ଗଳ୍ପ

ତୁଳସୀବଣର ବାଘ

Dr Sharat Chandra Parida's odia story Tulaseebanara Baagha

ଆମ ଲୋକଙ୍କ ସମ୍ପର୍କ ଭଲ ଅଛି ମାନେ କ୍ଷୀରନୀର ପରି । କାହାକୁ କୋଉ କଥା ଲୁଚାଇ ରଖନ୍ତି ନାଇଁ । ଭଲ ସମ୍ପର୍କ ନାଇଁମାନେ ଜଣକର ଛାଇ ପଡ଼ିଲେ ଅନ୍ୟ ଜଣଙ୍କର ନାହି ଡିଏଁ ।

ତୁଳସୀବଣର ବାଘ

. . . ଶିଳ୍ପ ନଗରୀରୁ ଶିଶୁ ଅପହରଣ । ହଠାତ୍ ଦୂରଦର୍ଶନର ପରଦାରୁ ଏ ଦୁଃସମ୍ୱାଦ ଶୁଣି ଚମକି ପଡ଼ିଥିଲେ ଶଶଧର । ଗାଁରେ ଥିଲାବେଳେ ଗ୍ରୀଷ୍ମ ଛୁଟି ସରି ଆସୁଥାଏ । ଆଉ ହାତଗଣତି ଦିନ କେଇଟା ପରେ ଫେରିବେ ନିଜ ଚାକିରୀ ଜାଗା ସେହି ଶିଳ୍ପ ନଗରୀକୁ । ଫୋନ୍ କରି ବୁଝିଲେ ଘଟଣାଟି ସତ୍ୟ । ଶାନ୍ତି ପ୍ରିୟ ଅଞ୍ଚଳରେ ଏ ପୁଣି କ’ଣ ? ସେତେ କୋଳାହଳମୟ ଥାନ ନୁହେଁ । ବାହାର ଲୋକଙ୍କ ଆତଯାତ ସେତେ ନାଇଁ । ଖାଲି କାରଖାନାର ଚିମିନି ହରଦମ କଳାଧୂଆଁର ହାବୁକାରେ ଆକାଶର କୋଳ ଭର୍ତ୍ତି କରୁଥାଏ ।

ବଡ଼ ଉତ୍କଣ୍ଠାର ସହିତ ପିଲାଛୁଆଙ୍କୁ ଧରି ଲେଉଟି ଆସିଲେ ଶଶଧର । ଏସିଆ ପ୍ରସିଦ୍ଧ ଖଣିଖାଦାନ । ପାହାଡ଼ର ଛାତି ଚିରି ଛିଡ଼ା ହୋଇଛି କାରଖାନା । ଅଙ୍କାବଙ୍କା ରାସ୍ତା । ରାସ୍ତାଟା ଓଟ ପିଠି ପରି କୋଉଠି ଉଠାଣି ତ କୋଉଠି ଗଡ଼ାଣି । ସତେ ଅବା ଉତ୍ଥାନ ପତନମୟ ଜୀବନ ଯାତ୍ରାର ଛାୟା ଚିତ୍ରଟିଏ । ରାସ୍ତା ଦେହକୁ ଘଷି ହୋଇ ରହିଛନ୍ତି ଗଛଲତା । ଗିରିଗୁମ୍ଫା । ବନଚରମାନଙ୍କ ଥାନରେ ଆସ୍ଥାନ ଜମାଇଛି ମଣିଷ । ଚାକିରୀ ଜାଗାରେ ପହଞ୍ଚିଲା ପରେ ପ୍ରଥମେ ସାକ୍ଷାତ୍ କଲେ ମୁକ୍ତିକାନ୍ତଙ୍କୁ । ବହୁଦିନର ଅନ୍ତରଙ୍ଗ ବନ୍ଧୁ । ଅତ୍ୟନ୍ତ ଉତ୍କଣ୍ଠାର ସହ ପଚାରିଗଲେ ଶିଶୁ ଅପହରଣ ଘଟଣାର ଇତିବୃତ୍ତ । କଥା ହେବା ଛଳରେ ଦୁହେଁ ଚାଲିଥାନ୍ତି ରାସ୍ତାରେ । ଦିନ ଦି’ପହରେ ମଧ୍ୟ ସଡ଼କ ଦାଢ଼ ଗଛ ଉହାଡ଼ ଭିତରେ ପଶିଲେ ଛାତି ଧଡ଼ପଡ଼ ହୁଏ । ୟା’ ଭିତରେ କେହି ଲୁଚିଗଲେ ତା’ର ଟେର କେହି ପାଇ ପାରିବ ନାଇଁ । ତୁଙ୍ଗ ଶିଖରରେ ଦାନ୍ତୁରା ପଥରଗୁଡ଼ାକ ମଣିଷକୁ କେମିତି ଖତେଇ ହେଲା ପରି ଲାଗୁଚି । ଅଢେ଼ଇ ହଜାର ଫୁଟ ଉଚ୍ଚା ମନ୍ଦିର ବେଢ଼ାରେ ଆକାଶଟା ହାତ ପାହାନ୍ତାରେ ଥିଲା ପରି ଲାଗେ । ପାହାଡ଼ର ତଳି ଅଞ୍ଚଳରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ବିଜୁଳିବତି ସଞ୍ଚବେଳେ ଖୁବ୍ ସୁନ୍ଦର ଦିଶେ ।

ହଇ ହୋ ମୁକ୍ତିକାନ୍ତ ବାବୁ, ସେ ପିଲା ଅପହରଣ କଥା କ’ଣ ହେଲା ?

