ଗଳ୍ପ

ଉଜାଣି ସୁଅ

Odia Author Aravind Das

ଗାଁକୁ ଯାଇ ଆଜି ମହାଭାରତ ସୃଷ୍ଟି କରି ଦୁଇଭାଇଙ୍କ ମଝିରେ ବାଡ଼ ସୃଷ୍ଟି କରିବେ ଅଥଚ ନିଜେ ଭଲଲୋକୀ ହୋଇ ମିଠା ନେଇ ଆଗେ ଥୋଇ ଦେବେ । ଧନ୍ୟ ଏହି ନାରୀ ଜାତି ।

ଉଜାଣି ସୁଅ

ଏଥର ଯାହା ହେଲେ ଗୋଟେ ଫଇସଲା କରି ଆସିବି । ତମ ଉପରେ ନିର୍ଭର କଲେ ହୋଇପାରିବ ନାହିଁ । ଅଯଥାଟାରେ ଜମିଗୁଡ଼ାକ ଭାଗ ଦେଉନାହଁ କି ବିକ୍ରି କରୁନାହଁ । କ’ଣ ହେଲା କ’ଣ ନାହିଁ ତା’ ତ ମୁଁ ଜାଣିଲି ନାହିଁ । ବର୍ଷ ସାରା ମଣିଷ ବଜାରରୁ କିଣି ଖାଇଲା । କି ଲାଭ ସେ ଜମି ଥାଇ । ଅଦିନିଆ ବର୍ଷା ପରି ବର୍ଷି ଯାଉଥିଲେ ସୁଷମା । ଚୁପ୍‌ଚାପ୍ ପେପର୍ ପଢୁଥିଲେ କେଦାର ନିର୍ବିକାର ହୋଇ ବର୍ଷାରେ ଥୁଣ୍ଟା ପାହାଡ଼ ଓଦା ହେଲା ପରି ।

କେଦାରଙ୍କ ପାଇଁ ଏସବୁ ନୂଆ ନୁହେଁ । ବାହାଘର ତାଙ୍କର ୨୪ ବର୍ଷ ହୋଇଗଲାଣି । ପୁଅ ହଷ୍ଟେଲ୍‌ରେ ରହି ଇଞ୍ଜିନିୟରିଂ ପଢୁଛି ଏବଂ ଝିଅ ପୁନାରେ ଏମ୍.ବି.ଏ କରୁଛି । ସୁଷମାଙ୍କ ଏକା ଜିଦ୍, ଗାଁରେ ଥିବା ବିଲବାଡ଼ି ଭାଗବାଣ୍ଟ କରିଦେଇ ତାଙ୍କ ଦେଈ ପୁଅ ଝିଅଙ୍କ ପାଇଁ ଦୁଇଟା ଫ୍ଲାଟ୍ କିଣିବା ପାଇଁ । ଗାଁରେ ସାନଭାଇ ଜିତୁ ରହି ଚାଷବାସ ବୁଝେ । ଗୋଟେ ଧାନକଳ ମଧ୍ୟ ଚଳାଉଛି । ବଡ଼ ଝିଅ ଆଇ. ଏ. ପାଶ୍ କରି ଘରେ ବସିଛି । ସାନପୁଅ ଦୁଇଟା ସ୍କୁଲ୍‌ରେ ପଢୁଛନ୍ତି । କେଦାର ଜାଣନ୍ତି ଜମି ବିକି ଦେଲେ ସାନଭାଇର ଚଳିବା କଷ୍ଟକର ହୋଇପଡ଼ିବ । କେମିତି ବୁଝାଇବେ ସୁଷମାଙ୍କୁ । ନିଜ ଭାଇ ହୋଇଥିଲେ ସୁଷମା କ’ଣ ଏପରି କରିପାରିଥାନ୍ତେ । ଏମିତି ସ୍ୱଭାବରେ ବହୁତ ଭଲ ତାଙ୍କର ସହଧର୍ମିଣୀ । କିନ୍ତୁ ବେଳେବେଳେ ମୁଣ୍ଡକୁ ତାଙ୍କର ପୋକ ଚଢ଼େ । ଏକଛତ୍ରବାଦୀ ଶାସକ ପରି ମନେହୁଅନ୍ତି ସୁଷମା । ତାଙ୍କ ବୁଝାଇବା ବଡ଼ କଷ୍ଟ ।

