କବିତା

ଆଶ୍ରାଘର

Niranjan Jena's odia poem Aashraaghara

ଆଶ୍ରାଘରେ ସଭିଏଁ ଅତିଥି
କାହାକୁ ନ ଜଣେଇ ଫେରାର୍ ହେବା
ଏକାନ୍ତ ବିସ୍ମୟ,
ପରିତ୍ୟକ୍ତ ଚଟିଘର ଭଳି

ଆଶ୍ରାଘର

ଜେଜେ ବାପା, ମାଆ ଘର ଛାଡ଼ିଲେଣି
ଅନେକ ଦିନୁ,
ଏ ଘରର ଭେଣ୍ଡିଆ ପୁଅକୁ ଝିଙ୍କି ନେଲା ଦୁର୍ଘଟଣା,
କୁଆଁରୀ ଝିଅ ହଠାତ୍ ଉଭାନ୍ ହେବା
ଠାକୁରାଣୀ ପୋଖରୀରୁ ଲାସ୍ ମିଳିବା ଭଳି
ଅନେକ ଦୁର୍ଘଟଣା ଓ ଭଳି ଭଳି ଦୃଶ୍ୟ
ଦେଖିଛି ଦର୍ପଣ ପୁନଶ୍ଚ ଲିଭେଇ ଦେଇଛି
ନିଜ ଚିକ୍କଣ ଛାତିରୁ ।

ଆଶ୍ରାଘରେ ସଭିଏଁ ଅତିଥି
କାହାକୁ ନ ଜଣେଇ ଫେରାର୍ ହେବା
ଏକାନ୍ତ ବିସ୍ମୟ,
ପରିତ୍ୟକ୍ତ ଚଟିଘର ଭଳି
ଏକାଏକା ଆଶ୍ରାଘର
ଏକା ଏକା ମଣିଷ ଜୀବନ ।

ଶବ୍ଦ ଘରର କଥା ସମ୍ପୂର୍ଣ୍ଣ ନିଆରା-
ଗହଳ, ଚହଳିରେ ସଦା ଉତ୍‌ଫୁଲ୍ଲିତ
ଓମରମତା ଯୌବନ,
ବାର୍ଦ୍ଧକ୍ୟରେ ଖୋଜେ ଶୂନ୍ୟ ଘରର ଠିକଣା ।

ସେ ଠିକଣା କାହାକୁ ପ୍ରାପ୍ତ
ସେ କଥା ଅଜଣା-
କିନ୍ତୁ, ଅନେକଙ୍କୁ ଅପ୍ରାପ୍ତ
ଏ କଥା ଜଣା !

ସହଜିଆ ଠିକଣା ହଜିଯାଏ
ନୂଆ ଠିକଣାକୁ ହାତେଇ ନିଏ ହାତ
ଭଡ଼ାଘର ମିଳିଯାଏ
ଅସଲ ଘର ହାତଛଡ଼ା ହୁଏ ।
ଏତେ ଦୃଶ୍ୟ ଦେଖୁ ଦେଖୁ
ହଠାତ୍ ଦର୍ପଣ ଚଡ଼କି ଯାଏ
ସେହି ଖଣ୍ଡ ଖଣ୍ଡ ଭଙ୍ଗା କାଚରେ
ଇନ୍ଦ୍ରଧନୁର ସାତରଙ୍ଗୀ ରୂପ
ଆକାଶ, ପୃଥିବୀ ଓ
ଜୀବନର ଭିନ୍ନ ଭିନ୍ନ ମୁଦ୍ରା
ଝଟକୁଥାଏ ଚିତ୍ର ପରି ।

ଲୋକପ୍ରିୟ ଲେଖା

To Top