ଗଳ୍ପ

ଥୁଣ୍ଟାଗଛ ଏବଂ ସ୍ୱପ୍ନର ଚଢ଼େଇ

Dr Bibhuti Pattanaik's odia story Thuntaagacha Ebn Swapnara Chadhei

ପୋଡ଼ି ଯାଇଥିବା ତିଅଣରେ ଆଉ ସ୍ୱାଦ ନ ଥାଏ । ଆଉ କେତେ ଦିନ ଏ ସ୍ୱାଦହୀନ ବ୍ୟଞ୍ଜନ ଖାଇ କୌଣସି ମତେ ବଞ୍ଚି ରହିବା ପାଇଁ ଚାହୁଁଛ ।

ଥୁଣ୍ଟାଗଛ ଏବଂ ସ୍ୱପ୍ନର ଚଢ଼େଇ

କହିବ କହିବ ବୋଲି ଦିନ ଢୋକ ଗିଳି ନେଇଥିଲା ଶ୍ୟାମଳ । ନିଜ ମନର କଥା ଏ ପର୍ଯ୍ୟନ୍ତ ତୃଣାକୁ କହିପାରି ନଥିଲା । କିଛି ପରିମାଣରେ ସଙ୍କୋଚ ଏବଂ ଆଉ କିଛି ପରିମାଣରେ କାଳ୍ପନିକ ଭୟ ସତ୍ୟ କଥା କହିବାକୁ ଗଲାବେଳେ ତା’ର ତଣ୍ଟି ଚିପି ଧରିଥିଲା । କିନ୍ତୁ ଯେତେଦିନ ସେ ନିଜର ମନର କଥା ଗୋପନ କରୁଥିଲା, ସେତେ ତା’ର ମାନସିକ ଯନ୍ତ୍ରଣା ବୃଦ୍ଧି ପାଉଥିଲା ।

ଶେଷକୁ ଆଗପଛ କିଛି ନ ବିଚାରି ସେ କହିଦେଲା- “ତୃଣା ! ଦୁଇବର୍ଷ ଧରି ଆମେ ଦୁହେଁ ଗୋଟିଏ ବିଛଣାରେ ଶୋଉଥିଲେ ମଧ୍ୟ ଆମ ଦୁହିଁଙ୍କ ମଧ୍ୟରେ କ୍ରମଶଃ ଦୂରତ୍ୱ ବଢ଼ି ଚାଲିଛି ସିନା, କମିବା ମୁଁ ଅନୁଭବ କରିପାରୁନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତମକୁ ଭଲ ପାଇପାରୁ ନାହିଁ । ତେଣୁ ଏ ଖେଳଘର ଭାଙ୍ଗି ଦେଇ ମୁଁ ତମ ଠାରୁ ଅଲଗା ହୋଇଯିବାକୁ ଚାହେଁ ।”

କଥାଟା କହିଲାବେଳେ ତୃଣାର ମୁହଁକୁ ନ ଚାହିଁ ସେ ଝର୍କାବାଟେ ବାହାରକୁ ଚାହୁଁଥିଲା ।

ଘର ସାମ୍ନା ରାସ୍ତାରେ ଦୁଇଟା ଛୁଟନ୍ତ ଦମକଳର ସାଇରେନ୍ ଶୁଣାଯାଉଥିଲା । କେଉଁଠି ନିଆଁ ଲାଗି ଯାଇଛି । ଠିକ୍ ଅନୁମାନ କରିପାରୁ ନଥିଲେ ମଧ୍ୟ ଶ୍ୟାମଳ ଦେଖି ପାରୁଥିଲା କଳା କଳା ଧୂଆଁର କୁଣ୍ଡଳି ଆକାଶକୁ ଆଚ୍ଛନ୍ନ କରିରଖିଛି ।

ତୃଣା ସ୍ୱାମୀଙ୍କ କଥା ଶୁଣିଲା । ତାକୁ ଘରପୋଡ଼ିର ଦୃଶ୍ୟ ଦେଖାଯାଉ ନଥିଲା । ତା’ର ମନ ଅରଣ୍ୟରେ ଦାବାଗ୍ନି । କିନ୍ତୁ ବନସ୍ତ ପୋଡ଼ିର ଉତ୍ତାପ ସେ ଅନୁଭବ କରିପାରୁ ନଥିଲା ।