ଖୁଣ୍ଟଟା ପରି ବସିଛ କ’ଣ ବା । ସିଆଡ଼େ ପରା ଝିଅ ଦେଖିବାକୁ କୁଣିଆ ଘର ପହଞ୍ଚିଯିବେ । ଦେଖାଦେଖି କାମ ସରିଲା ପରେ ମୋ କଥା ଯେମିତି ନ ଭୁଲ । ତମ ସାନଭାଇ ଓ ଭାଇବୋହୂ ସୁଆଗ ଯଦି ଦେଖାଇବ ତେବେ ଏଥର ମୋତେ ଚିହ୍ନିବ । ଫଣା ଟେକି ଫୁତ୍କାର ମାରୁଥିବା ନାଗ ସାପ ପରି ଲାଗୁଥିଲେ ସୁଷମା । କେଦାର ଭାବୁଥିଲେ ପଦ୍ମତୋଳା ମନ୍ତ୍ର ହେଲେ ତାଙ୍କୁ ଜଣାଥାଆନ୍ତା । ଶାନ୍ତି କରିଦିଅନ୍ତେ ସ୍ତ୍ରୀଙ୍କୁ । ମନେ ମନେ ସେ ବିରକ୍ତ ହେଉଥିଲେ ।

ସାନଭାଇ ଜିତୁର ଝିଅ ମିଲିକୁ ଦେଖିବାକୁ ଆଜି ଗାଁକୁ ଲୋକ ଆସୁଛନ୍ତି । ଦୁଇବର୍ଷ ହେଲାଣି ଆଇ. ଏ. ପାଶ୍ କଲାଣି ମିଲି । କ’ଣ ପାଇଁ ଏତେ ଜଲ୍ଦି ବାହାଘର କରିଦେଉଛି କେଜାଣି । ଗଲାଥର ସେ ବିରକ୍ତ ହୋଇଥିଲେ । ହେଲେ ଭାଇବୋହୂ ପ୍ରତିଭା କହିଥିବା କଥାକୁ କାଟି ପାରିନଥିଲେ କେଦାର ।

ବେଶୀ ପାଠ ପଢ଼ି କ’ଣ ସେ କରିବ । କେଉଁ ଅବା ଡାକ୍ତର, ଇଞ୍ଜିନିୟର୍ ହେବ ସେ । ଝିଅ, ଘିଅ । ଗାଁରେ କେତେ ଲୋକ କେତେ କଥା କହିବେ । ଏଇ ବୟସରେ ଭଲ ପ୍ରସ୍ତାବ ଆସିବ । କେତେବେଳେ କେଉଁ କଥା । ତା’ଛଡ଼ା ୟାଙ୍କର କେଉଁ ଆପଣଙ୍କ ପରି ଚାକିରୀ ଅଛି ଯେ ଆଗକୁ ଭରସା କରି ବସିବୁ । ପଛକୁ ପୁଣି ଦୁଇଟି ପାଠପଢ଼ା ପୁଅ । ଚାଷ ଓ ଧାନକଳରୁ କେତେ ଆଉ ମିଳିବ ଯେ ଝିଅକୁ ଆହୁରି ପଢ଼େଇବୁ ।

କେଦାରଙ୍କ ଇଚ୍ଛା ହେଉଥିଲା ମିଲିକୁ ନେଇ ତାଙ୍କ ପାଖରେ ରଖି କଲେଜ୍‌ରେ ପଢ଼େଇବା ପାଇଁ । ହେଲେ ସୁଷମାଙ୍କୁ ବୁଝେଇବ କିଏ । ହଜାର କଥା କହି ଘରେ ଶାନ୍ତି ନଷ୍ଟ ହେବ । ତା’ଛଡ଼ା ଆଜିକାଲି ଅନ୍ୟର ପିଲାଙ୍କ ଦାୟିତ୍ୱ ନେବା ବଡ଼ କଷ୍ଟ । କାର୍ ଚଳାଇବାବେଳେ ଭାବୁଥିଲେ କେଦାର । କେମିତି ସାନଭାଇକୁ କହିବେ ଘରବାଡ଼ି ଭାଗବଣ୍ଟା ପାଇଁ । ବାପା, ବୋଉଙ୍କର ସବୁ କଥା ସେଇ ଜିତୁ ହିଁ ବୁଝିଛି । ବଡ଼ଭାଇ ହିସାବରେ ମାସକୁ ମାସ ଯାହା ଟଙ୍କା ହିଁ କିଛି ପଠାନ୍ତି ସେ । ଆଗପଛ ହୋଇ ଦୁଇଜଣ ଯାକ ଆଖି ବୁଜି ଦେଲେ ଗାଁରେ । ଭାଇବୋହୂ ପ୍ରତିଭା ବହୁତ କରିଛି ନିଜ ଶାଶୁ, ଶଶୁରଙ୍କର । ନିଜ ଝିଅ ବି ଏମିତି କରିବନି ।

