ଗଳ୍ପ

ଉଜାଣି

Manjurani Mishra's Odia Story ujaani

ଜୀବନଟା ଯାହା ପାଖରେ ଦର୍ଶନ ହୋଇଉଠେ, ସ୍ୱପ୍ନ ତା’ ପାଖରେ ଏକ ଦର୍ଶନୀୟ ବସ୍ତୁ । କଳ୍ପନାର ନୌକା ନେଇ କେତେ ବାଟ ଯାଇ ପାରିଲା କଳ୍ପତରୁ ଏ ମହାସମୁଦ୍ରର ବୁକୁ ଚିରି ।

ଉଜାଣି

କଳ୍ପତରୁ ଅନ୍ଧାରରେ ରାତ୍ରୀର ସଂଳାପ ସବୁକୁ ଶୁଣିବାକୁ ଲାଗିଲା ମନ ଦେଇ । ଏ ଅନ୍ଧାରରେ ଫଟାକାନ୍ଥ, କାନ୍ଥର ଶିଉଳି ଆଉ ଛାତର ଅଳନ୍ଧୁ ଦେଖାଯାଉନାହିଁ । ଏ ଅନ୍ଧାର ଭଲ । ଭାରି ଭଲ ଏ ଅନ୍ଧାର ସ୍ରୋତ । ପୃଥିବୀଟା ଏମିତି ସବୁଦିନ ଅନ୍ଧାର ହୋଇଥାଆନ୍ତା କି ! ଏ ମାରାତ୍ମକ ସୂର୍ଯ୍ୟଟା ମୋଟେ ଆସନ୍ତା ନାହିଁ ଏ ସହରକୁ ତା’ହେଲେ ବଞ୍ଚିଯାଆନ୍ତା କଳ୍ପତରୁ ।

ଏବେ ଆଉ କବିତା ଲେଖେନା କଳ୍ପତରୁ । ଉଷାକୁ ଦେଖିଲେ କବିତା ଲେଖିବାର ଉତ୍ତେଜନାଟା ସଂକ୍ରମିତ ହୋଇଆସେ । ଉଷା ତା’ ଚିରହରିତ୍ ଅରଣ୍ୟର ଚୁପ୍‌ଚାପ୍ ହଳଦୀ ବସନ୍ତଟିଏ । ତା’ ମନର ଉପତ୍ୟକାରେ ସୁନ୍ଦର ଝରଣାଟିଏ, ଯାହାର ସ୍ପର୍ଶରେ ତା’ ମନର ନିଷିଦ୍ଧାଞ୍ଚଳ ଶ୍ୟାମ ଦୁର୍ବାଦଳରେ ପରିପୂର୍ଣ୍ଣ ହୋଇଥିଲା, କେଉଁଠି ହଜିଗଲା ଜୀବନର ସବୁ ସଂଳାପ !

କେମିତି କଟେ ଦିନସବୁ ଏକାଏକା । କେମିତି ଝଡ଼ ତୋଳେ ନିଶାର୍ଦ୍ଧ ପକ୍ଷୀର ସଙ୍ଗୀତ । ସବୁ ଇପ୍ସିତ ମୁହୂର୍ତ୍ତମାନଙ୍କୁ ଉପହାର ଦେବାକୁ ଅପେକ୍ଷା କରିଥିବା କଳ୍ପତରୁ । ସୁଖର ଶେଫାଳୀ ସାଉଁଟିବାକୁ ଇଚ୍ଛା କଲା ବେଳେ ତା’ର ମନେହୁଏ ସେ ଉଷାର ନିହାତି ଅପରିଚିତ । ଏମିତିକି ଜୀବନ ପ୍ଲଟ ନଥିଲା ଜୀବନଟାଏ । ଲିଭାଇ ପାରୁନଥିବା ଯନ୍ତ୍ରଣାର ସ୍ୱାକ୍ଷର ସବୁ । ଗୋଟାଏ କାଳ୍ପନିକ ଋତୁର ଆଶ୍ଳେଷରେ ନିଜକୁ ହଜାଇ ନ ପାରିବାର ଅବଶୋଷରେ ନିରବତାର ଦ୍ୱୀପ ଭିତରେ ହଜିଯାଇଥିବା ସ୍ମୃତିର ଫରୁଆକୁ ଯତ୍ନରେ ସାଇତି ଅଧାନିଦରେ ଘାଲେଇପଡ଼ି ଆଗାମୀ ଦିନ ପାଇଁ ସମ୍ଭାବନାର ମୁହୂର୍ତ୍ତ ସବୁକୁ ଅପେକ୍ଷା କରିବାର ପ୍ରଲୋଭନରେ ।