ହଁ, ମୁଁ ସେ ଉଭୟଙ୍କୁ ଜାଣିଚି । ଏଇ ତିନି ଶହ ମିଟର ଦୂରରେ ଗଙ୍ଗାଧର ଓ ଭୀମାଙ୍କ ପରିବାର ରହନ୍ତି । କମ୍ପାନୀ କ୍ୱାର୍ଟର୍ସ । ପରସ୍ପର ପଡେ଼ାଶୀ । ଯେମିତି ପ୍ରିୟ ସେମିତି ବିଶ୍ୱସ୍ତ । ଏମିତି ନିବିଡ଼ ସମ୍ପର୍କ ଯେ ପାଣି ଗଳେ ନାଇଁ । ଦୁଇ ଭାଇ ଏମିତି କାହିଁକି ଚଳିବେ ? ଉଭୟଙ୍କର ଚଳିବା ଫର୍ଚ୍ଚା । ଘରେ ଘରେ ଶୋଭା ପାଉଚି ଅସଂଖ୍ୟ ସୌଖୀନ ଦ୍ରବ୍ୟ । ବ୍ୟବହାରରେ ଆସୁ ବା ନ ଆସୁ, ଦେଖା ଶିଖା ପଡ଼ିଶା ନ୍ୟାୟରେ ନିଜ ନିଜ ଘରେ ଟେପ୍ ରେକର୍ଡର, ଡିଭିଡ଼ି, ଭିସିଡ଼ି ପ୍ଲେୟାର୍ କେତେ କଣ’ ଥୁଆ ହୋଇଚି । ମୋତେ ଅସଲ କଥାଟା ଝଅଟ ନ କହି କାଇଁ କି ବୁଲେଇ ବଙ୍କେଇ କହୁଚ । ଅଭିଯୋଗ କଲେ ଶଶଧର । ହଁ, ହଁ, ମୁଁ ସେଇ କଥା କହୁଚି । ଆମ ଲୋକମାନଙ୍କର ହାବଭାବ ଯାହା କାହାକୁ ଭଲ କାହାକୁ ଭେଲ କହିବା ମୁସ୍କିଲ୍ । ଆମ ଲୋକଙ୍କ ସମ୍ପର୍କ ଭଲ ଅଛି ମାନେ କ୍ଷୀରନୀର ପରି । କାହାକୁ କୋଉ କଥା ଲୁଚାଇ ରଖନ୍ତି ନାଇଁ । ଭଲ ସମ୍ପର୍କ ନାଇଁମାନେ ଜଣକର ଛାଇ ପଡ଼ିଲେ ଅନ୍ୟ ଜଣଙ୍କର ନାହି ଡିଏଁ । ଶାସ୍ତ୍ରର ସତର୍କ ଘଣ୍ଟି ସାଇ ପଡ଼ିଶାରେ କରିଲେ ଘର ଅଧେ ଆପଣା ଅଧେ ପର । ଏହାକୁ ବେଖାତିର କରିବାରୁ ଆମ ଲୋକଙ୍କ ନାନା ସମସ୍ୟା ଉପୁଜେ, ଏଭଳିକି ଜୀବନମରଣ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡେ଼ ।

ଗଙ୍ଗାଧରଙ୍କ ପରିବାର କହିଲେ ସ୍ତ୍ରୀ, ପନ୍ଦର ଓ ଆଠ ବର୍ଷର ଦୁଇଟି ପୁଅ । ଉଭୟ ସ୍କୁଲ୍ ପଢ଼ନ୍ତା । ଭୀମାଙ୍କ ପରିବାର କହିଲେ ସ୍ତ୍ରୀ, ଦଶ ବର୍ଷର ଝିଅ ଓ ପାଞ୍ଚ ବର୍ଷର ପୁଅ । ଓଡ଼ିଶାର ପଶ୍ଚିମ ଅଞ୍ଚଳ ଲୋକ । ଉଭୟ ଭାରି ମିଶୁକ । ବୟସ ଓ ସାମାଜିକ ସ୍ଥିତି ସମାନ ଥିବାରୁ ସମ୍ପର୍କ ଅଠା ଭଳି । ପିଠାପଣା ଠାରୁ ଆରମ୍ଭ କରି ସବୁ ଭଲମନ୍ଦ ଦିଆନିଆ ହୁଏ । ଯାତ୍ରା, ସର୍କସ, ମୀନାବଜାର, ମେଳା ମଉଛବକୁ ସାଙ୍ଗ ହୋଇ ଦୁଇ ପରିବାର ଯା’ନ୍ତି । ନୂଆଖାଇରେ ପରସ୍ପର ପାଇଁ ନୂଆ ଡ୍ରେସ୍ କିଣି ଦିଅନ୍ତି । ସୁଖଦୁଃଖ ବଣ୍ଟାବଣ୍ଟି ହେଉଥିବାରୁ ଆତ୍ମୀୟତାର ଜୁଆର ଖେଳୁଥାଏ । ଏଭଳି ପଡେ଼ାଶୀ ଭାବନା ଆଜି କାଲି କାଁ ଭାଁ ଦେଖିବାକୁ ମିଳେ ।