ପାହାଳରେ ଟିକେ ଗାଡ଼ି ରଖିବ । ମିଠା ଓ ଛେନାପୋଡ଼ ନେବା ପିଲାଙ୍କ ପାଇଁ । ବରା ଓ ତରକାରୀ ମଧ୍ୟ ନେଇଯିବା । ସୁଷମା କହିଲେ । କେଦାରଙ୍କୁ ଲାଗୁଥିଲା ସୁଷମା ଜଣେ ମାୟାବିନୀ ରାକ୍ଷସୀ । ଗାଁକୁ ଯାଇ ଆଜି ମହାଭାରତ ସୃଷ୍ଟି କରି ଦୁଇଭାଇଙ୍କ ମଝିରେ ବାଡ଼ ସୃଷ୍ଟି କରିବେ ଅଥଚ ନିଜେ ଭଲଲୋକୀ ହୋଇ ମିଠା ନେଇ ଆଗେ ଥୋଇ ଦେବେ । ଧନ୍ୟ ଏହି ନାରୀ ଜାତି । ମୁହଁ ବୁଲାଇ ଷ୍ଟିଅରିଂକୁ ଲକ୍ଷ୍ୟ କଲେ କେଦାର ।

ଗାଁରେ ପହଞ୍ଚିଲା ବେଳକୁ ଦିନ ବାରଟା । ପିଲାଗୁଡ଼ାକ ଦୌଡ଼ି ଆସି କୁଣ୍ଢେଇ ପକେଇଲେ । ପିଣ୍ଢା ଉପରୁ ପ୍ରତିଭା ପାଟି କରୁଥାଏ ବଡ଼ବୋଉଙ୍କ ଲୁଗା ଅସନା ହୋଇଯିବ । ଜିତୁ ଆସି ବ୍ୟାଗ୍‌ଗୁଡ଼ାକ ହାତରୁ ନେଇ କହିଲା- ଭାଇ, ତମରି ମନ ମୁତାବକ ଚିତ୍ତଳ ମାଛ ଆଣିଛି । ଆଉ ଭାଉଜଙ୍କ ପସନ୍ଦର ବଡ଼ ଚିଙ୍ଗୁଡ଼ି ଆଣିଛି । ଜଲ୍ଦି ଧୁଆ ଧୋଇ ଆସ ।

ଝିଆରୀ ମିଲି ଆସି ମୁଣ୍ଡିଆ ମାରିଲା । ଶାଢ଼ୀ ପିନ୍ଧି ଛୋଟ ଝିଅଟା ବଡ଼ ଦିଶୁଛି । ପ୍ରତିଭା ଦେହରେ ମଇଳା ଶାଢ଼ୀଟା ଦେଖି ଚିଡ଼ି ଗଲେ ସୁଷମା- ତୋର କ’ଣ ଶାଢ଼ୀ ନାହିଁ । ତୋ ପାଇଁ ପରା ତିନିଟା ଶାଢ଼ୀ ଭାଇଙ୍କ ହାତରେ ପଠାଇଥିଲି । ଆଜି ପୁଅ ଘର ଆସିବେ ତୁ ଏମିତି ବେଶ ହୋଇ ବୁଲୁଛୁ ।

