ଗଳ୍ପ

ତୃଷ୍ଣା

Dr Sharat Chandra Parida's odia story Trushnaa

ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ ଦେଇ ଚାଲିଗଲେ ଦାମିନୀ ବୋଲି ସେ ଧୈର୍ଯ୍ୟହରା ହୋଇ ପଡୁଥାନ୍ତି ସାଥୀହରା ପକ୍ଷୀଙ୍କ ପରି ।

ତୃଷ୍ଣା

ବୁଝିଲେ ସାର୍, କ’ଣ କହିବି, ମୋ ପାଟିକୁ ସେ ଅକଥାଗୁଡ଼ାକ ପଇଟୁ ନାଇଁ । ମନୋରଞ୍ଜନ ବାବୁ ଜଣେ ଲେଖକ । ତାଙ୍କୁ ସବୁବେଳେ ଚିନ୍ତାର ଇନ୍ଧନ ନିମନ୍ତେ ନୂଆ ନୂଆ ପ୍ଲଟ ଦରକାର । ଫୁଲର ବାସନା ଶୁଙ୍ଘି ଫୁଲ ପାଖରେ ପହଞ୍ଚି ଯିବା ଲୋକ ସେ । ନାଇଁ ମ ମୁଁ କାଇଁ କ’ଣ ଭାବିବି ! ଆଜି କାଲି ତ ଯୋଉ ଯୁଗ । ସେଥିରେ ଭଲମନ୍ଦ କ’ଣ ଯେ ବାଛିବି ? କହୁନା କୁହ । ସାର୍‌ଙ୍କ ଠାରୁ ଏମିତି ଅଭୟବାଣୀ ଶୁଣି ବାଳ କାଟୁଥିବା ମଳୟ କଥାର ଭାନୁମତୀ ପେଡ଼ି ଖୋଲିଲା ।

ଏଇ କାରଖାନାରେ କାମ କରିବା ପାଇଁ କେତେ କୁଆଡୁ ଲୋକ ଆସି ଜୁଟିଛନ୍ତି । କିଏ କମ୍ପାନୀର ସିଧା କର୍ମଚାରୀ ତ କିଏ କମ୍ପାନୀ ସହଯୋଗୀ ସଂସ୍ଥାର ଚାକିରିଆ । କିଏ କଣ୍ଟ୍ରାକ୍ଟର ତ କିଏ ଶ୍ରମିକ ! ବଡ଼ କମ୍ପାନୀ ହୋଇଥିବାରୁ ସାରା ଭାରତରୁ ଲୋକ ଆସି କାମ କରୁଛନ୍ତି । ଏହି ଛୋଟ ସହରର ଉପକଣ୍ଠରେ ଚମ୍ପାପୁର ବୋଲି ଗାଁଟି । ନା, ଆଗରୁ ଗାଁ ଥିଲା । ଏବେ ଛବିଳ ମେଣ୍ଢା ପରି ଅଧା ସହରୀ ଅଧା ଗାଉଁଲି । ପଇସା ଥିବା ଲୋକ ସେଠାରେ ଜାଗା ଖଣ୍ଡିଏ ଖଣ୍ଡିଏ କିଣି ଘରତିଆରି କରି ଭଡ଼ାରେ ଲଗାଇ ଦେଉଛନ୍ତି । ସାର୍‌ଙ୍କୁ ଏ କଥା ଦେହ ଘଷରା ଲାଗିଲା । ମୋତେ କ’ଣ ଏଇଆ କହିବାକୁ ତୁମ ଜିଭ ଫେରୁ ନଥିଲା । ନାଇଁ ସାର୍, କହୁଚି । ମୋ କଥାର ଭୌଗୋଳିକ ଚିତ୍ର ଦେଉଥିଲି ।

