ଗଳ୍ପ

ହୁଇଲ୍ ଚେୟାର୍

Laxmidhara Nayak's Odia Story WHEEL CHAIR

ଏକସ୍ତରୀ ମସିହା ବାତ୍ୟାଠାରୁ ଏ ବାତ୍ୟା ବଳିଗଲା । ମହାବାତ୍ୟା ଇଏ ! ସମୁଦ୍ର ଆଜି ପ୍ରଳୟମୁଖା ହେଇଛି । ଯେମିତିକି ମାଟିର ଚିହ୍ନ ବର୍ଣ୍ଣ ରଖିବ ନାହିଁ । ପୁଣିରେ ଶିବ. . . ଏଇ ଅଫିସ୍ ଘରଟା ଖାଲୁଆ ଜାଗାରେ ହେଇଛି । ଉପର ତାଲାକୁ ଯଦି ଢେଉ ଉଠେ, ଆଉ ନିସ୍ତାର ନାହିଁ ।

ହୁଇଲ୍ ଚେୟାର୍

-: ପୁର୍ବରୁ :-

ସାନ ଭାଇ ଗୋବିନ୍ଦ ସହିତ ବାପାଙ୍କୁ ଧରି ମୋଟର ଚାଳିତ ଡୁଙ୍ଗୀରେ ଗଭୀର ସମୁଦ୍ରକୁ ଯାଇଥିଲା ଶିବ । ପ୍ରଚୁର ମାଛ ଧରି, ରାତି ଆଠଟାରେ ଘରକୁ ଫେରିଥିଲା । ଘରର ସମସ୍ତେ ଲାଗିପଡ଼ି, ପିଠି ଚିରି. . . ବଡ଼ ବଡ଼ ମାଛରେ ଲୁଣ ଭରି ଶୁଖୁଆ ବଖରାରେ ରଖି ଦେଇଥିଲେ । ସାନ ମାଛ ସବୁଙ୍କୁ ବରଫ ଘରେ ସାଇତି ରଖିଥିଲେ- କାଲି ମାଛ ବେପାରୀଙ୍କୁ ଦିଆଯିବ ।

ପରଦିନ ୨୯ ତାରିଖ, ଶୁକ୍ରବାର !

ସକାଳୁ ସକାଳୁ ପ୍ରଚାର ଗାଡ଼ି ଘୋଷଣା କରି ଦେଇଗଲା. . . ସେହି ଏକା ଘୋଷଣା, ରେଡ଼ିଓ ବି ବାରମ୍ୱାର ଘଣ୍ଟେ, ଅଧଘଣ୍ଟା ଅନ୍ତରରେ ସମାନ ଘୋଷଣା କଲା । ଶିବ ପ୍ରଥମେ ଶଙ୍କିଯାଇ ଭାବିଥିଲା- ଏମିତି ଘୋଷଣା ତ କେବେ ହୁଏ ନା, କିନ୍ତୁ ଦିନ ଦେଢ଼ଟା ଯାଏ ପାଗର କିଛି ପ୍ରତିକୂଳ ପରିସ୍ଥିତି ଘଟିଲା ନାହିଁ । କେଉଟ ପୁଅ ପାଣିରେ ଘର । ସେ ଡରନ୍ତା କାହିଁକି ? ପୁଣି ତାଙ୍କ ପାଖରେ ଅଛି ଜାପାନ୍ ତିଆରି ଡବଲ୍ ଡାକୋଟା ଇଞ୍ଜିନ୍ ଖଞ୍ଜା ଡୁଙ୍ଗୀ । କୂଳରୁ ଚାରି ପାଞ୍ଚ କିଲୋମିଟର ଭିତରକୁ ଯାଇ ମାଛ ଧରୁ ଧରୁ ବାତ୍ୟାର ଆଶଙ୍କା ଜଣାଗଲେ, ପାଞ୍ଚ ମିନିଟ୍‌ରେ ଡୁଙ୍ଗୀ କୂଳ ଧରିବ ।