ଏଇଟା ଚା’ ଖାଇବାର ସମୟ ।

ଶ୍ୟାମଳ ଲାଗି ଚା’ କରିବା ପାଇଁ ସେ କିଚେନ୍‌କୁ ଉଠିଗଲା ।

ଚା’ କପ୍ ଧରି ଫେରିଆସିଲା ପରେ ଶ୍ୟାମଳ ତାକୁ ପଚାରିଲା-

– ମୁଁ ଯାହା କହିଲି ସେଥିରେ କୌଣସି ସଂଶୋଧନ କରିବାକୁ ଚାହେଁ ନାହିଁ । ଆଜିର ଏ ଚା’ ପାନ ଶେଷ ଚା’ ହେଉ ।

ତୃଣା ଚା’ କପ୍‌ରୁ ଗୋଟିଏ ଢୋକ ନେଇ କଣ୍ଠନଳୀ ଓଦା କରି ଦେଲା ।

ତା’ ପରେ ଧୀରେ ଧୀରେ କହିଲା- ବାହାଘର ଭାଙ୍ଗି ଦେଇ ଅଲଗା ହୋଇଯିବା ପ୍ରସ୍ତାବ ଆଉ କିଛିଦିନ ପାଇଁ ମୁଲତବି ରଖିଲେ ଚଳନ୍ତା ନାହିଁ ।

ଢୋକ ଢୋକ କରି ଚା’ କପ୍ ନିଃଶେଷ କରି ଦେଇ ଶ୍ୟାମଳ ପଚାରିଲା- “ପୋଡ଼ି ଯାଇଥିବା ତିଅଣରେ ଆଉ ସ୍ୱାଦ ନ ଥାଏ । ଆଉ କେତେ ଦିନ ଏ ସ୍ୱାଦହୀନ ବ୍ୟଞ୍ଜନ ଖାଇ କୌଣସି ମତେ ବଞ୍ଚି ରହିବା ପାଇଁ ଚାହୁଁଛ ।”

ତୃଣାକୁ ଏଥର ଦମକଳର ସାଇରେନ୍ ଶୁଣାଗଲା । ଦେଖାଯାଉ ନ ଥିଲେ ବି କୌଣସି ଆପାର୍ଟମେଣ୍ଟ କିମ୍ୱା ସହରତଳି ବସ୍ତି ଜଳି ଯାଉଥିବା ଦୃଶ୍ୟ ଅନୁମାନ କରି ସେ ଭୟରେ ଶିହରି ଉଠିଲା ।

ଢୋକ ଗିଳି କହିଲା- “ବାହାଘର ପରେ ତମର ଉଦାସୀନତା ଏବଂ ରମଣରେ ଅନ୍ୟମନସ୍କତା ଲକ୍ଷ୍ୟ କରି ମୁଁ ବୁଝିପାରୁଥିଲି ଯେ ତମ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ମତେ ବାହା ହୋଇଛ, କିନ୍ତୁ ସେ କଥା ତମେ ମୂଳରୁ କହି ଦେଇପାରିଥାଆନ୍ତ । ମତେ ବାହା ହେବା ପାଇଁ ମୁଁ ତ ଆଣ୍ଠୁମାଡ଼ି ବସି ତମ ପାଖରେ ପ୍ରାର୍ଥନା କରି ନ ଥିଲି । କୁହ- କରିଥିଲି ?”

ଶ୍ୟାମଳ ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହେବ ବୋଲି ଭାବି ନଥିଲା ।

ତୃଣାକୁ ଅଟକାଇବାକୁ ଯାଇ ସେ ପ୍ରଶ୍ନ କରିଥିଲା- ତମକୁ ବାହା ହେବା ପାଇଁ ମୁଁ ମନା କରି ଦେଇଥିଲେ ତମେ କ’ଣ କରିଥାଆନ୍ତ ।

