କବିତା

ଅନ୍ତର୍ମୁଖୀ

Niranjan Jena's odia poem Antarmukhi

କପାଳରୁ
କେହି, କେହି ଭାବନ୍ତି ; ସିଏ ତାନ୍ତ୍ରିକ, ଯୋଗୀ
ପୁନଶ୍ଚ ଅବତାର ।

ଅନ୍ତର୍ମୁଖୀ

ଅନ୍ଧାର ଭିତରେ ନିଶ୍ୱାସ ଏବଂ ମୁଁ
ଦୀର୍ଘ କାଳ ମୁହାଁମୁହିଁ ।
ଅନେକ ନିଶ୍ଚିତ ଘଟଣାର ମୁହଁ
ଦେଖିବି ବୋଲି ଚୌକାଠ ବାହାରେ ମୁଁ…
ଆଲୋକର ନିର୍ମମ ସ୍ରୋତ
ଦୁଃଖର କଷଟିରେ ନୀରବେ ତରଳେ
ଦାରୁଭୂତ ଭଙ୍ଗୀରେ ସମୟ –
ଅଗଣାରେ ସବୁ ଦେଖେ ; ମୁହଁ ଖୋଲେନା ।
ଏ ଯାବତ୍‌ ଯେଉଁ ଘଟଣା ଘଟିବାର ଥିଲା
ତା’ ଘଟିନି । ବସ୍ତିର ବିଧବା କନ୍ୟା ଅପର୍ଣ୍ଣା
ଗର୍ଭପାତ କରିବାକୁ ଯାଇ ଫେରିଛି ଘର
ଗର୍ଭରେ ନଅମାସର ଶିଶୁ ଜନ୍ମ ଅପେକ୍ଷାରେ ।
ରେଫ୍‌ କେଶ୍‌ର ଫେରାର୍‌ ଆସାମୀ କାଳିଆ
ଫେରିଛି ଅଜଣା ଆଶ୍ରମରୁ-ମୁହଁରେ ଦାଢ଼ି,
ମଥାରେ ଲମ୍ବାକେଶ ଜଟା ଏବଂ ଦେହରେ
ଗେରୁଆ ରଙ୍ଗର ଆଲଖାଲ୍ଲା ।
ଆଜିକାଲି ସେ ସ୍ପଷ୍ଟ କହିଦେଇପାରେ ଭବିଷ୍ୟତ
ହସ୍ତରେଖାରୁ… ଜୀବନମୃତ୍ୟୁର ଝାପସା
ଆଲିଙ୍ଗନର କରୁଣ ଚିତ୍ର – ସେ ଜଳଜଳ ପଢ଼ି ଦେଇପାରେ

କପାଳରୁ
କେହି, କେହି ଭାବନ୍ତି ; ସିଏ ତାନ୍ତ୍ରିକ, ଯୋଗୀ
ପୁନଶ୍ଚ ଅବତାର ।
ଛାଇ ଉହାଡ଼ରୁ ହଠାତ୍‌ ଶୁଣିଲି ସେଦିନ
ହସ କାନ୍ଦର ସମିଶ୍ରଣ ସୁର
ମୋ ଭିତରେ ଅବିଶ୍ୱାସୀ
ନିଶ୍ୱାସ ସେ ଦିନ କହିଲା ;
ବହୁତ ହେଲା – ଏବେ ମୋତେ ମୁକ୍ତି ଦେ’
ମୁଁ ପୃଥିବୀର ମାଟି, ପବନ ଓ ଫୁଲର ସୁରଭିରେ
ମୋହାଚ୍ଛନ ହେବି ।
ତା’ କଥାର ଉତ୍ତର ମୁଁ ସେଦିନୁ ଦେଇନି
କେବଳ ଏତିକି କହିଛି ; ବେଳ ଆସୁ
ତୋ ରାସ୍ତାରେ ତୁ’… ଆଉ ମୁଁ ଫେରିବି… ମୋ
ରାସ୍ତାରେ ।

ଲୋକପ୍ରିୟ ଲେଖା

To Top