ଆଜି ସ୍ୱପ୍ନାର ଜନ୍ମଦିନ । ଯିବ କି ନାହିଁ କଳ୍ପତରୁ ? କେଉଁ ଟାଇପ୍‌ର ଝିଅ ସ୍ୱପ୍ନା ? ପ୍ରତିଦିନ ଦାମୀ ଶାଢ଼ୀ ଆଉ ମେକ୍ଅପ୍ ନେଇ ନିଜକୁ ଭୁଲିଯିବାର ଅଭିନୟରେ ଜୀବନ ସହିତ ସିଏ ସାଲିସ୍ କରିନେଇଛି । କଳ୍ପତରୁ ହଠାତ୍ ମନେ ପଡ଼ିଲା, ଘରୁ ଚିଠି ଆସିଥିଲା । ତଳ ଘର ଭାଙ୍ଗି ଗଲାଣି । ସାନ ଭଉଣୀର ବିବାହ ପ୍ରସ୍ତାବ ଆସିଛି । ଏସବୁ ପାଇଁ କ’ଣ କରିପାରିବ କଳ୍ପତରୁ ? ବର୍ଷାଦିନେ ଛାତରୁ ଗଳ ଗଳ ପାଣି ଗଳୁଥିବା ଏକ ବଖୁରିଆ ଭଡ଼ା ଘରେ ଆଶ୍ରା ନେଇ ଅଫିସ୍‌ରୁ ଫେରି କ୍ୟାଣ୍ଟିନ୍‌ରେ କିଛି ଶସ୍ତା ଜଳଖିଆ ଖାଇ ମହାନଦୀ ଉପରେ ଅଧାହାମୁଡ଼ି ପଡ଼ିଥିବା ଆକାଶକୁ ଚାହିଁ ନିଜ ଜୀବନର ନକ୍ସା ଆଙ୍କୁଥିବା କଳ୍ପତରୁ ଆଉ ଟିଉସନ୍‌ରୁ ଫେରି ବହଳ ଅନ୍ଧାର ରାତିରେ ବାକି ହୋଟେଲ୍‌ର ବଗଡ଼ା ଭାତ, ପେଜମିଶା ଡାଲି ଆଉ ଥଣ୍ଡା ତରକାରୀ ବିନା ପ୍ରତିବାଦରେ ଖାଇ ଦେଇ ଭଡ଼ା ଘରେ ଆତ୍ମଗୋପନ କରୁଥିବା କଳ୍ପତରୁ ।

ଏମିତି କ’ଣ ହୁଅନ୍ତା ନାହିଁ । ଜୀବନଟା ପଦ୍ୟମୟ ହୋଇ ଉଠନ୍ତା । ଆକାଶ ବୁକୁରେ ପେନ୍ଥା ପେନ୍ଥା ଫୁଲ ପରି ଭାସିଯାଉଥିବା ବିହଙ୍ଗମାନଙ୍କ ପରି ବିତେଇ ଦେଇ ହୁଅନ୍ତା ଜୀବନର ମୁହୂର୍ତ୍ତମାନଙ୍କୁ । ଏମିତିକି ସେମାନେ ଆଈମା’ ପିଠିକୁ ଆଉଜି ଗପ ଶୁଣିବାକୁ ଅଳି କରୁଥିବା ଚରିତ୍ର ଦୁଇଟି ପାଲଟି ଯାଆନ୍ତେ, ଉଷା ଆଉ ସେ । ନିଜ ପାଇଁ କେଉଁ ସହଜ ସୂତ୍ରଟିଏ ଆବିଷ୍କାର କରନ୍ତା ଯେ କଳ୍ପତରୁ ? ଆଗାମୀ ଆକାଶରେ ଜହ୍ନଟାଏ ଉଠନ୍ତା ଆଉ ଖୋଲି ଖୋଲି ଆସନ୍ତା ଜୀବନର ରଙ୍ଗ । କଳ୍ପତରୁ ବିଭୋର ହୋଇ ଉଠନ୍ତା କେଉଁ ସ୍ୱପ୍ନରେ ! ଆତ୍ମୀୟତାର ମୁଠା ମୁଠା ଶବ୍ଦର ଭିଡ଼ରେ କେମିତି ଗୋଟିଏ ସତେଜ ଆଲୁଅରେ ଗାଧୋଇ ପଡ଼ନ୍ତା । ପୃଥିବୀଟା କ’ଣ ସତରେ ଏମିତି ଅବିଶ୍ୱାସ୍ୟ ଯେ, ତା’ ପଣତରେ କ’ଣ ଏତେ ଟିକିଏ ଜାଗା ନାହିଁ କଳ୍ପତରୁର ସ୍ନେହ ଅନୁରାଗକୁ ମୁଠେଇ ଧରିବା ପାଇଁ ।