ନା, ଡେରି କରି ଲାଭ ନାହିଁ. . . ।

ଶିବ ଜାଲ ସଜିଲ୍ କରିବା ପାଇଁ ଗୋବିନ୍ଦକୁ କହିଲା, ନିଜେ ଡ୍ରମ୍‌ରୁ ପେଟ୍ରୋଲ୍ କାଢ଼ି, ଦୁଇଟା ଜାର୍‌ରେ ଭର୍ତ୍ତି କଲା । ବାପା ସେଠାରେ ପହଞ୍ଚିଯାଇ, ସର୍ଚ୍ଚ ଲାଇଟ୍ ପଗଡ଼ିଟା ମୁଣ୍ଡରେ ଦେଲେ । ଦୁଇ ଭାଇ ଜାଲ କାନ୍ଧେଇ, ପେଟ୍ରୋଲ୍ ଧରି, ଡୁଙ୍ଗୀକୁ ଉଠିବାର ଅଳ୍ପ କେଇ ମିନିଟ୍ ଭିତରେ, ବାପା ଇଞ୍ଜିନ୍ ଚାଲୁ କରି ସୁକାନି ଧରିଲେ । ସେମାନେ ଗଭୀର ସମୁଦ୍ର ଭିତରକୁ ମାଡ଼ି ମାଡ଼ି ଗଲେ. . . ।

ବାପା କହୁଥିଲେ – “ଗଲା ରବିବାର ୨୪ ତାରିଖରେ କୁଆଁର ପୁନେଇ ପଡ଼ିଥିଲା । ଆଜି ୨୯କୁ ପଞ୍ଚମୀ ତିଥି ! ରାତି ପାଞ୍ଚ ଘଡ଼ିରେ ଜହ୍ନ ଉଠିବ । ଆମେ ସଞ୍ଜ ଆଗରୁ ଫେରି ଆସିବା, ଆଜି ଆଉ ରାତି କରିବା ନାହିଁ । ପାଗ ଭଳ ଲାଗୁ ନାହିଁ ।”

ସେତେବେଳେକୁ ଜାଲ ବିଛା ଶେଷ ହୋଇଥାଏ । ଗରଓ୍ୱାର୍ କମ୍ପାନୀର ସରୁ ମନ୍‌ସୁନ୍ ଟାଣ ଜାଲ । ତଥାପି ଶୀଘ୍ର ପାଣି କାଟିବା ପାଇଁ ବାପା ଡବଲ୍ ଇଞ୍ଜିନ୍ ଚାଲୁ କରିଦେଇଥାନ୍ତି । ଟୁଙ୍ଗୀ ଆଗ ମଙ୍ଗ ଟେକି ଏତେ ଜୋର୍ ପାଣି କାଟି ଚାଲିଥାଏ ଯେ. . . ଥରେ ଜାଲରେ ପଶୁଥିବା ମାଛର ବାହାରି ଯିବାକୁ ତାକତ୍ କୁଳାଉ ନଥାଏ ।

. . . ଆଜି ମାଛ ଯେପରି ପଣ କରି ଜାଲରେ ପଶୁଛନ୍ତି, ପ୍ରତି କ୍ଷେପାରେ କୁଇଣ୍ଟାଲେରୁ କମ୍ ପଡୁ ନାହାନ୍ତି । ଡୁଙ୍ଗୀ ପେଟ ପୁରି ପୁରି ଆସୁଛି । ଦୁଇ ଭାଇଙ୍କ ଛାତି ଫୁଲି ଉଠୁଥାଏ । ଜାଲ ଟାଣି ଟାଣି, ମାଛ ଛାଣି ଛାଣି. . . ତାଙ୍କ ଅଣ୍ଟା, ବାହା ମୂଳ ଘୋଳେଇ ପଡୁଥାଏ । ତଥାପି ମାଛରେ ଖେଳ କେଉଟ ପୁଅର । ପୁଣି ଜାଲ ବିଛାଉଥାନ୍ତି, . . . ପୁଣି ମାଛ ଧରୁଥାନ୍ତି ।

