ଗଳ୍ପ

ଉପଦ୍ୱୀପ

Manjurani Mishra's Odia Story UPADWIPA

ପ୍ରୀତିର ସେଥିପ୍ରତି ଖିଆଲ ନ ଥିଲା । ମୀରାର ରୋଗଶଯ୍ୟା ପାଖରେ ସେ ବସି ରହିଥିଲା ମୃଣୟୀ ପ୍ରତିମାଟିଏ ପରି ରାତି ରାତି ଅନିଦ୍ରା ହୋଇ ।

ଉପଦ୍ୱୀପ

କେତେ ସମୟ ପାଇଁ କୋଳାହଳମୟ ହୋଇ ଉଠୁଥିବା ଏଇ ନୀଡ଼ଟା ପୁଣି ସ୍ତବ୍ଧ ହୋଇଯିବ । ପ୍ରୀତି ଚାଲିଯିବ । ହଁ ଚାଲିଯିବା ପାଇଁ ତ ସେ ଆସିଥିଲା । ପ୍ରୀତି ଚାଲିଯିବ ଅଥଚ ଝିଅ ମୀରାକୁ ଦେଖିଲେ ସବୁବେଳେ ମନେପଡୁଥିବ ପ୍ରୀତି । ସେ ପୁଣି ନିଜକୁ ସହଜ କରିବେ । ମୀରାକୁ ନିଜ ହାତରେ ଖୁଆଇ ସ୍କୁଲ୍‌ରେ ଛାଡ଼ି ଅଫିସ୍ ଯିବେ । ଆସିଲାବେଳେ ମୀରା ସ୍କୁଲ୍‌ରୁ ଫେରି ଆସିଥିବ । ଆୟା ନାଁରେ କେତେ ଯେ କଥା ନାଲିସ୍ କରୁଥିବ । ଆଉ ଶେଷରେ ଜିଦ୍ ଧରିବ ଚାଲ ମାମା ପାଖକୁ ଯିବା । ଦୀପଙ୍କର ବୁଝାଇ ବୁଝାଇ ଥକି ଯିବେ ।

ଦୀପଙ୍କର ଆଖି ତୋଳିଲେ । ମସୃଣ ଆକାଶରେ ଚଲାମେଘର ଉଜାଣି ଦଳ ଦଳ ଚଢ଼େଇ । ଢେଉ ଢେଉକା ଅବିର ବୋଳା ପାହାଡ଼ । ଦୂରରୁ ଦେଖା ଯାଉଛି ସମୁଦ୍ର । ପ୍ରୀତି ଭାରି ଭଲପାଏ ଏମିତି ସମୁଦ୍ର ରଙ୍ଗର ଶାଢ଼ୀ ପିନ୍ଧିବାକୁ । ପ୍ରୀତି ଆଜି ଚାଲିଯିବ । ଅଥଚ ଏଇ ଘରେ ପ୍ରୀତିକୁ ନେଇ କଟିଛି କେତେ ସବୁ ହେମନ୍ତର ସିକ୍ତ ସଜଳ ସକାଳ, ବସନ୍ତର ଛାୟାଛନ୍ନ ଶୀତଳ ଅପରାହ୍ନ, ଆଶ୍ୱିନର ରକ୍ତାକ୍ତ ଗୋଧୂଳି, କେତେ ଶ୍ରାବଣର ଲମ୍ୱା ଲମ୍ୱା ରାତି ।

