କବିତା

ବାଦାମବାଡ଼ି

Matrudatta Mohanty's odia poem Badambadi

ନିଜ ଠିକଣା ଖୋଜେ ମଟରଗାଡିରେ,
ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ
ଭାବ ବିକୁଥାନ୍ତି ବାଦାମବାଡ଼ିରେ ।

ବାଦାମବାଡ଼ି

ସନ୍ଧ୍ୟା ନାଇଁ ଆସିଲେ
ମଥା ନୁଆଁଇ ଦିଏ ବାଦାମବାଡ଼ି,
ଦିନ ତମାମ ଛାତି ଫୁଲେଇ ଛିଡ଼ା ହୁଏ
ମୁଣ୍ଡ ଟେକି କଥା ହୁଏ
ସନ୍ଧ୍ୟାରେ ଥକିଯାଇ ଚିତ୍‌ପଟାଙ୍ଗ ମାରେ
ସୁଇପର କଲୋନୀର ସାରିଆ ପରି ।

ପାଦ ଘୋଷାରି ଘୋଷାରି ଆସେ
ବାରବୁଲା ବସ୍ତିବାଲା
କାନ୍ଧରେ କୋଡ଼ି କୋଦାଳ
ମୁହଁରେ ମାତାଳି ଭାଷା ।

ଟ୍ରାଫିକ୍‌ ଛକ ଆଲୁଅରେ ଜଳକା ହୁଏ
ମାସ, ବର୍ଷ, ଦିନ, ବାରି ବିକୁଥିବା
କ୍ୟାଲେଣ୍ଡରବାଲା
ତଣ୍ଟିଫଟା ଚିତ୍କାରରେ
ଘରବାହୁଡାକୁ ଘଉଡାଏ ବସ୍‌ବାଲା ।

ରୁଟି ପାଇଁ ଛାଡି ସହରର ତାତିରେ
ଦିନମାନ ସିଝିଥିବା ଗାଁ ର ନିରୀହ ମଣିଷ
ନିଜ ଠିକଣା ଖୋଜେ ମଟରଗାଡିରେ,
ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ
ଭାବ ବିକୁଥାନ୍ତି ବାଦାମବାଡ଼ିରେ ।

ଢଳି ଢଳି ଗଡିଯାଏ ସଞ୍ଜ ମଧୁପାଟଣା ଆଡ଼କୁ
ଖାନନଗର ଆଡୁ ମାଡି ଆସେ ରାତି ,
ଥକି ପଡିଥିବା ଯେତେ ସବୁ ପାଦ
ନିଖୋଜ ହୋଇଯାଏ
ରାତି ଅଧାକୁ ଶୁଭେ
ବାଦାମବାଡ଼ି କାନ୍ଦୁଥାଏ ।

ଲୋକପ୍ରିୟ ଲେଖା

To Top