ନିର୍ବିକାର ହୋଇ କହିଲା ପ୍ରତିଭା- ମୁଁ ତ ସବୁବେଳେ ଏମିତି ଅପା । ତମେ ପଠେଇଥିବା ଶାଢ଼ୀଗୁଡ଼ାକ ଏତେ ସୁନ୍ଦର ଯେ ପିନ୍ଧିବାକୁ ଇଚ୍ଛା ହେଉନି । ଆଗକୁ ବାହାଘର କାମରେ ଆସିବ ବୋଲି ରଖିଦେଇଛି । ତମେ ଜଲ୍ଦି ପାଲଟି ପକାଇ ଆସ, ଖାଇ ନେବା, ପିଲାମାନେ ବି ତମ ସାଙ୍ଗରେ ଖାଇବେ ବୋଲି ଅପେକ୍ଷା କରି ବସିଛନ୍ତି ।

ସୁଷମା ବଦଳାଇବା ପାଇଁ ଶାଢ଼ୀଟେ ନେଲେ ପ୍ରତିଭା ହାତରୁ । ଆରେ ଏ ଶାଢ଼ୀଟା ତ ସେଇ ଦୁଇବର୍ଷ ତଳେ ଦେଇଥିଲେ । ରଙ୍ଗଟା ତାଙ୍କର ପସନ୍ଦ ହୋଇନଥିଲା ବୋଲି ଗାଁକୁ ପଠାଇ ଦେଇଥିଲେ । କେତେ ଯତ୍ନରେ ରଖିଛି ପ୍ରତିଭା । ସତରେ ସୁଗୃହିଣୀ ସେ । କେତେ ସୁନ୍ଦର ଭାବେ ସଜାଡ଼ି ରଖିଛି ସବୁ ଜିନିଷ । ତାଳି ପକାଇ ଶାଢ଼ୀ ପିନ୍ଧି ବି ସେ ତାଙ୍କ ଅପେକ୍ଷା ସୁନ୍ଦର ଦିଶୁଥିଲା । ପ୍ରମୋଦ ଓ ଜିତୁଙ୍କ ପାଇଁ ବାଢ଼ି ଦେଇ ଶୋଇଲା ଘରେ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଦେଲା ପ୍ରତିଭା । ମିଲି ମଧ୍ୟ ପକ୍କା ଘରଣୀ ପରି ସବୁ କାମ କରିଦେଉଛି । ଚମତ୍କାର ରାନ୍ଧିଥିଲା ପ୍ରତିଭା, ଚିତ୍ତଳ ମାଛ ତରକାରୀ, ଚିଙ୍ଗୁଡ଼ି ମାଛ କୋରମା, ସଜନା ଶାଗ ମୁଗ, ଆମ୍ୱଡ଼ା ରାଇ ଏବଂ କଲରା ଭଜା । ପେଟେ ଖାଇ ଖଟରେ ଗଡ଼ିଗଲେ ଦୁଇଭାଇ । ସନ୍ଧ୍ୟା ପୂର୍ବରୁ ଦେଖିବାକୁ ପୁଅ ଘର ପହଞ୍ଚିବେ । ଖାଉ ଖାଉ ସୁଷମାଙ୍କ ଆଖି ପଡ଼ିଗଲା ପ୍ରତିଭା ଖାଲି ବେକ ଓ ପାଣି କାଚ ପିନ୍ଧା ହାତ ଉପରେ ।

କିଲୋ, ତୋ ହାର ଓ ଚୁଡ଼ି କୁଆଡ଼େ ଗଲା । ଖୋଲି କରି ରଖିଦେଇଛୁ କି । ନାଇମ ଅପା, ଧାନକଳ ମଟର ପୋଡ଼ିଗଲା ବୋଲି, ଗୁଡ଼ାଏ ଖର୍ଚ୍ଚ ହେଲା । ଧାନ କଟା ହୋଇନି । ସେଇଥିପାଇଁ ଚେନ୍‌ଟା ୟାଙ୍କୁ ଦେଇଥିଲି । ଆଉ ଚୁଡ଼ି ଦି’ପଟ ବଦଳେଇ ଏଇ ମିଲି ପାଇଁ କାନର ହଳେ କରିଛି । ମୁଁ ରୋଲ୍ଡ ଗୋଲଡ୍ ଚୁଡ଼ି ରଖିଛି । କାମ ସରିଲେ ପିନ୍ଧିଦେବି ଯେ ।