ଚମ୍ପାପୁରର ଘରଗୁଡ଼ାକ ଦେଖିବାକୁ ଠିକ୍ ଟ୍ରେନ୍‌ର ଡବା ପରି । ପଛକୁ ପଛ ଲଗାଲଗି ହୋଇ ଧାଡ଼ି ଧାଡ଼ି ଶୋଭା ପାଉଥାନ୍ତି । ସେଥିରେ ରହିବାକୁ ଚାହୁଁଥିବା ଲୋକ ଯଦି ବିବାହିତ ଓ ପରିବାର ସହ ରହିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଅଗ୍ରାଧିକାର ମିଳେ । ଆଉ ଯଦି ସପରିବାର ସହ ରହିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଅଗ୍ରାଧିକାର ମିଳେ । ଆଉ ଯଦି ସପରିବାର ଲୋକ ନ ମିଳିଲେ, ଘରଟା ଖାଲି ପଡ଼ିବ ନାହିଁ, ଯିଏ ଆସିଲା ତାଙ୍କୁ ମାଲିକ ଘର ଭଡ଼ାରେ ଦେଇ ଦିଅନ୍ତି । ସାଧାରଣ ଲାଟ୍ରିନ୍ । ପ୍ରତି ପରିବାର ପାଇଁ ଅଲଗା ଅଲଗା ଲାଟ୍ରିନ୍‌ର ବ୍ୟବସ୍ଥା ନଥାଏ । ନ ଥାଉ ପଛେ, ତୁଳନାତ୍ମକ ଭାବରେ ଭଡ଼ା କମ୍ ଥିବାରୁ ପରିବାର ଲୋକେ ଯଥାକଥା ଚଳି ଚଳେଇ ନିଅନ୍ତି । ଏଠି ରହିବା ପାଇଁ ଆସି ଜୁଟିଲେ ପଞ୍ଚୁ ମହାରଣା । ପରିବାର ବୋଇଲେ ସ୍ତ୍ରୀ ଦାମିନୀ ଓ ଚାରୋଟି ପୁଅ । ଅଭାବୀ ପରିବାର । କିନ୍ତୁ ମେହନତ କରିବାକୁ ବାପ ପୁଅ ମିଶି ଚାରି ଜଣ ବାହାରି ପଡ଼ିଲେଣି । ସାନ ପୁଅଟା ପାଖ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଚି । ବଡ଼ ପୁଅ ବୟସ ପ୍ରାୟ କୋଡ଼ିଏ ସରିକି । ରାତି ପାହିଲେ ନିତ୍ୟକର୍ମ ସାରି କାରଖାନା ଭିତରକୁ ବାପ ଓ ବଡ଼ପୁଅ ଯାନ୍ତି କାମ କରିବାକୁ । ମଝିଆ ଦି’ଜଣ ପାଖ ଦୋକାନକୁ ସେଲ୍ସମ୍ୟାନ୍ କାମ କରିବାକୁ ବାହାରି ଯା’ନ୍ତି । କୋଠରୀ ଦୁଇଟି । ରୋଷେଇ କରିବା ପାଇଁ ବାରଣ୍ଡାରେ କିଛି ଆପଟ କରାଯାଇଛି । ଡାଲି ବଘରା ହେଲେ ବା ତରକାରୀରେ ଛୁଙ୍କ ଦେଲେ ଚାରି ପାଞ୍ଚଟି ପରିବାର ସିଧାସଳଖ ବାସ୍ନା ପା’ନ୍ତି । ଲାଟ୍ରିନ୍ ପରି ଗାଧୁଆ ଘର ମଧ୍ୟ ସାଧାରଣ । ବଡ଼ପୁଅ ଓ ବାପର ଟଙ୍କା ସାନ ମଝିଆ ଦୁଇଙ୍କର ଟଙ୍କା ସହିତ ମିଶି ଗଲେ ଘର ଖର୍ଚ୍ଚ ଆରାମ୍‌ରେ ଉଠି ଯାଉଥିଲା । ଖାଲି ଘରର ଗୁଜରାଣ ମେଣ୍ଟିଲେ ଚଳିବ ନାଇଁ । କିଛି ସ୍ୱପ୍ନ ଦେଖିବାକୁ ହେବ । ନଚେତ୍ ଆଜି ନ ହେଲେ କାଲି ପୁଅ ଚାରୋଟି ପାଇଁ ଚାରୋଟି ବୋହୂ ଆଣି କେଉଁଠି ରଖିବେ ? ତେଣୁ ପଞ୍ଚୁ ମହାରଣା ନୂଆ ଜାଗା ଖଣ୍ଡେ କିଣି ନୂଆ ଘର ବସାଇବା ପାଇଁ କିଛି ଟଙ୍କା ସଞ୍ଚୁ ଥିଲା । ସେଥିପାଇଁ ଦାମିନୀଙ୍କୁ ଦେଖି ଚାହିଁ ଖର୍ଚ୍ଚ କରିବା ପାଇଁ ଆକଟ କରିଥିଲା ।

ସକାଳ ନ’ଟା ଭିତରେ ସ୍ୱାମୀ ଓ ପିଲାମାନଙ୍କୁ ଖାଇବାକୁ ଦେଇ ଦିଅନ୍ତି ଦାମିନୀ । ଖରାବେଳ ଭୋଜନ ପାଇଁ ଟିଫିନ୍ ବାଟିରେ କିଛି ଖାଦ୍ୟ ଭର୍ତ୍ତି କରି ଦିଅନ୍ତି । ଦିନଯାକ ଝାଡ଼ିଝୁଡ଼ି ହୋଇ ବସନ୍ତି । ପୁଣି ଯାଇ ଭେଟ ହୁଏ ମୁହଁ ସଞ୍ଜ ବେଳକୁ । ୟା’ ଭିତରେ ପାଖ ଘରି ଖାଲି ଥିବାରୁ ଜଣେ ବିଦେଶୀ କଣ୍ଟ୍ରାକ୍ଟର ଆସି ରହିଲେ । ସେ ଥିଲେ ଅପରିବାର । ମୂଳରୁ ବାହା ତ ହୋଇ ନଥାନ୍ତି ପରିବାର ଆସିବ କେଉଁଠୁ ? ଦେଖିବାକୁ ଗୋଲଗାଲ ପୋଟଳ ପରି । କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତା’ର ଠିକ୍‌ଠିକଣା ନ ଥାଏ । କିନ୍ତୁ ପାଖରେ ରହିଥିବା ହେତୁ କେତେବେଳେ କେମିତି ଚଳଣିରେ ପଡ଼ୋଶୀ ଭାବନା ପ୍ରକାଶିତ ହୋଇଚି । ଭଜା ତରକାରୀ ଦେବା ନେବା ଠାରୁ ଭାବ ବି ଦେବା ନେବା ହୋଇଚି । ଗାଧୁଆ ଖାଇବା ଚଳିବା ଭିତରେ କେତେବେଳେ ଦାମିନୀ ଓ ବିଦେଶୀ କଣ୍ଟ୍ରାକ୍ଟରଙ୍କ ଚାରିଚକ୍ଷୁ ମିଶି ଯାଇଚି । ମିଶି ଯାଇଚି କ’ଣ ଆଜ୍ଞା, ଭଲ ପାଇବାଟା ପୂରା ହୃଦୟ ଭିତରେ ପଶିଯାଇଚି ।

