ଗଳ୍ପ

ଟ୍ରାନ୍ସଫର

Prasanta Kumar Nayak's odia story Transfer

ପ୍ରତି ଦୁଇବର୍ଷରେ ପରିବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ସୋନା ଯେ ବୟଫ୍ରେଣ୍ଡ ପରିବର୍ତ୍ତନ କରିବାରେ କିଛି ଭୁଲ ଦେଖିନଥିଲେ ।

ଟ୍ରାନ୍ସଫର

ରାଜୀବ ଉପାଧ୍ୟାୟ, ଭାରତୀୟ ରେଳ ବିଭାଗରେ ଷ୍ଟେସନ୍‌ ମାଷ୍ଟର । ତେଣୁ ସେ ଯେ ଟ୍ରେନ୍‌ ପରି ବିଭିନ୍ନ ଷ୍ଟେସନ୍‌ରେ ଷ୍ଟପେଜ କରିଚାଲିଥିଲେ; ଅର୍ଥାତ ପ୍ରତି ଦୁଇ ବର୍ଷରେ ଯେ ତାଙ୍କର ଟ୍ରାନ୍ସଫର । କହିବାକୁ ଗଲେ ଗତ କୋଡିଏ ବର୍ଷର ଚାକିରୀ ଜୀବନରେ ସେ ଯେ ଦଶଟି ଷ୍ଟେସନ୍‌ରେ କାମ କରି ସାରିଥିଲେ । ପତ୍ନୀ ମହିମା ଯେ ପ୍ୟାକିଂଗ ଏବଂ ଅନପ୍ୟାକିଂଗ ବିଷୟରେ ଦକ୍ଷତା ହାସିଲ କରିପାରିଥିଲେ । କିଛିଗୁଡାକ ବାକ୍ସ ଯେ କେବେ ଖୋଲା ହୋଇନଥାଏ । ତେଣୁ ରାଜୀବ ଓ ମହିମାଙ୍କର ଯେ ଦୁଇ ବର୍ଷରୁ ଅଧିକ ସମୟ କୌଣସି ପରିବାର ବା ବ୍ୟକ୍ତି ବିଶେଷଙ୍କ ସହିତ ବନ୍ଧୁତ୍ୱ ହୋଇ ପାରିନଥାଏ । ବନ୍ଧୁତ୍ୱ ଆରମ୍ଭ ଏବଂ ଶେଷ ସେହି ଦୁଇ ବର୍ଷ ମଧ୍ୟରେ । ତାଙ୍କର ଏକମାତ୍ର କନ୍ୟା ଯେ ସୋନାଲୀ; ମା ଓ ବାପାଙ୍କର ସେ ବହୁତ ଗେହ୍ଲା, ତେଣୁ ସେମାନେ ତାଙ୍କୁ ସୋନା ହିଁ ଡାକିଚାଲିଥିଲେ । ସୋନା ଯେ ଗତ ୧୬ ବର୍ଷର ଜୀବନ ମଧ୍ୟରେ କେତେଗୋଟି ବିଦ୍ୟାଳୟ ପରିବର୍ତ୍ତନ କରିସାରିଥିଲେ, ତାହାର ହିସାବ ନାହିଁ । ସେ ଯେ ବିଭିନ୍ନ ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ପାଠ ପଢିଥିଲେ; ତାଙ୍କର ମଧ୍ୟ ସେହି ଅବସ୍ଥା, କୌଣସି ବନ୍ଧୁତ୍ୱ ଯଦି ୨ବର୍ଷରୁ ଗୋଟିଏ ଦିନ ଅଧିକ ହୋଇଯାଏ, ତାହେଲେ ସୋନା ତାଙ୍କୁ ନିଜ ତରଫରୁ କଟି କରିଦେଇଥାନ୍ତି । ସେ ୩ଜଣଙ୍କ ଜୀବନରେ ପରିବର୍ତ୍ତନ ଦରକାର; ନଚେତ ସେମାନେ ଯେ ଅଣନିଶ୍ଵାସୀ ହୋଇଯିବେ ।

ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କଲାପରେ, ସୋନା ଯେ ଜୟପୁର ସହରସ୍ଥିତ “ସ୍କଲାଷ୍ଟୀକ ଇନ୍‌ଷ୍ଟିଚୁଟ ଅଫ ଟେକ୍ନୋଲୋଜୀ” ରେ କମ୍ପୁଟର ଇଞ୍ଜିନିଅରିଙ୍ଗ ବିଭାଗରେ ଦାଖଲା କରିଥିଲେ କିନ୍ତୁ ତାଙ୍କର ସବୁଠୁ କଷ୍ଟଦାୟକ ଭୟ ଥିଲା ଯେ ସେ କେମିତି ଏ ଶିକ୍ଷା ଅନୁଷ୍ଠାନ ଓ ଜୟପୁର ସହରରେ ଚାରିବର୍ଷ ରହିବେ, କାରଣ ସେ ତ ୨ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ । ରାଜୀବ ଓ ମହିମା ତାଙ୍କୁ ବୁଝାଇସୁଝାଇ ଛାତ୍ରାବାସରେ ଛାଡ଼ି ଆସିଥିଲେ । ସୋନା ଭାବିଥିଲେ ଯେ ପ୍ରଥମେ ୨ବର୍ଷ ବିତିଯାଉ, ସେ ସମୟରେ ବିଚାର କରାଯିବ । ଲେଡିଜ୍‌ ଛାତ୍ରାବାସରେ ପ୍ରଥମ ଦିନ ସେ ନିଜ ବିଭାଗର ଅନ୍ୟ ଏକ ଛାତ୍ରୀ ‘ଆଦିତି’ ସହିତ ଭେଟ ହୋଇଥିଲେ ଏବଂ ଖୁବ ଶୀଘ୍ର ଘନିଷ୍ଠ ବନ୍ଧୁ ହୋଇ ଯାଇଥିଲେ । ତେଣୁ ସୋନା ଓ ଆଦି, ଘରଠୁ ଦୂରକୁ ଆସିଥିଲେ ମଧ୍ୟ ଦୁଃଖୀ ନଥିଲେ, ବରଂ ସ୍ୱାଧୀନ ବାତାବରଣରେ ଖୁବ ଖୁସି ରହୁଥିଲେ ।

ଚିନ୍ମୟ ମାଥୁର, ସେହି କଲେଜରେ ମେକାନିକାଲ ଇଞ୍ଜିନିଅରିଙ୍ଗ ବିଭାଗର ପ୍ରଥମ ବର୍ଷର ଛାତ୍ର । ନିଜର ଗ୍ରାମ ନିକଟରେ ଥିବା ଲୁହାପଥର ଖଣି ଅଞ୍ଚଳରେ ବିଭିନ୍ନ ପ୍ରକାର ଟ୍ରକ, ଡମ୍ପର ଇତ୍ୟାଦିକୁ ଛୋଟ ବୟସରୁ ଦେଖି ଆସିଥିବାରୁ, ଭବିଷ୍ୟତରେ ସେ ଯେ ଜଣେ ମେକାନିକ ହେବେ ବୋଲି ଭାବିଥିଲେ । ତାଙ୍କର ପିତା ସେହି ଲୁହାପଥର ଖଣିରେ କାର୍ଯ୍ୟରତ ଥିଲେ । ପୁଅ ଚିନୁ ଭଲ ପଢୁଥିବାରୁ ବାପା ତାଙ୍କୁ ‘ମେକାନିକ’ରୁ ‘ମେକାନିକାଲ ଇଞ୍ଜିନିଅର’ ବନିବା ପାଇଁ କଲେଜକୁ ପଠାଇଥିଲେ । ତେଣୁ ଚିନୁ ଯେ ମେକାନିକାଲ ହିଁ ପଢିବେ, ତାହା ଯେ ବହୁତ କମ ବୟସରୁ ଜଣାଥିଲା । ସେ ଯେ ଏକ ବହୁତ ଛୋଟ ସହରରୁ ଆସିଥିଲେ । କିନ୍ତୁ ଇଞ୍ଜିନିଅରିଙ୍ଗ କଲେଜ ବିଷୟରେ ସେ ସବୁ ଖବର ଯୋଗାଡ଼ କରିଥିଲେ । କଲେଜରେ ଯେ ପ୍ରଥମ ବର୍ଷରେ ରାଗିଙ୍ଗ ହୋଇଥାଏ । ସିନିଅର ଛାତ୍ର ମାନଙ୍କୁ ସାର କହି ସମ୍ବୋଧନ କରାଯାଏ, ଛାତ୍ରୀ ମାନଙ୍କୁ ମାଡାମ ବୋଲି କୁହାଯାଇଥାଏ । ସିନିଅର ମାନଙ୍କ ସହିତ କଥାହେବା ସମୟରେ ମୁଣ୍ଡ ତଳକୁ କରିବା ଉଚିତ, କୌଣସି ବି ପଦାର୍ଥ, ସେ ଜଡ ହେଉ ବା ଚେତନ, ପ୍ରଥମ ଅଧିକାର ସିନିଅର ମାନଙ୍କର ଇତ୍ୟାଦି ଇତ୍ୟାଦି । ଛାତ୍ରାବାସରେ ରହିବା ଆରମ୍ଭ କରି ଚିନୁ ଯେ ରାଗିଙ୍ଗ ବିଷୟରେ ଖୁବ ଭୟଭିତ୍ତ । ଖୁବ କମ ସମୟ ମଧ୍ୟରେ ସେହି ବିଭାଗର ଛାତ୍ର ‘ଅମିତ’ ସହିତ ଚିନୁ ଯେ ଖୁବ ଦୋସ୍ତି କରିପାରିଥିଲେ । ତେଣୁ ଚିନ୍ମୟ ଏବଂ ଅମିତ ର ଯୋଡି ଯେ ଶୋଲେ ଫିଲ୍ମର ଜୟ-ଭୀରୁ ପରି ।

