କବିତା

ଆଉ କେତେ ଦିନ. . . ?

Surendra Kumar Behera's odia poem Aau Kete Dina

ଆଉ କେତେଦିନ ?
ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଅବା
ଦେଶୀ ବିଦେଶୀର ରଙ୍ଗରେ
ରଞ୍ଜିତ କରି ବନ୍ଧାଯାଉଥିବ
ତୁମ ବଡ଼ଦେଉଳର ଶିଖରରେ
ଧର୍ମର ପତିତପାବନ ବାନା ।

ଆଉ କେତେ ଦିନ. . . ?

ଜଗତର ନାଥ ବୋଲି
ଜଗତରେ ତୁମ ନାମେ
ପଡୁଅଛି ହୁରି ।
ଆଉ କେତେଦିନ ?
ନୀଳାଚଳେ ବସିଥିବ ତୁମେ
ଦାରୁଭୂତ ମୌନ ଅବତାରୀ ।

ନିରବରେ ଚକାଆଖି ମେଲି
ସେମିତି ଦେଖି ଚାଲୁଥିବ
ଦୁନିଆଁର ଏ ବଡ଼ଦାଣ୍ଡେ
କେମିତି ଭେଦଭାବର
ଧର୍ମ ଦଉଡ଼ିରେ ଟଣା ହୋଇ ଚାଲୁଛନ୍ତି
ବିବେକ ଓ ମାନବବାଦତାର
ତୁମ ନନ୍ଦିଘୋଷ ରଥ,
ପ୍ରେମ ଓ ମୈତ୍ରୀର ଦେବଦଳନ
ଆଉ ଶାନ୍ତି, ଅହିଂସା ଓ ଭ୍ରାତୃତ୍ୱର
ତାଳଧ୍ୱଜ ରଥ ।

ଆଉ କେତେଦିନ ?
ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଅବା
ଦେଶୀ ବିଦେଶୀର ରଙ୍ଗରେ
ରଞ୍ଜିତ କରି ବନ୍ଧାଯାଉଥିବ
ତୁମ ବଡ଼ଦେଉଳର ଶିଖରରେ
ଧର୍ମର ପତିତପାବନ ବାନା ।

ଆଉ କେତେଦିନ ?
ସ୍ପର୍ଶ-ଅସ୍ପର୍ଶ,
ପ୍ରବେଶ-ଅପ୍ରବେଶର ଚୋଟରେ
ରକ୍ତରଞ୍ଜିତ କରି ଗଢ଼ା ଚାଲିଥିବ
ବିଶ୍ୱମାନବତାର ତୁମ ବୁନିଆଦି ପରେ
ବିଭେଦତାର ମେଘନାଦ ପାଚେରୀ ।

ଆଉ କେତେଦିନ ?
ଭକ୍ତ ଶିରୋମଣି ଦାସିଆ ବାଉରିମାନେ
ତୁମ ଦର୍ଶନରୁ ବଞ୍ଚିତ ହୋଇ
ପଠାଇ ଚାଲିଥିବେ ତାଙ୍କର
ମହାନ୍ ଶ୍ରଦ୍ଧା ଭକ୍ତିର ପବିତ୍ର ନଡ଼ିଆ
ଆଉ ଭକ୍ତ ସାଲବେଗମାନେ ।
ବିଧର୍ମୀର ବୋଝ ବୋହି ବୋହି
ତୁମ ବଡ଼ଦାଣ୍ଡେ ଗାଇ ଚାଲୁଥିବେ
ଆହେ ନୀଳ ଶଇଳ. . . ,
ଥକାମନ ଚାଲଯିବା
ଚକାନୟନ ଦେଖିବା. . . ! !

ଲୋକପ୍ରିୟ ଲେଖା

To Top