କବିତା

ବନ୍ତ ଛକରେ ବାସନ୍ତୀ

Dr Dilip Kumar Swain's odia poem Banta Chakare Baasanti

ଶେଷ ଟ୍ରେକର ଡ୍ରାଇଭର୍
ଯାଚିଥିଲା ତା’ ପାଖର ସିଟ୍
ତା’ ଦାଢ଼ି, ଆଖି, ଇସାରାକୁ
ଭରସିଲାନି ବାସନ୍ତୀ ।
ନିଃଶ୍ୱାସ ନେଇ ନେଇ ଗଡ଼ିଗଲା ଶେଷଗାଡ଼ି ।

ବନ୍ତ ଛକରେ ବାସନ୍ତୀ

କୁକୁଡ଼ା କଟାଳୀ ଦୁଲୁ ମିଆଁ
ବନ୍ଦ କରି ସାରିଲାଣି କେବିନ୍ ।

କାଳିଆ ଘୁଗୁନି ଓ ଗୁପ୍‌ଚୁପ୍ ଖାଇ
ଫେରିଗଲେଣି କଲେଜ୍ ପିଲା ।

ବିଦେଶୀ ମଦ ଦୋକାନ ଶୋଇବ ଶୋଇବ ହେଲାଣି
ସଟର ଲଟକିଛି ଅଧା ଦର୍ଜାରେ
କାଲି ପାଇଁ କଣ୍ଡୋମ୍ ଓ ଚକୋଲେଟ୍ କିଣୁଛି ଛାତ୍ରଟି
କନକନିଆ ଅନ୍ଧାରରେ ।

ବିକ୍ରିକର ଅଫିସ୍ କଡ଼ରୁ ଦେଶୀ ମଦ ପିଇ
ଫେରିଗଲେଣି ରିକ୍ସାବାଲା
ଦିନଯାକର ଦରଜ ହାଣ୍ଡିଆ ଆଟିକାରେ ଧରି
ଦାମ୍ପତ୍ୟରେ ମାତିଗଲେଣି ତିର୍ଲା ଲୋକ ।

ଏ ଛକର ନାଁ ବନ୍ତ ଛକ
ବନ୍ତ ଏଠୁ କୋଡ଼ିଏ କିଲୋମିଟର
କ’ଣ କରିବ ବାସନ୍ତୀ ?
ଅନ୍ଧାର ବୋଳି ହେଲାଣି ଆଖିସାରା
ଦେହର ସ୍ଥାପତ୍ୟରେ ଧୂଳି ଜମିଗଲାଣି
କୋଡ଼ିଏ କି.ମି.ର ନିର୍ଜନତା ଘରଠୁ
କିପରି କାଟିବ ବର୍ଷାମୁହାଁ ଭଦ୍ରକର ଅନ୍ଧାରୀ ଛକରେ ।

ଶେଷ ଟ୍ରେକର ଡ୍ରାଇଭର୍
ଯାଚିଥିଲା ତା’ ପାଖର ସିଟ୍
ତା’ ଦାଢ଼ି, ଆଖି, ଇସାରାକୁ
ଭରସିଲାନି ବାସନ୍ତୀ ।
ନିଃଶ୍ୱାସ ନେଇ ନେଇ ଗଡ଼ିଗଲା ଶେଷଗାଡ଼ି ।

ଚାରିଟା ଝିଅ ଗଭାରେ ଫୁଲ ଖୋସି
ଠିଆ ହେଲେ ତା’ ପାଖରେ
ଟ୍ରକଡ଼ାଲାରେ ସହବାସର ଶେଯ ପାରି
ଶୋଇଗଲେ ଦି’ଜଣ
ଥାନାବାବୁଙ୍କ ଭାଗରେ ଜଣେ
ଆଉ ଜଣେ ଢାବା ମାଲିକିନାରେ ।

ନାଳ ଗଡ଼ଉଥିବା କୁକୁର ଦିଟା
ଲାଇଟ୍ ପୋଷ୍ଟ ତଳେ ଚୁମା ଦେବାରେ ବ୍ୟସ୍ତ ।
ବାଇକ୍‌ରେ ଯାଉଚି ଏ ଏକାକୀ ଯୁବକ
ତା’ ଦେହରେ ଦେହଯୋଡ଼ି ବସିବି ଗାଡ଼ିରେ
ଭିଡ଼ି ଧରିବି ତାକୁ ଲୋଡ଼ିବା ପଣରେ
ଘର ଲମ୍ୱିଯାଆନ୍ତା ବହୁଦୂର
ବଂଶୀ ପରି ବାଜନ୍ତା ଏ ରାତିର ଅନ୍ଧାର ।

ଆଜି ଆସନ୍ତାନି ତା’ର ପୁରୁଣା ପ୍ରେମିକ
ଯିଏ ଚୁମାଟିଏ ଦେଇ ନ ପାରିବା ଦୁଃଖରେ
ଛାଡ଼ିଦେଲା କଲେଜ୍ କ୍ୟାମ୍ପସ୍ ।

ଘରକୁ କାହିଁକି ଯିବ ସେ ରାତିରେ
ଘର କ’ଣ ବାନ୍ଧି ପାରିଛି ତାକୁ ନିବିଡ଼ ସୁଖରେ ?

ଜହ୍ନର ଟୁକୁଡ଼ା ଖଣ୍ଡେ ଖସିପଡ଼ିଚି ସାଳନ୍ଦୀରେ
ଓଃ ! ଆଜି ନିଶାସକ୍ତ ଭଦ୍ରକ
ଏ, ମୋର ନିରୀହ ଦୁଷ୍ଟ ଅତୀତ
ଆସ, ଏଠି ବାସନ୍ତୀ ଏକା ଏକା
ଆମ ମିଳନ ବିଭୋରତାରେ
ବାସ୍ନାମୟ ହୋଇଉଠୁ ବନ୍ତ ଛକ ।

ଆଉ ଯିବନି ଘରକୁ
ବାସନ୍ତୀ ଗୋଡ଼ କାଢ଼ିଲା
ଗୋଡ଼ହାତ ଲମ୍ୱେଇ ଶୋଇଗଲାଣି ବନ୍ତ ଛକ ।

ଲୋକପ୍ରିୟ ଲେଖା

To Top