ସେତେବେଳକୁ ସେମାନେ ତଥାକଥିତ ନୀଳଗିରି ପାହାଡ଼ର ଅଧାଅଧି ପାଦରେ ଚାଲି ଚାଲି ପରିକ୍ରମା କରି ସାରିଲେଣି । ଶଶଧରଙ୍କ ଘଟନା ଶୁଣିବାକୁ ଅତି ଆଗ୍ରହ ଦେଖି ମୁକ୍ତିକାନ୍ତ ବାବୁ ମଡ଼ାଶିଙ୍ଗମାନେ ମଡ଼ା ନେଇ ଆଗେଇଲା ପରି କଥାର ବେଗ ବଢ଼ାଇ ଚାଲିଥାନ୍ତି । ଏ ମଣିଷ ସଂସାର ବଡ଼ ବିଚିତ୍ର । ପୃଥ୍ୱୀ କ୍ଷଣ କ୍ଷଣକେ ଆନ । ଥରେ ଭୀମା ନିଜ ମଟର ସାଇକେଲ୍ ପାଇଁ ଆଇନାଟି ଆଣିଲେ । ନୂଆ ଡିଜାଇନର । ଦୁଇଦିନ ପରେ ଦେଖିଲେ ରଖିବା ଥାନରେ ଆଉ ଦେଖାଯାଉ ନାଇଁ । ସମସ୍ତଙ୍କୁ ପଚାରି ଉଚାରିବା ପରେ ଗଙ୍ଗାଧର ବଡ଼ପୁଅ ପାଗଳକୁ ପୁଛା କଲେ । ଥଙ୍ଗଥଙ୍ଗ ହେଲା । ସାକୁଲେଇ ପଚାରିବାରୁ ମାନିଗଲା । ବାପଲୋ ଧନଲୋ କହିବାରୁ କେଉଁଠି ରଖିଥିଲା ଆଣି ଦେଲା । ହଁ, ପିଲାଟାର ମନରେ କ’ଣ ଭାବନା ଆସି ଥିଲା ନେଇ ଯାଇଥିଲା । ଆଣି ତ ଦେଲାଣି । ଏମିତି କ’ଣ ଭୁଲ ଭଟକା ଜୀବନରେ ହୋଇ ଯାଏ ନାଇଁ । ପୁଅ ପରି । ପୁଅ ଜଙ୍ଘରେ ହଗିଲେ କ’ଣ ଜଙ୍ଘ କାଟି ପକାଇବେ । ଆଉ କଥାଟା ଉପରେ ଗୁରୁତ୍ୱ ଦେଇ ନଥିଲେ ଭୀମା ।

ୟା’ ଭିତରେ ମାସ କେଇଟା ବିତିଯାଇଚି । ସାପ ବଢ଼ିବା ସଙ୍ଗେ ସଙ୍ଗେ ଚକ୍ର ମଧ୍ୟ ବଢ଼ିଚି । ଆଜି ଯିଏ କଖାରୁ କଦଳୀ ଚୋରି କରେ, କାଲି ସେ ସୁନା ଚୋରି କରେ । ଆଜି ଯିଏ ଗୋଡେ଼ଇ ଗୋଡେ଼ଇ ପୋକ ଜୋକ ମାରେ କାଲି ସେ ଗୋଡେ଼ଇ ଗୋଡେ଼ଇ ମଣିଷ ମାରେ । ପାଗଳର ହାତଉଠା ପଣ ଦିନକୁ ଦିନ ବଢ଼ିବାକୁ ଲାଗିଲା । ନୂଆ ନୂଆ ଜିନିଷ ଦେଖି ତାକୁ ହାତେଇବା ପାଇଁ ନୂଆ ଷଡ଼ଯନ୍ତ୍ର ରଚିଲା । ତେଣୁ ମଣିଷ ପାଖରେ ଯାହା ଦାମିକିଆ ଜିନିଷ ତାକୁ ସବୁବେଳେ ଅନ୍ୟମାନଙ୍କର ଦୃଷ୍ଟିର ଆଢୁଆଳରେ ରଖିବା ଚାହି । ଯଦି କୌଣସି ଲୋଭନୀୟ ବସ୍ତୁ ଉପରେ ଆଖି ପଡ଼ିଗଲା, ମଣିଷର ମନ ତାକୁ ଦେଖି ଚହଲି ଉଠେ । ସାମଦାନଦଣ୍ଡଭେଦ ନୀତି ପ୍ରୟୋଗ କରି ତାକୁ ନିଜର କରିବାକୁ ପ୍ରୟାସ ଆରମ୍ଭ କରିଦିଏ । ମନର ଏହି ସୂକ୍ଷ୍ମ ସ୍ୱଭାବ ଉପରେ ନିଘା ନ ରଖିବାରୁ ମଣିଷକୁ ପରେ ଅନେକ ହରବର ହେବାକୁ ପଡେ଼ ।