ଶିବ କହୁଥାଏ- “ଗୋବିନ୍ଦ ! ଆଜି କାର୍ତ୍ତିକ ମାସର ୧୩ ଦିନ ହେଲା, ଧର୍ମ ମାସ ପାଇଁ ବେପାରୀ ବି କମ୍ ମାଛ ନେଉଛନ୍ତି । ଓଡ଼ିଶା ପରି କଲିକତାରେ ବି କାର୍ତ୍ତିକଟା ଧର୍ମ ମାସ । ସପ୍ଲାଇ ନେଉ ନାହାନ୍ତି ସେଠାକାର ବେପାରୀ । ଯିଏ ଦଶ କୁଇଣ୍ଟାଲ୍ ନେଉଥିଲା, ସେ ଦୁଇ କୁଇଣ୍ଟାଲ୍ ନେଉଛି । ସବୁ ଶୁଖୁଆ କରିଦେବା । ଆଉ ୧୭ ଦିନ ଏମିତି ପଡ଼ନ୍ତା କି ! ବର୍ଷକର ରୋଜଗାର ମିଳିଯାନ୍ତା ।”

ଏମାନଙ୍କ ଖୁସି ଭିତରକୁ ହଠାତ୍ ଦକ୍ଷିଣ ପଶ୍ଚିମ ଦିଗଟା ଲାଲ୍ ମିଶା ଅନ୍ଧାରିଆ ହେଇ ପଶି ଆସିଲା । ବାପା କହିଲେ “ଆସିଲା ବେଳେ କ୍ୟାଲେଣ୍ଡର ଦେଖି ଆସିଥିଲି । ଆଜି ପାଞ୍ଚଟା ଛୟାଳିଶ୍ ମିନିଟ୍‌ରେ ସୂର୍ଯ୍ୟ ବୁଡ଼ିବ । ଏବେ ତ ସାଢ଼େ ତିନିଟା । ହଠାତ୍ ଆକାଶର ରଙ୍ଗ ବଦଳି ଗଲାଣି । ପବନ ବି ଅସ୍ଥିର ହେଇ ବହିଲାଣି । ଆଗରୁ ଉଷୁମ ଉଷୁମ ଲାଗୁଥିଲା, ଏବେ ଥଣ୍ଡା ଲାଗିଲାଣି । ବାଦଲ ସବୁ ଏପଟ ସେପଟ ହେଉଛନ୍ତି । ଆରେ ଶିବ ! ସମୁଦ୍ର ଭିତରେ ତୋଫାନ୍ ଉଠିଲେ ଆଗେ ପବନ ଉଷୁମ୍ ଉଷୁମ୍ ଲାଗେ । ତା’ପରେ ଥଣ୍ଡା ଥଣ୍ଡା । ଏକଥା ଆଗେ ମାଛକୁ ଜଣା ପଡ଼େ । ସେଇପାଇଁ ମାଛ କୂଳ ମୁହାଁ ହେଉଥିବାରୁ, ଆମ ଜାଲରେ ଏତେ ପଡୁଛନ୍ତି । ଚାଲ, ଘରକୁ ବାହାରିଯିବା । ମୌସୁମ୍ ଖରାପ ହେଇ ଆସିଲାଣି. . . !”

ଏତିକି କହି ବାପା ରେଡ଼ିଓ ଖୋଲି ଦେଲେ . . . ।

ସେହି ପୂର୍ବର ଘୋଷଣା. . . ବାରମ୍ୱାର. . . ।

ବାପା କହିଲେ- “ମଙ୍ଗ ମୋଡ଼ିବି ଆରେ !”

