ଗଳ୍ପ

ହୁଇଲ୍ ଚେୟାର୍

Laxmidhara Nayak's Odia Story WHEEL CHAIR

ଗଙ୍ଗା ତ ଏଇ ସମୁଦ୍ରରେ ହଜିଛି । ଗଙ୍ଗାରେ ପକାଇବା ଯାହା, ସମୁଦ୍ରରେ ଫୋପାଡ଼ିବା ସେୟା । ଆଇତି କରି, ଛପର ନ ଥିବା ଗୁହାଳ ରୁଅରେ ବାନ୍ଧିବି କାହିଁକି ?

ହୁଇଲ୍ ଚେୟାର୍

ଶବର ବାଁ ହାତ କାନି ଆଙ୍ଗୁଳିର ଶେଷ ପବଟିକୁ କାଟି ସଂଗ୍ରହ କରିବା ଆଗରୁ, ଜ୍ଞାତି-ଭାଇ ଜଣେ କହିଲେ- “ବାପାଙ୍କୁ କାନ ପାଖରେ ତିନିଥର ଡାକ୍ . . . ।”

ଶିବ ଡାକିଲା- “ବାପା. . . ବାପା. . . ବାପା. . . !”

ପ୍ରତିକ୍ରିୟା ଶୂନ୍ୟ କରୁଣ ସ୍ୱରଟି ଅଦୂରବର୍ତ୍ତୀ ସମୁଦ୍ରର ନୀଳିମା ଓ ମେଘମୁକ୍ତ ନୀଳ ଆକାଶର ବିସ୍ତୀର୍ଣ୍ଣ ଶୂନ୍ୟତା ଭିତରେ ହଜିଗଲା । ହୁଇଲ୍ ଚେୟାର୍‌ଟି ଉପରେ ପକ୍ଷାଘାତ ରୋଗରେ ମରି ଆଉଜିଥିବା ବୁଢ଼ା ବାପଟିର ଅସ୍ଥିସାର ଦେହଟିକୁ କରୁଣ ଦୃଷ୍ଟିରେ ଚାହିଁ ରହିଲା, ଶିବ. . . ।

ଜ୍ଞାତି ଭାଇ ଗୁଆ କାତିରେ କାନି ଆଙ୍ଗୁଳି ଅଗ ପବଟିକୁ କାଟିଲେ । ଜରିରେ ଗୁଡ଼ାଇ ଦିଆସିଲି ଖୋଳରେ ଭରୁ ଭରୁ କହିଲେ- “ଏଇ ଆଙ୍ଗୁଳି ଅଗରେ, ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଗିରି ଟେକି ଧରିଥିଲେ । ୟା’କୁ ନେଇ ଗଙ୍ଗାରେ ପକାଇଲେ, ଆତ୍ମାକୁ କୃଷ୍ଣ-ଗତି ମିଳେ । ଆଇତି କରି ଗୁହାଳ ଘର ରୁଅରେ ବାନ୍ଧି ଦିଅ । ବର୍ଷିକିଆ ଦିନ ଗଙ୍ଗାରେ ପକେଇବ. . . ।”

ଶିବର ସାନଭାଇ ଗୋବିନ୍ଦ ସେଇଟିକୁ ନେଉ ନେଉ କହିଲା- “ଗଙ୍ଗା ତ ଏଇ ସମୁଦ୍ରରେ ହଜିଛି । ଗଙ୍ଗାରେ ପକାଇବା ଯାହା, ସମୁଦ୍ରରେ ଫୋପାଡ଼ିବା ସେୟା । ଆଇତି କରି, ଛପର ନ ଥିବା ଗୁହାଳ ରୁଅରେ ବାନ୍ଧିବି କାହିଁକି ?”