କେଉଁଠି ହଠାତ୍ ଲୁଚିଯାଏ କେଉଁ ଅନ୍ଧାରି ଗଳିରେ ସଜଫୁଲର ସପନ ପସରା । କଳ୍ପନାର ରଙ୍ଗତୂଳୀରୁ ରଙ୍ଗ ସରିଯାଏ । ଅନ୍ଧାରି ଇଲାକାରେ ହରେକ ରଙ୍ଗର ଅଜବ ଫୁଲ ଫୁଟିଯାଏ । ଆକାଶରେ ନଇଁ ଆସିଥିବା ବିଳମ୍ୱିତ ଜହ୍ନଟିଏ କି ମୋଟେ ସରୁନଥିବା ବିଷାଦ ଋତୁର ଦିନ ଗୁଡ଼ିକ । ନିଝୁମ ରାତିରେ ଭୟଭୀତ ହୋଇ ଦୁଃଖର ଗଜଲ ଗାଉଥିବା ଚଢେ଼ଇଟେପରି କେମିତି ଗୋଟିଏ ଅପହଞ୍ଚ ଦୂରତ୍ୱ ଟାଣିନିଏ ନିର୍ଜନତାର ଶୋକରେ ଘାଲେଇ ପଡ଼ିଥିବା ବିସ୍ତୃତ ଇଲାକା ଭିତରକୁ । କେମିତି ଦୁର୍ବୋଧ୍ୟ ହୋଇପଡେ଼ ଜୀବନଟା । ଶୂନ୍ୟତାର ଧୂଆଁରେ ସାମ୍ନା ଆକାଶଟା ଭରପୁର ହୋଇଯାଏ ।