ସୁଷମା ମନେ ମନେ ଭାବୁଥିଲେ ତାଙ୍କ ଭ୍ୟାନିଟିବ୍ୟାଗ୍ କଥା । ଝିଅକୁ ଦେଖିବାକୁ ପୁଅ ଘର ଆସୁଛନ୍ତି ବୋଲି, ନିଜର ଥାଟ୍ ଦେଖାଇବାକୁ ଆଠପଟ ସୁନା ଚୁଡ଼ି ନେଇ ଆସିଛନ୍ତି । ଏମିତି ଅବସ୍ଥାରେ ସେ କ’ଣ ପିନ୍ଧି ପାରିବେ । ତା’ ଛଡ଼ା ଅତି ବେଶୀ ଦେଖେଇ ହେଲେ ଭାଗବାଣ୍ଟ ବିଷୟରେ ମଧ୍ୟ କଥାବାର୍ତ୍ତା କରିବା ଖରାପ ହେବ ।

ସାନପୁଅ ଦିଇଟା ମିଠା ଖାଇବା ପାଇଁ ଟଣା ଓଟରା ହେଉଥିଲେ । ପ୍ରତିଭା ଆକଟ କରୁଥିଲା, କୁଣିଆ ଆସିବେ ପରା ଅପାକୁ ଦେଖିବା ପାଇଁ, ସେମାନେ ଗଲା ପରେ ମନ ଭରି ଖାଇବ ତମେ । ଚୁପ୍‌ଚାପ୍ ଦେଖୁଥିଲେ ସୁଷମା । ଫ୍ରିଜ୍‌ରେ ପ୍ୟାକେଟ୍ ପ୍ୟାକେଟ୍ ମିଠା ସଢୁଛି, ଚାକର ଚାକରାଣୀ ଖାଉଛନ୍ତି । ଆଉ ଏଠାରେ ପିଲାଗୁଡ଼ାକ କି ରଙ୍କଣାଙ୍କ ପରି ହେଉଛନ୍ତି ।

ସେ ବସ୍ତାଗୁଡ଼ାକ କ’ଣ କିଲୋ ପ୍ରତିଭା ।

“ନାଇଁମ ଅପା, ତୁମ ପାଇଁ ଦୁଇ ବସ୍ତା ଅରୁଆ ଚାଉଳ, ବସ୍ତେ ବିରି ଏବଂ ମୁଗ ରଖିଛି, ମୁଗକୁ ଭାଜି, ପାଛୁଡ଼ି ରଖିଛି । ଭାଇ ଯେତେଥର ଆସିବେ, ନାହିଁ ନାହିଁ କରି ପଳାନ୍ତି । କରମଙ୍ଗା ଓ ଆମ୍ୱ ଆଚାର ଅଲଗା କରି ରଖିଛି । ଗଲାବେଳେ ମନେ କରି ନେବ ।”

“ବଡ଼ବୋଉ, ତମ ପାଇଁ ବୋଉ ଘିଅ ଓ ବଡ଼ି କରି ରଖିଛି, ମାସେ ହେଲାଣି ଆମକୁ ସର ଖାଇବାକୁ ଦେଉନାହିଁ ।” ଅଭିଯୋଗ କରୁଥିଲା ପୁଅ ମଣ୍ଟୁ । ସଙ୍କୁଚିତ ହୋଇଯାଉଥିଲା ସୁଷମା । ନିଜ ପିଲାଙ୍କ ପେଟରୁ କାଟି ଭାଇବୋହୂ ତାଙ୍କ ପାଇଁ ଜିନିଷ ସଜାଡ଼ି ରଖିଛି । ଆଉ କେତେ ସ୍ୱାର୍ଥପର ସେ । ପୁଣି ଭାବିଲେ, ମିଲି ବାହାଘର ପାଇଁ ତାଙ୍କୁ ଚାଲାଖି କରି- ପ୍ରତିଭା ଏମିତି କରୁନି ତ ? ନା ଏତେ ସହଜରେ ତାଙ୍କୁ କେହି ଭୁଲେଇ ପାରିବନି । ତା’ ଚାଲାକ୍ ତା’ ପାଖରେ ଥାଉ ।