ଏତିକି କହି, ସେ ଅଦୂରବର୍ତ୍ତୀ ସମୁଦ୍ର ଆଡ଼େ ଚାହିଁଲା । ଖୁବ୍ ଜୋର୍‌ରେ ଉଁ. . . ହୁଁ ବୋଲି ଅର୍ଥହୀନ ଶବ୍ଦ କରି, ପୂରା ଶକ୍ତି ଖଟାଇ, ଦିଆସିଲି ସହିତ ବାପାର କଟା ଆଙ୍ଗୁଳିକୁ ଫିଙ୍ଗିଦେଲା । ସମୁଦ୍ର କୂଳିଆ ଅପରାହ୍ଣ ପବନରେ ପିଟି ହେଇ, ଆଙ୍ଗୁଳିଟା ପାଣି ଆଡ଼େ ନ ଯାଇ, ବାଲିରେ କେଉଁଠି ପଡ଼ିଗଲା. . . ସେ ଆଡ଼େ ଚାହିଁଲା ନାହିଁ ଗୋବିନ୍ଦ । କେବଳ ମନକୁ ମନ କହିଲା- “ଯୁଆଡ଼େ ପଡୁଛି ପଡୁ । ବାପାର ଆତ୍ମା ବର୍ଷେ ଯାଏ ଅନେଇ ବସିବ କାହିଁକି ? ଏବେଠାରୁ ମୁକ୍ତି ପାଇଯାଉ. . . ।”

. . . ମହାବାତ୍ୟାର ଗାଁର ତିନିପା ଲୋକ ସମୁଦ୍ର ଗର୍ଭକୁ ଚାଲିଗଲେ । ଏଠି ହଜାରେ ଶବରୁ କମ୍ ଲାଗି ନଥିଲେ । ସବୁ ସ୍ୱର୍ଗକୁ ଚାଲିଗଲେ, ନା ପ୍ରେତ ହେଇଗଲେ । ଫାର୍‌ଶ. . . ଫାର୍‌ଶ. . . ।

ଏହା ପରେ ସେ ଫେରି ଆସି, ବାପାଙ୍କ ଶବକୁ ହତାଶିଆ ଆଖିରେ ଚାହିଁ ରହିଲା . . . ହାତ ମୁଠା ଦୁଇଟା ହୁଇଲ୍ ଚେୟାର୍‌ଟିର ବାହୁ ଦୁଇଟିକୁ ଜାବୁଡ଼ି ଧରିଛି । ଆଖି ଦୁଇଟି କଞ୍ଚା କଞ୍ଚା ଲାଗୁଛି । ଖୋଲା ରହିଛି । ଯେମିତି କି. . . ତାଙ୍କ ଯିବା ପରେ ଶିବ ଓ ଗୋବିନ୍ଦ କ’ଣ କରୁଛନ୍ତି. . . ସେ ସବୁ ଦେଖିବା ପାଇଁ ସେ ଅନେଇ ରହିଛନ୍ତି ।

ଗୋବିନ୍ଦ ଆଖିରୁ ଲୁହ ଦୁଇଧାର ଝରି ପଡ଼ିଲା. . . ଗୋଟାଏ ମହାନ୍ ଯୁଗର ଅବସାନକୁ ସେ ସହିପାରୁ ନଥିଲା ।

ଶିବ ପଚାରିଲା- “କେଉଁଠି ରଖିଲୁ ?”

. . . ଗୁହାଳ ତ ପଞ୍ଜରା କାଢ଼ି ଆକାଶକୁ ଅନେଇଛି । ରଖନ୍ତି କେଉଁଠି ? ରୁଅରେ ବାନ୍ଧି ଦେଇଥିଲେ କ’ଣ କୁଆ ଶାଗୁଣାଙ୍କ ଥଣ୍ଟରୁ ରକ୍ଷା ପାଇଥାନ୍ତା ।

– ପୁଣି, କଲୁ କ’ଣ ? ବାପାର ହାଡ଼ ଖଣ୍ଡେ ଗଙ୍ଗାରେ ପକେଇ ହେଇ ନଥାନ୍ତା ।

. . . ଦରକାର ନାହିଁ । ଫୋପାଡ଼ି ଦେଲି ସମୁଦ୍ର ଆଡ଼କୁ । ପୁଣି ବାତ୍ୟା ହେବ । ପୁଣି ଢେଉ ଉଠିବ । ମଣିଷ ପଶୁ ପକ୍ଷୀ ଘର, ଗଛ. . . ସବୁ ଧୋଇ ହେଇ ପାଣିରେ ମିଶିବ । ଢେଉ ଫେରି ଯିବା ବେଳେ ବାପାର ହାଡ଼ ତା’ ଗର୍ଭକୁ ନେଇଯିବ । ଗଙ୍ଗାକୁ ଗର୍ଭରେ ରଖିଛି । ବାପାର ଆତ୍ମା ମୁକ୍ତି ପାଇଯିବ. . . ।

– କିରେ ପାଗଳ ହେଲୁ କି ?