ଛାତ୍ରାବାସର ମେସ୍‌ରେ ରବିବାର ଦିନରେ ଖାଇବାଟି ସାଧାରଣତଃ ଉନ୍ନତ ମାନର ହୋଇଥାଏ । ଚିକେନ ବିରିୟାନୀ ଅଧିକ ମାତ୍ରାରେ ଖାଇବାପରେ ଚିନୁ ନିଜ ରୁମରେ ଶାନ୍ତିର ସହିତ ଦ୍ୱିପ୍ରହର ସମୟରେ ନିଦ୍ରାଗ୍ରସ୍ଥ । ଥରେ ପାଠପଢା ଜୋରସୋରରେ ଆରମ୍ଭ ହୋଇଗଲେ, ତାଙ୍କୁ ଯେ ଶୋଇବାକୁ ସମୟ ମିଳିବ ନାହିଁ । ଏହି ସମୟରେ କବାଟ ବାଡେଇ ଚାଲିଥିଲେ ଘନିଷ୍ଠ ମିତ୍ର ଅମିତ । କୌଣସି ପ୍ରକାର ନିଦ୍ରା ତ୍ୟାଗକରି ଆଖି ମଳି ମଳି ଆସି କବାଟ ଖୋଲିଥିଲେ ଚିନୁ । ଅମିତ କହିଉଠିଥିଲେ, ଜଲ୍ଦି ପ୍ୟାଣ୍ଟ, ଶାର୍ଟ ପିନ୍ଧି ତଳକୁ ଚାଲ, ସିନିଅର ସାରମାନେ ରାଗିଙ୍ଗ କରିବାକୁ ଆସିଛନ୍ତି, ଡେରିହେଲେ ଅଧିକ ରାଗିଙ୍ଗ ହେବ । ଏହା ଶୁଣି ଚିନୁ ଯେ ଜଲ୍ଦି ଜଲ୍ଦି ତୟାର ହୋଇ ପହଞ୍ଚିଥିଲେ ସେହି ସ୍ଥାନରେ ଯେଉଁଠି ଅନ୍ୟ ସବୁ ଛାତ୍ରମାନେ ଏକତ୍ରୀତ ହୋଇଥିଲେ ।

ହଠାତ୍‌ ଗବର ସିଙ୍ଗ ପରି ଆୱାଜ କରିଉଠିଥିଲେ ଜଣେ ବିଖ୍ୟାତ ସିନିଅର ସାର । ସେ ଥିଲେ ତୃତୀୟ ବର୍ଷର ଛାତ୍ର ରାଘବ ମିଶ୍ର, ସର୍ଟ ଫର୍ମ “ବାଦଲ” । ନାଁ ଟି ଶୁଣିଲେ ଯେ କଲେଜର ଅନ୍ୟ ସବୁ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଡରରେ ଲୁଚିଯାଇଥାନ୍ତି । କଲେଜରେ ଶିକ୍ଷକମାନେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ରାଘବ ବା ବାଦଲ କହି ଭୟଭୀତ କରିପାରୁଥିଲେ । ଯଦି ଆସାଇନମେଣ୍ଟ୍‌ ଠିକ୍‌ ସମୟରେ ଜମା କରିନପାରିଲ, ଶିକ୍ଷକ କହିଥାନ୍ତି ଯେ ବାଦଲକୁ ଏ ବିଷୟରେ ଜଣାଇବେ । ଏ ବାଦଲ ଯେ ଭସା ବାଦଲ ନୁହେଁ, କଲେଜ ଛାଡ଼ି କେବେ ଭାଷିଯିବେ, ସମସ୍ତେ ପ୍ରାର୍ଥନା କରିଚାଲିଥିଲେ ।

ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଦେଖି ବାଦଲ ଖୁବ ଖୁସି । କାହାକୁ ମୁର୍ଗା ବନିବାକୁ କହିଥିଲେ ତ କାହାକୁ ବେଲିଡାନ୍ସ କରିବାକୁ । ସେ ଯେ ଖୁବ ମଜା ନେଇ ଚାଲିଥିଲେ । ଦୃଶ୍ୟଟି ଭୟାନକ ଥିଲା କିନ୍ତୁ ସେଠୁ ଯିବାର ସାହସ ଯେ କରିବା ସର୍ବଦା ଅନୁଚିତ କାରଣ ଥରେ ବାଦଲ ରାଗିଲେ ବର୍ଷା ତ ନିଶ୍ଚୟ ହେବ । ବାଦଲଙ୍କର ନଜର ପଡିଥିଲା ଏହି ଗ୍ରାମୀଣ ଛାତ୍ର ଚିନୁ ଉପରେ । କପଡାର ଢଙ୍ଗରଙ୍ଗ ଦେଖି ବାଦଲ ବୁଝିପାରିଥିଲେ ଯେ ଏ ମୁର୍ଗାଟି ଜଙ୍ଗଲରୁ ଆସିଛି । ଗାଲଟିକୁ ଚିମୁଟିଦେଇ ପଚାରିଥିଲେ, ଆରେ ମୁର୍ଗା, ତୋର ନାଁ କଣ ? ରୁଦ୍ଧ ଗଳାରେ ଉତ୍ତର ଦେଇଥିଲେ ଚିନ୍ମୟ । ବା, ଖୁବ ଭଲ, ଖୁବ ଭଲ ନାଁଟି, ବାଦଲ ଖୁସ ହୁଏ । ଯଦି ଏ କଲେଜରେ ରହିବାର ଅଛି, ତାହେଲେ ଆଜିଠୁ ଜିନ୍ସ, ଟି ଶାର୍ଟ ପିନ୍ଧିବା ଆରମ୍ଭ କର, ନଚେତ ତୋତେ ସେହି ଜଙ୍ଗଲକୁ ପାର୍ସଲ କରିଦିଆଯିବ । ଚିନୁ ଯେ ଖୁବ ଡରିଯାଇ ପରବର୍ତ୍ତୀ ସମୟରେ ଅମିତକୁ ସଙ୍ଗେନେଇ ୨ହଳ ଜିନ୍ସ ଏବଂ ଟି ଶାର୍ଟ କିଣି ଆଣିଥିଲେ । ବାଦଲ ଯେ ସେଦିନ ଭାସିଯାଇଥିଲେ ଅନ୍ୟ ଆଡକୁ ।

ମେକାନିକାଲ ବିଭାଗରେ ଚାଳିଶ ଜଣ ଛାତ୍ର ଥିଲେ କିନ୍ତୁ ଛାତ୍ରୀଙ୍କ ସଂଖ୍ୟା ଯେ ଶୂନ୍ୟ । ଚିନୁ ଯେ ଆଜି ଶୂନ୍ୟକୁ ଖୁବ ଘୃଣା କରେ । ଭାରତୀୟ ଗଣିତଜ୍ଞମାନେ ଯେ କେଉଁଥିପାଇଁ ଶୂନ୍ୟର ଆବିଷ୍କାର କରିଥିଲେ, ସେମାନେ ଯେ ଆଜି ସେଥିପାଇଁ ଦୋଷୀର ପାତ୍ର । କିନ୍ତୁ ଅପର ପକ୍ଷରେ କମ୍ପୁଟର ବିଭାଗରେ ଯେ ଖୁବ ଅଧିକ ଛାତ୍ରୀ, ଛାତ୍ର ଯେ ବହୁତ କମ । ତେଣୁ ବଳକା ଛାତ୍ରୀମାନେ ଯେ ବନ୍ଧୁତ୍ୱ କରିବାପାଇଁ ଅନ୍ୟ ବିଭାଗର ଛାତ୍ରମାନଙ୍କୁ ଖୋଜୁଥିବେ; ଚିନୁ ଯେ ଏ ଅବିଷ୍କାରକୁ ନେଇ ଖୁବ ଗର୍ବିତ । ତେଣୁ ସେ ନିଜ ବିଭାଗରେ ଖୁବ କମ ସମୟ ରହି, ବରଂ କମ୍ପୁଟର ବିଭାଗର ବାହାରେ ଅଧିକ ସମୟ ବିତାଇ ଚାଲିଥିଲେ । ସେ ବିଭାଗର ସବୁ ଛାତ୍ରୀମାନେ ଯେ ଚଷମା ଲଗାନ୍ତି, ତାହାପୁଣି ଖୁବ ମୋଟା ମୋଟା ଗ୍ଲାସ । ପ୍ରଥମ କିଛିଦିନଯେ ସବୁ କନ୍ୟାମାନେ ଚିନୁକୁ ସମାନ ଦେଖାଯାଉଥିଲେ । ଧୀରେ ଧୀରେ ଚଷମାର ମୋଟାପା ଦେଖିଦେଖି ଚିନୁ ସେ କନ୍ୟାମାନଙ୍କର ବିଭିନ୍ନ ନାମକରଣ କରିଥିଲେ; ଯେପରିକି ‘ମେଣ୍ଡଲୀଫ’ଙ୍କର ପିରିଅଡିକ ଟେବୁଲ ପରି । ସେମାନଙ୍କ ମଧ୍ୟରୁ ସବୁଠୁ ପତଳା ଚଷମା ପିନ୍ଧା କନ୍ୟାଟି ଥିଲେ ‘ସୋନା’ । ଚିନୁ ଭାବିଲେ ଯେ ଏ କନ୍ୟା ପାଠ ସହିତ ଅନ୍ୟାନ କାର୍ଯ୍ୟକ୍ରମରେ ନିଶ୍ଚିତ ଭାଗ ନେବାକୁ ପସନ୍ଦ କରୁଥିବେ; ନଚେତ ଚଷାମାର ଗ୍ଲାସଟି ଅଧିକ ମୋଟା ହେବା ଉଚିତ ଥିଲା ।