ଫାଙ୍କା ମନ ଭୂତର କୋଠି । ଦିନ ଯାକତ କିଛି କାମ ଦାମ ନାଇଁ । ବାଡ଼ି ବଗିଚା ନାଇଁ କି ଗୋରୁ ଗାଈ ନାଇଁ । ଲାଭଜନକ କୌଣସି ହସ୍ତକର୍ମରେ ମଧ୍ୟ ନିଜକୁ ବ୍ୟସ୍ତ ରଖନ୍ତି ନାଇଁ । ଦାମିନୀ ଥିଲେ ସମ୍ପୂର୍ଣ୍ଣ ଅଙ୍କୁଶହୀନ । ଶାଶୂ ନଣନ୍ଦ କିଏ ପାଖରେ ନାହାଁନ୍ତି । ତେଣୁ ପଡ଼ୋଶୀ ଭାବନା ଧୀରେ ଧୀରେ ଗାଢ଼ ପ୍ରେମ ଭାବନାରେ ବଦଳି ଯାଇଛି । କଣ୍ଟ୍ରାକ୍ଟର ବାବୁ ମଧ୍ୟ ଏକୁଟିଆ ରହୁଥିବାରୁ ବୁଲା ଷଣ୍ଢ ପରି ପଘାହୀନ । ଝୋଟକୁ ନିଆଁ ବାଇ । ଦିହିଁକି ଦିହେଁ ପ୍ରେମ ନିଶାରେ ଘାରି ହେବାକୁ ଲାଗିଲେ । ଯିଏ ପ୍ରେମମଦ ଥରେ ପିଇ ଦିଏ ତାଙ୍କର ଲୋକନିନ୍ଦାକୁ ତିଳେ ହେଲେ ଡର ନ ଥାଏ । ବୟସ ରୂପ ସୌନ୍ଦର୍ଯ୍ୟର ମଧ୍ୟ ବିଚାର ରହେନା । ଅଚେତନ ଚେତନ ବିଷୟରେ ସେମାନେ କୃପଣ । ଅନେକ ମିଛ, ଛଳନା ଓ ପ୍ରତାରଣାର ଆଶ୍ରୟ ନେଇ ସେମାନେ ନିଜ ବାଟରେ ଆଗେଇ ଚାଲନ୍ତି । ପଞ୍ଚୁ ମହାରଣା କଷ୍ଟେମଷ୍ଟେ ଦି’ ପଇସା ସଞ୍ଚୁଥିଲେ ପରିବାର ଭବିଷ୍ୟତ ପାଇଁ । ସେ ଦେଇ ପାରୁ ନଥିଲେ ପିଲାଙ୍କ ମନ ଲାଖି ଦରବ । ସ୍ତ୍ରୀଙ୍କୁ ମଧ୍ୟ ଉପହାର ଦେଇ ପାରୁ ନ ଥିଲେ ଦାମୀ ଶାଢ଼ୀ ଓ ଅଳଙ୍କାର । ଏହି ଅଭାବୀ ପରିବାରର ଚଳଣିର ଫାଇଦା ନେବାକୁ ଚାହିଁଲା ବିଦେଶୀ ବାବୁ । ଆଜି ମାଛ, କାଲି ମାଂସ, କାଲି ଶାଢ଼ି ତା’ପରଦିନ କିଛି ଲୋଭନୀୟ ଅଳଙ୍କାର ଆଣି ଭେଟି ଦେଇଥିଲା ସେ । ବେହିଆଣୀ ଦାମିନୀ ଛାତି ଫୁଲେଇ ସ୍ୱାମୀଙ୍କୁ ଏସବୁ ଖୁଆନ୍ତି ଓ ଦେଖାନ୍ତି । ବିଦେଶୀ ବାବୁ ଭାରି ଭଲ ବୋଲି କହନ୍ତି । ନରମାୟା ନାରାୟଣଙ୍କୁ ଅଗୋଚର । ସେ ସରଳ ବିଶ୍ୱାସରେ ସବୁ ଗ୍ରହଣ କରିଗଲେ । ଭାବୁଥିଲେ ଦୁନିଆଁରେ କିଛି ଭଲ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏ ବାବୁ ଜଣେ ସ୍ନେହଶୀଳ ଦରଦୀ ଉଦାର ପୁରୁଷ ହୋଇ ପାରନ୍ତି । ଦାମିନୀ କିନ୍ତୁ ମନେ ମନେ ସ୍ୱାମୀଙ୍କ ପାରିବାର ପଣ ଉପରେ ଭାରି ଖପ୍ପା ହେଉଥିଲେ, ଢିଙ୍କି ପେଟତଳେ ଗାତ, ଧରିଥିଲା ସୁନା ଫୁଲିଆ ହାତ, ଟେକା ପାଣି ଟେକା ଭାତ । ଏଣେ କିନ୍ତୁ ଚତୁର ପଣିଆରେ ନାନା ମନ ମତାଣିଆ କଥା କହି ସ୍ୱାମୀଙ୍କ ମୁହଁ ବନ୍ଦ କରି ଦେଉଥିଲେ । କଥାରେ ଅଛି ପରା ଚହକ ଚାନ୍ଦି, କଥା କହୁଥାଏ କେତେ ସେ ଫାନ୍ଦି । ସାଦାସିଧା ପଞ୍ଚୁ ସ୍ତ୍ରୀଙ୍କ ଫନ୍ଦିଫିକର ଭିତରେ ପଶି ପାରୁ ନଥିଲେ । ମଧ୍ୟାହ୍ନ ବେଳକୁ ବିଦେଶୀ ବାବୁ ମାଂସ ଆଣି ଦେଉଥିଲେ । ମଦ୍ୟର ସ୍ୱାଦ ମଧ୍ୟ ଦାମିନୀଙ୍କୁ ଚଖାଉ ଥିଲେ । ନିରୋଳାରେ ବସି ପ୍ରେମ ଗଦ୍‌ଗଦ୍ ହୋଇ ମାଂସଝୋଳ ଖାଉଥିଲେ, ଖୁଆଉ ଥିଲେ । ମଦ ନିଶାରେ ଚୁର୍ ହୋଇ ପରସ୍ପରକୁ ଉପଭୋଗ କରୁଥିଲେ । ଚୋରା ପୀରତି ଭାରି ମିଠା ।