. . . ମୁଁ ପାଗଳ ନା, ତୁମେ ?

ମହାବାତ୍ୟାରୁ ଜୀବନକୁ ପଣ କରି, ବାପା ଆଉ ତୁମେ ମୋତେ ବଞ୍ଚେଇ ଦେଲ । ଏଠିକୁ ଆସି ଦେଖିଲା ବେଳୁ, ଗାଁର ଚିହ୍ନବର୍ଣ୍ଣ ନାହିଁ. . . ଖାଲି ଆମରି ଦୋତାଲା ଘରଟି ଠିଆ ହେଇଛି । ଗୁହାଳଟା ପଞ୍ଜରା କାଢ଼ି ଉପରକୁ ଅନେଇଛି ।

. . . ଯେମିତି ସାହସ ହରା ଲୋକ ନିଜ ଚାଳ ଘର ଛାଡ଼ି ଆମ ପକ୍କା ଘରେ ଆଶ୍ରୟ ନେବାକୁ ଆସିଥିଲେ, ବୋଉ ତାଙ୍କୁ ଉପର ତାଲାକୁ ପଠାଇ ଦେଇ, ତଳ ତାଲାରେ ଦୁଇ ପୁଅ, ତିନି ବୋହୂ ଓ ନାତି ନାତୁଣୀଙ୍କୁ ଧରି, ଶୁଖୁଆ କାଣ୍ଡିକୁ ଜଗି ରହିଲା ।

. . . କବାଟ ଫାଙ୍କରେ ପାଣି ପଶିଲା ବେଳେ, ଏମାନେ ଉପର ତାଲାକୁ ପଳାଇଯିବା ପାଇଁ କବାଟ ଖୋଲିଥିବେ । ଖୋଲିବା ସଙ୍ଗେ ସଙ୍ଗେ, ପାଣି ଘୋ’ ଘୋ’ ହେଇ ପଶିଥିବ । ଏମାନେ ଗୋଟାଏ କୋଣରେ କୁଣ୍ଢାକୁଣ୍ଢି ହେଇ, କି ଯେ ବିକଳରେ ମରିଥିବେ ! ! !

. . . ସେହି ଦିନରୁ, ଏ ଘରେ ମୁଁ ଏକା ରହିଲି- ପକ୍ଷାଘାତ ରୋଗୀ ବାପାଙ୍କୁ ଜଗିକି । ତୁମେ ଖଟିଲ ବାହାରେ । ଆଠ ବର୍ଷ ହେଇଗଲା ବାପା ହୁଇଲ୍ ଚେୟାର୍‌ରୁ ତଳକୁ ଆସିପାରି ନାହାନ୍ତି । ଅଣ୍ଟାରୁ ଗୋଡ଼ ଯାଏ ପକ୍ଷାଘାତ ହେଇଥିଲା- ସେହି ଭୟଙ୍କର ବାତ୍ୟା ରାତିରେ ।

. . . ଯେତେ କହିଲି- ବାପାଙ୍କୁ ଧରି, ଗାଁ ଛାଡ଼ି, ବାହାରକୁ ଚାଲିଯିବା । ତୁମେ ଏ ଗାଁ ମାଟି ଛାଡ଼ିବାକୁ ମନା କଲ । କି ମହକ ତୁମ ପାଇଁ ଏ ମାଟିରେ ଅଛି, ତୁମେ ଜାଣ ! ଡୁଙ୍ଗୀ ଗଲା. . . ଜାଲ ବି ଗଲା ସମୁଦ୍ର ମୁହଁରେ । ଯେଉଁଠି କୁଶ କଅଁଳୁ ନାହିଁ. . . ଯେଉଁଠି ଶବ ପାଇଁ ଛ’ଖଣ୍ଡ କାଠ ବାଉଁଶ ମିଳୁ ନାହିଁ, ଯେଉଁଠି ଘାସ ପତ୍ର ନ ଥିବାରୁ ଗାଈଗୋରୁ ଛେଳି ମେଣ୍ଢା କେହି ବି ନାହାନ୍ତି, ସେ ମାଟିକୁ ଆବୋରି ପଡ଼ି ରହିବାର ମାନେ କ’ଣ ଭାଇ ? ପାଗଳାମୀ ନୁହେଁ କି ?