ସୋନା ଯେ ଚିନୁଙ୍କୁ ବହୁତବାର ଦେଖିଥିଲେ । ଚିନୁ ଚେଷ୍ଟା କରିଚାଲିଥିଲେ କିପରି ସେ କନ୍ୟାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବେ । ଛାତ୍ରାବାସକୁ ଫେରି ସେ ନୋଟିସବୋର୍ଡ ରେ ନୋଟିସ ଦେଖିଲେ ଯେ ଆସନ୍ତା ଶନିବାରଦିନ ‘ଫ୍ରେସର୍ସ ୱେଲକମ’ ପାର୍ଟି କଲେଜର ଅଡିଟୋରିଅମରେ ଅନୁଷ୍ଠିତ ହେବ । ଛାତ୍ରମାନଙ୍କୁ ଯେ ଧଳା ସାର୍ଟ, ଧଳା ପ୍ୟାଣ୍ଟ ଏବଂ ଛାତ୍ରୀମାନଙ୍କୁ ଯେ ଧଳା ଶାଢ଼ୀ ପିନ୍ଧି ଆସିବାକୁ ନିର୍ଦ୍ଧେଶ । ଚିନୁ ଯେ ତାଙ୍କର ହୃଦୟର ଧଡକନ ‘ସୋନା’ଙ୍କୁ ଧଳା ବେଶରେ ଦେଖି ପାରିବେ ନାହିଁ । କିନ୍ତୁ ସେ ଖୁସିଥିଲେ କି କମସେକମ ସେହି ଦିନ ସୋନାଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ତ ମିଳିପାରିବ । ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଖୁବି ଅର୍ଥାତ ବିଶେଷ ଗୁଣକୁ ପ୍ରଦର୍ଶନ କରି ମୁର୍ଗା ଓ ମୁର୍ଗୀ ଅବସ୍ଥାରୁ ସ୍ୱାଧୀନ ସ୍ତରକୁ ଉତ୍ତୀର୍ଣ ହେବାକୁ ଆଦେଶ ଥିଲା । ଚିନୁ ଯେ ଗ୍ରାମୀଣ ବାତାବରଣରୁ ଆସିଥିଲେ; ତେଣୁ ସେ ଯେ ସେହି ଅଂଚଳର ଖୁବ ପ୍ରସିଦ୍ଧ ଲୋକଗୀତ ଟି ଗାୟିବେ ବୋଲି ନିଶ୍ଚୟ କରିଥିଲେ । ସେ ନିଜେ ଜାଣିଥିଲେ ଯେ ସେ ଏ ଗୀତଟିକୁ ଖୁବ ସୁନ୍ଦର ଗାୟିପାରନ୍ତି । ତେଣୁ ଅନ୍ୟମାନଙ୍କ ସହିତ ସୋନା ଯେ ଏ ଗୀତଟି ଶୁଣି ତାଙ୍କୁ ଚିହ୍ନିବାକୁ ଆରମ୍ଭ କରିବେ । ତେଣୁ ସେ ଯେ ଅଧର୍ଯ୍ୟର ସହିତ ଆସନ୍ତା ଶନିବାରକୁ ଅପେକ୍ଷା କରିଥିଲେ ।

ପ୍ରଥମ ବର୍ଷର ସବୁ ଛାତ୍ରମାନେ ଯେ ଶୁଭ୍ର ବସ୍ତ୍ର ଧାରଣ କରିଛନ୍ତି । ଛାତ୍ରୀମାନେ ଯେ ଶୁଭ୍ର ହଂସପରୀ ଦୃଶ୍ୟମାନ । ଏକ ପରେ ଏକ କରି ଛାତ୍ରଛାତ୍ରୀ ମାନେ ନିଜର ବିଶେଷ ଗୁଣକୁ ମଞ୍ଚ ଉପରେ ପ୍ରଦର୍ଶନ କରିଚାଲିଛନ୍ତି । ଚିନୁର ନମ୍ବର ଆସିବାରୁ ସେ ଯେ ସେହି ବିଶେଷ ଲୋକଗୀତଟି ଗାୟିବାକୁ ଲାଗିଲେ । ତାଙ୍କର ମଧୁର କଣ୍ଠରେ ଗୀତଟି ଖୁବ ମିଠା ଲାଗୁଥିଲା । ଉପସ୍ଥିତ ଛାତ୍ରଛାତ୍ରୀ ମଣ୍ଡଳୀ ଯେ ଖୁବ କରତାଳିର ସହିତ ସାବାସୀ ଜଣାଇଲେ । ହଠାତ ଚିନୁ ଯେ ଜିରୋ ରୁ ହିରୋ ରେ ପରିବର୍ତ୍ତନ ହୋଇଗଲେ । ତାଙ୍କର ନଜର ଯେ ଖୋଜି ଚାଲିଥିଲା ସେହି ପତଳା ଚଷମାଵାଲୀ ସୋନାଙ୍କୁ ।