ମୁକ୍ତିକାନ୍ତ ସ୍ୱଭାବରେ ଭାରି ମେଳାପୀ । ତେଣୁ ଲୋକ ସମ୍ପର୍କ ଅଧିକ । ଅଧିକାଂଶ ଲୋକଙ୍କ ଚାଲି ଚଳଣି ଭଲମନ୍ଦ ପାରିବାରିକ ଘଟନା ଦୁର୍ଘଟନା ବିଷୟରେ ସେ ଊଣା ଅଧିକ ପରିଚିତ । ସେ ସି.ବି.ଆଇ. ଅଫିସର୍ ଅନୁସନ୍ଧାନ କଲାପରି କହି ଚାଲିଥାନ୍ତି । ଭୀମାଙ୍କ ଘର ଟି.ଭି. ପାଖରେ ଭି.ସି.ଡ଼ି. ସେଟ୍ ଥୁଆ ହୋଇଥାଏ । ଲମ୍ୱା ଛୁଟିରେ ଗାଁକୁ ଗଲାବେଳେ ଗଙ୍ଗାଧରଙ୍କ ଘରେ ଘର ଚାବିଟି ଦେଇଗଲେ । ଘର ଲାଗିଲା ବୋଲି ଭରସି କହି ଗଲେ । ରାତିରେ ଆମ କ୍ୱାର୍ଟର୍ସରେ ଶୋଇବୁ ବୋଲି ପାଗଳକୁ ଦାୟିତ୍ୱ ଦେଇଗଲେ । ମାଟ୍ରିକ୍ ପରୀକ୍ଷା ଦେଇ ଫେଲ୍ ହୋଇଥିଲା ପାଗଳ । ମନ ଫାଙ୍କା । ନିଜ କ୍ୱାର୍ଟର୍ସରେ ଖାଇ ପିଇ ଭୀମାଙ୍କ କ୍ୱାର୍ଟର୍ସକୁ ଯାଏ । ଟି.ଭି. ଦେଖେ । ସୋଫା ଉପରେ ବସେ । ଖଟରେ ଶୁଏ । ଅୟସ କରେ । ସବୁଦିନେ ଭି.ସି.ଡ଼ି. ପ୍ଲେୟାର ଦେଖି ଦେଖି ମନରେ ଚୋରଭୂତ ସବାର ହେଲା । ତାକୁ ଖଞ୍ଜରେ ଚୋରି କରି ବାହାରେ ବିକ୍ରି କରିଦେଲା ଅଧା ଦାମ୍‌ରେ । ପାପ ଟଙ୍କାରେ ସାଙ୍ଗ ସରିସା ସହିତ ମିଶି ମଉଜ ମଜଲିସ୍‌ରେ ମସ୍‌ଗୁଲ୍ ହେଲା । ଘୋଷଣା କଲା ଭି.ସି.ଡ଼ି. ପ୍ଲେୟାର୍ ଚୋରି ହୋଇଯାଇଚି । ସେତେବେଳକୁ ଗଙ୍ଗାଧର ଭୀମାର ପରିବାର ପାଇଁ ଗାଁରୁ ନଡ଼ିଆ, ଚିନାବାଦାମ୍, ବାସୁମତି ଅରୁଆ ଚାଉଳ, ସମସ୍ତଙ୍କ ନିମନ୍ତେ ନୂଆ ପୋଷାକ କିଣି ସାରିଥାନ୍ତି । ତାଙ୍କର ନିଜ ପରି ବୋଲି କିଛି ବାରଣ ନ ଥାଏ । ଗଙ୍ଗାଧରଙ୍କ ପାଖକୁ ଖବର ଗଲା । ଘରର ଚାବି ଜଣକ ପାଖରେ ଥାଉଁ ଥାଉଁ କବାଟ ଝରକା ନ ଭାଙ୍ଗି ଜିନିଷ ଚୋରି ହେଲା କିପରି । ବୁଢ଼ିଆଣୀର ସନ୍ଦେହ ଜାଲରେ ଛନ୍ଦି ହୋଇଗଲେ ସେ । ଚିନ୍ତାରେ ଘରୁ ଫେରିଲେ । କିଛି ପଚରା ଉଚରା କଲେ । ମନ ବୁଝିଲା ନାଇଁ । ଚୋର କିଏ ଜାଣିବାକୁ ହେବ । ଥାନାକୁ ଗଲେ । ଫାଷ୍ଟ ଇନ୍ଫରମେସନ୍ ରିପୋର୍ଟ ଦରଜ କଲେ । ଥାନା ବାବୁ ସନ୍ଦେହରେ ପାଗଳକୁ ଡାକିଲେ । ଜେରା କଲେ । କଥାର ତାଳମେଳ ରହୁ ନଥିବାରୁ ଉତ୍ତମ ମଧ୍ୟମ ଦେଲେ । ମାଡ଼କୁ ମହାଦେବଙ୍କର ଡର । ସଫା ସଫା ମାନିଗଲା । ବିଲେଇ ହାତରେ ଶୁଖୁଆ ପୋଡ଼ା ଦେଇ ଗୁଡ଼ାଏ ଅନୁତାପ କଲେ ଭୀମା । ଭି.ସି.ଡ଼ି. ପ୍ଲେୟାର୍ ନ ମିଳିଲେ ନାଇଁ । ଭାଇ ପରି ପଡେ଼ାଶୀ ପରିବାର ବଦନାମ ନ ହୁଅନ୍ତୁ । କେହି ତାଙ୍କୁ ପରିବାରକୁ ଆଙ୍ଗୁଠି ନ ଦେଖାଉ । ତୁନୀ ରହିଲେ ଭୀମା । ନିଆଁକୁ ଅଣ୍ଟିରେ ପୁରାଇଲେ କେବେ କ’ଣ ରହିଲାଣି ?