ଆଠମାସ ତଳେ ଡାଇଭର୍ସ କରିଥିବା ସ୍ତ୍ରୀକୁ ଏମିତି ଏକ ପରିସ୍ଥିତି ସହିତ ଆଡ଼ଜଷ୍ଟ୍ କରିବାକୁ ପଡ଼ିବ, ଏହା ତାଙ୍କର କଳ୍ପନା ବାହାରେ ଥିଲା । ଏମିତି ଏକ ଅସମ୍ଭବ ଅନୁରୋଧ କରିବାକୁ ଯାଇ ଏକ ଅଜଣା ଭୟରେ ସେ ଅଟକି ଯାଇଥିଲେ । ବିବାହ ଛାଡ଼ପତ୍ର ଦଲିଲରେ ବିନା ପ୍ରତିବାଦରେ ସ୍ୱାକ୍ଷର କରିଥିବା ସ୍ତ୍ରୀଟି ନିଜ ପ୍ରେମ ପ୍ରଣୟର ଉପହାର ପାଇଥିବା ଏକଦା ସ୍ୱାମୀ ବୋଲାଉଥିବା ପୁରୁଷଠୁ ଏମିତି ଗୋଟେ ଫୋନ୍ ପାଇ ଶହେ ଅଶୀ କିଲୋମିଟର ବାଟରୁ ଅଣନିଶ୍ୱାସୀ ହୋଇ ଚାଲି ଆସିବ, ଏକଥା ବିଶ୍ୱାସ କରିବାକୁ ସେ କୁଣ୍ଠାବୋଧ କରିଥିଲେ ।

କିନ୍ତୁ ପ୍ରୀତି ସତରେ ଆସିଥିଲା । ଦୀପଙ୍କର ପ୍ରୀତି ଆଗରେ କେମିତି ସଙ୍କୁଚିତ ହୋଇ ପଡୁଥିଲେ । ଦୀର୍ଘ ଏତେଗୁଡ଼ାଏ ବର୍ଷ ଘନିଷ୍ଠ ହୋଇ ଚଳିଥିଲେ ସୁଦ୍ଧା ସେ ମୁହଁ ତୋଳି ପ୍ରୀତି ମୁହଁକୁ ସିଧା ଚାହିଁ ପାରୁନଥିଲେ । ପ୍ରୀତିର ସେଥିପ୍ରତି ଖିଆଲ ନ ଥିଲା । ମୀରାର ରୋଗଶଯ୍ୟା ପାଖରେ ସେ ବସି ରହିଥିଲା ମୃଣୟୀ ପ୍ରତିମାଟିଏ ପରି ରାତି ରାତି ଅନିଦ୍ରା ହୋଇ । ଆଉ ମୀରାର ଛୋଟ ଓଠ ଦୁଇଟିରେ ହସଖୁସିର ନାଲି ନାଲି ଫୁଲ ଫୁଟି କୁଢ଼େଇ ହୋଇ ପଡ଼ିଥିଲା । ଦୀପଙ୍କର ସମ୍ୱିତ୍ ଫେରି ପାଇଥିଲେ । ତାଙ୍କ ଆଖିରେ ପ୍ରୀତି ଐଶ୍ୱର୍ଯ୍ୟମୟୀ କରୁଣାମୟୀ ଦେବୀଟିଏ ପରି ଲାଗୁଥିଲା, ଯାହା ପାଖରେ ଗଚ୍ଛିତ ଅଛି ଅକଳନ୍ତି ସ୍ନେହ ମମତାର ସ୍ତୁପ । ଅକାତରେ ସେ ଦାନ କରେ ।