ଶିବ ବିରକ୍ତ ହେଇ କହିଲା- “ତମେ ଆମକୁ ସାହସ ଦିଅନ୍ତ କ’ଣ. . . ଛାନିଆ କରେଇ ଦେଉଛ । ଆମେ ଥରେ ଯଦି ସମୁଦ୍ରକୁ ଡରିବା, ସମୁଦ୍ର ସବୁଦିନ ଆମକୁ ଡରେଇବ । ଆଉ ଅଧ ଘଣ୍ଟା ରୁହ. . . ।”

ବାପା ଚିତ୍କାର କରି କହିଲେ- “ଶୀଘ୍ର ଜାଲ କାଟି ସମୁଦ୍ରକୁ ଛାଡ଼ି ଦିଅ । ଶିବରେ. . . ଗୋବିନ୍ଦରେ. . . ମୋ କଥା ମାନ । ଶୀଘ୍ର ଜାଲ କାଟ । ନ ହେଲେ ଆଉ କାହା ଡୁଙ୍ଗୀରେ ଆମେ ଛନ୍ଦି ହେଇଯିବା । ଅନେଇଲୁ- ପଶ୍ଚିମକୁ. . . !”

ଶିବ ଦେଖିଲା, ଗୋବିନ୍ଦ ବି ଦେଖିଲା- ଦକ୍ଷିଣ ପଶ୍ଚିମ ଆକାଶରେ କଳା ହାଣ୍ଡିଆ ବାଦଲ ସବୁ ଘାଣ୍ଟି ଗୋଳେଇ ହେଉଛନ୍ତି । କି ଭୟଙ୍କର ରୂପରେ ବାବା ! ଅନିଚ୍ଛାରେ ବି ଦୁଇ ଭାଇ ଡୁଙ୍ଗୀର ଦୁଇ ପାଖ କଞ୍ଚରୁ ଜାଲ- ବାଉଁଶ କାଟି ଖସାଇ ଦେଲେ । ବାପା ବଡ଼ ବଡ଼ ଲହରୀକୁ କାଟି ଡୁଙ୍ଗୀକୁ କୂଳ ମୁହାଁ କଲେ । ହଠାତ୍ ଘୁ’ ଘୁ’ ଶବ୍ଦ ସହିତ ପବନର ବେଗ ବଢ଼ିଗଲା । ଲହରୀ ଗୁଡ଼ାକ ଦଶ ପନ୍ଦର ହାତ ଉଭାରେ ମାଡ଼ି ଆସୁଥାନ୍ତି । ଦିନ ଥାଉ ଥାଉ ଅନ୍ଧାର ଘୋଟି ଆସୁଥାଏ ।

ବାପା ଡବଲ ଇଞ୍ଜିନ୍‌ର ବେଗ ସର୍ବାଧିକ ବଢ଼ାଇ ଦେଇଥାନ୍ତି । ଡୁଙ୍ଗୀ ଭିତରକୁ ଲହରୀ ପାଣି ପଶି ଯାଉଥାଏ । ଏବେ ଘଣ୍ଟାରେ ଶହେ କୋଡ଼ିଏ କିଲୋମିଟର ବେଗ ଡୁଙ୍ଗୀର । ପଛଟା ପାଣି ଭିତରକୁ ତିନି ହାତ ପଶି ଯାଇଥିବାରୁ ଉପର ମୁଣ୍ଡଟା ପାଣି ଉପରେ ତିନି ହାତ ଥାଏ । ପଶୁଥିବା ପାଣି ଆପେ ଆପେ ପଛ ଦେଇ ବାହାରି ଯାଉଥାଏ । ହଠାତ୍ ବର୍ଷା ଆରମ୍ଭ ହୋଇଗଲା । ତୋଫାନ୍ ଭୟଙ୍କର ହୋଇ ଉଠିଲା ।

ବଞ୍ଚିବାର ସବୁ ଆଶା ହଜିଯାଉଥିଲା ବେଳେ, ବାପା ଅତି କରୁଣ ସ୍ୱରରେ ଚିତ୍କାର କରି ଡାକିଲେ- “ମା ଧାମରାଇ, ରକ୍ଷା କର୍ ଲୋ. . . ମା’. . . !” ଶିବ ଓ ଗୋବିନ୍ଦ ବି ବିକଳ ହୋଇ ମା’ ଧାମରାଇଙ୍କୁ ଡାକ ଛାଡ଼ିଲେ. . . ।

