କବିତା

ଆସିବ କି ତୁମେ ?

Pushpalataa Gahana's odia poem Aasiba Ki Tume?

କହି ଦେଉନ ମତେ
ମୁଁ ଖେଳନ୍ତି ତୁମ ସାଥେ, ଲୁଚକାଳି ଖେଳ,
ଆଜି ବି ଜୀବନର ଅପରାହ୍ନରେ
ଚାଲୁ ଚାଲୁ, ବାରମ୍ବାର ଝୁଣ୍ଟି ମୁଁ ପଡୁଛି ।

ଆସିବ କି ତୁମେ ?

ଖୋଜୁଛି ତୁମକୁ
ମୋ ଜୀବନର
ଅଗନା ଅଗନୀ ବନସ୍ତରେ ।
ବେଳେ ବେଳେ ଶୁଣୁଛି
ତୁମରି ସ୍ୱର,
ନୀରବତାର ଗହନ ନିଦରେ ।
ଆଜିବି ଏ ପରିଣତ ବୟସେ
ଖୋଜା ମୋ ସରିନି,
ବାର ବାର ତୁମକଥା
ମୁଣ୍ଡ ଟେକି ଅନାଇ ଦେଉଛି ,
ମୋ ଭାବନାର ଅଥଳ ନଈରେ ।
ହେ ମୋର ପରମ ପ୍ରିୟତମ
କେଉଁଠି ଅଛ ତୁମେ
କାହିଁକି ମୋ ସାଥିରେ ଖେଳ ଲୁଚକାଳି ।
ତୁମେ କ’ଣ ଖେଳିବାକୁ ଭଲପାଅ ସତେ !
କହି ଦେଉନ ମତେ
ମୁଁ ଖେଳନ୍ତି ତୁମ ସାଥେ, ଲୁଚକାଳି ଖେଳ,
ଆଜି ବି ଜୀବନର ଅପରାହ୍ନରେ
ଚାଲୁ ଚାଲୁ, ବାରମ୍ବାର ଝୁଣ୍ଟି ମୁଁ ପଡୁଛି ।

ଆହାଃ କହି ନିଶବଦେ
ପଛରୁ ମୋ ଭିଡ଼ିଧର ହାତ ।
କିଏ ତୁମେ କାହିଁକି,ଅଦୃଶ୍ୟରେ ରହି
ଅସମୟେ କୋଳେଇ ନେଉଛ ।
ଠାରେ ହେଲେ ଦେଖା ଦିଅ ମତେ ,
ତୁମକୁ ଖୋଜିବାର ଅନ୍ତଃ ହେବ କେବେ ?
ବେଳେବେଳେ ଭାବନାରେ ଘାରି ମୁଁ ହେଉଛି
ଏବେ ସେ ସମୟ ମୋର
ଆସିନାହିଁ ବୋଧେ ।
ମାଟିର ବିଛଣାରେ ଯେଉଁ ଦିନ
ଶୋଇଯିବି , ସବୁ ଦିନ ପାଇଁ
ଆଉ କେବେ ଭାଙ୍ଗିବନି ନିଦ
ସେଇଦିନ କାଳେ ତୁମ ପାଦ
ନୀରବରେ ପଡ଼ିବ ମୋ ଘରେ।
ଅପେକ୍ଷା କରିଛି, ଯେତେ ଶିଘ୍ର
ଆସୁ ସେ ଶୁଦିନ
ତା ପାଇଁ ନୀରବରେ ପ୍ରାର୍ଥନା କରୁଛି ।

ଲୋକପ୍ରିୟ ଲେଖା

To Top