ଏଇ ସନ୍ଧ୍ୟା ଆସିଗଲା । ଶୁକ୍ଳ ତିଥିର ଜହ୍ନ ଉଙ୍କି ମାରିଲାଣି । ରଜନୀଗନ୍ଧାର ବାସ୍ନା ଆସୁଛି । ବଗିଚାରେ ଫୁଲମାନେ ଦୋଳି ଖେଳୁଛନ୍ତି । ବାଲକୋନିରୁ ଦେଖାଯାଉଛି ପ୍ରୀତି । ମୀରା ହାତ ଧରି ବୁଲୁଛି ଫୁଲ ବଗିଚାରେ । ମୀରା ଟିକେ ଭଲ ହୋଇ ଆସିଲାଣି । ପ୍ରୀତି ହସୁଛି । ଛବିଶଟି ବସନ୍ତର କଢ଼ ଫୁଲ ପ୍ରୀତି ତନୁରେ ସଜ୍ଜିତ ସୁରଭିତ । ପ୍ରୀତି କେମିତି ଆଜି ଲାବଣ୍ୟରେ ଛଳଛଳ ଲାଗୁଛି । ସେ ଯଦି ସୁଜିତ ମହାନ୍ତିର ଫୋନ୍‌ଟାକୁ ବିଶ୍ୱାସ କରିନଥାନ୍ତେ । ପ୍ରୀତି ନଷ୍ଟଚରିତ୍ରା ବୋଲି ପ୍ରଥମେ ଦୁଃସମ୍ୱାଦ ଦେଇଥିଲା ସୁଜିତ୍ ମହାନ୍ତି । ଏତେଦିନ ଧରି ଗୋଟିଏ ବିଛଣାରେ ରାତି କଟାଉଥିବା ପ୍ରୀତି ଦେହରେ ସେ ଅଜଣା ଋତୁର ବାସ୍ନା ବାରି ପାରିଲେ । ତା’ପରେ ଘର ସଂସାରର ନିବୁଜ ଦୃଶ୍ୟ କେମିତି ଝାପ୍ସା ଦେଖାଗଲା । ମତାନ୍ତର ମନାନ୍ତର ଆଉ ଯୁକ୍ତିତର୍କର ଶେଷ ପରିଣତି ଛାଡ଼ପତ୍ର । ପ୍ରୀତି ବିନା ପ୍ରତିବାଦରେ ଛାଡ଼ପତ୍ର ଦଲିଲରେ ସ୍ୱାକ୍ଷର କରିଦେଇଥିଲା । ଦୀପଙ୍କର ଭୟ କରୁଥିଲେ ହୁଏତ ପ୍ରୀତି କିଛିଟା ବି ସମାଧାନ କରାଇ ଦେବନି । କେସ୍ କରିବାକୁ ଧମକ ଦେବ । ବାପ ଘରକୁ ଚାଲିଯିବ । ସୁଇସାଇଡ଼ କରିଦେବ । କିନ୍ତୁ ପ୍ରୀତି ସେମିତି କିଛି କରିନଥିଲା । ହୁଏତ ଭାବିଥିଲା ସ୍ୱାମୀର ସ୍ତ୍ରୀ ବୋଲି ଦୁନିଆଁ ଆଗରେ ପରିଚୟ ଦେବା ପାଇଁ କ’ଣ କୋର୍ଟ କଚେରୀ ଦରକାର ହୁଏ ? ପ୍ରତିଜ୍ଞା କରି କ’ଣ କେହି କାହାକୁ ଭଲ ପାଏ ? ଗଲାବେଳେ ଖାଲି ଅନୁରୋଧ କରିଥିଲା ମୀରାର ଭଲ ମନ୍ଦ ତାକୁ ଜଣେଇ ଦେବାକୁ । ଫୋନ୍‌ରେ ଟିକେ ମୀରା ସାଙ୍ଗରେ କଥା ହେବାକୁ । ସମ୍ପର୍କ ତୁଟିଗଲେ ବି ମୀରାକୁ ସେ ଜନ୍ମ କରିଛି ସେଇଟା ତ ମିଛ ନୁହେଁ । ଦୀପଙ୍କର ତାତ୍ସଲ୍ୟରେ ହସିଥିଲେ । ଏହା ବିବାହ ଛାଡ଼ପତ୍ର ଦଲିଲର ସର୍ତ୍ତ ନୁହେଁ । ତାଙ୍କର ଇଚ୍ଛା ଅନିଚ୍ଛା ଉପରେ ନିର୍ଭର କରେ । ମୀରା ଉପରେ ପ୍ରୀତିର ଆଉ ବିନ୍ଦୁଏ ମଧ୍ୟ ଅଧିକାର ନାହିଁ । ପ୍ରୀତିକୁ ସେ ଘୃଣା କରୁଥିଲେ, ଆକଣ୍ଠ ଘୃଣା । ପ୍ରୀତି ଚାଲିଯାଇଥିଲା । ଆଶ୍ୱାସନାର ଚଲାମେଘଟିଏ ତାଙ୍କ ମନର କଠିଣ ପୃଥିବୀ ଉପରେ ପକ୍ଷ ମେଲାଇଥିଲା । ସେ ଗଭୀର ଆତ୍ମପ୍ରସାଦରେ ମୀରାକୁ କୋଳେଇ ନେଇଥିଲେ । ମୀରା ମନରେ ସେ ମିଛ ଚାରାଗଛ ରୋପଣ କରିଥିଲେ । ପ୍ରୀତି ବହୁତ ଦୂରରେ ଚାକିରୀ କରିଛି ବୋଲି ଗପ ଶୁଣାଉଥିଲେ । ମିଛରେ ଫୋନ୍‌ରେ କଥା ହେଉଥିଲେ । ମୀରାକୁ ନେଇ ସେ ବାହାରେ ବୁଲୁଥିଲେ ଛୁଟିଦିନ ମାନଙ୍କରେ । ଡ୍ରେସ୍ ଖେଳନା କିଣି ଦେଉଥିଲେ ମନଇଚ୍ଛା । ମୀରାର ଅସୁବିଧା ନ ହେବା ପାଇଁ ଚାକର ଆୟା ରଖିଥିଲେ । ମୀରାକୁ ନେଇ ବିତାଉଥିଲେ ତାଙ୍କର ଅବଶିଷ୍ଟ ଜୀବନ । ମୀରାକୁ ସେ ଶିକ୍ଷିତା କରିବେ । ସବୁ ସମ୍ପତ୍ତି ବିନିମୟରେ ଖୁବ୍ ବଡ଼ଘରେ ବାହା କରିବେ ଖୁବ୍ ବଡ଼ଘରେ. . . ।