ମାଛି ଅନ୍ଧାର ଭିତରେ, ଡୁଙ୍ଗୀଟା ପ୍ରବଳ ବେଗରେ ପାଣି ଡେଇଁ କୂଳ ଉପର ବାଲିରେ ଶହେ ହାତ ଆଗକୁ ମାଡ଼ି ଯାଇ, ଗୋଟାଏ ଦୋ’ ମହଲା ପକ୍କା ଘର ସାମ୍ନା ଦୁଆରୋ ଢୋ’ କରି ବାଡ଼େଇ ହେଇ, କବାଟକୁ ଭାଙ୍ଗି ଦେଲା । ନିଜେ ବି ଚୁନ୍‌ଭୂତ୍‌ ହେଇଗଲା । ବାପ ପୁଅ ତିନି ହେଁ ତିନି ଆଡ଼େ ବିଛାଡ଼ି ହେଇ ପଡ଼ିଲେ । ପୁଣି ଉଠି ଧାଇଁ, ଭିତରକୁ ପଶିଗଲେ. . . ।

ଏଇ ଘରଟା ଥିଲା କୈବର୍ତ୍ତ ସଂଘର ସମୁଦ୍ର କୂଳ ଅଫିସ୍ ଘର । ତଳ ମହଲାରେ ମାଛ ଶୁଖୁଆ ଭର୍ତ୍ତି ହୁଏ । ଦୂର ଦୂରାନ୍ତରୁ ଆସୁଥିବା ବେପାରୀମାନେ ଅସୁବିଧା ସୁବିଧାରେ ଉପର ମହଲାରେ ରାତି ବିତାନ୍ତି. . . ।

ଏବେ ଦିନଟା ବି ରାତି ପରି ଲାଗୁଥାଏ ।

ଧୀରେ ଧୀରେ ସେହି ଭୟଙ୍କର କାଳ ରାତି ପହଞ୍ଚିଗଲା ।

ଘରଟାର ଝର୍କା କବାଟ ଭୀଷଣ ବତାସରେ ପିଟି ହେଇ ଭାଙ୍ଗିଗଲା । ଉତ୍ତାଳ ଲହରୀ ଘୁ’ ଘୁ’ ହେଇ କାନ୍ଥରେ ବାଡ଼େଇ ହେଲା । ଅଣଚାଶ ଖଣ୍ଡ ପବନ ଅବା ଏକା ସାଙ୍ଗରେ ବାତ୍ୟା ରୂପ ଧରି, ଘୁଁ ଘୁଁ ଗର୍ଜନ କରିଚାଲିଲେ । ଘଡ଼ ଘଡ଼, ଚଡ଼ ଚଡ଼ ଶବ୍ଦ । ଝାଉଁ ହେନ୍ତାଳ ଗଛ ଗୁଡ଼ାକର ଭାଙ୍ଗି ପଡୁଥିବା ମଡ଼ମଡ଼ ଶବ୍ଦ. . . ଏହା ସହିତ ସାଏଁ ସାଏଁ ବର୍ଷା. . . ସବୁ ଗୁଡ଼ାକ ମିଶି ବାପ ପୁଅ ତିନି ଜଣଙ୍କୁ ତାବ୍ଦା କରି ଦେଇଥାଏ. . . ।

ହଠାତ୍ ବାହାର କାନ୍ଥ ମୂଳରେ ବାଡ଼େଇ ହେଉଥିବା ଲହରୀ ଢେଉ ହେଇ ଘର ଭିତରକୁ ପଶିଗଲା । ସଙ୍ଗେ ସଙ୍ଗେ ଛାତିଯାଏ ପାଣି । ବାପା ଚିତ୍କାର କରି କହିଲେ- “ଶୀଘ୍ର ସିଡ଼ି ପାହାଚରେ ଉପରକୁ ଉଠରେ. . . !”