ଭିଡ଼ମଧ୍ୟରୁ ବାହାରି ଯାଇ ଚିନୁ ଖୋଜିଚାଲିଥିଲେ ସୋନାଙ୍କୁ । ହଠାତ ପଛରୁ ଏକ ମଧୁର କଣ୍ଠରେ ଜଣେ ଅବଳା ନାରୀ କହିଥିଲେ, ବହୁତ ସୁନ୍ଦର ଗୀତଟି, ଖୁବ ସୁନ୍ଦର ତୁମର କଣ୍ଠ ଏବଂ ଗୀତଟି ଯେ ସମ୍ପୂର୍ଣ ମନମୁଗ୍ଧକାରୀ ଥିଲା । ଏହା ଶୁଣି ଚିନୁ ପଛକୁ ବୁଲି ଦେଖେତ ସେହି ପତଳା ଚଷମାବାଲି ସୋନା । ସେ ତ କେତେଥର ଯେ ସୋନା ଙ୍କୁ ଆଗରୁ ଦେଖିଛନ୍ତି, ହେଲେ ଆଜି ଧଳା ଶାଢ଼ୀ ହେଲେ ମଧ୍ୟ, ସୋନା ତ ସତରେ ସୋନା ପରି ଚମକୁଛନ୍ତି । ଚିନୁ ନିଜର ଉପରେ କଣ୍ଟ୍ରୋଲ ରଖିନପାରି ଗ୍ରାମୀଣ ଅନ୍ଦାଜରେ ବରଂ ହେଉ, କହିଥିଲେ ଧନ୍ୟବାଦ । ସୋନା ମଧ୍ୟ ଚିନୁ ଙ୍କୁ ଆଗରୁ ଦେଖିଥିଲେ ଏବଂ ଜାଣିବି ଥିଲେ କି ଚିନୁ ତାଙ୍କୁ ହିଁ ଦେଖିବା ପାଇଁ କମ୍ପୁଟର ବିଭାଗ ଆଗରେ ପ୍ରାୟ ଭଅଁରପରି ବୁଲିଥାନ୍ତି । ଭାଗ୍ୟର ଚମକ, ସୋନା ଯେ କିଛି ନଭାବି ଚିନୁର ହାତକୁ ଧରି ତାଙ୍କୁ ଅଡିଟୋରିଅମ ପଛକୁ ଟାଣି ନେଇ ଯାଇଥିଲେ । ସେ ଦୁହେଁ ସେଠାରେ ପ୍ରାୟ ଏକ ଘଣ୍ଟା ସମୟ ବସି ନିଜନିଜ ବିଷୟରେ ଖୁବ ଗପ ଲଗାଇଥିଲେ । ସନ୍ଧ୍ୟା ପାଖେଇ ଆସୁଥିବାରୁ ସୋନା ଓ ଚିନୁ, ମହିଳା ଛାତ୍ରାବାସ ଆଡକୁ ଗତି କରିଥିଲେ । ଚାଲୁ ଚାଲୁ ସୋନା ଓ ଚିନୁ ଯେ ପରସ୍ପରର ହାତକୁ ଧରିଥିଲେ, ହୁଏତ ଅଜାଣତରରେ । ମହିଳା ଛାତ୍ରାବାସକୁ ପ୍ରବେଶ କରି ସୋନା ଯେ ଖୁବ ଆଦରର ସହିତ ‘ଶୁଭ ରାତ୍ରୀ’ କହି ଚାଲିଯାଇଥିଲେ, କିନ୍ତୁ ଯିବା ପୂର୍ବରୁ ନିଜର ମୋବାଇଲ ନମ୍ବରଟି ଚିନୁଙ୍କୁ ଦେଇଯାଇଥିଲେ । ଆହା, ଆଜି ଦିନଟି ଯେ ଚିନୁର ଜୀବନରେ ସବୁଠୁ ଖୁସିର ଦିନ । ସେ ନିଜର ଛାତ୍ରାବାସକୁ ତ ଫେରିଆସିଥିଲେ କିନ୍ତୁ ମନଟି ଯେ ରହିଯାଇଥିଲା ସେହି ମହିଳା ଛାତ୍ରାବାସରେ । ନିଜ ରୁମରେ ପହଁଚି ସେ ଯେ ଏ ସବୁ ବୃତାନ୍ତ ଅମିତ କୁ ଶୁଣାଇ ଚାଲିଲେ । ଆଜି ଅମିତ ନିଜର ବନ୍ଧୁ ଚିନୁର ଭାଗ୍ୟକୁ ନେଇ ଖୁବ ଇର୍ଷା କରିଥିଲେ । କିନ୍ତୁ ସେ ଯେ ଏ ପ୍ରେମ କାହାଣୀର ସୂତ୍ରଧାର ରୂପରେ ଚିନୁକୁ ସମସ୍ତ ପ୍ରକାର ଉପଦେଶ ଦେବାର ଦାଇତ୍ୱ ଗ୍ରହଣ କରିଥିଲେ । ପ୍ରଥମ ଉପଦେଶ ଥିଲା ଯେ ରାତ୍ରୀର ଦଶଟା ସମୟ ପରେ, ନିଜ ବିଛଣାରେ ଶୋଇଶୋଇ ମୋବାଇଲ ଫୋନରେ ଧୀରେଧୀରେ ଗପସପ ଆରମ୍ଭ କରିବା ଉଚିତ । ତେଣୁ ସେହି ରାତ୍ରୀର ଠିକ୍‌ ଦଶଟା ବାଜିଲା ତ ଚିନୁର ରୁମର ଲାଇଟ୍ସ ଅଫ ଏବଂ ଘଣ୍ଟିଟି ବାଜିଉଠିଲା ପ୍ରେମିକା ସୋନାଙ୍କର ମୋବାଇଲ ଫୋନରେ । ସେ ମଧ୍ୟ ଆରମ୍ଭ କରିଥିଲେ ଏ ‘ମୋବାଇଲ ଲଭ’ । ରାତ୍ରୀର ବାରଟା ପର୍ଯ୍ୟନ୍ତ ଏ ଦୁଇଟି ଫୋନ ଯେ ବ୍ୟସ୍ତ ରହିଥାଏ । ଏ ଯେ ଏକ ରାତ୍ରୀର କଥା ନୁହେଁ, ଏ ତ ସମସ୍ତ ରାତ୍ରୀର କଥା । ଧୀରେ ଧୀରେ ଚିନି ଯେ ପାଣିରେ ମିସିବାକୁ ଲାଗିଲା ଏବଂ ଏ ପ୍ରେମରୂପୀ ସର୍ବତଟି ଖୁବ ମଧୁର ଲାଗିଥିଲା । ପ୍ରେମଗୁରୁ ଅମିତ ଯେ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ବିଷୟରେ ଉପଦେଶ ଦେଇଥିଲେ । ତାହାଥିଲା ଯେ ପାଖେଇ ଆସୁଥିବା ଚିନୁର ଜନ୍ମଦିନ । ସେହି ଦିନରେ ସକାଳୁ ଉଠି ଚିନୁ ଯେ କମ୍ପୁଟର ବିଭାଗ ସମ୍ମୁଖରେ ଅପେକ୍ଷାରତ । ଅନ୍ୟ ସବୁ ଛାତ୍ରଛାତ୍ରୀ ମାନେ ଯେ ଚିନୁକୁ ଭଲକରି ଚିହ୍ନି ସାରିଲେଣି । ସୋନାକୁ ଆସିବାର ଦେଖି ଆଜି ଚିନୁ ଯେ ବହୁତ ସାହସର ସହିତ ତାଙ୍କ ପାଖକୁ ଚାଲିଯାଇଥିଲେ ଏବଂ ସୋନା ଯେ ଚିନୁଙ୍କର ଗାଲଟିକୁ ଚିମୁଟିଦେଇ କହିଲେ ‘ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା, ବ୍ୟାର୍ଥଡେ ବୟ’ । ଚିନୁ ବୋଧେ ଗୋଟିଏ କ୍ଷଣପାଇଁ ଅନ୍ତରୀକ୍ଷରେ ଥିବା ସ୍ପେସଷ୍ଟେସନକୁ ଚାଲିଯାଇଥିଲେ । ସେହି ଆଖି ବନ୍ଦଥିବା ସମୟରେ ଚିନୁ କହିଥିଲେ ସୋନା, ଆଇ ଲଭ ୟୁ । ସୋନା ଯେ ଏହାତ ଆଗରୁ ଜାଣିଥିଲେ, ତେଣୁ ସେ ଫିଲ୍ମଷ୍ଟାଇଲରେ ଚିନୁର ମଥାରେ ହାତ ଲଗାଇ ବାଇବାଇ କରି ନିଜ ବିଭାଗ ମଧ୍ୟକୁ ଚାଲିଯାଇଥିଲେ ।

ପ୍ରେମରେ ସଫଳତାର ଅନୁଭୂତୀ ନେଇ ଚିନୁ ଯେ ନିଜ ବିଭାଗକୁ ଦୌଡ଼ି ଯାଇଥିଲେ । ଆଜି କକ୍ଷାରେ ଅଧ୍ୟାପକଙ୍କ କଥାଯେ ତାର କାନ ମଧ୍ୟକୁ ପ୍ରବେଶ କରୁନଥିଲା । ସେ ତ ପ୍ରେମ ରାଜ୍ୟରେ ରୋମାଣ୍ଟିକ ଗୀତ ନାଚ କରିଚାଲିଥିଲେ । ଅମିତ ଯେ ଏ ପ୍ରକାର ଅବସ୍ଥା ଦେଖି ଭାବିଥିଲେ ଯେ ପିଲାଟି ହାତରୁ ଖସିଗଲା । ଏହାର ପ୍ରଭାବ ଯେ ପ୍ରଥମ ସେମିଷ୍ଟରର ଫଳାଫଳରେ ଦୃଶ୍ୟମାନ ଥିଲା, କିନ୍ତୁ ଦ୍ୱିତୀୟ ସେମିଷ୍ଟର ବେଳକୁ ଚିନୁଯେ ନିଜର ପ୍ରେମ ଓ କର୍ମ ଦୁହିଁଙ୍କୁ ଖୁବ ଭଲ ଭାବରେ ସମ୍ଭାଳି ପାରିଥିଲେ ଏବଂ ପରୀକ୍ଷା ଫଳ ଯେ ଖୁବ ଭଲ ଥିଲା । ସେ ଅନୁଭବ କରିଥିଲେ ଯେ ସେ ଏବେ ଏ ଦୁଇଟି ରାଜ୍ୟର ବାଦଶାହ ବନି ପାରିଲେ ।