ହଠାତ୍ ଦିନେ ଧୂମକେତୁ ପରି ପହଞ୍ଚି ଯାଇଥିଲା ସୁଜିତ୍ ମହାନ୍ତି ବିନା ଭୂମିକାରେ ଦୀପଙ୍କର ଶିପ୍ରାର ବିବାହ ପ୍ରସ୍ତାବ ନେଇ । ଆଉ ସୂଚାଇଥିଲା ବିବାହ କରିପାରିଲେ ହିଁ ସେ ପ୍ରୀତି ଉପରେ ଚରମ ପ୍ରତିଶୋଧ ନେଇପାରିବ । ବନ୍ଧୁ ବୋଲି ପରିଚୟ ହେଉଥିବା ସୁଜିତ୍ ମହାନ୍ତିର ମୁହଁକୁ ସେ ଭଲ କରି ଚାହିଁଥିଲେ । ସୁଜିତ୍ ମହାନ୍ତିକୁ ବିଶ୍ୱାସ କରି ଗୋଟିଏ ବି ପ୍ରମାଣ ନ ଥାଇ ପ୍ରୀତିକୁ ସବୁଦିନ ପାଇଁ ନିଜ ଚଲାପଥରୁ ଦୂରେଇ ଦେଇପାରିଲେ । ସେମିତି ତା’ କଥାରେ ବିଶ୍ୱାସ କରି ଶିପ୍ରାକୁ କ’ଣ ସବୁଦିନ ପାଇଁ ନିଜର କରିଦେବ ? କିନ୍ତୁ ଶିପ୍ରା ସହିତ ବିବାହ ପ୍ରସ୍ତାବ ପକାଇବାରେ ସୁଜିତ୍ ମହାନ୍ତିର କି ସ୍ୱାର୍ଥ ଥାଇପାରେ ? ଅନେକ ଆଗରୁ ସୁଜିତ୍ ଆଉ ଶିପ୍ରା ନାଁରେ ଗୁଜବ ସହରର ପାଣି ପବନରେ ଖେଳିଯାଇଥିଲା । ଶିପ୍ରାକୁ ବିବାହ ନ କରିବା ପାଇଁ ସେ ସୁଜିତ୍ ମହାନ୍ତି ସହିତ ଥିବା ବନ୍ଧୁତ୍ୱର ପରିଚୟ ପତ୍ରକୁ ପୋଡ଼ି ଜାଳି ନଷ୍ଟ କରିଦେଲେ ।

