କବିତା

ବାପା

Niranjan Jena's odia poem Baapaa

ବାଟୁଳିର ଗୁଳି ଭଳି
ଛୁଟୁ ଥିଲା ଅହର୍ନିଶ
ସେଠି ବି ନିଅଣ୍ଟ ହେଲା ଶବ୍ଦ
ବର୍ଣ୍ଣବୋଧର ଅଣଚାଶ ଅକ୍ଷର
ଉଡ଼ିଗଲେ ଅଣଚାଶ ବାଆରେ ।

ବାପା

ନିଜ ସଙ୍ଗେ କଥା ହେଲେ
କଥା ସରିଯାଏ-
କଥା କେଉଁଠି ସରେ
କେଉଁଠୁ ସୁରୁ ହୁଏ
କେହି ଜାଣେନା-
କେହି ଜାଣେନା ବୋଲି ତ
ଏତେ ଗଛ ଥାଉ ଥାଉ
ଚଡ଼କ ପଡ଼େ ଗୋହିରୀ ମଥାର
ସେହି ଏକୁଟିଆ ତାଳ ଗଛଟିରେ
ଚଡ଼କ ପଡ଼େ ସେଇ ଛୋଟ
ଝାଟି, ମାଟି ଚାଳି ଛପରରେ
ବରଷା ରାତିରେ ।

ଶବ୍ଦ ଯେଉଁଠି ଅହରହ
ବାଟ ବଣା ହେଉଥିଲା
ବାଟୁଳିର ଗୁଳି ଭଳି
ଛୁଟୁ ଥିଲା ଅହର୍ନିଶ
ସେଠି ବି ନିଅଣ୍ଟ ହେଲା ଶବ୍ଦ
ବର୍ଣ୍ଣବୋଧର ଅଣଚାଶ ଅକ୍ଷର
ଉଡ଼ିଗଲେ ଅଣଚାଶ ବାଆରେ ।
ପୃଥିବୀର ସବୁ ଘଡ଼ି
ଏମିତି ଅଟକି ଯା’ନ୍ତି
ଦଶଟା ଦଶରେ
ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା
ସ୍ଥିର ହୁଏ ସମୟ ସୀମାରେ ।।

ଏରୁଣି ବନ୍ଧରେ ତାକୁ
କେତେ ଦିନ ଠିଆ କରାଯାଇଥାନ୍ତା
ବେଳ ଉଣ୍ଡି, ତଲାସି-ତଲାସି
ସିଏ ଆସିଲା ସେଦିନ
ଏବଂ ଫିସ୍ ଫିସ୍ କି କଥା
କହିଲା କେଜାଣି-
ବାପା ଉଠିଲେ ତତ୍‌କ୍ଷଣାତ୍
ଥରୁଟିଏ ଅନିଶା କଲେନି
ଘର ଦୁଆ, ବନ୍ଧୁ ସହୋଦର ।

ବାପା ବୋଧହୁଏ ବୁଝିଥିଲେ
ଏବଂ ନିଜକୁ ବୁଝେଇ ବି ଥିଲେ
ଫେରିବାଟା ଯେତେବେଳେ ନିଶ୍ଚିତ
ସଅଳ ସଅଳ ଫେରିବାରେ
କିଛି ଫରକ୍ ନଥାଏ
ଅସଲ କାମ ବେଳ ଥାଉ ଥାଉ
ସାରି ପାରିଲେ ହେଲା ।।

ଲୋକପ୍ରିୟ ଲେଖା

To Top