ଏକଥା ସବୁ ଶଶଧରଙ୍କୁ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥାଏ । ସେ ଢେମା ଢେମା ଆଖି ଦୁଇଟିରେ ଆଁ କରି ଅନେଇ ରହିଥାନ୍ତି । ସତରେ ମୁକ୍ତିକାନ୍ତ- ଏ ଭୀମା କେତେ ସରଳ ଓ ଭଦ୍ର ମ । ଆରେ ହଁ, ସେଇ କଥା ତ କହୁଚି । ସୁଧାର ଗାଈର ବାଛୁରୀ ମରେ ବୋଲି ଆମ ଗାଁ ଲୋକେ କହନ୍ତି ପରା । ଦୁନିଆରେ ଭଲ କାମ କରୁଥିବା ଲୋକ ସୁଲଭ କିନ୍ତ ଭଲ କାମର ମହତ୍ତ୍ୱକୁ ବୁଝିପାରୁଥିବା ଲୋକ ଦୁର୍ଲଭ । ପାଗଳ କିନ୍ତୁ ଭୀମାଙ୍କ ମହତପଣିଆକୁ ନ ବୁଝି ପ୍ରତିଶୋଧ-ପରାୟଣ ହୋଇ ଉଠିଲା । ସେ ଶୁଣିବାକୁ ପାଇଲା ସେ ଏକ ଚୋର । ଲୋକେ ଫୁସ୍‌ଫାସ୍ ହେଲେ । ମରଣ ବୋଧେ ନାଇଁ ଘୋଷରା ବାଧେ । ଥାନା ବାବୁଙ୍କର ଗୋଗୋଛିଆ ମାଡ଼ ମନେ ପଡ଼ିଗଲେ ତା’ ଦେହ ଶିର ଶିର ହୋଇ ଉଠେ । ସେ ପ୍ରତିହିଂସାରେ ଜଳିବାକୁ ଲାଗେ । ମୁକ୍ତିକାନ୍ତଙ୍କ କଥାରେ କମା ଦେଇ ଶଶଧର କହି ଉଠିଲେ- ମୋତେ ଏକଥା ଶୁଣି ଭୟ ଲାଗୁଚି । ସେ କଳ୍ପନା ନା ବାସ୍ତବ । ହଁ, ଅଳ୍ପକାଳ ଅପେକ୍ଷା କରନ୍ତୁ ବାସ୍ତବଟା କେମିତି କଳ୍ପନା ଠାରୁ ଅଧିକ ଆପେ ଜାଣି ପାରିବେ ଯେ । ଭୀମା ଓ ତାଙ୍କର ସ୍ତ୍ରୀ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବର ସ୍ନେହ ଶ୍ରଦ୍ଧାକୁ ଅତୁଟ ରଖିଥାନ୍ତି । ଦେବା ନେବା ଅନ୍ତର ଖୋଲି କଥା ହେବାରେ ଆଦୌ ହେଲା କରୁ ନ ଥିଲେ । ପାଗଳକୁ ମଧ୍ୟ ପୁତ୍ର ସ୍ନେହ ଦେଇ ଚାଲିଥିଲେ । କିନ୍ତୁ ଚୋର ନ ଶୁଣେ ଧର୍ମର ବାଣୀ । ପାଗଳ ଭୀମାର କେମିତି ଗୋଟାଏ ବିରାଟ କ୍ଷତ ସାଧନ କରିବ ସେଥିପାଇଁ ପାଗଳ ହୋଇ ଉଠୁଥିଲା । ସେ ଖାଇ ନିନ୍ଦା ପତର ହଗା ପାଲଟି ଗଲା । ସେ ଥିର କରି ନେଲା । ଭୀମାକୁ ଏମିତି ନାମ ଦେବ ଯେ ପୁଅ ଅଖା ଧୋଉ ଥିବ, ଗୁଣ ଗାଉ ଥିବ । ସୁଯୋଗକୁ ଅପେକ୍ଷା କରି ରହିଲା ପାଗଳ । ମନେ ମନେ ସମ୍ଭାବ୍ୟ ଷଯଡ଼ନ୍ତ୍ରମାନ ସଂରଚନା କରି ଚାଲିଲା ।

