କବିତା

ଆଖଣ୍ଡଳମଣୀ

ମନ୍ଦିରର କୁଣ୍ଡପାଣି ଆରୋଗ୍ୟ କରେ ଭଗତ
ଅଧିଆ ପଡ଼ି ବେଢ଼ାରେ ଅସାଧ୍ୟ ହୁଏ ସାଧିତ ।।

ଆଖଣ୍ଡଳମଣୀ

ପୁଣ୍ୟ ବଇତରଣୀ କୂଳେ ଦିବ୍ୟ ଆରତି ଧାମ
ପୂଜିତ ଈଶ୍ୱର ଧରି ଆଖଣ୍ଡଳମଣୀ ନାମ ।।

କରନ୍ତି ଆଗତ ଦୈନନ୍ଦିନ ସହସ୍ର ଭକତ
ଦରଶନ କରି ବାବାଙ୍କୁ ହୁଅନ୍ତି ପୁଲକିତ ।।

ପ୍ରଭୁ କୃପାରେ ପୁରଣ ହୁଏ ଭକତ କାମନା
ଅପାର ମହିମା ତାଙ୍କର କେ ପାରିବ ବର୍ଣ୍ଣନା ।।

ମନ୍ଦିରର କୁଣ୍ଡପାଣି ଆରୋଗ୍ୟ କରେ ଭଗତ
ଅଧିଆ ପଡ଼ି ବେଢ଼ାରେ ଅସାଧ୍ୟ ହୁଏ ସାଧିତ ।।

ଭୋଳା ମହେଶ ସିଏ ହୁଅନ୍ତି ଅଳ୍ପରେ ସନ୍ତୋଷ
ଭକତି ଭାବରେ ଡାକିଲେ ଶୁଣନ୍ତି ଆଶୁତୋଷ ।।

ନିର୍ଜନ ପ୍ରାନ୍ତରେ ସ୍ଵୟମ୍ଭୁ ହୋଇଲେ ଆବିର୍ଭାବ
କନିକାର ରାଜା ତାହାଙ୍କୁ କରାଇଲେ ଯେ ଠାବ ।।

ଭକତଙ୍କ ଭିଡ଼ ବଢ଼ିଲା କ୍ରମେ ଦିନକୁ ଦିନ
ହେଲା ଜନପଦ ଗଠନ ଗଢ଼ି ଘର ଦୋକାନ ।।

ମାଘ ଅମାବାସ୍ୟା ବିଖ୍ୟାତ ଶିବ ଜାଗର ନାମେ
ଲକ୍ଷାଧିକ ଭକ୍ତ ଆସନ୍ତି ମହାଦୀପ ଦର୍ଶନେ ।।

ବଇଶାଖ ମାସେ ଗଉଡ଼ ପାଣି ଢାଳେ ଲିଙ୍ଗରେ
ହୁଏ କୃତକୃତ୍ୟ ତା’ ଜୀବନ ପ୍ରଭୁ ପରଶରେ ।।

ଜଳ କୁମ୍ଭ ଧରି କାଉଡ଼ିଆ ଆସନ୍ତି ଶ୍ରାବଣେ
ପ୍ରଭୁ ପାଦେ ଢାଳି ଜଳ ଫେରନ୍ତି ହର୍ଷିତ ମନେ ।।

ଜୟ ଉମାପତି ଶଙ୍କର ଜୟ ଗଣେଶ ତାତ
ଶ୍ରୀଚରଣେ ସଦା ତୁମର କରେ ମୁଁ ମଥାନତ ।।

ଦିଅ ହେ ଆଶିଷ ମୋହର ପ୍ରଭୁ ଭୋଳା ଠାକୁର
କରୁ ଅବଗାହ ଜୀବନ ତୁମ ଭକତି ଝର ।।

ଲୋକପ୍ରିୟ ଲେଖା

To Top