କବିତା

ଅଣ୍ଡିରା ଚଣ୍ଡୀ

Manasa Ranjan Subudhi's odia poem Andiraa Chandee

ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ
ନିଦା ଅବୟବ ଶ୍ୟାମଳ ବର୍ଣ୍ଣ
ସୁହାଉ ନଥାଏ ତରୁଣୀ ଚାହାଣି
ଲଜ୍ୟା, ଶଂକା କେବେ ତା’ମୁହଁକୁ ପୁଣି
ନିବିଡ଼ତା ଡାକ ପାଇନି ହୁଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ଅଣ୍ଡିରା ଚଣ୍ଡୀ

ଭେଣ୍ଡା ପୁଅକୁ ସେ ପିଆଏ ପାଣି
ମେଣ୍ଢା କରେ ମୁଢ଼ମତିକୁ ଆଣି
ପଣ୍ଡିତର ବୁଦ୍ଧି ଦିଏ ହଜାଇ
ପ୍ରକଟ ଯେବେ ସମ୍ମୁଖେ ହୁଅଇ
ଅକାଟ୍ୟ ବଚନ କାନିରେ ଗଣ୍ଠି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ
ନିଦା ଅବୟବ ଶ୍ୟାମଳ ବର୍ଣ୍ଣ
ସୁହାଉ ନଥାଏ ତରୁଣୀ ଚାହାଣି
ଲଜ୍ୟା, ଶଂକା କେବେ ତା’ମୁହଁକୁ ପୁଣି
ନିବିଡ଼ତା ଡାକ ପାଇନି ହୁଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ଗଛ ଚଢ଼ି ସିଏ ପିଜୁଳି ପାରେ
ଆମ୍ବୁଲ ଖଟାକୁ ଅଣ୍ଟିରେ ଧରେ
ଗାଧୁଆ ପୋଖରୀ ଗଭୀର ମାପେ
ଗାଁ ହାନିଲାଭ ବୁହାଟେ ଗପେ
ଏକ ଗୋଡ଼େ ଡେଇଁ ଖେଳେ ଉଦଣ୍ଡୀ
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ସିଧା କଥା କହେ ଥଟା ମଜାରେ
କପଟ ନଥାଇ ତିଳେ ମନରେ
ପିଲାମେଳେ ସିଏ ନାଟର ଗୁରୁ
ବୁଢ଼ାଙ୍କ ଝଗଡ଼ା ଭାଙ୍ଗେ ଅଧାରୁ
ହଜିଲା ଦରବ ଆଣେ ଦରାଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ଅଡ଼ୁଆ ଲୋକକୁ ଟାଣୁଆ କହେ
ନାକଟେକିଙ୍କର ଗର୍ବ ନସହେ
ପରଲାଗି ଡିଏଁ ଯୁଦ୍ଧ ପ୍ରାଂଗଣେ
କଣ୍ଟାକୁ କଣ୍ଟାରେ କାଢ଼ି ସେ ଆଣେ
ଫୁସୁଲା କଥାରେ ନଯାଏ ଭଣ୍ଡି
ଦୁନିଆ କହଇ ଅଣ୍ଡିରା ଚଣ୍ଡୀ ।

ତା’ ଗୁଣ ନେଇ ଉଠୁ ଆଜି ନାରୀ
ସକଳ ଯାତନା ଯାଉ ଅପସରି
ଜଗାଇ ଚେତନା ଛିଣ୍ଡାଇ ବନ୍ଧନ
ଦମ୍ଭ, ସାହସରେ ରଖୁ ନିଜ ମାନ
ଅବଳା ନରହୁ ସ୍ତ୍ରୀ ଜାତି ଏଠି
କହୁ ପଛେ ଦୁନିଆ ଅଣ୍ଡିରା ଚଣ୍ଡୀ ।

ଲୋକପ୍ରିୟ ଲେଖା

To Top