ଗୋବିନ୍ଦର ଅଭିଯୋଗ, ଶିବକୁ ଆଠ ବର୍ଷ ତଳକୁ ଟାଣି ନେଲା. . . ।

ସ୍ତ୍ରୀ ଚମ୍ପା. . . ଚମ୍ପା ଫୁଲ ପରି ରଙ୍ଗ । ନାଲି ସିନ୍ଦୂର ଟୋପାଟି କପାଳରେ । ସବୁବେଳେ ହସ ହସ । ବର୍ଷେ ବର୍ଷେ ଅନ୍ତରରେ ଦୁଇଟି ପୁଅ. . . ଗୋଟିଏ ଝିଅ ମଣି, ମାଣିର, ମୋତି । ମୋତି ଚାରି ବର୍ଷର । ସୁନା, ରୂପା ବୋଲି ଦୁଇ ସାନ ବୋହୂ । ଝିଅଟିଏ ଲେଖାଁ- ସୁବୁଲୀ, ଚୁବୁଲୀ, । ସାନ ମଝିଆଁ, ବଡ଼ ମଝିଆଁ ଭାଇ ଦୁଇଟା । କଳା ମୁଗୁନି ପଥର ପରି ଛେଚିଲା କୁଟିଲା ଡେଙ୍ଗା ଦେହ । ଟ୍ରକେ ଶୁଖୁଆ ଧରି ପାରାଦ୍ୱୀପ ଯାଇଥିଲେ ବେପାରୀଙ୍କୁ ମାପି ଦେବାକୁ ।

ସେମାନେ ଫେରିଲେ ସିନା, କିନ୍ତୁ ବଞ୍ଚି ପାରିଲେ ନାହିଁ. . . ।

ସମସ୍ତେ ଏଇ ଘର ଭିତରେ ପ୍ରାଣ ବିକଳରେ କୁଣ୍ଢାକୁଣ୍ଢି ହେଇ ଚାଲିଗଲେ । କେତେ ଯେ ସ୍ମୃତି । ସେହି ସ୍ମୃତି ସବୁ ଶିବକୁ ଯେମିତି ମନା କରୁଛନ୍ତି- ଏ ଘର ଛାଡ଼ି ଯିବାକୁ । କିଏ କେଉଁଠି ବସେ. . . କିଏ କେଉଁଠି ଶୁଏ. . . କିଏ କିପରି ଏପଟ ସେପଟ ହେଇ କାମରେ ଲାଗିଥାଏ. . . ସବୁ ଶିବକୁ ଏଠି ଦିଶୁଛି ।

ଏ ସବୁକୁ ଛାଡ଼ି, ସେ ଅନ୍ୟ କେଉଁଠି ରହନ୍ତା କିପରି ? କିପରି ସେ ଘର ଛାଡ଼ି ସହରକୁ ଚାଲିଯାଇ ପାରନ୍ତା, ବାପା ଭାଇଙ୍କୁ ସାଙ୍ଗରେ ଧରି. . . ??

. . . ସେଇ ଦିନଟାର ସ୍ମୃତି ।

ଏବେ ବି ଛାତି ଥରାଇ ଦେଉଛି ।

ଅକ୍ଟୋବର ମାସ, ଅଠେଇଶ ତାରିଖ, ଗୁରୁବାର, ୧୯୯୯ ମସିହା । ମହାବାତ୍ୟାର ପୂର୍ବଦିନ. . . ।

ଦିନ ଗୋଟାଏ ପଚାଶ ମିନିଟ୍ ସମୟରେ କଟକ ଆକାଶବାଣୀ ପ୍ରଚାର କଲା- ବଙ୍ଗୋପସାଗରରେ ଲଘୁଚାପ ହେତୁ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ବାତ୍ୟାର ଆଶଙ୍କା । ଖାଲୁଆ ଅଞ୍ଚଳର ଲୋକେ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଓ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନ ଯିବାକୁ, ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ତରଫରୁ ସତର୍କ ସୂଚନା ଦିଆଯାଇଛି ।

. . . ଶିବ ହସିଲା । ବାତ୍ୟା ! ଅସରପାକୁ ଚଢ଼େଇ କହିବା ଯାହା, ଆକାଶବାଣୀର ପାଣିପାଗ ଘୋଷଣା ସେୟା. . . ।

ତା’ପରେ

ଲୋକପ୍ରିୟ ଲେଖା

To Top