ରବିବାରର ଚିକେନ ବିରିୟାନୀ ଟିକେ ଲୋଭରେ ଅଧିକ ଖାଇଦେଇ ଚିନୁ ଯେ ନିଜ ରୁମରେ ନିଦ୍ରାସକ୍ତ । ହଠାତ ତାର ରୁମର କବାଟରେ ଖୁବ ଜୋରରେ ଲାତ ଗୋଇଠା ମାଡ ଚାଲିଲା । ସେ ଭାବିଥିଲେ ଯେ ଅମିତ ହିଁ ହୋଇଥିବେ । ସେ ନିଦରୁ ଉଠି ଅମିତକୁ ଗାଳିଦେଇ କବାଟ ଖୋଲିବା ପରେ ଦେଖେ ଯେ ସମ୍ମୁଖରେ ବିରାଜମାନ ଥିଲେ ‘ସିନିଅର ସାର ବାଦଲ’ । ଚିନୁଙ୍କ ମୁହଁରେ ଯେ ଭୟର ଆଶଙ୍କା ଖୁବ ଶୀଘ୍ର ବିଦ୍ୟମାନ । ଭୟରେ ଚିନୁ କହିଲେ ‘ଗୁଡ଼ ଆଫ୍ଟରନୂନ ସାର’, ତାହା ନଶୁଣି କବାଟକୁ ଖୁବ ଜୋରରେ ଧକାଦେଇ ସିଧାଯାଇ ବିଛଣା ଉପରେ ଶୋଇପଡ଼ିଥିଲେ ବାଦଲ ସାର । କଣ ଚାଲିଛି ଚିନ୍ମୟ, ଆଜିକାଲି ଖୁବ ହାତରେ ହାତ ଧରି ବୁଲିବାକୁ ଲାଗିଲଣି? ନାଇଁ ସାର, ଏମିତି କିଛି ନାହିଁ । ସତ୍ୟ କହୁଛ ତ କିଛି ନାହିଁ । ହଁ ସାର, ବିଦ୍ୟାରାଣ, ପୁରା ସତ୍ୟ କହୁଛି । ତାହେଲେ ତୁମେ ଖୁବ ଭଲ ପିଲା । ମୁଁ ଭାବିଥିଲି ଯେ ତୁମେ ବୋଧେ ସୋନାର ବୟଫ୍ରେଣ୍ଡ ହୋଇଗଲଣି । ଜାଣି ଭଲ ଲାଗିଲା ଯେ ତୁମର ସେମିତି କିଛି ସମ୍ପର୍କ ନାହିଁ । ତାଛଡା ସୋନା ଯେ ମୋତେ ଖୁବ ପସନ୍ଦ ଆସିଗଲା; ଆଉ ପ୍ରଥମ ହକ ତ ସର୍ବଦା ସିନିଅର ମାନଙ୍କର, କଣ ଚିନ୍ମୟ ହଁ ନା ନାଁ ? ଚିନୁ କହିଲେ ହଁ ସାର । ତେଣୁ ଚିନ୍ମୟ, ତୁମେ ମନଲଗାଇ ଭଲ ଭାବରେ ପାଠ ପଢ଼, ସୋନାର ଦାଇତ୍ୱ ଏବେ ବାଦଲର । ଯଦି ଭୁଲରେ ତୁମେ ସୋନା ସହିତ ଦିଶିଥାଅ କିମ୍ବା ତାଙ୍କୁ ଫୋନ କରିବାର ଜଣାପଡେ, ତୁମେ ନିଶ୍ଚିତ ରୂପରେ ଜାଣିଛ, ଏ ବାଦଲ କଣ କରିପାରେ । ଟିଣବାକ୍ସଟି ଧରି ସିଧା ପଠେଇଦେବି ତୁମର ସେହି ଗ୍ରାମକୁ । ଇଂଞ୍ଜିନିଅର ହେବାର ସ୍ୱପ୍ନଯେ ସ୍ଵପ୍ନ ହୋଇ ରହିଯିବ । ବୁଝିଲ ନା ଆଉ କିଛି ସନ୍ଦେହ? ନାଇଁ ସାର, ପୁରା ବୁଝିଗଲି । ଗୁଡ଼ ବୟ, କହି ଚାଲିଗଲେ ‘ବାଦଲ’ ।

ବିପଦଟି ଚାଲିଗଲାପରେ ରୁମକୁ ବନ୍ଦକରି ବିଛଣା ମଧ୍ୟରେ ଲୁଚିଗଲେ ଚିନୁ । ସେ ଭାବି ପାରୁନଥିଲେ ଯେ ସେ ଠିକ୍‌ କଲେ ନା ଭୁଲ୍‌ କଲେ । ସେ ବୋଧେ ଏ ପୃଥିବୀର ପ୍ରଥମ ପ୍ରେମିକ ହୋଇଥିବେ, ଯେ ନିଜର ପ୍ରେମିକାଙ୍କୁ ନିଜ ହାତରେ କନ୍ୟାଦାନ ଭଳି ‘ପ୍ରେମିକା ଦାନ’ କରିଦେଲେ । ଆଜି ସେ ସବୁଠୁ ଦରିଦ୍ର ଓ ଦୁଃଖୀ ମାନବ । ନିଜକୁ ସମ୍ଭାଳି ନପାରି ସେ ଯେ କାନ୍ଦି ଚାଲିଥିଲେ । ଏ ସମୟରେ ପୁଣି କବାଟ ଧଡ ଧଡ । ପୁଣି ଡରି ଡରି ଲୁହ ପୋଛି ଆସି କବାଟ ଖୋଲି ‘ଗୁଡ଼ ଇଭିନିଙ୍ଗ ବାଦଲ ସାର’ କହିଉଠୁଥିଲେ, କି ଦେଖନ୍ତି ଯେ ଅମିତ ଆସିଛି । ସେ ଜୋରରେ ଅମିତକୁ ରୁମ ଭିତରକୁ ନେଇ କବାଟ ବନ୍ଦ କରିଦେଲେ ଏବଂ ସବୁ କାହାଣୀ କହିଚାଲିଲେ । ଆଜି ଲଭଗୁରୁ ଅମିତ ଯେ ଭୟର ଆଶଙ୍କା ପାଇ କହିଲେ ଯେ ଶନିର କୋପରୁ ବଞ୍ଚିବାକୁ ହେଲେ ତୋତେ ତୋର ପ୍ରେମିକାକୁ ତ୍ୟାଗ କରିବାକୁ ପଡିବ । ତ୍ୟାଗ ଯେ ପରମ ଧର୍ମ । ଜୀବନଟି ଓ ଚେହେରାଟି ଠିକ ରହିଥିଲେ ଯେ ଦ୍ୱିତୀୟଥର ପ୍ରେମିକା ମିଳିବାର ସମ୍ଭାବନା ଥାଏ, ନଚେତ ପୁର୍ଣଛେଦ ଲାଗିଯିବ । ତେଣୁ ଚିନ୍ମୟ, ତୁମେ ମହାପୁରୁଷଙ୍କ ଭଳି ତ୍ୟାଗକରିବା ଶିଖିବା ଉଚିତ । ବାସ, ଏହାପରେ ଆଉ ଉପଦେଶ ବନ୍ଦକର ଅମିତ, ଏହା କହି ରୁମରୁ ତାଙ୍କୁ ଧକ୍କାଦେଇ ବାହାର କରିଥିଲେ ଚିନୁ । ଭାବିଲେ ସେ ସୋନାଙ୍କୁ ଏସବୁ ବିଷୟରେ କହିବା ଉଚିତ ହେବ ନା ନାହିଁ । ନକହି ଯେ ସେ ରହିପାରିବେ ନାହିଁ । ତେଣୁ ନିୟମରେ ପରିବର୍ତ୍ତନ ନକରି ଶେଷଥର ପାଇଁ ଠିକ ରାତ୍ରୀର ଦଶ ଘଟିକା ସମୟରେ ସୋନାଙ୍କର ମୋବାଇଲଟି ବାଜିଉଠିଲା । ହେଲୋ ମାଇଁ ସ୍ୱୀଠୁ ଚିନୁ । କହିଉଠିଲେ ସୋନା । ସମୟ ବ୍ୟର୍ଥ ନକରି ଚିନୁଯେ ଏକ ନିଶ୍ୱାସରେ ସବୁ କାହାଣୀ କହିଯାଇଥିଲେ । ସୋନା ସବୁ ଶୁଣିଲାପରେ କହିଥିଲେ ଚିନୁ, ତୁମେ ଯେ ଖୁବ ଡରପୋକ । ମୁଁ ଝିଅ ହୋଇ ବାଦଲକୁ ଡରେନାହିଁ, ତୁମେ ପୁଅ ହୋଇ ଡରିଯାଉଛ । ଆଛା, ଠିକ ଅଛି, ଏ ସମସ୍ୟାର ସମାଧାନ ମୋ ଉପରେ ଛାଡିଦିଅ । ବର୍ତ୍ତମାନ ଆମେ ଦୁହେଁ ବ୍ରେକଅପର ଅଭିନୟ କରିବା । ପରସ୍ପରଠୁ କିଛିଦିନ ଦୁରେଇ ରହିଲେ ବାଦଲକୁ ବିଶ୍ୱାସ ହୋଇଯିବ ଯେ ତୁମେ ତାଙ୍କର କଥା ମାନିନେଇଛ । ତେଣୁ ସେ ଯେ ତୁମକୁ କୌଣସି ବିପଦକର ପରିସ୍ଥିତିରେ ପକାଇ ପାରିବେନାହିଁ । ଏହା ମଧ୍ୟରେ ମୁଁ, ସୋନା ଉପାଧ୍ୟାୟ, ବାଦଲ ସହିତ ମିଛିମିଛିଆ ପ୍ରେମର ନାଟକ କରିଚାଲିବି । ଅଳ୍ପ କିଛିଦିନ ମଧ୍ୟରେ ବାଦଲ ସହିତ ବ୍ରେକଅପ କରିଦେବି ଏବଂ ଏଥିସହିତ ଆମେଦୁହେଁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିବା । ଚିନୁ ସମ୍ମୁଖରେ ଅନ୍ୟ କୌଣସି ରାସ୍ତା ନଥିବାରୁ ସେ ଯେ ସୋନାଙ୍କୁ ପୂର୍ଣ ରୂପରେ ଭରଷାକରି ହଁ କହିଥିଲେ । ମନ ମଧ୍ୟରେ ତାଙ୍କୁ ଅନୁଭୂତୀ ହେଉଥିଲା ଯେ ଯଦି ସୋନା, ବାଦଲର ପ୍ରେମରେ ପଡ଼ିଯାଏ; କି ବାଦଲ ସୋନାଙ୍କ ସହିତ ଖରାପ ବ୍ୟବହାର କରେ ଇତ୍ୟାଦି ଇତ୍ୟାଦି । ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇ ରାତ୍ରୀର ଅନ୍ଧକାର ମଧ୍ୟରେ ଖୁବ କାନ୍ଦିପକାଇଥିଲେ ଚିନୁ ।

