କବିତା

ଆସ ! ଯିବା

Dilip Kumar Tripathy's odia poem Aasa Jibaa

ଆସ ! ଆମେ ପୁଣି ଥରେ
ଚିଠି ଲେଖିବା ,
ଏଥର କିନ୍ତୁ ଆମେ ନିଜେ ଯିବା
ଥର ଥର ହେଇ କମ୍ପୁଥିବା ହାତରେ
ମାପିବାକୁ ଚିଠିର ଓଜନ
ଗଢିବାକୁ ନୂଆ ନୁହଁ , ଭିନ୍ନ ଏକ ଜୀବନ ।

ଆସ ! ଯିବା

ଆସ ଯିବା ,ପୁଣି ଥରେ
ସେଇ ଜାଗାକୁ ,
ଯେଉଁଠି ହଜିଥିଲା
ଆମ କଅଁଳିଆ ମନ
ମିଶିଥିଲା ଆଖିରେ ଆଖି ,
ଲେଖାହୋଇଥିଲା
ନୂଆ ନୁହଁ ,ଭିନ୍ନ ଏକ ଗପ ।

ଆଉ ଡେରି କରନି, ଦେଖୁନ !
ବର୍ଷା ବି ବନ୍ଦ ହେଲାଣି
ଆସ ଦେଖିବା , ବାଡି ପଟ ସାରୁ ପତ୍ରରେ
ଢଳ ଢଳ ହେଉଥିବା ଶେଷ
ଦୁଇ ବର୍ଷା ଟୋପା କୁ ,
କେମିତି ସେମାନେ ବିକଳ ହେଉଛନ୍ତି
ଏକାଠି ମିଶିବା ପାଇଁ ,
ପାଦ ଚାପି ଚାପି ଆସ
ଆଉ ଦେଖ, ତମେ କେମିତି ଆଞ୍ଜୁଳା କରି ବସିଛ;
ଏକାଠି ମିଶିଥିବା ସେଇ
ଦୁଇ ଟୋପା ପାଣି କୁ ଧରିବାକୁ ।

ପାଟି କରନି !!
ମୁଁ ପରା ଛପି ଛପି ଯାଉଛି
ଧରିବାକୁ ବେଙ୍ଗୁଲି-ଚେଙ୍ଗୁଲି;
ଖାସ୍ ତମାରି ପାଇଁ ।

ଦେଖ, ତମେ କେମିତି
ଲାଜେଇ ଲାଜେଇ ଦେଖୁଛ
ତମ ଗଣିତ ଖାତା ପଛ ପଟେ
ମୁଁ ଲେଖିଥିବା, ମୋ ନାଁ ।

ତରତର ହେଇ ଆସନି
ଗଲାଥର ପରି ଝୁଣ୍ଟି ହବ ନହେଲେ !
ମୁଁ ସେଇ ପୁରୁଣା
ଚାକୁଣ୍ଡା ଗଛ ଛାଇରେ
ଥକା ମାରି ବସିଥିବି ,
ତମେ ଆସିଲେ ହିଁ
ଗଣିବା ଗୋଟି ଗୋଟି କରି
ସବୁଯାକ ବୟଷ
ଠୋ ଠୋ ହେଇ ହସିବା
ଆମ ପିଲାବେଳର ମିଛ
ରାଗ-ରୁଷା ଦେଖି,
ଆଉ ଭୋ ଭୋ ହେଇ କାନ୍ଦିବା
ଆମ ଯୌବନ ର ଦୂରତା ଦେଖି ।

ଆସ ! ଆମେ ପୁଣି ଥରେ
ଚିଠି ଲେଖିବା ,
ଏଥର କିନ୍ତୁ ଆମେ ନିଜେ ଯିବା
ଥର ଥର ହେଇ କମ୍ପୁଥିବା ହାତରେ
ମାପିବାକୁ ଚିଠିର ଓଜନ
ଗଢିବାକୁ ନୂଆ ନୁହଁ , ଭିନ୍ନ ଏକ ଜୀବନ ।

ଲୋକପ୍ରିୟ ଲେଖା

To Top