କବିତା

ଅନ୍ଧାର ରାତି

Anupam Behera's Odia Poem ANDHAARA RAATI

ବାଦୁଡ଼ି ଉଡ଼ି ଉଡ଼ି ଖୋଜୁଥିଲା ତା’ ଶିକାର
ଜୋର୍ ସୋର୍‌ରେ ଚାଲିଥିଲା ଦୋ’ନମ୍ୱରୀ ବେପାର
ନବବଧୂଟା ଯୌତୁକ ରାକ୍ଷସ କବଳରେ କରୁଥିଲା ଚିତ୍କାର
ହୁଏତ ସବୁ ଠିକଠାକ୍ ଚାଲିଥିଲା ବିଧି ନିର୍ଦ୍ଦେଶରେ
ଓ ଧିରେ ଧିରେ ଥଣ୍ଡା ପଡ଼ିଚାଲିଥିଲା ମୋ ଶରୀର ।।

ଅନ୍ଧାର ରାତି

ତାରାଗୁଡ଼ା ଖୁବ୍ ସୁନ୍ଦର ଭାବେ ସଜେଇ ହେଉଥିଲେ ଆକାଶସାରା
ଜହ୍ନ ବି ଦିଶୁଥିଲା ତୋଫା ଗୋରା
ରୂପେଲୀ ଆଲୋକ ବିଛାଡ଼ି ହୋଇପଡ଼ିଥିଲା ରାସ୍ତାସାରା
ରାସ୍ତାକଡ଼ ବୃକ୍ଷମାନେ ଶୋଇ ଯାଇଥିଲେ ଗହନ ନିଦରେ
ଷ୍ଟ୍ରିଟ୍ ଲାଇଟ୍ ପାଖେ ଖୋଲିଥିଲା କ୍ଷୁଦ୍ର କୀଟଙ୍କ ପସରା ।।

ଚାରିଆଡ଼େ ଖେଳିଥିଲା ଅସମ୍ଭବ ନିରବତା
ନିରବରେ ଜାଲ ବୁଣୁଥିଲା ଟିକି ବୁଢ଼ିଆଣୀ
କିଛି ଚିହ୍ନା ଦୁଆର ମୁହଁରେ ଥିଲା ଅଚିହ୍ନା ଜୋତା
ସମସ୍ତେ ହଜିଯାଇଥିଲେ ସ୍ୱପ୍ନ ରାଇଜରେ
ରାସ୍ତାକଡ଼ ଡ୍ରେନ୍‌ରେ ପଡ଼ିଥିଲା ମାତାଲ୍ ମଦୁଆ ।।

ରହି ରହି ଭୁକୁଥିଲା ବୁଲା କୁକୁର
ଜହ୍ନ ସାଥେ ଲୁଚକାଳି ଖେଳୁଥିଲା ଖଣ୍ଡିଆ ବାଦଲ
ଦିନଯାକର ପରିଶ୍ରମ ପରେ ଶାନ୍ତିରେ ଶୋଇ ଯାଇଥିଲା ଦିନମଜୁରିଆ
ଚୋର ଉଣ୍ଡୁଥିଲା ଗୋଟିଏ ସୁଯୋଗ ଆଶାରେ
ତାରି ଭୟରେ ଶୋଇ ପାରୁନଥିଲା ଧନୀ ବ୍ୟବସାୟୀ ।।

ବାଦୁଡ଼ି ଉଡ଼ି ଉଡ଼ି ଖୋଜୁଥିଲା ତା’ ଶିକାର
ଜୋର୍ ସୋର୍‌ରେ ଚାଲିଥିଲା ଦୋ’ନମ୍ୱରୀ ବେପାର
ନବବଧୂଟା ଯୌତୁକ ରାକ୍ଷସ କବଳରେ କରୁଥିଲା ଚିତ୍କାର
ହୁଏତ ସବୁ ଠିକଠାକ୍ ଚାଲିଥିଲା ବିଧି ନିର୍ଦ୍ଦେଶରେ
ଓ ଧିରେ ଧିରେ ଥଣ୍ଡା ପଡ଼ିଚାଲିଥିଲା ମୋ ଶରୀର ।।

ଲୋକପ୍ରିୟ ଲେଖା

To Top