ଗଳ୍ପ

ଉଜାଡ଼ି ଦେଲା ମଦ ସଂସାର ମୋର

Sagaria Abhiram's odia Story Ujaadi Delaa Mada Sansaara Mora

ଅଧରାତିରେ ପୁଣି ସ୍ୱାମୀକୁ ନିଶାଗ୍ରସ୍ତ ହେଇ ଘରକୁ ଫେରିବାର ଦେଖି ସ୍ତ୍ରୀ ରାତିରେ କ୍ଷୀରୋତ୍ ଉପରେ ଅତ୍ୟନ୍ତ ବିଗିଡ଼ିଲେ

ଉଜାଡ଼ି ଦେଲା ମଦ ସଂସାର ମୋର

କଲେଜରେ ପଢ଼ିଲା ଦିନଠୁ ପିଇବା ଅଭ୍ୟାସରେ ପରିଣତ ହେଇଯାଇଥିଲା କ୍ଷୀରୋତ୍‌ର ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାର୍ଟିରେ, ବଣ ଭୋଜିରେ, ସନ୍ଧ୍ୟାବେଳେ ଖଟିରେ ଏମିତି ଅନେକ ସମୟରେ ପିଉ ପିଉ ପିଇ ଦେଉଥିଲା କ୍ଷୀରୋତ୍ । ପିଇବା ପୂର୍ବରୁ ଭାବୁଥିଲା, ନାଇଁ ଆଉ ପିଇବିନି । ସାଙ୍ଗମାନେ ବାଧ୍ୟ କରୁଥିଲେ । ଭାବୁଥିଲା ହଉ ଠିକ୍ ଅଛି ଏଇଥର ପିଇ ଦଉଚି ଆଉ ପିଇବିନି । ନିଶା ଛାଡ଼ିଲା ପରେ ଭାବୁଥିଲା, ଆରେ କାହିଁକି ପିଇଲି ଆଉ ପିଇବିନି, ଏଇଟା ଲାଗୁ । ପୁଣି ସାଙ୍ଗ ବାଧ୍ୟ କରନ୍ତି, ପୁଣି ମଦ ପିଇଦିଏ ଏ ସେ ଲାଷ୍ଟ କେବେ ହେଇନି କ୍ଷୀରୋତ୍‌ର ।

ବର୍ତ୍ତମାନ ବାହା ହୋଇସାରିଲାଣି କ୍ଷୀରୋତ୍ । ବାହାଘର ପୂର୍ବରୁ ଭାବୁଥିଲା ବାହାଘର ପରେ ମଦ ଛାଡ଼ିଦେବି । ହେଲେ ବିଜ୍‌ନେସ୍ ପାର୍ଟି, କ୍ଲବ୍ ଫ୍ରେଣ୍ଡ୍ସ ସେ ସୁଯୋଗ ଦେଇନାହାନ୍ତି କ୍ଷୀରୋତ୍‌କୁ । ହଁ ପିଇକି ନିଶାରେ କେବେ ଗାଡ଼ି ଧକ୍କା କରେ ତ କେବେ ଝଗଡ଼ା କରି ଘରକୁ ଫେରିଲା ପରେ କ୍ଷୀରୋତ୍‌ର ସ୍ତ୍ରୀ ବହୁତ ଗାଳି କରିଛନ୍ତି ଓ ସ୍ୱାମୀର ନିଶା ଛଡ଼ାଇବା ପାଇଁ ଅନେକ ପ୍ରୟାସ କରିଛନ୍ତି । ହେଲେ ଏହା ବଦଳରେ ତାଙ୍କୁ ମିଳେ ତାଙ୍କ ସ୍ୱାମୀଙ୍କ ପାଖରୁ ନିଶାରେ ନିସ୍ତୁକ ମାଡ଼, ଅନେକ ଗାଳି ଏମିତି ଅନେକ ଯନ୍ତ୍ରଣା । ନିଶା ଛାଡ଼ିଗଲେ ସ୍ୱାମୀ କ୍ଷୀରୋତ୍ କାନ ଧରି, କ୍ଷମା ମାଗି, ସ୍ତ୍ରୀ ପାଖରେ ନିଜର ପ୍ରେମ ଜାହିର୍ କରି ଆଉ ମଦ ପିଇବ ନାହିଁ ବୋଲି ଶପଥ କରେ ।

