କବିତା

ବନ୍ଦନୀୟା

Prafulla Kumar Panda's odia poem Bandaniya

ରକତ ନିଗାଡ଼ି ଅମୃତ ଦିଏ
ଯଶୋଦା ମା’ଙ୍କ ପରି,
ଦଶମାସ କାଳ ଭାରା ବହି ଚାଲେ
ଅନୁଶୋଚନା ନ କରି ।

ବନ୍ଦନୀୟା

ପର ଆପଣାର ବିବିଧତା ଭୁଲି
ରଚଇ ସୁନ୍ଦର ନୀଡ଼,
ବିଭିନ୍ନତା ସତ୍ତ୍ୱେ ସମନ୍ୱୟ ସୂତ୍ରେ
ସଜାଏ ଫୁଲର ତୋଡ଼ । (୧)

ବସୁନ୍ଧରା ସମ ଅସହ୍ୟଯାତନା
ବିନା ପ୍ରତିବାଦେ ସହେ,
ସବୁଜିମା ଭରେ ହୃଦୟ ପ୍ରାନ୍ତରେ
ମଳୟର ସୁଧା ବହେ । (୨)

ନିର୍ଝରିଣୀ ସମ ଜୀବନ ଗୀତିକା
ବେଦର ମୂର୍ଚ୍ଛନା ତୋଳେ,
ବିମୋହିତ ବିଶ୍ୱ ବନ୍ଦେ ତା’ର ପାଦ
ଚିର ଶାନ୍ତି ତା’ର କୋଳେ । (୩)

ରତ୍ନଗର୍ଭା ଲଭି ଅନନ୍ତ ଗର୍ଭରେ
ଅମୂଲ୍ୟ ସମ୍ପଦଭରି,
ସଂସାରକୁ ଦିଏ ଦିବ୍ୟ ଉପହାର
କି ଉପମା ତା’ର ସରି ? (୪)

ରକତ ନିଗାଡ଼ି ଅମୃତ ଦିଏ
ଯଶୋଦା ମା’ଙ୍କ ପରି,
ଦଶମାସ କାଳ ଭାରା ବହି ଚାଲେ
ଅନୁଶୋଚନା ନ କରି । (୫)

ନାହିଁ ତା’ ଅଇରି ବୋଲି ସିଏ ନାରୀ
ସମଭାବାପନ୍ନ ମନ୍ତ୍ରେ,
ବିଶ୍ୱ ଦରବାରେ ଶକ୍ତି ସ୍ୱରୂପରେ
ପୂଜୁଛୁ ହୃଦୟ ତନ୍ତ୍ରେ । (୬)

ତା’ ପଣତକାନୀ ଅଭୟଦାୟିନୀ
ଦୁଃଖ ଯନ୍ତ୍ରଣାର ଅନ୍ତ,
ପ୍ରଚଣ୍ଡ ନିଦାଘେ ଶୀତଳତା ଭରେ
ବୁଝିବେ କୋବିଦବନ୍ତ । (୭)

ଲୋକପ୍ରିୟ ଲେଖା

To Top