ଖଟ ଉପରେ ଗଡ଼ି ଛାତକୁ ଅନାଇଲେ ସୁଷମା । ଛାତରୁ ପାଣି ଜକେଇବାର ଦାଗ । “ବର୍ଷାଦିନେ ପାଣି ଶୋକ୍ କରୁଛି କି ?” “ହଁ ବଡ଼ବୋଉ ଏ ଘର ମଝିରେ ବାଲ୍‌ଟି ଦୁଇଟା ରଖା ହେଉଛି ବର୍ଷା ହେଲେ, ବାପାଙ୍କୁ କହି କହି ଛାତ ରିପେୟାର୍ କରୁନାହାନ୍ତି ।” ମିଲି କହିଲା, ପ୍ରତିଭା ସଫେଇ ଦେଉଥିଲା, “ଗଲାଥର ଭାଇ ଦଶ ହଜାର ଟଙ୍କା ଦେଇଥିଲେ । ବଳଦଟା ମରିଗଲା ବୋଲି ନୂଆ ବଳଦ କିଣାରେ ଟଙ୍କା ଖର୍ଚ୍ଚ ହୋଇଗଲା । ଧାନ ବିକା ହେଲେ ଏ କାମଟା ଆଗେ ।” “ମିଲି ବର କ’ଣ କରୁଛି ?”

“ଷ୍ଟେଟ୍ ବ୍ୟାଙ୍କ୍‌ରେ ପିଅନ ଅଛି, ଦରମା ଭଲ, ତାଙ୍କ ଘର ବି ଭଲ । ଗୋଟାଏ ବୋଲି ପୁଅ’ ପ୍ରତିଭା କହିଲା- “ଆଲୋ, ସେ ପିଲା ପିଅନ ଅଛି ? ଭାଇ ତ ମୋତେ ଏ କଥା କହି ନାହାନ୍ତି ? ତୁ କ’ଣ ପାଗଳି ହୋଇଗଲୁଣି କି ? ଭଲ ପାତ୍ର କ’ଣ ମିଳିବେନି ?” ରାଗି ଯାଇ ସୁଷମା ଖଟ ଉପରେ ଉଠି ପଡ଼ି ବସି ପଡ଼ିଲେ । ଖଟ ବାଡ଼ାକୁ ଧରି ଠିଆ ହୋଇଥିବା ମିଲିର ଶୁଖିଲା ମୁହଁକୁ ଦେଖି ଜାଣି ପାରୁଥିଲେ ତା’ର ଇଚ୍ଛା କ’ଣ !

“କ’ଣ କରିବା ଅପା ?” ତା’ ଭାଗ୍ୟରେ ଯାହା ଥିବ । ଗୋଟେ କିରାଣୀ ପ୍ରସ୍ତାବ ଆସିଥିଲା । ୧୦ ଲକ୍ଷ ଟଙ୍କା ମାଗୁଛନ୍ତି । ପ୍ରାଇଭେଟ୍ କଲେଜ୍‌ର ଲେକ୍ଚର୍ କାର୍ ମାଗୁଛନ୍ତି । କେଉଁଠୁ ଆଣିବୁ ?

ବରପକ୍ଷର ଲୋକେ ପାଞ୍ଚଟାବେଳେ ପହଞ୍ଚିଗଲେ । ପିଲାଟା ଦେଖିବାକୁ ଗେଡ଼ା, ପେଟା ଓ ପୁରା କଳା । ସେଥିରେ ପୁଣି ଚନ୍ଦା, ବୟସ ବି ଅଧିକ । ସେମାନଙ୍କର ଝିଅ ପସନ୍ଦ ହୋଇଯାଇଥିଲା । ମୁଦି ପିନ୍ଧାଇ ଚାଲିଯାଇଥିଲେ ।

ସନ୍ଧ୍ୟାବେଳେ ଓଦା ସରସର ହୋଇ ମିଲି ଓ ମଣ୍ଟୁ ଆସି ସୁଷମାଙ୍କ ପାଖେ ହାଜର । ଗୋଟାଏ ଜରି ଭିତରେ ଚାରିଟା ମାଗୁର ଓ ଶିଙ୍ଗି ମାଛ । ସୁଷମାଙ୍କର ଭାରି ପ୍ରିୟ ଏଇ ଗଡ଼ିଆ ମାଛ । ତାଙ୍କରି ପାଇଁ ଝିଅଟା କାଦୁଅରେ ପଶି ଆଣିଛି ।

“ବଡ଼ବୋଉ ଜାଣିଛ, ମିଲି ଅପା ହାତକୁ ଶିଙ୍ଗି ମାଛଟା ଫୁଟେଇ ଦେଇଛି । ରକ୍ତ ବାହାରୁଛି ।” ହାତ ଲୁଚାଉଥିଲା ମିଲି । ହାତରେ ଆଣି ଗୁଡ଼ାଖୁ ଟିକେ ବୋଳି ଦେଇ ମିଲି କହିଲା, “ନାଇଁମ ଟିକେ ହୋଇଛି । ମୁଁ ଘରୁ ଚାଲିଗଲା ପରେ କିଏ ତୁମକୁ ଏମିତି ମାଛ ଧରି ଆଣି ଦେବ !”