ଘରେ ସ୍ତ୍ରୀ ଜାଗାରେ ଗୋଟିଏ କାଳନାଗୁଣୀ ଯେ ସେ ପୋଷୁଛନ୍ତି ତାହା ପଞ୍ଚୁ ଜାଣନ୍ତେ କିପରି ? ସ୍ତ୍ରୀଙ୍କ ବିଳାସ ପ୍ରତି ଯେ ଏତେ ମୋହ ସେ କେବେ ପଢ଼ିବାକୁ ଇଚ୍ଛା କରି ନଥିଲେ । କାହିଁକି ବା ପଢ଼ିବେ ? ଇଚ୍ଛା ତ ସରଗ ପର୍ଯ୍ୟନ୍ତ ଲମ୍ୱା । ଯେତିକି ଚୁନାକୁ ସେତିକି ପିଠା ନ କରି କାଇଁକି ବୃଥାରେ ଚାକଚକ୍ୟ ଆଡ଼କୁ ଟାଣି ଓଟାରି ହୋଇ ଲୋକହସା ହେବେ । ନିଜ ହାତ ଜଗନ୍ନାଥ । ସେ ଜାଣନ୍ତି ହାତ ଅର୍ଜିଲେ ଦାନ୍ତ ଖାଇବ, ପର ଦେଇଥିଲେ ଉଘୋଉଥିବ । ତାଙ୍କୁ ଭଗବାନ୍ ଏତେ ସୁନ୍ଦର ମୂଲ୍ୟବାନ୍ ହାତ ଦେଇଛନ୍ତି, ସେଥିରେ ସେ ତା’ର ସଂସାର ଗଢ଼ିବ । ବାପ ପଛକୁ ପୁଅମାନେ ମଧ୍ୟ ପାରି ଯାଉଛନ୍ତି । ବଡ଼ ପୁଅ ପାଇଁ ଆଉ ବର୍ଷ କେଇଟା ପରେ ବୋହୂ ଖୋଜି ଆଣିବ । ତା’ ପୂର୍ବରୁ ତାକୁ ନିଜର ଘର ବୋଲି ଖଣ୍ଡେ ବସେଇବାକୁ ହେବ । ନିଜର ଘର ବୋଲି ଯେଉଁ ଶାନ୍ତି ତାହା ଭଡ଼ା ଘରେ କାହୁଁ ଆସିବ ! ଏମିତି କେତେ ସୁଖ ସ୍ୱପ୍ନ ଦେଖୁ ଦେଖୁ ମସ୍‌ଗୁଲ୍ ହୋଇ ଯାଉଥିଲେ ପଞ୍ଚୁ । ସ୍ତ୍ରୀ ସହ ମଧ୍ୟ ମନ ତଳର କଥା ବାଣ୍ଟନ୍ତି ।