ଦିନେ କ୍ଷୀରୋତ୍ ବିଜ୍‌ନେସ୍ ପାର୍ଟିରୁ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଲା ଘରେ ପହଞ୍ଚିଲା ବେଳକୁ ପ୍ରାୟ ରାତି ଦୁଇଟା । ସ୍ତ୍ରୀ ସ୍ୱାମୀର ରାହା ଦେଖି ଦେଖି ନ ଖାଇ ଶୋଇ ପଡ଼ିଥିଲେ । ଅଧରାତିରେ ପୁଣି ସ୍ୱାମୀକୁ ନିଶାଗ୍ରସ୍ତ ହେଇ ଘରକୁ ଫେରିବାର ଦେଖି ସ୍ତ୍ରୀ ରାତିରେ କ୍ଷୀରୋତ୍ ଉପରେ ଅତ୍ୟନ୍ତ ବିଗିଡ଼ିଲେ । ସେ ରାତିରେ ପାର୍ଟି ତ ଚାଲିଥିଲା ହେଲେ କ୍ଷୀରୋତ୍‌ର ବିଜ୍‌ନେସ୍‌କୁ ନେଇ କିଛି ଅଧିକ ଚିନ୍ତା ଓ ରାଗ ଥିଲା । ସେହି ରାଗରେ ସେ ନିଜ ସ୍ତ୍ରୀକୁ ନିଶାରେ କେତେ ଯେ ମାଡ଼ ମାରିଲା ତାହା ଜାଣିପାରିଲା ନାହିଁ । ଶେଷରେ ଗୋଟେ ଚାପୁଡ଼ାରେ ତା’ ସ୍ତ୍ରୀ ମୁଣ୍ଡ କାନ୍ଥରେ ପିଟି ହୋଇଗଲା ଓ ସେ ତଳେ ବେହୋସ୍ ହୋଇ ପଡ଼ିଗଲା । ନିଶାରେ କ୍ଷୀରୋତ୍ କିଛି ଜାଣିପାରିଲା ନାହିଁ । ନିଶାରେ ସେ ମଧ୍ୟ ସେଇଠି ତଳେ ଶୋଇପଡ଼ିଲା ।

ସକାଳୁ କ୍ଷୀରୋତ୍‌ର ଆଖି ଖୋଲିଲା । ହ୍ୟାଙ୍ଗ୍ଓଭର୍‌ରେ ଦେଖିଲା ତା’ ସ୍ତ୍ରୀ ରାତିରୁ ସେମିତି ତଳେ ଶୋଇଚି । ପୂର୍ବ ରାତିର ଘଟଣାରେ ଅନୁତାପ କରି ତା ସ୍ତ୍ରୀକୁ ଉଠାଇବାକୁ ଗଲା । କ୍ଷୀରୋତ୍ ତା’ ସ୍ତ୍ରୀକୁ ଯେତେ ଉଠେଇବା ପାଇଁ ହଲେଇଲା, ସେ ଉଠିଲା ନାହିଁ । ତା’ ସ୍ତ୍ରୀର ନିଃଶ୍ୱାସ ମଧ୍ୟ ଚାଲୁନଥିଲା । ରାତିର ବେଲ୍ଟ ପାହାର କିଛି ଅଧିକା ହେଇଯାଇଥିଲା ଓ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଯାଇଥିଲା । କ୍ଷୀରୋତ୍ ଜାଣିବାକୁ ପାଇଲା ତା’ ସ୍ତ୍ରୀ ଆଉ ଜୀବିତ ନୁହେଁ, ମୃତ । ମଦ ନିଶାରେ ସେ ତା’ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା ଗଲା ରାତିରେ । ଏହା ଜାଣି କ୍ଷୀରୋତ୍ ମୁଣ୍ଡରେ ବଜ୍ର ପଡ଼ିଲା । ଯେଉଁ ନିଶାକୁ ଛାଡ଼ିବ ଛାଡ଼ିବ ହେଇ ଛାଡ଼ିପାରିଲାନି ସେହି ମଦ ନିଶା ଆଜି ତା’ ସଂସାର ଉଜାଡ଼ି ଦେଲା । ତା’ର ଦୁଃଖ ଦୁଇଗୁଣ ହୋଇଗଲା । ସ୍ତ୍ରୀର ହତ୍ୟାରେ ଜେଲ୍ ଯିବା ଭୟରେ ନୁହେଁ । ତା’ର ଦୁଃଖ ଦୁଇଗୁଣିତ ହେବାର କାରଣ ଏହା ଥିଲା ଯେ ତା’ର ସ୍ତ୍ରୀ ବାହାଘରର ତିନି ବର୍ଷ ପରେ ସାତ ମାସର ଗର୍ଭବତୀ ଥିଲା ।

କ୍ଷୀରୋତ୍ ତା’ ସ୍ତ୍ରୀର ଶବକୁ କୋଳରେ ଧରି କଇଁ କଇଁ ହେଇ କାନ୍ଦୁଥିଲା । ଏମିତି ଲାଗୁଥିଲା ଯେପରି କ୍ଷୀରୋତ୍‌ର ଆର୍ତ୍ତ କ୍ରନ୍ଦନ ଭିତରେ ଲୁଚି ରହିଚି ତା’ ହୃଦୟ ଗାଇ ଉଠୁଥିବା ଗୀତଟି,

ଉଜାଡ଼ି ଦେଲା ମଦ ସଂସାର ମୋର,
ରହିଗଲା କି ସୁଖ ଜୀବନେ ମୋର !
କାହିଁକି କଲି ମଦକୁ ଆପଣାର,
ମଦରେ ଭାସିଗଲା ସୁନା ସଂସାର !

ଲୋକପ୍ରିୟ ଲେଖା

To Top