କବିତା

ଅବୁଝା ଗଣିତ

Dr Nilamadhaba Kar's Odia Poem ABUJHAA GANITAA

ମଜା ଲାଗେ ହାରିବାକୁ କୁଆଁରୀ ପଣିଆ
ଅପହଞ୍ଚ ଖରାବେଳେ ଅବା ରାତି ଥାଇ ନିଦ ଭାଙ୍ଗିଗଲେ
ସକାଳର ଅଳସ ଶେଯରେ
ମନେହୁଏ ଯାହା ସବୁ କବିର କବିତା
ପରେ ପରେ ମାସେ ଅବା ବର୍ଷେ ପରେ
ପାଲଟେ ଯେ ଗଣିତ ଅବୁଝା

ଅବୁଝା ଗଣିତ

ପ୍ରତୀକ୍ଷାର ବେଳ ରତରତ ଏବେ
ଭାରି ଲାଗେ କୁଆଁରୀ-ପଣିଆ
ସେ ଆଜି ଆସିବେ ସତେ
ଉଛୁରର ଦଣ୍ଡେ ଲାଗେ ଯୁଗ ଆଉ ଅଧେ ।

ଗଣ୍ଠି ସବୁ ଫିଟି ଥାଏ ଖୋଜିବା ଦିନରୁ
ଲୁଚି ଲୁଚି, ଖରାବେଳ, ପୋଖରୀ ହୁଡ଼ାରେ
ଛାଇ ନିଦ, ପାହାନ୍ତି ସ୍ୱପ୍ନରେ ଅଣ୍ଡାଳିବା ଠାରୁ
ନିଜ ଚାରିଆଡ଼ – ଏବେ ଯାହା ବାକିଥାଏ
ଛିଡ଼ିବାକୁ ଡୋରୀ – ବାପା, ମା’, ଭଉଣୀ ଓ ଭାଇ
ନିଜ ଲୋକ, ଗାଁ ମାଟି, ବିଲ ଆଉ ନଈ
ପର ହେଇଯାନ୍ତି – ଅଚିହ୍ନା ହେଇଯାନ୍ତି
ଧିରେ ଧିରେ ଛିଡ଼ିଯାଏ ଡୋରୀ ।

ମଜା ଲାଗେ ହାରିବାକୁ କୁଆଁରୀ ପଣିଆ
ଅପହଞ୍ଚ ଖରାବେଳେ ଅବା ରାତି ଥାଇ ନିଦ ଭାଙ୍ଗିଗଲେ
ସକାଳର ଅଳସ ଶେଯରେ
ମନେହୁଏ ଯାହା ସବୁ କବିର କବିତା
ପରେ ପରେ ମାସେ ଅବା ବର୍ଷେ ପରେ
ପାଲଟେ ଯେ ଗଣିତ ଅବୁଝା

ବୁଝିବାକୁ ଯାହା, ସରିଯାଏ ଅବଶିଷ୍ଟ
ବର୍ଷ, ମାସ, ଦିନ ଓ ଜୀବନ
ଏନ୍ତୁଡ଼ିଠୁ ଜୁଇ ଯାଏ ଲମ୍ୱା
କି ତା’ଠୁ ଆହୁରି ବି ବଡ଼ ମାୟା ସେ ଯେ
ବୁଝି ଯାହା ବୁଝି ହୁଏ ନାହିଁ ।

ଲୋକପ୍ରିୟ ଲେଖା

To Top