍କ ଘରେ ସବୁଦିନ ମୁଁହ ମାରିଦେଇ ଯାଏ ।”

ଆବାକାବା ହୋଇ ଅନେଇଥିଲେ ଗୋବିନ୍ଦ ବାବୁ, ଦୀନବନ୍ଧୁ ହୃଦୟ ଭିତରେ ଲୁଚିଥିବା ଏ ଅସଲ କଥାଟା ଶୁଣି ।

ଆଖିରୁ ଲୁହ ପୋଛି ପକାଇ ଦୀନବନ୍ଧୁ ପୁଣି କହିଲା, “ଖାଲି କଣ ଇଚ୍ଛା କଲେ ବାପ-ପୁଅଙ୍କର ଠିକଣା ସମାନ ହୋଇଯାଏ ? ଦେଖୁନାହାନ୍ତି ମୁଁ ଗୋଟାଏ କେମିତିକା ଅସହାୟ ଡାକବାଲା ଯିଏ ନିଜ ପୁଅର ଅସଲ ଠିକଣାକୁ ଖୋଜି ହେଉଛି ।

ଲୋକପ୍ରିୟ ଲେଖା

To Top