ପରଦିନଠୁ ଅଭିନୟ ଆରମ୍ଭ । ଚିନୁ ଓ ସୋନା ପରସ୍ପରର ଭେଟ ହେଲେ କେବଳ ଆଖିରେ ଆଖିରେ କଥା ହୋଇ ଚାଲିଯାଇଥାନ୍ତି । ଏବେ ବାଦଲ ଯେ କମ୍ପୁଟର ବିଭାଗ ସମ୍ମୁଖରେ ବହୁତ ସମୟରେ ଦେଖାଦେଇଥିଲେ । ଧୀରେ ଧୀରେ ସାରା କଲେଜ ଜାଣିଗଲା ଯେ ବାଦଲ ସାର, ସୋନାର ନୂତନ ବୟଫ୍ରେଣ୍ଡ । ହାତରେ ହାତ ଧରି ସେମାନେ ସନ୍ଧ୍ୟା ସମୟରେ କାମ୍ପସ ମଧ୍ୟରେ ବୁଲିଥିଲେ । ଗୁପ୍‌ଚୁପ୍‌ ଠେଲା ପାଖରେ ସେ ଦୁହେଁ ପରସ୍ପରକୁ ଗୁପ୍‌ଚୁପ୍‌ ଖୋଇଦେଇଥିଲେ । ସୋନା ଯେଉଁପରି ଚିନୁ ସହିତ ପ୍ରେମ କରିଥିଲେ, ଏବେ ଅଭିନୟରେ ଠିକ୍‌ ସେହିପରି ବାଦଲ ସହିତ କରିଚାଲିଥିଲେ । ଏସବୁ ଦୂରରୁ ରହି ଦେଖିଚାଲିଥିଲେ ଚିନୁ । ସେ ଯେ ଅସହାୟ ଯନ୍ତ୍ରଣା ଅନୁଭବ କରିଚାଲିଥିଲେ, କିନ୍ତୁ କିଛି କରିପାରୁନଥିଲେ । ଦାନ୍ତ କାମୁଡି ରାଗରେ ଲାଲ ହୋଇ ଛାତ୍ରାବାସର କାରାଗାର ମଧ୍ୟରେ ନିଜକୁ ବନ୍ଦୀ କରି ପାଠପଢି ଚାଲିଥିଲେ । ରାତ୍ରୀ ଦଶଟା ସମୟରେ ସୋନାଙ୍କର ଫୋନ ଯେ ବ୍ୟସ୍ତଥାଏ, କାରଣ ଏବେ ସେ ସମୟଟି ବାଦଲ ସାର ଯେ ଅଧିକାର କରିଛନ୍ତି । ଚେଷ୍ଟା କରି କରି ଏଗାରଟା ସମୟରେ ଫୋନ ଲାଗିଥିଲା ଏବଂ ଚିନୁ ଯେ ସୋନାଙ୍କୁ ସବୁ ସର୍ତ ମନେପକାଇ ଦେଇଥିଲେ । ସୋନା କହିଉଠିଲେ ଚିନୁ, ତୁମେ ମୋତେ ସମ୍ପୂର୍ଣ ଭାବରେ ଭରଷା କରୁନାହଁ, ତାଛଡା ତୁମେ ଏପରି କହି ମୋତେ ଖୁବ ଦୁଃଖ ଓ ଯନ୍ତ୍ରଣା ଦେଉଛ । ଏହା ଶୁଣି ଚିନୁ ଯେ କିଛି ଉତ୍ତର ଦେବା ପୂର୍ବରୁ ସୋନା ଫୋନଟିକୁ କାଟିଦେଇଥିଲେ । ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଥିଲା ଏବଂ ଅସହାୟ ଅବସ୍ଥାରେ ଚିନୁ ଯେ ଖୁବ ପାଠ ପଢିଥିଲେ । ତେଣୁ ତୃତୀୟ ସେମିଷ୍ଟର ଫଳାଫଳ ଆସିବା ବେଳକୁ ଦେଖାଯାଏ ଯେ ମେକାନିକାଲ ବିଭାଗର ନୂତନ ତାରକା ଯେ ‘ଚିନ୍ମୟ’ । ଏଥର ଯେ ଅମିତ ପୁଣି ଚିନୁର ଭାଗ୍ୟକୁ ନେଇ ଇର୍ଷା କରିଥିଲେ ।

ଏ ଖୁସି ଖବର ଶୁଣାଇବା ପାଇଁ ଚିନୁ ଯେ ରାତ୍ରୀ ଦଶ ଘଟିକାରେ ସୋନାଙ୍କର ମୋବାଇଲରେ ଫୋନ୍‌ କରିଥିଲେ, କିନ୍ତୁ ସୋନା ଯେ ଆଉ ଚିନୁର ଫୋନ୍‌ ଉଠାଇ ନଥିଲେ କି କିଛି ଉତ୍ତର ମଧ୍ୟ ଦେଇନଥିଲେ । ପ୍ରତି ୨ବର୍ଷରେ ଯେ ସୋନା ସ୍ଥାନ ପରିବର୍ତ୍ତନ, ବିଦ୍ୟାଳୟ ପରିବର୍ତ୍ତନ ଏବଂ ବନ୍ଧୁ ପରିବର୍ତ୍ତନ କରୁଥିଲେ । କିନ୍ତୁ କଲେଜରେ ଗୋଟିଏ ବର୍ଷରେ ସେ ବୟଫ୍ରେଣ୍ଡ ପରିବର୍ତ୍ତନ କରି ଚିନୁଠୁ ଦୁରେଇ, ଭଷା ବାଦଲ ସହିତ ଭାଷି ଯାଇଥିଲେ । ଚିନୁକୁ ଲାଗୁଥାଏ ଯେ ସୋନା ତାଙ୍କଠୁ ଦୂରେଇଗଲେଣି । ତେଣୁ ସେ ଖୁବ ସାହସର ସହିତ ମହିଳା ଛାତ୍ରାବାସ ଆଡକୁ ଆଗେଇଯାଇଥିଲେ ଏବଂ ଭାବିଥିଲେ ଯେ ସେ ସୋନାଙ୍କୁ ସବୁକଥା ପଚାରି ପରିସ୍ଥିତିର କଳନା କରିବେ । ହଠାତ୍‌ ଗେଟ ପାଖରେ ସେ ସୋନା ଏବଂ ବାଦଲକୁ ଏକା ସାଙ୍ଗରେ ଦେଖି, ଅଧର୍ଯ୍ୟ ହୋଇଗଲେ ଏବଂ ଜୋରକରି ସୋନାଙ୍କୁ ନିଜ ଆଡକୁ ଟାଣିନେଲେ । କହିଉଠିଲେ ସୋନା, ତୁମକୁ ଆଉ ଅଭିନୟ କରିବା ଦରକାର ନାହିଁ । ମୁଁ ଯେ ଆଉ ଏ ବାଦଲକୁ ଭୟ କରୁନାହିଁ । ମୁଁ ତୁମକୁ ହୃଦୟରୁ ଭଲପାଏ, ତେଣୁ ଭୟକରି ମୁଁ ତୁମକୁ ହରେଇବାକୁ ଚାହେଁନାହିଁ । କିନ୍ତୁ ଆଜି ପରିସ୍ଥିତି ଯେ ବିପରୀତ । ସୋନା ଯେ ଚିନୁର ଗାଲରେ ଗୋଟିଏ ଥାପଡ଼ ପକାଇଥିଲେ ଏବଂ କହିଥିଲେ ଯେ ମୋ ଠାରୁ ଦୁରେଇ ରୁହ ଏବଂ ବାଦଲ ଯେ ମୋର ପ୍ରକୃତ ବୟଫ୍ରେଣ୍ଡ । ଏଥର ବାଦଲ ସାରଙ୍କୁ କିଛି କରିବାକୁ ପଡ଼ିନଥିଲା, ସୋନା ହିଁ ଚିନୁଙ୍କୁ ଭୟ ଦେଖାଇପାରିଥିଲେ ।