ମୁଣ୍ଡର ସର୍ଚ୍ଚ ଲାଇଟ୍‌ଟା ଏଇ ବେଳେ କାମ ଦେଲା . . . ।

ବାପା ଜାଳି ଦେଲେ । ପ୍ରଥମେ ଦୁଇଭାଇ, ପରେ ପରେ ବାପା ଉଠିଗଲେ ଉପରକୁ । ସେଠାରେ ବି ଦ୍ୱାର ଝର୍କାର କବାଟ ଗୁଡ଼ାକ ଭାଙ୍ଗି ଯାଇଛନ୍ତି । ଘୁଁ ଘୁଁ ହେଇ ବାତ୍ୟା ପବନ ଦ୍ୱାର ଦେଇ, ଝର୍କା ଦେଇ ପଶୁଛି ଓ ପଛ ଝର୍କାରେ ବାହାରିଯାଉଛି । ବର୍ଷା ପବନର ଭୟଙ୍କର ସ୍ରୋତ ବାପ ପୁଅ ତିନି ଜଣଙ୍କୁ ପଛ କାନ୍ଥ ଝର୍କାରେ ବାଡ଼େଇ ଦେଲା । ଏମାନେ ସେଇଠାରେ ଚାପି ହେଇ ଝଡ଼ ତୋଫାନ୍‌ରୁ ବଞ୍ଚିବେ ବୋଲି କଳ୍ପନା ବି କରିପାରୁ ନଥିଲେ. . . ।

ବାପା କହିଲେ- “ଏକସ୍ତରୀ ମସିହା ବାତ୍ୟାଠାରୁ ଏ ବାତ୍ୟା ବଳିଗଲା । ମହାବାତ୍ୟା ଇଏ ! ସମୁଦ୍ର ଆଜି ପ୍ରଳୟମୁଖା ହେଇଛି । ଯେମିତିକି ମାଟିର ଚିହ୍ନ ବର୍ଣ୍ଣ ରଖିବ ନାହିଁ । ପୁଣିରେ ଶିବ. . . ଏଇ ଅଫିସ୍ ଘରଟା ଖାଲୁଆ ଜାଗାରେ ହେଇଛି । ଉପର ତାଲାକୁ ଯଦି ଢେଉ ଉଠେ, ଆଉ ନିସ୍ତାର ନାହିଁ ।

ଏତିକି କହୁ କହୁ ଢେଉ ଉଠିଲା ଉପର ତାଲାକୁ । ଛାତିଯାଏ ପାଣି ଉଠଇଲା । ବାପା କହିଲା- “ଶିବୁରେ ! ଆମ ଭିତରୁ ଜଣେ ହେଲେ ବେଶୀ ସମୟ ବଞ୍ଚୁ । ଗୋବିନ୍ଦ ଆମଠୁ ଉଞ୍ଚାରେ କମ୍ । ସେଇ ଆଗେ ବୁଡ଼ିବ । ତାକୁ ମୋ କାନ୍ଧରେ ବସେଇ ଦେ’ ବାପା. . . ।”

. . . ସମସ୍ତଙ୍କ ଚେଷ୍ଟାରେ ଗୋବିନ୍ଦ ବାପାଙ୍କ କାନ୍ଧ ଉପରେ ବସିଲା । ଧୀରେ ଧୀରେ ଶିବ ବାପାଙ୍କ କାନ୍ଧ ପାଖରେ କାନ୍ଧ ଲଗାଇ କହିଲା- “ଗୋଟାଏ ଗୋଡ଼ ମୋ କାନ୍ଧରେ ରଖ୍ ଗୋବିନ୍ଦ ।” ଗୋବିନ୍ଦ ବାପ ଭାଇଙ୍କ କାନ୍ଧରେ ବସିଲା । ବାପା ଧୀରେ ଧୀରେ କମରରୁ ଓଦା ଗାମୁଛା ବାହାର କରି, ଶିବ ହାତକୁ ଦେଲେ । ଦୁଇ ହାତ ଉପରକୁ ଉଠାଇ, ଝର୍କାର ଆଡୁଆ ରେଲିଂରେ ଲଗାଇ ରଖଇଲେ । କହିଲା- “ଶିବ ! ଗୋବିନ୍ଦକୁ ଗାମୁଛା ଦେ ! ସେ ମୋ ହାତକୁ ରଡ୍‌ରେ ବାନ୍ଧି ଦେଉ. . . ମୋ ଦେହ ଥରିଲାଣି । ଗୋଡ଼ ଟଳମଳ ହେଲାଣି । ମୁଁ ପଡ଼ିଗଲେ, ଗୋବିନ୍ଦ ଢଳି ପଡ଼ିବ, ହାତ ବନ୍ଧା ହୋଇଥିଲେ, ସେମିତିକା ପରିସ୍ଥିତିରୁ ଗୋବିନ୍ଦ ବଞ୍ଚିଯିବ ।”

