କବିତା

ଅମଳି

କାଗଜ ପଢ଼ା ଚାଲୁରହେ ଦିନ, ପ୍ରତିଦିନ
ଦିନାନ୍ତରେ କାଗଜଠୁଙ୍ଗା ହୁଏ
କିମ୍ୱା ପିଲାଙ୍କ ବହିର ମଲାଟ-
ତଥାପି ମନର ଅମଳି ପାଇଁ ଘାଣ୍ଟୁଥାଏ
ଫରଦଫରଦ କାଗଜ
ଆଜିର ମଣିଷ ।

ଅମଳି

ଏବେ ସମୟ ଭିନ୍ନ
ଛନଛନିଆ ସକାଳ ନ ଆସୁଣୁ
ଚା’ କପ୍‌ରେ ଝଡ଼
ହାତପାହନ୍ତାରେ ବେଢ଼ଙ୍ଗ ଖବର
ନିର୍ଲ୍ଲଜ ଘଟଣାର ରଙ୍ଗିନ ଚିତ୍ର
ବାଣ୍ଟି ଦେଇଯାଏ ହକର ।

ଖବରକୁ ନିରେଖିନିରେଖି
ଖବରକୁ ଲେଖିଲେଖି ଦୋରସ୍ତ ମଣିଷ
ନୀତି, ରାଜନୀତି, ଅର୍ଥନୀତି ଓ କୂଟନୀତିର
କଳାପରଦାରେ ଝଲମଲ ପୃଥିବୀ
କେତେବେଳେ ଚିତ୍ରବିଚିତ୍ର
ପୁନଶ୍ଚ ବିବର୍ଣ୍ଣ ଧୂସର ।

ଯୁଦ୍ଧ, ସନ୍ଧି, ସର୍ତ୍ତ, ରାଜିନାମା,
ଧର୍ଷଣ, ଲୁଟତରାଜ, ବୋମାମାଡ଼,
ଦୂରନ୍ତ ଗ୍ରହଯାତ୍ରା ଖେଳ ଖବର,
ଅକାଳ ମରୁଡ଼ି, ବନ୍ୟା, ବାତ୍ୟାର କରାଳଚିତ୍ର
ଭୂକମ୍ପ ଓ ସୁନାମିକୁ ପଢୁଥିବା କାକୁସ୍ଥ ମଣିଷ
ଥରୁଟିଏ ଖୋଜି ପାଏନା ସମାଧାନ ।

କାଗଜ ପଢ଼ା ଚାଲୁରହେ ଦିନ, ପ୍ରତିଦିନ
ଦିନାନ୍ତରେ କାଗଜଠୁଙ୍ଗା ହୁଏ
କିମ୍ୱା ପିଲାଙ୍କ ବହିର ମଲାଟ-
ତଥାପି ମନର ଅମଳି ପାଇଁ ଘାଣ୍ଟୁଥାଏ
ଫରଦଫରଦ କାଗଜ
ଆଜିର ମଣିଷ ।

ତଫାତ୍ ଏତିକି ଯେ;
ଯେଉଁ ଅମଳିରେ ପ୍ରସନ୍ନତା ଲଭୁଥିଲେ
ତୁଠଘାଟର ମେକନାନୀ, ମଲ୍ଲୀ ବୋଉମାନେ
ଏବେ ସେଇ ଅମଳିର ଦୋରସ୍ତ
ଏ ସଭ୍ୟ ମଣିଷ !

ଲୋକପ୍ରିୟ ଲେଖା

To Top