କବିତା

ଅ-କବିତା

Ramakanta Mishra's odia poem A Kabitaa

କବିତା ଜଳିଲା
ଜୀବନ ଜଳିଲା
ସେ ଜଳନ ର ପରିସମାପ୍ତି ନାହିଁ
ଅନ୍ତରଦାହ ର ଅବଲୁପ୍ତ ଅଂଶ
ଜଳୁଥିବ ଯୁଗ ଯୁଗ ଧରି ।

ଅ-କବିତା

କବିତା ମୋ ଜଳିଗଲା
ତରଳା ଲୁହାର ଗରମ ଭାଟିରେ
ପାଣ୍ଡୁଲିପି ମୋ ପଡିଗଲା ।

କବିତା ଜଳିଲା
ଜୀବନ ଜଳିଲା
ସେ ଜଳନ ର ପରିସମାପ୍ତି ନାହିଁ
ଅନ୍ତରଦାହ ର ଅବଲୁପ୍ତ ଅଂଶ
ଜଳୁଥିବ ଯୁଗ ଯୁଗ ଧରି ।

କବିତା ମୋ ଜଳିଗଲା
ଜଳି ଗଲେ ପୃଷ୍ଠା ପରେ ପୃଷ୍ଠା
ରଖିଲେନି ତିଳେ ମୋ ନିଷ୍ଠାର ପରାକାଷ୍ଠା
ଏହାହିଁ କି ସାଧନା ର ସିଦ୍ଧି ?
ସତେ ଏ କଳ୍ପନା କେତେ ମିଥ୍ୟା ।

କବିତା ମୋ ଜଳିଗଲା
ଜଳିଗଲେ ପୃଷ୍ଠା ପରେ ପୃଷ୍ଠା
ଜଳିଗଲେ କେତେ କେତେ ମୋ ପ୍ରେମ କାହାଣୀ
ଜଳିଗଲେ କେତେ କେତେ ଯଶୋଧାରା,
ମଧୁଲତା ଆଉ ବିଦ୍ୟୁତ ପ୍ରଭା
ନିଶାର୍ଦ୍ଧରେ ଆସି ଯେଉଁମାନେ ଚୋରାନ୍ତି ମୋ ସୁଖନିଦ୍ରା
ଜଳିଗଲେ କେତେ କେତେ
ଆଗମନୀ ପାଦର ରୁଣୁ ଝୁଣୁ ଶବ୍ଦ
ନୃତ୍ୟ ରତା ଅପ୍ସରାଙ୍କର ଯୌଥ ସଂଗୀତ ।
ଜଳି ଗଲେ କେତେ କେତେ –
– ହସ ଅଶ୍ରୁର ଗାଥା
– ସାନ ବଡ଼ ସ୍ମୃତି
– ସ୍ଵପ୍ନର ବିବରଣୀ
– ଅନ୍ଧାରି ମନର କଳ୍ପନା
– କାମନା ବାସନାର ନିଚ୍ଛକ ପ୍ରତିଲିପି
ଯାହାକୁ ମୁଁ ଭୁଲିବିନି
ଯାହାକୁ ମୁଁ ପାଇବିନି
ଏ ଜୀବନ ପର୍ଯ୍ୟନ୍ତ ।

କବିତା ମୋ ଜଳିଗଲା
ଜଳିଗଲେ କେତେ କେତେ ମୋ ଅଶାର ସୌଧ
ଆଶା କି କେବେ ଦିଏ ଭରସା ?
ଆଶା ଆଉ ଭରସା ମଧ୍ୟରେ ଯେଉଁ
ସମାନାନ୍ତର ସରଳ ରେଖା ର ବ୍ୟବଧାନ
ତାହାର ମିଳନ କି କେବେ ସମ୍ଭବପର ?
ପୁଣି –
ଜଳି ଗଲେ କେତେ କେତେ ସମ୍ପାଦକ ଆଉ
ସଂପାଦିକାଙ୍କ ତାରିଖ ଦିଆ ପ୍ରତିଶୃତି ମାଳା
ସ୍ୱାର୍ଥ ପୂର୍ଣ୍ଣ ବ୍ୟବସାୟର ପ୍ରଚ୍ଛନ୍ନ ଭୂମିକା
ଯାହାର ନାହିଁ କିଛି ମୂଲ୍ୟ ।

ହାଏ !
କବିତା ମୋ ଜଳି ଗଲା
ସେ ଦିନୁଁ ମୋ’ କବି ବି ମଲା
ଏ ନୁହେଁ କବିତା
ଏ ଅ-କବିତା ଏବଂ
ଏହିଠାରେ ହିଁ ଏହାର ପରିସମାପ୍ତି ।

ଲୋକପ୍ରିୟ ଲେଖା

To Top