ହେ ଈଶ୍ୱର !
ତମେ ବାସ୍ତବ, ନା ଖାଲି ଗୋଟେ କାଳ୍ପନିକ ଚରିତ୍ର ।
ଦ୍ରୌପଦୀ ଚିତ୍କାରେ କରିଥିଲ ବସ୍ତ୍ରଦାନ,
ସତୀ ସୀତାଙ୍କ ପାଇଁ ଦଣ୍ଡିଥିଲ ରାବଣ,
କ’ଣ ଭୁଲ୍ ଶୁଣିଛି କି,
ଅଭିଶପ୍ତ ଅହଲ୍ୟାକୁ ବି ଦେଇଥିଲ ଜୀବନ ।
ତା’ହେଲେ କାହିଁକି ଆଜି
ପ୍ରତି ମୁହୂର୍ତ୍ତରେ ଦୁଷ୍କର୍ମର ଶିକାର ହୁଏ ନାରୀ,
ହତ୍ୟା ହୁଏ ଶହ ଶହ କନ୍ୟା ଭ୍ରୁଣ ।
ଯୌତୁକ ପାଇଁ ଜଳିଯାଏ ବୋହୂଟିଏ,
ଅନେକ ଥର ଦେହଜୀବୀର ଛାପା ବି ଲାଗିଯାଏ,
ଶରୀର ଖିନ୍ଭିନ୍ ହୁଏ ପ୍ରତିକ୍ଷଣ ।
ତମକୁ ଶୁଭୁନି କି ଏ ଆର୍ତ୍ତ ଚିତ୍କାର,
ଶୁଭୁନି କି କେଉଁ ଅବଳାର କରୁଣ ରୋଦନ ?
ଆଜି ତମ ଈଶ୍ୱରତ୍ତ୍ୱ ନଷ୍ଟ ହେଇଗଲା କି,
ନା ଭୟରେ କେଉଁଠି ଲୁଚି ରହିଛି, କରି ପଳାୟନ ?
ପ୍ରଭୁ, କେଉଁଠି ନ ଖୋଜିଲି ତମକୁ ?
ପୁରାଣ ପୋଥିର ଅଜସ୍ର ନିର୍ଜୀବ ଫର୍ଦ୍ଦରେ,
ପ୍ରତି ମନ୍ଦିର ପ୍ରସ୍ତର ଗର୍ତ୍ତରେ, ଅବାସ୍ତବ ଭଜନମାଳାରେ,
ପ୍ରବଚନ ପୁଣି ସିଦ୍ଧ ଶ୍ଳୋକମନ୍ତ୍ରରେ ।
ନା, ଖୋଜି ପାଇଲିନି ତ !
ଓଲଟା ନିରୀହ ଶିକାରଟିଏ ସାଜିଗଲି
ଅସଂଖ୍ୟ ଆଶାରାମ/ସାରଥିଙ୍କ ଧାର୍ମିକ ଚକ୍ରବ୍ୟୁହରେ ।
ନାରୀତ୍ୱ ଆଜି ଯେ କ୍ରୀତଦାସ,
ଦଳି ଚକଟି ନଷ୍ଟ ହେଇଯାଏ ଦମ୍ଭୀ ପୌରୁଷର ପାଦତଳେ ।
ଚୁପ୍ଚାପ୍ ଖାଲି କ’ଣ ଦେଖୁଥିବ ହେ ତ୍ରିଲୋଚନ ?
ପ୍ରଳୟ ଆସିଲେ ଅବତାର ନେବ କି ? କୋଉଠି ତମେ ?
କୋଉଠି ତମ ସଙ୍କଟମୋଚନ ରୂପ, ବିଷ୍ଣୁ, ରାମ ଅବା କୃଷ୍ଣ ?
ହଁ ! ମୁଁ ରାଧା କି ମୀରା ନୁହେଁ ସତ,
ହେଲେ ମମତାମୟୀ ମା’ଟିଏ ତ !
ମମତାର ଲାଜ ରଖି ଥରେ ଆସ ହେ ଆର୍ତ୍ତତ୍ରାଣ !
ଆସ କଳ୍କୀ ଅବତାରେ, ମାନ ରଖ କୋଟି ମା’ର !
ତମକୁ ଯଶୋଦାର ରାଣ ! ତମକୁ ଦେବକୀର ରାଣ !