କବିତା

ଅଙ୍କ

Niranjan Jena's Odia Poem ANKA

ସାନ କମ୍ ପାଠରେ ମିଶାଣ ଶିଖିଛି-
ବଡ଼ ବେଶି ପାଠରେ ହରଣ, ଫେଡ଼ାଣ
ଏମିତି ଶିଖିଲା ଯେ
ହୃଦରେ ଗାର କାଟି ଦେଲା ।

ଅଙ୍କ

ମୁଁ ଚାଟଶାଳୀରେ ଅଙ୍କ ପଢ଼ିଥିଲି
ଫିରିଙ୍ଗି ଅମଳରେ ।

ରଙ୍କ ମାଷ୍ଟ୍ରେ ସେକାଳରେ
ପଣିକିଆ, ମିଶାଣ, ଫେଡ଼ାଣ,
ଓଡ଼ାଙ୍କ, ଫେଡ଼ାଙ୍କ, କଡ଼ା, ଗଣ୍ଡା
ମଧୁ ବର୍ଣ୍ଣବୋଧ ସମେତ
ମଥୁରା ମଙ୍ଗଳ, ଭାଗବତ ପଢ଼େଇଥିଲେ
ସେତିକି ପାଠରେ ଡୋରି ବାନ୍ଧିଲି
ବାପା କହିଲେ,
ଏତିକି ଆମ ପାଇଁ ଯଥେଷ୍ଟରେ ପୁଅ ।

ସମୟ ବଦଳି ଗଲା –
ମୋ ପୁଅକୁ ପାଠ ପଢ଼େଇଲା
ଘରୋଇ ମାଷ୍ଟର ।

ମାନ୍ଧାତା ଅମଳର ପାଠକୁ ବାଦ ଦେଇ
ପୁଅ ପଢ଼ିଲା ମିଶାଣ, ଫେଡ଼ାଣ, ଗୁଣନ, ହରଣ
ଆଉ ଅଙ୍ଗରେଜି ପାଠ ।

ମାଷ୍ଟ୍ରେ କହିଲେ,
ପୁଅ ତମର ବେଶ୍ ଭଲ ପଢୁଛି
ହରଣକୁ ଜିଭରେ ରଖିଛି,
ସାହିତ୍ୟରେ ଟିକେ ଦୁର୍ବଳ ଅଛି,
ଅଙ୍ଗରେଜି ପାଠ ଢକ୍ ଢକ୍ ପିଇ ଯାଉଛି ।

ସେଦିନ ବେଶ୍ ଖୁସି ଥିଲି
ପୁଅ ବଡ଼ ହୋଇ ଚାକିରୀ କଲା
ରାଜଧାନୀରେ,
ଆମ ଗାଁ ନଖିଆ ସାହାଣୀ ଝିଅକୁ
ପୁଅ ମୋର ଉଡ଼େଇ ନେଲା ସହର
ଶୁଣିଲି ଚଣ୍ଡୀ ମନ୍ଦିରରେ ବାଆ ହେଇଛି
ପଟିଆରେ ଜମି କିଣି ବସା ବାନ୍ଧିଛି ।

ମାଷ୍ଟ୍ରେ କହୁଥିବା ହରଣ, ଫେଡ଼ାଣ ପାଠ
ପୁଅ ପରଖି ନେଲା ମୋ ସାଥିରେ
ଜମିରେ ହିଡ଼ ଓ ଦୁଆରେ ପାଚିରି
ଉଠେଇ ଦେଲା ନିଶାପୀଙ୍କି ଡାକି
ସାନ ଟୋକା ହିଡ଼ମାଟି ହିଡ଼ରେ ନଦି
ଏବେ ଗାଁରେ-
ବଡ଼କୁ ପଢ଼ୋଉ ପଢ଼ୋଉ
ସାନକୁ ନିଘା ଦେଇନଥିଲି
ତାକୁ ଉଠେଇ ଆଣିଥିଲି ଚାଟଶାଳୀ ପାଠରୁ ।

ସାନ କମ୍ ପାଠରେ ମିଶାଣ ଶିଖିଛି-
ବଡ଼ ବେଶି ପାଠରେ ହରଣ, ଫେଡ଼ାଣ
ଏମିତି ଶିଖିଲା ଯେ
ହୃଦରେ ଗାର କାଟି ଦେଲା ।

ଏବେ ବୁଝୁଛି, ସବୁ ପାଠ ଭିତରେ
ବଡ଼ ପୁଅ ଶିଖିଥିବା ପାଠଟା
ସହଜ ବୋଧ ହୁଏ ।

ଲୋକପ୍ରିୟ ଲେଖା

To Top