ଉଷା କ’ଣ ସଜାଡୁନଥିବ ସପନର ଫସଲକୁ ନିଜ ମନର ଗନ୍ତାଘରେ ? ହଜିଯାଇଥିବା ସୂର୍ଯ୍ୟର ପୃଥିବୀ ଭିତରେ ସେ କ’ଣ ନିଜକୁ ଉନ୍ମୁକ୍ତ କରିବାକୁ ଚେଷ୍ଟା କରୁନଥିବ ? ସ୍ମୃତିର ଶାମୁକା ସବୁକୁ ଗୋଟେଇ ନେଉଥିବ ଏଇ ଅନ୍ଧାରି ସମୁଦ୍ରର ବେଳାଭୂମିରେ । ଉଷା ଅଣନିଶ୍ୱାସୀ ହୋଇଯାଉଥିବ । କାହିଁକି ଏତେ ମନେ ପଡେ଼ ଉଷା ? କେମିତି ଗୋଟାଏ ବିଦଗ୍ଧ ସ୍ମୃତି ଅନ୍ଧାରରେ ମୁଗୁରି ଉଠି ନିବିଡ଼ ଭାବରେ ମିଶିଯାଏ । କ’ଣ ସେମିତି ଗୋଟେ ପ୍ରଶ୍ନ ପଚରା ଯାଇନଥାନ୍ତା କୁଢ଼ କୁଢ଼ ଶୀତ ଫୁଲର ସନ୍ଧ୍ୟାରେ ? କେଉଁ ଉପତ୍ୟକାରେ କି ବର୍ଷାଭିଜା ଆୟତ ଅପରାହ୍ନରେ ମୋଟା ପତ୍ରର ଛାଇ ଛାଇଆ ଆଲୁଅରେ ପାହାଡ଼ୀ ନଦୀର ବାଲି ଶଯ୍ୟାରେ ଶୋଇ ବଣୁଆ ଫୁଲର ପାଖୁଡ଼ା ଗଣିଲାବେଳେ ଉତ୍ତର ଦେବାକୁ ଯାଇ ଉଷା ମହାପାତ୍ରର ଓଠ ଦୁଇଟି ଖୋଲି ନଥାନ୍ତା ? ନିଜ ଶାଢ଼ୀକୁ ସଜାଡ଼ି ସଜାଡ଼ି ସେ କ୍ଳାନ୍ତ ହୋଇ ପଡୁଥାଆନ୍ତା । ସଙ୍କୋଚରେ ଭାଙ୍ଗି ଯାଆନ୍ତା । ଆଉ ତା’ ସାମ୍ନାରେ ନିରବରେ ପାହାଡ଼ ପରି ଠିଆ ହୋଇଥାଆନ୍ତା କଳ୍ପତରୁ । ହସି ଦେଉ ଥାଆନ୍ତା ଦୁଷ୍ଟାମୀର ହସଟିକିଏ । କିନ୍ତୁ ଏଇଟା କି ରୋମାନ୍ସ ଯେ ଏମିତି ଗୋଟେ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବାଟା କଳ୍ପତରୁର ପୌରୁଷ ।

କ’ଣ ଏବେ କରୁଥିବ ଉଷା ? ନିର୍ଜନତାର ଅସମାପ୍ତ ଇଲାକା ଭିତରେ ସେ କ’ଣ ସୂର୍ଯ୍ୟକୁ ଚାହିଁ ରହି ବଞ୍ଚିବାର ଆଲୁଅ ମାଗୁଥିବ ? ହୁଏତ ତା’ର ସାନଭାଇର ପାଠପଢ଼ା ସରିଯିବଣି । ସାନଭଉଣୀ ବିବାହ କରିସାରିବଣି । କିନ୍ତୁ ତା’ପରେ କେଉଁ ପ୍ରାପ୍ୟ ସେ ମାଗିବାକୁ ଶିଖିଲା ପୃଥିବୀଠାରୁ ? କେଉଁ ଫୁଲର ବାସ୍ନା ସେ ଉଷା ? ଆକାଶର ନୀଳ ଦର୍ପଣରେ ଝଲସି ଉଠୁଥିବା ତାରାଟିଏ କି ନୀଳ ସମୁଦ୍ରରେ ବୁଡ଼ି ରହିଥିବା ମୁକ୍ତାଟିଏ । କ’ଣ କେମିତ ମୋଟେ ବୁଝି ହୁଏନା । ଜୀବନଟା ଯାହା ପାଖରେ ଦର୍ଶନ ହୋଇଉଠେ, ସ୍ୱପ୍ନ ତା’ ପାଖରେ ଏକ ଦର୍ଶନୀୟ ବସ୍ତୁ । କଳ୍ପନାର ନୌକା ନେଇ କେତେ ବାଟ ଯାଇ ପାରିଲା କଳ୍ପତରୁ ଏ ମହାସମୁଦ୍ରର ବୁକୁ ଚିରି ।

ନିଜପାଇଁ କ’ଣ ସାଇତିବ କଳ୍ପତରୁ ? ମେଘର ଟୁକୁରାରେ ଭର୍ତ୍ତି ହୋଇଥିବା ଆକାଶ ଦେହରୁ କେମିତି ଅଣ୍ଡାଳିବ ବଞ୍ଚିବାର ଲିପ୍ସା ? କେମିତି କବିତା ଲେଖିବ ? ନିରବତାର ଆଲୁଅରେ ଭିଜି ଭିଜି ଯାଉଥିବା ଉଷା ମହାପାତ୍ରକୁ ସ୍ୱପ୍ନ କାରିଗରୀ ହୋଇ କେଉଁ ଇମାରତ୍‌ ଟିଏ ଗଢ଼ିବ ଯେ, କଳ୍ପତରୁ କେଉଁ ବଖରାରେ ଥୋଇବ ହୀରା ନୀଳା ମୋତିର ସ୍ତୁପ ? ତୋରଣରେ କାହାପାଇଁ ସେ ଅପେକ୍ଷା କରିବ ସନ୍ୟାସୀର ଆବରଣ ଫିଙ୍ଗି ?