ଦିନେ ଭୀମାଙ୍କ ଏକୋଇର ବଳା ବିଶିକେସନ ଡମ୍ୱରୁ ଗଙ୍ଗାଧରଙ୍କ ଘର ସାମ୍ନାରେ ଖେଳୁଥିଲା । ଦେଖିବାକୁ ଡଉଲ ଡାଉଲ । ପାଗଳ ଭାଇ ସାଙ୍ଗରେ ପିଲାବେଳୁ ଖେଳିଚି । ବୁଲିଚି । କୋଳରେ କାଖ ହୋଇଚି । ଗେହ୍ଲା ହୋଇଚି । ପିଠିରେ ନାଉ ହୋଇଚି । ତା’ ଉପରେ ହଠାତ୍ ପାଗଳର ଶାଗୁଣା ଦୃଷ୍ଟି ପଡ଼ିଯାଇଚି । ତା’ ମୁଣ୍ଡରେ ପ୍ରତିହିଂସାର କଙ୍କଡ଼ା ବିଛା ସଜାଗ ହୋଇ ଉଠିଲା । ଜିଙ୍ଘାସାର ନିଆଁ ରକ୍ତ ହୋଇ ତା’ ଶିରାପ୍ରଶିରାରେ ତଡ଼ିତ୍ ବେଗରେ ବହିବାକୁ ଲାଗିଲା । ଦିନ ପ୍ରାୟ ଚାରିଟା ହେବ । ଆ, ଡମ୍ୱରୁ ବଜାର ଯିବା । ବାରମଜା ଖାଇବା । ରଙ୍ଗ ରଙ୍ଗିଲା ବେଲୁନ୍ ଉଡ଼ାଇବା । ପାଗଳ ଭାଇର ସ୍ନେହବୋଳା କଥାରେ ସରଳ ନିରୀହ ଡମ୍ୱରୁ ଅରାଜି ହେବା ବା କାଇଁକି ? ବାରମଜାର ମଜା ଚଖାଇ ଚଖାଇ ପାର୍କ ଆଡେ଼ ବୁଲାଇ ନେଲା । ସେଠି କାର୍‌ପେଟ୍ ଘାସରେ ଦୁହେଁ ବସିଲେ । ବେଲୁନ୍ ଫୁଙ୍କିଲେ । ସ୍ଲାଇଡ୍‌ରେ ଖସିଲେ । ଡମ୍ୱରକୁ ଦୋଳିରେ ଦମେ ଝୁଲାଇଲା ପାଗଳ । ଡମ୍ୱରୁ ଆଜି ପାଗଳ ଭାଇ ସାଥିରେ ଖେଳି ବୁଲି ବହୁତ ଖୁସି । ସୂର୍ଯ୍ୟ ଡୁବିଗଲା ବେଳକୁ ଡମ୍ୱରକୁ ମନ୍ଦିର ଆଡେ଼ ଡାକିଲା । ବେଢ଼ାରେ ବୁଲାଇଲା । ଜଗନ୍ନାଥଙ୍କୁ ଶେଷ ଦର୍ଶଷ କରାଇଲା । ଗଛ ଗହଳରେ ଅନ୍ଧାର ମୁହଁ ଦେଖାଇଲା ବେଳକୁ ମନ୍ଦିରର ଏକ କଡ଼ରେ ପାହାଡ଼ ଚୁଳକୁ ଖସିଲା ପାଗଳ । ଆ, ଡମ୍ୱରୁ ଭାଲୁଛୁଆ ଦେଖିବୁ । ତା’ପରେ ଯୋଜନା ରୂପାୟନ ଘଟାଇ ବହଳ ସଞ୍ଜବେଳକୁ କ୍ୱାର୍ଟର୍ସକୁ ବେଧଡ଼କ ହୋଇ ଫେରି ଆସିଲା ।