ଶିବର ଆଖି ଛଳ ଛଳ ହେଇ ଉଠିଲା । ସେ ଅନୁଭବ କଲା- ବାପାର ହୃଦୟ କେଡ଼େ ମହାନ୍ !

ସେ ବି ଦୁଇ ହାତ ଉପରକୁ ଉଠାଇ ଗୋବିନ୍ଦକୁ କହିଲା- “ବାନ୍ଧି ଦେ’ ଚାରିଟା ହାତ ଗୋବିନ୍ଦ । ତୁ ହିଁ ଆମ କୁଳର ଶେଷ ସନ୍ତକ ହେଇ ରହିଥା’ରେ. . . । ମା’ ଧାମରାଇଙ୍କ ଇଚ୍ଛା. . . ।”

ଏହାପରେ ଆଉ ବାପାଙ୍କ ସ୍ୱର ଶବ୍ଦ ଶୁଭିଲା ନାହିଁ । ସର୍ଚ୍ଚ ଲାଇଟ୍ ଜଳି ଜଳି ନିଷ୍ପ୍ରଭ ହେଇଗଲା ।

ଏବେ କାହାରି ମୁହଁ କାହାକୁ ଦିଶିଲା ନାହିଁ । କେବଳ ଅନ୍ଧାର ଆଉ ଘୁଁ ଘୁଁ ଶବ୍ଦ . . . । ଛୁଞ୍ଚି ମୁନିଆଁ ବର୍ଷାର ଦେହ ଫୋଡ଼ିବା ପରି ପ୍ରକୋପ । ମହାଶୂନ୍ୟରୁ ଗ୍ରହ ନକ୍ଷତ୍ରମାନେ ଏକାବେଳକେ ଭୁଶୁଡ଼ି ପଡ଼ିଲା ପରି. . . ଭୟଙ୍କର ଛାତି ଥରା ଶବ୍ଦ କେବଳ ।

ଲଘୁଚାପ ବାତ୍ୟାରେ ପରିବର୍ତ୍ତିତ ହେବା ପରେ, ରାତି ଆଠଟାରୁ ଆରମ୍ଭ ହୋଇଥିଲା ଏହି ପ୍ରଳୟ ଜଳର ସାମୁଦ୍ରିକ ପ୍ରବାହ. . . ଯାହା ଉପକୂଳବର୍ତ୍ତୀ ବ୍ୟାପକ ଅଞ୍ଚଳକୁ ଗର୍ଭରେ ସାଇତି, ପ୍ରାଣୀ ଶୂନ୍ୟ କରିଦେଲା । ରାତି ତିନିଟା ସୁଦ୍ଧା ଉତ୍ତାଳ ସମୁଦ୍ର ଢେଉ ଆଉ କୂଳ ଲଙ୍ଘନ କଲା ନାହିଁ ।

ସାରା ରାତି ପ୍ରାଣୀମାନଙ୍କ ଆର୍ତ୍ତ ଚିତ୍କାର ମହାବାତ୍ୟାର ଘୁ’ ଘୁ’ ଗର୍ଜନ ଭିତରେ ହଜିଗଲା । ପବନର ବେଗ ଯଥେଷ୍ଟ କମିଥିଲେ ମଧ୍ୟ ଯାହା ଜଣା ପଡୁଥିଲା- ବାହାରକୁ ଗଲେ, ଗୋଡ଼ ମାଟିରେ ସ୍ଥିର ହେବ ନାହିଁ ।

– ତା’ପରେ –

ଲୋକପ୍ରିୟ ଲେଖା

To Top