ଆଉ ଶେଷ ଜୀବନର ଏକମାତ୍ର ସାହାର ମୀରା କଥା ଥିଲା ଅନେକ କିଛି ।

“କଥା ଛିଲ ଏକ ତରୀତେ କେବଲ ତୁମି ଆମି
ଯାବ ଆକାରନେ ଭେସେ କେବଲ ଭେସେ
ତ୍ରିଭୁବନେ ଜାନବେନା କୋଉ ଆମାର ତୀର୍ଥଗାମୀ
କୋଥାୟେ ଯେତେଛି କୋନ୍ ଦେଶେ ସେ କୋନ୍ ଦେଶେ”

ଆଉ ଦିନେ ଶ୍ରାବଣର ଅମା ଅନ୍ଧାର ରାତିରେ ଏକାକୀ ଆସିଥିଲା ପ୍ରୀତି । ଅନୁରୋଧ କରିଥିଲା ବିକଳରେ । “ମୀରାକୁ ମତେ କେତେଦିନ ପାଇଁ ଦିଅ । ସବୁଦିନ ପାଇଁ ନୁହେଁ । ତା’ ନ ହେଲେ ମୁଁ ବଞ୍ଚି ପାରିବିନି । ତୁମେ ଶିପ୍ରାକୁ ବିବାହ କର । ସୁଖରେ ରୁହ ।” ଗମ୍ଭୀର କଣ୍ଠରେ ଦୀପଙ୍କର କହିଲେ “ଅସମ୍ଭବ ମୀରାକୁ ମୁଁ ଦେଇପାରିବିନି । ମୀରାକୁ ତୁମେ ଯେମିତି ପ୍ରାଣ ବୋଲି ଭାବ ମୁଁ ସେମିତି ଆତ୍ମା ବୋଲି ଭାବେ । ରାତି ଅଧରେ ଏମିତି ବାଚାଳତା ମତେ ମୋଟେ ଭଲ ଲାଗେନି । ମୁଁ ଯଦି ସେଇ ପ୍ରଶ୍ନ ତୁମକୁ ପଚାରେ ତୁମେ ତ ବିବାହ କରି ସ୍ୱଚ୍ଛନ୍ଦରେ ଜୀବନ କଟାଇ ପାରନ୍ତ ?” ପ୍ରୀତି ଆଖିରେ ଦୁଃଖର ନଦୀ କୂଳ ଭାଙ୍ଗି ଉଛୁଳି ଉଠିଥିଲା । ମୁହଁ ତଳକୁ କରି କହିଥିଲା “ମୋ ପ୍ରଶ୍ନର ଉତ୍ତର ମୁଁ ପାଇ ସାରିଛି । ମୀରାକୁ ଟିକେ ଦେଖି ଚାଲିଯିବି । ଆଉ କେବେ ତୁମକୁ ବିରକ୍ତ କରିବାକୁ ଆସିବିନି ।” ଦୀପଙ୍କର ରାଜି ହୋଇନଥିଲେ । କହିଥିଲେ “ଏମିତି ନାଟକ ମତେ ଆଦୌ ଭଲ ଲାଗୁନି ପ୍ରୀତି । ରାତି ବହୁତ ହେଲାଣି ।”

ପ୍ରୀତି ଚାଲିଯାଇଥିଲା ଏକା ଏକା । ଶ୍ରାବଣର ଝଡ଼ ଭିତରେ ସେଦିନ ସାରାରାତି ସେ ଶୋଇ ନ ଥିଲେ । ପ୍ରୀତିର ସ୍ମୃତି ତାଙ୍କୁ କାକ୍ଟସ୍ ପରି ଶୋଷି ଚାଲିଥିଲା ।

