କବିତା

ବାଟଚଲା ଗୀତ

Aparna Mohanty's Odia Poem BAATA CHALAA GITA

ହୁଙ୍କାର ହାହାକାରର
ଲୟ ଭୁଲି
ମଣିଷର ଆତ୍ମା
ଓ ହୃଦୟ ତାଳରେ
ତ୍ରାହି ତ୍ରାହି ସୁରରେ
ଗାଇବେ ବାଟଚଲା ଗୀତ ।

ବାଟଚଲା ଗୀତ

ଅଟକାଅ ନାହିଁ
ନିଜ ନିଜ ବାଟରେ
ସବୁରିକୁ ଚାଲିବାକୁ ଦିଅ
ଅପରାଧ ନିଜ ବାଟରେ ଯାଉ
ଆଇନ୍ ତା’ ନିଜ ବାଟରେ. . . ।

ଜନଗଣଙ୍କ ମନକୁ
ଭଣ୍ଡିବା ବାଟରେ
ଚାଲନ୍ତୁ ଅଧିନାୟକ
ତ’ ତାଙ୍କ ଚୁଟି-ଚରଣ
ଉଣ୍ଡି ଉଣ୍ଡି ଚାଲୁଥାନ୍ତୁ ଲୋକ

ଯୁଗଯୁଗର ପୁତି ଗନ୍ଧମୟ
ଅଧୁଆ କନ୍ଥା ପାରି
ବିତାଉ ଥାଆନ୍ତୁ ମଧୁରାତି
ରଙ୍ଗବତୀ ଶୃଗାଳୀ ନାୟିକା
ଆଉ ନୀଳବର୍ଣ୍ଣ ଶୃଗାଳ ନାୟକ ।

କଳା ଧନ, କଳା କାଚ ଝଲମଲ
ସନାତନ ଧରମର ଗାଡ଼ି
ଗଡ଼ି ଚାଲୁ କଳା ରାଜପଥେ

କଳା କଉଶଳ ଯେତେ
ଗେରୁଆ ଓ ରୁଦ୍ରାକ୍ଷମାଳାର
ଲୁଚି ରହୁ ମିଠା ଛୁରୀ ହୋଇ
କାଟିବାକୁ ମଣିଷର
ବିରୋଧ. . . ବିଦ୍ରୋହ ।

ଆଉ କଥା ଛାଡ଼
ମା’ ସରସ୍ୱତୀ ବି ଏଣିକି
କଳା ଶାଢ଼ୀ ପିନ୍ଧିବାକୁ
ପାଇଲେଣି ଭଲ ।

କଳା ପଦ୍ମରେ ସଜ୍ଜିତ
ସବୁ ସଭାଘର
ଆତ୍ମବନ୍ଦନାରେ ସ୍ତବ୍ଧ
ବିପଞ୍ଚୀ-ଝଙ୍କାର ।

ସେଇ ତ ମହାନ୍
ଯିଏ ଜାଣେ
ଛଳେ ବଳେ କଉଶଳେ
ଆପମାର ଶଠତାକୁ
ପ୍ରତିଷ୍ଠିତ କରିବାର ବାଟ ।

ଛେଳି ମେଣ୍ଢା ପରି
ପଲେ ଲୋକଙ୍କୁ
ନିଜ ବାଟରେ ଅଡ଼େଇବାକୁ
ଯା’ ହାତରେ ଅଛି
ଦି’ଚାରିଟା ଛନଛନ କଅଁଳ
ପତ୍ର ଲାଖିଥିବା
ଖଣ୍ଡେ କଞ୍ଚା ଛାଟ ।

ଏଇ ମହାପଥରେ
ମହାପାତ୍ରମାନଙ୍କ ସାଥୀରେ
ମାଡ଼ିମକଚି ଚାଲିନପାରି
କେହି ଜଣେ ଜଳକା ବାଟୋଇ
ପଛେଇ ଯାଏ ।

କେଉଁ ନିକାଞ୍ଚନ ଓସ୍ତ ଗଛ ଛାଇ
କି ରକ୍ତ କାଦୁଅ ଜୁଡୁବୁଡୁ
ମାଟି ଉପରେ ବସି ପଡ଼ି
ସତ୍ୟର ସ୍ୱେଦରେ
ମେଣ୍ଟାଉ ଥାଏ ଶୋଷ ।

କରୁଣାର ମଲମରେ
ଆରୋଗ୍ୟ କରିବାକୁ ଚାହୁଁଥାଏ
ଅସଂଖ୍ୟ ଅସଫଳତାର କ୍ଷତ ।

ଅରଣ୍ୟରେ
ଆକାଶରେ
ପାଣି-ପବନ
ଆଲୁଅରେ କି
ଆୟୁଷରେ. . . ।

ଛପିଛପି ସବୁରି ସହିତ
ଚାଲୁଥିବା ଆଉ ଜଣେ
ଜାଣିଥାନ୍ତି
ଯେ ଦିନେ
ଆଗକୁ ଯିବାକୁ
ଆଉ ବାଟ ନଥିବ ଯେତେବେଳେ
ଏକମୁଖ ହୋଇ ସର୍ବେ
ପଛକୁ ଫେରିବେ ।

ହୁଙ୍କାର ହାହାକାରର
ଲୟ ଭୁଲି
ମଣିଷର ଆତ୍ମା
ଓ ହୃଦୟ ତାଳରେ
ତ୍ରାହି ତ୍ରାହି ସୁରରେ
ଗାଇବେ ବାଟଚଲା ଗୀତ ।

ସେତିକିବେଳେ
ସବା ପଛରେଥିବା
ଏଇ ଲୋକିଟି ହାତରେ
ତାଙ୍କୁ କେବଳ
ଧରେଇ ଦବାକୁ ହେବ
ଗୋଟିଏ ସମ୍ପୂର୍ଣ୍ଣ
ସଭ୍ୟତାର ହାତ ।

ଲୋକପ୍ରିୟ ଲେଖା

To Top