ଡମ୍ୱରୁ ଫେରି ନାଇଁ । ସଞ୍ଜ ଯାଇ ରାତି ହେଲା । ପୁଅ ନ ଫେରିବାର ଦକ ଭୀମାଙ୍କ ପରିବାରକୁ ଘାରିଲା । କୁଳନନ୍ଦନକକୁ ଦେଖିବାକୁ ନ ପାଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ପରିବାରର ସଦସ୍ୟ । ବିକଳ କ୍ରନ୍ଦନ କରିବାକୁ ଲାଗିଲେ ବାପା, ମା, ଭଉଣୀ । ଡମ୍ୱରୁକୁ ଦେଖିଚ । ୟାଡେ଼ ଆସିଥିଲା । ଏମିତି କେତେ କ’ଣ ଆକୁଳ ପ୍ରଶ୍ନ ପଚାରିଗଲେ ସାଇ ପଡ଼ିଶା, ଚିହ୍ନାଜଣା, ବନ୍ଧୁବାନ୍ଧବ ଦୋକାନିଆମାନଙ୍କୁ । ସମସ୍ତେ ରାତି ସାରା ଖୋଜିଗଲେ ଡମ୍ୱରୁର ସାମ୍ଭାବ୍ୟ ଗନ୍ତବ୍ୟ ସ୍ଥଳକୁ । ଅଖିଆ ଅପିଆ ଅବସ୍ଥାରେ ରାତି ପାହିଲା । ସୂର୍ଯ୍ୟ ଉଇଁଲା । ନିଖୋଜ ଖବର ପବନରେ ଚାରିଆଡ଼କୁ ଖେଳିଇ ହୋଇଗଲା । କଥା ମଝିରେ ଶଶଧର ବାବୁ ପଚାରି ବସିଲେ- ଆଉ ପାଗଳ ! ହଁ, ପାଗଳ କ’ଣ କରିଥାନ୍ତା । ସେ ମଧ୍ୟ ସୁନ୍ଦର ଅଭିନୟ କରି ଅନୁସନ୍ଧାନରେ ନିଜକୁ ସାମିଲ କଲା ହେଲେ ଡମ୍ୱରୁର ଖୋଜ ଖବର ମିଳିଲା ନାଇଁ । ସମସ୍ତେ କିନ୍ତୁ ଗୋଟାଏ କଥା କହୁଥିଲେ- ଗତ କାଲି ସଞ୍ଜରେ ପାଗଳ ସହିତ ଡମ୍ୱରୁ ବୁଲୁଥିଲା । ବଜାରରୁ ଆରମ୍ଭ କରି ମନ୍ଦିରର ନନାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ପାଗଳର କଥା ଓ ହାବଭାବ ମଧ୍ୟ ଅଦିନିଆ ପାଣିପାଗ ପରି ଘନ ଘନ ବଦଳୁଥାଏ । ତା’ର ଏକ ତୁଣ୍ଡରେ ଉଆ ଉଷୁନା ଶୁଣି ସନ୍ଦେହ ଘନେଇଲା । ଖରାଦିନେ ଗୋଟିଏ ଖଆଇଲେ ପାଣି ଶୁଖି ଶୁଖି ଆସି ଗୋଟିଏ ବିନ୍ଦୁରେ ନିଃଶେଷ ହେଲା ପରି ସମସ୍ତଙ୍କ ଦୃଷ୍ଟି ପାଗଳ ଉପରେ ନିବଦ୍ଧ ହେବାକୁ ଲାଗିଲା । ସେ ଫାଙ୍କି ମାରିବାକୁ ଅଗତ୍ୟା ଥାନାରେ ଅଭିଭୋଗ ଦରଜ ହେଲା । ଥାନାବାଲା ପାରିପାର୍ଶ୍ଵିକ ସ୍ଥିତିକୁ ପଢ଼ି ପାଗଳ ଯେ ନାଟକର ଗୋବର୍ଦ୍ଧନ ହୋଇପାରେ ଭାବି ଟ୍ରାଏଲ ଆରମ୍ଭ କରି ଦେଲେ । ମୂର୍ଖକୁ ଠେଙ୍ଗା ବୁଝାଏ । ପ୍ରଥମେ ପ୍ରଥମେ ନିଜ କାରସାଦି ନ ମାନି ଗାଲୁଭୁରୁଡ଼ି ମାରିଲା ହେଣ ଟେଣ କହି କଥାକୁ ଖାଲି ଗେନ୍ଦରାଇଲା । ଇତି ମଧ୍ୟରେ ବିଦ୍ୟାପତି ନୀଳମାଧବଙ୍କୁ ଖୋଜିଲା ପରି ମନ୍ଦିର ଚଉପାଶେ ଥିବା ଜଙ୍ଗଲକୁ ତନ୍ନ ତନ୍ନ କରି ଥାନା ଓ ସୁରକ୍ଷା ବାହିନୀ ସ୍କାନିଂ ଆରମ୍ଭ କରି ଦେଲେ ।

