କବିତା

ଅଦିନ ମେଘ

Soumya Sucharita Sena's odia poem Adina Megha

ସୁକୁଟି ବୁଢ଼ୀର ଦେହଟି ଶୂନ
ନାଟକ ସାରିଛି ତାର ଜୀବନ
ଲୋକ କୁହା କୁହି କାନକୁ କାନ
କାଲି ରାତିର ବରଷା ନେଲା ଜୀବନ ।

ଅଦିନ ମେଘ

ସକାଳୁ ସକାଳୁ ସୁକୁଟି ବୁଢୀ
କାନ୍ଦିକାନ୍ଦି ଛୋବ ଯାଉଛି ଛାଡି
ବୁଝିବାକୁ ଲୋକ ଧାଡ଼ିକି ଧାଡି
ସତେ ଜନସମୁଦର ତା ଘରବାଡ଼ି ।

ଆହାଃ ଆହାଃ ବୋଲି ଲୋକ କୁହନ୍ତି
ଦେଖିସାରି ନିଜ ପଥେ ଯାଆନ୍ତି
ଅଦିନ ମେଘଟି କଣ କଲା
ବିଚାରି ବୁଢ଼ୀର ଘର ଭାଙ୍ଗିଲା ।

କାଳବୈଶାଖୀର ତାଣ୍ଡବ ଲୀଳା
ବୁଢ଼ୀର ଘରକୁ ନାରଖାର କଲା
ଭାଙ୍ଗି ପଡିଛି ତା ଛପର ଘର
ମୁଣ୍ଡଗୁଞ୍ଜିବାକୁ ନାହିଁ ସାହାରା ତାର ।

ସ୍ୱାମୀ ଛୁଆ ପିଲା କେହିବି ନାହିଁ
ବଡ ହତଭାଗୀ ଜୀବନ ସହି
ବିଧାତା ଟା ବଡ ନିର୍ଦୟ ସତେ
ଜୀବନେ ଲେଖିଛି ଯାତନା ଯେତେ ।

ସରକାର ପାଖେ ତା ନାଁ ନାହିଁ
ଇନ୍ଦିରା ଆବାସ ଘର ବି ନାହିଁ
ଅଦିନ ମେଘରେ ଭାଙ୍ଗିଲେ ଘର
ସରକାର ପାଖେ ନାହିଁ ଉତ୍ତର ।

ସରପଞ୍ଚ ଆସି ଦେଖିକି ଗଲେ
କିଛିଗୋଟେ ବାଟ ବାହାର କଲେ
ଆଜି ଠାରୁ ତୁହି ଶୋଇବୁ ଯାଇ
ସ୍କୁଲ ଘରେ ନିର୍ଭୟ ହୋଇ ।

ଯେଝା ଚାଲିଗଲେ ଯେଝା ବାଟରେ
ସକାଳ ସୁରୁଜ କିରଣ ଢାଳେ
ଆଜିବି ଦାଣ୍ଡରେ ଭିଡ ପ୍ରଚୁର
ହେଲେ କାନ୍ଦଣା ଶୁଭୁଚି ଆଉ କାହାର ।

ସୁକୁଟି ବୁଢ଼ୀର ଦେହଟି ଶୂନ
ନାଟକ ସାରିଛି ତାର ଜୀବନ
ଲୋକ କୁହା କୁହି କାନକୁ କାନ
କାଲି ରାତିର ବରଷା ନେଲା ଜୀବନ ।

ସ୍କୁଲ ଘରର ଚାବି ଦେବାକୁ
ଭୁଲିଯାଇଥିଲେ ଶିକ୍ଷକ ସବୁ
ରାତି ସାରା ମେଘ ପବନ ଖାଇ
ସୁକୁଟି ବୁଢ଼ୀର ଜୀବନ ନାଇଁ ।

ଲୋକପ୍ରିୟ ଲେଖା

To Top