ତୃଣା ସ୍ୱର ଉତ୍ତୋଳନ କରି ଜବାବ ଦେଇଥିଲା- ପ୍ରେସ୍ କନଫରେନ୍ସ ଡାକି ଶାସନ- ମୁଖ୍ୟଙ୍କ ମୁହଁରୁ ମୁଖା ଖୋଲି ଦେଇ ଥାଆନ୍ତି । ମୋର ଦେହର ଧର୍ଷଣର ସବୁ ପ୍ରମାଣ ମହଜୁଦ ଥିଲା । ଶାସନ-ମୁଖ୍ୟଙ୍କ ଯୌନ ବ୍ୟଭିଚାରର ତଥ୍ୟମୂଳକ ସମ୍ୱାଦ ପ୍ରଚାରିତ ହୋଇ ଯାଇଥିଲେ ରାଜଧାନୀରେ ରାଜନୈତିକ ଭୂମିକମ୍ପ ହୋଇ ଯାଇଥାଆନ୍ତା । ହୁଏତ ମନ୍ତ୍ରୀମଣ୍ଡଳ ଭାଙ୍ଗି ଯାଇଥାଆନ୍ତା- ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥାଆନ୍ତା ।

– ତୃଣା ! ନିଜର ଘୃଣ୍ୟ ଅପରାଧକୁ ଘୋଡ଼ାଇବା ପାଇଁ ପାର୍ଟି ମୁଖ୍ୟ ଯେତେବେଳେ ମୋ ସହିତ ତମର ବାହାଘର ପାଇଁ ତମ ଉପରେ ଚାପ ପ୍ରୟୋଗ କଲେ, ତମେ ତମ ଧର୍ଷଣକାରୀକୁ କ୍ଷମା କରିଦେଇ ମତେ ବାହା ହେବା ପାଇଁ ରାଜି ହେଲ କାହିଁକି ? ପାର୍ଟିର ଆଦେଶ ଅମାନ୍ୟ କରିବା ମୋ ଭଳି ବେକାର ଯୁବକ ପକ୍ଷରେ ସମ୍ଭବ ନଥିଲା-

– ତମେ ବିନା ସର୍ତ୍ତରେ ମତେ ବାହା ହୋଇ ନ ଥିଲ- ଶାସନମୁଖ୍ୟ ତମକୁ ଚମଡ଼ା ନିଗମର ଅଧ୍ୟକ୍ଷ କରି ଦେଇଥିଲେ- ମୋର ସତୀତ୍ୱ ଅପହରଣର କ୍ଷତିପୂରଣ ସ୍ୱରୂପ କୋଟିଏ ଟଙ୍କା ଆଉ ଏ ଥ୍ରୀ-ବେଡ଼ରୁମ୍ ଫ୍ଲାଟ୍ ଯୌତୁକ ଦେଇଥିଲେ- ଏଇ ନିଗମ ଅଧ୍ୟକ୍ଷ ପଦ, କୋଟିଏ ଟଙ୍କାର ଯୌତୁକ ଏବଂ ଥ୍ରୀ ବେଡ୍ ଫ୍ଲାଟ୍ ଲୋଭରେ ତମେ ବରବେଶ ସାଜି ବେଦି ଉପରେ ବସି ପଡ଼ିଥିଲ- ପଡ଼ିଥିଲ ନା ନାହିଁ ।

ତା’ ମୁହଁ ସାମ୍ନାରେ ବେଲିଜିୟମ୍ କାଚର ଦର୍ପଣ ତୋଳି ଧରିଲା ତୃଣା । ଦର୍ପଣରେ ନିଜ ମୁହଁ ଦେଖି ଶ୍ୟାମଳ ଆତ୍ମଗ୍ଲାନିରେ ଗୋଟି ସୁଦ୍ଧା ଭାଙ୍ଗି ପଡ଼ିଲା । ତା’ର ଦୁଇ ଆଖିପତା ବୁଜି ହୋଇଗଲା ।

କିନ୍ତୁ ନିଜକୁ ସେ ବୁଝାଇପାରୁ ନଥିଲା । ପଦବୀ ଲୋଭରେ ଟଙ୍କାର ପ୍ରଲୋଭନରେ ନିଜ ପୌରୁଷ ସହିତ କମ୍ପ୍ରମାଇଜ୍ କରି ସେ ତୃଣା ରାୟସିଂହାର ସ୍ୱାମୀ ହୋଇ ରହିଛି ଏକଥା ସେ ଯେତେ ଭାବୁଥିଲା, ତା’ ନିଜ ଉପରେ ସେତେ ଘୃଣା ଆସି ଯାଉଥିଲା ।

ତୃଣା ପଚାରିଲା- “କ’ଣ ହେଲା ? ଚୁପ୍ ହୋଇ ରହିଲେ କାହିଁକି ?”

