କବିତା

ଅଷ୍ଟାଦଶ ଲଘୁ କବିତା

Ramakanta Mishra's odia poem Ashtaadasha Laghu Kabitaa

ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ
ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ
ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର

ଅଷ୍ଟାଦଶ ଲଘୁ କବିତା

୧. ବୟସ

ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ
ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ
ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର
ବୟସ ତାର କରାମତି ଦେଖାଇବ ହିଁ ଦେଖାଇବ
କେତେ ଲୁଚାଇଲେବି ତାହା ଲୁଚି ନ ପାରିବ
ସତ୍ୟ ସବୁବେଳେ ସତ୍ୟ
ଚେଷ୍ଟା କରି ସତ୍ୟକୁ ମିଥ୍ୟା କରି ହେବ ନାହିଁ ।

୨. ମନ ଓ ବୟସ

ମନରେ ଥିଲେ ବସନ୍ତ
ବୟସ ହୁଏ ଅନନ୍ତ
ମନରେ ଥିଲେ ଶକ୍ତି
ବୟସରେ ରହେ ଆଶକ୍ତି
ମନ ବୟସକୁ ବଳୀୟାନ କରେ
ବୟସ ସଂଖ୍ୟାକୁ ବେଖାତିର କରେ ।

୩. ସକାଳର ଅପେକ୍ଷା

ସବୁ ଅନ୍ଧକାର ରଜନୀର ଶେଷ କଥା
ଉଜ୍ଜ୍ୱଳ ଆଲୋକର ଆଗମନି ବାର୍ତ୍ତା
ଜୀବନର ଚଲାପଥେ ଶତଶତ ଅନ୍ଧକାର
ଧୈର୍ଯ୍ୟର ସହ ସକାଳର ଅପେକ୍ଷା କର ।

୪.ମନର ଗଣ୍ଠି

ପୁରୁଣା କଥାକୁ ଗଣ୍ଠି କରି
ବର୍ଷ ବର୍ଷ ଛଟ ପଟ ନର-ନାରୀ
ଗଣ୍ଠି ସବୁ ଖୋଲି ଦିଅ
ମନ ହାଲୁକା ହୋଇ ଯିବ
ପିଞ୍ଜରା ଭିତରୁ ଗଣ୍ଠି ରୂପୀ ପାରା
ମୁକ୍ତି ପାଇଁ ଆନନ୍ଦରେ ଉଡିଯିବ ।

୫.ସ୍ୱାସ୍ଥ୍ୟ ହିଁ ସମ୍ପଦ

ସ୍ୱାସ୍ଥ୍ୟ ହିଁ ଅଟେ ପରମ ସମ୍ପଦ
ସ୍ୱାସ୍ଥ୍ୟ ଭଲ ନ ରହିଲେ ବିପଦ
ସମ୍ପଦ କିଣି ପାରେ ଆରୋଗ୍ୟ
ଦେଇପାରେ ନାହିଁ ସୁନ୍ଦର ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ନୁହେଁ କିଣା ହେବା ସମ୍ପଦ
ସ୍ୱାସ୍ଥ୍ୟ ଯୁକ୍ତ ଦିନଚର୍ଯ୍ୟା ହିଁ ନିରାପଦ ।

୬. ଭୁଲ

ନିଜ ଭୁଲ ଦିଶେନାହିଁ କାହାକୁ
ନିଜ ହାତ ତିନି ଆଙ୍ଗୁଳି
ନିଜ ଆଡେ ଦେଖାଇ ଦିଏ
ଆମେ ଖାଲି ଅନ୍ୟକୁ
ଗୋଟାଏ ଆଙ୍ଗୁଳି ଦେଖାଉଛୁ
ତାର ଭୁଲ ପାଇଁ
ନିଜ କଥା ଭୁଲି ଯାଉଛୁ ।

୭. ଚକ୍ରଗତି

ମଲା ପଶୁ ଆଉ ପକ୍ଷୀଙ୍କର
କିଛି ମୂଲ୍ୟ ଅଛି ହେଲେ
ମଲା ମଣିଷର କିଛି ମୂଲ୍ୟ ନାହିଁ
କାଲିର ଦାମ୍ଭିକ ଆଉ ଅଭିମାନୀ
ଆଜି ମଲା ପରେ କିଏ ପଚାରେ ?
ଆଜିର ଶବ ବାହକ ମାନେ
କାଲି ନିଜେ ଶବ ହେବେ
ଚକ୍ରଗତିରେ ସବୁ ଚାଲିଛି ।

୮. ବିବାହ

ବିବାହ ସ୍ଵର୍ଗରେ ହୁଏ ଅନୁଷ୍ଠିତ
ମର୍ତ୍ୟରେ ଆମେ କରୁ ସମ୍ପର୍ଣ୍ଣ
ଦୁଇ ଆତ୍ମାଙ୍କର ମଧୁର ମିଳନ
ଯୁଗ ଯୁଗର ଏହା ଅତୁଟ ବନ୍ଧନ
ସଦା ରହୁ ଏହା ଆନନ୍ଦରେ ପୂର୍ଣ୍ଣ
ଆମର ହେଉ ପ୍ରେମ ଚିରନ୍ତନ ।

୯. ପ୍ରକୃତି

ମେଘ ପଡେ ଟପ୍‌ ଟାପ୍‌
କାକର ପଡେ ଚୁପ୍‌ ଚାପ୍‌
ମେଘ ସବୁ ମିଶି ଯାଏ ମାଟିରେ
କାକର ସବୁ ପାଲଟି ଯାଏ ମୋତିରେ
ସେ ମୋତିରେ ଖାଲି ପାଦରେ
ଚାଲିଗଲେ ଲାଗେ କେତେ ଶାନ୍ତି
ମନରୁ ଦୂରେଇ ଯାଏ ସବୁ ଅଶାନ୍ତି ।