ଆଜି କାହିଁକି ଅନୁତାପ ଆସେ ? ସୁଜିତ୍ ମହାନ୍ତିକୁ ଦେଖିଲେ ଖୁନ୍ କରିଦେବା ପାଇଁ ଇଚ୍ଛା ହୁଏ । ତାଙ୍କ ଉଜୁଡ଼ା ସଂସାରର ସାକ୍ଷୀ ମୀରାକୁ ଦେଖିଲେ କେମିତି ଗୋଟାଏ ବେଦନାରେ ତାଙ୍କ ମନର ବେଳାଭୂମି ଓଦା ହୋଇଯାଏ ।

କେତେଦିନ ପରେ ମୀରାକୁ ଜ୍ୱର । ଦେହରେ ଖଇଫୁଟା ତାତି । ଜ୍ୱର ବାଉଳାରେ ମୀରା ପ୍ରତୀକୁ ଖୋଜୁଥିଲା, ସଂଜ୍ଞା ହରାଇ ପଡୁଥିଲା । ମୀରାକୁ କୋଳେଇ ନେଇ ଦୀପଙ୍କର ଆତଙ୍କରେ ଶିହରୀ ଉଠୁଥିଲେ । ମୀରାର ଯଦି କିଛି ହୋଇଯାଏ । ତାଙ୍କ ବିବେକ ବାଧ୍ୟ କରିଥିଲା ପ୍ରୀତିକୁ ଡାକିବା ପାଇଁ । କିନ୍ତୁ ଏଇ କେତେଦିନ ତଳେ ସେ ପ୍ରୀତିକୁ ଅପମାନ ଦେଇ ଘରୁ ବାହାର କରିଦେଇଥିଲେ । ଅଥଚ. . . ପ୍ରୀତି କ’ଣ ସେ ଅପମାନକୁ ଭୁଲିଯାଇ ଆସିବ ? ତାଙ୍କ ଆଖି ସାମ୍ନାରେ ହତାଶାର କଳାମେଘ ଘୋଟି ଆସିଥିଲା ।

କିନ୍ତୁ ପ୍ରୀତି ସତରେ ଆସିଥିଲା । ସବୁ ନିନ୍ଦା ଅପମାନର କାବ୍ୟକୁ କେଉଁ ଅନ୍ଧକାର କୂପରେ ନିଶ୍ଚିହ୍ନ କରି ଏକଦା ଝିଅ ବୋଲି ଦାବୀ କରୁଥିବା ଅବୁଝା ଶିଶୁ ପାଖରେ ସେ ରାତି ରାତି ଅନିଦ୍ରା ହୋଇ ବସିଥିଲା । ବାତ୍ସଲ୍ୟ ପ୍ଲାବନରେ ଜଡ଼ାଇ ଧରି ସେ ପାଇଥିଲା ଅମୀୟ କବିତାର ଝଙ୍କାର । କିନ୍ତୁ ଏଥିପାଇଁ ତା’ର କେଉଁ ସ୍ୱାର୍ଥ ଥାଇପାରେ ? ଦୀପଙ୍କର ହତବାକ୍ ହୋଇ ଚାହିଁ ରହିଥିଲେ । ମାତୃତ୍ୱର ଝଲକରେ ଝଲସି ଉଠୁଥିବା ସେଇ ଶାନ୍ତ ସୁନ୍ଦର ମୁହଁଟିକୁ । କିଛି ଗୋଟାଏ ପଚାରିବାକୁ ଗଲାବେଳେ ସଙ୍କୋଚରେ ସେ ଅଟକି ଯାଉଥିଲେ । କିନ୍ତୁ ପ୍ରୀତିର ଯେମିତି କିଛି ହୋଇନି । ସ୍ୱାମୀର ସଂସାରରେ ସେ ଯେମିତି ବିନ୍ଦୁଟିଏ ।

