କୋମଳ ପାଦରେ ଠୁକୁଠୁକୁ ଚାଲି
ତାସହ ପାଦରେ ପାଉଁଜି,
ରୁଣୁଝୁଣୁ ଶବ୍ଦେ ଚାରି ଆଡ଼େ କମ୍ପେ
ଧରଣୀମା କୋଳେ ଆଉଜି ।
କୋମଳ ମୋତିସେ ନାଁ ଟି କୋମଳ
ଗେଲ୍ଲୀ ସେଇ ମା, ବାପାର,
ଛୋଟ ବେଳୁ ତାର ଶୈଶବ କଟିଛି
ବିଲ ବାରି ଆଉ ପଥର ।
ହେତୁ ପାଇଁ ସେଇ ବାପାଙ୍କୁ ଦେଖିଛି
ବିଲରେ କିମିତି ଖଟନ୍ତି,
ଧାନ ମାଣ୍ଡିଆରେ ପୁରୀ ଯାଏ ଘର
ଖୁସିରେ ମୋ, ମା ହସନ୍ତି ।
ଧୀରେଧୀରେ ଜାଣେ ବଡ ହେଲାପରେ
ଖୁସିରେ ମୋ ବାପା ନାହାନ୍ତି,
ଖୁସିର ରେଖାଟି ସତେ ହାତୁ ହଜିଗଲା
ଖାଲି ଉଜୁଡା ଫସଲ ଦେଖନ୍ତି ।
ପାଣିର ଅଭାବେ ଉଜୁଡା ଫସଲ
ମାଟି ଫାଟି ଆଁ କରିଛି,
ମା ମୋର କାନ୍ଦେ ବାହୁନି ବାହୁନି
ବାପା ମୁକ ପୁରା ପାଲଟିଛି ।
ବୁଝିମୁଁ ପାରେନି ଛୋଟମୁଣ୍ଡରେ
କଣ ସବୁ ଘଟି ଯାଉଛି,
କର ଅସୁଲିବା ନୋଟିସ ଆସିଛି
ବ୍ୟାଙ୍କ ବାଲା ପଠେଇଛି ।
ରାତି ସାରା ମା ବୁଝେଇ ଚାଲିଛି
ସବୁ ଠିକ୍ ହେଇଯିବ,
ମା କି ଜାଣିଛି ବାପା ଟି ମୋର
ରାତିରେ ଦୌଡ଼ି ଦେଇଦେବ.
କୋମଳ ମୋତି ର କୋମଳ ହୃଦୟ
ବିଳାପ କରୁଛି ବସି,
କାଳର ଅନ୍ଧାରେ ବାପା ହଜିଗଲେ
ଖୋଜୁଛି ବାହାରେ ଆସି ।
ମା ଏବେ ଯାଇ ଖଟୁଛି କ୍ଷେତରେ
କୋମଳ ପିଛା ଛାଡ଼ୁନି,
ବାପା ଭଳି ଯଦି ମା ଚାଲିଯିବ
ନିଦତାକୁ ଜମା ମାଡୁନି ।
ବାପା ଝୁଲିଥିବା ରଶି ଭଳି ଏବେ
ବାରିପଟେ ଗୋଟେ ପଡିଛି,
କୋମଳ ଦେଖିକି ଛାତି ଥରିଗଲା
ଦୌଡ଼ି ଟି କିଏ ଆଣିଛି ?
ଆଖି ଅପଲକେ ଜଗି ବସିଛି ସେ
ରାତିରେ ଅନିଦ୍ରା ହୋଇ,
ଶୋଇପଡିଲେ କାଳେ ମା ଚାଲିଯିବ
ତାକୁ ଏକାଟିଆ କରିଦେଇ ।
ମା ବୁଝି ଗଲା କୋମଳ ମନର
ଅକୁହା କଥାକୁ ସବୁ,
ଗୋଟି ଗୋଟି କରି ବୁଝେଇ କହିଲା
କାଲି କ୍ଷେତକୁ ତୁ ଯିବୁ ।
କୂଅ ରୁ ପାଣି କାଢ଼ିବା ପାଇଁକା
ମା ରସିଟି ଆଣିଥିଲା,
କୋମଲ ଦେଖିକି ହସିଦେଲା ଟିକେ
ଡର ଟା ଉଭେଇ ଗଲା ।
କୋମଳ ପରି କେତେ କେତେ ପିଲା
ଡରି ଡରି ବଞ୍ଚୁ ଥିବେ,
କେବେ ଏ ସମସ୍ୟା ସମାଧାନ ହେବ
ଚାଷୀ ଖୁସିରେ ସବୁ ରହିବେ !