ନିରାଶ ପ୍ରେମିକର ଛାତିଫଟା ଚିତ୍କାର । ଆଜି ଚିନ୍ମୟ ଯେ ପାଠପଢି ନିଜ ବିଭାଗର ତାରକା ହୋଇପାରିଲେ । କିନ୍ତୁ ସେ ଯେ ପ୍ରେମରେ ଧୋକା ଖାଇବା ପରେ ସମ୍ପୂର୍ଣ ରୂପରେ ଭାଙ୍ଗି ପଡ଼ିଥିଲେ । ସେ ଅମିତକୁ ସବୁ କାହାଣୀ କହିଥିଲେ ଏବଂ ଅମିତ ଆଜି ନିଜ ବନ୍ଧୁର ଏ ଅବସ୍ଥା ଦେଖି କିଛି ଉପଦେଶ ଦେବାକୁ ସାହସ କରିନଥିଲେ ବରଂ ଭୋଭୋ ରଡି କରି କାନ୍ଦି ଚାଲିଥିବା ଚିନ୍ମୟଙ୍କୁ ସେ କାନ୍ଦିବା ପାଇଁ ନିଜର କାନ୍ଧଟି ଦେଇଥିଲେ । ପ୍ରେମରେ ହାରିଯାଇଥିବା ପ୍ରେମିକଟିକୁ ଯେ ଦୁନିଆର କୌଣସି ବସ୍ତୁ ଭଲ ଲାଗେନାହିଁ । ତେଣୁ ସେ ସବୁ ଅତୀତ କଥାକୁ ଭୁଲିବାକୁ ଯାଇ ନିଜର ଭବିଷ୍ୟତ ଆଡକୁ ଦେଖିବା ଉଚିତ ବୋଲି ସ୍ଥିର କଲେ । ଅଗାଧ ପରିଶ୍ରମ କରିଚାଲିଲେ ଚିନ୍ମୟ । ପ୍ରତ୍ୟେକ ସେମିଷ୍ଟର ପରୀକ୍ଷାରେ ଚିନୁ ଯେ ସର୍ବଦା ଟପ କରିଆସୁଥିଲେ । ସେ ବୁଝିପାରିଲେ ଯେ ଯଦିବା ସେ ପ୍ରେମରେ ହାରିଗଲେ, କିନ୍ତୁ ଅସଲି ଜୀବନରେ କମସେକମ ପାଠପଢ଼ାରେ ତ ଆଗେଇଯାଇଛନ୍ତି ।

କଲେଜର କେଉଁ ସ୍ଥାନରେ ଯଦି ଚିନୁ ଏବଂ ସୋନା ସାମ୍ନାସାମ୍ନି ହେଉଥିଲେ, ତାହେଲେ ଚିନୁ ହିଁ ମୁହଁ ତଳକୁ କରି ଚାଲିଯାଉଥିଲେ । କିନ୍ତୁ ସୋନାଙ୍କୁ ଯେ ଏଥିରେ କିଛି ଖରାପ ଅନୁଭୂତୀ ହେଉନଥିଲା । ଇଞ୍ଜିନିଅରିଙ୍ଗ ପାଠ ପଢିବା ଯେ ପ୍ରେସରକୁକର ଭଳି । ଆସାଇନମେଣ୍ଟ ପରେ ଆସାଇନମେଣ୍ଟ, କ୍ଲାସଟେଷ୍ଟ ପରେ କ୍ଲାସଟେଷ୍ଟ, ସର୍ବଦା ବ୍ୟସ୍ତ । ପଢି ପଢି ପିଲାମାନେ ଯେ ଥକି ଯାଇଥାନ୍ତି । ତେଣୁ ସମୟ ଖୁବ ଜଲ୍ଦି ଚାଲିଗଲା ପରି ଲାଗିଥାଏ । ଦେଖୁ ଦେଖୁ ଦ୍ୱିତୀୟ ବର୍ଷ ସମାପ୍ତ ହୋଇଯାଇଥିଲା । ବାଦଲ ଯେ ସୋନାଙ୍କୁ ପ୍ରେମର ଆକାଶରେ ଭସାଇ ନେଇଚାଲିଥିଲେ, କିନ୍ତୁ ପରୀକ୍ଷାର ଫଳ ଦେଖି ଜଣାପଡିଥିଲା ଯେ ସୋନା ତ ଠିକ୍‌ଠାକ୍‌ ଫଳ ପାଇଥିଲେ କିନ୍ତୁ ବାଦଲଙ୍କର ଯେ ବ୍ୟାକ ଲାଗିଯାଇଥିଲା । ବାଦଲ ବୋଧେ ନିଜର ସବୁ ଧ୍ୟାନ ସୋନାଙ୍କ ଉପରେ କେନ୍ଦ୍ରିତ କରିଥିଲେ, ପାଠ ପଢାକୁ ଭୁଲି ଯାଇଥିଲେ କିମ୍ବା ନିଜକୁ ସର୍ବଜ୍ଞାନୀ ବୋଲି ଭାବି ନେଇଥିଲେ ।

୬ମାସ ବିତିଗଲା, ପଞ୍ଚମ ସେମିଷ୍ଟର ସରିବାକୁ ବସିଲାଣି । ଚିନୁ ଯେ ରବିବାରର ଚିକେନ ବିରିୟାନୀ ଟିକେ ଅଧିକ ମାତ୍ରାରେ ଖାଇଦେଇ ଦ୍ୱିପ୍ରହର ସମୟରେ ନିଜ ରୁମକୁ ବନ୍ଦକରି ନିଘୋଡ଼ ନିଦରେ ଶୋଇ ରହିଥିଲେ । ହଠାତ କବାଟ ଯେ ଧଡ ଧଡ । ଆଖି ମଳି ମଳି କବାଟ ଖୋଲିଲେ ଚିନୁ, ଏବଂ ଦେଖିଲେ ଯେ ସମ୍ମୁଖରେ ବାଦଲ ସାର ଛିଡାହୋଇଛନ୍ତି । ଚିନୁ ଯେ ତୃତୀୟ ବର୍ଷର ଛାତ୍ର ହେଲେଣି । ତେଣୁ ତାଙ୍କୁ ଆଉ ବାଦଲ ସାରଙ୍କୁ ଦେଖି ଭୟ ଲାଗୁନଥାଏ । ଏବଂ ବାଦଲ ଯେ କିଛି ପରିବର୍ତ୍ତିତ ହୋଇଯାଇଥିଲେ । ସେ ଯେ ଚୁପଚାପ ରୁମ ମଧ୍ୟକୁ ଚାଲିଗଲେ ଏବଂ କିଛି ରୋବାବି ନଦେଖାଇ ବେଡ ଉପରେ ବସିଗଲେ । କହିଲେ, ଆଉ ଚିନ୍ମୟ, ଖବର କଣ । ତୁମେ ଯେ ମେକାନିକାଲ ବିଭାଗର ନୂତନ ତାରକା । ବିଭାଗୀୟ ଶିକ୍ଷକମାନେ ଏବଂ ଛାତ୍ରମାନେ ଯେ ତୁମରି ବିଷୟରେ କଥା ହେଉଛନ୍ତି । ଗୁଡ଼, ଭେରି ଗୁଡ଼ । ଚିନୁ ଯେ ମନ ମଧ୍ୟରେ ରାଗି ଲାଲ ପଡିଗଲେଣି । ଯେଉଁ ବାଦଲ, ଚିନୁଠାରୁ ତାର ଗାର୍ଲଫ୍ରେଣ୍ଡ ‘ସୋନା’ଙ୍କୁ ଛଡେଇନେଇଥିଲେ, ସେ ଯେ କିପରି ତାଙ୍କୁ ନିଜ ରୁମରେ ବସିବାକୁ ଦେଇଛନ୍ତି ! ଏଥି ପୂର୍ବରୁ ଚିନୁ କିଛି କହିବାକୁ ଆରମ୍ଭ କରିଥିଲେ, ବାଦଲ କହିଉଠିଲେ ଯେ ସୋନା ଓ ତାଙ୍କର ବ୍ରେକଅପ ହୋଇଯାଇଛି ଏବଂ ସୋନା ଯେ କିଛି କାରଣ ନକହି ହଠାତ ବ୍ରେକଅପ କରିଚାଲିଗଲେ । ଏବଂ ଏ ସମୟରେ ସୋନା ଯେ ବାଦଲର ସିନିଅର, ‘ମାନବ’ ସାରଙ୍କୁ ଡେଟ କରୁଛନ୍ତି । ତେଣୁ କଲେଜ ନିୟମ ଅନୁସାରେ ସିନିଅରର ସବୁ ଜଡ କି ସତେଜ, ବସ୍ତୁ କି ବ୍ୟକ୍ତି, ଉପରେ ପ୍ରଥମ ଅଧିକାର । ବାଦଲ ଯେ କିଛି କରିପାରିବେ ନାହିଁ । ନିଜର ଭାଗ୍ୟକୁ ଆଦରି ରହିବା ଛଡା, ତାଙ୍କ ପାଖରେ ଅନ୍ୟ କିଛି ଗତି ନାହିଁ । ତେଣୁ ସେ ଚିନ୍ମୟକୁ ‘ସରି’ କହିବାକୁ ଆସିଛନ୍ତି । ନିଜର ଅବସ୍ଥା ଓ ବାଦଲର ଅବସ୍ଥା ଏବେ ସମାନ, ତେଣୁ ରାଗି କିଛି ଲାଭ ନାହିଁ ବୋଲି ଚିନୁ ଭାବିଥିଲେ । ବାସ, ବାଦଲ ଯେ ଚୁପଚାପ ରୁମରୁ ବାହାରି ଯାଇଥିଲେ ।