ବହଳ ସବୁଜ ଘାସର ଶେଯରେ ଶୋଇ ଆକାଶର ପରିସୀମା ମାପିଲା ବେଳେ କି ପ୍ରଜାପତିର ରଙ୍ଗ ମନେ ରଖିଲାବେଳେ, ନ ହେଲେ ଫାଳିକିଆ ଜହ୍ନ ଆଲୁଅରେ ଭିଜିଯିବା ବେଳେ ଗୋଟେ ଅଜଣା ବାସ୍ନାରେ ବ୍ୟତିବ୍ୟସ୍ତ ହୋଇପଡେ଼ ଯେ କଳ୍ପତରୁ । ହଠାତ୍ ତା’ର ମନେପଡେ଼ ଟିଉସନ୍ ବେଳ ଗଡ଼ିଗଲାଣି । ଘରୁ ଚିଠି ଆସିଥିଲା । ଉତ୍ତର ଦେଇନି । କଳ୍ପତରୁ ନିଜକୁ ଚାହେଁ । କିଛି ଭୁଲ୍ ହୋଇଯାଇନି ତ ? ନା ସେ ପୁରାପୁରି ଠିକ୍ ଅଛି । ଅଫିସ୍ ଯାଉଛି ଠିକ୍ ସମୟରେ । ସନ୍ଧ୍ୟାରେ ଗୋଟେ ଦାମୀ ଟିଉସନ୍ । ସିଗାରେଟ୍ ଖାଉଛି, ସେକେଣ୍ଡ ସୋ’ ସିନେମା ଯାଉଛି । ବେଳେବେଳେ ଇଚ୍ଛାହେଲେ ପରିଚିତ ଜହ୍ନ ଆଲୁଅରେ କବିତା ଲେଖୁଛି । ବଞ୍ଚିବା ପାଇଁ ଆଉ କ’ଣ ବେଶୀ ଦରକାର ଯେ ?

ସୂର୍ଯ୍ୟାସ୍ତର ନାଲି ରଙ୍ଗ ବୋଳା ପାହାଡ଼ ପିଠିକୁ ଆଉଜି କେଉଁ ପ୍ରତିଶ୍ରୁତି ମାଗିବ କଳ୍ପତରୁ ? ହେମନ୍ତର ଓଦା ଜୁଡୁବୁଡୁ ସକାଳରେ କେଉଁ ଛବିଟିଏ ଆଙ୍କିବ ନିଜ ପାଇଁ କି ଅନ୍ୟମାନଙ୍କ ପାଇଁ, ନା ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ ଆହୁରି କିଛି ସଞ୍ଚୟ କରିବା ପାଇଁ ତଳଘର ମରାମତି ପାଇଁ, ସାନ ଭଉଣୀର ବିବାହ ପାଇଁ । ଆଉ ସେ ହଜିଯିବ ନୀଳ ଆକାଶର ନିବିଡ଼ତାରେ ମେଞ୍ଚା ମେଞ୍ଚା ଫୁଲର ସୁରଭି ଭିତରେ ପକ୍ଷୀର କାକଳୀ ଭିତରେ ତା’ର ଅବର୍ତ୍ତମାନର ସାମ୍ରାଜ୍ୟକୁ ପୁଣି ବିଶାଳ କରିଦେବ ଯେ ସେଠି କେହି ବି ପ୍ରତିଦ୍ୱନ୍ଦୀ ନଥିବେ ଆଉ ସେଇ ଚିରହରିତ୍ ଅରଣ୍ୟରେ ଗୋଛାଏ ସ୍ମୃତିର ନାଲିନାଲି କଢ଼ ଫୁଲର ବାସ୍ନା ଭିତରେ ସେ ସବୁ ଭୁଲିଯିବ ସବୁ. . . !

ଲୋକପ୍ରିୟ ଲେଖା

To Top