ଏକାଲୟରେ ଅନାଇଥିଲେ ସୁଷମା । ହଠାତ୍ ପଚାରି ପକାଇଲେ, “ତୁ କ’ଣ ଏ ବାହାଘରରେ ଖୁସି ?” ଚୁପ୍‌ଚାପ୍ ନଖରେ ଗାର କାଟୁ କାଟୁ କହିଲା ମିଲି, “ବାପା ତ ଆଉ ପଢ଼େଇଲେ ନାହିଁ । ଘରେ ବସି ବସି କ’ଣ କରିବି ? ଆଉ ତ କିଛି ଉପାୟ ନାହିଁ ।” ଗାଲ ଉପରକୁ ବୋହି ଆସୁଥିବା ଲୁହକୁ ପୋଛି ପକାଉଥିଲା ମିଲି । ତା’ ମନର ଭାବନାକୁ ବୁଝିପାରୁ ଥିଲେ ସୁଷମା । ତାଙ୍କ ଝିଅ ହୋଇଥିଲେ ସେ କ’ଣ ଏପରି କରି ପାରିଥାନ୍ତେ ?

ରାତିରେ ଖାଇ ବସିଲାବେଳେ ସୁଷମା କହି ଉଠିଲେ, “ଜିତୁ, ମିଲିର ବାହାଘର ସେଠାରେ ହେବ ନାହିଁ । ସେ ପିଲାର ବୟସ ଅଧିକ, ତା’ ଛଡ଼ା ଜମା ମ୍ୟାଚ୍ କରୁ ନାହିଁ । ମୁଦିଟା ତମେ ଫେରେଇ ଦିଅ ।” ଫିଲ୍ମ ଡାଇରେକ୍ଟର ପରି ନିର୍ଦ୍ଦେଶ ଦେଉଥିଲେ ସୁଷମା- “କିନ୍ତୁ ଭାଉଜ, କଥାଟା ଅସୁନ୍ଦର ହେବ । ତା’ ଛଡ଼ା ବାହାଘର ଭାଙ୍ଗିଗଲେ ପୁଣି ପ୍ରସ୍ତାବ ଆସିବା କଷ୍ଟ ହେବ । ମିଲି ପୁଣି କରିବ କ’ଣ ?”

“ମିଲି କାଲି ସକାଳୁ ଆମ ସାଙ୍ଗରେ ଯିବ । ସେଠାରେ ସେ ମୋ ପାଖରେ ରହି ବି. ଏ. ପଢ଼ିବ । ତା’ ବାହାଘର ପାଇଁ ତମେ ଚିନ୍ତା କରିବା ଦରକାର ନାହିଁ । ଭାଇଙ୍କଠୁ ପଇସା ନେଇ ଘର ଛାତଟା ଜଲ୍‌ଦି ତିଆରି କର । ବର୍ଷାରେ ପିଲାଗୁଡ଼ାକ ହଇରାଣ ହେଉଛନ୍ତି । ମିଲିର ବୟସ ବା କେତେ ହୋଇଛି ? ତମେ କିଛି କହୁନ ବା କ’ଣ ?”

