କବିତା

ମୋ ପୁଅ ପାଇଁ ଗୋଟିଏ ନାଆଁ ଖୋଜୁଛି ନାଆଁ

ସେଇଥିପାଇଁ ଏତେ ଖୋଜାଲୋଡ଼ା
ଅଣନିଃଶ୍ୱାସୀ ଶବ୍ଦଙ୍କର ଭିଡ଼ ।

ମୋ ପୁଅ ପାଇଁ ଗୋଟିଏ ନାଆଁ ଖୋଜୁଛି ନାଆଁ

କେତେ ଝିନ୍‌ଝଟ୍ ଗଲାଣି ଅବେଳରେ
ରାତି ରାତି ବିତିଲାଣି
ନଟ୍ ଖଟ୍ ଶବ୍ଦଙ୍କ ମେଳରେ ।
ମୋତେ ନାଆଁଟିଏ ମିଳୁନି
କେହି ନ ଦେଇଥିବା ନାଆଁ
ମୋ ପୁଅ ପାଇଁ ।

ମୋ ପାରଗ ପଣିଆର
ରକତ ଗୁଲୁଗୁଲୁ
ଶୂନ୍ୟତାକୁ
ଶବ୍ଦଟିଏରେ ବାନ୍ଧିଦେବା ଜରୁରୀ !
ମୋ ଅପାରଗତାର ସମ୍ଭାବନାମୟ
ପୂର୍ଣ୍ଣତାକୁ
ଭବିତବ୍ୟ ପାଇଁ ସ୍ୱୀକୃତି ଦେବା
ଜରୁରୀ !

ସେଇଥିପାଇଁ ଏତେ ଖୋଜାଲୋଡ଼ା
ଅଣନିଃଶ୍ୱାସୀ ଶବ୍ଦଙ୍କର ଭିଡ଼ ।

ଅଥଚ ନିଜ ସହ ସାଲିସ କରି ହେଉନି
ମାଙ୍କଡ଼, କୋକିଶିଆଳି
କୁଳାଙ୍ଗାର, ଘୋଡ଼ାମୁହାଁ
କିଛି ବି ଡ଼ାକିଦେଲେ ଚଳନ୍ତା ।
ପତ୍ନୀଙ୍କୁ କହି ହେଉନି
ସେ ସିନ୍ଧୁ ଭିତରେ
ବିନ୍ଦୁଟିଏ ମାତ୍ର
ଘର ଲୋକ ବୁଝନ୍ତି ନି
ଶିଶୁ ଯେ ଅରକ୍ଷ ବ୍ରହ୍ମ
ତାକୁ ଅକ୍ଷରରେ ଥାପିବାର
ଅପଚେଷ୍ଟା ଆଉ କରିବାନି ।

ପୁଅ ମୋର କର୍ମବଦ୍ଧ
ଅରକ୍ଷିତ ଈଶ୍ୱର
ସେ ବା କାହୁଁ ବୁଝିବ
ବାପା ଅଛିତ ପାପ ଅଛି
ମାଆ ଅଛିତ କା’ ଅଛି
ସର୍ଜନୀ ଝଡ଼ ଆଖିରେ ପ୍ରାଥମିକ ଋତୁ ସେ
ଗୋଟିଏ ସର୍ଜନା,
ସେଇ ସତ୍ୟ
ଆମେ ସବୁ ବାପା ମାଆ
ଅସଂଖ୍ୟ ନାମିତ ଯାତ୍ରୀ
ବାଢ଼ୁଚୁ ଛଳନା ।
ନାଁ ଟିଏ କଳ୍ପନାଇ
କେବଳ କଳ୍ପନା ।

ଏମିତି କେତେ ଝିନ୍‌ଝଟ୍ ଗଲାଣି
କେତେ ଡୋରରେ ବାନ୍ଧିଲିଣି, ଅକ୍ଷର
ଜାତି, ଗୋତ୍ର
ଇତିହାସରୁଅମର କୋଷ ଯାଏ
କେଉଁଠି ମିଳୁନି ଆଶ୍ରା
ମୋ ପୁଅ ପାଇଁ
ଗୋଟିଏ ନାଆଁ ଖୋଜୁଛି ।
ନାଆଁ ।

ଲୋକପ୍ରିୟ ଲେଖା

To Top