ଲୁଙ୍ଗୁରୀ ଦାମିନୀ କାଇଁକି ପଞ୍ଚୁଙ୍କ ସ୍ୱପ୍ନରେ ଭାଗୀଦାର ହେବେ । ସେ ତ ନୂଆ ସ୍ୱପ୍ନରେ ବିଭୋର । ପରପୁରୁଷରେ ବାଇ । ସେ ଖାଲି ପ୍ରୀତି ରସରେ ରସାଣିତ ହେଉ ନାହାନ୍ତି ନୂଆ ନୂଆ ଦରବରେ କେତେ ସୁଖ ନ ପାଉଛନ୍ତି । ଯାହା ହାତ ଧରି ବାହା ହେଲି ଚାରି ଚାରିଟା ପୁଅ ଦେଲି ସେ ମୋତେ କି ସ୍ତ୍ରୀ ସୁହାଗ ଦେଇଚି । ଖାଲି ତା’ର ପରିବାର ପାଇଁ ଗଧ ପରି ଖଟିବା ସାର । ମୋର ପୁଅ ଗୋଟାଏ ମନ ଅଛି କି ନାଇଁ । ୟା’ ସାଙ୍ଗରେ ଘର କରି ଜୀବନଟା ମୋର ପଣ୍ଡ ହୋଇ ଯାଇଚି । ଖାଲି ନାଇଁ ଆଉ ନାଇଁ । ଖାଲି ଅଭାବ ଆଉ ଅଭାବ । ଟାଣି ଓଟାରି ହୋଇ ଆଉ ଆଉ କେତେ ଦିନ ଚଳିବି । ଧିକ୍ ଧିକ୍ ମୋ ଜୀବନକୁ । ଦାମିନୀ ଖାଲି ତୁଳନା କରୁଥିଲେ ଅଙ୍ଗେ ନିଭା ସ୍ୱାମୀର ଅଭାବଗ୍ରସ୍ତ ସଂସାର ଓ ବିଦେଶୀ କଣ୍ଟ୍ରାକ୍ଟର ବାବୁର ଗୋରା ତକତକ୍ ଭେଣ୍ଡିଆ ଚେହେରା, କଞ୍ଚା ବୟସ, ଟଙ୍କା ଓ ସୁନା ଅଳଙ୍କାର । ସେ କେବେ ଭାବୁ ନଥିଲେ ବଡ଼ ପୁଅର ବୟସ । ସେ ଖାଲି ଆଇନାରେ ବାରବାର ପରଖୁ ଥିଲେ ନଈ ପାଣି ପରି ଗଡ଼ି ଯାଉଥିବା ନିଜର ଯୌବନକୁ । ସେତେ ବେଶି ଗଡ଼ିଯାଇ ନାଇଁ । ଗୋଟିଏ ବି କେଶ ପାଚିଲା ଦେଖାଯାଉ ନାଇଁ । ମାତ୍ର ଚାଳିଶ । ବିଦେଶୀ ବାବୁର ମଧୁର ସ୍ପର୍ଶରେ ଦେହରେ ସଦ୍ୟ ଯୌବନର ନିଆଁ ଲାଗି ଯାଉଚି । ମୋତେ ଦଣ୍ଡେ ନ ଦେଖିଲେ ସେ ଅଧୀର ଯେମିତି ହୋଇ ପଡୁଛନ୍ତି । ସୁନ୍ଦର ପାଟ ଓ ମୂଲ୍ୟବାନ୍ ଅଳଙ୍କାରରେ ମୁଁ କୁଆଡ଼େ ତାଙ୍କୁ ସ୍ୱର୍ଗର ଅପସରା ପରି ଲାଗୁଚି । ସେ ବାବୁ ଯୁଆଡ଼େ ଯାଉଛନ୍ତି ଅଳ୍ପ ସମୟରେ କାମଦାମ ସାରି ମୋରି ପଣତ ତଳକୁ ଫେରି ଆସୁଛନ୍ତି ମନ୍ତୁରା ଖଟ ଚୋର ପାଖକୁ ଧାଇଁଲା ପରି । ତାଙ୍କୁ ଘଡ଼ିଏ ନ ଦେଖିଲେ ମୁଁ ଉଚ୍ଚାଟ ହୋଇ ଉଠୁଚି । ଖାଲି ରାତିଟା ଯାହା ତାଙ୍କ ବିନା ମୁଁ କଷ୍ଟରେ କଟାଉଚି । କାହା ପାଇଁ ରାତିରେ ସିନା ଚାନ୍ଦ ଉଏଁ କିନ୍ତୁ ମୋ ପାଇଁ ଦିନରେ ଚାନ୍ଦ ଉଏଁ । ତାରା ଫୁଟେ । ଦିନ ମୋ ପାଇଁ ଆଣିଦିଏ ପୁଲକ । ରାତି ଖାଲି ଅବଶୋଷ ଅସହ୍ୟ ବିରହ ଯନ୍ତ୍ରଣା ।

ଇତି ମଧ୍ୟରେ ଦାମିନୀ ସମ୍ପୂର୍ଣ୍ଣ ରୂପେ ନିଜର ଅବସ୍ଥାନକୁ ଭୁଲି ଯାଇଥିଲେ । ସେ ରୋମାଞ୍ଚ ରାଜ୍ୟରେ ବିଚରଣ କରି ସେ କାହାର ଝିଅ, କାହାର ବୋହୂ, କାହାର ଧର୍ମପତ୍ନୀ, କାହାର ମାତା ମନରୁ ପୁରାପୁରି ନିର୍ମୂଳ କରି ଦେଇଥିଲେ । ସେ ଭୁଲି ଯାଇଥିଲେ ପରିବାର ଗଡ଼ିବାର ମହତ୍ତ୍ୱ, ବୋଝ ବୋହିବାର ଆନନ୍ଦ, ଝଡ଼ ସହିବାର ସୁଖ, ସ୍ୱାମୀ ସଙ୍ଗେ ଏକାତ୍ମ ହେବାର ମଧୁରତା ଓ ପୁତ୍ର ସ୍ନେହର ମୂଲ୍ୟ । ଜୀବନକୁ ଖାଲି ଉପଭୋଗର ଉପବନ ଓ ଅୟସର ଆସର ବୋଲି ଗ୍ରହଣ କରି ନେଇଥିଲେ । ଦାରିଦ୍ର୍ୟ ତାଙ୍କୁ ଖାଲି ନିମ୍ୱ ପରି ପିତାଳିଆ ଲାଗୁଥିଲା । ସେ ଅଭାବର କାରାବାସରୁ ଚାହୁଁଥିଲେ ମୁକ୍ତି ।