ପ୍ରତି ଦୁଇବର୍ଷରେ ପରିବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ସୋନା ଯେ ବୟଫ୍ରେଣ୍ଡ ପରିବର୍ତ୍ତନ କରିବାରେ କିଛି ଭୁଲ ଦେଖିନଥିଲେ । ତାଛଡା ସେ ଯେ ସତରେ କଣ ବୟଫ୍ରେଣ୍ଡ କୁ ବିବାହକରି ନିଜର ଭବିଷ୍ୟତ ଜୀବନ ବିତାଇବାର ବିଚାର କରୁଥିଲେ ଯେ ତାଙ୍କୁ କିଛି କଷ୍ଠ ହେବ । କଲେଜରେ ପାଠ ପଢିବା ସମୟରେ ଝିଅମାନଙ୍କୁ ଅଧିକ ଆଟେନ୍‌ସନ୍‌ ମିଳିଥାଏ ଏବଂ ଯଦି ସେ କୌଣସି ଜଣେ ଯୁବକକୁ ନିଜର ବୟଫ୍ରେଣ୍ଡ ବନେଇ ପାରିଥିଲେ, ତାହେଲେ ଛୋଟମୋଟ ସବୁ କାମ ଗୁଡିକ ଯେପରି ନୋଟ୍ସ ଲେଖିବା, ଆସାଇନ୍‌ମେଣ୍ଟ୍‌ କପି କରିବା ଇତ୍ୟାଦି ଇତ୍ୟାଦି ଆରାମରେ ହୋଇପାରିଥାଏ । ତେଣୁ ତୃତୀୟବର୍ଷ ସମୟରେ ସୋନା ଯେ ବୟଫ୍ରେଣ୍ଡ ପରିବର୍ତ୍ତନ କରି ମାନବଙ୍କୁ ନିଜର ଅକ୍ତିଆରକୁ ଆଣି ପାରିଥିଲେ । ସୋନାଙ୍କର ଜୀବନରେ ପ୍ରତି ୨ବର୍ଷରେ ବା ତାଠାରୁ କମ ସମୟରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିବା ନିହାତି ଦରକାର, ନଚେତ ସେ ଯେ ଅଣନିଶ୍ଵାସୀ ହୋଇଯାଇଥାନ୍ତି । ଏହି ଗତ ୩ବର୍ଷ ମଧ୍ୟରେ ମାତାପିତା ଯେ ଦୁଇଥର ଷ୍ଟେସନ ବଦଳି କରିସାରିଲେଣି । ଯେ ପର୍ଯ୍ୟନ୍ତ ପିତା ଅବସର ଗ୍ରହଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏ ପ୍ରକାର ସିଲସିଲା ଯେ ଚାଲିଥିବ । ସେହିପରି ଯେ ପର୍ଯ୍ୟନ୍ତ ସୋନା ବିବାହ କରି ଚିରସ୍ଥାୟୀ ଜୀବନରେ ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ବୟଫ୍ରେଣ୍ଡ ତ ପରିବର୍ତ୍ତନ ହୋଇ ଚାଲିଥିବେ ।

ଆଜି ଚିନୁ ଓ ବାଦଲ ମଧ୍ୟରେ ବନ୍ଧୁତା ହେବା ସ୍ୱାଭାବିକ, କାରଣ ୨ଜଣ ଯେ ସେହି ଅସଫଳ ପ୍ରେମ ପଥର ପଥିକ ଥିଲେ । ହଠାତ ବାଟବଣା ହୋଇଯାଇ, ସେ ଜହ୍ନ ଆଲୋକରେ ସଠିକ ରାସ୍ତାଟିକୁ ଖୋଜିବାକୁ ଚେଷ୍ଠା କଲେ ମଧ୍ୟ, ସେ ରାସ୍ତା ଯେ ଆଉ କେବେ ମିଳିବନାହିଁ । ଏଥିପୂର୍ବରୁ କି ମାନବ ରୂପୀ ସୂର୍ଯ୍ୟ ସେ ଚନ୍ଦ୍ରମାର ଆଲୋକକୁ ଲୁଚାଇଦିଏ, ଚିନୁ ଏବଂ ବାଦଲ ଆଉ କେବେ ମଧ୍ୟ ସେ ଜହ୍ନ ଆଲୋକକୁ ଦେଖିବାକୁ ଚେଷ୍ଠା ବି କରିବେନାହିଁ, ହୁଏତ ଜୀବନଭରି । ଉପଦେଶ ଦେବା ଉଦ୍ୟେଶରେ ମାନବ ଯେ ଚିନୁ ଏବଂ ବାଦଲ ପାଇଁ ଗୋଟିଏ କବିତା ପ୍ରସ୍ଥୁତ କରିଥିଲେ । କଲେଜର ବାର୍ଷିକ ଉତ୍ସବରେ ସିନିଅର ଛାତ୍ର ମାନବ କହିଉଠିଲେ, ଆଟେନସନ ପ୍ଲିଜ, ଏ କବିତାଟି ଯେ ସମସ୍ତ ଜୁନିଅର ଛାତ୍ରମାନଙ୍କୁ ସମ୍ବୋଧିତ;

“ଅଜଣା ରାଇଜର ତୁମେ ରାଜକୁମାରୀ
ରୂପଟି ତୁମର ସତେ ଗୋଲ ଚାନ୍ଦ ପରି

ପୁର୍ଣିମାର ଜହ୍ନ ସେ ଯେ ଖୁବ ଚହ୍ନ ଚହ୍ନ
ଶୀତଳ କୀରଣ ଦେଖି ମୋ ମନ ଉଚ୍ଛନ

ପୁନେଇ ରାତ୍ରୀର ସେ ଶୁଭ୍ର ଆଲୋକ
ସୁଲୁ ସୁଲୁ ପବନରେ ଭାସିଲେ ଅନେକ

ସବୁ ଭସା ବାଦଲ ଯେ ଖୁବ କ୍ଷଣସ୍ଥାୟୀ
ଦେଖୁ ଦେଖୁ ଭାସିଗଲେ ଛୋଟ ବଡ଼ ଭାଇ

ଧରିବାକୁ ଚେଷ୍ଠାକରି ଉଡ଼ିଲେ ଡେଣା ମେଲେଇ
ବିନା ପ୍ରତିବାଦରେ ଯେ ଦେଲେ ଡେଣାଟି ହରେଇ

ଅସହାୟ ବେଦନାକୁ ନିଜ ମନରେ ଲୁଚାଇ
ଚାରିକଡେ ଦେଖୁଥାନ୍ତି କାଳେ କିଏ ଅଛି ଭାଇ

ଜହ୍ନର ଆଲୋକ ସତେ, ଯେ ପୁରା ଦୁନିଆର
ଅବୁଝା, ପ୍ରୟାଶ କରେ, କି କରିବି ନିଜର

ଉତ୍ତପ୍ତ ଆଲୋକର କିମ୍ବା ଶୀତଳ କୀରଣ
ଧରିବାକୁ ଯାଇ ପ୍ରେମିକର ଛାଡିଗଲା ପ୍ରାଣ

ଦୂରେ ଥାଇ ଦେଖୁଥାଅ ସେ ସୁନ୍ଦର ଦୃଶ୍ୟକୁ
ପାଖକୁ ନଯିବ କେବେ, ତୁମେ ବୁଝାଅ ସଭିଙ୍କୁ

ଅନନ୍ତ ଏ ଗଗନରେ, ସେ ଯେ ଗୋଟାଏ ଜହ୍ନ
ତାକୁ ଦେଖିବାକୁ ସତେ ସାରା ଦୁନିଆ ଉଚ୍ଛନ

ତେଣୁ, ହେ ମୋର ମନ, ଆଉ ନକର ଅଭିମାନ
ସୁରୁଜ ଆସିବା ପୂର୍ବରୁ, ଜଲ୍ଦି କର ପଳାୟନ.”

ତେଣୁ, ଆଜି ପୁରା କଲେଜରେ, ସୋନାଙ୍କର ଟ୍ରାନ୍ସଫର ଏବଂ ପ୍ରମୋଶନ ହୋଇଯାଇଥିଲା । ସେ ‘ସୋନା’ରୁ ‘ସୋନା ଭାବି’ ରେ ପରିବର୍ତ୍ତନ ହୋଇଯାଇଥିଲେ ।

ଲୋକପ୍ରିୟ ଲେଖା

To Top