– ଚୁପ୍ ଥିଲି, କିନ୍ତୁ ଆଉ ଚୁପ୍ ହୋଇ ରହିବା ମୋ ପୁରୁଷପଣିଆକୁ ବାଧୁଛି । ଚମଡ଼ା ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛି । ପାର୍ଟିରୁ ମଧ୍ୟ ଇସ୍ତଫା ଦେଇଛି । ଆଉ ଶାସନ ମୁଖ୍ୟ ତଥା ପାର୍ଟି ପ୍ରଧାନଙ୍କର ଫତୱା ମୋ ଉପରେ ଲାଗୁ ହୋଇପାରିବ ନାହିଁ । ଏ ଫ୍ଲାଟ୍ ତମ ନାମରେ ରେଜିଷ୍ଟ୍ରି କରା ହୋଇଛି । କୋଟିଏ ଟଙ୍କାର ସ୍ଥାୟୀ ଜମା ମଧ୍ୟ ତମ ନାମରେ- ଏ ଦୁଇ ବର୍ଷ ମୁଁ ତମ ଘରେ, ଅତିଥି-ସ୍ୱାମୀ ହୋଇ ରହିଥିଲି ।

ଆଉ ନୁହେଁ-

– ଯଦି ଦୁଇବର୍ଷ ଭଡ଼ା ଘରେ ଅତିଥି ହୋଇ ରହିଥିଲ, ଆଉ କିଛିଦିନ ରହିଗଲେ କ୍ଷତି କ’ଣ ? ତମେ କ’ଣ ମତେ ଛାଡ଼ି ଦେଇ ଆଉ କେଉଁ ଝିଅକୁ ବାହା ହେବାକୁ ଚାହଁ ?

ତୃଣାର କଥା ଶୁଣି ନିଜ ମନର ଅଭ୍ୟନ୍ତରକୁ ନିରେଖି ଚାହିଁଲା ଶ୍ୟାମଳ । ତୃଣାକୁ ବାହା ହେବା ଆଗରୁ ତା’ର ଜଣେ ପ୍ରେମିକା ଥିଲା- ଅନ୍ୟା ଚୌଧୁରୀ ! ତା’ ସହିତ କିଛି ପରିମାଣରେ ଘନିଷ୍ଠତା ମଧ୍ୟ ଗଢ଼ି ଉଠିଥିଲା । ବାହାଘର ପ୍ରସଙ୍ଗ ଉଠିନଥିଲା । କାରଣ ସେ ପାର୍ଟି ଯୁବ ସାମ୍ମୁଖ୍ୟର ଅବୈତନିକ ସଭାପତି ନଥିଲା । ଅନ୍ୟା ଥିଲା ପାର୍ଟି ମହିଳା- ସାମ୍ମୁଖ୍ୟର ସମ୍ପାଦିକା, ତାକୁ ବୋଧହୁଏ ମାସିକ ଭତ୍ତା କିଛି ଦିଆଯାଉଥିଲା । ତା’ ଭଳି ଜଣେ ରୋଜଗାରହୀନ ଯୁବନେତାକୁ ବାହାହେବା ପାଇଁ ପ୍ରସ୍ତାବ ପକାଇଲେ ମଧ୍ୟ ସେ ରାଜି ହେବାର ସମ୍ଭାବନା ନଥିଲା । କିନ୍ତୁ ପ୍ରସ୍ତାବ ପକାଇବା ଆଗରୁ ତୃଣାକୁ ବାହା ହେବା ପାଇଁ ପାର୍ଟି-ପ୍ରଧାନ ନିର୍ଦ୍ଦେଶ ଦେଇ ଦେଲେ । ସେ ତୃଣାକୁ ବାହା ହୋଇଗଲା ପରେ ଗତବର୍ଷ ଅନ୍ୟା ମଧ୍ୟ ଜଣେ ଓକିଲକୁ ବାହା ହୋଇପଡ଼ିଛି । ତେଣୁ ତୃଣାକୁ ଛାଡ଼ିଗଲେ ତାକୁ ବାହାହେବା ପାଇଁ କେହି ଅପେକ୍ଷା କରି ନାହିଁ ।