ପରପୁରୁଷର ଉପଭୋଗରୁ ସେ ଅଧର୍ମ ବୋଲି ଭାବୁ ନଥିଲେ । ସ୍ୱେଚ୍ଛାଚାର ବୋଲି କହିପାରୁ ନଥିଲେ । ସେ ଥିର କରି ସାରିଥିଲେ, କଥା ଦେଇ ସାରିଥିଲେ ବିଦେଶୀ ବାବୁର ବାହୁ ବନ୍ଧନରେ ନିଜର ହୋଇ ଚିରଦିନ ଜୀବନ ସାଥୀ ରୂପେ ରହିବା ପାଇଁ ।

ଯେତେବେଳେ ବଣନାଶ କରେ ବାଉଁଶ, ବାଟ ନାଶ କରେ ଟୁପୁର ପାଣିସ ଘର ନାଶ ଘରେ (ଜାର) ପୁରୁଷ ଉକ୍ତିଟି ତାଙ୍କ ମନ ଉହାଡ଼ରେ ମୁହଁ ଦେଖାଉଥିଲା, ସେ ତାକୁ ପଚରା କଥା ଭାବି ପ୍ରତ୍ୟାଖ୍ୟାନ କରୁଥିଲେ । ସେ ଜାର ପୁରୁଷକୁ ନିଜର ପୁରୁଷ ରୂପେ ସ୍ଥାନ ଦେଇ ସାରିଥିଲେ । ସେ ଚାଲିଗଲେ ସରଗ ପରି ଘରଟି ଯେ ଅକାଳରେ ଭୁଷୁଡ଼ି ପଡ଼ିବ ସେଥିପାଇଁ ତିଳେ ମାତ୍ର ଚିନ୍ତା କରୁ ନଥିଲେ । ଯେଉଁ ଘର ମୋର ନୁହେଁ, ସେ ଘର ରହିଲେ କେତେ, ଭାଙ୍ଗିଲେ କେତେ ! ତାଙ୍କର କଠୋର ନିଷ୍ପତ୍ତି ପାଖରେ ସବୁ କିଛି ତୁଚ୍ଛ ! ମୂଲ୍ୟହୀନ ! ତାଙ୍କ ନିଷ୍ପତ୍ତିରୁ ତାଙ୍କୁ କେହି ଟଳେଇ ପାରିବେ ନାଇଁ । ନୀଳ ରଙ୍ଗ ଥରେ ଲାଗିଗଲେ ଆଉ କ’ଣ ସହଜରେ ଛାଡ଼େ ? ଦିନେ ବିଦେଶୀ ବାବୁଙ୍କ ସହିତ ତାଙ୍କ ସ୍ୱପ୍ନର ଇଲାକାକୁ ପଳାଇ ଯିବା ପାଇଁ ଗୁପ୍ତ ମନ୍ତ୍ରଣା କଲେ ଦାମିନୀ । ଆଜି ଘରୁ ପାଦ କାଢ଼ିବେ । ନୂଆ ଦାମୀ ପାଟ ଶାଢ଼ି ପିନ୍ଧି ହଳଦି ବସନ୍ତ ପରି ଦିଶୁଥିଲେ ସେ । ପାଦରେ ନୁପୂର ପିନ୍ଧି ଝୁମୁରୁ ଝୁମୁରୁ ଶବ୍ଦରେ ବିମୋହିତ ହୋଇ ପଡୁଥିଲେ । ଗଳାରେ ଥିଲା ମୂଲ୍ୟବାନ୍ ହୀରାଲୀଳା ଖଚିତ ସୁନାର ହାର । ମୁଖ ମଣ୍ଡଳେ ଉଙ୍କି ମାରୁଥିଲା ଅଫୁରନ୍ତ ଆନନ୍ଦ । ସ୍ୱାମୀ ଓ ପିଲାମାନଙ୍କୁ କଣ ଖାଇବାକୁ ଦେଇଥିଲେ ସେଦିନ ସକାଳେ ଶେଷଥର ପାଇଁ । ସେମାନେ ନିଜ ନିଜ କାମରେ ବାହାରି ପଡ଼ିଲା ପରେ ଶାରୀ ଆଜି ପଞ୍ଜୁରିରୁ ମୁକ୍ତ । ଖୋଲା ଆକାଶର ବିହଙ୍ଗ । ନବବଧୂ ସାଜି ସତେ ଯେମିତି ଷୋଡ଼ଶୀ କନ୍ୟା ଆଜି ବାହାରିଚି ତା’ର ବରଘରକୁ । ପୁଲକିତ ତନୁମନ । ଶିହରିତ ପ୍ରାଣ । ଅଜଣା ରାଇଜକୁ ଯିବ । ଦେଖି ଥିବା ସପନକୁ ସାକାର କରିବ ।

