କବିତା

ଅସ୍ତିତ୍ୱର ମୋହ

T.Durga Prasad Rao's odia poem Astitwara Moha

ଉଚ୍ଚାଟ ହୁଏ ଭ୍ରମର ସେ ପୁଷ୍ପ ବାସରେ
ଉଡି ବୁଲେ ଫୁଲରୁ ଫୁଲକୁ ମଧୁର ଗୁଞ୍ଜନରେ
ଉଚ୍ଚାଟିତ ପୁଷ୍ପର ଉତ୍ତେଜନାକୁ ପ୍ରଶମିତ କରି
ଆଶ୍ୱସ୍ତ ହୁଏ ପୁଣି ପରମ ପ୍ରଶାନ୍ତିରେ

ଅସ୍ତିତ୍ୱର ମୋହ

ହିମପର୍ଣ୍ଣା ଅରଣ୍ୟର ସବୁଜିମାରେ
ଶରଣାଗତ ରାତି ଅଳସ ଭାଙ୍ଗେ
ବାହୁଡ଼ିବାକୁ ନିଜ ରାଇଜେ
ଅସମର୍ଥ ଘଞ୍ଚ ବନାନୀ ଶିଶିର ବିନ୍ଦୁରେ ଭିଜି
କୋହର କୁଜ୍ଝଟିକାରେ ବିଦାୟ ଦିଏ ରାତିକୁ ପୁଣି ଥରେ

କଡ଼ ଲେଉଟାଏ ତରୁଲତା
ମାଆ କଜଳପାତୀ ଚଞ୍ଚୁ ଘଷେ ଶାଖାରେ
ଭିଡ଼ିମୋଡ଼ି ହୁଅନ୍ତି ରାତ୍ରିଚର
ଲୁଚିବାକୁ ପଥର ଗାତ୍ରରେ

ଶିଶୁ ସୂର୍ଯ୍ୟ ଉଙ୍କିମାରେ ପତ୍ର ଗହଳରୁ
ଭଲକରି ଦେଖିନିଏ ଥରେ
ସାମ୍ରାଜ୍ୟ ତାର ନୁହେଁ ତ ନିସ୍ପେଷିତ
ନିଶିର ତାଡ଼ନାରେ

ଗାଈ ଉଠନ୍ତି ବିହଙ୍ଗମ
ମଧୁର କଳ କାକଳୀରେ
ଜଳଜୀବ ଉଲ୍ଲସିତ ହୋଇ ଖେଳନ୍ତି ନିର୍ଝରିଣୀ ନିରେ
ପ୍ରତିକ୍ଷିତ ଦିବସର ଶୁଭାଗମନରେ

ତରୁଲତା ଡ଼ାଳୁ ଉଇଁ ଆସନ୍ତି ନବ କିଶଳୟ
କଳି ପ୍ରଷ୍ଫୁଟିତ ହୋଇ ବାସ ପ୍ରସାରେ
ସେ ବାସକୁ ମନ ଭରି ଅଙ୍ଗେ ସମାହିତ କରି
ସମୀର ଝୁମି ଝୁମି ଘୁରି ବୁଲେ
ବନାନୀର ପ୍ରତି କୋଣ ଅନୁକୋଣରେ

ଉଚ୍ଚାଟ ହୁଏ ଭ୍ରମର ସେ ପୁଷ୍ପ ବାସରେ
ଉଡି ବୁଲେ ଫୁଲରୁ ଫୁଲକୁ ମଧୁର ଗୁଞ୍ଜନରେ
ଉଚ୍ଚାଟିତ ପୁଷ୍ପର ଉତ୍ତେଜନାକୁ ପ୍ରଶମିତ କରି
ଆଶ୍ୱସ୍ତ ହୁଏ ପୁଣି ପରମ ପ୍ରଶାନ୍ତିରେ

ପ୍ରଭାତକୁ ଆତିଥ୍ୟ ଦେଇ ପ୍ରକୃତି
ଲାଗିପଡ଼େ ଦିନଚର୍ଯ୍ୟାରେ
କର୍ମମୁଖର ହୋଇ ଉଠେ ସକଳଜୀବ
ଆଉ କିଛି ଦିନ ଜିଇଁ ଯିବାକୁ ଏ ସୁନ୍ଦର ଧରାପୃଷ୍ଠରେ
ବିଜୟ ମୁକୁଟ ପିନ୍ଧି ଅସ୍ତିତ୍ୱ ଯୁଦ୍ଧରେ

ଲୋକପ୍ରିୟ ଲେଖା

To Top