ପ୍ରଥମଥର ପାଇଁ ସୁଷମାଙ୍କ କଥାଗୁଡ଼ାକ ଅମୃତ ପରି ଲାଗୁଥିଲା କେଦାରଙ୍କୁ । ଚାତକ ଯେପରି କଳା ମେଘ ଦେଖିଲେ ଉଡ଼ି ବୁଲେ, ତାଙ୍କୁ ବି ସେମିତି ଆକାଶରେ ଉଡ଼ିବା ପାଇଁ ଇଚ୍ଛା ହେଉଥିଲା । ମିଲିର ମୁହଁରେ ହସର ଲହରୀ । ପ୍ରତିଭା ପ୍ରତିବାଦ କରୁଥିଲା । “ତୁ ପାଟି ଚୁପ୍ କର । ଘର ସମ୍ଭାଳୁଛୁ ବୋଲି କ’ଣ ସବୁ ନିଷ୍ପତ୍ତି ତୁ ନେବୁ । ମିଲି ଉପରେ କ’ଣ ଆମର ଅଧିକାର ନାହିଁ ?” ଚକ୍ରବର୍ତ୍ତୀ ରାଜା, ସାମନ୍ତ ରାଜାର ରାଜ୍ୟ ଉପରେ ଅଧିକାର ଜାହିର କଲା ପରି କହୁଥିଲେ ସୁଷମା ।

“ଅପା ତମ ବାଲା ଦୁଇଟା ରଖ ।” ନିଜ ହାତରୁ ସୁଷମାଙ୍କ ନୂଆ ବାଲା ଦୁଇଟା କାଢ଼ି ଦେଉଥିଲେ ପ୍ରତିଭା ।

“ଖାଲି ହାତ ହୋଇ ତୁ କ’ଣ ଆମ ନାଁ ପକାଇବୁ । ସେ ବାଲା ଦି’ପଟ ତୋର । ଝିଅର ସୁନା ପାଇଁ ତୋତେ ଚିନ୍ତା କରିବା ଦରକାର ନାହିଁ । ଭାରି ଘରଣୀ ହୋଇଛି ।”

ଏଥର ଦିଅର ଉଦ୍ଦେଶ୍ୟରେ କହିଲେ, “ଖବରଦାର କହୁଛି, ଜିତୁ, ତା’ ସୁନା ଜିନିଷରେ ତୁମେ ହାତ ଦେବନି । ପଇସା ଦରକାର ହେଲେ ଆମକୁ ଜଣାଇବ ।” ପାରିବାରିକ ହିନ୍ଦୀ ସିନେମାର କ୍ଲାଇମାକ୍ସ ପରି ଲାଗୁଥିଲା କେଦାରଙ୍କୁ ।

ରାତିରେ ଶୋଇଲାବେଳେ ସୁଷମାଙ୍କ ବେକ ଉପରେ ଆଖି ପଡ଼ିଲା କେଦାରଙ୍କର, “ତମ ଚେନ୍‌ଟା କେଉଁଠି ରଖିଲ ?” “ତମ ଭାଇବୋହୂଟା ମନେ ମନେ ବେଶୀ ଚାଲାକ୍ । ପିଲାଙ୍କ ପେଟରୁ କାଟି ମୋ ପାଇଁ ଜିନିଷ ରଖୁଛି । ଚାଉଳ, ମୁଗ, ବିରି ଆମ ପାଇଁ ଦେଉଛି, ହେଲେ ନିଜ ପାଇଁ ଶାଢ଼ୀଟେ କିଣୁନି । ଜିତୁଟା ବି କେମିତିକା ସ୍ୱାମୀ କେଜାଣି । ଖାଲି ବେକ କରି ବୁଲୁଥିଲା । ମୋ ଚେନ୍‌ଟା ତାକୁ ଦେଇଦେଲି । ଯାହା କୁହ ପ୍ରତିଭାଟା ଭାରି ବଢ଼ିଆ ଝିଅଟେ ।”

“ଜିତୁ ବାହାଘରବେଳେ ମୁଁ ପରା ତାକୁ ବାଛିଥିଲି ।” କେଦାର କହିଲେ ।

“ଆଚ୍ଛା ? ତମର ପୁଣି ଏତେ ଚଏସ୍ ? ମୁଁ ପରା ପସନ୍ଦ କରି ମୁଦି ପିନ୍ଧାଇଥିଲି । ସବୁ ଭୁଲିଗଲଣି ?” ସୁଷମା କହୁଥିଲେ ।

କେଦାର ଅନାଉଥିଲେ ସୁଷମାଙ୍କ ମୁହଁକୁ । ତାଙ୍କୁ ଲାଗୁଥିଲା ସୁଷମାଙ୍କୁ ସେ ନୂଆ ଭାବେ ଆବିଷ୍କାର କରୁଛନ୍ତି ।

ଲୋକପ୍ରିୟ ଲେଖା

To Top