ସାଇ ପଡ଼ିଶାରେ କିଛି ଟୁପୁରୁଟାପୁରୁ ମଝିରେ ମଝିରେ ଶୁଭେ । ହେଲେ କର୍ମ ପ୍ରବଣ ଅମାୟିକ ସରଳିଆ ପଞ୍ଚୁ ମହାରଣାଙ୍କ କାନରେ ତାହା ପହଞ୍ଚି ପାରି ନଥିଲା । ସବୁ ସମାଲୋଚନାରେ ପୂର୍ଣ୍ଣଚ୍ଛେଦ ଉଠାଇ ପରଦାରିକ ବିଦେଶୀ ବାବୁ ସାଙ୍ଗରେ ବାହାରି ପଡ଼ିଲେ ଦାମିନୀ । ନଥିଲେ ଆତ୍ମୀୟ ସ୍ୱଜନ ଆକଟ କରିବାକୁ ନା ଅବୋଧ ଶିଶୁ ମା’ର ପଣତ ଧରି କାନ୍ଦି ରାହା ଛାଡ଼ିବାକୁ । ଦୀର୍ଘ ବାଇଶ ବର୍ଷର ଘର ସଂସାରକୁ ପଛ କରି ନିଜ ସ୍ୱାମୀକୁ ମୁହଁ ମୋଡ଼ି ମା’ର ମମତା ଡୋରି କାଟି ଚାଲି ଯାଇଥିଲେ ଦାମିନୀ ବହୁ ଦୂରକୁ । ମନରେ ନଥିଲା ଅପବାଦର ଭୟ, ସ୍ୱୈରିଣୀର କଳଙ୍କ ଦାଗ ।

ସୂର୍ଯ୍ୟ ଅସ୍ତ ହୋଇଗଲେ । ଯେଝା କାମରୁ ଫେରିଲେ ପରିବାରର ସଦସ୍ୟମାନେ । ପଞ୍ଚୁ ଆସି ଦେଖିଲେ ଘର ଖାଲି । ଦେଖିଲେ ନାଇଁ ସ୍ତ୍ରୀଙ୍କୁ । କିଛି ସମୟ ଅପେକ୍ଷା କଲେ କାଳେ ଚିହ୍ନା ପରିଚିତ କାହା ଘରକୁ ଯାଇଥିବେ । ତା’ପରେ ଚାଲିଲା ଖୋଜା ଖୋଜି ପର୍ବ । ତୁଣ୍ଡ ବାଇଦରୁ ହଇଚଇ ସୃଷ୍ଟି ହୋଇଗଲା ଖଣ୍ଡମଣ୍ଡଳରେ । ଦେଖଣାହାରିମାନେ କହିଲେ ବିଦେଶୀ ବାବୁ ସଙ୍ଗେ ଭଲ ଶାଢ଼ୀ ଗହଣା ପିନ୍ଧି କୁଆଡ଼େ ଯାଇଛନ୍ତି ଦାମିନୀ । ରାତି ଯାକ ଅପେକ୍ଷା କରି ନିରାଶ ହେଲେ ବାପ ଓ ପୁଅମାନେ । ପଡ଼ୋଶୀମାନେ କଥାଟା ଫିଟାଇ କହିଲେ ଆଉ କାହିଁକି ବୃଥାରେ ଅପେକ୍ଷା କରିଚ ? ସେ ଆଉ ଫେରିବାର ନାଇଁ । ତାହା କଥା ଭୁଲି ଯାଅ । ସେ ତୁମ୍ଭମାନଙ୍କ ପାଇଁ ଏକ ଅପକୁଶନ ।

ଏକାବେଳକେ ଭାଙ୍ଗି ପଡ଼ିଲେ ପଞ୍ଚୁ ଓ ପୁଅମାନେ । ପଶ୍ଚାତ୍ତାପରେ କୁହୁଳିବା ଛଡ଼ା ଆଉ କ’ଣ କରିପାରିଥାନ୍ତେ ପଞ୍ଚୁ ? ସେ କାହୁଁ ବୁଝିପାରିଥାନ୍ତେ ଦାମିନୀଙ୍କ ଛଳନା ଓ ଲୁଙ୍ଗୁରା ବିଦେଶୀ ବାବୁର ଫାନ୍ଦ । କଥାରେ ଅଛି ପରା- ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ ଦେଇ ଚାଲିଗଲେ ଦାମିନୀ ବୋଲି ସେ ଧୈର୍ଯ୍ୟହରା ହୋଇ ପଡୁଥାନ୍ତି ସାଥୀହରା ପକ୍ଷୀଙ୍କ ପରି । ଅଭାବ ଅସୁବିଧା କାହା ଘରେ ନାଇଁ । ତା’ ବୋଲି କ’ଣ ସମସ୍ତେ ହାତ ଗଢ଼ା ସଂସାରକୁ ଉଚ୍ଛନ କରି ଅନ୍ୟ ସାଙ୍ଗରେ ପଳାଇ ଯାଉଛନ୍ତି । ସାଙ୍ଗମାନେ ଆସି କେତେ ବୁଝାଇ କହିଲେ- “ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତୁଆଳ ତେବେ ସେ ଘର ଯାଏ ଅପାର କାଳ ।” ଦାମିନୀଙ୍କର ତ ଚେତା ପଶିଲା ନାଇଁ । ମୁନିଋଷିଙ୍କ ବାକ୍ୟର ଗୁରୁତ୍ୱ ତୁମ୍ଭେ ବୁଝିଲ ନାଇଁ । ଗଡ଼ିଗଲା ପାଣି କ’ଣ ଆଉ ଫେରିବ ? ନାନା ଚିନ୍ତା ଦୁଶ୍ଚିନ୍ତା ମଧ୍ୟରେ ସାରା ପରିବାରଟା ସନ୍ତୁଳି ହେବାକୁ ଲାଗିଲା । ଘର ପୋଡ଼ିଗଲା ପରେ ଅଙ୍ଗାର ପାଲଟି ଥିବା କାଠ ବାଉଁଶ ପରି ସେମାନେ କଳା ପଡ଼ି ଯାଇଥିଲେ ।