ନା- ଅନ୍ୟ କୌଣସି ଝିଅକୁ ବାହା ହେବି ବୋଲି ଯୋଜନା କରି ମୁଁ ତମକୁ ଛାଡ଼ି ଯିବାକୁ ବସି ନାହିଁ । ଯାହାକୁ ଏତେ ଦିନ ଏକତ୍ର ରହିଲା ପରେ ମଧ୍ୟ ଭଲ ପାଇ ପାରିଲି ନାହିଁ- କେବଳ ଅଭ୍ୟାସ ମେଣ୍ଟାଇବା ପାଇଁ ତା’ ପାଖରେ ମୁଁ ବାନ୍ଧି ହୋଇ ରହିବାକୁ ଚାହେଁ ନାହିଁ । ତୃଣା ! ଜଣେ ଅନିଚ୍ଛୁକ ପୁରୁଷକୁ ସ୍ୱାମୀ ସଜାଇ ନିଜ ପାଖରେ ତମେ ବାନ୍ଧି ରଖିବା ଲାଗି ଜିଦ୍ ଧରିଛ କାହିଁକି ? ମୁଁ ଛାଡ଼ି ଚାଲିଗଲେ ତମର କ୍ଷତି କ’ଣ ?

– କ୍ଷତିର ପରିମାଣ ତମେ କଳନା କରିପାରିବ ନାହିଁ । ତମେ ଛାଡ଼ି ଚାଲିଗଲେ ଏ ଘରର ଦରଜା ଖୋଲା ପଡ଼ିବ । କେହି ଜଗୁଆଳି ନଥିବାର ସୁଯୋଗ ନେଇ ଏନ୍.ଡ଼ି. ତିୱାରୀ ପୁଣି ରାତ୍ରି ଅଭିସାରରେ ଖୋଲା ଦରଜା ବାଟେ ଏ ଘରେ ପଶିବେ । ଶ୍ୟାମଳ । ଆଜିଯାଏ ମୁଁ ତମକୁ ସ୍ୱାମୀ ଭାବରେ ଭାବି ଆସିଛି । ହଠାତ୍ ଆଉଜଣକୁ ମନର ସେଇ ସିଂହାସନରେ ବସାଇବା ସହଜ ନୁହେଁ । ଏନ୍.ଡ଼ି. ତିୱାରିଙ୍କୁ ଏ ଘରେ ପଶିବାକୁ ବାଟ ଛାଡ଼ି ନ ଦେବା ପାଇଁ ତମେ ଆଉ କିଛି ଦିନ ଏ ଘରେ ଅତିଥି ହୋଇ ରହିଯାଅ- ଯଦି ମୋ ସହିତ ଗୋଟିଏ ବିଛଣାରେ ଶୋଇବାକୁ ନ ଚାହଁ- ତମ ବିଛଣା ମୁଁ ଆର ଘରକୁ ଉଠାଇ ଦେଉଛି- ଚା’, ଜଳଖିଆ, ମଧ୍ୟାହ୍ନ- ରାତ୍ରି ଭୋଜନ ପାଇଁ ତମେ ମତେ କିଛି ଟଙ୍କା ଦେଇପାର- କିନ୍ତୁ ମତେ ଛାଡ଼ି ଚାଲିଯାଅ ନାହିଁ- ପ୍ଲିଜ୍ !

ଅଠା ଲାଗିଗଲା, ଆଉ ଉଠି ଚାଲି ଆସିପାରିଲା ନାହିଁ ଶ୍ୟାମଳ । ଦର୍ପଣରେ ନିଜ ମୁହଁ ପାଖରେ ତୃଣାର ମୁହଁ ଦେଖି ତା’ ଦେହରେ ଗୋଟାଏ ଶିହରଣ ଖେଳିଗଲା । ତା’ ମୁହଁରୁ ଅପସରି ଗଲା । ପରିକଳ୍ପିତ ଦୁଃଖର ଛାୟା ।

ସେ ହସି ଦେଲା, ସେ ହସ ସଂକ୍ରମିତ ହୋଇଗଲା ତୃଣାର ଓଠକୁ ।

ତା’ପରେ

ଲୋକପ୍ରିୟ ଲେଖା

To Top