ଶଶଧର ବାବୁଙ୍କୁ ଏସବୁ ଏକ ରୋମାଞ୍ଚକର ଉପନ୍ୟାସ ଭଳି ଲାଗୁଥାଏ । ତା’ ପରେ କ’ଣ ଘଟିଥିବ ବୋଲି ମନରେ ଉଦ୍‌ବେଗ ଗଡ଼ାଣିରୁ ଗଡୁଥିବା ଗାଡ଼ିର ବେଗ ପରି ବଢ଼ି ଚାଲିଥାଏ । ସେତେବେଳକୁ ଦୁଇଟି ରାତି ବିତି ଗଲାଣି । ହଠାତ୍ ଥାନାବାଲାଙ୍କ ସନ୍ଧାନୀ ଆଖି ଆଗରେ ଦିଶିଗଲା ଏକ ଶିଶୁର ଦେହ । ଏକ ବିରାଟ ଶିଳା ଖଣ୍ଡର ଆଢୁଆଳରେ ପଡ଼ି ରହିଛି ନ’ଥର ହୋଇ । ଚଉଦିଗରେ ହୁଜୁଗ ଖେଳିଗଲା । ଖବର ପାଇ ଜନ୍ଦା ପରି ଧାଡ଼ି ଲଗାଇଲେ ଦେଖଣାହାରି । ଏକ ନିଃଶ୍ୱାସରେ ଅନ୍ୟମାନଙ୍କ ସହିତ ଧାଇଁଲେ ବାପା ମା ଗଣ୍ଠି ଧନକୁ ସଙ୍ଖୋଳି ଆଣିବା ପାଇଁ । ଆଖି ପିଛୁଳାକେ ନିଘଞ୍ଚ ଅରଣ୍ୟଟା ଲୋକାରଣ୍ୟ ପାଲଟିଗଲା । ଡମ୍ୱରୁର ମା’ ପୁଅକୁ ଦେଖି କୋଳକୁ ଟାଣି ଆଣିଲା । ମା’ ଛାତି ଫଟେଇ ଯେତେ ଡାକିଲେ ପୁଅଠାରୁ କିଛି ଜବାବ୍ ମିଳୁ ନଥିଲା । ନିଜର ବେହୁସିଆରକୁ ଗୁଣ୍‌ଗୁଣାଉ ଥିଲା । ଡମ୍ୱରୁ ପାଲଟି ଯାଇଥିଲା ଏକ ଶବ । ଫୁଲି ଯାଇଥିବା ପୁଅର ନିଷ୍ପ୍ରାଣ ଦେହଟାକୁ କୋଳରେ ଜାକି ଧରି ସତେ ଯେମିତି ବିଧୁରା ହୋଇ ଉଠୁଥିଲା ବନର ଦେବୀ ।

ପୋଲିସ୍ ଓ ଜନସାଧାରଣଙ୍କ ଧ୍ୟାନ ପାଗଳଠାରେ କେନ୍ଦ୍ରୀଭୂତ ହୋଇଥିଲା । ତା’ ବିନା ଏ କାଣ୍ଡକାରଖାନା କିଏ ବା ଭିଆଇପାରେ ! ପ୍ରଚଣ୍ଡ ବିସ୍ଫୋରକରେ ପାହାଡ଼ର ଛାତି ଫଟେଇ ଖଣିଜ ଦ୍ରବ୍ୟ ସଂଗ୍ରହ କଲାବେଳେ ସ୍ତବ୍ଧ ହୋଇଯାଇଥାଏ ବାୟୁମଣ୍ଡଳ । ଧୂଳି ଧୂସରିତ ହୋଇଯାଏ ଆକାଶର ଉଦର । ସତେ ଯେମିତି କୌଣସି ରାକ୍ଷସ ମାଡ଼ି ଆସୁଚି ଚ’ ଚ’ କରି ଶୋଷିନେବ ଧରିତ୍ରୀର ରକ୍ତ । ଏକ ଭୟଙ୍କର ମର୍ମନ୍ତୁଦ ଆବିଷ୍କାର ଉପରେ ସମସ୍ତଙ୍କର ଦୃଷ୍ଟି କେବଳ ଥିର ହୋଇ ଯାଇଚି । ଶେଷରେ ଶିହରଣ ସୃଷ୍ଟିକାରୀ ବୟାନରେ କହିଛି, ହଁ, ମୁଁ ପ୍ରତିଶୋଧ ନେଇଚି । ଡମ୍ୱରୁର ହାତରେ ମିଠା ଦେଇ ତଣ୍ଟିରେ ଛୁରୀ ଲଗେଇଚି ମୁଁ । ତାକୁ ଭୁଲେଇ ଭାଲେଇ ମନ୍ଦିର ତଳ ସେହି ନିର୍ଜନ ଥାନକୁ ଡାକି ନେଇଚି । ନିଛାଟିଆ ଜାଗା ଦେଖି ତା’ ବେକରେ ଟେଲିଫୋନ୍ ତା’ର ଗୁଡେ଼ଇ ଭିଡ଼ି ଦେଇଚି । ପ୍ରାଣବାୟୁ ଉଡ଼ିଗଲା ପରେ କେହି ବଳି ପକାଇ ଦେଇଚି ବୋଲି ଭାବନା ସୃଷ୍ଟି କରିବାକୁ ଯାଇ ହଳଦି ଓ ସିନ୍ଦୂର ତା’ ମୁଣ୍ଡରେ ଲଗାଇ ଦେଇଚି । ନିର୍ଭୟ ଭାବରେ କହି ଚାଲିଥିଲା ପାଗଳ. . . । ହାୟ ହାୟ ପ୍ରତିଧ୍ୱନି ପହଁରି ବୁଲୁଥିଲା ଜଙ୍ଗଲରୁ ଜନବସତି ଯାଏ. . . ।

ଲୋକପ୍ରିୟ ଲେଖା

To Top