କବିତା

ବାୟା ଅବଧୂତର ବୟାନ

Odia Writer Nishikanta Padhi

ତୁମ ନିଃଶ୍ୱାସରେ ପ୍ରବାହିତ ଶିରି ଶିରି ମଳୟ
ତୁମେ ଭାସିଯାଉଛ ଆଶା ବୈତରଣୀରେ
ତୁମେ ଖୋଜି ଚାଲିଛି ତୁମର ଇପ୍ସିତକୁ

ବାୟା ଅବଧୂତର ବୟାନ

ଜରାୟୁର ଅନ୍ଧକାର ଚିରି ଭୂମିଷ୍ଠ ହେଲାପରେ
ତୁମେ ଯନ୍ତ୍ରଣାରେ ଝଟପଟ ହେଲ କୁଆଁ କୁଆଁ କାନ୍ଦିଲ
ଟିକେ ଆଲୋକ ଆଉ ପବନ ପାଇଁ କେତେ ଛଟପଟ ହେଲ
ଆଜି ତୁମ ଚାରି ପାଖରେ ବିଚ୍ଛୁରିତ ଅନେକ ସୂର୍ଯ୍ୟର ରଶ୍ମୀ
ତୁମ ନିଃଶ୍ୱାସରେ ପ୍ରବାହିତ ଶିରି ଶିରି ମଳୟ
ତୁମେ ଭାସିଯାଉଛ ଆଶା ବୈତରଣୀରେ
ତୁମେ ଖୋଜି ଚାଲିଛି ତୁମର ଇପ୍ସିତକୁ
ଆଉ ତୁମେ ଅନବରତ ଧାଉଁଛ ତୁମର ସେ କାମନା ଗୁଡ଼ିକ ପଛରେ
ଏଇଥି ପାଇଁ ବୋଧେ ତୁମେ ଭସାଇ ଦେଉଛ ଏ ଦେଶ ସମାଜକୁ ଆଜି
ରକ୍ତ ଆଉ ଲୁହର ସମୁଦ୍ରରେ
ଏକ ଅସୂର୍ଯ୍ୟ ଉପନିବେଶ ଆଜି ଏ ସମାଜ ଆଉ ଦେଶ
ତୁମରି ମାଟିରେ ଦିନେ ବୁଦ୍ଧ କହିଥିଲେ କାମ ନାହିଁ ଦୁଃଖର କାରଣ
ଅଶୋକ ଶୁଣାଇ ଥିଲେ ବାଣୀ ହିଂସା ଓ ତରବାରୀରେ ମଣିଷର ହୃଦୟକୁ ଜୟ କରିହୁଏନା
ଚାଣକ୍ୟ ଶିଖାଇ ଥିଲେ ଅନେକ ଆଦର୍ଶର ନୀତି
ମହାଭାରତରେ ଗୀତାବାଣୀ ଶୁଣାଇ ଭଗବାନ କୃଷ୍ଣ କହିଥିଲେ
ସର୍ବ ଧର୍ମାନ୍ ପରିତେଜ୍ୟ, ମାମେଙ୍କ ଶରଣଂ ବ୍ରଜ
ଗାନ୍ଧାରୀ କରିଥିଲେ ଅକ୍ଷୟ ରହୁ ପୁଣ୍ୟ ଜଗତେ ଧର୍ମର ହେଉ ଜୟ
ଆଜି ମନେ ନାହିଁ ତୁମର ତୁମ ମାଟି ମଣିଷର କଥା
ଅଥଚ ତୁମେ ଆଜି ଇତସ୍ତତଃ, ବ୍ୟତିବ୍ୟସ୍ତ, କର୍ମକ୍ଲାନ୍ତ . . .
ତୁମକୁ ମୁଁ ଟଙ୍କା ପାହାଡ଼ଟିଏ ଦେବି
ଫୁଟାଇ ପାରିବ ଘାସ ଫୁଲର କଢ଼ିଟିଏ ତୁମରି ହାତରେ ଏ ମାଟି ଉପରେ
ତୁମକୁ ମୁଁ ସୁନାରୂପା ହୀରାଲୀଳା ମୋତି ମାଣିକ୍ୟର ଜଙ୍ଖଟିଏ ଦେବି
ପିନ୍ଧାଇ ଦେଇ ପାରିବ ଅଳଙ୍କାର ଗଢ଼ି ତୁମ ପ୍ରିୟତମାର ମନ ଓ ହୃଦୟରେ
ତୁମକୁ ସର୍ବୋଚ୍ଚ କ୍ଷମତାର ଚଉକିରେ ବସାଇ ଦେବି
ପାରିବ ଭରି ମୁନ୍ଦେ କ୍ଷୀର ମା’ର ଶୁଖିଲା ଥନରେ . . . ପାରିବ !