୧୦. ମାୟା ମୋହ

ଆଜି ମରିଗଲେ, କାଲିକୁ ଦୁଇ ଦିନ
ଦଶ ଦିନରେ ଶୁଦ୍ଧି, ବାରକୁ ସବୁ ଶେଷ
ଆଶା କିନ୍ତୁ ଅସୁମାରୀ ……
ଏହା ପୂରଣ ହେଉ, ତାହା ପୂରଣ ହେଉ
ଏଇ ଆଶା ନେଇ ବଞ୍ଚିଛୁ ସଭିଏଁ
ଆସି ଥିଲେ ଖାଲି ହାତେ, ଚାଲିଯିବା ଖାଲି ହାତେ
ଆମ ପରି ବଞ୍ଚିଥିବା ଲୋକର ମାୟା ମୋହ କେତେ ?

୧୧. ସତ୍ୟ ରୂପି ବୃକ୍ଷ

ମିଥ୍ୟା ସବୁ ମେଘ ହୋଇ
ପଡି ଯାଉ ଭୂମିରେ
ସତ୍ୟ ସବୁ ଅମୃତ ହୋଇ
ବର୍ଷି ଯାଉ ବୃକ୍ଷ ଉପରେ
ମିଥ୍ୟା ସବୁ ଲୁଚି ଯାଉ
ସତ୍ୟ ସବୁ ଅମର ହେଉ
ମିଥ୍ୟା ସବୁ ମାଟିରେ ମିଶି
ସତ୍ୟ ରୂପୀ ବୃକ୍ଷ ମହାନ ହେଉ ।

୧୨. ଫଗୁଣ

ଫେରିଗଲା ଫଗୁଣ
କାହାକୁ ନ ଜଣାଇ
ଆସିବା ବେଳେ କାହାକୁ
ଜଣାଇ ଥିଲା ଯେ ?
ଆସିଲା କେତେବେଳେ
ଗଲା କେତେବେଳେ
କାହାକୁ ବା ଜଣା ?

୧୩. ବ୍ରହ୍ମାଣ୍ଡ

ଆମେ ନୁହଁ ସମୁଦ୍ରର ବୁନ୍ଦ ଟିଏ
ଆମ ବୁନ୍ଦ ମଧ୍ୟେ ସମୁଦ୍ର ସମାହିତ
ଯାହା ରହିଛି ପିଣ୍ଡ ମଧ୍ୟେ
ତାହା ହିଁ ଅଛି ବ୍ରହ୍ମାଣ୍ଡେ
ପିଣ୍ଡକୁ କରି ପୃଥକ
ପାରିବାନି ଦେଖି ବ୍ରହ୍ମାଣ୍ଡ ଆଲୋକ ।

୧୪. ଏକାନ୍ତ

ଆମେ ସବୁ ନିଜେହିଁ ନିଜର
ସାଥି ହୋଇ ଚାଲିଛୁ
ସମସ୍ତେ ଦିନେ ଏକାନ୍ତ ବାସରେ ଯିବେ
ଏହାହିଁ ଚିରନ୍ତନ ସତ୍ୟ
ଯେଉଁଠି ଦିନେ ଲୋକ
ଗହଳିରେ ଫାଟି ପଡୁଥିଲା
ସେଠି ଏବେ ଲୋକ ନାହାନ୍ତି
ଖାଲି ଏକାନ୍ତ ।

୧୫. ଜୀବନ

ବିତିଗଲା କାଲି ଆଜି ଖୋଜିବାରେ
ବିତିଗଲା ଆଜି କାଲି ଖୋଜିବାରେ
ଆଜିରେ ଆମେ ଜିଇଁ ପାରିଲେନି କେବେ
ବିତି ଗଲା ସାରା ଜୀବନ
କାଲି ଆଉ ଆଜିର ଚିନ୍ତନ ଭିତରେ ।

୧୬. ଜୀବନ ସଂଗୀତ

ଜୀବନ ମିଶାଏ ନାହିଁ
ମନ ଚାହୁଁ ଥିବା ଲୋକ
କେତେବେଳେ ଅନୁକୂଳ
କେତେବେଳେ ପ୍ରତିକୂଳ
ଏହାହିଁ ତ ଜୀବନ ସଂଗୀତ
ଏ ସବୁ ମିଶି ଜୀବନ ଗଠିତ ।

୧୭. ସମୟ

ସମୟର ସଭିଏଁ ଦାସ
କାହାକୁ କରେ ହରସ
କାହାକୁ କରେ ନିରାଶ
ରାତିକ ପରେ ରାମଚନ୍ଦ୍ର
ଗାଦି ଛାଡି ଯାନ୍ତି ବନବାସ ।

୧୮.ଶପଥ

ଜୀବନଟା ଯଦି ଜଳି ଯିବା ପାଇଁ
ତେବେ କୁହୁଳି କୁହୁଳି ବଞ୍ଚିବା କାହିଁକି ?
ଜଳି ଯିବା ସଞ୍ଜ ସଳିତା ପରି
କୁହୁଳି କୁହୁଳି ବାୟୁ ମଣ୍ଡଳକୁ
ଦୂଷିତ କରିବା ଠାରୁ ତାହାହିଁ ଭଲ ।

ଲୋକପ୍ରିୟ ଲେଖା

To Top