ଦୀପଙ୍କର ଉଠିଲେ । ଆକାଶରେ ମାୟାବିନୀ ଚନ୍ଦ୍ରିମା । ପେନ୍ଥା ପେନ୍ଥା ତାରା ଫୁଲଙ୍କ ପଟୁଆର । ପ୍ରୀତି ଆଜି ଚାଲିଯିବ । କିନ୍ତୁ ସେ କାହିଁକି ଏମିତି ଦୁର୍ବଳ ହୋଇ ପଡୁଛନ୍ତି ? ପ୍ରୀତି ଯାଉ । ସେଥିରେ ଭାବିବାକୁ କ’ଣ ଅଛି ? ଯିବା ପାଇଁ ତ ସେ ଆସିଥିଲା ।

ଆଉ ଏକା ଟେବୁଲରେ ଖାଇଲା ବେଳେ ବିନା ଭୂମିକାରେ ସେ କହିଥିଲେ “ମୀରାକୁ ତୁମେ ନେଇଯାଅ ପ୍ରୀତି । ସେ ସବୁବେଳେ ତୁମକୁ ଝୁରୁଛି । ବିବାହ ଛାଡ଼ପତ୍ର ଦଲିଲରେ ଏମିତି ଗୋଟେ ସର୍ତ୍ତ ନଥିଲେ ମଧ୍ୟ ବିନା ପ୍ରତିବାଦରେ ମୀରାକୁ ଦେଇ ଦେବାକୁ ମୁଁ ରାଜି । ସେଦିନର ବ୍ୟବହାର ପାଇଁ ଅନୁତପ୍ତ । ସେଦିନ ମୋ ମୁଣ୍ଡ କାମ କରୁନଥିଲା । ପଛ କଥା ଭୁଲି ଯାଅ ପ୍ରୀତି ।”

ପ୍ରୀତି ହସିଲା । କହିଲା “ସେମିତି କାହିଁକି ଭାବୁଛ ? ମୀରାକୁ ମତେ ନ ଦେଇ ତୁମେ ବୋଧହୁଏ ଠିକ୍ କରିଛ । ଆଉ ମୀରାକୁ ନ ନେଇ ମୁଁ କିଛି ଭୁଲ୍ କରିନି । ମୋ ପାଖରେ ରହିଲେ ତା’ର ଭବିଷ୍ୟତ ଅନ୍ଧାର ହୋଇଯିବ । ସମାଜ ସବୁବେଳେ ସନ୍ଦେହ କରିବ । ତୁମେ ଶିପ୍ରା ମହାନ୍ତିକୁ ବିବାହ କର । ସବୁ ଠିକ୍ ହୋଇଯିବ । ମୀରା ଛୋଟ ଛୁଆ । ତାକୁ ଭୁଲିବାକୁ କ’ଣ ସମୟ ଲାଗିବ ?”

ଗାଡ଼ି ବାହାର ହେଲାଣି । ବିଦାୟୀ ଲଗ୍ନଟି ପାଖେଇ ଆସୁଥିଲା । ମୀରା କାନ୍ଦୁଥିଲା ତୁମେ ଚାକିରୀ ଛାଡ଼ିଦିଅ ମାମା । ଆମେ ସମସ୍ତେ ଏକାଠି ରହିବା । ତୁମେ ମତେ କହିବ ଡଲଫିନ୍ ମାଛ ଆଉ ସୁନା ଚଢ଼େଇ କଥା । ବାପା ନା ଜମା ଗପ କହନ୍ତି ନାହିଁ । ଆୟା ମତେ ସବୁବେଳେ ମାରେ । ଖାଇବାକୁ ମାଗିଲେ ଦିଏନି । ତୁମେ ଏଠି ରୁହ, ଗପ କହିଦେବ । ଖୁଆଇ ଦେବ । ଗୀତ ଗାଇ ଶୁଆଇ ଦେବ । ମୀରା ପ୍ରତି କୋଳରେ ବସିଥିଲା ଆଉ ପ୍ରୀତି ଆଖିରେ ଶ୍ରାବଣର ପ୍ଲାବନ । ସେ ଆକାଶକୁ ଚାହିଁ ବଞ୍ଚିବାର ଭିକ୍ଷାପାତ୍ର ମାଗୁଥିଲା ଈଶ୍ୱରଙ୍କୁ ।

ଲୋକପ୍ରିୟ ଲେଖା

To Top