ଅବଶ୍ୟ ବଞ୍ଚିଯାଇ ପାରିବ ଶିଶୁଟିଏ କେତେ ମୁହୂର୍ତ୍ତ ପାଇଁ ।
ତୁମକୁ ମୁଁ ମନ୍ଦିର ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାରାଠାରେ ରଖି ଈଶ୍ୱର ଭାବେ ପୂଜା କରିବି
ତୁମେ ବଦଳାଇ ଦେଇ ପାରିବ ଗୋଟିଏ ଭୋଖିଲା ଭୂଖଣ୍ଡର ବିକଳ ମାନଚିତ୍ରକୁ
ତୁମେ ବୋଳିଦେଇ ପାରିବ ହସ ଚେନାଟିଏ
ଭୋଗି ଭୋଗି ଦୁଃଖୀ ରଙ୍କିଙ୍କର ରକ୍ତ ଜୁଡୁବୁଡୁ ଫାଟିଲା ଓଠରେ
ତୁମେ କିଛି କରିପାରିବନି, ତୁମେ କ୍ଳାନ୍ତ, ଉଦ୍ଭ୍ରାନ୍ତ, ଉନ୍ମତ, ଉତ୍ସ୍ରଙ୍ଖଳିତ
ତୁମେ ଏବେ ମୋ ସାଥିରେ ଆସ ଆଖି ଖୋଲିଦେଖ
ଆଖି ଆଗରେ ଘନ କୁହୁଡ଼ିର ଅନ୍ଧାର
ସେ ଅନ୍ଧାରକୁ ଦୂରେଇବା ପାଇଁ ତୁମକୁ ଝକ୍‌ଝକିର ପାଷାଣ ଖଣ୍ଡେ ହେବାକୁ ପଡ଼ିବ
ଏବେ ଅପେକ୍ଷାକର ମଣିଷ ଦେଖ
ଅନ୍ଧାର ଅପସରି ଗଲାଣି . . . ଦେଖ ତୁମ ଆଖି ଆଗରେ
କ୍ଷେତ୍ର ଅମାର, ପରାଗ ରେଣୁ, ପତ୍ର ବୀଜ
ନଦୀ, ଝରଣା, ବିଲ, ବଣ, ପୋଖରୀ, ପାହାଡ଼ ଜଙ୍ଗଲ
ଦେଖ ତୁମ ସାତ ପୁରୁଷର ଭିଟାମାଟି ଉପରେ ଫଳିଛି
ବଇଁଚ କୋଳି, କଷି କାକୁଡ଼ି, ଫୁଟିଛି ମଧୁ ମାଳତୀର ଫୁଲ
ନଟେଇ ଯାଇଛି ଜହ୍ନି କାକୁଡ଼ିର ଲତା
ବାଡ଼ିପଟ ଆମ୍ୱଗଛର ଡାଳରେ ରାବୁଛନ୍ତି କୋଇଲି, ହଳଦୀବସନ୍ତ, ଶୁଆସାରୀ
ଗହଳିଆ ଆମ୍ୱତୋଟା, ଧୂ ଧୂ ଖରାବେଳ ନିର୍ଜନ ପ୍ରହର
ଅମାନିଆ ପ୍ରେମର ଅଭିସାର ।
ମୁଣ୍ଡ ଉପରେ ନୀଳ ଆକାଶର ଛାତି, ଜହ୍ନର ମତୁଆଲା ହସ
ତାରାମାନଙ୍କର ଆଖିମିଟିକା, ବାଦଲର ଢେଉ ଢେଉକା ଛବି
ତଥାପି ତୁମର ମନବୁଝୁନି ଏ ପୃଥିବୀ ଉପରେ
ଏବେ ତୁମେ ଫେରିଆସି ତୁମର ସେ ଖୋଜିଲା ପଥରୁ
ଆପଣେଇ ନିଅ ଜଟା କଉପିନ କମଣ୍ଡଳୁ
ହାତେଇ ନିଅ ଶଙ୍ଖ ଝାଞ୍ଜ ଘଣ୍ଟ
ବୋଳି ହୋଇପଡ଼ ଚନ୍ଦନ ସିନ୍ଦୁର ତିଳକ
ସାଉଁଟି ନିଅ ହରିବୋଲି, ହୁଳହୁଳି ଆଉ କରତାଳିର ଶବ୍ଦଗୁଡ଼ାକୁ
ଏବେ ଦେଖ ଏକ ଶାନ୍ତିର ମାହୋଲ୍
ଆଉ ବା କ’ଣ ଖୋଜିବାର ଲୋଡ଼ା ।

ଲୋକପ୍ରିୟ ଲେଖା

To Top