ଦାମିନୀଙ୍କ ପାଇଁ ତ ଆକାଶରେ ନୂଆ ରଙ୍ଗ ଲାଗିଚି । ସେ ତ ସୌଦାଗରର ରାଣୀ । ତାଙ୍କର ପାଲିଙ୍କି ଉପରେ ପାଟଛତା । ଦାମିନୀ ବାପା ମା’ ଶାଶୂ ଶଶୁର ଏ ଦୁଃସମ୍ୱାଦ ଶୁଣି ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଥିଲେ । ଦୁହିଁତା ଦୁଇକୁଳକୁ ପିତା ହୋଇ ଯାଇଥିଲା । ତାଙ୍କ ପାଇଁ ଝିଅ ମରିଗଲା ବୋଲି ମାନସିକ ଶୁଦ୍ଧିକ୍ରିୟା କରି ଦେଲେ ।

ହଠାତ୍ ଦିନେ ପଞ୍ଚୁଙ୍କର ଫୋନ୍‌କୁ ଏକ ନମ୍ୱର ଆସିଲା । ସେ ପଟୁ ଦାମିନୀଙ୍କ ସ୍ୱର ବାରି ପାରି ଚମକି ଉଠିଥିଲେ ପଞ୍ଚୁ । ଦାମିନୀଙ୍କୁ ଫେରି ପାଇବାର ମଉଳା ଆଶା ପୁଣି ଥରେ ବଉଳି ଉଠିଲା । ଭାବିଲେ ବୋଧ ହୁଏ ଦାମିନୀ ତାଙ୍କ ଭୁଲ୍ ବୁଝିପାରିଛନ୍ତି । ତାଙ୍କ ପାଖକୁ ଫରିବା ପାଇଁ ବ୍ୟାକୁଳ ହେଉଛନ୍ତି । ତମେ କେମିତି ଅଛ ? କେମିତି ଚଳୁଚ ? ପୁଅମାନେ କେମିତି ଅଛନ୍ତି ? କ’ଣ ସବୁ କରୁଛନ୍ତି ? ତମେ ଏଠାକୁ ଥରେ ଆସ । ନିଜ ଆଖିରେ ଦେଖିଯିବ ମୋ ସ୍ୱାମୀ ଘର, ମୋ ନୂଆ ଶାଶୂଘର, ମୋ ଚଳଣି । ମୋ ସୁଖ, ମୋ ଐଶ୍ୱର୍ଯ୍ୟ ! ମୋ ଅୟସ ! ମନରେ ନ ଥିଲା ସାମାନ୍ୟ ଅନୁଶୋଚନାର ସ୍ୱର । ପଞ୍ଚୁଙ୍କର କ୍ରୋଧ ସୀମା ଅତିକ୍ରମ କରି ଯାଇଥିଲା । ତଥାପି “ଆଲୋ ଘର ବୁଡ଼େଇ, ଆମ ଚିନ୍ତା କାହିଁ ତୋତେ ଘାରୁଚି ? ଛାଡ଼ିଲା ମାଇପର କି ପାଡ଼ିଲା ଚିନ୍ତା । ତୁ ଆମ ନିଆଁରେ କାହିଁକି ଘିଅ ଢାଳୁଚୁ ? ତୁ ଭୁଲି ଯା’ ତୋର କେହି ପୁଅ ଥିଲେ, ତୋର କେହି ସ୍ୱାମୀ ଥିଲେ । ଖବରଦାର, ଆଉ କେବେ ଫୋନ୍ କରିବୁ ନାଇଁ. . .” ମଥାରେ ହାତ ଦେଇ ନଥ୍ କିନା ଭୂଇଁ ଉପରେ ବସି ପଡ଼ିଥିଲେ ଟଳଟଳ ପଞ୍ଚୁ . . . ।

କୁହନ୍ତୁ “ସାର୍, ଏଥିରେ ମଣିଷ ସଂସାରରେ ଘର କରି କେମିତି ଚଳିବ ???”

ଲୋକପ୍ରିୟ ଲେଖା

To Top