କବିତା

ଅନ୍ଧାର ଘୁଡୁଘୁଡ଼ି

Matrudatta Mohanty's odia poem Andhaar Ghudughudi

ମୋତେ ଗରମ ବିଛଣାରୁ ଟେକି ଆଣି
କିଟିକିଟିଆ ଅନ୍ଧାରକୁ
ଆଙ୍ଗୁଳି ଦେଖେଇ କହନ୍ତି “ଖାଇଦେ,
ନ ହେଲେ ଠିକ୍ ଅଧା ରାତିରେ
ଅନ୍ଧାର ଘୁଡୁଘୁଡ଼ି ଆସିବ
ତୋ ଖାଲି ପେଟରେ ଲାତ ମାରିବ ।”

ଅନ୍ଧାର ଘୁଡୁଘୁଡ଼ି

ଅମାବାସ୍ୟା ପରେ ପରେ
ଶୀତୁଆ ସନ୍ଧ୍ୟାରେ
ନିଦ ଯେବେ ବେକ ଚିପି ଧରେ
କହେ, ମୋ କୋଳରେ ମୁଣ୍ଡ ଥାପିଦେ
ଯାଇ ମୁକ୍ତି ଦେବି,
ବାପା ଆଦୌ ବୁଝନ୍ତିନି ସେ କଥା ।

ମୋତେ ଗରମ ବିଛଣାରୁ ଟେକି ଆଣି
କିଟିକିଟିଆ ଅନ୍ଧାରକୁ
ଆଙ୍ଗୁଳି ଦେଖେଇ କହନ୍ତି “ଖାଇଦେ,
ନ ହେଲେ ଠିକ୍ ଅଧା ରାତିରେ
ଅନ୍ଧାର ଘୁଡୁଘୁଡ଼ି ଆସିବ
ତୋ ଖାଲି ପେଟରେ ଲାତ ମାରିବ ।”

ଭୟରେ ଶିହରି ଉଠି ପାଟି ଖୋଲେ
ଗିନାରେ ରୁଟି କ୍ଷୀର
ବତୁରି ଛେନା ପରି ହେଇଥାଏ
ଡିବି ଆଲୁଅରେ ମା’ର ମୁହଁ ଦିଶେ
କେଉଁଠି ଥାଏ ଚିଲ ପରି ମାଡ଼ି ଆସି
ବାପାଙ୍କ ହାତକୁ ବଢ଼େଇ ଦିଏ ଆଉ ଖଣ୍ଡେ ରୁଟି
ମୁଁ ଭାବେ ମା’ ବି ଡରୁଛି ଅନ୍ଧାର ଘୁଡୁଘୁଡ଼ିକୁ ।

ମୁଁ ଜାଣେ
ମୁଁ ନ ଖାଇଲେ ଆମ ବୁଢ଼ୀ କୁକୁରଟା ଖାଇବ
ଯିଏ ରାତିରେ ଭୁକୁଛି ମୋ ପାଇଁ,
ଅନ୍ଧାର ଘୁଡୁଘୁଡ଼ି କି ଡରାଉଛି ।

ଆଜି ଯଦି ବାପା ଠିକ୍ ସେଦିନ ରାତି ପରି
ରୁଟି ଖଣ୍ଡେ ଆଣି ମୋ ଭୋକିଲା ପେଟରେ
ଦେବା ପାଇଁ କହନ୍ତେ
ମୁଁ କିନ୍ତୁ ଛୁଅଁନ୍ତିନି,
ଅପେକ୍ଷା କରନ୍ତି ନିଶବ୍ଦ ରାତି ପର୍ଯ୍ୟନ୍ତ,
କୁକୁରକୁ ଗାଳି ଦିଅନ୍ତି
କୁହନ୍ତି ତୁ ଉଁଟିଏ ବି ହେବୁନି
ଅନ୍ଧାର ଘୁଡୁଘୁଡ଼ି ଆସୁ ।

ତାକୁ ଆଜି ପଚାରିବି
ତୁ କ’ଣ ଜାଣିନୁ
ଆଜିର ରାତିରେ
କେତେ ଯେ ଶିଶୁ ଦାନ ମୁଠେ ନ ପାଇ ଶୋଇଛନ୍ତି ?

ପାଣି ଟିକେ ବି ଦେଇନି ତା’ ମା’
ତା’ ଶୁଖିଲା ତଣ୍ଟିରେ ।
ତୁ କ’ଣ ଦେଖିନୁ ଦିନରେ
ମା’ ଶିଶୁ ବିକେ ଦାନା ଗଣ୍ଡେ ପାଇଁ ।

ଚାଲ ଥରେ ମୋ ସାଙ୍ଗରେ
ଦେଖି ଆସିବୁ ସେମାନେ କେମିତି
ପେଟର ଯନ୍ତ୍ରଣାରୁ ମୁକ୍ତି ପାଇଁ
ତତେ ଖୋଜୁଛନ୍ତି ।

ଏ ରୁଟି ମୁଁ ସେମାନଙ୍କୁ ଦେବି
ମୁଁ ଥରେ ସେମାନଙ୍କ ଲୁହ
ମୋ ହାତରେ ପୋଛିବି ।

ଲୋକପ୍ରିୟ ଲେଖା

To Top